କୁକୁଡ଼ା ଅଣ୍ଡାର ମାନ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ
ଅଣ୍ଡାକୁ ସବୁବେଳେ ମାନକ ନିରାପଦ ଖାଦ୍ୟ ଭାବେ ବିବେଚନା କରାଯାଇ ଆସିଛି। କ୍ୱଚିତ୍‌ ଲୋକ ଜାଣନ୍ତି ଯେ, ପ୍ରତି ଅଣ୍ଡା ଅଲଗା ଏବଂ କେତେକ ଆଦୌ ଖାଇବା ଉପଯୋଗୀ ନୁହେଁ। ଗୋଟିଏ ଅଣ୍ଡାର ଉପାଦାନଗୁଡ଼ିକ ହେଉଛି: ଆଲ୍‌ବୁମେନ (ଅଣ୍ଡା ଭିତରର ଧଳା ଅଂଶ), କେଶର (ଅଣ୍ଡାର ହଳଦିଆ ଅଂଶ) ଏବଂ କ୍ୟାଲ୍‌ସିୟମ୍‌ କାର୍ବୋନେଟ୍‌ରେ ତିଆରି ଅଣ୍ଡାର ସୂକ୍ଷ୍ମ ଛିଦ୍ରବହୁଳ ଖୋଳପା। ତେବେ ଅଣ୍ଡାର ଏହି ଭିତର ଉପାଦାନଗୁଡ଼ିକୁ ବଦଳାଇ ଦିଆଯାଇପାରେ। କୁକୁଡ଼ାକୁ ଆମେ ଯେମିତି ଖାଦ୍ୟ ଖାଇବାକୁ ଦେବା, ତା’ର ଶରୀର ତଥା ଅଣ୍ଡା ଭିତରେ ମଧ୍ୟ ଅନୁରୂପ ପରିବର୍ତ୍ତନ ଘଟିବ। ଉଦାହରଣସ୍ବରୂପ ଜାପାନରେ ଅଣ୍ଡା ଭିତରେ ଓମେଗା ୩ ଓ ଆୟୋଡିନ୍‌ ଭର୍ତ୍ତି କରିଦିଆଯାଉଛି।
ଅଣ୍ଡାର ମାନ କୁକୁଡ଼ାର ଖାଦ୍ୟ ଓ ସେ ରହୁଥିବା ପରିବେଶର ଅବସ୍ଥା ଉପରେ ନିର୍ଭର କରେ। ଅଣ୍ଡାଦେବା ପୂର୍ବ ଓ ପରର ଅନେକ କାରକ ଦ୍ୱାରା ଏହା ପ୍ରଭାବିତ ହୁଏ। ପାଣିପାଗ, ଖାଦ୍ୟର ପ୍ରକାର, କୁକୁଡ଼ା ପିଉଥିବା ପାଣିର ପରିମାଣ, ପରିବେଶର ପରିଚ୍ଛନ୍ନତା, କେତେ ଘଣ୍ଟା କୁକୁଡ଼ାଟି ସୂର୍ଯ୍ୟାଲୋକରେ କଟାଉଛି, ସେ କିପରି ନିଃଶ୍ୱାସ ପ୍ରଶ୍ୱାସ ନେଉଛି- ଏସବୁ କାରକ ଅଣ୍ଡାର ଗୁଣବତ୍ତା ପାଇଁ ଦାୟୀ। କୁକୁଡ଼ାଟି ଅଣ୍ଡା ଦେବା ପରେ ଆପଣଙ୍କ ପ୍ଲେଟ୍‌ ପର୍ଯ୍ୟନ୍ତ ଆସିବା ଯାଏ, ତାକୁ କିପରି ହ୍ୟାଣ୍ଡଲ୍‌ କରାଯାଇଛି, ତା’ ଉପରେ ମଧ୍ୟ ଏହା ଖାଇବା ଯୋଗ୍ୟ କି ନା ତାହା ନିର୍ଭର କରୁଛି। ଗୋଟିଏ କୁକୁଡ଼ା ଅଣ୍ଡାରେ ହାରାହାରି ଛଅଗ୍ରାମ୍‌ ପ୍ରୋଟିନ୍‌ ଓ ଛଅଗ୍ରାମ୍‌ ଚର୍ବି ରହିବା କଥା। ଏଥିପାଇଁ କୁକୁଡ଼ାକୁ ସନ୍ତୁଳିତ ଆହାର ଦେବାକୁ ହୋଇଥାଏ, ଯେଉଁଥିରେ ଆବଶ୍ୟକ ପରିମାଣର ପ୍ରୋଟିନ୍‌, କାର୍ବୋହାଇଡ୍ରେଟ୍‌, ଚର୍ବି, ଭିଟାମିନ୍‌ ଓ ଖଣିଜ ଲବଣ ଥିବ। ବିଶେଷଜ୍ଞମାନେ କୁକୁଡ଼ା ଖାଦ୍ୟରେ ୧୬ରୁ ୧୮ ପ୍ରତିଶତ ପ୍ରୋଟିନ୍‌ ଓ ପ୍ରାୟ ୩.୫% କ୍ୟାଲ୍‌ସିୟମ୍‌ ରହିବା ଉଚିତ ବୋଲି କହିଛନ୍ତି। ଅଣ୍ଡାଦିଆ କୁକୁଡ଼ାକୁ ମଧ୍ୟ ଯଥେଷ୍ଟ ସ୍ବଚ୍ଛ ଜଳ ଦିଆଯିବା ଦରକାର କାରଣ କୁକୁଡ଼ା ଅଣ୍ଡାର ଅଧା ଭାଗ ହେଉଛି ଜଳ।
ଅଣ୍ଡାର ପ୍ରାକୃତିକ ଉପାଦାନଗୁଡ଼ିକୁ ଯେ ବଦଳାଯାଇ ପାରିବ, ଏ କଥା କୁକୁଡ଼ା ଫାର୍ମର ମାଲିକମାନେ ଜାଣିଛନ୍ତି। ସେଥିପାଇଁ ସେମାନେ କୁକୁଡ଼ା ଖାଦ୍ୟରେ ଏପରି ରାସାୟନିକ ମିଶାନ୍ତି, ଯାହାଦ୍ୱାରା କୁକୁଡ଼ା ଦେଉଥିବା ଅଣ୍ଡା ଭଲ ଦେଖାଯିବ ଓ ଅଧିକ ଦିନ କାଞ୍ଜିଆ ନ ହୋଇ ରହିପାରିବ। ଅଣ୍ଡା ଖୋଳର ମାନ ବଢ଼ାଇବା ପାଇଁ ସେମାନଙ୍କୁ ଖାଇବା ସୋଡ଼ା ଓ ଆମୋନିୟମ୍‌ କ୍ଲୋରାଇଡ୍‌ ଦିଆଯାଏ। ଶୋଷିଲା କୁକୁଡ଼ାକୁ ପାଣିରେ ପୋଟାସିୟମ୍‌ କ୍ଲୋରାଇଡ୍‌ ମିଶାଇ ପିଇବାକୁ ଦିଆଯାଏ। କୁକୁଡ଼ା ଜନ୍ମ ହେବା ଦିନଠାରୁ ସେମାନଙ୍କୁ ଆଣ୍ଟିବାୟୋଟିକ୍ସ ଦିଆଯାଏ।
ଯେଉଁ କୁକୁଡ଼ାଙ୍କୁ ବାହାରେ ବୁଲି ଖାଦ୍ୟ ଖୁଣ୍ଟି ଖାଇବାକୁ ଦିଆଯାଏ, ସେମାନେ ଭଲ ଅଣ୍ଡା ଦିଅନ୍ତି। ସେମାନେ ମାଟି ଆମ୍ପୁଡ଼ି ପୋକଜୋକ, ଜିଆ, ମଞ୍ଜି ଆଦି ଖାଆନ୍ତି। କିନ୍ତୁ ଆପଣ ଯେଉଁ ଅଣ୍ଡା କିଣନ୍ତି, ସେଗୁଡ଼ିକ ଏପରି କୁକୁଡ଼ାଙ୍କଠାରୁ ଆସି ନ ଥାଏ। କମ୍‌ ଖର୍ଚ୍ଚରେ ଅଧିକ ଉତ୍ପାଦନ ପାଇଁ କୁକୁଡ଼ାଙ୍କୁ ପଞ୍ଜୁରି ଭିତରେ ଅଧିକ ସଂଖ୍ୟାରେ ରଖାଯାଏ। ସେମାନଙ୍କୁ ରାସାୟନିକ ଖାଦ୍ୟ ଓ ଆଣ୍ଟିବାୟୋଟିକ୍ସ ଦିଆଯାଏ। ସେମାନେ ମୁକ୍ତ ବାୟୁ, ମୁକ୍ତ ସୂର୍ଯ୍ୟକିରଣ ବା ପାଣି ପାଆନ୍ତି ନାହିଁ। ଦୈନିକ ଅଧିକ ଅଣ୍ଡା ଦେବା ପାଇଁ ତାଙ୍କୁ କୃତ୍ରିମ ଆଲୁଅ ଭିତରେ ସବୁବେଳେ ରଖାଯାଏ। ଏପରି ଚାପଗ୍ରସ୍ତ ପରିବେଶରୁ ଭଲ ପୁଷ୍ଟିକର ଅଣ୍ଡା କିପରି ଉତ୍ପାଦନ ହୋଇପାରିବ? ସେଥିପାଇଁ ଭାରତୀୟ କୁକୁଡ଼ା ଅଣ୍ଡାର ମାନ ଅତ୍ୟନ୍ତ ଖରାପ।
ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ଭାରତୀୟ କୁକୁଡ଼ା ଫାର୍ମଗୁଡ଼ିକରେ ଅଧିକାଂଶ କୁକୁଡ଼ାଙ୍କ ଦେହରେ ଘାଆ ହୋଇଯାଇଥାଏ, ସେମାନେ ନିଜର ମଳ ଉପରେ ଠିଆ ହୋଇଥାନ୍ତି, ତାଙ୍କ ଉପରେ ବୁଢ଼ିଆଣୀ ଜାଲ ବୁଣିଥାଏ, ତାଙ୍କ ଦେହରେ ଉକୁଣି ଭର୍ତ୍ତି ହୋଇଥାନ୍ତି, ସେମାନଙ୍କୁ ଅନ୍ୟ ମଲା କୁକୁଡ଼ାଙ୍କ ଦେହାବଶେଷ, କାର୍ଡବୋର୍ଡ, ମାର୍ବଲ ଚିପ୍ସ, ମାଛଗୁଣ୍ଡ ଆଦି ଖାଇବାକୁ ଦିଆଯାଏ। ଏଗୁଡ଼ିକ ଅଣ୍ଡାର ପୌଷ୍ଟିକ ଗୁଣକୁ ନଷ୍ଟ କରିଦିଏ। ଅସ୍ବାସ୍ଥ୍ୟକର ପରିବେଶ ସହ ମାନ ନିୟନ୍ତ୍ରଣର ବ୍ୟବସ୍ଥା ନ ଥିବାରୁ ଅଣ୍ଡାଗୁଡ଼ିକ ସଂକ୍ରମିତ ହେବାର ଭୟ ଥାଏ। ଭାରତ ପୃଥିବୀର ତୃତୀୟ ବୃହତ୍ତମ ଅଣ୍ଡା ଉତ୍ପାଦନକାରୀ ଦେଶ ହେଲେ ମଧ୍ୟ ଏହାର ଅଣ୍ଡାଗୁଡ଼ିକ ଅନ୍ତର୍ଜାତୀୟ ମାନର ନୁହେଁ। ତେଣୁ ଅନ୍ୟ ଦେଶଗୁଡ଼ିକ ଆମଦାନି କରିବାକୁ ଚାହାନ୍ତି ନାହିଁ।
ଆପଣ ଅଣ୍ଡାଟିଏ ଭଲ କିନା ତାହାର ଧଳା ଅଂଶ, ହଳଦିଆ କେଶର ଓ କଠିନ ଖୋଳପାକୁ ଦେଖି ଉପରଠାଉରିଆ ଭାବେ ଜାଣନ୍ତି। କିନ୍ତୁ କେହି କ’ଣ ଖୋଳପାର ମୋଟେଇ କେତେ ତାହା ଦେଖନ୍ତି? ପତଳା ଖୋଳପାରୁ ତା’ର ମାଆ ରୋଗଣା ଥିବା ଜଣାପଡ଼େ। ମାଆ କୁକୁଡ଼ା ଭୋଗୁଥିବା ରୋଗଗୁଡ଼ିକ ଭିତରେ ରହଛି: ସଂକ୍ରାମକ ବ୍ରୋଙ୍କାଇଟିସ୍‌ (ଶ୍ୱାସନଳୀର ପ୍ରଦାହ), ନ୍ୟୁକ୍ୟାଶ୍‌ଲ ରୋଗ, ଉଡ଼ା