ଚୌକି ମୋତେ ଚାହେଁ

ଡ. ଛାୟାକାନ୍ତ ଷଡ଼ଙ୍ଗୀ
ଗତ ନିର୍ବାଚନ ଫଳ ଘୋଷିତ ହେବା ପରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଲେ, ”ମୁଁ ଚୌକି ଚାହୁଁ ନାହିଁ, ଚୌକି ମୋତେ ଚାହେଁ।“ ତାଙ୍କର ଏହି କଥା ପଦକ ମନେ ପକାଇ ଦେଉଥିଲା ପଞ୍ଜାବର ଏକ ଲୋକକଥା। ଦୁଇଜଣ ପଥିକ ଏକ ନିର୍ଜନ ନଈକୂଳରେ ଯାଉଥାନ୍ତି। ନଈରେ ଆସିଥାଏ ବନ୍ୟା। ନଈରେ ଭାସିଯାଉଥାଏ କଳାରଙ୍ଗର ଏକ ଦ୍ରବ୍ୟ। ଜଣେ ପଥିକକୁ ମନେହେଲା ତାହା ଏକ କମ୍ବଳ। ତା’ର ଇଚ୍ଛା ହେଲା କମ୍ବଳଟିକୁ ସଂଗ୍ରହ କରିବା ପାଇଁ ଓ ସେ ସଙ୍ଗେ ସଙ୍ଗେ ଡେଇଁ ପଡିଲା ନଈ ଭିତରକୁ। ତଥାକଥିତ ସେହି କମ୍ବଳଟିକୁ ସେ ଧରିଲା। ମାତ୍ର ସେ ଆଉ କମ୍ବଳଟିକୁ ଧରି ନଈକୂଳକୁ ଫେରିପାରିଲା ନାହିଁ। ଦ୍ୱିତୀୟ ପଥିକ ତାକୁ ନଈକୂଳରେ ଅପେକ୍ଷା କରିଥାଏ। ମାତ୍ର ସେ ଆଶ୍ଚର୍ଯ୍ୟ ହୋଇ ଦେଖିଲା ତା’ର ସହଯାତ୍ରୀ କମ୍ବଳଟିକୁ ଧରି ଫେରିବା ପରିବର୍ତ୍ତେ କମ୍ବଳ ସହ ନିଜେ ଭାସିଯାଉଛି। ଦ୍ୱିତୀୟ ପଥିକ ନଈକୂଳରେ ଠିଆ ହୋଇ କହିଲା, ମୂର୍ଖ! କମ୍ବଳ ଦରକାର ନାହିଁ। ତାକୁ ଛାଡିଦେଇ ନଈକୂଳକୁ ଚାଲିଆ। ପ୍ରଥମ ପଥିକ କହିଲା, ”ଆରେ ଭାଇ, ମୁଁ କମ୍ବଳକୁ ଛାଡିବାକୁ ଚେଷ୍ଟା କରୁଛି, ମାତ୍ର କମ୍ବଳଟି ମୋତେ ଛାଡୁନାହିଁ।“ କ୍ରମେ ପ୍ରବଳ ସ୍ରୋତରେ ସେ କମ୍ବଳ ସହ ଭାସିଯାଇ ଅଦୃଶ୍ୟ ହୋଇଗଲା। ପ୍ରକୃତରେ ତାହା କମ୍ବଳ ନ ଥିଲା, ଥିଲା କମ୍ବଳ ଭଳି ଦିଶୁଥିବା ଏକ ଭାଲୁ। ଠିକ୍‌ ସେହି ଢଙ୍ଗରେ ମମତା ବାନାର୍ଜୀ କହିଲେ, ମୁଁ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ପ୍ରସ୍ତୁତ, ମାତ୍ର ଏହି ପଦ ମୋତେ ଛାଡୁନାହିଁ। ସତରେ କ୍ଷମତାର କି ପ୍ରଚଣ୍ଡ ଆକର୍ଷଣ। ମଣିଷ ଥରେ କ୍ଷମତାର ସ୍ବାଦ ଚାଖିଲେ, ସେ ଆଉ କ୍ଷମତାକୁ ଛାଡିପାରେ ନାହିଁ। କେବଳ ଛଳନା କରି ସେ କହେ ”କ୍ଷମତା ମୋତେ ଛାଡୁନାହିଁ“।
ଜୀବଜଗତରେ ଆମେ ଦେଖୁ ଦୁଇପ୍ରକାର କ୍ଷମତାପ୍ରବଣତା- ଗୋଟିଏ ସହଜାତ ଓ ଅନ୍ୟଟି ଅହମିକାପ୍ରଣୋଦିତ। ପଶୁ ଜଗତରେ ଦେଖାଯାଏ ସହଜାତ କ୍ଷମତାପ୍ରବଣତା। ଗୋଟିଏ ସିଂହ ବା ବାଘ ଅନ୍ୟ ପ୍ରାଣୀମାନଙ୍କ ଉପରେ ପ୍ରାକୃତିକ ନିୟମର ବଶବର୍ତ୍ତୀ ହୋଇ କ୍ଷମତା ସାବ୍ୟସ୍ତ କରେ। ମାତ୍ର ମଣିଷ ଅହମିକା ପ୍ରଣୋଦିତ ହୋଇ କ୍ଷମତା ସାବ୍ୟସ୍ତ କରେ। ଆଜି ଯେଉଁ ରାଜନେତାମାନେ କହୁଛନ୍ତି, ଚୌକି ମୋତେ ଚାହେଁ, ମୁଁ ଚୌକି ଚାହୁଁ ନାହିଁ, ସେମାନେ ଅହଂ-କବଳିତ। ଜଣେ ସାଧାରଣ ମଣିଷ କ୍ଷମତା ଓ ପଦ ପାଇବା ପରେ କ୍ରମେ ଅହଂଗ୍ରସ୍ତ ହୋଇଯାଏ। ଏହି ପ୍ରସଙ୍ଗରେ ମନେପଡ଼େ ଏକ କାହାଣୀ। ଜଣେ ରାଜପୁତ୍ର ନିଜର ବିବାହ ପାଇଁ ଜଣେ ରାଜକୁମାରୀ ସନ୍ଧାନରେ ଥାନ୍ତି। ତାଙ୍କର ଧାରଣା ହେଲା ରାଜକୁମାରୀ ମାତ୍ରେ ଉଦ୍ଧତ ଓ ଅହଂକାରୀ। ଏଣୁ ସେ ମନେ ମନେ ଖୋଜିଲେ ଜଣେ ସୌମ୍ୟା ନମ୍ର ବଧୂ ଯିଏ କି ରାଜ ପରିବାରରେ ଜନ୍ମଗ୍ରହଣ କରି ନ ଥିବ। ରାଜକୁମାର ତାଙ୍କର ଜଣେ ଶିକ୍ଷକଙ୍କ ସୁନ୍ଦରୀ କନ୍ୟା ପ୍ରତି ଆକର୍ଷିତ ହେଲେ, କାରଣ ସେ ଥିଲା ଅତ୍ୟନ୍ତ ବିନୟୀ। ଦିନେ ରାଜକୁମାର ଶିକ୍ଷକଙ୍କ ନିକଟକୁ ଯାଇ କହିଲେ, ”ଗୁରୁଦେବ ! ଯଦି ଆପଣ ଆପଣଙ୍କ ବିନୟୀ କନ୍ୟାକୁ ମୋତେ ଅର୍ପଣ କରନ୍ତେ ମୁଁ ତାକୁ ବିବାହ କରି ନିଜକୁ ଭାଗ୍ୟବାନ୍‌ ମଣନ୍ତି।