ଭାରତ ଓ ଆଣବିକ ଶକ୍ତି

ଇଂ. ମାୟାଧର ସ୍ବାଇଁ
ଭାରତ ୧୯୯୮ ମସିହା ମେ ୧୧ ତାରିଖରେ ତିନୋଟି ଓ ୧୩ ତାରିଖରେ ଦୁଇଟି ଆଣବିକ ପରୀକ୍ଷା କରି ନିଜକୁ ଆଣବିକ ରାଷ୍ଟ୍ର ଭାବେ ଘୋଷଣା କରି ଇତିହାସ ସୃଷ୍ଟି କରିଥିଲା। ଏହି କୃତିତ୍ୱ ପରେ ପ୍ରତିବର୍ଷ ମେ ୧୧ ତାରିଖକୁ ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଭାବେ ପାଳନ କରାଯାଉଛି। ବାସ୍ତବରେ ଏହା ଭାରତର ପ୍ରଥମ ଆଣବିକ ପରୀକ୍ଷା ନ ଥିଲା। ଏହା ପୂର୍ବରୁ ୧୯୭୪ ମସିହାରେ ଏକ ପରୀକ୍ଷା କରାଯାଇଥିଲା। କିନ୍ତୁ ଦୁଇଟିର ଉଦ୍ଦେଶ୍ୟ ଓ ପ୍ରଭାବ ଅଲଗା ଥିଲା।
୧୯୪୪ ମସିହାରେ ବମ୍ବେଠାରେ ହୋମି ଜାହାଙ୍ଗୀର ଭାବାଙ୍କ ପ୍ରଚେଷ୍ଟାରେ ଟାଟା ମୌଳିକ ଗବେଷଣା ପ୍ରତିଷ୍ଠାନ ସ୍ଥାପିତ ହେବା ପରେ ଭାରତରେ ଆଣବିକ ଗବେଷଣା ଆରମ୍ଭ କରାଯାଇଥିଲା। ଆଣବିକ ଶକ୍ତିର ଶାନ୍ତିପୂର୍ଣ୍ଣ ବିକାଶ ପାଇଁ ୧୯୪୮ ମସିହାରେ ପରମାଣୁ ଶକ୍ତି ଆଇନ ଗୃହୀତ ହୋଇଥିଲା। ଅନ୍ତର୍ଜାତୀୟ ସ୍ତରରେ ଆଣବିକ ଶକ୍ତି ଉପରେ ଗବେଷଣା ଚାଲିଥିଲା ବେଳେ ଭାରତ ଏଥିରେ ପଛରେ ରହି ନ ଥିଲା। ଭାରତ ୧୯୬୮ ମସିହାରେ ଆଣବିକ ଅପ୍ରସାରଣ ଚୁକ୍ତି (ଏନ୍‌ପିଟି)ରେ ଦସ୍ତଖତ କରିବାକୁ ମନା କରିଦେଲା। ଏହି ଚୁକ୍ତି ଅନୁଯାୟୀ ଆଣବିକ ଶକ୍ତିସମ୍ପନ୍ନ ରାଷ୍ଟ୍ରଗୁଡିକ ବ୍ୟତୀତ ଅନ୍ୟ କୌଣସି ରାଷ୍ଟ୍ର ଆଣବିକ ପରୀକ୍ଷା କରିପାରିବ ନାହିଁ। ଏହି ବିଭେଦପୂର୍ଣ୍ଣ ଚୁକ୍ତିରେ ଭାରତ ଆଜି ପର୍ଯ୍ୟନ୍ତ ମଧ୍ୟ ସ୍ବାକ୍ଷର କରିନାହିଁ।
୧୯୭୪ ମସିହା ମେ ୧୮ତାରିଖରେ ଭାବା ପରମାଣୁ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ରାଜା ରମଣ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଟେଲିଫୋନରେ ଜଣାଇଲେ ଯେ, ‘ଶେଷରେ ବୁଦ୍ଧ ହସିଛନ୍ତି’। ଏହି ଗୁପ୍ତ ସଙ୍କେତର ଅର୍ଥ ଥିଲା, ଭାରତର ପ୍ରଥମ ପରମାଣୁ ପରୀକ୍ଷା ସଫଳ ହୋଇଛି। ସଂଯୋଗବଶତଃ ଏହା ଥିଲା ବୁଦ୍ଧପୂର୍ଣ୍ଣିମା ତିଥି, ରାଜସ୍ଥାନର ଥର୍‌ ମରୁଭୂମିର ପୋଖରାନଠାରେ ଏହି ପରୀକ୍ଷା କରାଯାଇଥିଲା। ପୃଥିବୀର ବଡ ବଡ ଦେଶ ଏଥିରେ ସ୍ତବ୍ଧ ହୋଇ ଯାଇଥିଲେ। କେହି କଳ୍ପନା କରି ନ ଥିଲେ ଯେ ଭାରତ ଏତେ ଶୀଘ୍ର ସଫଳ ପରମାଣୁ ପରୀକ୍ଷା କରିପାରିବ। ଜାତିସଂଘ ନିରାପତ୍ତା ପରିଷଦର ସ୍ଥାୟୀ ସଦସ୍ୟ ନ ଥିବା କୌଣସି ଦେଶ ଏହି ପରୀକ୍ଷା କରିବା ପ୍ରଥମ ଥିଲା। ଯଦିଓ ଭାରତ ଏହାକୁ ‘ଶାନ୍ତିପୂର୍ଣ୍ଣ ଆଣବିକ ବିସ୍ଫୋରଣ’ ନାମ ଦେଇଥିଲା, ଯୁକ୍ତରାଷ୍ଟ୍ର ଆମେରିକା ସମେତ ଅନେକ ରାଷ୍ଟ୍ର ଭାରତ ଉପରେ ଅର୍ଥନୈତିକ ଓ ବୈଜ୍ଞାନିକ ପ୍ରତିବନ୍ଧକ ଲଗାଇଲେ। ଭାରତ ସେତେବେଳେ ଆମେରିକା ଓ ଜାପାନ ଭଳି ଧନୀ ରାଷ୍ଟ୍ରଠାରୁ ଖାଦ୍ୟ ସହାୟତା ଓ ଅନ୍ୟ ଅର୍ଥନୈତିକ ସାହାଯ୍ୟ ପାଉଥିଲା। ଅର୍ଥନୈତିକ ପ୍ରତିବନ୍ଧକର ସମ୍ଭାବନା ଥିବା ଜାଣି ମଧ୍ୟ ଭାରତ ନିଜର ସ୍ବାଭିମାନ ପାଇଁ ଏହି ପରୀକ୍ଷା କରିଥିଲା।
ପ୍ରଥମ ଆଣବିକ ପରୀକ୍ଷା ପରେ ବିଭିନ୍ନ ଦେଶର ଅର୍ଥନୈତିକ ପ୍ରତିବନ୍ଧକ ଓ ଅନ୍ୟାନ୍ୟ ଚାପ ପରେ ଭାରତ ପୁନର୍ବାର ଆଣବିକ ପରୀକ୍ଷା କରିବା ପାଇଁ ସାହସ କରି ନ ଥିଲା। ପି.ଭି. ନରସିଂହ ରାଓ ପ୍ରଧାନମନ୍ତ୍ରୀ ଥିବା ସମୟରେ ୧୯୯୫ ମସିହାରେ ଭାରତ ଅନ୍ୟ ଏକ ଆଣବିକ ପରୀକ୍ଷା କରିବା ପାଇଁ ପ୍ରସ୍ତୁତି ଚଳାଇଥିଲା। କିନ୍ତୁ ଯୁକ୍ତରାଷ୍ଟ୍ର ଆମେରିକାର ଗୋଇନ୍ଦା ସଂସ୍ଥା ଏହା ଜାଣିପାରିବା ପରେ ଚାପ ପକାଇ ଏହାକୁ ବନ୍ଦ କରି ଦିଆଗଲା।
୧୯୯୮ ମସିହାରେ ଅଟଳ ବିହାରୀ ବାଜପେୟୀଙ୍କ ସରକାର ସମୟରେ ରାଜସ୍ଥାନର ସେହି ପୋଖରାନଠାରେ ଓ ପୁନଶ୍ଚ ବୁଦ୍ଧ ପୂର୍ଣ୍ଣିମା ତିଥିରେ ମେ ୧୧ ତାରିଖରେ ତିନୋଟି ଆଣବିକ ପରୀକ୍ଷା କରାଯାଇଥିଲା। ସେଥିମଧ୍ୟରୁ ଦୁଇଟି ‘ଆଣବିକ ବିଭାଜନ ବୋମା’ ଓ ଗୋଟିଏ ‘ଆଣବିକ ସଂଯୋଜନ ବୋମା’ ଥିଲା। ଏହାର ଦୁଇଦିନ ପରେ ଦୁଇଟି ଆଣବିକ ବିଭାଜନ ବୋମାର ପରୀକ୍ଷା କରାଗଲା। ଏହି ପ୍ରକଳ୍ପର ନାମ ‘ଅପରେଶନ ଶକ୍ତି’ ରଖାଯାଇଥିଲା। ପରୀକ୍ଷା ପୂର୍ବରୁ ଏହାକୁ ଅତି ଗୋପନ ରଖାଯାଇଥିଲା, ଫଳରେ ବାହାର ଦେଶର ଗୋଇନ୍ଦା ସଂସ୍ଥା ଏହାର ଆଭାସ ସୁଦ୍ଧା ପାଇପାରି ନ ଥିଲେ। ଏପରି କି ବାଜପେୟୀଙ୍କ ମନ୍ତ୍ରିମଣ୍ଡଳର ପ୍ରତିରକ୍ଷା ମନ୍ତ୍ରୀ ଜର୍ଜ ଫର୍ନାଣ୍ଡିଜ୍‌ ଏହାକୁ ପ୍ରଥମ ବିସ୍ଫୋରଣ ପରେ ଜାଣିଥିଲେ। ଏହାର ନେତୃତ୍ୱ ନେଇଥିଲେ ଭାରତ ସରକାରଙ୍କ ମୁଖ୍ୟ ବିଜ୍ଞାନ ପରାମର୍ଶଦାତା ତଥା ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥାର ଡାଇରେକ୍ଟର ଜେନେରାଲ ଏ.ପି.ଜେ. ଅବଦୁଲ୍‌ କଲାମ୍‌ (ପରେ ୨୦୦୨ରୁ ୨୦୦୭ ମସିହା ପର୍ଯ୍ୟନ୍ତ ଭାରତର ରାଷ୍ଟ୍ରପତି) ଏବଂ ଭାବା ପରମାଣୁ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ରାଜଗୋପାଳ ଚିଦାମ୍ବରମ୍‌। ଏହାକୁ ପୋଖରାନ୍‌-୨ ପରୀକ୍ଷା ଏବଂ ୧୯୭୪ ମସିହାର ପରୀକ୍ଷାକୁ ପୋଖରାନ୍‌-୧ ପରୀକ୍ଷା କୁହାଗଲା।
୧୯୭୪ ମସିହାରେ ଭାରତ ପୋଖରାନ୍‌-୧ ପରୀକ୍ଷାକୁ ଶାନ୍ତିପୂର୍ଣ୍ଣ ପରୀକ୍ଷା କହିଥିବା ବେଳେ ୧୯୯୮ ମସିହାରେ ଭାରତ ନିଜକୁ ଆଣବିକ ଶକ୍ତିସମ୍ପନ୍ନ ରାଷ୍ଟ୍ର ଭାବେ ଘୋଷଣା କରିଥିଲା। ଅନ୍ୟ ଅର୍ଥରେ ଭାରତ ପାଖରେ ଆଣବିକ ଅସ୍ତ୍ର ରହିଥିବା ଏହା ଦମ୍ଭର ସହିତ ଜଣାଇଲା। ଭାରତ ଏପରି ଘୋଷଣା କରିବାର କାରଣ ଥିଲା ଯେ ଏହା ୧୯୭୪ ମସିହା ଭଳି ଦୁର୍ବଳ ନ ଥିଲା ଏବଂ ଉଭୟ ବିଜ୍ଞାନ ଓ ଅର୍ଥନୈତିକ ଦୃଷ୍ଟିରୁ ଏହା ଅନେକ ପ୍ରଗତି କରିଥିଲା। ଯୁକ୍ତରାଷ୍ଟ୍ର ଆମେରିକା ସମେତ ଅନେକ ଦେଶ ଭାରତ ଉପରେ ବିଭିନ୍ନ ପ୍ରକାର ପ୍ରତିବନ୍ଧକ ଲଗାଇଥିଲେ ସୁଦ୍ଧା ଏହା ଅଧିକ ଦିନ ପର୍ଯ୍ୟନ୍ତ ବଳବତ୍ତର ହୋଇ ରହିପାରିଲା ନାହିଁ। ଭାରତର ଦ୍ରୁତ ଆର୍ଥିକ ବିକାଶ ଏବଂ ଏସିଆ ମହାଦେଶରେ ଏହାର ଶକ୍ତି ଓ ଗୁରୁତ୍ୱକୁ ଦେଖି ତତ୍କାଳୀନ ଆମେରିକା ରାଷ୍ଟ୍ରପତି ବିଲ୍‌ କ୍ଲିଣ୍ଟନ ଭାରତ ସହିତ କଥାବାର୍ତ୍ତା କରିବା ପାଇଁ ବାଧ୍ୟ ହୋଇଥିଲେ ଏବଂ ୨୦୦୧ ମସିହାରେ ସମସ୍ତ ପ୍ରତିବନ୍ଧକ ହଟାଇ ଦେଇଥିଲେ।
ବାସ୍ତବରେ ଆମ ପଡୋଶୀ ରାଷ୍ଟ୍ର ଚାଇନା ଗୋଟିଏ ଆଣବିକ ରାଷ୍ଟ୍ର ଥିବାବେଳେ ଅନ୍ୟ ଏକ ପଡୋଶୀ ରାଷ୍ଟ୍ର ପାକିସ୍ତାନ ମଧ୍ୟ ଗୁପ୍ତରେ ଆଣବିକ ଅସ୍ତ୍ର ନିର୍ମାଣ ପାଇଁ କାର୍ଯ୍ୟ କରୁଥିବାର ଖବର ପାଇ ଆମର ଏହି ଦୁଇ ଚିରାଚରିତ ଶତ୍ରୁ ରାଷ୍ଟ୍ର ବିପକ୍ଷରେ ନିଜକୁ ସଜାଗ ରଖିବା ପାଇଁ ଭାରତ ଏହି ପରୀକ୍ଷା କରିଥିଲା। କେତେକ ଦେଶର ବିରୋଧ ସତ୍ତ୍ୱେ ଭାରତ ଓ ଆମେରିକା ମଧ୍ୟରେ ୨୦୦୮ ମସିହାରେ ‘ବେସାମରିକ ଆଣବିକ ସହଯୋଗ ଚୁକ୍ତି’ ସ୍ବାକ୍ଷରିତ ହୋଇଛି। ଭାରତ ମଧ୍ୟ ନିଜଆଡୁ ପ୍ରଥମେ ଆଣବିକ ଅସ୍ତ୍ର ପ୍ରୟୋଗ କରିବ ନାହିଁ ବୋଲି ଘୋଷଣା କରିଛି। ଆଣବିକ ଅପ୍ରସାର ଚୁକ୍ତିରେ ସ୍ବାକ୍ଷର କରି ନ ଥିଲେ ସୁଦ୍ଧା ଭାରତକୁ ଆଜି ଗୋଟିଏ ଆଣବିକ ଶକ୍ତିସମ୍ପନ୍ନ ରାଷ୍ଟ୍ର ଭାବେ ମାନ୍ୟତା ଦିଆଯାଉଛି। ଭାରତ ମଧ୍ୟ ‘କ୍ଷେପଣାସ୍ତ୍ର ପ୍ରଯୁକ୍ତିବିଦ୍ୟା ନିୟନ୍ତ୍ରଣ ପ୍ରାଧିକରଣ’ ଏବଂ ପାରମ୍ପରିକ ଅସ୍ତ୍ର ଓ ଦ୍ୱୈତ-ବ୍ୟବହୃତ ସାମଗ୍ରୀ ଓ ପ୍ରଯୁକ୍ତିବିଦ୍ୟା ପାଇଁ ରପ୍ତାନି ନିୟନ୍ତ୍ରଣ ନିମିତ୍ତ ଗଠିତ ‘ଓ୍ବାସେନାର୍‌ ବ୍ୟବସ୍ଥା’ ଭଳି କେତେକ ଅନୌପଚାରିକ ଗ୍ରୁପ୍‌ର ସଦସ୍ୟ ହୋଇଛି।
ଭାରତ ପରେ ପରେ ପାକିସ୍ତାନ ମଧ୍ୟ ୧୯୯୮ ମସିହାରେ ଆଣବିକ ପରୀକ୍ଷା କରିଛି ଏବଂ ଆଣବିକ ବୋମା ମହଜୁଦ କରି ରଖିଛି। ଉତ୍ତମ ସମ୍ପର୍କ ନ ଥିବା ଦୁଇ ପଡୋଶୀ ରାଷ୍ଟ୍ର ହାତରେ ଅଛି ବ୍ରହ୍ମାସ୍ତ୍ର। ପାକିସ୍ତାନ ଏହାକୁ ନେଇ ଅନେକଥର ଭାରତକୁ ମଧ୍ୟ ଧମକ ଦେଇଛି। ଆମ ପ୍ରଧାନମନ୍ତ୍ରୀ ନିର୍ବାଚନୀ ସଭାରେ ପ୍ରକାଶ କରିଛନ୍ତି ଯେ ଭାରତ ଦୀପାବଳି ପାଇଁ ଏହି ବାଣ ରଖିନାହିଁ। ଏହାର ଜବାବରେ ପାକିସ୍ତାନ କିଛି କହିବା ପୂର୍ବରୁ ଜମ୍ମୁ ଓ କଶ୍ମୀରର ଜଣେ ନେତା କହିଲେଣି ଯେ ପାକିସ୍ତାନ ମଧ୍ୟ ଇଦ୍‌ ପାଇଁ ଏହା ରଖିନାହିଁ। ପୁରାଣ ଯୁଗରେ ବିବେକବାନ୍‌ ବ୍ୟକ୍ତିଙ୍କ ହାତରେ ବ୍ରହ୍ମାସ୍ତ୍ର ଥିଲା। ଯଦି କୌଣସି ଅବିବେକୀ ବ୍ୟକ୍ତି ହାତରେ ଆଧୁନିକ ଯୁଗର ବ୍ରହ୍ମାସ୍ତ୍ର ରହେ, ତା’ହେଲେ ପୃଥିବୀର ଅବସ୍ଥା କ’ଣ ହେବ? ପୃଥିବୀର ସମସ୍ତ ଦେଶରୁ ଆଣବିକ ବୋମାକୁ ନଷ୍ଟ କରି ଆଣବିକ ଶକ୍ତିକୁ କେବଳ ଶକ୍ତି ଉଦ୍ଦେଶ୍ୟରେ ବ୍ୟବହାର କରିବା ଉଚିତ।
(ରାଷ୍ଟ୍ରୀୟ ପ୍ରଯୁକ୍ତି ଦିବସ ଉପଲକ୍ଷେ)
୭୦, ଲକ୍ଷ୍ମୀବିହାର, ଫେଜ୍‌-୧, ଭୁବନେଶ୍ୱର, ମୋ-୯୪୩୮୬୯୩୭୨୪


All Right Reserved By Dharitri.Com

ଭାଇ ଦୁଃଖରେ ଭାଇ

ତୁଳସୀଦାସ ମିଶ୍ର ଠିକଣା ସମୟରେ ସ୍ବିଡେନର ଟେଲିକମ୍‌ ଉପକରଣ ନିର୍ମାତା ଏରିକ୍‌ସନଙ୍କୁ ୪୬୨ କୋଟି ବାକିଆ ଟଙ୍କା ପରିଶୋଧ କରି ଅଗ୍ରଜ ମୁକେଶ ଅମ୍ବାନୀ ଋଣଗ୍ରସ୍ତ...

ଇଲେକ୍ଟୋରାଲ ବଣ୍ଡ୍‌ : ବେନାମୀ ପ୍ରହସନ

ନୀତୀନ ସେଠୀ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ) ଇଲେକ୍ଟୋରାଲ ବଣ୍ଡ୍‌ କିଣୁଥିବା ଦାତା ତଥା ତା’ର ଗ୍ରହୀତା ରାଜନୈତିକ ଦଳଗୁଡ଼ିକର ଏକ ଗୁପ୍ତ ସଂଖ୍ୟାଭିତ୍ତିକ ରେକର୍ଡ...

ଏଇ ଭାରତରେ

ଟ୍ରାଫିକ୍‌ ନିୟମ କଡାକଡି କରାଯାଇ ନିୟମ ଖିଲାପକାରୀଙ୍କ ବିରୋଧରେ ମୋଟା ଅଙ୍କର ଜରିମାନା ଆଦାୟ କରାଯାଉଥିବାବେଳେ ଜଣେ ମୃତକଙ୍କ ନାମରେ ଟ୍ରାଫିକ୍‌ ନିୟମ ଭଙ୍ଗ ଅଭିଯୋଗ...

ଭିନ୍ନ ପ୍ରକାର ସନ୍ତ୍ରାସବାଦ

ବିପିନ ବିହାରୀ ମିଶ୍ର ଓଡ଼ିଶା, ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ର ଓ ମହାରାଷ୍ଟ୍ରରେ ବର୍ତ୍ତମାନ ପରିସ୍ଥିତିରେ ସନ୍ତ୍ରାସବାଦ ଶବ୍ଦ ଶୁଣିବା ମାତ୍ରେ ସର୍ବସାଧାରଣଙ୍କ ମନକୁ ଆସିଯାଏ ମାଓବାଦୀଙ୍କ...

ଏଇ ଭାରତରେ

ଛୋଟ ପିଲାଙ୍କ ମନ ଓ ହୃଦୟ ଅଲେଖା ସ୍ଲେଟ୍‌ ପରି ନିର୍ମଳ। ସେମାନଙ୍କ ମଧ୍ୟରେ କୌଣସି ଧର୍ମ, ଜାତି, ସମ୍ପ୍ରଦାୟ ଜ୍ଞାନ ନ ଥାଏ। ଛତିଶଗଡ଼...

ମିତ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ମୋଦି ସରକାର ତାଙ୍କ ଦ୍ୱିତୀୟ ପାଳି ପ୍ରାରମ୍ଭରେ କ୍ୟାବିନେଟ୍‌ ସଚିବ ପି.କେ. ସିହ୍ନାଙ୍କ ପରି ପ୍ରତିରକ୍ଷା ସଚିବ ସଞ୍ଜୟ ମିତ୍ରଙ୍କ...

ଏଇ ଭାରତରେ

ଗତ ୪ଶହ ବର୍ଷ ଧରି ମଧ୍ୟପ୍ରଦେଶର ରାଜଗଡ଼ ଜିଲା ସଙ୍କ୍‌ ଶ୍ୟାମ୍‌ ଜୀ ଗାଁରେ କୌଣସି ଶିଶୁଙ୍କ ଜନ୍ମ ହୋଇନି। ଭୋପାଳଠାରୁ ଏହି ଗାଁର ଦୂରତା...

ଶ୍ରାଦ୍ଧ: ଜୀବନ ପାଇଁ ଯଜ୍ଞ

ଅନ୍ତର୍ଯ୍ୟାମୀ ପଟ୍ଟନାୟକ ଶ୍ରାଦ୍ଧ ଶବ୍ଦଟି ଶ୍ରଦ୍ଧାରୁ ଆସିଛି। ଅର୍ଥ ଶ୍ରେୟକୁ ଧାରଣ କରିବା (ଶ୍ରୀ+ଅତ୍‌ = ଶ୍ରତ୍‌, ଶ୍ରତ୍‌+ଧା = ଶ୍ରଦ୍ଧା, ଶ୍ରଦ୍ଧା+ଅ = ଶ୍ରାଦ୍ଧ)।...

Leave a comment

Your email address will not be published. Required fields are marked *