ସର୍ଦ୍ଦି ଓ ଏଗ୍‌ ଡ୍ରପ୍‌ ସିଣ୍ଡ୍ରୋମ୍‌। ଏହିସବୁ ରୋଗ ଥିଲେ ଅଣ୍ଡାର ଖୋଳପା ପତଳା ଓ ନିମ୍ନମାନର ହୋଇଯାଏ। ସଂକ୍ରାମକ ବ୍ରୋଙ୍କାଇଟିସ୍‌ ଭୂତାଣୁ ଅଣ୍ଡା ଖୋଳପାକୁ ନରମ, ଆବଡ଼ାଖାବଡ଼ା, ବେରଙ୍ଗ ଓ ମୋଡ଼ିମୋଡ଼ିକିଆ କରିଦିଏ। ଅଣ୍ଡାକୁ ଫଟେଇଦେଲେ ତା’ ଭିତରର ଧଳା ଅଂଶ ଲାଳ ପରି ବୋହିଯାଏ, ତା’ ହଳଦିଆ କେଶରର ରଙ୍ଗ ମଳିନ ଦେଖାଯାଏ ଏବଂ ତା’ ଖୋଳପା ଆବଡ଼ାଖାବଡ଼ା ଦେଖାଯାଏ। ଅଣ୍ଡାର ଖୋଳପା ଯଦି ବିକୃତ ଓ ଆବଡ଼ାଖାବଡ଼ା ହୋଇଥାଏ, ତେବେ ତା’ ମାଆକୁ ସାଙ୍ଘାତିକ ରୋଗ ହୋଇଥିବାର ଜାଣିବେ।
ଗ୍ରୀଷ୍ମଋତୁରେ ପିଞ୍ଜରାରେ ଅନ୍ୟ କୁକୁଡ଼ାଙ୍କ ଗହଳି ଭିତରେ ରହୁଥିବା କୁକୁଡ଼ା ନିଜ ଦେହକୁ ଟିକେ ଥଣ୍ଡା କରିବା ପାଇଁ ଊର୍ଦ୍ଧ୍ୱଶ୍ୱାସ ନିଏ। ଏହାଦ୍ୱାରା ‘ରେସ୍ପିରେଟୋରୀ ଆଲ୍‌କାଲୋଇସ୍‌’ ନାମକ ଅବସ୍ଥା ସୃଷ୍ଟି ହୁଏ। ରକ୍ତର ପିଏଚ୍‌ କ୍ଷାରୀୟ ହୋଇଯାଏ ଏବଂ ଅଣ୍ଡାର ଖୋଳପା ପାଇଁ ଯଥେଷ୍ଟ କ୍ୟାଲ୍‌ସିୟମ୍‌ର ଅଭାବ ଘଟେ। ସେଥିପାଇଁ ଅଣ୍ଡାର ଖୋଳପା ପତଳା ହୋଇଯାଏ। ବୀଜାଣୁ ଓ ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଅଣ୍ଡା ଖୋଳପାର ମୋଟେଇ ହେଉଛି ଗୁରୁତ୍ୱପୂର୍ଣ୍ଣ। ଖୋଳପା ପତଳା ହେଲେ ତା’ ଭିତରକୁ ଜୀବାଣୁମାନେ ସହଜରେ ପ୍ରବେଶ କରିପାରନ୍ତି।
ଗୋଟିଏ ଅଣ୍ଡାରେ ଫସ୍‌ଫରସ୍‌, ଜିଙ୍କ୍‌, ଭିଟାମିନ୍‌ ଏ, ବି୬, ବି୧୨, ଫଲିକ୍‌ ଏସିଡ୍‌, ଥାୟାମିନ୍‌ ଓ ଭିଟାମିନ୍‌ ଡି ରହିବା ଉଚିତ। କିନ୍ତୁ ଖରାଦିନର ଗରମ ସମ୍ଭାଳି ନ ପାରି କୁକୁଡ଼ାମାନେ ଖାଇବା କମାଇଦିଅନ୍ତି ଏବଂ କମ୍‌ ଖାଦ୍ୟରେ ସେମାନେ କମ୍‌ କ୍ୟାଲ୍‌ସିୟମ୍‌ ପାଇଥାନ୍ତି। ଫଳରେ ତାଙ୍କ ରକ୍ତରେ ଫସ୍‌ଫରସ୍‌ର ପରିମାଣ ବଢ଼ିଯାଏ। ଅଣ୍ଡା ଖୋଳର ଉପଯୁକ୍ତ ମାନ ପାଇଁ କ୍ୟାଲ୍‌ସିୟମ୍‌ ଓ ଫସ୍‌ଫରସ୍‌ର ସନ୍ତୁଳନ ରହିବା ଜରୁରୀ। କିନ୍ତୁ ଫସ୍‌ଫରସ୍‌ର ପରିମାଣ ବଢ଼ିଗଲେ ତାହା କ୍ୟାଲ୍‌ସିୟମ୍‌ର ସୃଷ୍ଟିକୁ ବାଧା ଦିଏ। କ୍ୟାଲ୍‌ସିୟମ୍‌ ଓ ଫସ୍‌ଫରସ୍‌ର ସନ୍ତୁଳନ ନଷ୍ଟ ହେଲେ ଜିଙ୍କ୍‌ ଓ ମ୍ୟାଗ୍ନେସିୟମ୍‌ ପରିମାଣ ମଧ୍ୟ କମିଯାଏ। ଏପରି ରୋଗଣା କୁକୁଡ଼ା ଦେହରେ ଭିଟାମିନ୍‌ ଡି ପରିମାଣ ବି କମିଯାଏ। ତେଣୁ ଅଣ୍ଡାରେ ଯଥେଷ୍ଟ ପରିମାଣରେ ଭିଟାମିନ୍‌ ଡି ରହିପାରେ ନାହିଁ। ବ୍ୟାୟାମ ଅଭାବରୁ ପିଞ୍ଜରାବଦ୍ଧ କୁକୁଡ଼ାମାନେ ମୋଟା ହୋଇଯାନ୍ତି ଓ ତାଙ୍କ ଦେହରେ ଚର୍ବି ବଢ଼ିଯାଏ। ସେଥିପାଇଁ ଅଣ୍ଡା କେଶରରେ ଥିବା ଫ୍ୟାଟି ଏସିଡ୍‌ କମ୍ପୋଜିଶନ ମଧ୍ୟ ବଦଳିଯାଏ।
କୁକୁଡ଼ାମାନେ ଯାହା ଖାଆନ୍ତି, ତାହା ହେଉଛି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରତ୍ୟେକ ହାଇବ୍ରିଡ୍‌ ଅଣ୍ଡାଦିଆ କୁକୁଡ଼ାକୁ ସ୍ବତନ୍ତ୍ରଭାବେ ପ୍ରସ୍ତୁତ ଖାଦ୍ୟ ଦିଆଯିବା ଉଚିତ, ଯାହା ଭାରତରେ ଦିଆଯାଉ ନାହିଁ। ଭାରତରେ କୁକୁଡ଼ାଙ୍କୁ ପୁଷ୍ଟିସାରହୀନ ଶସ୍ତା ଖାଦ୍ୟ ଖାଇବାକୁ ଦିଆଯାଉଛି।
ଆପଣ ଯେତେବେଳେ ଫାର୍ମରେ ପାଳିତ ଆଣ୍ଟିବାୟୋଟିକ୍ସ ଦିଆ କୁକୁଡ଼ା ଅଣ୍ଡା ଖାଆନ୍ତି, ସେତେବେଳେ ତା’ ସହିତ ଆପଣ ଆଣ୍ଟିବାୟୋଟିକ୍ସ-ପ୍ରତିରୋଧୀ ବୀଜାଣୁଙ୍କୁ ମଧ୍ୟ ଖାଆନ୍ତି। ତା’ପରେ ରୋଗରେ ପଡ଼ିଲେ ଆଣ୍ଟିବାୟୋଟିକ୍ସ ଆଉ ଆପଣଙ୍କ ଦେହରେ କାମ କରିବ ନାହିଁ। ଭାରତରେ ଏପରି ବହୁସଂଖ୍ୟକ ଲୋକ ଅଛନ୍ତି, ଯେଉଁମାନେ ଆଣ୍ଟିବାୟୋଟିକ୍ସ-ପ୍ରତିରୋଧୀ ହୋଇଯାଇଛନ୍ତି। ଏହାର ମୂଳ କାରଣ ହେଉଛି ଫାର୍ମ କୁକୁଡ଼ା ମାଂସ ଓ କୁକୁଡ଼ା ଅଣ୍ଡା ଖାଇବା।
Email: gandhim@nic.in


All Right Reserved By Dharitri.Com

ପାପୀମାନଙ୍କ ନର୍କ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ”ମାମା! ବାପା ଅଫିସରେ କ’ଣ କରନ୍ତି,“ ପୁଅ ପଚାରିଲା ମାଆକୁ। ”ସେ ମାଙ୍କଡ଼ମାନଙ୍କୁ ଡରାନ୍ତି,“ ମା’ ଉତ୍ତର ଦେଲେ। ବନ୍ୟପ୍ରାଣୀଙ୍କୁ...

କରୋନା ଓ ପୋଷା ପ୍ରାଣୀ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ବର୍ତ୍ତମାନ ଆପଣଙ୍କର କରୋନା ଭୂତାଣୁ ସମ୍ପର୍କରେ ପଢ଼ି ପଢ଼ି ବା ଶୁଣି ଶୁଣି ବିରକ୍ତି ଆସିଯିବଣି। ଅର୍ଥନୀତି, ବୈଦେଶିକ ବ୍ୟାପାର,...

ମୋ ସରକାର : ଚଳେଇ ପାରିଲେ ଭଲ

ବିପିନ ବିହାରୀ ମିଶ୍ର ବର୍ତ୍ତମାନ ‘ମୋ ସରକାର’ କାର୍ଯ୍ୟକ୍ରମରେ ସରକାରୀ କଳ ବ୍ୟସ୍ତ। ଏହାର ଉଦ୍ଦେଶ୍ୟ ଭଲ। ଏଥିରେ ରାଜନୀତିର କାରସାଦି ଅଛି ବୋଲି କହିଲେ...

କମୁନି ଗରିବୀ

ହରିଶଙ୍କର ମିଶ୍ର ସୂର୍ଯ୍ୟକିରଣ କେବଳ ଜଳୀୟ ଉତ୍ସକୁ ବାଷ୍ପ କରାଏ। ସେଇ ବାଷ୍ପ ମେଘ ହୋଇ ପର୍ବତଠାରୁ ସମୁଦ୍ର ଯାଏ ବର୍ଷିଯାଏ। ଉଚିତ ରାଜଧର୍ମରେ ସେପରି...

ଏଇ ଭାରତରେ

ସମାଜସେବାରେ ସାରା ଜୀବନ ବିତାଇଦେବା ଲୋକଙ୍କ ସଂଖ୍ୟା କିଛି କମ୍‌ ନାହିଁ। ଏମାନଙ୍କ ମଧ୍ୟରୁ ମହାରାଷ୍ଟ୍ର ପୁଣେ ନିବାସୀ ପଦ୍ମିନୀ ଷ୍ଟମ୍ପ୍‌ ଅନ୍ୟତମ। ସେ ଏବେ...

ସରପଞ୍ଚଙ୍କୁ ଜିଲାପାଳ କ୍ଷମତା

ଘାସିରାମ ପଣ୍ଡା ସବୁ ସରପଞ୍ଚ ଏବେ ଜଣେ ଜଣେ ଜିଲାପାଳ। ବିପର୍ଯ୍ୟୟ ପରିଚାଳନା ଅଧିନିୟମ, ୨୦୦୫ର ଧାରା ୨୨ (ଛ) ଅନୁଯାୟୀ ବିପର୍ଯ୍ୟୟ ବା ଦୁର୍ବିପାକ...

ଜୀବନର ସାୟାହ୍ନରେ

ଡ. ନିଖିଳାନନ୍ଦ ପାଣିଗ୍ରାହୀ ୨୦୧୯ ମସିହାରେ ରସାୟନ ବିଜ୍ଞାନରେ ଯେଉଁ ତିନିଜଣ ନୋବେଲ ବିଜୟୀ ହୋଇଥିଲେ, ସେମାନଙ୍କ ମଧ୍ୟରେ ଅଛନ୍ତି ଜନ୍‌ ଗୁଡ୍‌ଏନଫ୍‌, ଷ୍ଟାନ୍‌ଲେ ହ୍ବିଟ୍ଟିଙ୍ଗହମ୍‌...

ନମସ୍କାର ଓ ଆଶୀର୍ବାଦ

ଅଲେଖ ଚନ୍ଦ୍ର ମିଶ୍ର ନମଃ, ନମସ୍ତେ, ନମସ୍କାର, ଜୁହାର, ଓଳଗି, ଦଣ୍ଡବତ, ପ୍ରଣାମ, ଅଭିନନ୍ଦନ, ଅଭିବାଦନ ଏ ସମସ୍ତ ପ୍ରାୟ ସମାର୍ଥକ ଶବ୍ଦ। ଏଗୁଡ଼ିକ ଏପରି...

Leave a comment

Your email address will not be published. Required fields are marked *