ସଜ ସମ୍ପତ୍ତି – ବାସି ସମ୍ପତ୍ତି

ନାରାୟଣ ପଣ୍ଡା
କୌଣସି ଏକ ଜନପଦରେ ଜନୈକ ଧନୀ ବ୍ୟବସାୟୀ ବାସକରୁଥିଲେ। ଅଚଳାଚଳ ସମ୍ପତ୍ତିର ମାଲିକ ଥିବା ବ୍ୟବସାୟୀଙ୍କର ନିକଟବର୍ତ୍ତୀ ଗ୍ରାମପୁଞ୍ଜରେ ଥିଲା ଯଥେଷ୍ଟ ସମ୍ମାନ ଓ ପ୍ରତିଷ୍ଠା। ଘରେ ତାଙ୍କର ସ୍ତ୍ରୀ ଓ ଏକମାତ୍ର ପୁତ୍ର। ଦାସଦାସୀ ତଥା ବନ୍ଧୁ ଓ କୁଟୁମ୍ବଙ୍କ ସହିତ ସୁଖଶାନ୍ତିରେ ଅତିବାହିତ ହେଉଥିଲା ତାଙ୍କ ଜୀବନ। ସବୁଦିନ ସମାନ ଯାଏନାହିଁ। ଏକ ଭୟଙ୍କର ରୋଗରେ ପୀଡିତ ହୋଇ ସେ ସଂସାର ତ୍ୟାଗକରନ୍ତି। ତାଙ୍କ ବିଧବା ସ୍ତ୍ରୀ ଓ ପୁତ୍ର ଅତି ଆଡମ୍ବର ସହକାରେ ଧନିକଙ୍କର ଅନ୍ତ୍ୟେଷ୍ଟି ଓ ଦଶାହକ୍ରିୟା ସମ୍ପାଦନ କଲେ। କିଛିଦିନ ପରେ ଗୃହପତ୍ନୀ ଜଣେ ସୁନ୍ଦରୀ ଓ ଉଚ୍ଚକୁଳସମ୍ଭୂତା କନ୍ୟା ସହିତ ପୁତ୍ରର ବିବାହ ସମ୍ପାଦନ କରାଇଲେ। ନବବଧୂର ଆଗମନରେ ପୂରିଉଠିଲା ଗୃହାଙ୍ଗନ। କିନ୍ତୁ ପୁତ୍ରଜଣକ ପିତାଙ୍କର ବ୍ୟବସାୟରେ ମନୋଯୋଗୀ ନ ହେବା ଓ ଭୂସମ୍ପତ୍ତିର ରକ୍ଷଣାବେକ୍ଷଣରେ ଉଦାସୀନ ହେବା ଲକ୍ଷ୍ୟକରି ଦୁଃଖୀତା ହେଲେ ମା’। ଅବଶ୍ୟ ତାଙ୍କର ସ୍ବାମୀ ଯେତେ ସମ୍ପତ୍ତି ସଞ୍ଚୟ କରିଯାଇଥିଲେ ତାହା ତାଙ୍କର ଆଗାମୀ ଦୁଇତିନିପୁରୁଷ ପର୍ଯ୍ୟନ୍ତ ପର୍ଯ୍ୟାପ୍ତ। ତଥାପି ରୋଜଗାର କରିବା ବୟସରେ ତାଙ୍କର ଏକମାତ୍ର ଯୁବକ ପୁତ୍ର ବ୍ୟବସାୟରେ ଧ୍ୟାନ ନ ଦେଇ ଆଳସ୍ୟରେ ସମୟ ଅତିବାହିତ କରିବା ଯୋଗୁ ମା’ ଚିନ୍ତିତା ହୋଇପଡିଲେ। କିନ୍ତୁ ପୁତ୍ରଙ୍କ ପ୍ରତି ତାଙ୍କର ବ୍ୟବହାରରେ କୌଣସି ବ୍ୟତିକ୍ରମ ପରିଲକ୍ଷିତ ହେଲାନାହିଁ। ପୂର୍ବରୁ ପୁତ୍ରଙ୍କୁ ଯେଭଳି ଭଲପାଉଥିଲେ, ଆନନ୍ଦରେ ଖୁଆଉଥିଲେ- ସେଥିରୁ ସାମାନ୍ୟ ବିଚ୍ୟୁତ ମଧ୍ୟ ହେଲେନାହିଁ ସେ। ପ୍ରତିଦିନ ଖାଇବା ସମୟ ହେଲେ ଆଦରରେ ପୁଅକୁ ଡାକନ୍ତି,- ”ବାବୁ, ଖାଇବା ସମୟ ହେଲାଣି, ବାସି ଗଣ୍ଡିଏ ଖାଇଦେଇଯାଅ।“ କିନ୍ତୁ ପ୍ରକୃତରେ ପୁଅକୁ ସେ କୌଣସି ବାସି ଖାଦ୍ୟ ପରଷୁ ନ ଥିଲେ। ପୂର୍ବପରି ଦୁଧଘିଅ, ଖିରିପିଠା, ତଥା ସୁସ୍ବାଦୁ ଅନ୍ନବ୍ୟଞ୍ଜନ ଖୁଆଇବାରେ ମା’ଙ୍କର ଆଦୌ ହେଳା ନ ଥିଲା। ମାତ୍ର ପ୍ରତିଦିନ ‘ବାସି ଗଣ୍ଡେ ଖାଇଦିଅ’ କହିବାକୁ ଭୁଲୁ ନ ଥିଲେ ସେ। ପୁଅ ବେଳେବେଳେ ଭାବନ୍ତି, ମା’ ପୂର୍ବପରି ଉତ୍ତମ ଖାଦ୍ୟ ପ୍ରସ୍ତୁତ କରୁଥିବା ବେଳେ ‘ବାସି’ ଶବ୍ଦଟି କାହିଁକି ବ୍ୟବହାର କରନ୍ତି। ଥରେ କୌଣସି କାରଣବଶତଃ ଦୂର ଗାଁର ବନ୍ଧୁଙ୍କ ଘରକୁ ଯିବାକୁ ପଡିଲା ମା’ଙ୍କୁ। ଯିବା ପୂର୍ବରୁ ପୁଅର ଉପଯୁକ୍ତ ଯତ୍ନନେବାକୁ ଓ ତାହାର ଖାଇବା ସମୟରେ ‘ବାସି ଗଣ୍ଡେ ଖାଇନିଅ’ କହିବାକୁ ନ ଭୁଲିବାପାଇଁ ନିର୍ଦ୍ଦେଶ ଦେଇଗଲେ। ଶାଶୁଙ୍କର ପ୍ରବାସ ଆରମ୍ଭ ହେଲା। ଏଣେ ଘରେ ଖାଇବା ସମୟ ହେଲେ ଗୃହବଧୂ ‘ବାସି ଗଣ୍ଡେ ଖାଇନିଅ’ କହି ସ୍ବାମୀଙ୍କୁ ଭୋଜନ ପାଇଁ ଆହ୍ବାନ କରନ୍ତି। ମା’ଙ୍କ ଭାଷା ସ୍ତ୍ରୀଙ୍କ ମୁଖରୁ ଶୁଣି ଆଶ୍ଚର୍ଯ୍ୟଚକିତ ପୁଅଙ୍କ ମୁଖମଣ୍ଡଳରେ ବିରକ୍ତିର ରେଖା ପ୍ରକାଶ ପାଇଲା। ସଜ ଓ ସୁସ୍ବାଦୁ ଖାଦ୍ୟ ଦେଇ ମା’ଙ୍କ ପରି ବାସି ବୋଲି କହିବା ପଛରେ କି ରହସ୍ୟ ଅଛି ବୋଲି ଜିଜ୍ଞାସା କଲେ ଯୁବକ। ଏପରି କହିବାକୁ ଶାଶୁଙ୍କର ନିର୍ଦ୍ଦେଶ ରହିଥିବା ସ୍ତ୍ରୀ ବିନମ୍ର ଭାବେ ପ୍ରକାଶକଲେ। ପୁଅ ଏହି ଉତ୍ତରରେ ସନ୍ତୁଷ୍ଟ ନ ହୋଇ ମା’ ଫେରିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ସ୍ଥିରକଲେ। ନିର୍ଦ୍ଧାରିତ ଦିନରେ ଫେରିଆସିଲେ ମା’, ପୁନଶ୍ଚ, ‘ବାସି ଗଣ୍ଡେ’ ଖାଇବା ପାଇଁ ପୁଅକୁ ସ୍ନେହରେ ଡାକିଲେ। ପୂର୍ବରୁ କୌଣସି ପ୍ରଶ୍ନ ନ କରି ଖାଉଥିବା ପୁତ୍ର ଆଜି କିନ୍ତୁ ଅତି ନମ୍ରତାର ସହିତ ପଚାରିଲେ- ମା’, ସବୁଦିନ ମୋତେ ତୁମେ ସୁସ୍ବାଦୁ ଓ ସଦ୍ୟ ପ୍ରସ୍ତୁତ ଖାଦ୍ୟ ଦେଇ, ଏହାକୁ ବାସି ବୋଲି କାହିଁକି କହୁଛ? ମା’ଙ୍କ ମୁହଁରେ ସ୍ମିତହାସ୍ୟଟିଏ ଉଙ୍କିମାରିଲା। ସତେଯେପରି ଦୀର୍ଘଦିନ ଧରି ଏହି ପ୍ରଶ୍ନଟି ଶୁଣିବା ପାଇଁ ସେ ଆତୁରତାର ସହିତ ଅପେକ୍ଷା କରିଥିଲେ। ବର୍ତ୍ତମାନ ସେହି ମାହେନ୍ଦ୍ର ମୁହୂର୍ତ୍ତ ଉପସ୍ଥିତ। ଧୀର କଣ୍ଠରେ ସେ କହିଲେ,- ବାବୁ, ତୋ ପିତାଙ୍କ ନିଧନ ପରଠାରୁ ମୁଁ ଏହି ବାସି ଶବ୍ଦଟି ବ୍ୟବହାର କରିଆସୁଛି। ତୁମେ ଜାଣ, ଯାହା ସଦ୍ୟ ନୁହେଁ ତାହା ହିଁ ବାସି। ଯାହା ସଦ୍ୟ ପ୍ରସ୍ତୁତ ତାହା ସଜ। ଖାଇବାରେ ଯେପରି ସଜ ଓ ବାସିର ପ୍ରଶ୍ନ ରହିଛି, ସମ୍ପତ୍ତି ଉପଭୋଗରେ ମଧ୍ୟ ଏହି ଉକ୍ତିର ପ୍ରାସଙ୍ଗିକତା ନିହିତ। ଆମେ ଯେଉଁ ସମ୍ପତ୍ତି ବର୍ତ୍ତମାନ ଭୋଗକରୁଛେ, ତାହା ତୁମ ପିତାଙ୍କଦ୍ୱାରା ଅର୍ଜିତ। ତୁମେ ନିଜେ ଆଜି ପର୍ଯ୍ୟନ୍ତ କୌଣସି ଧନ ଅର୍ଜନ କରି ପିତାଙ୍କ ସମ୍ପତ୍ତିରେ ଯୋଗ କରିିନାହଁ। କିନ୍ତୁ ତାଙ୍କ ସମ୍ପତ୍ତି ଭୋଗ କରିଚାଲିଛ, ଯାହାକି ବାସ୍ତବରେ ‘ବାସି’ ସମ୍ପତ୍ତି। ତୁମେ ତୁମ ସାମର୍ଥ୍ୟ ଓ ପୁରୁଷାକାରର ଉପଯୋଗ କରି ପିତାଙ୍କ ସମ୍ପତ୍ତିର ଅଭିବୃଦ୍ଧି ସାଧନ କରିପାରିଲେ, ତାହା ‘ସଜ’ ସମ୍ପତ୍ତି ତୁଲ୍ୟ ହେବ। ପୁରୁଷଟିଏ ପାଇଁ ତାହାର ସମୟ ଓ ସାମର୍ଥ୍ୟର ଉପଯୋଗ କରିବାର ପ୍ରକୃଷ୍ଟ ସମୟ ହିଁ ଯୌବନକାଳ। ଆମ ସଂସ୍କୃତିରେ ଗୃହସ୍ଥର ଚତୁରାଶ୍ରମ ଗୁରୁଗୃହ ବାସ, ଗାର୍ହସ୍ଥ୍ୟ, ବାନପ୍ରସ୍ଥ ଓ ସନ୍ନ୍ୟାସ- ମଧ୍ୟରେ ଉକ୍ତ ଗୃହସ୍ଥାଶ୍ରମ ହିଁ ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ। ଜୀବନର ସେଇ ସମୟଟି ତା’ର ସମସ୍ତ ପ୍ରଗତିର ଆଧାରଶିଳା। ଉକ୍ତ ସମୟର ସଦୁପଯୋଗ ନ ହେଲେ ମଣିଷଜୀବନ ଦିଗହରା ହୋଇଥାଏ। ପୁଅ ବର୍ତ୍ତମାନ ‘ବାସି’ ର ଯଥାର୍ଥ ଅର୍ଥ ବୁଝିପାରି ଏକ ନବଚେତନାର ଉତ୍ତରଣ ଅନୁଭବକଲା, ଦେହମନପ୍ରାଣକୁ ଆଚ୍ଛନ୍ନକଲା ଏକ ନୂତନ ଭାବନା। ଏହା ଏକ ଗଳ୍ପ ହୋଇପାରେ, କିନ୍ତୁ ଏହାର ଅନ୍ତରାଳରେ ସମାଜ ପାଇଁ ଉତ୍ତମ ‘ମଣିଷ’ ସୃଷ୍ଟି କରିବାକୁ ଯଥେଷ୍ଟ ସନ୍ଦେଶ ରହିଛି। ପାଶ୍ଚାତ୍ୟ ଦେଶଗୁଡ଼ିକରେ ପିତା ଯେତେ ଧନୀ ହେଲେ ମଧ୍ୟ ଉପାର୍ଜନ କରିବାର ସମୟ ଉପଗତ ହେଲେ ପୁତ୍ରକନ୍ୟାମାନେ ନିଶ୍ଚୟ ନିଯୁକ୍ତି ସନ୍ଧାନରେ ରହିଥାନ୍ତି। ଏପରି କି ସେମାନେ ନିଜ ପିତାଙ୍କ କମ୍ପାନୀରେ କର୍ମଚାରୀରୂପେ ଯୋଗଦେବାକୁ କୁଣ୍ଠା ପ୍ରକାଶକରି ନ ଥାନ୍ତି। ବର୍ତ୍ତମାନ ଆମ ସମାଜରେ ଏହାର ଘୋର ବ୍ୟତିକ୍ରମ ଦେଖାଯାଇଛି। ବିତ୍ତଶାଳୀ ଗୃହସ୍ଥଙ୍କ ସନ୍ତାନମାନେ ନିଜେ ନିଯୁକ୍ତିରହିତ ଥାଇ ବିଳାସବ୍ୟସନରେ ପିତାଙ୍କର ସମ୍ପତ୍ତିକୁ ଯୌବନର ଉନ୍ମାଦନାରେ ଅକାତରେ ବ୍ୟୟ କରିଚାଲିଥିବା ଦୃଶ୍ୟ ବିରଳ ନୁହେଁ। ଏହି ପରାଙ୍ଗପୁଷ୍ଟ ସନ୍ତାନମାନଙ୍କ ପାଇଁ ଗୌରବ ମଧ୍ୟ ଅନୁଭବ କରିଥାନ୍ତି ମାତାପିତା। ପରିଶେଷରେ ଏହା ବିଷମୟଫଳ ପ୍ରସବ କରିଥାଏ। ମାତାପିତାଙ୍କର ରୋଜଗାର ଓ ଉତ୍ପାଦନ କରିବା କ୍ଷମତା ସମୟକ୍ରମେ ନିଃଶେଷ ହୋଇଯାଏ। ଅସମର୍ଥ ସନ୍ତାନମାନେ ସଞ୍ଚିତ ସମ୍ପତ୍ତି ବ୍ୟୟ କରିସାରି ”କ’ଣ କରିବି“ ପଞ୍ଚାକ୍ଷର ଜପକରିବା ସହିତ ବୋଝ ହୋଇପଡନ୍ତି ମାତାପିତାଙ୍କ ଉପରେ। କାହାରି କାହାରି ଜୀବନରେ ଅପରାଧର ପଙ୍କିଳ ରାସ୍ତାକୁ ଆପଣେଇବାକୁ ପଡିଥାଏ। ସୁତରାଂ ସନ୍ତାନମାନଙ୍କର ଉତ୍ତର ଜୀବନ ପ୍ରତି ମାତାପିତା ଯେତିକି ଧ୍ୟାନଶୀଳ ହେବେ, ସନ୍ତାନମାନେ ମଧ୍ୟ ଅନୁରୂପ ଭାବେ ନିଜ ଉତ୍ତର ଜୀବନ ପ୍ରତି ଯତ୍ନଶୀଳ ହୋଇ ଜୀବନକୁ ସ୍ବଚ୍ଛଳ ଓ ପୁଷ୍କଳ କରିବା ନିମନ୍ତେ ଯଥାସାଧ୍ୟ ଉଦ୍ୟମ କରିବେ। ସନ୍ତାନମାନଙ୍କ ଜୀବନର ପ୍ରଥମାର୍ଦ୍ଧରେ ସେମାନଙ୍କ ଚରିତ୍ର ଗଠନପ୍ରତି ଅମନଯୋଗୀ ହୋଇ ପରିଣତ ବୟସରେ ନୀରବରେ ଅଶ୍ରୁମୋଚନ କରୁଥିବା ମାତାପିତା ଆଜି ଆମ ସମାଜରେ ବହୁ ସଂଖ୍ୟାରେ ଅଛନ୍ତି। କୁହାଯାଏ, ବିବାହ ଉପଯୋଗୀ କନ୍ୟା ଓ ରୋଜଗାର କରୁ ନ ଥିବା ପୁତ୍ର ଘରେ ରହିଲେ ଗୃହସ୍ଥଙ୍କ ପ୍ରତି ଅଭିଶାପ ସାବ୍ୟସ୍ତ ହୁଅନ୍ତି। ସନ୍ତାନମାନଙ୍କୁ ଯୋଗ୍ୟ କରିବା ମାତାପିତାଙ୍କର ସର୍ବୋଚ୍ଚ ଦାୟିତ୍ୱ। ପିଲାମାନଙ୍କୁ ଉପଯୁକ୍ତ ଭାବେ ନ ଗଢି ସେମାନଙ୍କୁ ସଂସାରଭାର ଅର୍ପଣକରିବା ଅବା ନିଜର ଆର୍ଥିକ ଓ ବ୍ୟବସାୟିକ ସାମ୍ରାଜ୍ୟକୁ ତାଙ୍କ ହାତରେ ଟେକିଦେବା, ନିଜର ଦୁର୍ଭାଗ୍ୟକୁ ନିମନ୍ତ୍ରଣ କରିବା ସହିତ ସମାନ। ବର୍ତ୍ତମାନ ରାଜନୀତି କ୍ଷେତ୍ରରେ ମଧ୍ୟ ଏହି ପରମ୍ପରା କେଉଁଠି କେଉଁଠି ଦୃଷ୍ଟିଗୋଚର ହୋଇଥାଏ। ବୟସ ଓ ସ୍ବାସ୍ଥ୍ୟ ଦୃଷ୍ଟିରୁ ପ୍ରତିକୂଳ ଅବସ୍ଥାରେ ଗତିକରୁଥିବା ରାଜନୈତିକ ବ୍ୟକ୍ତିମାନେ ନିଜର ରାଜନୀତି ଅନଭିଜ୍ଞ ସନ୍ତାନମାନଙ୍କୁ ଉତ୍ତରାଧିକାରୀରୂପେ ଘୋଷଣା କରିଥାନ୍ତି। ନିଜର କର୍ମସକାଶେ ସମାଜରେ କଳଙ୍କିତ ଓ ଲଜ୍ଜିତ ଭାବମୂର୍ତ୍ତି ରଖୁଥିବା କେତେକ ରାଜପୁରୁଷ କ୍ଷମତାକୁ ପୁରୁଷାନୁକ୍ରମେ ଉପଭୋଗ କରିବାର ଆଶା ରଖି, ନିଜେ ପରଦା ଅନ୍ତରାଳରେ ରହି, ସମାଜ ପାଇଁ ବିଶେଷ ଅବଦାନ ରଖି ନ ଥିବା ସନ୍ତାନମାନଙ୍କୁ ନିର୍ବାଚନ ରଣକ୍ଷେତ୍ରରେ ଯୋଦ୍ଧାରୂପେ ଅବତୀର୍ଣ୍ଣ କରାଇଥାନ୍ତି। ସନ୍ତାନମାନଙ୍କୁ ସବୁଦିନେ ‘ସଜ’ ଖୋଇବାର ନିଶା ସେମାନଙ୍କୁ ପ୍ରଲୁବ୍ଧକରେ। ଏମାନଙ୍କ ମଧ୍ୟରୁ କେହିକେହି ଜୀବନଯୁଦ୍ଧରେ ବିଜୟଲାଭ କରନ୍ତି, କେତେକ ପରାଜୟର ଅନ୍ଧକାରରେ ନିଶ୍ଚିହ୍ନ ହୋଇ ଗଚ୍ଛିତଥିବା ‘ବାସି’ ଖାଦ୍ୟରେ ସନ୍ତୁଷ୍ଟ ରହିବାକୁ ବାଧ୍ୟ ହୁଅନ୍ତି।
ନୂଆବନ୍ଧସାହି, ନବରଙ୍ଗପୁର, ମୋ- ୯୪୩୭୧୧୮୯୬୨


All Right Reserved By

ସଙ୍କୋଚନରୁ ପ୍ରସାରଣ

ଡ. ଶରତ ଚନ୍ଦ୍ର ରଥ ବସ୍ତୁଠାରୁ ବାସ୍ତବତା ବଡ଼। କାରଣ ବସ୍ତୁର ମୂଲ୍ୟ ଅଛି, ବାସ୍ତବତାର ମୂଲ୍ୟବୋଧ ଅଛି। ଧନଠାରୁ ମନ ବଡ଼। କାରଣ ଧନର...

ଆଇଏନ୍‌ସିବି ସଦସ୍ୟା

ବ୍ୟକ୍ତିତ୍ୱ/ ଜିତେନ୍ଦ୍ର କୁମାର ନାୟକ ଅନ୍ତର୍ଜାତୀୟ ନିଶା ଔଷଧ ନିୟନ୍ତ୍ରଣ ବୋର୍ଡ (ଇଣ୍ଟରନ୍ୟାଶନାଲ ନାର୍କୋଟିକ୍ସ କଣ୍ଟ୍ରୋଲ ବୋର୍ଡ ବା ଆଇଏନ୍‌ସିବି) ଜାତିସଂଘର ଏକ ସ୍ବାଧୀନ ତଥା...

ସୁନାବେଶେ ଉଭା ପ୍ରଭୁ କାଳିଆ ସାଆନ୍ତ

ଡ. କିଶୋର ମହାନ୍ତି ଶ୍ରୀକ୍ଷେତ୍ରରେ ବାରମାସରେ ତେରପର୍ବ ଅପୂର୍ବ ଓ ଅବର୍ଣ୍ଣନୀୟ, ଯେଉଁଥିରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କର ବିଭିନ୍ନ ପ୍ରକାର ବର୍ଣ୍ଣିଳ ଭବ୍ୟ ରୂପ ଶ୍ରଦ୍ଧାଳୁମାନଙ୍କର ମନକୁ...

ମିଛସତର ମଝିରେ ନାଚାର ଜୀବନ

ସୋନାମିକା ରାୟ ଭାରତୀୟ ସଂସ୍କୃତି ବିଶ୍ୱର ପ୍ରାଚୀନତମ ସଂସ୍କୃତି ମଧ୍ୟରେ ଅନ୍ୟତମ। ବିଶାଳତା, ଉଦାରତା, ପ୍ରେମ, ସହିଷ୍ଣୁତା ଓ ନୈତିକତା ଆଦି ଗୁଣର ଡୋରରେ ବନ୍ଧାହୋଇଥିବା...

ଯୁବଗୋଷ୍ଠୀର ବୃତ୍ତି ଓ ପ୍ରବୃତ୍ତି

ମନ-ମାନଚିତ୍ର/ ଡ. ନରହରି ବେହେରା ସେଦିନ ଭୁବନେଶ୍ୱରରୁ ଫେରିବାବେଳେ ଭଣ୍ଡାରିପୋଖରୀ ପରେ ରାସ୍ତାପାଖରେ ଗୋଟିଏ ଛୋଟ ରେଷ୍ଟୁରାଣ୍ଟ ଭିତରକୁ ପଶିଗଲି। ରେଷ୍ଟୁରାଣ୍ଟଟି ବେଶ୍‌ ପରିଷ୍କାର ପରିଚ୍ଛନ୍ନ...

ଭାରତର ପ୍ରମୁଖ ସମସ୍ୟା

ଆକାର ପଟେଲ ଚଳିତ ବର୍ଷର ଦ୍ୱିତୀୟ ତ୍ରିମାସୀରେ ଭାରତର ଜିଡିପି ଅଭିବୃଦ୍ଧି ୫ ପ୍ରତିଶତକୁ ଖସିଯାଇଛି, ଯାହା ଗତ ଛଅବର୍ଷ ଭିତରେ ସର୍ବନିମ୍ନ। ନିର୍ମାଣ ଶିଳ୍ପ,...

ଭାଷାପ୍ରାଣ ଫକୀରମୋହନ

ଡା. ସୁରେନ୍ଦ୍ରନାଥ ପତି ସଂକ୍ରାନ୍ତିପୁରୁଷ ରୂପେ ଖ୍ୟାତ ବ୍ୟାସକବି ଫକୀରମୋହନଙ୍କ ଜନ୍ମ ହୋଇଥିଲା ୧୮୪୩ ମସିହା ଜାନୁୟାରୀ ୧୩ ତାରିଖ ମକରସଂକ୍ରାନ୍ତିରେ ଏବଂ ସେ ଦେହତ୍ୟାଗ...

ନିଜର ଦୀପ ନିଜେ ହୁଅ

ପ୍ରବାସିନୀ ମହାକୁଡ଼ କୌଣସି ଲୋକ ଯଦି କୌଣସି ନଦୀକୁ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଅତିକ୍ରମ କରିସାରିଥାଏ ଏବଂ ପୁଣିଥରେ ସେଇ ନଦୀକୁ ପାରିହେବାକୁ ଚାହେଁ, ତେବେ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *