ସଙ୍କଟରେ ସଂସ୍କୃତି

ଡ. ପ୍ରଫୁଲ୍ଲ କୁମାର ସାହୁ
ସଂସ୍କୃତିର ସଂଜ୍ଞା ଓ ପରିସର ଦିଗ୍‌ବଳୟ ପରି ବ୍ୟାପକ ଓ ବିସ୍ତୃତ। ଦିଗ୍‌ବଳୟକୁ ଯେମିତି ଦେଖିହୁଏ କିନ୍ତୁ ଛୁଇଁ ହୁଏନି, ସେମିତି ସଂସ୍କୃତିକୁ ବୁଝିହୁଏ, କିନ୍ତୁ ପ୍ରକାଶ କରି ହୁଏନି ତା’ର ନିର୍ଦ୍ଦିଷ୍ଟ ସଂଜ୍ଞା ଓ ପରିସର। ତେବେ ଏହାର ବ୍ୟାଖ୍ୟା କରିବାକୁ ଯାଇ ବିଦ୍ୱାନ୍‌ମାନେ କହନ୍ତି- ମାନବୀୟ ବିଚାରବୋଧରୁ ବିକଶିତ ସାମାଜିକ ଜୀବନଧାରା ହିଁ ସଂସ୍କୃତି। ରୀତିନୀତି, ଧର୍ମ କର୍ମ, ପର୍ବପର୍ବାଣି, ବିଧିବିଧାନ, ପୋଷାକପରିଚ୍ଛଦ, ଖାଦ୍ୟପେୟ ଇତ୍ୟାଦି ତା’ର ଅଙ୍ଗୀଭୂତ ବିଷୟ। ପ୍ରତ୍ୟେକ ଦେଶର ପରିବେଶ ଓ ପରିସ୍ଥିତି ଅନୁଯାୟୀ ପ୍ରତିଷ୍ଠା ଲଭେ ସେଠାକାର ସାମାଜିକ ଚଳଣି। ତେଣୁ ସ୍ଥାନୀୟ ଜୀବନଧାରାକୁ ନେଇ ଦେଶ ଦେଶ ଭିତରେ ଥାଏ ସଂସ୍କୃତିରେ ଅନେକ ଫରକ।
ସଂସ୍କୃତି କୌଣସି ପାଠାଗାରରେ ସଂରକ୍ଷିତ ହୋଇ ରହିଥିବା ପେଡ଼ିସାଇତା ପାଟ ଲୁଗା ନୁହେଁ, ବରଂ ଏହା ନିତି ପିନ୍ଧା ଲୁଗାପରି ସାଧାରଣ ଓ ଅକୃତ୍ରିମ। ଅର୍ଥାତ୍‌ ଏହା ଏକ ଅପରିବର୍ତ୍ତନୀୟ ପ୍ରକ୍ରିୟା ନୁହେଁ, ବରଂ ପରିବର୍ତ୍ତନଶୀଳ। ମାତ୍ର ଅନ୍ୟ କୌଣସି ବାହାର ସଂସ୍କୃତି ଭାରି ପଡ଼ିବା କାରଣରୁ ଯଦି ତାକୁ ବଳପୂର୍ବକ ବଦଳାଇବାକୁ ଚେଷ୍ଟା କରାଯାଏ, ତେବେ ଭାଙ୍ଗିତୁଟି ଯାଏ ସଂସ୍କୃତିର ମୌଳିକତା। ବିଳାପ କରି ଉଠେ ତା’ର ଅବକ୍ଷୟୀ ଆତ୍ମା।
ଭାରତୀୟ ଜୀବନଧାରାରେ ସଂସ୍କୃତି ସହିତ ଆଗପଛ ହୋଇ ଆଉ ଦୁଇଟି କଥା ଯୋଡ଼ିହୋଇ ରହିଛି, ଗୋଟିଏ ଧର୍ମ ଓ ଅନ୍ୟଟି ପରମ୍ପରା। ଧର୍ମ ଆମ ସଂସ୍କୃତିର ମୂଳ ଉତ୍ସ। ଏଠାରେ ତା’ର ପ୍ରତିରୂପ ହେଉଛି ଆଧ୍ୟାତ୍ମିକତା। ଆଧ୍ୟାତ୍ମିକତା ପ୍ରତି ଥିବା ଶ୍ରଦ୍ଧାଶୀଳ ମନୋଭାବରୁ ଉନ୍ମେଷ ଆଚାରବୋଧ ହିଁ ସଂସ୍କୃତି ଏବଂ ତା’ର ପ୍ରବହମାନତାକୁ କୁହାଯାଏ ପରମ୍ପରା। ଭାରତୀୟ ସଂସ୍କୃତି ବୈଦିକ ସଂସ୍କୃତି ଓ ଲୋକସଂସ୍କୃତିର ଏକ ସମନ୍ବିତ ରୂପ। ବୈଦିକ ସଂସ୍କୃତିର ଦିବ୍ୟ ସନ୍ଦେଶ ହେଉଛି ନୀତିପୂର୍ଣ୍ଣ ଜୀବନଯାପନ ବା ସତ୍ୟର ଶ୍ରଦ୍ଧାଶୀଳ ଅନୁଶୀଳନ। ତେଣୁ ‘ସତ୍ୟମେବ ଜୟତେ’ ଭାରତବର୍ଷର ଜୟଘୋଷ। ସେହି ଉଦ୍‌ଘୋଷଣା ପାଇଁ ଆମ ଜାତୀୟ ପ୍ରତୀକ ଅଶୋକଚକ୍ରରେ ଲେଖାଯାଇଛି ‘ସତ୍ୟମେବ ଜୟତେ’। ମାତ୍ର ବିଡ଼ମ୍ବନାର ବିଷୟ ଏବେ ଅସତ୍ୟ ଉପରେ ଅଧିକ ଆସ୍ଥା ସ୍ଥାପନ କରିଛି ଆମ ଜାତୀୟ ଜୀବନ। ସବୁଠି ଅନ୍ୟାୟ ଓ ଅସତ୍ୟର ରାଜୁତି। ଆମ ନେତାମାନେ କିଭଳି ସତ୍ୟ ପାଠକରି ଅସତ୍ୟ ତଥ୍ୟ ପ୍ରଦାନ କରନ୍ତି ତାହା ଏଠାରେ ବୁଝାଇ କହିବା ନିଷ୍ପ୍ରୟୋଜନ। ବସୁଧୈବ କୁଟୁମ୍ବକମ୍‌ ଭାବନା ଭାରତୀୟ ସଂସ୍କୃତିର ଆତ୍ମିକ ସନନ୍ଦ। ବିଭିନ୍ନତା ମଧ୍ୟରେ ଏକତା ବା ସହାବସ୍ଥାନ କୌଶଳ ତା’ର ବିଶେଷତ୍ୱ। ମାତ୍ର ଏବେ ଏଠି ଉଦାରତା ଓ ମାନବତାର ସ୍ଥାନ ନେଲାଣି ହିଂସା, ଦ୍ୱେଷ ଓ ପରଶ୍ରୀକାତରତା। ଚାରିଆଡ଼େ ଛାଇଗଲାଣି ଅସହିଷ୍ଣୁତାର ବାତାବରଣ।
ପଲ୍ଲୀ ଜୀବନବୋଧକୁ ଆଧାରକରି ଗଢ଼ି ଉଠିଥିବା ରୀତିନୀତି, ଆଚାର ବିଚାର , କଳାସାହିତ୍ୟ ଓ ସଙ୍ଗୀତ ଦ୍ୱାରା ପରିପୁଷ୍ଟ ହୋଇଛି ଭାରତୀୟ ସଂସ୍କୃତି ଓ ପରମ୍ପରା। ସେଥିପାଇଁ କୁହାଯାଏ ଗ୍ରାମ୍ୟ ଜୀବନଧାରାରେ ରହିଛି ଭାରତୀୟ ସଂସ୍କୃତିର ଆତ୍ମା। ଅଥଚ ଏକ ଛିନ୍ନମୂଳ ସହରୀ ସଭ୍ୟତାର ପ୍ରଭାବରେ ଦୋହଲିଗଲାଣି ପଲ୍ଲୀ ମଣିଷର ବଦ୍ଧମୂଳ ବିଶ୍ୱାସ। ଚୁଲିକୁ ଗଲାଣି ତା’ର ଆଚାର ଓ ବିଚାର। ଆଗେ ଶିଶୁଟିଏ ଜନ୍ମ ହେଲେ ନୂତନ ଅତିଥିଙ୍କୁ ସ୍ବାଗତ କରିବା ପାଇଁ ଷଷ୍ଠିପୂଜା, ଏକୋଇଶିଆ ପୂଜା, ସତ୍ୟନାରାୟଣ ପାଲା ଓ ଜାତକର୍ମ ଆଦି ଷୋଡ଼ଶ କର୍ମ କରାଯାଉଥିଲା ବିଧି ଅନୁସାରେ। ଏବେ ସେସବୁ ଆଉ ନାହିଁ କହିଲେ ଚଳେ। କେବଳ ଜନ୍ମଦିନରେ କେକ୍‌ କଟାଯାଉଛି ଏବଂ ନାଚଗୀତର ଆସର ଜମୁଛି ହୋଟେଲରେ। ଶୁଭକର୍ମରେ ଆଉ ଶୁଭୁନି କାହାଳି ଓ ହୁଳହୁଳି। ବାହାଘର ପୂର୍ବରୁ ଆବଶ୍ୟକ ହେଉନି କୋଷ୍ଠି ମେଳକ। ବୈଦିକ ବିବାହ ପରମ୍ପରାରୁ ଛିଟିକି ଆସି ଦାମ୍ପତ୍ୟ ସମ୍ପର୍କ ପହଞ୍ଚତ୍ଲାଣି ରେଜେଷ୍ଟ୍ରି ବିବାହ, କଣ୍ଟ୍ରାକ୍ଟ୍ରି ବିବାହ ଓ ଶେଷରେ ଲିଭ୍‌-ଇନ୍‌-ରିଲେଶନ ପାଖରେ। ବରଯାତ୍ରୀ ଏବେ ବାରାତ୍‌। କେହି କାହାରିକୁ ପରଷିବାର ନାହିଁ ପ୍ରଚଳିତ ବଫେ ବ୍ୟବସ୍ଥାରେ।
ଏକାନ୍ନବର୍ତ୍ତୀ ପରିବାର ଥିଲା ଆମ ସଂସ୍କୃତିର ଏକ ବିଶେଷତ୍ୱ। ବାପା, ମାଆ, ଦାଦା, ଖୁଡ଼ୀ, ବଡ଼ବାପା, ବଡ଼ମାଆ, ଜେଜେବାପା, ଜେଜେମା’ ଓ ଗୋଠେ ସାନବଡ଼ ପୁଅଝିଅଙ୍କୁ ନେଇ ଉଚ୍ଛୁଳି ଉଠୁଥିଲା ଘର। ଆତ୍ମକୈନ୍ଦ୍ରିକ ଭାବନା ଯୋଗୁ ଭାଙ୍ଗିପଡ଼ିଛି ସେ ପାରିବାରିକ ସମ୍ପର୍କ। ବାହାଘର ସରିଗଲା ପରେ ଭାଇଠାରୁ ଭାଇ ଭିନ୍ନେ। ବାପଠାରୁ ପୁଅ ଅଲଗା। ପର ଲାଗିଲା କ୍ଷଣି ପିଲାମାନେ ଆପଣେଇ ନେଉଛନ୍ତି ସହରୀ ଜୀବନ। ସହରରେ ରହି ସେମାନେ ଭୁଲିଯାଉଛନ୍ତି ଭିଟାମାଟିର ମୋହ। ଗାଁରେ ଅସହାୟ ଅବସ୍ଥାରେ ପଡ଼ିରହିଥିବା ବୁଢ଼ା ବାପାମାଆଙ୍କ ଭଲମନ୍ଦ ବୁଝିବା ତ ଦୂରର କଥା, ଶେଷ ବେଳେ ତାଙ୍କ ମୁହଁରେ ପାଣି ଟୋପେ ଦେବାକୁ ବି ପହଞ୍ଚତ୍ ପାରୁନାହାନ୍ତି ଅନେକ ଉଚ୍ଚଶିକ୍ଷିତ ସନ୍ତାନ। ତେଣୁ ଯେଉଁ ଘର ଅଗଣାରେ ଦିନେ ଫାଟି ପଡ଼ୁଥିଲା ଖୁସିର ଲହରି, ହସର ଢେଉ, ସେଠାରେ ଏବେ କେବଳ ଉପତ୍ୀଡ଼କ ନିଃସଙ୍ଗତା।
ଆମ ସାମାଜିକ ଜୀବନଧାରା ସହିତ ଯୋଡ଼ିହୋଇ ରହିଥିଲା ବାରମାସରେ ତେର ପର୍ବ। କେତେବେଳେ ଆଧ୍ୟାତ୍ମିକ ପର୍ବ ତ କେତେବେଳେ କୃଷିଭିତ୍ତିକ ପର୍ବକୁ ନେଇ ଫାଟି ଫଡ଼ୁଥିଲା ଗାଁ ଦାଣ୍ଡ। ବର୍ତ୍ତମାନର ଯୁବପିଢ଼ି ସେସବୁ ଉତ୍ସବ ପ୍ରତି ଆଗ୍ରହ ପ୍ରକାଶ କରିବା ତ ଦୂରର କଥା, ସେମାନେ କହିପାରିବେନି ଅକ୍ଷୟତୃତୀୟା କେବେ ପାଳନ କରାଯାଏ ବା ଶୀଳତଷଷ୍ଠୀର ମହାତ୍ମ୍ୟ କ’ଣ? ସେମାନେ ଏସବୁ ବଦଳରେ କେବଳ ଧୁମ୍‌ଧାମ୍‌ରେ ପାଳନ କରୁଛନ୍ତି ଇଂରାଜୀ ନୂଆବର୍ଷ, ଭାଲେଣ୍ଟାଇନ୍‌ ଡେ ଏବଂ ନିଜର ବାର୍ଥ ଡେ ପାର୍ଟି ଇତ୍ୟାଦି। ରଜ ଓ ପ୍ରଥମାଷ୍ଟମୀ ଭଳି ଅଳ୍ପ କେତୋଟି ପର୍ବ ଗ୍ରାମାଞ୍ଚଳରେ ପାଳନ ହେଉଛି ସତ, ହେଲେ ଆଗଭଳି ଆଉ ଘରଦ୍ୱାର ମହକି ଉଠୁନି ମାଟିହାଣ୍ଡି ପୋଡ଼ପିଠାର ଭୁରୁ ଭୁରୁ ବାସ୍ନାରେ। ମାଆମାନେ ସବୁ ମମିରେ ରୂପାନ୍ତରିତ ହୋଇଗଲା ପରେ ମାଟିହାଣ୍ଡି ଓ ମାଟିଚୁଲି ଆଉ ଦରକାର ହେଲାନି କି ସେମାନେ ଗଢ଼ି ଶିଖିଲେନି ଆରିସା, କାକରା, ମଣ୍ଡା। ତେଣୁ ପିଲାମାନେ ତା’ର ସ୍ବାଦ ଜାଣିବେ କେଉଁଠୁ? ସାଧାରଣତଃ ଗୋଟିଏ ଅଞ୍ଚଳର ପରିବେଶ ଉପରେ ନିର୍ଭର କରେ ସେ ଅଞ୍ଚଳର ଖାଦ୍ୟ ପ୍ରସ୍ତୁତ ପ୍ରଣାଳୀ। ଶହ ଶହ ବର୍ଷର ପରୀକ୍ଷା ନିରୀକ୍ଷା ପରେ ପ୍ରତିଷ୍ଠା ଲାଭକରେ ସେଠାକାର ଖାଦ୍ୟ ପରମ୍ପରା। ସେହି ଅନୁସାରେ ଆମ ପିଲାଦିନେ ସକାଳର ଆହାର ଥିଲା ପଖାଳ ଭାତ କିମ୍ବା ଚୁଡ଼ା, ମୁଢ଼ି ଆଦି ସ୍ଥାନୀୟ ଜଳଖିଆ। ମାତ୍ର ଆମ ପରିବର୍ତ୍ତିତ ଜୀବନଶୈଳୀ ଓ ଖାଦ୍ୟରୁଚିରେ ତା’ର ସ୍ଥାନ ନେଲାଣି ବ୍ରେଡ୍‌, ବଟର, ଆମ୍‌ଲେଟ୍‌, ପିଜା, ବର୍ଗର କିମ୍ବା ଅନ୍ୟକିଛି। ଏକଦା ଭାରତୀୟ ନାରୀର ପରିଧାନ ଥିଲା ଶାଢ଼ି, ଯେଉଁ ପରିଧାନ ରୁଚି ପାଇଁ ସେ ଅର୍ଜିଥିଲା ବିଶ୍ୱପ୍ରସିଦ୍ଧି। ଏବେ କେବଳ ତା’ର ସେ ପରିଧାନ ରୁଚି ବଦଳି ନାହିଁ, ତା’ର ପୋଷାକୀ ଅଶ୍ଳୀଳତା କଥା ଭାବିଲେ ମନେହେଉଛି ପଶ୍ଚିମା ସଂସ୍କୃତିକୁ ଅନୁକରଣ କରି ସେ ହରେଇ ବସିଲାଣି ତା’ର ସ୍ବଭାବ ଓ ତତ୍‌ସୁଲଭ ସଂଭ୍ରମତା।
ଏବେ ଗାଁ ହେଉ କି ସହର ଯେଉଁଠି ସାଂସ୍କୃତିକ ଉତ୍ସବଟିଏ ପାଳନ କରାଯାଉଛି, ସେଠାରେ ଦ୍ୱ୍ୟର୍ଥବୋଧକ ଆଧୁନିକ ଗୀତକୁ ନେଇ କାନଫଟା ଗର୍ଜନ କରୁଛି ମାଇକ୍‌। କମି କମି ଯାଉଛି ଭକ୍ତି ଗୀତର ଆଦର। ଭଜନ ବି ଆଉ ଲାଗୁନି ଭଜନ ପରି। ସଙ୍ଗୀତ ଦୁନିଆରେ ମୃଦଙ୍ଗ, ତାଳ, ଗିନି ଓ ହାରମୋନିୟମ୍‌ର ସ୍ଥାନ ନେଲାଣି ଟ୍ରାଙ୍ଗେ, ବାଙ୍ଗୋ ଓ ଏକଡ଼ିଆନ୍‌ ଇତ୍ୟାଦି। ସେ ସଙ୍ଗୀତରେ ନା ଅଛି ଆବେଗ ନା ଜୀବନ। ଆମ ଜୀବନକୁ ଶ୍ରୀମୟ କରେ ସଙ୍ଗୀତ। ବଂଶୀ ବା ସାହାନାଇରୁ ବାହାରୁଥିବା ସଙ୍ଗୀତକୁ ଦେଖିହୁଏ ନାହିଁ କି ଛୁଇଁହୁଏ ନାହିଁ ସତ, ହେଲେ ଶୂନ୍ୟରେ ସେ ଯେଉଁ ପ୍ରବାହ ସୃଷ୍ଟି କରେ ତାକୁ ଅନୁଭବ କରିପାରେ ମଣିଷ। ସେ ପ୍ରବାହରେ ଥାଏ ମଣିଷ ଅନ୍ତରକୁ ସୂକ୍ଷ୍ମ ଓ କୋମଳ କରି ଗଢ଼ିତୋଳିବାର ଅଦୃଶ୍ୟ ଶକ୍ତି। ମୁହୂର୍ତ୍ତକ ପାଇଁ ହେଲେ ବି ଆମକୁ ନେଇ ଭଗବାନଙ୍କ ପାଖରେ ପହଞ୍ଚେଇ ଦିଏ ମୀରାବାଈ କିମ୍ବା ଅନୁପ ଜଲୋଟାଙ୍କ ଭଜନ। ଏବେ କେଉଁଠି ବି ଦେଖିବାକୁ ମିଳୁନି ସେହି ଉଚ୍ଚାଙ୍ଗ ସଙ୍ଗୀତର ଗୁରୁଗମ୍ଭୀର ପରିବେଶ। ସବୁଠି ଲୋକଙ୍କ ଉପରେ ଲଦିଦିଆଯାଉଛି ସଂସ୍କୃତି-ବିବର୍ଜିତ ନୃତ୍ୟଗୀତର ଧମାକା। ଧୀରେ ଧୀରେ ଆଦର ହରାଉଛି ବାଳକୃଷ୍ଣ ଦାସ ଓ ଭିକାରୀ ବଳଙ୍କ ପରି ସଙ୍ଗୀତ ଶିଳ୍ପୀଙ୍କ କାଳଜୟୀ ଭଜନ ଓ ଜଣାଣ। ଆମର ଏହି ପରମୁଖାପେକ୍ଷିତା ପାଇଁ ଏ ଯାବତ୍‌ ଓଡ଼ିଶୀ ସଙ୍ଗୀତକୁ ମିଳୁନି ଶାସ୍ତ୍ରୀୟ ସଙ୍ଗୀତର ମାନ୍ୟତା। ବସ୍ତୁତଃ କବି, ଲେଖକ ଓ ସଙ୍ଗୀତ ଶିଳ୍ପୀମାନେ ଯଦି ଗଣରୁଚି ଆଗରେ ସ୍ବାଭିମାନକୁ ବଳିଦେଇ ଲାଭକ୍ଷତିର ହିସାବ ଯୋଡ଼ିବେ, ତେବେ କେବେ ବି ସୃଷ୍ଟିହୋଇ ପାରିବନି ଉଚ୍ଚାଙ୍ଗ ସାହିତ୍ୟ ଓ ସଙ୍ଗୀତ।
ଏହି ପରିପ୍ରେକ୍ଷୀରେ ଆମେ ମନେରଖିବା ଉଚିତ ସଂସ୍କୃତି ଗୋଟିଏ ଜାତିର ଜୀବନନାଟିକା, ମୌଳିକ ମୂଲ୍ୟବୋଧ ଅନୁପ୍ରେରିତ ଜୀବନଶୈଳୀ। ସାମାଜିକ ବିକାଶ ନିମନ୍ତେ ସଂସ୍କୃତିକୁ ମାଜିମୁଜି ଚିକ୍କଣ କରାଯାଇପାରେ, ମାତ୍ର ତାକୁ ସମ୍ପୂର୍ଣ୍ଣ ଅବଜ୍ଞା କରି ଅନ୍ୟ କେଉଁ ସଂସ୍କୃତିକୁ ଅନୁକରଣ କରିବା ଅର୍ଥ ଏକ ତ୍ରୁଟିପୂର୍ଣ୍ଣ ବିଚାରଧାରାକୁ ଆପଣେଇ ନେବା, ଯେଉଁ ବିଚାରଧାରାକୁ ଆପଣାଇ ଧ୍ୱଂସ ପାଇ ଯାଇଥିଲା ସ୍ବର୍ଣ୍ଣ ଲଙ୍କା।
ବିଜୁ ପଟ୍ଟନାୟକ ନଗର, ଭଦ୍ରକ, ମୋ-୯୪୩୮୮୫୫୦୮୮


All Right Reserved By Dharitri.Com

କେନ୍ଦ୍ରୀକରଣ ଶିକ୍ଷାନୀତି: ଏକ ବିଶ୍ଲେଷଣ

ପ୍ରଦୀପ୍ତ ନାୟକ ସ୍ବାଧୀନତୋତ୍ତର ଭାରତବର୍ଷରେ ଅଦ୍ୟାବଧି ଦୁଇଟି ଜାତୀୟ ଶିକ୍ଷାନୀତି ପ୍ରଣୀତ ହୋଇଛି। ଏବର ପ୍ରସ୍ତାବିତ ଶିକ୍ଷାନୀତି ହେଉଛି ତୃତୀୟ। ୧୩୦ କୋଟି ଅଧିବାସୀଙ୍କର ଏହି...

କ୍ଷମାର ମହତ୍ତ୍ୱ

ହରିଶ୍ଚନ୍ଦ୍ର ଅରିଶଲ୍ୟ ଶୁଭ ଶୁକ୍ରବାର ପ୍ରଭୁ ଯିଶୁଖ୍ରୀଷ୍ଟଙ୍କ ସର୍ବଶ୍ରେଷ୍ଠ ବଳିଦାନ, କ୍ଷମା ଓ ତ୍ୟାଗର ଜୀବନକୁ ମନେପକାଇଦିଏ। ୨୦୦୦ରୁ ଅଧିକ ବର୍ଷ ତଳେ ମିଥ୍ୟା ଓ...

ନିଜର ଦୀପ ନିଜେ ହୁଅ

ପ୍ରବାସିନୀ ମହାକୁଡ଼ କୌଣସି ଲୋକ ଯଦି କୌଣସି ନଦୀକୁ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଅତିକ୍ରମ କରିସାରିଥାଏ ଏବଂ ପୁଣିଥରେ ସେଇ ନଦୀକୁ ପାରିହେବାକୁ ଚାହେଁ, ତେବେ...

ଭକତ ନା ଭିକାରି

ଡ. କୁଳାଙ୍ଗାର ଆମମାନଙ୍କଠାରେ ଭକ୍ତି ଓ ଭିକ୍ଷାଭାବ ଖୁନ୍ଦି ହୋଇଅଛି। ଦୁଇଟିର ସମନ୍ବୟ କାଳେ ଆମ ଜୀବନରେ ସମୃଦ୍ଧି ଆଣିଥାଏ। ଭକତ ଠାକୁରଙ୍କୁ ନାନାପ୍ରକାର ମିନତି...

ପ୍ଲାଷ୍ଟିକ୍‌ ବର୍ଜ୍ୟରେ ଅଣନିଃଶ୍ୱାସୀ ପୃଥିବୀ

ବୈକୁଣ୍ଠନାଥ ମିଶ୍ର କିଛିବର୍ଷ ପୂର୍ବେ ସାଧାରଣ ପରିବହନ, ହାଟବଜାର ସଉଦା ଓ ଘରକରଣା ସାମଗ୍ରୀ ସବୁକିଛି ଝୋଟ କିମ୍ବା କପଡା ବ୍ୟାଗ୍‌ ଦ୍ୱାରା ହେଉଥିଲା। ବନ୍ଧୁ...

ସାଉଁଟା ଅନୁଭୂତି ଓ ବ୍ୟାବହାରିକ ଜ୍ଞାନ

ଡ. କୁମରବର ଦାସ ଗାନ୍ଧୀ, ଗୋପବନ୍ଧୁ, ବିବେକାନନ୍ଦ, ରାମକୃଷ୍ଣ କିମ୍ବା ଟାଗୋର, ଅରବିନ୍ଦଙ୍କ ଜୀବନଯାତ୍ରାର ସଫଳତା କଥା ଆମେ ଜାଣୁ। ସେମାନଙ୍କ ଜୀବନୀ ପଢିଛୁ। କିନ୍ତୁ...

ଆର୍ଥିକ ସଙ୍କଟ ନେଇ ସରକାର ଗମ୍ଭୀର ତ

ଭାଲଚନ୍ଦ୍ର ଷଡ଼ଙ୍ଗୀ ନିକଟରେ ପ୍ରମୁଖ ବିସ୍କୁଟ୍‌ ପ୍ରସ୍ତୁତକାରୀ କମ୍ପାନୀ ବ୍ରିଟାନିଆର ମୁଖ୍ୟ ଦେଶର ଆର୍ଥିକ ସଙ୍କଟ ଉପରେ ଟିପ୍ପଣୀ ଦେଇ କହିଥିଲେ, ‘ଅବସ୍ଥା ଏପରି ହୋଇଛି...

ସମ୍ପାଦକୀୟ/ଭୁଶୁଡ଼ିଲା ମେଣ୍ଟ

ସାଧାରଣ ନିର୍ବାଚନରେ ଶୋଚନୀୟ ପରାଜୟବରଣ କରିଥିବା ରାଜନୈତିକ ଦଳଗୁଡ଼ିକ ବିଫଳତାର କାରଣ ଖୋଜିବାରେ ଲାଗିଛନ୍ତି। କେତେକ ଦଳର ତୁଙ୍ଗ ନେତା ଇସ୍ତଫା ଦେବା ବିଷୟ ଘୋଷଣା...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *