ଜଳ ପାଇଁ ଯୁଦ୍ଧ

ମାୟାଧର ନାୟକ
‘ଜଳ ବିହୁନେ ସୃଷ୍ଟି ନାଶ’ କଥାଟି ଆମେ କେଉଁ ଯୁଗରୁ ଶୁଣିଆସୁଥିଲେ ବି ସେଥିପ୍ରତି ଆମର ଭ୍ରୂକ୍ଷେପ ନ ଥିଲା। ଏବେ କିନ୍ତୁ ସେ କାଳବେଳ ପାଖେଇ ଆସିଲାଣି। ପୃଥିବୀରେ ଧୀରେଧୀରେ ଜଳସଙ୍କଟ ଉଗ୍ରରୂପ ଧାରଣ କଲାଣି। ବିଭିନ୍ନ ଦେଶରେ ୨୨୦କୋଟି ଲୋକଙ୍କ ପାଖରେ ପିଇବା ପାଇଁ ପାଣି ନାହିଁ ବୋଲି ଜାତିସଂଘ ସୂତ୍ରରୁ ପ୍ରକାଶ। ପୃଥିବୀର ୪୪୦କୋଟି ଲୋକଙ୍କୁ ସାଧାରଣ ପରିମଳ ବ୍ୟବସ୍ଥା ମିଳୁନାହିଁ। ୨୦୦୦ ମସିହାରୁ ୧୮୦କୋଟି ଲୋକଙ୍କୁ ପିଇବା ପାଣି ଯୋଗାଇ ଦିଆଯାଉଛି। ପ୍ରତିବର୍ଷ ପୃଥିବୀରେ ୨କୋଟି ୫୭ହଜାର ଶିଶୁ ୫ବର୍ଷ ବୟସ ପୂର୍ବରୁ ମୃତ୍ୟୁମୁଖରେ ପଡୁଛନ୍ତି। ‘ନାସା’ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ୯୭.୫% ଜଳ ସମୁଦ୍ରରେ, ୧.୫% ଜଳ ନଦୀନାଳ, ପୋଖରୀରେ, ବାକି ୧% ପିଇବାପାଣିରୁ ୬୦ଭାଗ ଶିଳ୍ପ, କଳକାରଖାନାରେ ବ୍ୟବହୃତ ହେଉଛି, ବାକି ୪୦ଭାଗ ପିଇବା, ରୋଷେଇକରିବା, ଧୁଆଧୋଇ କରିବାରେ ଲାଗୁଛି।
ଜଳ ନାହିଁ ତ ଜୀବନ ନାହିଁ। ସବୁ ସମ୍ପଦ ସୀମିତ। ଜଳ ମଧ୍ୟ ଆଉ ନିରବଚ୍ଛିନ୍ନ ପ୍ରାକୃତିକ ଉତ୍ସ ନୁହେଁ। ଖଣିଜ ସମ୍ପଦ ମଧ୍ୟ ସୀମିତ। ସବୁ ସୀମିତ ସମ୍ପଦକୁ ଆମେ ମନଇଚ୍ଛା ବେପରୁଆ ବ୍ୟବହାର କଲେ ଜଳବିନା ଜୀବନ ଦିନେ ହା-ହୁତାଶରେ ନିଃଶେଷ ହେବା ହିଁ ସାର ହେବ। ଜଳସଙ୍କଟ ବର୍ତ୍ତମାନ ସାରା ବିଶ୍ୱରେ ଭୟଙ୍କର ଓ ଉଦ୍‌ବେଗଜନକ ପରିସ୍ଥିତି ସୃଷ୍ଟି କରିବାକୁ ଯାଉଛି। ଏବେ ବି ଜଳପାଇଁ ଲୋକେ ତ୍ରାହିତ୍ରାହି ଡାକିଲେଣି। ଏବେ ଜଳବାୟୁରେ ବ୍ୟାପକ ପରିବର୍ତ୍ତନ ଘଟୁଛି। ଏବେ ଆଉ ଏକ ସାମୁଦ୍ରିକ ବିଶୃଙ୍ଖଳା ଏଲ୍‌ନିନୋ ମାଡିଆସୁଛି। ମୌସୁମୀରେ ଅସ୍ବାଭାବିକତା, ଅନାବୃଷ୍ଟି, ମରୁଡ଼ି ପରିସ୍ଥିତି ସୃଷ୍ଟି ହେଉଛି। ଆଗକୁ ପୁଣି ଜଳଜନିତ ଜାଗତିକ ଯୁଦ୍ଧ ଖୁବ୍‌ଶୀଘ୍ର ଆରମ୍ଭ ହେବାକୁ ଯାଉଛି।
ଜଳାଭାବର ମୂଳକାରଣ ସ୍ଥଳଭାଗରେ ଶିଳ୍ପସଭ୍ୟତାର ଦ୍ରୁତ ପ୍ରସାର ପାଇଁ ଜଙ୍ଗଲ କ୍ଷୟ ସହିତ ବୃକ୍ଷରୋପଣ ପ୍ରତି ବିମୁଖତା। ମାନବସମାଜର ଅଦୂରଦର୍ଶିତା ଓ ପ୍ରାକୃତିକ ସମ୍ବଳର ଦୁରୁପଯୋଗ ମଧ୍ୟ ଏଥିପାଇଁ ପୂର୍ଣ୍ଣମାତ୍ରାରେ ଦାୟୀ। ଆମ ଦେଶର ଧନୀ ରାଜ୍ୟ ମହାରାଷ୍ଟ୍ର, ତାମିଲନାଡୁ ଓ ରାଜସ୍ଥାନରେ ପାନୀୟଜଳ ସଙ୍କଟ ଉଦ୍‌ବେଗଜନକ। ମହାରାଷ୍ଟ୍ରରେ ପିଇବାପାଣି ପାଇଁ ହାହାକାର ପଡ଼ିଗଲାଣି। ତାମିଲନାଡୁର ଚେନ୍ନାଇରେ ଅଧିକାଂଶ ହୋଟେଲ ବନ୍ଦ ରହୁଛି। ରାଜସ୍ଥାନର ମଧ୍ୟ ସମାନ ଅବସ୍ଥା। ଜଳଯନ୍ତ୍ରଣାର ମୁକ୍ତିପାଇଁ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟୁଥିବା ଜଣାଯାଇଛି। ଆଉ କିଛିମାସ ପରେ ଭାରତ ଭୀଷଣ ଜଳସଙ୍କଟର ସମ୍ମୁଖୀନ ହେବ। ୨୪ଟି ରାଜ୍ୟର ଭୂତଳଜଳ ସ୍ଥିତି, ପ୍ରାକୃତିକ ଜଳଉତ୍ସ ଓ ଜଳ ପରିଚାଳନାକୁ ଆଧାରକରି ନୀତି ଆୟୋଗ ରିପୋର୍ଟରେ ଦେଶର ୬୦କୋଟି ଲୋକ ଜଳଯନ୍ତ୍ରଣାରେ ଛଟପଟ ହେବେ। ୨୦୨୦ ସୁଦ୍ଧା ୨୧ଟି ବଡବଡ ସହର ଜଳଶୂନ୍ୟ ହୋଇଯିବ- ଯାହା ଫଳରେ ଗୁରୁତର ଖାଦ୍ୟସଙ୍କଟ ସୃଷ୍ଟି ହେବ।
ଏବେ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳର ପରିମାଣ ୩୫୦ ତଳେ ରହିବା ବଦଳରେ ୪୧୫ ଅତିକ୍ରମ କରିସାରିଛି। ବିଶ୍ୱର ଉତ୍ତାପ ୧ ଡିଗ୍ରୀ ବଢିସାରିଛି। ମେରୁ ଅଞ୍ଚଳର ସ୍ଥାୟୀ ବରଫ ତରଳିବା, ସମୁଦ୍ର ଜଳସ୍ତର ଉପରକୁ ଉଠିବା, ବନ୍ୟା, ବାତ୍ୟା, ଅଗ୍ନିକାଣ୍ଡ ଆଦିର ପ୍ରଖରତା ବଢ଼ିଚାଲିଛି। ଅଧିକାଂଶ ବୈଜ୍ଞାନିକଙ୍କ ମତରେ- ଆସନ୍ତା ୧୦ବର୍ଷ ମଧ୍ୟରେ ଜଳବାୟୁର ପରିବର୍ତ୍ତନ ସମଗ୍ର ଜୀବସମାଜ ଓ ମନୁଷ୍ୟ ସଭ୍ୟତାକୁ ବିଲୁପ୍ତିର ଦ୍ୱାରଦେଶକୁ ନେଇଯିବ।
ବିକାଶ ନାଁରେ ଆମେ ଗଛ କାଟି କଂକ୍ରିଟ୍‌ ସଡ଼କ ତିଆରି କଲୁ। ଶିଳ୍ପାୟନ ଓ ଖଣିଖନନ ପାଇଁ ଜଙ୍ଗଲକୁ ଧ୍ୱଂସ କଲୁ। ସହରୀକରଣ ପାଇଁ ସବୁଜ ଖେତକୁ ଧ୍ୱଂସ କଲୁ। ନଦୀନାଳକୁ ମଇଳା ଆବର୍ଜନାରେ ଦୂଷିତ କଲୁ। ଅତ୍ୟାଧୁନିକ ଜୀବନଶୈଳୀ ଓ ଜଳ ପରିଚାଳନାରେ ଦୂରଦୃଷ୍ଟିର ଅଭାବ ଓ ଉଦାସୀନତା, ବିଶେଷକରି ଯାନବାହନର ବ୍ୟାପକ ବ୍ୟବହାରରେ ମାନବକୃତ ଜଳବାୟୁ ପରିବର୍ତ୍ତନ ଦେଖାଦେଇଛି, ଯାହା ଫଳରେ ଗତ ୧୦ବର୍ଷ ଭିତରେ ଭୂତଳ ଜଳସ୍ତର ୨୧% ହ୍ରାସ ପାଇଛି। ଜଳ ସମସ୍ୟା ପ୍ରତି କେନ୍ଦ୍ର ଓ ରାଜ୍ୟ ସରକାରମାନେ ଆୟୋଗ ସୃଷ୍ଟି କରୁଥିଲେ ମଧ୍ୟ ତାହା ଠିକ୍‌ଭାବେ କାର୍ଯ୍ୟକାରୀ ହୋଇପାରିନି। ଦେଶର ବିକାଶ ସହିତ ପ୍ରାକୃତିକ ସମ୍ପଦର ଭାରସାମ୍ୟ ରକ୍ଷାକରିବା ପାଇଁ କେବଳ ସରକାର ନୁହେଁ, ଆମେ ସମସ୍ତେ କିଭଳି ସଚେତନ ହେବା ସେ ଦିଗରେ ଦୃଷ୍ଟି ଦେବା ଏକାନ୍ତ ଆବଶ୍ୟକ। ବନୀକରଣ ଯୋଜନା, ବୃକ୍ଷରୋପଣ ପାଇଁ ସରକାର କୋଟିକୋଟି ଟଙ୍କା ରାଜକୋଷରୁ ଖର୍ଚ୍ଚ କରୁଥିଲେ ହେଁ ତାହା ବାସ୍ତବ କ୍ଷେତ୍ରରେ ସମ୍ପୂର୍ଣ୍ଣ କାର୍ଯ୍ୟକାରୀ ହୋଇପାରୁନାହିଁ।
ସମ୍ପ୍ରତି ନଦୀଜଳ ବଣ୍ଟନକୁ ନେଇ ଏ ଦେଶରେ ସୃଷ୍ଟି ହୋଇଛି ପ୍ରଦେଶ-ପ୍ରଦେଶ ମଧ୍ୟରେ ତୁମୁଳ ବିବାଦ। ବର୍ତ୍ତମାନର ଓଡ଼ିଶା-ଛତିଶଗଡ଼ ମଧ୍ୟରେ ମହାନଦୀର ଜଳଜନିତ ରାଜନୈତିକ ତର୍କବିତର୍କ କେନ୍ଦ୍ରରେ ମଧ୍ୟ କମ୍ପନ ସୃଷ୍ଟି କରିଛି। ଏକଦା ଚାଇନାର ଦୁଃଖ ଥିଲା ହୋୟାଙ୍ଗ୍‌ହୋ ନଦୀ। ଏହି ନଦୀରେ ବନ୍ୟା ଆସିଲେ ଭୟାବହ କ୍ଷତିର ସମ୍ମୁଖୀନ ହେବାକୁ ପଡ଼େ। ବନ୍ୟା ପରେ ପରେ ଉତ୍କଟ ମରୁଡି ମାଡିଆସେ। ୧୯୪୯ରେ ଚାଇନା ବିପ୍ଳବ ପରେ କର୍ତ୍ତୃପକ୍ଷ ଅନେକ ଡ୍ୟାମ୍‌, କେନାଲ ଖୋଳି ନଦୀରେ ବହିଯାଉଥିବା ଜଳକୁ ସଂରକ୍ଷଣ କରି ମରୁଡ଼ି ଅଞ୍ଚଳକୁ ଯୋଗାଉଥିଲେ। ଚାଇନାର ବନ୍ୟା ଓ ମରୁଡ଼ି ସମସ୍ୟାର ସମାଧାନ ହୋଇଗଲା। ଆମ ଭାରତବର୍ଷରେ ପୋତିହୋଇ ଯାଇଥିବା ନଦୀନାଳକୁ ଖୋଳାଯାଇ କ’ଣ ଜଳ ସଂରକ୍ଷଣ କରାଯାଇପାରିବ ନାହିଁ?
ଶୁଦ୍ଧ ସ୍ବଚ୍ଛ ପାନୀୟଜଳର ଘୋର ଅଭାବ ସବୁଠି। ଫ୍ରିଜ୍‌ର ଶିତଳୀକୃତ ଜଳଠାରୁ ଆରମ୍ଭକରି ବିଭିନ୍ନ କମ୍ପାନୀ ଦ୍ୱାରା ବିତରିତ ନାନା ରାସାୟନିକ ଶୀତଳ ପାନୀୟ ଆମକୁ ଦେଉଛି ବ୍ୟାଧିବିକୃତି। ଆମ ପୂର୍ବପୁରୁଷ କ’ଣ ଦୁଃସ୍ବପ୍ନରେ ବି କେବେ ଏ କଥା ଭାବିଥିଲେ ଯେ ଆମେ ଟଙ୍କା ଦେଇ ପାଣି କିଣିବା? ଜଳପ୍ରତି ଏ ଯେଉଁ ବ୍ୟବସାୟିକ ଦୃଷ୍ଟିଭଙ୍ଗୀ ଦ୍ରୁତ ପ୍ରସାର ଲାଭ କରୁଛି, ତାହା ଆମ ସାମାଜିକ ମୂଲ୍ୟବୋଧର କ୍ରମ ଅବକ୍ଷୟର କରାଳ ସୂଚନା- ଆଗକୁ ସାଧାରଣ ଜନଜୀବନ ଯେ ଏକପ୍ରକାର ନିର୍ଜନ ଜୀବନର ନିର୍ମମ ନାଗଫାଶରେ ଆଜୀବନ କଏଦୀ ହେବାର ଦୁର୍ଭାଗ୍ୟ ଭୋଗିବାକୁ ଯାଉଛି, ଏଥିରେ ଆଉ କ’ଣ ତିଳାର୍ଦ୍ଧ ସନ୍ଦେହ ଅଛି? ବହୁ ବୁଦ୍ଧିଜୀବୀ କହିବାକୁ ଆରମ୍ଭ କଲେଣି ତୃତୀୟ ମହାଯୁଦ୍ଧ ଘଟିପାରେ ଜଳକୁ ନେଇ।
ନିର୍ବାଚନବେଳେ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହାତଟେକି ସଜୋରେ ଶୁଣାଇଥିଲେ ୨୦୨୪ ମସିହା ମଧ୍ୟରେ ସମସ୍ତ ପରିବାରକୁ ପାନୀୟଜଳ ଯୋଗାଇଦେବେ। ଏବେଠୁ ପିଇବାପାଣି ମିଳୁନି। ଆଉ ୫ବର୍ଷ ପିଇବାପାଣି ପାଇଁ ମହିଳାମାନେ ଅପେକ୍ଷା କରିବେ କି? ସରକାରଙ୍କ ଯୋଜନା ଓ ଘୋଷଣାରେ ଜଳ ମିଳିବ କି? ଅଧିକାଂଶ କ୍ଷେତ୍ରରେ କେବଳ ରାଜକୋଷର ଟଙ୍କା ଜଳରେ ପଡୁଛି, କିନ୍ତୁ ଜଳ ମିଳୁନାହିଁ। ଜଳ ଯୋଗାଇବା ସରକାରଙ୍କର ମୂଳ କର୍ତ୍ତବ୍ୟ।
ଜଳବାୟୁ ସଙ୍କଟଜନିତ ସମସ୍ତ ପ୍ରଭାବର ମାତ୍ରାଧିକ ମୂଲ୍ୟ ଭାରତର ଗରିବ ଲୋକଙ୍କୁ ହିଁ ଦେବାକୁ ପଡୁଛି। ପ୍ୟାରିସ୍‌ ଜଳବାୟୁ ଚୁକ୍ତିରେ ଗରିବ ଦେଶଗୁଡ଼ିକୁ ସାହାଯ୍ୟ କରିବାପାଇଁ ଉଭୟ ପାଣ୍ଠି ଓ ପ୍ରଯୁକ୍ତିବିଦ୍ୟା ଯୋଗାଇବାକୁ ନିଷ୍ପତ୍ତି ହୋଇଥିଲା। ତାହା ମଧ୍ୟ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିନାହିଁ। ସମ୍ପ୍ରତି ବିଭିନ୍ନ ଦେଶରେ ପରିବେଶ ସୁରକ୍ଷା ଆନ୍ଦୋଳନ ଗଢିଉଠୁଛି। ତଥାପି ଏପାରି ସେପାରି ବେପାରୀ, ଶାସକ ଓ ପ୍ରଶାସକ ତାଙ୍କ ମୁନାଫା ପାଇଁ ଆନ୍ଦୋଳନକୁ ଭ୍ରୂକ୍ଷେପ କରୁନାହାନ୍ତି। ସବୁଦେଶରେ ଜଳବାୟୁ ସୁରକ୍ଷା ଆନ୍ଦୋଳନ ଗଣଆନ୍ଦୋଳନରେ ପରିଣତ ହୋଇ ଶାସକମାନଙ୍କୁ ଆଶୁ କାର୍ଯ୍ୟକ୍ରମ ଗ୍ରହଣ କରିବାକୁ ବାଧ୍ୟ ନ କରାଇପାରିଲେ ଜୀବଜଗତ ଓ ମାନବ ସଭ୍ୟତାର ବିଲୟ ହେବାକୁ ଖୁବ୍‌ ବେଶି ଡେରି ହେବ ନାହିଁ।
ଯାଜପୁର ରୋଡ୍‌, ଯାଜପୁର, ମୋ: ୯୮୬୧୦୩୪୧୬୩


All Right Reserved By Dharitri.Com

ଦୁଇଟି ଦୋଷ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ମୋଦି ସରକାର ୨୦୧୪ରୁ ଯେଉଁସବୁ ସଂସ୍କାର ଆରମ୍ଭ କରିଛନ୍ତି, ତାହା ସରକାରଙ୍କ ଶାସନ ପରିଚାଳନାରୁ ଜଣାପଡ଼ିଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

ବିବାଦୀୟ ଟୁଇଟ୍‌

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ଦାୟିତ୍ୱହୀନ ଭାବେ ଟୁଇଟ୍‌ କରି ଏବେ ମହାରାଷ୍ଟ୍ର ଆଇଏଏସ୍‌ ଅଫିସର ନିଧି ଚୌଧରୀଙ୍କ କ୍ୟାରିୟର ବିପଦରେ ପଡ଼ିଛି। ଏହି କାରଣରୁ...

ସମ୍ପାଦକୀୟ/ ବ୍ୟାଙ୍କ ପ୍ରତିଦ୍ୱନ୍ଦ୍ୱିତା

ଭାରତୀୟ ଅର୍ଥନୀତି ବର୍ତ୍ତମାନ ଏକ ଖରାପ ସ୍ଥିତି ଦେଇ ଗତି କରୁଛି। ନିକଟରେ ସରକାରଙ୍କ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ ଏପ୍ରିଲ-ଜୁନ୍‌ ତ୍ରୈମାସରେ ସମୁଦାୟ...

ଏଇ ଭାରତରେ

କେତେକ ବ୍ୟକ୍ତି ନିଜର ସ୍ବାସ୍ଥ୍ୟକୁ ଜଳାଞ୍ଜଳି ଦେଇ ଅର୍ଥ ରୋଜଗାର କରିଥାଆନ୍ତି। ଏଭଳି ଏକ ଘଟଣା ମହାରାଷ୍ଟ୍ରର ବିଡ୍‌ ଜିଲାରେ ଦେଖିବାକୁ ମିଳୁଛି। ଅଧିକ ଅର୍ଥ...

ଏଇ ଭାରତରେ

ପରିବାରରେ ସ୍ତ୍ରୀ ଓ ସ୍ବାମୀଙ୍କ ମଧ୍ୟରେ ବିବାଦ ଥିଲେ ଛାଡ଼ପତ୍ର ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେବା ସାଧାରଣ କଥା। ମାତ୍ର ଉତ୍ତରପ୍ରଦେଶ ମିରଟ ଜିଲାରେ ଘଟିଛି...

ବିଶ୍ୱତାପନ ଓ ମଶାବଂଶ ବୃଦ୍ଧି

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱତାପନ ବିଷୟରେ ଲୋକେ କ’ଣ ବାସ୍ତବରେ ବୁଝିଛନ୍ତି? ଅଳ୍ପ କିଛିଦିନ ଯଦି ଅଦିନେ ଥଣ୍ଡାପାଗ ଦେଖାଦେଲା,...

ଏଇ ଭାରତରେ

ଦେଶର ବିଭିନ୍ନ ସ୍ଥାନରେ ବିଜୟାଦଶମୀରେ ରାବଣ ପୋଡି ସହ ଦଶହରା ଶେଷ ହେଉଥିବାବେଳେ ଛତିଶଗଡ଼ରେ ଏହି ପର୍ବରେ କିଛି ଭିନ୍ନତା ଦେଖିବାକୁ ମିଳେ। ଏହି ରାଜ୍ୟର...

ଏଇ ଭାରତରେ

ସମାଜରେ ଖୁବ୍‌ କମ୍‌ ଲୋକ ଅଛନ୍ତି ଯେଉଁମାନେ ଚାକିରି କରିବା ସହ ନିଜକୁ ସମାଜ ସେବାରେ ନିୟୋଜିତ କରିଥାନ୍ତି। ଏମାନଙ୍କ ମଧ୍ୟରୁ ରାଜସ୍ଥାନର କନଷ୍ଟେବଳ ଧର୍ମବୀର...

Leave a comment

Your email address will not be published. Required fields are marked *