“ ଶିକ୍ଷକ ଆଶ୍ଚର୍ଯ୍ୟ ହେଲେ। କାରଣ କେତେ ଉଚ୍ଚବଂଶଜ ସୁନ୍ଦରୀ ରାଜକୁମାରୀଙ୍କୁ ପ୍ରତ୍ୟାଖ୍ୟାନ କରି ରାଜକୁମାର ଜଣେ ସାଧାରଣ ଶିକ୍ଷକଙ୍କ କନ୍ୟାକୁ ସ୍ତ୍ରୀରୂପେ ବାଛିଛନ୍ତି। ତେଣୁ ସେ କହିଲେ, ”ଦେଖ ପୁଅ! ତୁମେ ମୋ କନ୍ୟାକୁ ବିବାହ କଲେ ମୁଁ ଓ ମୋ କନ୍ୟା ଉଭୟେ ନିଜକୁ ଭାଗ୍ୟଶାଳୀ ମଣିବୁ। ମାତ୍ର ତୁମେ ପ୍ରକୃତରେ ଭାଗ୍ୟବାନ୍‌ ହୋଇପାରିବ କି ନାହିଁ ସେ କଥା ମୁଁ କହିପାରିବି ନାହିଁ।“ ମାତ୍ର ରାଜକୁମାର ତାଙ୍କ ସିଦ୍ଧାନ୍ତରେ ଅଟଳ ରହିଲେ ଓ ଶିକ୍ଷକଙ୍କ କନ୍ୟାକୁ ବିବାହ କଲେ।
ଅନେକ ବର୍ଷ ଅତିକ୍ରାନ୍ତ ହେଲା। ପିତାଙ୍କ ନିକଟରେ ଥିବାବେଳେ ଯେଉଁ କନ୍ୟା ଅତ୍ୟନ୍ତ ବିନୟୀ ଥିଲା ସେ ରାଜକୁମାରଙ୍କୁ ବିବାହ କରିବା ପରେ କ୍ରମେ ଉଦ୍ଧତ ଓ ଅହଂକାରୀ ହୋଇଗଲା। ରାଜକୁମାର ତା’ର ପରିବର୍ତ୍ତିତ ବ୍ୟବହାରରେ ବିସ୍ମିତ ହେଲେ ଓ ଶିକ୍ଷକଙ୍କୁ ଏହାର କାରଣ ପଚାରନ୍ତେ ଶିକ୍ଷକ କହିଲେ, ”ପୁଅ! ତୁମେ ତା’ର ପରିବର୍ତ୍ତିତ ବ୍ୟବହାରରେ ବିସ୍ମିତ ହୋଇଥାଇ ପାର, ମାତ୍ର ମୁଁ ବିସ୍ମିତ ନୁହେଁ। ତୁମେ ଅନେକ ସୁନ୍ଦରୀ ରାଜକୁମାରୀଙ୍କ ବିବାହ ପ୍ରସ୍ତାବକୁ ଅଗ୍ରାହ୍ୟ କରି ମୋ କନ୍ୟାକୁ ପସନ୍ଦ କଲ। ଫଳରେ ସେ ଭାବିନେଲା ଯେ ସେ ନିଶ୍ଚୟ ଅସାମାନ୍ୟା ହୋଇଥିବ, ନ ହେଲେ ତୁମେ ତାକୁ ବିବାହ କରି ନ ଥାନ୍ତ। ସେ ଏହି ଧାରଣା ଦ୍ୱାରା କବଳିତ ହୋଇ ବନିଗଲା ଅହଂକାରୀ। ନିର୍ବାଚନ ସମୟରେ ନେତାମାନେ ଯେତେବେଳେ ଘର ଘର ବୁଲି ଭୋଟ ଭିକ୍ଷା କରନ୍ତି, ସେତେବେଳେ ସେମାନେ ଅତ୍ୟନ୍ତ ବିନୟୀ ଜଣାପଡନ୍ତି। ସେମାନଙ୍କ ବିନୟ ଭାବରେ ପ୍ରଭାବିତ ହୋଇ ଜନସାଧାରଣ ସେମାନଙ୍କୁ ଭୋଟ ଦିଅନ୍ତି। ନିର୍ବାଚନ ସରେ, ସେମାନେ କ୍ଷମତାରେ ଅଧିଷ୍ଠିତ ହୁଅନ୍ତି। ଶିକ୍ଷକଙ୍କ କନ୍ୟା ଭଳି ସେମାନଙ୍କ ଭାବାନ୍ତର ଘଟେ। ଅନେକ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଅଗ୍ରାହ୍ୟ କରି ଭୋଟରମାନେ ଯେତେବେଳେ ତାଙ୍କୁ ମନୋନୀତ କରି ଶାସନ ଗାଦିରେ ବସାଇଛନ୍ତି ସେମାନେ ନିଶ୍ଚୟ ଅସାମାନ୍ୟ ବ୍ୟକ୍ତିତ୍ୱ ହୋଇଥିବେ ବୋଲି ସେମାନଙ୍କ ଧାରଣା ସୃଷ୍ଟି ହୁଏ। କ୍ରମେ ସେମାନଙ୍କ ପ୍ରାକ୍‌-ନିର୍ବାଚନ ସମୟର ବିନୟଭାବ ଉଭେଇଯାଏ ଓ ସେମାନେ ପାଲଟିଯାଆନ୍ତି କ୍ଷମତାଶାଳୀ ଅହଂକାରୀ ବ୍ୟକ୍ତି। ଆଜି ଅଧିକାଂଶ ରାଜନେତାଙ୍କ ଆଚରଣରେ ଏହାହିଁ ପ୍ରତିଫଳିତ ହେଉଛି।
ଲର୍ଡ ଏକ୍‌ଟନ ତାଙ୍କର Historical Essays and Studies ପୁସ୍ତକରେ କହିଛନ୍ତି କ୍ଷମତା ଦୁର୍ନୀତିପରାୟଣ କରାଏ, ସୀମାହୀନ କ୍ଷମତା ସୀମାହୀନ ମାତ୍ରାରେ ଦୁର୍ନୀତିପରାୟଣ କରାଏ (Power corrupts and absolute power corrupts absolutely)। ମାତ୍ର ଜର୍ଜ ବର୍ଣ୍ଣାଡ୍‌ ଶ ଏକ ଭିନ୍ନ କଥା କହିଛନ୍ତି। ତାଙ୍କ ମତରେ କ୍ଷମତା ବ୍ୟକ୍ତିକୁ ଦୁର୍ନୀତିପରାୟଣ କରେ ନାହିଁ, କିନ୍ତୁ ନିର୍ବୋଧମାନେ ଯଦି କ୍ଷମତାସୀନ ହୁଅନ୍ତି, ସେମାନେ ହିଁ କ୍ଷମତାକୁ ଦୁର୍ନୀତିମୟ କରିପକାନ୍ତି (Power does not corrupt man; but fools, if they get into position of power, corrupt power)। ବର୍ଣ୍ଣାଡ୍‌ଙ୍କ ମତରୁ ଆମେ ଆଶା କରିପାରିବା ଅଣନିର୍ବୋଧମାନେ କ୍ଷମତାସୀନ ହେଲେ କିଛି ବିପଦ ନାହିଁ। ମାତ୍ର ଆଜି ଅନେକ ଗୁଣୀ, ଜ୍ଞାନୀ ଓ ଶିକ୍ଷିତ ବ୍ୟକ୍ତି ଶାସନର ମଙ୍ଗ ଧରିଲେଣି। ମାତ୍ର ପରବର୍ତ୍ତୀ ସମୟରେ ସେମାନେ ବି ଦୁର୍ନୀତିରେ ବୁଡି ରହୁଛନ୍ତି। ଦୁର୍ନୀତି ପଛରେ ରହିଥାଏ ସେହି କ୍ଷମତାର ଆକର୍ଷଣ। ଏହି ପ୍ରସଙ୍ଗରେ ସାହିତି୍ୟକ ଜନ ଷ୍ଟେଇନ୍‌ବେକ୍‌ କହିଛନ୍ତି, କ୍ଷମତା ଦୁର୍ନୀତିପରାୟଣ କରେନାହିଁ, ଦୁର୍ନୀତିପରାୟଣ କରାଏ ଭୟ, ସମ୍ଭବତଃ କ୍ଷମତା ଚାଲିଯିବାର ଭୟ (Power does not corrupt, Fear corrupts, perhaps the fear of loss of power)। ଭୋଟ ପାଇ ଶାସନ ଗାଦିରେ ପାଞ୍ଚବର୍ଷ ସିନା ବସିହୁଏ, ତା’ପରେ ପୁଣି ଭୋଟ ମିଳିବ କି ନା ସେହି ଆଶଙ୍କା ରହିଥାଏ। କ୍ଷମତା ଚାଲିଯିବା ପରେ ତାଙ୍କ ଅବସ୍ଥା କ’ଣ ହେବ ସେହି ଭୟ ନେତାଙ୍କୁ ଗ୍ରାସ କରେ। ଫଳରେ ଆହୁରି ନିର୍ମମ ଭାବରେ ସେମାନେ କ୍ଷମତାକୁ ଜାବୁଡି ଧରିବା ପାଇଁ ତା’ର ଅପପ୍ରୟୋଗ କରନ୍ତି ଓ ଦୁର୍ନୀତି କରନ୍ତି। ତା’ ସତ୍ତ୍ୱେ ଛଳନା କରି ସେମାନେ କହନ୍ତି, ”ମୁଁ ଶାସନ ଗାଦି ଚାହୁଁନାହିଁ, ହେଲେ ମୋର ଦେଶପ୍ରେମ ମୋତେ ବାଧ୍ୟ କରୁଛି।“
ସେଦିନ ନିଜର ଅଜ୍ଞାନତାବଶତଃ ପଥିକ ଜଣକ ଭାଲୁକୁ କମ୍ବଳ ଭାବି ଧରିଥିଲା। ମାତ୍ର ଭାଲୁଟି ତାକୁ ଜାବୁଡି ଧରିଲା ଓ ଉଭୟେ ପ୍ରବଳ ସ୍ରୋତରେ ଭାସିଗଲେ। ଆଜି ମଣିଷ ସଚେତନ ଭାବରେ କ୍ଷମତାକୁ ଜାବୁଡି ଧରୁଛି। ତା’ର ଅପପ୍ରୟୋଗ କରୁଛି। ସେ ଭୁଲିଯିବା ଉଚିତ ନୁହେ ଯେ ଭାଲୁଟି ପଥିକକୁ ଭସାଇନେବା ଭଳି ସେ ଅପପ୍ରୟୋଗ କରିଥିବା କ୍ଷମତା ତାକୁ ମଧ୍ୟ ଭସାଇନେବ।
ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ, ଟିଟିଲାଗଡ, ମୋ-୯୪୩୭୩୨୯୨୬୩


All Right Reserved By

ହିନ୍ଦୀକୁ ବିରୋଧ

ଭାରତର ବିବିଧତା ଉପରେ ପୁନର୍ବାର ଆକ୍ରମଣ ହୋଇଗଲା। ବିବିଧତାରେ ଯେଉଁ ସୌନ୍ଦର୍ଯ୍ୟ ରହିଛି, ତା’ର ମୂଳ ସ୍ରୋତ ଭିନ୍ନ ଭାଷା, ଖାଦ୍ୟ ଓ ବେଶପୋଷାକର ରୁଚିରୁ...

ଓଡ଼ିଶାର ପାଲା ସଂସ୍କୃତି

ନୃସିଂହ ଚରଣ ମହାପାତ୍ର ଆମ ଉତ୍କଳ ପ୍ରଦେଶର ଯେତେପ୍ରକାର ସଂସ୍କୃତି ରହିଛି ତନ୍ମଧ୍ୟରୁ ପାଲା ଅନ୍ୟତମ। ମୋଗଲ ଶାସନ ଅମଳରୁ ସତ୍ୟନାରାୟଣ ପାଲା ବା ସତ୍ୟପୀର...

ଏଇ ଭାରତରେ

ବିହାରର ମୁଜଫରପୁର ଅଞ୍ଚଳରେ ଭାଇଚାରା ଓ ସାମ୍ପ୍ରଦାୟିକ ସଦ୍‌ଭାବନାର ପରିଚୟ ଦେଇଛନ୍ତି ସେଠାରେ ବାସ କରୁଥିବା ମୁସଲମାନ୍‌ମାନେ। ଶ୍ରାବଣ ମାସ ଶେଷ ସୋମବାରରେ ବକ୍ରିଦ୍‌ର ପ୍ରଥମ...

ଅନ୍ନଦାତାଙ୍କୁ ବୁଝିବା କେବେ

ମିତାଲି ମହାନ୍ତି ଘର ଘର ବୁଲି ପରିବା ବିକୁଥିବା ପରିବା ମଉସାଙ୍କ ପାଖରୁ ସେଦିନ ପରିବା କିଣୁଥିଲେ ଆମ ପଡ଼ୋଶୀ। ଶୀତଦିନ ହୋଇଥିବା ଯୋଗୁ ପରିବା...

ସମ୍ପାଦକୀୟ/ ଉଦ୍ଭଟ: ଜହ୍ନରେ ଜଳଖୋଜା

ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ୍‌ ଧାଓ୍ବନ ମହାକାଶ କେନ୍ଦ୍ରରୁ ଭାରତର ଦ୍ୱିତୀୟ ମୁନ୍‌ ମିଶନ ଚନ୍ଦ୍ରୟାନ-୨ର ଉତ୍‌କ୍ଷେପଣ ପାଇଁ ୧୪ ଜୁଲାଇ ରାତି ୨ଟା ୫୧କୁ ସମୟ...

ଜୀବ ସୁରକ୍ଷା ପୃଥିବୀ ରକ୍ଷା

ଡ. ଦେବାନନ୍ଦ ବେଉରା ୨୦୧୯ର ଧରିତ୍ରୀ ଦିବସ ପାଳନ ଅବସରରେ ଦିଆଯାଇଥିବା ସଚେତନଧର୍ମୀ ଡାକରାଟା ହେଉଛି ‘ସବୁ ଜୀବଙ୍କୁ ସୁରକ୍ଷା ଦିଅ।’ ଆଠ ନିୟୁତ ଜୀବ...

ବ୍ରିଟେନ ସ୍ବରାଷ୍ଟ୍ର ସଚିବ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ ୟୁରୋପୀୟ ସଂଘରୁ ବ୍ରିଟେନ୍‌ ଓହରିଯିବା ବା ବ୍ରେକ୍‌ଜିଟ ପ୍ରସଙ୍ଗ ଇଂଲିଶମାନଙ୍କ ପାଇଁ ଦୀର୍ଘଦିନ ହେବ ଅସ୍ପଷ୍ଟ ରହିଆସିଛି। ବ୍ରେକ୍‌ଜିଟ ସପକ୍ଷ ଓ...

ବାଘ ସୁରକ୍ଷା: ଦାୟ କାହାର

ସବ୍ୟସାଚୀ ଅମିତାଭ ଏଇ ଦିନ କେଇଟା ତଳେ ଉତ୍ତରପ୍ରଦେଶର ପିଲ୍‌ଭିଟ୍‌ ବ୍ୟାଘ୍ର ଅଭୟାରଣ୍ୟର ଗୋଟିଏ ମହାବଳ ବାଘକୁ ଲୋକେ ପିଟିପିଟି ମାରିଦେଇଛନ୍ତି। ଖାଦ୍ୟ ଅନ୍ବେଷଣରେ ବାଘଟି...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *