ଦେଶର ଆର୍ଥିକ ସ୍ଥିତି ଭଲ ନାହିଁ

ଡ. ସନ୍ତୋଷ କୁମାର ମହାପାତ୍ର
ନିକଟରେ ଏକ ଜାତୀୟ ଇଂଲିଶ ଖବରକାଗଜକୁ ସାକ୍ଷାତ୍‌କାର ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ୨୦୧୪ ନିର୍ବାଚନ ଏକ ପରିବର୍ତ୍ତନର ଆଶା ବହନ କଲାବେଳେ ୨୦୧୯ ନିର୍ବାଚନ ହେଉଛି ଆତ୍ମବିଶ୍ୱାସର ପ୍ରତିଫଳନ ଏବଂ ଆଗାମୀ ଦିନରେ ଅନେକ ଭଲ ଘଟଣା ଘଟିବ ବୋଲି ବାର୍ତ୍ତାବହନ କରୁଛି। ସେହିପରି ଭାଜପାର ନେତୃତ୍ୱ ତୁହାକୁତୁହା ଓଡ଼ିଶାକୁ ଆସି କହୁଛନ୍ତି ଯେ, ଯଦି ଓଡ଼ିଶାରେ ଡବଲ ଇଞ୍ଜିନ ଶାସନ କରେ, ଅର୍ଥାତ୍‌ କେନ୍ଦ୍ରରେ ଓ ଓଡ଼ିଶାରେ ଭାଜପା ଶାସନ କରେ ତେବେ ଓଡ଼ିଶାର ବିକାଶ ହେବ। ଅତ୍ୟନ୍ତ କ୍ରୂର ସତ୍ୟ ହେଉଛି ଅନେକ ଭାଜପାଶାସିତ ରାଜ୍ୟ ମଧ୍ୟ ଓଡ଼ିଶାଠାରୁ କେତେକ କ୍ଷେତ୍ରରେ ପଛୁଆ ଅଛନ୍ତି ଏବଂ ଦେଶର ଆର୍ଥିକସ୍ଥିତି ବର୍ତ୍ତମାନ ଭଲ ନାହିଁ। ଏକ ନୈରାଶ୍ୟ, ଘୃଣାର ବାତାବରଣ ସୃଷ୍ଟି ହୋଇଛି। କଳେବଳେ କ୍ଷମତା ହାସଲ କରିବା ରାଜନୀତିର ମୁଖ୍ୟ ଲକ୍ଷ୍ୟ ହୋଇଛି। ବିଭିନ୍ନ ପ୍ରକାର ତଥ୍ୟକୁ ବିକୃତ କରି ସରକାରଙ୍କ ବିଫଳତା ଲୁଚାଯାଉଛି ବା କମ୍‌ ସଫଳତାକୁ ଅଧିକ କରି ପ୍ରଦର୍ଶନ କରାଯାଉଛି ବା ପୂର୍ବ ଉପା ସରକାରଙ୍କ ସଫଳତାକୁ ନୂ୍ୟନ କରି ପ୍ରଦର୍ଶନ କରାଯାଉଛି। ଏ କଥା ପ୍ରମାଣିତ ହୋଇଛି ଯେତେବେଳେ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ରଘୁରାମ ରାଜନ ଏବଂ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠିର ମୁଖ୍ୟ ଅର୍ଥନୀତିଜ୍ଞ ଗୀତା ଗୋପୀନାଥ ଭାରତର ଜିଡିପି ଆକଳନର ସତ୍ୟତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି।
ନରେନ୍ଦ୍ର ମୋଦି ୨୦୧୪ରେ ଅନେକ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିଲେ। ସେଥିରେ ଥିଲା ବର୍ଷକୁ ୨ କୋଟି ନିଯୁକ୍ତି ସୃଷ୍ଟି କରିବା। କିନ୍ତୁ ତଥାକଥିତ ଅଭିବୃଦ୍ଧି ନିଯୁକ୍ତି ସୃଷ୍ଟି କଲାନାହିଁ ବରଂ ପୂର୍ବର ନିଯୁକ୍ତିହୀନ ଅଭିବୃଦ୍ଧି ବର୍ତ୍ତମାନ ନିଯୁକ୍ତିହାନି ଅଭିବୃଦ୍ଧିର ରୂପ ନେଇଛି। ଏନ୍‌ଏସ୍‌ଏସ୍‌ଓ ତରଫରୁ ଜୁଲାଇ ୨୦୧୭ରୁ ଜୁନ୍‌ ୨୦୧୮ ମଧ୍ୟରେ କରାଯାଇଥିବା ସର୍ବେକ୍ଷଣ ଅନୁଯାୟୀ ବେକାରି ହାର ୬.୧% ହୋଇଛି, ଯାହା ଗତ ୪୫ ବର୍ଷରେ ସର୍ବାଧିକ। ୧୯୭୨-୭୩ରେ ବିଶ୍ୱ ତୈଳ ସଙ୍କଟ ଏବଂ ପାକିସ୍ତାନ ସହିତ ଯୁଦ୍ଧ ବେଳେ ଏହି ବେକାରି ହାର ୫.୧୮% ଥିଲା। କେବଳ ୨୦୧୭-୧୮ରେ ୬.୫ କୋଟି ଯୁବତୀଯୁବକ ବେକାର ହୋଇଛନ୍ତି। ଏହି ନିଯୁକ୍ତିହୀନ ପ୍ରସଙ୍ଗ ମଧ୍ୟ ସେଣ୍ଟର ଫର୍‌ ମନିଟରି ଇଣ୍ଡିଆନ ଇକୋନୋମି (ସିଏମ୍‌ଆଇଇ)ର ତଥ୍ୟ ଦ୍ୱାରା ପ୍ରତିପାଦନ ହୋଇଛି। ଏହି ସଂସ୍ଥାର ତଥ୍ୟ ଅନୁସାରେ ଫେବୃୟାରୀ ୨୦୧୯ରେ ବେକାରି ହାର ୭.୨%, ଯାହା ୨୦୧୬ ସେପ୍ଟେମ୍ବର ପରଠାରୁ ଅଧିକ। ଫେବୃୟାରୀ ୨୦୧୮ରେ ଏହି ହାର ୫.୯% ଥିଲା। ଫେବୃୟାରୀ ୨୦୧୮ରେ ନିଯୁକ୍ତିପ୍ରାପ୍ତ ବ୍ୟକ୍ତିଙ୍କ ସଂଖ୍ୟା ୪୦.୬ କୋଟି ଥିଲାବେଳେ ଫେବୃୟାରୀ ୨୦୧୯ରେ ୪୦ କୋଟିକୁ ହ୍ରାସ ପାଇଛି। ବିମୁଦ୍ରୀକରଣ ତଥା ତରବରିଆ ଜିଏସ୍‌ଟି ପ୍ରଚଳନ ଅର୍ଥନୀତିକୁ ବିପର୍ଯ୍ୟୟକୁ ଠେଲି ଦେବା ସହିତ ନିଯୁକ୍ତି ହ୍ରାସ କରିଛି। ଅଜିମ୍‌ ପ୍ରେମ୍‌ଜୀ ବିଶ୍ୱବିଦ୍ୟାଳୟ ତରଫରୁ କରାଯାଇଥିବା ଗବେଷଣା ଅନୁସାରେ ବିମୁଦ୍ରୀକରଣ ପରଠାରୁ ୫୦ ଲକ୍ଷ ଲୋକ ନିଯୁକ୍ତି ହରାଇଛନ୍ତି। ବର୍ତ୍ତମାନ ଶିକ୍ଷିତ ବେକାରି ସବୁଠାରୁ ବ୍ୟାପକ। କିନ୍ତୁ ଦୁଃଖର ବିଷୟ ଜଣେ ଯୁବକ ରାଲିରେ ଯାଇ ୫୦୦ ଟଙ୍କା ପାଇ ଖୁସି ହେଉଛି। ସରକାରଙ୍କ ନୀତି ଯୋଗୁ ବେକାରି ବୃଦ୍ଧି ପାଉଛି ବୋଲି ସେ ଭାବୁନାହିଁ। ୧୯୯୩-୯୪ ପରେ ପ୍ରଥମଥର ପାଇଁ ଭାରତର ଶ୍ରମଶକ୍ତି ହ୍ରାସ ପାଇଛି। ପୁରୁଷ ଶ୍ରମଶକ୍ତି ଯାହା ୧୯୯୩-୯୪ରେ ୨୧.୯ କୋଟି ଥିଲା ତାହା ୨୦୧୧-୧୨ରେ ୩୦.୪ କୋଟିକୁ ବୃଦ୍ଧି ପାଇଥିଲା। କିନ୍ତୁ କ୍ରମଶଃ ହ୍ରାସ ପାଇ ୨୦୧୭-୧୮ରେ ତାହା ୨୮.୬ କୋଟିରେ ପହଞ୍ଚିଛି।
କୃଷକମାନଙ୍କ ଆୟ ଦୁଇଗୁଣ କରିବେ ବୋଲି ମୋଦି ସରକାର ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ତାହା ସମ୍ଭବ ହେଲାନାହିଁ, ବରଂ କୃଷି ସଙ୍କଟ ବୃଦ୍ଧି ପାଇଛି। କୃଷି ଆୟ ଅଭିବୃଦ୍ଧି ୨୦୧୮ରେ ୨.୬୭%ରେ ପହଞ୍ଚିଛି, ଯାହା ୧୪ ବର୍ଷରେ ସର୍ବନିମ୍ନ। ଗତ ୪ ଦଶନ୍ଧିରେ କୃଷିକ୍ଷେତ୍ରରେ ସଙ୍କଟ ଯୋଗୁ ୩ ଲକ୍ଷ ଚାଷୀ ଜୀବନ ହରାଇଛନ୍ତି। ବାସ୍ତବ କୃଷି ମଜୁରି (ମୁଦ୍ରାସ୍ଫୀତିକୁ ବିଚାରକୁ ନେଲେ) ୨୦୧୦-୧୪ ମଧ୍ୟରେ ୯.୫% ବୃଦ୍ଧି ପାଇଲା ବେଳେ ୨୦୧୫ରୁ ୨୦୧୮ ମଧ୍ୟରେ ଏହା ୪.୮%କୁ ହ୍ରାସ ପାଇଛି। ଅଣକୃଷି କ୍ଷେତ୍ରରେ ମଜୁରି ବୃଦ୍ଧି ଆହୁରି ନୈରାଶ୍ୟଜନକ। ସେହି ଅବଧି ମଧ୍ୟରେ ଏହା ୪. ୮%ରୁ ୦.୨%କୁ ହ୍ରାସ ପାଇଛି। ଅଣସଙ୍ଗଠିତ କ୍ଷେତ୍ରରେ ମଜୁରି ଆହୁରି କମ୍‌। ବର୍ତ୍ତମାନ ସବୁଠାରୁ ବିପର୍ଯ୍ୟସ୍ତ ହୋଇଛି ବ୍ୟାଙ୍କିଙ୍ଗ୍‌ ଶିଳ୍ପ, ଯାହା ଉପରେ ଅର୍ଥନୀତିର ଉନ୍ନତି ନିର୍ଭରଶୀଳ। ୨୦୧୪ରୁ ୨୦୧୮ ମଧ୍ୟରେ ବ୍ୟାଙ୍କଗୁଡ଼ିକର ଅଚଳ ସମ୍ପତ୍ତି ବା ଏନ୍‌ପିଏ ୪ ଗୁଣ ବୃଦ୍ଧିପାଇଛି। ୨୦୧୪ ମାର୍ଚ୍ଚ ୩୧ ସୁଦ୍ଧା ବ୍ୟାଙ୍କଗୁଡ଼ିକର ଅଚଳ ସମ୍ପତ୍ତି ୨.୬୩ ଲକ୍ଷ କୋଟି ଟଙ୍କା ଥିଲା, ଯାହା ମୋଟ ଅଗ୍ରିମର ୩.୮%। କିନ୍ତୁ ୨୦୧୮ ମାର୍ଚ୍ଚ ୩୧ ସୁଦ୍ଧା ଏହି ଅଚଳ ସମ୍ପତ୍ତି ୧୦.୩୯ ଲକ୍ଷ କୋଟି ଟଙ୍କା ବା ମୋଟ ଅଗ୍ରିମର ୧୧.୨%ରେ ପହଞ୍ଚିଛି। କିନ୍ତୁ ଧନିକ ଶିଳ୍ପପତିଙ୍କ ସ୍ବାର୍ଥକୁ ଆଖିଆଗରେ ରଖି ଗତ ଦଶନ୍ଧିରେ ୭ ଲକ୍ଷ କୋଟି ଟଙ୍କାର ଋଣ ରାଇଟ୍‌ ଅଫ୍‌ କରାଯାଇଛି। ଏହାର ୮୦% ବା ୫,୫୫,୬୦୩ କୋଟି ଟଙ୍କା କେବଳ ଗତ ୫ ବର୍ଷରେ ରାଇଟ୍‌ ଅଫ୍‌ କରାଯାଇଛି। ଲେହେମାନ ବ୍ରଦର୍ସର ପତନ ପରେ ଯେଉଁ ବିଶ୍ୱ ଆର୍ଥିକ ସଙ୍କଟ ଦେଖାଦେଇଥିଲା ବର୍ତ୍ତମାନ ଭାରତରେ ସେପରି ସଙ୍କଟ ଦେଖାଦେବାର ଆଶଙ୍କା ରହିଛି। ବିଶେଷକରି ଛାୟା ବ୍ୟାଙ୍କ ଯଥା ଇନ୍‌ଫ୍ରାଷ୍ଟ୍ରକ୍ଚର ଲିଜିଙ୍ଗ ଆଣ୍ଡ ଫାଇନାନ୍ସ ସର୍ଭିସେସ୍‌ ଓ ଏସେଲ୍‌ ଗ୍ରୁପର ଋଣ ଶୁଝିବାରେ ବିଫଳତା ଭାରତୀୟ ଅର୍ଥନୀତିରେ ଭୟଙ୍କର ଆର୍ଥିକ ସଙ୍କଟ ସୃଷ୍ଟି କରିବାକୁ ଯାଉଛି। ମ୍ୟୁଚୁଆଲ ଫଣ୍ଡ ଅଭିବୃଦ୍ଧି ହାର ଗତ ୭ ବର୍ଷରେ ସର୍ବନିମ୍ନରେ ପହଞ୍ଚିଛି। ଆହୁରି ମଧ୍ୟ ଗତ ୫ ବର୍ଷରେ ଟଙ୍କାର ଦ୍ରୁତ ଅବମୂଲ୍ୟାୟନ ଘଟିଛି। ସାଧାରଣତଃ ଏକ ଦେଶର ନିବେଶ ଅଭିବୃଦ୍ଧି ଆଭ୍ୟନ୍ତରୀଣ ସଞ୍ଚୟ ଉପରେ ନିର୍ଭର କରେ। ଏହି ସଞ୍ଚୟ କମ୍‌ ହେଲେ ଚଳନ୍ତି ହିସାବରେ ନିଅଣ୍ଟ ବା ଋଣ ବୃଦ୍ଧି ପାଇଥାଏ। କିନ୍ତୁ ୨୦୧୫-୧୬ରେ ଏହି ସଞ୍ଚୟ ଜିଡିପି ଅନୁସାରେ ରେକର୍ଡ ୨୫.୨% ଥିଲା। ଏହା ହ୍ରାସ ପାଇ ୨୦୧୬-୧୭ରେ ୧୮.୫%ରେ ପହଞ୍ଚିଛି , ଯାହା ୧୯୯୭-୯୮ ପରଠାରୁ ସର୍ବନିମ୍ନ। ଅନ୍ୟ ଏକ ଚିନ୍ତାର ବିଷୟ ନିବେଶହାର ହ୍ରାସ ପାଇବା। ଜାତୀୟ ଆୟ ଅନୁସାରେ ନିବେଶ ହାର ୨୦୧୧-୧୨ରେ ଯାହା ଥିଲା ବର୍ତ୍ତମାନ ପ୍ରାୟ ୬% ହ୍ରାସ ପାଇଲାଣି। ରାଷ୍ଟ୍ରାୟତ୍ତ ଉଦ୍ୟୋଗ କ୍ଷେତ୍ରରେ ନୂଆ ନିବେଶ ଗତ ଅକ୍ଟୋବର-ଡିସେମ୍ବର ୨୦୧୮ରେ ୫୦,୬୦୪ କୋଟି ଟଙ୍କାରେ ପହଞ୍ଚିଛି, ଯାହା ଗତ ୧୪ ବର୍ଷରେ ସର୍ବନିମ୍ନ। ଘରୋଇ କ୍ଷେତ୍ରରେ ସ୍ଥିତି ଆହୁରି ସଙ୍ଗିନ।
ଭାରତର ବାଣିଜ୍ୟ କ୍ଷତି ୨୦୧୮-୧୯ରେ ୧୭୬ ବିଲିୟନ ଡଲାରରେ ପହଞ୍ଚିଛି, ଯାହା ରେକର୍ଡ। ଏଫ୍‌ଡିଆଇର ଅନ୍ତଃସ୍ରୋତ ହ୍ରାସ ପାଇଚାଲିଛି। ଏପ୍ରିଲ-ଡିସେମ୍ବର ୨୦୧୭ରେ ଏହା ୩୬ ବିଲିୟନ ଡଲାର ଥିଲାବେଳେ ଏପ୍ରିଲ-ଡିସେମ୍ବର ୨୦୧୮ରେ ଏହା ୩୩.୫ ବିଲିୟନ ଡଲାରକୁ ହ୍ରାସ ପାଇଛି। ବିଭିନ୍ନ ଉନ୍ନତ ଦେଶରେ ଜିଡିପି ଅନୁସାରେ ଟିକସ ଯେତିକି ଆଦାୟ ହୁଏ ଭାରତରେ ଏହା ପ୍ରାୟ ଅଧା। ଭାରତର ମୋଟ ଦେୟ ଗତ ସାଢ଼େ ୪ ବର୍ଷରେ ୪୯% ବୃଦ୍ଧି ପାଇଛି। ଜୁନ୍‌ ୨୦୧୪ରେ ଭାରତର ମୋଟ ଋଣ ୫୪,୯୦,୭୬୩ କୋଟି ଟଙ୍କା ଥିଲାବେଳେ ସେପ୍ଟେମ୍ବର ୨୦୧୮ ସୁଦ୍ଧା ଏହା ୮୨,୦୩,୨୫୩ କୋଟିରେ ପହଞ୍ଚିଛି। ବିମୁଦ୍ରୀକରଣ ଯୋଗୁ ଟିକସ ଆଦାୟ ବୃଦ୍ଧି ପାଇବ ବୋଲି ସରକାର କହୁଥିଲେ, କିନ୍ତୁ ତାହା ଓଲଟା ହୋଇଛି। ୨୦୧୮-୧୯ରେ ଯେତିକି ଟିକସ ଆଦାୟ ହେବ ବୋଲି ସରକାର ଲକ୍ଷ୍ୟ ରଖିଥିଲେ ତାହା କମ୍‌ ହୋଇଛି। ପ୍ରତ୍ୟକ୍ଷ କର କ୍ଷେତ୍ରରେ ୫୦,୦୦୦ କୋଟି ଟଙ୍କା ଏବଂ ପରୋକ୍ଷ କର ବାବଦରେ ୬୫,୦୦୦ କୋଟି ଟଙ୍କା କମ୍‌ ଆଦାୟ ହୋଇଛି। ଏଣୁ ସରକାର ବିତ୍ତୀୟ ନିଅଣ୍ଟ ଲକ୍ଷ୍ୟ ହାସଲ ପାଇଁ ବିଭିନ୍ନ ବ୍ୟୟ ହ୍ରାସ କରିଛନ୍ତି। ଆହୁରି ମଧ୍ୟ ତୈଳ ସବ୍‌ସିଡି ବ୍ୟୟକୁ ପରବର୍ତ୍ତୀ ବର୍ଷକୁ ହସ୍ତାନ୍ତର କରିବା, କ୍ଷୁଦ୍ର ସଞ୍ଚୟ ଯୋଜନାରୁ ଅଧିକ ଋଣ କରିବା, ଜବରଦସ୍ତ ଇଣ୍ଡିଆନ ଅଏଲ କର୍ପୋରେଶନ, ଓଏନ୍‌ଜିସି, ରିଜର୍ଭ ବ୍ୟାଙ୍କରୁ ଦ୍ୱିତୀୟଥର ପାଇଁ ଅନ୍ତରୀଣ ଲାଭାଂଶ ଉଠାଇବା ଆଦି ମାଧ୍ୟମ ଆପଣାଇଛନ୍ତି। ଏହାଦ୍ୱାରା ବର୍ତ୍ତମାନର ଆର୍ଥିକ ବୋଝ ଭବିଷ୍ୟତ ସରକାରଙ୍କ ଉପରେ ପଡ଼ିବ। ଉପାକୁ ଏକ ଅପାରଗ ସରକାର କୁହାଯାଉଥିଲା, କିନ୍ତୁ ଏନ୍‌ଡିଏ ଏକ ବିପଜ୍ଜନକ ସରକାର ବୋଲି ଅନେକେ କହୁଛନ୍ତି।
ମୋ-୯୪୩୭୨୦୮୭୬୨


All Right Reserved By Dharitri.Com

ସଚିବଙ୍କ ସଚିବ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ ଭାରତ ସରକାରଙ୍କ ଊର୍ଦ୍ଧ୍ୱତମ ଅଧିକାରୀଙ୍କ କଥା ଉଠିଲେ କ୍ୟାବିନେଟ ସଚିବଙ୍କ ପଦବୀ ଆଖି ଆଗକୁ ଆସିଥାଏ। ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌)ରୁ...

କଶ୍ମୀରୀଙ୍କ ପ୍ରତିକ୍ରିୟାକୁ ଅପେକ୍ଷା

ଅାକାର ପଟେଲ କଶ୍ମୀରରେ ଅାମେ ଯାହା କଲୁ ତାହାର ପୂର୍ଣ୍ଣ ଅର୍ଥ କଣ ତାହା ଯଥାସମୟରେ ଜଣାପଡ଼ିବ ଏବେ ଅାମେ କହିଚାଲିଛୁ କି ଅାମେ ଯାହା...

ଗୋଟିଏ ଟଙ୍କା

ଡ. ସୁବାସ ଚନ୍ଦ୍ର ପାତ୍ର ଆଜି ଯଦି ଜଣେ ଯୁବକ ବା କିଶୋରକୁ ପଚରାଯାଏ ଗୋଟିଏ ଟଙ୍କା ସମାନ କେତେ? ସେ ହୁଏତ ତାଜୁବ ହେବ,...

ଦୁଇଟି ଦୋଷ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ମୋଦି ସରକାର ୨୦୧୪ରୁ ଯେଉଁସବୁ ସଂସ୍କାର ଆରମ୍ଭ କରିଛନ୍ତି, ତାହା ସରକାରଙ୍କ ଶାସନ ପରିଚାଳନାରୁ ଜଣାପଡ଼ିଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

ବିଜ୍ଞାପନ ବଜାର ଓ ଆମ ଲୀନାମାନେ

ସୁଧାକର ଦାସ ପନ୍ଦର ବର୍ଷ ପରେ ନାୟକ ନାୟିକାର ମିଳନ, ପ୍ରେମ କରୁଥିବା ସମୟରେ ନାୟକ ନାୟିକାକୁ ଛାଡି ଚାଲିଯାଇଥିଲା ବିଦେଶକୁ, ଏବେ ଆସି ଜାଣୁଛି...

ଜନତା ଆଖିରେ ଶତ୍ରୁ

ସମ୍ପାଦକୀୟ/ତଥାଗତ ସତପଥୀ ଭାରତରେ ଜମିଜମା ସମ୍ପର୍କିତ ଅନେକ ମାମଲା ଆଇନ ଜାଲରେ ଦୀର୍ଘବର୍ଷ ଛନ୍ଦି ହୋଇରହିଛି। ବିଶେଷକରି ଭାଇ ଭାଇ ଏବଂ ପଡ଼ୋଶୀଙ୍କ ମଧ୍ୟରେ ଜମିକୁ...

କାହାକୁ କହିବା ସୁଶାସନ

ଶରତ ଚନ୍ଦ୍ର ମିଶ୍ର ମହାଭାରତ ଯୁଦ୍ଧ ସମାପ୍ତ। ପିତାମହ ଭୀଷ୍ମ ଶରଶଯ୍ୟାରେ। ଯୁଧିଷ୍ଠିର ଯାଇ ପ୍ରଶ୍ନ କଲେ- ”ପିତାମହ! ସୁଶାସନ କାହାକୁ କହନ୍ତି?“ ପିତାମହ କହିଲେ-...

ଚୌକି ମୋତେ ଚାହେଁ

ଡ. ଛାୟାକାନ୍ତ ଷଡ଼ଙ୍ଗୀ ଗତ ନିର୍ବାଚନ ଫଳ ଘୋଷିତ ହେବା ପରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଲେ, ”ମୁଁ ଚୌକି ଚାହୁଁ ନାହିଁ, ଚୌକି...

Leave a comment

Your email address will not be published. Required fields are marked *