ଭକ୍ତି ନାଁରେ ମସ୍ତି ଓ ବେପାର

ଭାଲଚନ୍ଦ୍ର ଷଡ଼ଙ୍ଗୀ

ଗତ କିଛିବର୍ଷ ଧରି ଶ୍ରାବଣମାସ ଆସିଲେ ଦେଶର ରାସ୍ତାଘାଟରେ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳୁଛି। ଗେରୁଆ ପୋଷାକ ପିନ୍ଧି କାନ୍ଧରେ ରଙ୍ଗ ବେରଙ୍ଗରେ ସଜ୍ଜିତ ବାହୁଙ୍ଗି ଧରି ହଜାର ହଜାର ଯୁବକ ଏପରି କି ମହିଳା ଓ ଶିଶୁ ମଧ୍ୟ ରାସ୍ତାରେ ପଙ୍ଗପାଳ ପରି ମାଡ଼ିଚାଲିଛନ୍ତି। ‘କାଉଡ଼ିବାଲା’ ବା ‘ବୋଲବମ୍‌ ଯାତ୍ରୀ’ ଭାବେ ପରିଚିତ ଏହି ମଣିଷମାନେ କୌଣସି ଏକ ନଦୀର ପବିତ୍ର ପାଣିରୁ ଦୁଇ ଢାଳ ଆଣି ଶ୍ରାବଣମାସର ସୋମବାର ଦିନ ତାକୁ ଶିବଙ୍କ ମସ୍ତକରେ ଢାଳିଲେ ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ କରିଥାନ୍ତି। ସେହି ବିଶ୍ୱାସରେ ସେମାନେ ଶହ ଶହ କିମି ଦୂରରେ ଥିବା ଶିବଲିଙ୍ଗ ପାଖକୁ ଯାଇ ସେଠାରେ ପାଣି ଢାଳିଥାନ୍ତି। ଗାଁର ଅଶିକ୍ଷିତ ଯୁବତୀଯୁବକଙ୍କଠାରୁ ଆରମ୍ଭ କରି ସହରର ଶିକ୍ଷିତ ଲୋକ ମଧ୍ୟ ଏହି ଯାତ୍ରାରେ ଭାଗ ନେଉଥିବା ଦେଖିବାକୁ ମିଳୁଛି।
ଶୈବପୀଠରେ ପାଣି ଢାଳିବା ନାଁରେ କାଉଡ଼ିଆ ଯାତ୍ରାର ଏହି ପରମ୍ପରାଟି ପୂର୍ବରୁ ଓଡ଼ିଶାର ନ ଥିଲା। ରାଖୀ, ଧନ୍‌ ତେରସ୍‌ ପରି ସମ୍ପୂର୍ଣ୍ଣ ରୂପେ ବାହାରୁ ଆମଦାନି ହୋଇଥିବା ଏହି ପରମ୍ପରାଟି ଆମ ରାଜ୍ୟରେ ପ୍ରଥମେ ଅଶୀ ଦଶକରେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ବ୍ୟବସାୟୀ ଗୋଷ୍ଠୀ ଦ୍ୱାରା ଆରମ୍ଭ ହୋଇଥିଲା। ଯଦିଓ ସୋମବାର ଦିନ ଶିବଲିଙ୍ଗ ଉପରେ ପାଣି ଢାଳିବା ହିନ୍ଦୁମାନଙ୍କର ଏକ ପୁରୁଣା ପରମ୍ପରା କିନ୍ତୁ ଏହା କେବେ ବି ଯାତ୍ରାର ରୂପ ନେଇ ନ ଥିଲା। ରାଜସ୍ଥାନର ମୂଳ ବାସିନ୍ଦା ରୂପେ ପରିଚିତ ଏହି ବ୍ୟବସାୟୀମାନେ ସର୍ବ ପ୍ରଥମେ ଏହି ପରମ୍ପରାକୁ ନିଜ ରାଜ୍ୟରେ ଆରମ୍ଭ କରିଥିଲେ, ଯାହାକି ପରେ ଅନ୍ୟ ହିନ୍ଦୀଭାଷୀ ରାଜ୍ୟମାନଙ୍କରେ ପ୍ରସାରିତ ହୋଇଥିଲା।
ତେବେ ଏଠାରେ ପ୍ରଶ୍ନ ଉଠେ କିଛି ଦଶକ ତଳେ ଉତ୍ତରଭାରତର ମାତ୍ର କିଛି ଲୋକଙ୍କ ଭିତରେ ସୀମିତ ରହିଥିବା ଏହି କାଉଡ଼ିଆ ଯାତ୍ରା ଆଜି ମହାମାରୀ ପରି ବ୍ୟାପିବାରେ ଲାଗିଛି କିପରି? ୨୦୧୬ରେ ହୋଇଥିବା ଏକ ଅଧ୍ୟୟନରୁ ସେ ବର୍ଷ କେବଳ ଦିଲ୍ଲୀ ଓ ହରିଦ୍ୱାର ମଧ୍ୟରେ ପ୍ରାୟ ଦୁଇ କୋଟି ଲୋକ କାଉଡ଼ିଆ ଯାତ୍ରାରେ ଅଂଶଗ୍ରହଣ କରିଥିବା ଦେଖିବାକୁ ମିଳିଥିଲା। କ’ଣ କାଉଡ଼ିଆ ଯାତ୍ରାରେ ସାମିଲ ହେଉଥିବା ସବୁ ଲୋକ ଶିବଙ୍କ ପ୍ରତି ଭକ୍ତିଭାବ ନେଇ ଏଥିରେ ସାମିଲ ହୋଇଛନ୍ତି? କିନ୍ତୁ ରାସ୍ତାରେ ଯାଉଥିବା କାଉଡ଼ିଆଙ୍କୁ ଦେଖିଲେ ଯେକେହି କହିପାରିବେ ଯେ ଏଥିରେ ଭକ୍ତି ଅପେକ୍ଷା ମସ୍ତି ଅଧିକ। ଏଥିରେ ଭାଗ ନେଉଥିବା କାଉଡ଼ିଆଙ୍କ ବେଶଭୂଷା, ଚାଲିଚଳନ, ଆଗରେ ଆଗରେ ଯାଉଥିବା ତିନି ବା ଚାରି ଚକିଆ ଗାଡ଼ିରେ ଲାଗିଥିବା ଡିଜେ ଜରିଆରେ ବଲିଉଡ଼ ଗୀତର ସ୍ବରରେ କର୍କଶ କାଉଡ଼ିଆ ଗୀତ, କାଉଡ଼ିଆଙ୍କ ମୁଖରେ ‘ଜଟିଆ ବାବା ପାର କରେଗା’, ‘ଗଣେଶ ଫାଦର୍‌ ପାର କରେଗା’ ପରି ଶସ୍ତା ସ୍ଲୋଗାନ, ରାସ୍ତାରେ ବିଭିନ୍ନ ସ୍ଥାନରେ ଭାଙ୍ଗ, ଗଞ୍ଜେଇ ଏପରିକି ମଦ ପରିବେଷଣ ଆଦିକୁ ଦେଖିଲେ ଏହି ଲୋକମାନେ ଯେ ଏକ ଧାର୍ମିକ ଅଭିଯାନରେ ନୁହେଁ ବରଂ ଏକ ବଣଭୋଜିରେ ଯାଉଛନ୍ତି ବୋଲି ମନେହେଉଛି।
ଆମ ସମାଜର ବୈଷମ୍ୟମୂଳକ ଆର୍ଥିକ ଢାଞ୍ଚା କାରଣରୁ ବେକାରି ସମସ୍ୟା ଉତ୍କଟ ହେବାରେ ଲାଗିଛି। ଦେଶରେ ଚାଲିଥିବା ନିଯୁକ୍ତିବିହୀନ ବିକାଶ ଫଳରେ ରୋଜଗାର ଅଭାବରୁ ସମାଜର କୋଟି କୋଟି ଯୁବତୀଯୁବକ ବେକାର ହେବା ସହିତ ସେମାନଙ୍କ ମଧ୍ୟରେ ହତାଶା ବଢ଼ିବାରେ ଲାଗିଛି। ତେବେ ଏହି ବିଶାଳ ଯୁବସମୁଦାୟ ସଂଗଠିତ ହୋଇ ରୋଜଗାର ପାଇଁ ସରକାରଙ୍କ ପାଖରେ ଦାବି କରିବା ପରିବର୍ତ୍ତେ କୌଣସି ଭଗବାନଙ୍କ ଶରଣ ପଶି କିମ୍ବା ବାବାମାତାଙ୍କ ପାଖକୁ ଯାଇ ରୋଜଗାର ପାଇଯିବାର ସହଜିଆ ବାଟ ଆପଣେଇବା ଦେଖାଯାଉଛି। ସେଥିପାଇଁ ଗତ କିଛିବର୍ଷ ଧରି ଦେଶରେ ଆର୍ଥିକ ଅନିଶ୍ଚିତତା, ବେକାରି ଓ ହତାଶା ଯେତେ ଯେତେ ବଢ଼ିଛି ସମାଜରେ ସେତେ ସେତେ ବାବା, ମାତା ଓ ଭଗବାନଙ୍କ ଆବିର୍ଭାବ ଘଟିଛି। ତେବେ ଏଭଳି ନିଜକୁ କଷ୍ଟ ଦେଇ ମନସ୍କାମନା ପୂରଣ କରିବାର ଚିନ୍ତା ବୈଜ୍ଞାନିକ ମନୋଭାବର ପରିପନ୍ଥୀ। ଆଜି ଯେଉଁମାନେ ସମାଜରେ ବିଭିନ୍ନ କ୍ଷେତ୍ରରେ ପ୍ରସିଦ୍ଧି ହାସଲ କରିଛନ୍ତି କିମ୍ବା ଜୀବନରେ ସଫଳତା ପାଇଛନ୍ତି ସେଥିପାଇଁ ସେମାନେ ଏଭଳି ଭିତ୍ତିହୀନ ଅନ୍ଧବିଶ୍ୱାସ ପରିବର୍ତ୍ତେ ନିଜ କର୍ତ୍ତବ୍ୟରେ ନିଷ୍ଠା ରଖି ପରିଶ୍ରମ କରିଛନ୍ତି। ମୁକେଶ ଅମ୍ବାନୀ ବିଶ୍ୱର ଅନ୍ୟତମ ଧନୀ ବ୍ୟକ୍ତିରେ ପରିଣତ ହେବା ଅଥବା ଅବଦୁଲ କଲାମ ଜଣେ ବଡ଼ ବୈଜ୍ଞାନିକ ହୋଇ ଶେଷରେ ଭାରତର ରାଷ୍ଟ୍ରପତି ହେବା ପାଇଁ କେବେ ପାଣି ଧରି ଏପରି ବୋଲବମ୍‌ ଯାତ୍ରା କରିନାହାନ୍ତି। ଅତଏବ ଆମର ଯୁବ ଓ ତରୁଣଙ୍କ ମନରେ ଅନ୍ଧବିଶ୍ୱାସ ଓ ମିଥ୍ୟା ପ୍ରଲୋଭନ ସୃଷ୍ଟି କରି ସେମାନଙ୍କୁ ଏହିଭଳି କଷ୍ଟାସାଧ୍ୟ ତଥା ଅନାବଶ୍ୟକ ଯାତ୍ରାରେ ଯିବା ପାଇଁ ପ୍ରରୋଚିତ କରିବା ନିଶ୍ଚିତରୂପେ ଚିନ୍ତାର ବିଷୟ।
ଯୁବତୀଯୁବକମାନେ ଖାଲିପାଦରେ ଚାଲି ଚାଲି ଯାଇ ଶିବଲିଙ୍ଗରେ ପାଣି ଢାଳିଦେଲେ ପୁଣ୍ୟ ଆକାରରେ କିଛି ଗୋଟେ ପାଇଯିବାର ସ୍ବପ୍ନ ଦେଖୁଛନ୍ତି। କାଉଡ଼ିଆ ହେବା ପଛରେ ସେମାନଙ୍କ ମନରେ ଏକ ଦୁଃସାହସିକ ଯାତ୍ରାରେ ଅଂଶଗ୍ରହଣ କରିବାର ଅଦମ୍ୟ ଇଚ୍ଛାଟି ବି କାମ କରୁଛି। ଘରେ ଖାଲି ବସିବା ଅପେକ୍ଷା ସାଙ୍ଗସାଥୀ ହୋଇ ମଉଜ ମଜଲିସ୍‌ କରି କିଛିଦିନ ଦୁଃସାହସିକ ଯାତ୍ରାରେ ଯାଇ ସମୟ ବିତାଇବାର ମାନସିକତା ନେଇ ଅନେକେ ଏଥିରେ ସାମିଲ ହେଉଛନ୍ତି।
ତେବେ ବୋଲବମ୍‌ ଯାତ୍ରାର ସବୁଠାରୁ ବଡ଼ଦିଗଟି ହେଲା ଏହା ପଛରେ ରହିଥିବା ବ୍ୟବସାୟିକ କୌଶଳ। କୁହାଯାଏ ଯେ ଯେଉଁ ବ୍ୟବସାୟୀମାନେ କିଛିବର୍ଷ ତଳେ ମାତ୍ର କିଛି ଶହ ଟଙ୍କା ଦେଇ ଏହି ଯାତ୍ରାକୁ ଆରମ୍ଭ କରିଥିଲେ ସେମାନେ ଆଜି ଏହା ନାଁରେ ଲକ୍ଷ ଲକ୍ଷ ଟଙ୍କା ଗୋଟେଇବାରେ ଲାଗିଛନ୍ତି। ଗତ କିଛିବର୍ଷ ମଧ୍ୟରେ ଦେଶରେ ଏହାର ଏକ ଜବରଦସ୍ତ ବଜାର ସୃଷ୍ଟି ହୋଇସାରିଛି। ପାଣି ବୋହିବାକୁ କୃତ୍ରିମ ବାହୁଙ୍ଗି, ପ୍ଲାଷ୍ଟିକ୍‌ ଢାଳଠାରୁ ଆରମ୍ଭ କରି ଗେରୁଆ ପ୍ୟାଣ୍ଟ୍‌ ଓ ଟି-ଶାର୍ଟ ପର୍ଯ୍ୟନ୍ତ ସବୁ ଏକ ସେଟ୍‌ ଆକାରରେ ବଜାରରେ ଉପଲବ୍ଧ ହେଉଛି। ଏହା ବ୍ୟତୀତ ରାସ୍ତାରେ ଖାଦ୍ୟ, ଭାଙ୍ଗ, ଡିଜେ, ପରିବହନ ପାଇଁ ଗାଡ଼ି ଆଦି ବାବଦରେ ଖର୍ଚ୍ଚକୁ ଯୋଡ଼ି ଦିଆଗଲେ ଏହା ଜଣକ ପିଛା କେତେ ହଜାର ଟଙ୍କାରେ ଯାଇ ପହଞ୍ଚୁଛି ତା’ର ସୀମା ନାହିଁ। ଯିଏ କାଉଡ଼ିଆ ଭାବେ ଯାତ୍ରାରେ ସାମିଲ ହେଉଛି ସେ ଦୁଇ ହଜାରରୁ ଆରମ୍ଭ କରି କୋଡ଼ିଏ ହଜାର ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଥିବା ଏହି ସେଟ୍‌କୁ କିଣିବାକୁ ଏକରକମ ବାଧ୍ୟ ହୋଇଥାଏ। ଯଦି ହାରାହାରି ଜଣ ପିଛା ଏ ବାବଦରେ ପାଞ୍ଚହଜାର ଟଙ୍କା ଧରାଯାଏ ତା’ହେଲେ ଦେଶରେ ପ୍ରତିବର୍ଷ ବାହାରୁଥିବା ପ୍ରାୟ ଆଠ କୋଟି କାଉଡ଼ିଆଙ୍କ ପାଇଁ ବାର୍ଷିକ ପ୍ରାୟ ୪୦ ହଜାର କୋଟି ଟଙ୍କାର ଏକ ବିଶାଳ ବଜାର ସୃଷ୍ଟି ହେଉଛି। ଏହି ଯାତ୍ରା ପଛରେ ରହିଥିବା ଉପରୋକ୍ତ ଅର୍ଥନୈତିକ ଦିଗ ଯୋଗୁ ହିଁ ଦେଶରେ ବ୍ୟବସାୟୀ ଗୋଷ୍ଠୀ ଅତ୍ୟନ୍ତ ସୁଚିନ୍ତିତ ଭାବେ ଏହାର ପ୍ରଚାର ଓ ପ୍ରସାର କରିବାରେ ଲାଗିଛନ୍ତି। ବିଭିନ୍ନ ବ୍ୟବସାୟୀ ସଙ୍ଗଠନ ତରଫରୁ ରାସ୍ତାରେ କାଉଡ଼ିଆଙ୍କ ପାଇଁ ମାଗଣା ଭୋଜନ ଏବଂ ବିଶ୍ରାମର ବ୍ୟବସ୍ଥା କରିବା ପଛରେ ସେବା ନୁହେଁ ବରଂ ‘ଷଣ୍ଢ ମାରି ଜୋତାଦାନ’ ପରି ନିରୁତା ବ୍ୟବସାୟିକ ଉଦ୍ଦେଶ୍ୟ ରହିଛି ବୋଲି କୁହାଯାଇପାରେ।
ତେବେ ଭକ୍ତି ନାଁରେ ମସ୍ତି ଓ ବେପାରର ପର୍ଯ୍ୟାୟବାଚୀ ହୋଇଯାଇଥିବା ଏହି ଯାତ୍ରା ଯେଉଁଭଳି ମହାମାରୀ ଭଳି ପ୍ରସାରିତ ହେଉଛି ତାହା ସମାଜରେ ଅବୈଜ୍ଞାନିକତା ଓ ଅନ୍ଧବିଶ୍ୱାସକୁ ବଢ଼ାଇବାରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରୁଛି। ଧର୍ମ ନାଁରେ ଏକ ତାମସାରେ ପରିଣତ ହୋଇଥିବା ଏହି ଯାତ୍ରା ଫଳରେ ଲୋକଙ୍କର ଆର୍ଥିକ କ୍ଷତି ହେବା ସହ ଅଯଥାରେ ଅନେକ କାର୍ଯ୍ୟଦିବସ ନଷ୍ଟ ହେଉଛି ଏବଂ ଯୁବକମାନଙ୍କୁ ଅଧିକ କର୍ମକୁଢ଼ ହେବାକୁ ପ୍ରୋତ୍ସାହିତ କରୁଛି। ଯାତ୍ରା ନାଁରେ ରାସ୍ତା ଉପରେ ହଜାର ହଜାର ସଂଖ୍ୟାରେ ବେକାର, ହତାଶ ଓ ଉଦ୍‌ଭ୍ରାନ୍ତ ଯୁବକଙ୍କ ଉପସ୍ଥିତି ସମାଜରେ ଏକ ବିକୃତ ପରମ୍ପରା ସୃଷ୍ଟି କରିବା ସହ ଅନେକ ସମୟରେ ଆଇନଶୃଙ୍ଖଳାକୁ ମଧ୍ୟ ପ୍ରଭାବିତ କରୁଛି। ଏଭଳି ବିଶୃଙ୍ଖଳିତ ଭାବେ ରାସ୍ତାରେ ହଜାର ହଜାର ସଂଖ୍ୟାରେ ଯିବାଆସିବା ଫଳରେ ପ୍ରତିବର୍ଷ ଏହି ସମୟରେ ଅନେକ ଦୁର୍ଘଟଣା ଘଟୁଛି। ଗତ କିଛିବର୍ଷ ମଧ୍ୟରେ ଶ୍ରାବଣ ମାସରେ କାଉଡ଼ିଆଙ୍କ ତରଫରୁ ଯାତ୍ରା ସମୟରେ ହିଂସା ଆଚରଣର ଘଟଣା ସବୁ ବଢ଼ିବାରେ ଲାଗିଛି। କାଉଡ଼ିଆଙ୍କ ଭୟରେ ଶ୍ରାବଣ ମାସରେ ଦିଲ୍ଲୀ-ହରିଦ୍ୱାର ରାସ୍ତା ପରି ଅନେକ ସ୍ଥାନରେ ରାସ୍ତାକଡ଼ ବ୍ୟବସାୟୀମାନେ ଆମିଷ ଖାଦ୍ୟ ବିକ୍ରି ବନ୍ଦ କରିବାକୁ ବାଧ୍ୟ ହେଉଛନ୍ତି। ପୂରା ଶ୍ରାବଣ ମାସରେ ରାସ୍ତାଘାଟରେ, ଟ୍ରେନ୍‌ରେ କାଉଡ଼ିଆଙ୍କ ଅସମ୍ଭବ ଭିଡ଼ ସାଙ୍ଗକୁ ଡିଜେରେ କର୍କଶ ଗୀତ ଓ ନାଚ ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି।
ସବୁଠାରୁ ଉଦ୍‌ବେଗର ବିଷୟ ହେଲା ସମାଜକୁ ପଶ୍ଚାଦ୍‌ମୁଖୀ କରୁଥିବା ଏଭଳି ଏକ ଧାର୍ମିକ ତାମସାକୁ ସରକାର ବହୁସ୍ଥାନରେ ପ୍ରୋତ୍ସାହିତ କରିବା ଦେଖାଯାଉଛି। ଅତଏବ ସରକାର ଏଭଳି ଅବୈଜ୍ଞାନିକ କାର୍ଯ୍ୟକ୍ରମକୁ ନିରୁତ୍ସାହିତ କରିବା ସହିତ ଯୁବଗୋଷ୍ଠୀ ସମୟ ଓ ଅର୍ଥର ଅପଚୟ ନ କରି ନିଜର ଆତ୍ମବିଶ୍ୱାସ ଓ ନିଷ୍ଠା ବଳରେ ଲକ୍ଷ୍ୟ ହାସଲର ଚିନ୍ତା କରିବା ସହିତ ସରକାରଙ୍କ ପାଖରେ ରୋଜଗାରର ଦାବି କରିବା ଦରକାର।
ମୋ- ୯୪୩୭୧୬୬୩୯୧, bhalachandra.odisha@gmail.com


All Right Reserved By

ଫନୀରୁ ଫାଇଦା

ଡ. ଚିନ୍ତାମଣି ପଣ୍ଡା ଚକ୍ରବାତ ଫନୀ ତାଣ୍ଡବ ରଚିବା ପରେ ଅପସରି ଯାଇଛି। କିନ୍ତୁ ପଛରେ ଛାଡିଯାଇଛି ଧ୍ୱଂସସ୍ତୂପର ବିଭୀଷିକା, ଛାରଖାର କରିଯାଇଛି ସଂସାରର ସବୁଜିମା।...

ବଜେଟରେ କୃଷି ଓ କୃଷକଙ୍କୁ ଅବହେଳା

ଭାଲଚନ୍ଦ୍ର ଷଡ଼ଙ୍ଗୀ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ଦ୍ୱାରା ଉପସ୍ଥାପିତ ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବଜେଟଟି ସରକାରଙ୍କ ପୂର୍ବ ବର୍ଷଗୁଡ଼ିକର ବଜେଟର ଧାରାବାହିକତାକୁ ଅବ୍ୟାହତ...

ଏଇ ଭାରତରେ

ବର୍ଷକରେ ୫ଦିନ ସ୍ତ୍ରୀ-ସ୍ବାମୀ ହସିବାକୁ ବାରଣ କରାଯାଇଥାଏ। ବାରାଣସୀର ମଣିକର୍ଣ୍ଣିକା ଘାଟ ଅଞ୍ଚଳରେ ଥିବା ପିଡି ଗାଁରେ କାହିଁ କେଉଁ କାଳରୁ ଚଳିଆସୁଛି ଏହି ନିଆରା...

ବୋଉର ଶାଢ଼ି

ରୁଦ୍ର ପ୍ରସନ୍ନ ରଥ ଓଡ଼ିଆ ଘରେ ଝିଅଟିଏ ବାହାହେଲା ବେଳେ ଶାଢ଼ିକୁ ବେଶ୍‌ ଗୁରୁତ୍ୱ ଦେଇଥାନ୍ତି। ଝିଅ କେଉଁ ଶାଢ଼ି ପିନ୍ଧି ମଣ୍ଡପ ଉପରକୁ ଯିବ,...

ମଣିଷର ବଡ଼ ଶତ୍ରୁ

ଉପେନ୍ଦ୍ର ବିଶ୍ୱାଳ ସ୍ବର୍ଗ ଓ ନର୍କର ପାର୍ଥକ୍ୟ ଜାଣିବାକୁ ଇଚ୍ଛା କରି ଜନୈକ ଯୁବକ ଆସି ପହଞ୍ଚତ୍ଲେ ଜଣେ ସାଧୁଙ୍କ ଆଶ୍ରମରେ। ସାଧୁଙ୍କୁ ପ୍ରଣାମ କରି...

ପୁନଶ୍ଚ ଗାନ୍ଧିଜୀ

ହରିହର ଶତପଥୀ ଆଜିକାଲି ପୂର୍ବାପେକ୍ଷା ଗାନ୍ଧିଜୀଙ୍କ ଚର୍ଚ୍ଚା ବେଶି ହେଉଥିବା ସମସ୍ତେ ଜାଣନ୍ତି। ଚଳିତବର୍ଷ କେନ୍ଦ୍ର ସରକାରଙ୍କ ଗାନ୍ଧୀ କିଡ୍‌ସ ଓ ରାଜସ୍ଥାନ ସରକାରଙ୍କ ଗାନ୍ଧୀ...

ପ୍ରାଣୀ ମଣିଷର ଭିନ୍ନ ରୂପ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ସବୁ ପ୍ରାଣୀ କ’ଣ ସମାନ? ହଁ, ମଣିଷ, ହାମରହେଡ୍‌ ପୋକ, ଶାମୁକା, କୁକୁଡ଼ା ଓ ଶାର୍କ: ସବୁ ପ୍ରାଣୀଙ୍କର ସମାନ...

ଏଇ ଭାରତରେ

କର୍ନାଟକର ମହୀଶୂରରେ ରୁହନ୍ତି ଆୟୁବ ଅହମଦ। ଅଜଣା ମୃତଦେହକୁ ସଂସ୍କାର କରିବା ତାଙ୍କର ନିଶା। ଫୁଟ୍‌ପାଥରେ ରହୁଥିବା ଲୋକଙ୍କୁ ମଧ୍ୟ ସେ ସାହାଯ୍ୟ କରନ୍ତି। ମାତ୍ର...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *