ଆମ ଜୀବନର ସୁନେଲି ଅତୀତ

ପ୍ରକାଶ ତ୍ରିପାଠୀ
ଗତ ରଜପର୍ବ ସମୟର ଘଟଣା। ଘର ପଛପଟେ ଥିବା ଏକ ପଣସଗଛରେ ଦୁଇଟି ପଣସ ପାଚିଥିବା ଦେଖି ତାକୁ ତୋଳିଦେବାକୁ ବଡ଼ଭଉଣୀ ମୋତେ କହିଲା। ପ୍ରାୟ କୋଡିଏ ଫୁଟ୍‌ ଉଚ୍ଚରେ ଥିବା ପଣସ ଦୁଇଟିକୁ ଗଛରେ ଚଢ଼ି ତୋଳିବାର ଦୃଶ୍ୟ ଦେଖୁଥିଲା ମୋର ଜଣେ ସମ୍ପର୍କୀୟ ନାତି। ଗଛରୁ ଓହ୍ଲାଇବା ପରେ ନାତି ଟୋକା ମୋତେ କୌତୂହଳୀ ହୋଇ ପଚାରିଥିଲା- ଅଜା! ତୁମେ ଗଛ ଚଢ଼ିବାର ଟ୍ରେନିଂ ନେଇଛ କି? ବିନା ଶିଡିରେ କେତେ ଶୀଘ୍ର ଏତେ ବଡ଼ ଗଛରେ ଚଢ଼ି ପଣସ ତୋଳିଦେଲ। ମୋ ବୟସର ଆଖପାଖରେ ଥିବା ଲୋକମାନଙ୍କ ପାଇଁ ଗଛରେ ଚଢ଼ିବା, ପାଣିରେ ପହଁରିବା, ଖାଲି ପାଦରେ ଦୌଡ଼ିବା ଅବା ଧାନବିଲର ସରୁ ହିଡ଼ରେ ଚାଲିବା ଏକ ସାଧାରଣ କଥା ହୋଇପାରେ। ମାତ୍ର ବର୍ତ୍ତମାନ ସମୟର ପିଲାମାନଙ୍କ ପାଇଁ ଏଗୁଡ଼ିକ ସବୁ ଅସାଧ୍ୟ କାର୍ଯ୍ୟ। ନ ହେଲେ ମୋ ନାତି ଆଶ୍ଚର୍ଯ୍ୟ ହୋଇ ପଚାରି ନ ଥାନ୍ତା କି ମୁଁ ଗଛଚଢ଼ା ଟ୍ରେନିଂ ନେଇଛି କି ନାହଁି।
ଏକ ଅନୌପଚାରିକ ଆଲୋଚନାରେ ମୋର ଜଣେ ବନ୍ଧୁ କହିଲେ ଯେ, ସ୍ବାଧୀନତା ପରବର୍ତ୍ତୀ ଅର୍ଥାତ୍‌ ୧୯୫୦ରୁ ୧୯୮୦ ମସିହା ଭିତରେ ଜନ୍ମ ଗ୍ରହଣ କରିଥିବା ଲୋକମାନେ ବଡ଼ ଭାଗ୍ୟବାନ। ପୁରାତନ ଓ ଆଧୁନିକ ଯୁଗର ସନ୍ଧିକ୍ଷଣରେ ଜନ୍ମିଥିବା ଓ ବର୍ତ୍ତମାନର ଅତ୍ୟାଧୁନିକ ଜୀବନ ଶୈଳୀରେ ବଞ୍ଚିଥିବା ଏହି ସ୍ବତନ୍ତ୍ର ପିଢ଼ିର ଲୋକମାନେ ଏଇଥିପାଇଁ ଭାଗ୍ୟବାନ ଯେ, ସେମାନେ ଦେଖିଥିବା ପରିବାର, ସମାଜ ଓ ପରିବେଶ ବର୍ତ୍ତମାନଠାରୁ ଢେର୍‌ ଉନ୍ନତ ଓ ସମୃଦ୍ଧ ଥିଲା, ଯାହାକି ବର୍ତ୍ତମାନ ପିଢ଼ି ସେସବୁ ଅନୁଭବ କରିବା ଅସମ୍ଭବ। ମୁଁ ନିଜକୁ ଭାଗ୍ୟବାନ ମନେକରେ ଏଇଥିପାଇଁ ଯେ, ଷାଠିଏ ଦଶକରେ ଜନ୍ମି ଯୁବାବସ୍ଥା ପର୍ଯ୍ୟନ୍ତ ମୁଁ ସେହି ସ୍ବର୍ଣ୍ଣିମ ସମୟକୁ ଅତିକ୍ରମ କରିଛି, ଯାହାକି ମୋତେ ବାରମ୍ବାର ଭାବବିହ୍ବଳ କରେ। ଆମେ ସବୁ ସେହି ସମୟରେ ଜନ୍ମିଥିବା ଲୋକ, ଯେଉଁମାନଙ୍କର କି ଜନ୍ମ ଓ ଲାଳନପାଳନ ହୋଇଥିଲା ଯୌଥ ପରିବାରରେ। ଏକାଧିକ ଭଉଣୀ-ଭାଇଙ୍କ ସ୍ନେହଶ୍ରଦ୍ଧା ସହ ବୋଉ-ବାପା, ଖୁଡୀ-କାକା, ଦେଠେଇ-ଦଦେଇ, ଜେଜେମା’-ଜେଜେବାପାଙ୍କ ଆଦର ଓ ଭଲ ପାଇବାରେ କଟିଥିଲା ଶୈଶବ। ସାରେ ଅଗଣାରେ ସପ ଉପରେ ଶୋଇ ତାରାଭର୍ତ୍ତି ଆକାଶକୁ ଦେଖି ଭାବନା ରାଜ୍ୟରେ ବୁଲିଛୁ। ଜେଜେମା’ ଚାରିପଟେ ରୁଣ୍ଡ ହୋଇ ପରୀ କାହାଣୀ, ବୁଢୀ ଅସୁରୁଣୀ ଆଦି ଗପରାଇଜରେ ଘୂରିଛୁ। ଜେଜେବାପାଙ୍କଠାରୁ ଶାସ୍ତ୍ର-ପୁରାଣର ଅନେକ କାହାଣୀ ସାଉଁଟିଛୁ। ମାଟିହାଣ୍ଡି ପ୍ରସ୍ତୁତ ବ୍ୟଞ୍ଜନର ଫଳକଟିଏ ଦେଖିଲେ ଆଜିର ଯୁବ ପିଢି ବିକଳ ହୋଇ ଦୌଡୁଛନ୍ତି ତା’ର ସ୍ବାଦ ପାଇବାକୁ। ହେଲେ ଆମ ପିଲାବେଳ କଟିଛି ସେହି ମାଟିପାତ୍ର ପ୍ରସ୍ତୁତ ସମସ୍ତ ବ୍ୟଞ୍ଜନରେ। ଖାଉଥିଲୁ କଂସା ଓ ପିତଳ ବାସନରେ। ରୋଷେଇ ପରେ ପରିବାରର ସମସ୍ତ ସଦସ୍ୟ ଅଗଣାରେ ତଳେ ଆସନ ବା ପିଢ଼ା ପକାଇ ଖାଉଥିଲୁ। ପରିବାର ସାରା ଲୋକଙ୍କ ସେହି ଅପୂର୍ବ ପଙ୍ଗତର ଦୃଶ୍ୟ ଆଜିର ଦିନରେ ସ୍ବପ୍ନ।
ନିଜ ଘର ବ୍ୟତୀତ ଆମ ପାଇଁ ଆଉ ଯେଉଁ ଘରଟିର ଆକର୍ଷଣ ଅଧିକ ଥିଲା ତାହା ହେଉଛି ମାମୁଘର। ସମୟ ପାଇଲେ ବୋଉ ସହିତ ଚାଲିଯାଉ ମାମୁଘରକୁ। ନିଜ ଗାଁ ଭଳି ମାମୁଘର ଗାଁରେ ମିଳେ ଅନେକ ସ୍ନେହ ଓ ଆଦର। ଖେଳିବାକୁ ମିଳିଯାନ୍ତି ଅନେକ ସାଙ୍ଗସାଥୀ। ଗାଁ ସାରା ମାଈଁ-ମାମୁ ଓ ଆଈ-ଅଜାଙ୍କ ଭଲ ପାଇବାରେ ଇଚ୍ଛାହୁଏ ନାହିଁ ଗାଁକୁ ଫେରିବାକୁ। ଏବର ପିଲାମାନେ ମାମୁଘର ଓ ମାମୁଘର ଗାଁର ସ୍ନେହ-ଆଦରଠାରୁ ଢେର୍‌ ଦୂରରେ। ଛୁଟିରେ ଟିଉସନ, କୋଚିଂରୁ ମୁକ୍ତି ନାହିଁ। ମାମୁଘରକୁ ଯିବାକୁ ସମୟ କାହିଁ? ଏବର ପିଲାଙ୍କ ଭଳି ଆମ ପିଲାବେଳେ ଏତେ ପାଠବୋଝ ନ ଥିଲା। ସ୍କୁଲରୁ ଫେରି ଘରେ ବହିବସ୍ତାନି ରଖି ସାଙ୍ଗସାଥୀଙ୍କ ସହ ଏପରି ଖେଳରେ ମାତିଯାଉଥିଲୁ ଯେ, କେତେବେଳେ ସନ୍ଧ୍ୟା ହୋଇଯାଏ ଜଣାପଡେନି। କବାଡି, ଡୁଡୁ, ଗିଲିଦଣ୍ଡା, ଡାଗରପୁଆ, ଡାଳିମାଙ୍କୁଡି, ଚୋର ପୋଲିସ, ଖୋ-ଖୋ, ବୋହୂଚୋରି, ବାଟି ଆଦି ପାରମ୍ପରିକ ଖେଳ ଥିଲା ଆମର ନିତିଦିନିଆ ଖେଳ। ପ୍ରତି ସଞ୍ଜରେ ଭଉଣୀ-ଭାଇଙ୍କ ଗହଣରେ ଆରମ୍ଭ ହୁଏ ପାଠପଢ଼ା। ପଢ଼ା ଆରମ୍ଭ ପୂର୍ବରୁ ବୋଲାଯାଏ ପ୍ରାର୍ଥନା। ସେତେବେଳେ ପାଠପଢିବା ପାଇଁ ଆଜିର ଦିନ ଭଳି ସ୍ବତନ୍ତ୍ର ପଢ଼ାଘର ନ ଥିଲା। ମାତ୍ର ଘର ଅଗଣାରେ ଡିବିରି/ଲଣ୍ଠନ ଚାରିପଟେ ଭଉଣୀ-ଭାଇମାନଙ୍କ ଗହଣରେ ପାଠପଢ଼ା ମନରେ ସୃଷ୍ଟି କରୁଥିଲା ପଢ଼ା ପ୍ରତି ଅପୂର୍ବ ଆଗ୍ରହ। ଆଜିର ବ୍ୟୟବହୁଳ ଘରୋଇ ଶିକ୍ଷାନୁଷ୍ଠାନ ବା କୋଚିଂ ସେଣ୍ଟରର ଚିନ୍ତା ମା’-ବାପାଙ୍କୁ ନ ଥିଲା କି ଆମ୍ଭମାନଙ୍କୁ ପରୀକ୍ଷାରେ ଶତକଡ଼ା ଅନେଶତ ନମ୍ବର ରଖିବାର ଚାପ ନ ଥିଲା। ସେତେବେଳେ ଶିକ୍ଷା ଦଣ୍ଡମୁକ୍ତ ନ ଥିଲା ସତ, ହେଲେ ପାଠପଢ଼ା ଚାପମୁକ୍ତ ଥିଲା। ଟିଉସନ ହେବା ଆମ କଳ୍ପନାର ବାହାରେ ଥିଲା। ବିଦ୍ୟାଳୟରେ ନିୟମିତ ପରୀକ୍ଷା ହେଉଥିଲା ଓ ପିଲା ପାସ୍‌-ଫେଲ୍‌ ହେଉଥିଲେ। ଗୁରୁମା’-ଗୁରୁଜୀ ଦେଉଥିବା ପାଠ କରିକି ନ ଗଲେ ବା ଶ୍ରେଣୀରେ ପାଠ ନ କରିପାରୁଥିଲେ ମାଡ଼ ଖାଉଥିଲୁ। ବେତମାଡ଼, କାନମୋଡ଼ା, କାନ ଧରି ବସଉଠ, ଚଉକିବସା, ଆଣ୍ଠେଇବା ଭଳି ଦଣ୍ଡକୁ ସମ୍ମାନର ସହ ଗ୍ରହଣ କରୁଥିଲୁ। ପିଲାମାନେ ଦଣ୍ଡ ପାଉଥିବା କଥା ଅଭିଭାବକମାନେ ଜାଣୁଥିଲେ ବି ଶିକ୍ଷକମାନଙ୍କ ପ୍ରତି ସେମାନଙ୍କର ସମ୍ମାନ କେବେ ବି ଊଣା ହେଉ ନ ଥିଲା। ଶିକ୍ଷାର୍ଥୀମାନଙ୍କର ବି ଗୁରୁମାନଙ୍କ ପ୍ରତି ଥିଲା ଅଜସ୍ର ଭକ୍ତି। କମ୍‌ ନମ୍ବର ରଖୁଥିବା ପିଲାଙ୍କୁ ଶିକ୍ଷକମାନେ ସକାଳେ ବା ସାରେ ମାଗଣାରେ ଟିଉସନ କରୁଥିଲେ। ସାଥୀ ବହି ନ ଥିଲା, ଟେକ୍ସଟ ବୁକ ପଢି ଆମେ ଭଲ ନମ୍ବର ଆଣୁଥିଲୁ। ଦୂରରେ ରହୁଥିବା ସମ୍ପର୍କୀୟଙ୍କୁ ହାତଲେଖା ଚିଠି ଡାକରେ ପଠାଉଥିଲୁ ଓ ସେମାନଙ୍କ ଭଲମନ୍ଦ ଜାଣିବା ପାଇଁ ସେମାନଙ୍କ ଚିଠିକୁ ଅପେକ୍ଷା କରୁଥିଲୁ। ଆମ୍ଭେମାନେ ସେଇ ସମୟର ମଣିଷ ଯେଉଁମାନଙ୍କର ପ୍ରକୃତି ସହ ଥିଲା ଘୋର ଆତ୍ମୀୟତା। ତୋଟା-ଜଙ୍ଗଲରେ ବୁଲୁଥିବା ଯୋଗୁ ସମସ୍ତ ପ୍ରଜାତିର ବୃକ୍ଷଲତାକୁ ଜାଣିବା, ଚିହ୍ନିବା, ଗଛରେ ଚଢିବା, ଚାଷବାସରେ ପ୍ରତ୍ୟକ୍ଷ ବା ପରୋକ୍ଷ ଅଂଶଗ୍ରହଣ କରିବା, କୃଷିଭିତ୍ତିକ ସମାଜ ଓ ପୂଜାପାର୍ବଣକୁ ଉପଭୋଗ କରିବା ଥିଲା ଆମ ସମୟର ସ୍ବତନ୍ତ୍ରତା। ଆମେ ସେହି ସମୟର ମଣିଷ, ଯେଉଁମାନଙ୍କର ପିଲାବେଳ କଟିଥିଲା ବିନା ବିଦ୍ୟୁତ୍‌ରେ, ବିନା ଟିଭିରେ, ବିନା ମୋବାଇଲ ଫୋନରେ ଓ ବିନା ଏୟାର କଣ୍ଡିଶନରରେ। ନା ଥିଲା କେବେ ଅଭିଯୋଗ ନା ଅଭିମାନ। ସବୁ ପରିସ୍ଥିତିରେ ଖାପଖୁଆଇ ଚଳି ପାରିବାର କଳା ବାଲ୍ୟକାଳରୁ ହିଁ ଆମେ ଶିଖିଛୁ। ଆଜିର ଦିନ ଭଳି ଆମର ଅବାସ୍ତବ ନେଟ୍‌ ଫ୍ରେଣ୍ଡ ନ ଥିଲେ। ଥିଲେ ଅନେକ ସତସତିକା ସାଙ୍ଗ, ଯେଉଁମାନେ କି ସାଙ୍ଗ ପାଇଁ ସବୁ କିଛି ଉତ୍ସର୍ଗ କରିଦେଉଥିଲେ। ଆଜିର ଦିନ ଭଳି ଫିଲ୍‌ଟର ବା ମିନେରାଲ ଓ୍ବାଟର ସେତେବେଳେ ଆବଶ୍ୟକ ପଡୁ ନ ଥିଲା। ଶୋଷ ଲାଗିଲେ ନଳକୂପରେ ମୁହଁ ଲଗାଇ ପେଟ ଭରି ପାଣି ପିଉଥିଲୁ। ମାଟି କାଦୁଅରେ ଲଟର-ପଟର ହେଉଥିଲୁ, ବେଳା-ଅବେଳାରେ ପୋଖରୀ-ନଦୀରେ ବୁଡୁଥିଲୁ। ହେଲେ କେବେ ବି ଏଥିପାଇଁ ଅସୁସ୍ଥ ହେଉ ନ ଥିଲୁ। ଘର ପ୍ରସ୍ତୁତ ଚୁଡା, ମୁଢି, ଛତୁଆ ଖାଇ ତାଗଡା ଥିଲୁ। ଆଜିର ଦିନ ଭଳି ଫୁଡ୍‌ ସପ୍ଲିମେଣ୍ଟ ବା ଭିଟାମିନ ଟାବ୍‌ଲେଟ ଖାଇବା ଆବଶ୍ୟକ ପଡୁ ନ ଥିଲା। ଆମ ପିଲାବେଳେ ହୃଦୟସ୍ପର୍ଶୀ ଓ ଶ୍ରୁତିମଧୁର ଥିଲା ଚଳଚ୍ଚିତ୍ର ଓ ଆଧୁନିକ ଗୀତ। ବିଭିନ୍ନ ରାଗ ଓ ଶାସ୍ତ୍ରୀୟ ଆଧାରରେ ଲେଖାଯାଇଥିବା ଓ ବୋଲାଯାଇଥିବା ସେହି ଅଭୁଲା ଗୀତଗୁଡିକର ଏବେ ବି ଚାହିଦା କମିନାହିଁ। ଗାଁ ଗାଁରେ ପାଲା, ଦାସକାଠିଆ, ଧୁଡୁକି, ଗୋଟିପୁଅ ନୃତ୍ୟ ହେଉଥିଲା ମନୋରଞ୍ଜନର ଭରପୂର ଖୋରାକ। ନା ଥିଲା ସେଥିରେ ଆଜିର ଦିନ ଭଳି ଅଶ୍ଳୀଳତା ନା ଅବାସ୍ତବତା। ପରିବାର ସହ ସିନେମା ଦେଖିପାରୁଥିଲୁ ଓ ଗୀତ ବି ଶୁଣିପାରୁଥିଲୁ। ପୋଷାକପତ୍ର ଥିଲା ଶାଳିନତାପୂର୍ଣ୍ଣ ଓ ସମ୍ପୂର୍ଣ୍ଣ ଶରୀର ଆବୃତ୍ତ ରହୁଥିଲା। ଆଜିର ଦିନ ଭଳି ଉଚ୍ଚଦାମ୍‌ର ପୋଷାକ ପିନ୍ଧିଲେ ବି ଅଙ୍ଗ ପ୍ରଦର୍ଶନ କରିବାର କୌଣସି ଅଭିଳାଷ ରହୁ ନ ଥିଲା। ଆଜିର ଦିନ ଭଳି ମମ୍‌, ଡାଡ୍‌, ଆଣ୍ଟି, ଅଙ୍କଲ ଭଳି କେତୋଟି ମାତ୍ର ସମ୍ପର୍କରେ ଆବଦ୍ଧ ହେଉ ନ ଥିଲୁ ଆମେ। ସମ୍ପର୍କ ଥିଲା ବ୍ୟାପକ। ଗୁରୁଜନଙ୍କ ପ୍ରତି ଥିଲା ଅଜସ୍ର ଭକ୍ତି, ସମ୍ମାନ ଓ ଲଘୁଜନଙ୍କ ପ୍ରତି ଥିଲା ନିଃସ୍ବାର୍ଥ ପ୍ରେମ।
ବର୍ତ୍ତମାନ ନିଜ ପଡ଼ିଶାଘରର ଲୋକଙ୍କୁ ନ ଜାଣିବାର ସମୟ ଚାଲିଛି। ଆମେ ସେଇ ପିଢିର ମଣିଷ ଯାହାକୁ କେବଳ ନିଜ ଗାଁ ନୁହେଁ, ଆଖପାଖ ଦଶପନ୍ଦର ଖଣ୍ଡ ଗାଁର ଲୋକ ଚିହ୍ନୁଥିଲେ। ସେତେବେଳେ ଘର କଚ୍ଚା ଥିଲା, ଛୋଟ ଥିଲା। ହେଲେ ମଣିଷ ଅଧିକ ରହୁଥିଲେ ଓ ସମ୍ପର୍କ ମଜଭୁତ ଥିଲା। ଏବେ ତ ଘର ପକ୍କା ଓ ବଡ଼। ହେଲେ ମଣିଷ ରୁହନ୍ତି କମ୍‌ ଓ ସେମାନଙ୍କ ସମ୍ପର୍କ ଦୁର୍ବଳ। ଶେଷରେ ଏତିକି କହିବି ଯେ, ଯଦି ଆପଣମାନେ ମୋ ବୟସର ଆଖପାଖର ହୋଇଥାନ୍ତି, ତେବେ ଆପଣଙ୍କ ସେହି ସୁନେଲି ଅତୀତ ନିଶ୍ଚିତ ଆପଣଙ୍କୁ ବେଳେ ବେଳେ ଆନମନା କରୁଥିବ। ଭାବବିହ୍ବଳିତ କରୁଥିବ ଓ ରୋମାଞ୍ଚିତ ବି କରୁଥିବ। ସେହି ଅବିସ୍ମରଣୀୟ ମୁହୂର୍ତ୍ତ ସବୁକୁ ଭାବିବସିଲେ ଈଶ୍ୱରଙ୍କୁ ନିୟୁତ ଧନ୍ୟବାଦ ଦେବାକୁ ଇଚ୍ଛାହୁଏ କି ମଣିଷ ଓ ପ୍ରକୃତି ସହ ସମ୍ପର୍କର ମଧୁରତାକୁ ଜୀବନ୍ତ ଭାବରେ ଅନୁଭବ କରିବାର ଅନେକ ସୁଯୋଗ ସେ ଆମକୁ ଦେଇଛନ୍ତି। ଆମେ ଯାହାସବୁ ପାଇଛେ ତାହା ଆଉ କେହି ପାଇବେ ନାହିଁ କି ଆମ ପରି ଆଉ କେହି ହେବେ ନାହିଁ। ବିଶିଷ୍ଟ ଲେଖକ ବୈଷ୍ଣବ ମହାନ୍ତିଙ୍କ ୟୁଟ୍ୟୁବ୍‌ ଭାଷଣ ‘ଆମେ ତ ଭାଗ୍ୟବାନ୍‌ ବୁଢ଼ାରେ’ ଶୁଣିଲେ ଯେ କେହି ଏହା ହୃଦୟଙ୍ଗମ କରିବେ।
ମୋ-୯୪୩୭୨୩୨୪୬୩, ଇମେଲ-prakas.tripathy09@gmail.com


All Right Reserved By Dharitri.Com

ପାହାଡ଼ ମଣିଷ

ଡ. ଛାୟାକାନ୍ତ ଷଡ଼ଙ୍ଗୀ ପୃଥିବୀରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ପୁଣ୍ୟ ଅର୍ଜନ କରି ପାରଲୌକିକ ସୁଖ ଲାଭ କରିବା ପାଇଁ ମନ୍ଦିର, ମସ୍‌ଜିଦ,...

ବାଟବଣା

ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ବିଧିବଦ୍ଧ ଘୋଷଣା କରି କହିଛନ୍ତି ଯେ, ଗୋଟିଏ ଦେଶରେ ଗୋଟିଏ ଭାଷା ରହିବା ଆବଶ୍ୟକ। ସେଥିପାଇଁ ହିନ୍ଦୀ ଜାତୀୟ ଭାଷା ହେବା...

ସମ୍ପାଦକୀୟ/ଥିଲେ ନଷ୍ଟ, ନ ଥିଲେ କଷ୍ଟ

ତାମିଲନାଡୁ ରାଜଧାନୀ ଚେନ୍ନାଇରେ ଜଳସଙ୍କଟ ଏବେ ଏଭଳି ସ୍ତରରେ ପହଞ୍ଚିଛି ଯେ, କେତେକ ଲୋକ ସହର ଛାଡ଼ିବା ଆରମ୍ଭ କଲେଣି। ଆଉ କେତେକେ ଯେଉଁ ଅଞ୍ଚଳରେ...

ଗଣତନ୍ତ୍ର ନା ଭୋଗୀତନ୍ତ୍ର

ସହଦେବ ସାହୁ ସୁଇଜରଲାଣ୍ଡରେ ଜନ୍ମିତ ଆମେରିକାନ୍‌ କିୟୁବ୍ଲର-ରସ୍‌ (୧୯୨୬-୨୦୦୪) କହନ୍ତି ସମସ୍ୟାର ୫ଟି ସ୍ତର ଅଛି- ନାପସନ୍ଦ, ରାଗ, ମୂଲଚାଲ, ବିଷାଦ ଓ ମାନିଯିବା (ଡିନାୟାଲ୍‌,...

ଭକତ ନା ଭିକାରି

ଡ. କୁଳାଙ୍ଗାର ଆମମାନଙ୍କଠାରେ ଭକ୍ତି ଓ ଭିକ୍ଷାଭାବ ଖୁନ୍ଦି ହୋଇଅଛି। ଦୁଇଟିର ସମନ୍ବୟ କାଳେ ଆମ ଜୀବନରେ ସମୃଦ୍ଧି ଆଣିଥାଏ। ଭକତ ଠାକୁରଙ୍କୁ ନାନାପ୍ରକାର ମିନତି...

ଏଇ ଭାରତରେ

ଶିକ୍ଷାର କୌଣସି ଧର୍ମ ନାହିଁ। ଏହା ଅଜ୍ଞାନ ରୂପକ ଅନ୍ଧକାର ଦୂରକରି ଜ୍ଞାନର ଜ୍ୟୋତି ଜଳାଇଥାଏ। ସଂସ୍କୃତ ସ୍କୁଲରେ ଗାୟତ୍ରୀ ମନ୍ତ୍ରୋଚ୍ଚାରଣ ଶିଖୁଛନ୍ତି ମୁସଲମାନ ଛାତ୍ରୀଛାତ୍ର।...

କୋଚିଂ ସେଣ୍ଟର ଉପରେ ସରକାରଙ୍କ ଲଗାମ ରହୁ

ସୁଧୀର କୁମାର ନାୟକ ଗୁଜରାଟ ସୁରଟ ଜିଲା ଅନ୍ତର୍ଗତ ସଦର ଥାନା ଅଞ୍ଚଳରେ ଚାଲୁଥିବା ଏକ ଘରୋଇ କୋଚିଂ ସେଣ୍ଟରରେ ଯେଉଁ ଅଗ୍ନିକାଣ୍ଡ ଘଟିଯାଇଛି ତାହା...

ସବୁଥିରେ ପଲିଟିକ୍ସ

ସବ୍ୟସାଚୀ ଅମିତାଭ ଗଣତନ୍ତ୍ର କ୍ଷମତା ଦେଇଛି। ନିଜେ ନିଜର ଶାସନ କରିବାର କଳା ଲୋକଙ୍କୁ ଶିଖାଇଛି। ହେଲେ ବର୍ତ୍ତମାନ ସମୟର ରାଜନୀତି ଗଣତନ୍ତ୍ରକୁ ଧୀରେ ଧୀରେ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *