ଚତୁର କୁଆ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ
କିଛିଦିନ ତଳେ ବଡ଼ିଭୋରରୁ ମୁଁ ପ୍ରାତଃଭ୍ରମଣରେ ବାହାରିବା ବେଳେ ମୋ ଗେଟ୍‌ ଉପରେ ବସିଥିବା ଏକ କୁଆ ମୋତେ ଚାହିଁ ରାବିବାକୁ ଲାଗିଲା। ସେ ଖୁବ୍‌ ବ୍ୟସ୍ତ ଥିବା ପରି ମନେହେଲା ଏବଂ ମୁଁ ସେଠି ଠିଆହୋଇ ସେ କ’ଣ ଚାହୁଁଛି ବୁଝିବାକୁ ଚେଷ୍ଟା କଲି। ଦୁଇମିନିଟ୍‌ ପରେ ମୁଁ ପିଠି ବୁଲାଇ ପଛକୁ ଫେରିବାକୁ ଆରମ୍ଭ କଲି। କୁଆଟି ସଙ୍ଗେ ସଙ୍ଗେ ମୋ ମୁଣ୍ଡ ଉପରକୁ ଉଡ଼ିଆସି ମୋ ଚୁଟି ଟାଣିଲା। ମୁଁ ଦ୍ୱନ୍ଦ୍ୱରେ ପଡ଼ିଗଲି ଓ କ’ଣ କରିବି ଜାଣିପାରିଲିନି। ତା’ପରେ ମୁଁ ସେ କୁଆ ପାଇଁ କିଛି ବିସ୍କୁଟ ଓ ପାଣି ଆଣିଲି। ସେ ସେଥିରୁ ଖଣ୍ଡେ ନେଲା ଏବଂ ତାକୁ ଗେଟ୍‌ରେ ଭାଙ୍ଗି ଗିଳିବା ଆକାରର କଲା, ମୋ ଆଡ଼କୁ ଟିକେ ନୈରାଶ୍ୟପୂର୍ଣ୍ଣ ନଜରରେ ଚାହିଁଲା ଓ ଉଡ଼ିଗଲା।
କୁଆ ଓ ପିମ୍ପୁଡ଼ିମାନେ ହେଉଛନ୍ତି ମୋ ‘ଜିନିଷ’। ସେମାନେ ଖୁବ୍‌ ଚତୁର, ଶିଷ୍ଟ, ରୁଚିପୂର୍ଣ୍ଣ, ବାସ୍ତବଧର୍ମୀ, ପରିବାରମନସ୍କ ଓ ଶୃଙ୍ଖଳିତ, ଯାହା ମଣିଷ ହେବା ଉଚିତ କିନ୍ତୁ ହୋଇପାରିନି। ପ୍ରତି କିଛିମାସ ଅନ୍ତରରେ ମୁଁ ସେମାନଙ୍କ ବିଷୟରେ ଲେଖୁଛି ଏବଂ ପ୍ରତିଥର ସେମାନଙ୍କ ବୁଦ୍ଧିମତ୍ତାର କିଛି ନୂଆ ଦିଗକୁ ଆଲୋକିତ କରିବାକୁ ଚେଷ୍ଟା କରୁଛି।
ବୁଦ୍ଧିମତ୍ତା କ’ଣ? ଅନେକ ମହାସମୁଦ୍ର ଡେଇଁ ଉଡ଼ି ଉଡ଼ି ଆଉ ଏକ ଦେଶକୁ ଯିବା ଓ ସେଇ ଏକା ଗଛରେ ବସିବା- ଏହା କ’ଣ ଅସାଧାରଣ ବୁଦ୍ଧିମତ୍ତାର ପରିଚାୟକ ନୁହେଁ? କିନ୍ତୁ ଆମେ କେବଳ ଦୁଇଟି ଜିନିଷ ଭିତରେ ତୁଳନା କରିବା, ଅନ୍ୟ ମଣିଷର କଥାକୁ ନକଲ କରିବା ବା ଦୁଇରେ ଦୁଇ ମିଶାଇବାର କ୍ଷମତାରୁ ବୁଦ୍ଧିର ପରିମାପ କରୁ।
ବିହେଭିୟରାଲ ଇକୋଲୋଜି ଆଣ୍ଡ୍‌ ସୋସିଓଲୋଜି ପତ୍ରିକାରେ ପ୍ରକାଶିତ ଏକ ଅନୁଧ୍ୟାନର ରିପୋର୍ଟ ଅନୁସାରେ କୁଆମାନଙ୍କର ସ୍ମୃତିଶକ୍ତି ଅତି ପ୍ରଖର ଏବଂ ସେମାନେ ମଣିଷଙ୍କ ମୁହଁ ଚିହ୍ନିପାରନ୍ତି ଓ କେଉଁ ମଣିଷ ବିପଜ୍ଜନକ ତାହା ମନେରଖିପାରନ୍ତି। ଏକା ମଣିଷକୁ ସେମାନେ ଭିନ୍ନ ଜାଗାରେ ଦେଖିଲେ ବି ଚିହ୍ନିପାରନ୍ତି। ଗୋଟିଏ ଗବେଷଣାରେ ଗବେଷକମାନେ ମୁହଁରେ ମୁଖା ପିନ୍ଧି ଓ ହାତରେ ମଲା କୁଆକୁ ଧରି ଜିଅନ୍ତା କୁଆମାନଙ୍କୁ ଖାଦ୍ୟ ଦେଲେ। କୁଆମାନେ ସେ ଖାଦ୍ୟ ତ ଖାଇଲେ ନାହିଁ ବରଂ ଅନ୍ୟ କୁଆମାନଙ୍କୁ ସତର୍କ କରିଦେଲେ ଓ ସେ ଗବେଷକମାନଙ୍କୁ ଆକ୍ରମଣ କଲେ। ଯେତେବେଳେ ଉକ୍ତ ଗବେଷକମାନେ କିଛି ସପ୍ତାହ ପରେ ଫେରିଆସିଲେ ସେତେବେଳେ ସେମାନଙ୍କ ହାତରେ ମଲା କୁଆ ନ ଥିଲା। କିନ୍ତୁ କୁଆମାନେ ତଥାପି ତାଙ୍କୁ ଆକ୍ରମଣ କରିବାକୁ ଓ ହଇରାଣ କରିବାକୁ ଲାଗିଲେ। କୁଆମାନେ ଦିନ ଦିନ ଧରି ସେ ଅଞ୍ଚଳରେ ପଡ଼ିଥିବା ଖାଦ୍ୟର ଦାନାଟିଏ ବି ଉଠାଇଲେ ନାହିଁ। ଗୋଟିଏ କୁଆ ଯେତେବେଳେ ଏକ ନୀଚ ମଣିଷ ସଂସ୍ପର୍ଶରେ ଆସେ ସେ ଉକ୍ତ ମଣିଷକୁ ଚିହ୍ନିରଖେ ଓ ଅନ୍ୟ କୁଆମାନଙ୍କୁ ତାକୁ ଚିହ୍ନାଇଦିଏ। କୁଆମାନେ କାର୍‌, ମଣିଷର ଭାବଭଙ୍ଗି ଆଦି ଚିହ୍ନିପାରନ୍ତି ଓ ରାଗ ବି ରଖିପାରନ୍ତି।
ଗବେଷକମାନେ ମୁଖା ପିନ୍ଧି ୧୨ଟି କୁଆଙ୍କୁ ଧରିଲେ, ତାଙ୍କୁ ଘରେ ରଖିଲେ ଓ ଅନ୍ୟ ପୋଷାକ ପିନ୍ଧି ତାଙ୍କୁ ଖାଇବାକୁ ଦେଲେ। ଚାରି ସପ୍ତାହ ପରେ ସେମାନେ ଉକ୍ତ କୁଆଙ୍କ ମସ୍ତିଷ୍କ ପରୀକ୍ଷା କରି ଦେଖିଲେ ଯେ ମଣିଷଙ୍କ ପରି ସେମାନେ ସବୁକିଛି ମନେରଖିପାରୁଛନ୍ତି। ନିର୍ଯାତକ ମଣିଷଙ୍କୁ ଦେଖିଲା ବେଳେ ସେମାନଙ୍କ ମସ୍ତିଷ୍କ ଯେପରି କାମ କରୁଥିଲା, ସେମାନଙ୍କ ଯତ୍ନ ନେଉଥିବା ମଣିଷଙ୍କୁ ଦେଖିଲାବେଳେ ତା’ଠାରୁ ଭିନ୍ନ ପ୍ରକାର କାମ କରୁଥିଲା।
କୁଆମାନଙ୍କ ଚତୁରତା ବିଷୟରେ ୨୦୧୮ରେ ଏକ ଗବେଷଣା କରାଯାଇଥିଲା, ଯାହା ନେଚର ସାଇଣ୍ଟିଫିକ୍‌ ରିପୋର୍ଟରେ ପ୍ରକାଶ ପାଇଥିଲା। ପ୍ରଥମ ପର୍ଯ୍ୟାୟରେ ଏକ ବାକ୍ସରେ କୁଆମାନଙ୍କ ପାଇଁ ଖାଦ୍ୟ ରଖାଗଲା ଓ ଉପରେ ଏକ ଲମ୍ବା ବାଡ଼ି ବି ରଖାଗଲା। ବାଡ଼ିର ସାହାଯ୍ୟ ବିନା କୁଆମାନେ ସେଥିରୁ ଖାଦ୍ୟ ଖାଇପାରିବେ ନାହିଁ। ଦ୍ୱିତୀୟ ପର୍ଯ୍ୟାୟରେ ଏକ ଲମ୍ବା ବାଡ଼ି ବଦଳରେ ଏକ ଛୋଟ ବାଡ଼ି ଓ ନଳୀ ପରି ବାଡ଼ି ଦିଆଗଲା। ଛୋଟ ବାଡ଼ିଟିକୁ ନଳୀ ଭିତରେ ଭର୍ତ୍ତି କଲେ ଯାଇ ତାହା ଖାଦ୍ୟ ପାଖରେ ପହଞ୍ଚିପାରିବ। ତୃତୀୟ ପର୍ଯ୍ୟାୟରେ କୁଆମାନଙ୍କୁ ଦୁଇରୁ ଅଧିକ ଜିନିଷ ଦିଆଗଲା, ଯାହାକୁ ଯୋଡ଼ାଯୋଡ଼ି କରି ଖାଦ୍ୟ ପାଖରେ ପହଞ୍ଚିହେବ। ପ୍ରଥମ ଦୁଇ ପର୍ଯ୍ୟାୟରେ କୁଆମାନେ ପାସ୍‌ କରିଗଲେ ଓ ସେହି ଜ୍ଞାନକୁ ଆଧାର କରି ତୃତୀୟ ପର୍ଯ୍ୟାୟରେ ବି ନୂଆ ଜିନିଷଗୁଡ଼ିକୁ ଯୋଡ଼ାଯୋଡ଼ି କରି ଖାଦ୍ୟ ଖାଇବାକୁ ସମର୍ଥ ହେଲେ। ଏଥିରୁ ଜଣାଗଲା କୁଆମାନେ ଶିମ୍ପାଞ୍ଜି ଓ ଗରିଲାମାନଙ୍କଠାରୁ ବି ଚତୁର।
ଆଉ ଏକ ଅନୁଧ୍ୟାନରେ କାଲେଡୋନିଆନ୍‌ କୁଆମାନଙ୍କ ଆଗରେ ଏକ ଭେଣ୍ଡିଂ ମେଶିନ୍‌ ରଖାଗଲା। ଏକ କଣାରେ ନିର୍ଦ୍ଦିଷ୍ଟ ଆକାରର କାଗଜ ରଖିଲେ ଭେଣ୍ଡିଂ ମେଶିନ୍‌ ଭିତରୁ ଖାଦ୍ୟ ବାହାରୁଥିଲା। କୁଆମାନେ ଏହି କୌଶଳ ଅତି ସହଜରେ ଶିଖିଗଲେ ଓ ମେଶିନ୍‌ରୁ ଖାଦ୍ୟ ବାହାର କରି ଖାଇଲେ। ତା’ପରେ ସେହି କୁଆମାନଙ୍କୁ ଭୁଲ୍‌ ଆକାରର କାଗଜ ଦିଆଗଲା। କୁଆମାନେ ବିନା ବାଧାରେ କାଗଜଗୁଡ଼ିକୁ ପୂର୍ବ ଆକାରବିଶିଷ୍ଟ କରି, ଯାହା ସେମାନଙ୍କର ମନେଥିଲା, ମେଶିନ୍‌ରୁ ଖାଦ୍ୟ ବାହାର କରିବାକୁ ସମର୍ଥ ହେଲେ।
ଏସପ୍‌ କାହାଣୀରେ କୁଆ ଓ ମାଠିଆ ଗପ ଅଛି। ଗୋଟିଏ ତୃଷାର୍ତ୍ତ କୁଆ ଅଳ୍ପ ପାଣି ଥିବା ମାଠିଆ ଭିତରେ ଗୋଡ଼ି ପକାଇ କିପରି ପାଣି ପିଇଲା, ତାହା ଏହି ଗପରେ ବର୍ଣ୍ଣିତ। ବୈଜ୍ଞାନିକମାନେ କୁଆଙ୍କ ବୁଦ୍ଧି ପରୀକ୍ଷା କରିବା ପାଇଁ ଅନୁରୂପ ଏକ ପରୀକ୍ଷା କରିଥିଲେ। ପାଣି ଥିବା ଏକ ରବର ନଳୀ ଭିତରେ ଗୋଡ଼ି ପକାଇ କୁଆମାନେ ପାଣି ପିଇଲେ କିନ୍ତୁ ଯେଉଁ ରବର ନଳୀ ଭିତରେ ପାଣି ବଦଳରେ ବାଲି ଥିଲା, ସେଥିରେ ଗୋଡ଼ି ପକାଇଲେ ନାହିଁ। ସେମାନେ ପାଣି ଥିବା ନଳୀ ଭିତରେ କେବଳ ଓଜନିଆ ବସ୍ତୁ ପକାଇଲେ, କୌଣସି ଭାସମାନ ବସ୍ତୁ ପକାଇଲେ ନାହିଁ। ତେଣୁ କାର୍ଯ୍ୟ-କାରଣ ସମ୍ପର୍କ ବିଷୟରେ କୁଆମାନଙ୍କର ଯେ ଜ୍ଞାନ ଅଛି ତାହା ଏଥିରୁ ସ୍ପଷ୍ଟ।
ନିକଟରେ ମସ୍କୋ ଷ୍ଟେଟ୍‌ ୟୁନିଭର୍ସିଟି ଓ ୟୁନିଭର୍ସିଟି ଅଫ୍‌ ଆୟୋଓ୍ବା ପକ୍ଷରୁ ମିଳିତଭାବେ ଏକ ଗବେଷଣା କରାଯାଇଥିଲା। ଏଥିରୁ ଜଣାପଡ଼ିଛି ଯେ କୁଆମାନେ ଏପରି ସମସ୍ୟାର ସମାଧାନ କରିପାରନ୍ତି, ଯେଉଁଥିରେ ବୌଦ୍ଧିକ ଚିନ୍ତନର ଆବଶ୍ୟକତା ରହିଛି। ଏକା ପ୍ରକାର ରଙ୍ଗ, ଆକାର ବା ସଂଖ୍ୟାବିଶିଷ୍ଟ ଜିନିଷକୁ ବର୍ଗୀକରଣ କରିବା ପାଇଁ କୁଆମାନଙ୍କୁ ତାଲିମ ଦିଆଗଲା। ତା’ପରେ କୁଆମାନେ ବିନା ସାହାଯ୍ୟରେ ସେହିପ୍ରକାର କାର୍ଯ୍ୟ କରିପାରୁଛନ୍ତି କି ନାହିଁ ପରୀକ୍ଷା କରାଗଲା। ଏ ପରୀକ୍ଷାରେ ସେମାନେ ଉତ୍ତୀର୍ଣ୍ଣ ହୋଇଗଲେ।
ଅନ୍ୟ ପ୍ରାଣୀଙ୍କ ଅପେକ୍ଷା କୁଆମାନଙ୍କର ମସ୍ତିଷ୍କ ସେମାନଙ୍କ ଶରୀରର ଆକାର ତୁଳନାରେ ବଡ଼। ସେମାନଙ୍କ ମସ୍ତିଷ୍କର ସ୍ନାୟୁକୋଷୀୟ ସାନ୍ଦ୍ରତା (ଏକ ଗ୍ରାମ୍‌ ମସ୍ତିଷ୍କରେ ରହିଥିବା ସ୍ନାୟୁକୋଷ ସଂଖ୍ୟା) ମଣିଷ, ମାଙ୍କଡ଼ ପ୍ରଭୃତି ପ୍ରାଣୀଙ୍କଠାରୁ ଅଧିକ। ତେଣୁ ସେମାନଙ୍କ ଛୋଟିଆ ମସ୍ତିଷ୍କର ପ୍ରସେସିଂ ପାଓ୍ବାର ଢେର୍‌ ଅଧିକ।
ମୁଁ ଏବେ ବି ସନ୍ଦେହରେ ଅଛି- ସେଦିନ ସେ କୁଆଟି ମୋତେ କ’ଣ କହିବାକୁ ଚାହୁଁଥିଲା।
Email: gandhim@nic.in


All Right Reserved By Dharitri.Com

ଅପରାଧର ଶିକାର

ସମ୍ପାଦକୀୟ/ତଥାଗତ ସତପଥୀ ନିକଟରେ ହାଇଦ୍ରାବାଦରେ ମହିଳା ଡାକ୍ତରଙ୍କୁ ଗଣବଳାତ୍କାର ଓ ହତ୍ୟା ଘଟଣା ସମଗ୍ର ଭାରତରେ ଚାଞ୍ଚଲ୍ୟ ଖେଳାଇଛି। ପ୍ରାୟ ସବୁ ଗଣମାଧ୍ୟମରେ ଏ ସମ୍ପର୍କରେ...

ଏଇ ଭାରତରେ

ସମାଜରେ ଧର୍ମ ଓ ସାମ୍ପ୍ରଦାୟିକ ଭାବନାରୁ ଊର୍ଦ୍ଧ୍ୱକୁ ଉଠି ଭାଇଚାରା ଓ ସର୍ବଧର୍ମ ସମନ୍ବୟର ବାର୍ତ୍ତା ଦେଉଛନ୍ତି ସିମରା ଗାଁର ମୁସଲମାନ୍‌ମାନେ। ବୃତ୍ତି ପାଇଁ ଧର୍ମ...

ସମ୍ପାଦକୀୟ/ ପିମ୍ପୁଡ଼ି ଦଳିଦେଲୁ

ଇଂଲଣ୍ଡର ମାଞ୍ଚେଷ୍ଟରଠାରେ ୧୬ ଜୁନ୍‌ରେ ହୋଇଥିବା ବିଶ୍ୱକପ୍‌ କ୍ରିକେଟ୍‌ର ଏକ ମ୍ୟାଚରେ ପାକିସ୍ତାନକୁ ଭାରତ ୮୯ ରନ୍‌ରେ ପରାସ୍ତ କରିଛି। ବିଶ୍ୱକପ୍‌ ଆରମ୍ଭ ହେବା ଦିନରୁ...

ମନ୍ତ୍ରୀ ନା ସଚିବ, କିଏ ଚଳାଉଛି ସରକାର

ସହଦେବ ସାହୁ ପ୍ରତି ମାସ ୭ ତାରିଖରେ ମନ୍ତ୍ରୀମାନେ ସେମାନଙ୍କ କାର୍ଯ୍ୟ ସମ୍ପାଦନ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କୁ ଦେବେ ଶୁଣି ପାଠକମାନେ ଭାବୁଥିବେ ଆମ ମୁଖ୍ୟମନ୍ତ୍ରୀ କ’ଣ...

ଆଜିର ଅର୍ଥନୀତି/ ଆହୁରି ସଂସ୍କାର ଲୋଡ଼ା

ସମ୍ପ୍ରତି ଦେଖାଦେଇଥିବା ଆର୍ଥିକ ମାନ୍ଦାବସ୍ଥାକୁ କିପରି ମୁକାବିଲା କରାଯିବ, ସେ ନେଇ ସରକାର କିଛି ବାଟ ପାଉ ନ ଥିବା ମନେହେଉଛି। ଏହା ବିଭିନ୍ନ ବର୍ଗର...

ଏଇ ଭାରତରେ

ଛତିଶଗଡ଼ରେ ଏମିତି ଏକ ସ୍କୁଲ୍‌ ରହିଛି ଯେଉଁଠି ନିୟମିତ ଜାତୀୟ ସଙ୍ଗୀତ ଗାନ କରାଯାଉଛି। ଏହାପରେ ସମ୍ବିଧାନ ପ୍ରତି ସମ୍ମାନ ପ୍ରଦର୍ଶନ କରାଯାଉଛି। ଏହି ଅବସରରେ...

ମଣିଷର ବଡ଼ ଶତ୍ରୁ

ଉପେନ୍ଦ୍ର ବିଶ୍ୱାଳ ସ୍ବର୍ଗ ଓ ନର୍କର ପାର୍ଥକ୍ୟ ଜାଣିବାକୁ ଇଚ୍ଛା କରି ଜନୈକ ଯୁବକ ଆସି ପହଞ୍ଚତ୍ଲେ ଜଣେ ସାଧୁଙ୍କ ଆଶ୍ରମରେ। ସାଧୁଙ୍କୁ ପ୍ରଣାମ କରି...

ଏଇ ଭାରତରେ

ଆସାମର ଗୋଟିଏ ଗଁାରେ ମୁସଲମାନ ସମ୍ପ୍ରଦାୟର ଲୋକେ ଜଣେ ହିନ୍ଦୁ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର କରି ଉଦାହରଣ ସୃଷ୍ଟି କରିଛନ୍ତି। ଏହି ରାଜ୍ୟର କାମରୂପ ଜିଲାର...

Leave a comment

Your email address will not be published. Required fields are marked *