ନଦୀର ଅଧାପାଣି ସମୁଦ୍ରକୁ ବୋହିଯାଉଛି: ହାତ ଟେକି ଦେଇଛନ୍ତି ସରକାର, ଜଳ ସଂରକ୍ଷଣକୁ ନେଇ ବିଧାନସଭାରେ ଉଦ୍‌ବେଗ

ଭୁବନେଶ୍ୱର,୨୫।୭(ବ୍ୟୁରୋ): ରାଜ୍ୟର ବିଭିନ୍ନ ନଦୀରୁ ଜଳ ସିଧାସଳଖ ସମୁଦ୍ରକୁ ବୋହିଯାଉଛି। ଏହାକୁ ରାଜ୍ୟ ସରକାର ସଂରକ୍ଷଣ କରିପାରୁନାହାନ୍ତି। ମହାନଦୀ ଉପରେ ଛତିଶଗଡ଼ ବ୍ୟାରେଜ ନିର୍ମାଣ କରି ପାଣି ଅଟକାଇବାକୁ ନେଇ ରାଜ୍ୟରେ ଶାସକ ଦଳ ତୁମ୍ବିତୋଫାନ କରୁଛି। ମାତ୍ର ରାଜ୍ୟର ବିଭିନ୍ନ ନଦୀରୁ ଅଧାରୁ ଅଧିକ ଜଳ ସମୁଦ୍ରକୁ ଚାଲିଯାଉଥିଲେ ମଧ୍ୟ ରଖା ଯାଇପାରୁନାହିଁ। ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ଗୁରୁବାର ପ୍ରଶ୍ନୋତ୍ତର ବେଳେ ଏହି ସୂଚନା ଦେଇଛନ୍ତି। ଭାଜପା ସଭ୍ୟ ମୋହନ ଚରଣ ମାଝି ଓଡ଼ିଶାରେ ଉପଲବ୍ଧ ହେଉଥିବା ଭୂପୃଷ୍ଠ, ଭୂତଳ ଜଳ ପରିମାଣ କେତେ, ସେଥିରୁ କେତେ ପରିମାଣର ଜଳ ସମୁଦ୍ରକୁ ବୋହିଯାଉଛି, କେତେ ପ୍ରତିଶତ ଜଳ ବାଷ୍ପୀଭୂତ ହେଉଛି, ଉଭୟ ଭୂପୃଷ୍ଠ ଓ ଭୂତଳ ଜଳ ସଂରକ୍ଷିତ ପାଇଁ ଗତ ୧୦ ବର୍ଷ ଭିତରେ କି କି ଯୋଜନା କାର୍ଯ୍ୟକାରୀ କରାଯାଇଛି। ଏଥିଯୋଗୁ କେତେ ପରିମାଣର ଜଳ ସଂରକ୍ଷିତ ହୋଇପାରିଛି ବୋଲି ପଚାରିଥିଲେ। ଜଳସମ୍ପଦ ମନ୍ତ୍ରୀ କହିଥିଲେ ଯେ, ଓଡ଼ିଶା ଅବବାହିକାର ଭୂପୃଷ୍ଠ ଜଳର ପରିମାଣ ରାଜ୍ୟ ଜଳ ଯୋଜନା ୨୦୦୪ ଅନୁଯାୟୀ ଆକଳନ କରାଯାଇଛି। ରାଜ୍ୟର ୧୧ଟି ନଦୀର ସମୁଦାୟ ଭୂପୃଷ୍ଠ ଜଳ ୯୫ ହଜାର ୫୪୦ ନିୟୁତ ଘନମିଟର ଜଳ ଧାରଣ କ୍ଷମତା ରହିଛି। ସେଥିରୁ ଜଳସେଚନ ପାଇଁ ୨୧ ହଜାର ୭୯୩. ୧୯ ନିୟୁତ ଘନମିଟର ଜଳ ବ୍ୟବହାର କରାଯାଉଥିବା ବେଳେ ସର୍ବସାଧାରଣ ୨୮୩.୯୫ ଏବଂ ଶିଳ୍ପଗୁଡ଼ିକ ୨ ହଜାର ୨୭୯.୮୫ ନିୟୁତ ଘନମିଟର ଜଳ ବ୍ୟବହାର କରୁଛନ୍ତି। ତେବେ ସମୁଦ୍ରକୁ ୫୦ ହଜାର ୬୪୫.୯୧ନିୟୁତ ଘନମିଟର ପାଣି ଚାଲିଯାଉଛି। ମହାନଦୀରୁ ୨୫ ହଜାର ୯୪୦, ବ୍ରାହ୍ମଣୀରୁ ୭ ହଜାର ୮୧୯, ବୈତରଣୀ ୨୨୧୫, ଋଷିକୁଲ୍ୟା ୭୩୬, ବଂଶଧାରା ୨ ହଜାର ୪୬୮ ଓ ଜମ୍ଭିରା ୧ ହଜାର ୬୬୮, କୋଲାବ୍‌ ୪ ହଜାର ୬୯୯, ଇନ୍ଦ୍ରାବତୀ ୨ ହଜାର ୩୮, ନାଗାବଳୀ ୧ ହଜାର ୬୧୪ ଏବଂ ସୁବର୍ଣ୍ଣରେଖା ନଦୀରୁ ୧ ହଜାର ୪୫୧.୫୯ ନିୟୁତ ଘନମିଟର ପାଣି ସମୁଦ୍ରକୁ ଚାଲିଯାଉଛି। ରାଜ୍ୟରେ ଭୂତଳ ଜଳ ୧୫ ହଜାର ୭୭୦ ନିୟୁତ ଘନମିଟର ଗଚ୍ଛିତ ରହିଛି। ଜଳବାୟୁ ପରିବର୍ତ୍ତନ ଭଳି ପ୍ରାକୃତିକ ସମସ୍ୟା ତଥା ମାତ୍ରାଧିକ ଭୂତଳ ଜଳର ବ୍ୟବହାର ଯୋଗୁ ୧୯୯୭ରୁ ୨୦୧୮ ମଧ୍ୟରେ ଭୂତଳ ଜଳ ହ୍ରାସ ପାଉଛି। ଭୂପୃଷ୍ଠ ଓ ଭୂତଳ ଜଳର ସଂରକ୍ଷଣ ପାଇଁ ରାଜ୍ୟ ସରକାର ୧୪ ହଜାର ୫୮୮ଟି ଆଡ଼ିବନ୍ଧ ନିର୍ମାଣ କରିଛନ୍ତି। ରାଜ୍ୟରେ ୭ଟି ମଧ୍ୟମ, ୧୬ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କରାଯାଇ ଜଳ ଗଚ୍ଛିତ ରଖାଯାଉଛି। ଏଥିସହିତ ୨୦୧୫ରୁ ଛାତ ଉପରେ ଜଳ ଅମଳ ପ୍ରକଳ୍ପ କରାଯାଇ ବର୍ଷାଜଳକୁ ଭୂଗର୍ଭକୁ ଛଡ଼ାଯାଉଛି। ବର୍ତ୍ତମାନ ସୁଦ୍ଧା ୧୧ଟି ସହରାଞ୍ଚଳରେ ୯ ହଜାର ୪୩୮ଟି ବେସରକାରୀ ଓ ୩୫୨ଟି ସରକାରୀ କୋଠାରେ ପ୍ରକଳ୍ପ କରାଯାଇଛି। ଗତ ୧୦ ବର୍ଷ ମଧ୍ୟରେ ପ୍ରାୟ ୬୦୪ ନିୟୁତ ଘନମିଟର ଜଳ ସଂରକ୍ଷଣ କରାଯାଇ ପାରିଛି ବୋଲି ମନ୍ତ୍ରୀ କହିଛନ୍ତି। କଂଗ୍ରେସ ସଭ୍ୟ ସୁରେଶ କୁମାର ରାଉତରାୟ କହିଲେ ଯେ, ଛତିଶଗଡ଼ ଆଡ଼ିବନ୍ଧ କରି ପାଣି ଅଟକାଉଛି। ରାଜ୍ୟ ସରକାର ମହାନଦୀ, ବ୍ରାହ୍ମଣୀ ଏବଂ ଅନ୍ୟାନ୍ୟ ନଦୀରେ କେବେ ଡ୍ୟାମ୍‌ କରି ପାଣି ରଖିବେ। ଦୟାନଦୀରେ ଆଡ଼ିବନ୍ଧ କରି ଭୁବନେଶ୍ୱର ଆଖପାଖ ଅଞ୍ଚଳର ଚାଷୀଙ୍କୁ କେବେ ପାଣି ଯୋଗାଇବେ ବୋଲି ପଚାରିଥିଲେ। ବିଜେଡି ସଭ୍ୟ ଲତିକା ପ୍ରଧାନ, ବିଷ୍ଣୁବ୍ରତ ରାଉତରାୟ, କଂଗ୍ରେସ ସଭ୍ୟ ନରସିଂହ ମିଶ୍ର, ଭାଜପା ସଭ୍ୟ ଜୟନାରାୟଣ ମିଶ୍ର ପ୍ରମୁଖ ଜଳ ସଂରକ୍ଷଣକୁ ନେଇ ସରକାରଙ୍କୁ ସମାଲୋଚନା କରିଥିଲେ। ସେମାନେ କହିଥିଲେ ଯେ, ପରିବର୍ତ୍ତିତ ଜଳବାୟକୁ ଦେଖି ରାଜ୍ୟ ସରକାର ଏ ପର୍ଯ୍ୟନ୍ତ କେତେ ପ୍ରକଳ୍ପ ହାତକୁ ନେଇଛନ୍ତି, ଲୋୟର ସୁକ୍‌ତେଲ, ଲୋୟର ଇନ୍ଦ୍ର ପ୍ରକଳ୍ପ କେବେ ସୁଦ୍ଧା ଶେଷ ହେବ। ସ୍ଥାନୀୟ ବିଧାୟକଙ୍କୁ ଡାକି ଆଲୋଚନା କରନ୍ତୁ। ରାଜ୍ୟ ସରକାରଙ୍କ ଜଳ ପରିଚାଳନା ନୀତି କିଛି ଅଛି କି? ସରକାର ଚେକ୍‌ଡ୍ୟାମ କରିଛନ୍ତି ମାତ୍ର ସେଗୁଡ଼ିକ ଠିକ୍‌ ଭାବେ ପରିଚାଳନା କରାଯାଉନାହିଁ। ପାଣି ରହିବ କେମିତି ବୋଲି ସଭ୍ୟମାନେ ପଚାରିଥିଲେ। ମନ୍ତ୍ରୀ କହିଥିଲେ, ଚଳିତବର୍ଷ କୁଆଖାଇ ନଦୀରେ ଜଳ ସଂରକ୍ଷଣ କରିବା ପାଇଁ ଏକ ଚେକ୍‌ଡ୍ୟାମ ନିର୍ମାଣ କରାଯାଉଛି। ଏହି ପାଇଲଟ ପ୍ରକଳ୍ପ ସଫଳ ହେଲେ ଅନ୍ୟାନ୍ୟ ନଦୀରେ ଡ୍ୟାମ୍‌ ନିର୍ମାଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।


All Right Reserved By Dharitri.Com

କାଳିଆହତା ଫରେଷ୍ଟ ବିଟ ଅଞ୍ଚଳରେ ୪ ହାତୀଙ୍କ ଉପଦ୍ରବ: ଘର ଭାଙ୍ଗିବା ସହ ଧାନ ଚାଉଳ ଖାଇଥିବା ଅଭିଯୋଗ

ତେଲକୋଇ, ୩।୯(ଡି.ଏନ.ଏ.)-ତେଲକୋଇ ବନାଞ୍ଚଳ ଅଧୀନର କାଳିଆହତା ଫରେଷ୍ଟ ବିଟ ଅଞ୍ଚଳରେ ହାତୀ ପଲ ଘର ଭାଙ୍ଗିଛନ୍ତି। ଉକ୍ତ ଅଞ୍ଚଳର ରାଇସୁଆ ପଞ୍ଚାୟତ ଅଧୀନ ନୂଆଗାଁରେ ଗତ...

ବାଇକ୍‌ ଧକ୍କାରେ କାଉଡିଆ ଗୁରୁତର: ଘଟଣାକୁ କେନ୍ଦ୍ରକରି ବଚସା, ରାସ୍ତାରୋକୋ

ଓଡ଼ଗାଁ,୧୧ା୮(ସ୍ବ.ପ୍ର.): ଶନିବାର ଓଡଗାଁ ଥାନା ଅଞ୍ଚଳରେ ବାଇକ୍‌ ଧକ୍କାରେ ଜଣେ କାଉଡିଆ ଗୁରୁତର ହୋଇଛନ୍ତି। ଏହାକୁ କେନ୍ଦ୍ରକରି ବଚସା ଓ ରାସ୍ତାରୋକୋ ହୋଇଥିଲା। ଅପରାହ୍ନରେ ଓଡ଼ଗାଁ...

ରେଲଓ୍ବେ ପକ୍ଷରୁ ସ୍ବତନ୍ତ୍ର ତୀର୍ଥଯାତ୍ରା ପ୍ୟାକେଜ: ସବୁ ଶନିବାର ଭୁବନେଶ୍ୱରରୁ ତିରୁମାଲା

ଭୁବନେଶ୍ୱର, ୩।୯(ବ୍ୟୁରୋ): ଓ୍ବିକେଣ୍ଡକୁ ଧାର୍ମିକ ପରିବେଶରେ କାଟିବାକୁ ଚାହୁଁଥିବା ଲୋକମାନଙ୍କ ପାଇଁ ଆଇଆରସିଟିସି ଆଣିଛି ତିରୁମାଲା ସ୍ବତନ୍ତ୍ର ଦର୍ଶନ ପ୍ୟାକେଜ। ୩ ଦିନ ୪ ରାତି...

କାର୍ଯ୍ୟରେ ଯୋଗଦେଲେ ଟ୍ରାଫିକ ଡିସିପି ସାଗରିକା ନାଥ : ଟ୍ରାଫିକ୍‌ ବ୍ୟବସ୍ଥାରେ ଆସିବ ସୁଧାର

ଭୁବନେଶ୍ୱର,୨୬ା୮(ବ୍ୟୁରୋ) : ଭୁବନେଶ୍ୱରର ଟ୍ରାଫିକ ଡିସିପି ଭାବେ ରବିବାର କାର୍ଯ୍ୟରେ ଯୋଗଦେଇଛନ୍ତି ୨୦୧୬ ବ୍ୟାଚ୍‌ର ଓଡିଆ କ୍ୟାଡ୍‌ର ଆଇପିଏସ୍‌ ଅଫିସର ସାଗରିକା ନାଥ। ସେ କମିଶନରେଟ...

ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱରୁ ଉଚ୍ଛେଦ ଆରମ୍ଭ

ଭୁବନେଶ୍ୱର,୯।୧୨(ବ୍ୟୁରୋ): ଭୁବନେଶ୍ୱରସ୍ଥିତ ଲିଙ୍ଗରାଜ ମନ୍ଦିର ପରିସରର ଉନ୍ନତୀକରଣ ଲାଗି ରାଜ୍ୟ ସରକାର ଯୋଜନା କରିଛନ୍ତି। ଏ ନେଇ ସୋମବାର ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱରୁ ଉଚ୍ଛେଦ ପ୍ରକ୍ରିୟା...

ଜାନୁୟାରୀରୁ ୩୧ରୁ ଭୁବନେଶ୍ୱର-ବାରାଣସୀ ସିଧାସଳଖ ବିମାନ ସେବା

ଭୁବନେଶ୍ୱର,୨୮।୧(ବ୍ୟୁରୋ): ଭୁବନେଶ୍ୱରରୁ ବାରାଣସୀକୁ ସିଧାସଳଖ ବିିମାନ ସେବା ଆରମ୍ଭ ହେବ। ଆସନ୍ତା ଜାନୁୟାରୀ ୩୧ରୁ ଏହି ସେବା ଆରମ୍ଭ ହେବ ବୋଲି ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ...

ଡାକ୍ତର କହି ବିବାହ ମହଙ୍ଗା ପଡ଼ିଲା: ମହିଳା ଡାକ୍ତରଙ୍କ ଅଭିଯୋଗ ପରେ ସ୍ବାମୀ ଗିରଫ

ଭୁବନେଶ୍ୱର, ୧୫-୧(ବ୍ୟୁରୋ): ଯୁକ୍ତ୨ ଫେଲ୍‌, ହେଲେ କହିଥିଲେ ଡାକ୍ତରୀ ପାସ୍‌। ଏପରି ମିଛ କହି ଜଣେ ମହିଳା ଡାକ୍ତରଙ୍କୁ ମଧ୍ୟ ବିବାହ କରିବା ଏବେ ଜଣେ...

୨୩ରୁ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ଲାଟିନମ୍‌ ଜୁବିଲି: ଯୋଗଦେବେ ୧୦ ହଜାର ପୁରାତନ ଛାତ୍ରୀଛାତ୍ର

ଭୁବନେଶ୍ୱର,୨୨ା୧୧(ବ୍ୟୁରୋ): ଆସନ୍ତା ୨୩ରୁ ୨୭ତାରିଖ ପର୍ଯ୍ୟନ୍ତ ୫ଦିନ ଧରି ଉତ୍କଳ ବିଶ୍ୱବିଦ୍ୟାଳୟର ୭୫ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ଲାଟିନମ ଜୁବିଲି ପାଳନ କରାଯିବ। ଏ ନେଇ ବିଶ୍ୱବିଦ୍ୟାଳୟ...

Leave a comment

Your email address will not be published. Required fields are marked *