ସାତଘଣ୍ଟିଆ ଗୁଣବତ୍ତା

ଡ. ସୁବାସ ଚନ୍ଦ୍ର ପାତ୍ର
ଅନିଲ କପୁର ଅଭିନୀତ ଏକ ପୁରୁଣା ହିନ୍ଦୀ ଫିଲ୍ମର ନାମ ଥିଲା ‘ୱ ସାତଦିନ’। ଏବେ ଉଚ୍ଚଶିକ୍ଷା ବିଭାଗରେ ସାତଦିନ ନୁହେଁ, ସାତଘଣ୍ଟିଆ କଥାକୁ ନେଇ ବେଶ୍‌ ଚର୍ଚ୍ଚା ଅର୍ଥାତ୍‌ ଅଧ୍ୟାପକମାନେ ଏଣିକି କଲେଜରେ ସାତଘଣ୍ଟା ରହିବେ। କିଛି ଲୋକ ଏ ନେଇ ବେଶ୍‌ ଉଲ୍ଲସିତ, ଶିକ୍ଷାଦାନର ତଥାକଥିତ ଗୁଣାତ୍ମକତା ବୃଦ୍ଧିକୁ ନେଇ ନୁହେଁ ବରଂ ଅଧ୍ୟାପକମାନଙ୍କୁ ସରକାର ପାନେ ଦେଇଛନ୍ତି ଭାବି। ଉଲ୍ଲାସ ଓ ପ୍ରତ୍ୟାଶା ତା’ ଜାଗାରେ ଥାଉ, କିନ୍ତୁ ଏହି ସାତଘଣ୍ଟା ରହଣି ପାଇଁ ନିର୍ଦ୍ଦେଶ ଯେ ଖାଲି ହଟଚମଟ ସୃଷ୍ଟି ପାଇଁ ଉଦ୍ଦିଷ୍ଟ ନିମ୍ନଲିଖିତ ଆଲୋଚନାରୁ ତାହା ଜଣାପଡ଼ିବ। ଅନେକେ ତ ଏହାକୁ ଏକ ପ୍ରସାଧନୀ କାର୍ଯ୍ୟକ୍ରମ ବୋଲି ଭାବୁଛନ୍ତି।
ସ୍ଥୂଳଭାବରେ ଦେଖିଲେ ସରକାରୀ ବା ଅନୁଦାନପ୍ରାପ୍ତ ବେସରକାରୀ କଲେଜର ଅଧ୍ୟାପକମାନେ କରଦାତାଙ୍କ ଅର୍ଥରୁ ଦରମା ପାଆନ୍ତି, ତେଣୁ ୭ଘଣ୍ଟା ହେଉ ବା ୧୦ଘଣ୍ଟା, ସରକାର ଦୈନିକ କାର୍ଯ୍ୟର ଅବଧି ବିଷୟରେ ଯେଉଁ ନିର୍ଦ୍ଦେଶଦେବେ, ତାହା ସେମାନେ ମାନିବାକୁ ବାଧ୍ୟ। ଶିକ୍ଷକମାନେ କିନ୍ତୁ ଅନ୍ୟ କର୍ମଚାରୀଙ୍କ ଭଳି ନୁହନ୍ତି। ସେମାନଙ୍କର ସ୍ଥିତି ଛାତ୍ରକୈନ୍ଦ୍ରିକ। ଯଦି ସେମାନଙ୍କ ବର୍ଦ୍ଧିତ ରହଣି ଛାତ୍ରୀଛାତ୍ରଙ୍କ କାମରେ ନ ଆସେ, ଯଦି ସେମାନଙ୍କର ଆଗ୍ରହାନ୍ବିତ ବୌଦ୍ଧିକସେବା ନିମନ୍ତେ ଉପଭୋକ୍ତା ନ ମିଳନ୍ତି ତା’ହେଲେ ଏ ନିର୍ଦ୍ଦେଶନାମାର ମୂଲ୍ୟ କ’ଣ? ବର୍ଷ ବର୍ଷ ଧରି ଉଚ୍ଚଶିକ୍ଷାନୁଷ୍ଠାନର ବିଭିନ୍ନ ଅଙ୍ଗକୁ ଦୁର୍ବଳ କରି, ସମଗ୍ର ଶରୀରକୁ ପଙ୍ଗୁ କରି ହଠାତ୍‌ ସରକାର ଏହି ସାତଘଣ୍ଟିଆ ଔଷଧ ନେଇ ଚେଇଁ ଉଠିଲେ କ’ଣ ହେବ? ଏକ ଆଦର୍ଶ ଶିକ୍ଷାନୁଷ୍ଠାନ ମଣିଷର ଶରୀର ପରି ଏକ ସୁସଂହତ ବ୍ୟବସ୍ଥା, ଏକ ଜୈବସତ୍ତା। ଶରୀରର ଗୋଟିଏ ଅଙ୍ଗ ଦୁର୍ବଳ, ରୋଗାକ୍ରାନ୍ତ ହେଲେ ସମଗ୍ର ଶରୀର କ୍ଷତିଗ୍ରସ୍ତ ହେଲା ଭଳି ଗୋଟିଏ ଶିକ୍ଷାନୁଷ୍ଠାନର ଶିକ୍ଷାଦାନ ବ୍ୟବସ୍ଥା, ପରୀକ୍ଷାଗାର, ପାଠାଗାର, ବଗିଚା, ପରିମଳ ବ୍ୟବସ୍ଥା, ନିରାପତ୍ତା- ଏହା ଭିତରୁ କୌଣସି ଗୋଟିଏ ଅଙ୍ଗ ଦୁର୍ବଳ ହେଲେ ତାହା ସମଗ୍ର ବ୍ୟବସ୍ଥାକୁ ପ୍ରଭାବିତ କରେ। ଶିକ୍ଷକ ପଦବୀ ଖାଲି। ଡେମୋନଷ୍ଟ୍ରେଟର ଏବଂ ଲାଇବ୍ରେରିଆନ୍‌ଙ୍କ ଅନୁପସ୍ଥିତିରେ କଲେଜଗୁଡ଼ିକର ପରୀକ୍ଷାଗାର ଓ ପାଠାଗାର ବିପର୍ଯ୍ୟସ୍ତ। ବଗିଚା ପ୍ରସ୍ତୁତି ପାଇଁ ମାଳୀ ନାହିଁ, ପରିଚ୍ଛନ୍ନତା ପାଇଁ ସଫେଇ କର୍ମଚାରୀ ନାହାନ୍ତି, କଲେଜର ସମ୍ପତ୍ତି ରକ୍ଷଣାବେକ୍ଷଣ ଭଗବାନଙ୍କ ହାତରେ। ବୃହତ୍‌ ପରିସର ଥିବା ଶିକ୍ଷାନୁଷ୍ଠାନଗୁଡ଼ିକ ଜଙ୍ଗଲର ଭ୍ରମ ସୃଷ୍ଟି କରୁଛନ୍ତି। ଶିକ୍ଷାଦାନ ସହିତ ବିଭିନ୍ନ ଦୃଷ୍ଟିରୁ ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକୁ ଦୁର୍ବଳ ଓ ଅନାକର୍ଷଣୀୟ କରି ପରୋକ୍ଷରେ ଘରୋଇ ଅନୁଷ୍ଠାନ ଗଢ଼ିବାରେ ସହାୟକ ହୋଇ, ଅଧ୍ୟାପକମାନଙ୍କର ସାତଘଣ୍ଟିଆ ରହଣି ମାଧ୍ୟମରେ ସରକାର କି ବାର୍ତ୍ତା ଦେବାକୁ ଚାହାନ୍ତି? ଦୀର୍ଘ ବର୍ଷର ଅବହେଳା ଓ ଉଦାସୀନତା ଯୋଗୁ ଛାତ୍ର ଓ ଅଭିଭାବକମାନେ ସରକାରୀ ବା ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନଠୁ ଆଖି ଫେରେଇ ନେଉଥିବାବେଳେ, ନାମକୁ ମାତ୍ର ଆଡମିଶନ କରି ସେମାନେ ନିଜର ପୁଅଝିଅଙ୍କ ସମାନ୍ତରାଳ ଶିକ୍ଷାଗ୍ରହଣର ବ୍ୟବସ୍ଥା କରୁଥିଲାବେଳେ, ଅପରାହ୍ଣ ୨ଟା ପରେ କଲେଜଗୁଡ଼ିକ ଛାତ୍ରୀଛାତ୍ରଙ୍କ ଉପସ୍ଥିତି ଦୃଷ୍ଟିରୁ ମରୁଭୂମି ପାଲଟି ଯାଉଥିଲାବେଳେ, ଏ ସାତଘଣ୍ଟିଆ କାର୍ଯ୍ୟକ୍ରମ କି ଉଦ୍ଦେଶ୍ୟ ସାଧନ କରିବ?
ପରିବର୍ତ୍ତିତ ପରିସ୍ଥିତିରେ ଆଉ କିଛି ହେଉ ନ ହେଉ ଯଦି ଶିକ୍ଷାଦାନ ବ୍ୟବସ୍ଥାର ଗୁଣାତ୍ମକତା ରକ୍ଷା କରାଯାଇପାରନ୍ତା, ଓଡ଼ିଆ ପିଲା ସର୍ବଭାରତୀୟ ପରୀକ୍ଷାରେ ଅଧିକ ସଫଳ ହୁଅନ୍ତେ। ବହୁଳ ମାତ୍ରାରେ ଅଧ୍ୟାପକ ପଦବୀ ଖାଲି ପଡ଼ିଥିବା ବେଳେ, ଯେଉଁ କିଛି ମେଧାବୀ, ଯୋଗ୍ୟ ଶିକ୍ଷକ ଅଛନ୍ତି ସେମାନଙ୍କର ମେଧା ତଥା ଦକ୍ଷତାର ଯଦି ଯଥାଯଥ ଉପଯୋଗ ହୁଅନ୍ତା, ଛାତ୍ରସମାଜ ଅନେକ ଉପକାର ପାଆନ୍ତେ। ଓଡି଼ଶାରେ କିନ୍ତୁ ତା’ର ବିପରୀତ କାର୍ଯ୍ୟ। ସମସ୍ତ କଲେଜରେ ଭାରପ୍ରାପ୍ତ ଅଧ୍ୟକ୍ଷ ବ୍ୟବସ୍ଥା ଚଳେଇ ଏବଂ ସେମାନଙ୍କୁ ପ୍ରଶାସନିକ କାର୍ଯ୍ୟ ସହ କ୍ଳାସ୍‌ ନେବାକୁ ବାଧ୍ୟ କରାଇ ସେମାନଙ୍କ ମେଧାର ଅପଚୟ କରାଯାଉଛି। ସେହିପରି ସ୍ବୟଂଶାସିତ ମହାବିଦ୍ୟାଳୟରେ ଭାରପ୍ରାପ୍ତ ପରୀକ୍ଷା ନିୟନ୍ତ୍ରକ ବ୍ୟବସ୍ଥା ପ୍ରଚଳନ ମାଧ୍ୟମରେ ଜଣେ ବରିଷ୍ଠ ଅଧ୍ୟାପକଙ୍କ ସମୟ ଓ ଶକ୍ତିର ଅପବ୍ୟବହାର କରାଯାଉଛି। ଖାଲି ଏ ଦୁଇଟି କ୍ଷେତ୍ର ନୁହେଁ। ଏବେ ଅଧିକାଂଶ ସରକାରୀ ତଥା ବେସରକାରୀ ମହାବିଦ୍ୟାଳୟରେ ଶିକ୍ଷକମାନେ କକ୍ଷଚ୍ୟୁତ, ଧ୍ୟାନଚ୍ୟୁତ। ଅଧ୍ୟାପନା ମାଧ୍ୟମରେ ଛାତ୍ରୀଛାତ୍ରଙ୍କୁ ବୌଦ୍ଧିକ ଦିଗ୍‌ଦର୍ଶନ ଦେବା ସେମାନଙ୍କର ମୁଖ୍ୟ କାମ ନୁହେଁ। କିପରି ନାକ୍‌ ସେଲ୍ଫ ଷ୍ଟଡି ରିପୋର୍ଟ ପ୍ରସ୍ତୁତ ହେବ, କିପରି ବିଶ୍ୱବ୍ୟାଙ୍କ ଅନୁଦାନ ପାଇଁ ଉଦ୍ଦିଷ୍ଟ ଦସ୍ତାବିଜ୍‌ ପ୍ରସ୍ତୁତ ହେବ, କିପରି କମ୍ୟୁନିଟି କଲେଜ ପରିଚାଳିତ ହେବ, କଲେଜରେ କିପରି ନୂତନ କୋଠାବାଡ଼ି ନିର୍ମିତ ହେବ, ବାଳିକାମାନେ କିପରି ଆତ୍ମରକ୍ଷା ତାଲିମ ନେବେ ଏବଂ ସେମାନଙ୍କୁ କିପରି ଜଳଖିଆ ଦିଆଯିବ, ସେ ନେଇ କାଗଜପତ୍ର ପ୍ରସ୍ତୁତ କରିବା ବର୍ତ୍ତମାନ ସେମାନଙ୍କର ମୁଖ୍ୟ କାମ। ଅଧ୍ୟାପକମାନେ ସାକ୍ଷାତରେ ବା ଫୋନରେ ପାଠ ବିଷୟରେ ଆଲୋଚନା ନ କରି କଲେଜର ଏହି ଆଭ୍ୟନ୍ତରୀଣ ରିପୋର୍ଟ ପ୍ରସ୍ତୁତି ସମ୍ବନ୍ଧରେ ଅଧିକ ଆଲୋଚନା କରୁଛନ୍ତି।
ଯୋଗ୍ୟ ଶିକ୍ଷକମାନଙ୍କୁ ଅଯଥା କର୍ମରେ ନିୟୋଜିତ କରି ସେମାନଙ୍କ ପ୍ରତିଭା ତଥା ଦକ୍ଷତା ନଷ୍ଟ କରାଯାଉଥିବା ବେଳେ ଏଣେ ଉଚ୍ଚାକାଂକ୍ଷୀ ଜାତୀୟ ସିଲାବସ ପ୍ରଚଳନର ଡିଣ୍ଡିମ ପିଟାଯାଉଛି। ତା’ ସହିତ ଶିକ୍ଷକମାନେ କିପରି ଗବେଷଣାମନସ୍କ ହେବେ ତା’ ଉପରେ ଭାଷଣବାଜି ଚାଲିଛି। ଅଥଚ ସମାନ୍ତରାଳ ଭାବରେ ଗବେଷଣା ବିରୋଧୀ ବ୍ୟବସ୍ଥା କରାଯାଉଛି। ସ୍ନାତକୋତ୍ତର ଶିକ୍ଷାଦାନ କରୁଥିବା ବିଭାଗଗୁଡ଼ିକରେ ଅଧ୍ୟାପକମାନେ କେବଳ ଗବେଷକ ହୋଇପାରିବେ ବୋଲି ୟୁଜିସିର ନିୟମ ଥିଲାବେଳେ ଏବଂ ଅଧ୍ୟାପକ ନିଯୁକ୍ତିରେ ଅଧ୍ୟାପକମାନଙ୍କର ଭୂମିକା ନ ଥିଲାବେଳେ ଅନେକ ଯୋଗ୍ୟ ଗବେଷକ ସ୍ନାତକୋତ୍ତର ଶିକ୍ଷାଦାନ ବ୍ୟବସ୍ଥା ନ ଥିବା ମହାବିଦ୍ୟାଳୟରେ ଶଢୁଛନ୍ତି। ଅଥଚ ସେମାନଙ୍କଠୁ ନିକୃଷ୍ଟ ଏବଂ କନିଷ୍ଠ ତଥାକଥିତ ଗବେଷକମାନେ ସେମାନଙ୍କ ନିଯୁକ୍ତିଜନିତ ଫାଇଦା ନେଉଛନ୍ତି। ଅନେକ କ୍ଷେତ୍ରରେ ସେତିକ ବି ନାହିଁ। ଏଣେ ପ୍ରାକ୍‌-ଗବେଷଣା କୋର୍ସ ସାରି ଯୁବ ଗବେଷକମାନେ ତତ୍ତ୍ୱାବଧାରକ ଅପେକ୍ଷାରେ ବର୍ଷ ପରେ ବର୍ଷ ଅନାଇ ରହୁଛନ୍ତି। ତେଣେ ଚାକିରିର ବୟସ ଚାଲିଯାଉଛି।
କଲେଜରେ ଶିକ୍ଷକମାନଙ୍କର ଅଧିକ ସମୟ ରହଣିକୁ କେହି ବିରୋଧ କରନ୍ତି ନାହିଁ, କିନ୍ତୁ ସେମାନଙ୍କୁ ଶିକ୍ଷକ ଉପଯୋଗୀ କର୍ମରେ ନିଯୁକ୍ତି କରାଯାଉ। ପିଲାମାନେ କିପରି କଲେଜମନସ୍କ ହେବେ, ଟ୍ୟୁଶନ ଛାଡ଼ି କଲେଜ ଶିକ୍ଷାକୁ ଅଧିକ ଗ୍ରହଣ କରିବେ, ଆନୁଷ୍ଠାନିକ ଶିକ୍ଷା ବିକଳ୍ପ ଘରୋଇ ଶିକ୍ଷାଦାନଠୁ କିପରି ଉନ୍ନତତର ତଥା ଉଚ୍ଚମାନର ହେବ, ଶିକ୍ଷକମାନେ କିପରି ଅଧିକ ସମୟ ପାଠାଗାର ବା ପରୀକ୍ଷାଗାରରେ କଟେଇବେ, ଏ ସବୁ ବିଷୟରେ ଗଭୀର ଚିନ୍ତା ନ କରି ଏବଂ ସେ ବାବଦରେ ବ୍ୟବସ୍ଥା ନ କରି ଖାଲି ସାତଘଣ୍ଟା ରହିବାକୁ କାହାକୁ ବାଧ୍ୟ କଲେ ବ୍ୟବସ୍ଥାର କ’ଣ ଉନ୍ନତି ହେବ? ଏଣେ ଘରୋଇ ମହାବିଦ୍ୟାଳୟରେ ଦିଆଯାଉଥିବା ଦରମାର ତାରତମ୍ୟ, ଦରମା ସହିତ ଘରଭଡ଼ା ନ ଦେବାର ବ୍ୟବସ୍ଥା, ଇତିମଧ୍ୟରେ ଅନ୍ୟ ସରକାରୀ କର୍ମଚାରୀମାନେ କଲେଜ ଶିକ୍ଷକମାନଙ୍କଠୁ ଅଧିକ ୨୪ଦିନର ଛୁଟି (ଦ୍ୱିତୀୟ ଓ ଚତୁର୍ଥ ଶନିବାର ଜନିତ) ପାଇବାର ବ୍ୟବସ୍ଥା ଏବଂ ଶିକ୍ଷକମାନଙ୍କୁ ସେହି ଅନୁପାତରେ ଅଧିକ ଅର୍ଜିତ ଛୁଟି (ଇ.ଏଲ୍‌) ଦେବାର ବ୍ୟବସ୍ଥା ନ କରିବା ଯୋଗୁ କିଛି ଅଧ୍ୟାପକ ଗୋଷ୍ଠୀ ଆନ୍ଦୋଳିତ ହୋଇଛନ୍ତି। ସରକାର ସମସ୍ତଙ୍କୁ ଏକ ସମତଳକୁ ଆଣନ୍ତୁ, ଶିକ୍ଷକମାନଙ୍କୁ ବିଶ୍ୱାସକୁ ନିଅନ୍ତୁ, ସେମାନଙ୍କୁ କାରଖାନାରେ କାମ କରୁଥିବା ଘଣ୍ଟାୱାରୀ ଶ୍ରମିକ ଭଳି ନ ଦେଖନ୍ତୁ। ଶିକ୍ଷକମାନେ ସବୁବେଳେ କର୍ତ୍ତବ୍ୟ ସଚେତନ, କିନ୍ତୁ ପାରସ୍ପରିକ ଭରସାର ଅଭାବ ହିଁ ମୂଳ ସମସ୍ୟା।
ମୋ-୯୪୩୭୩୭୬୨୧୯


All Right Reserved By

କେତେ ସ୍ମାର୍ଟ ଭୁବନେଶ୍ୱର

ପ୍ରଦୀପ୍ତ ନାୟକ ୧୯୪୮ ମସିହାରେ ଭୁବନେଶ୍ୱର ସହର ସ୍ଥାପନା କରାଯାଇଥିଲା। ଇତିମଧ୍ୟରେ ମହାନଗର ନିଗମ ଓ ଭୁବନେଶ୍ୱର ଉନ୍ନୟନ ଅଥରିଟି ଓ ପୋଲିସ କମିଶନରେଟ ଗଠିତ...

ଜାଣିବା କଥାରୁ କିଛି

ଡ. ଶରତ ଚନ୍ଦ୍ର ରଥ ଜ୍ଞାନର ଦିଗ୍‌ବଳୟ ଅତ୍ୟନ୍ତ ପ୍ରଶସ୍ତ। ଯେତେ ଜାଣିଲେ ବି ଜାଣିବା ସରେ ନାହିଁ। ତେଣୁ ତ କୁହାଯାଇଛି ସତ୍ୟଂ ଜ୍ଞାନମନନ୍ତମ୍‌।...

ଜଳବାୟୁ ପରିବର୍ତ୍ତନ ଓ କୃଷି ବିବିଧତା

ଚିନ୍ମୟ ରଞ୍ଜନ କୁମାର ଜଳବାୟୁ ପରିବର୍ତ୍ତନ ବିଶ୍ୱବ୍ୟାପୀ ଏକ ବଡ଼ ଚିନ୍ତାର କାରଣ। ଏହାର ପ୍ରଭାବରେ ବିଶ୍ୱତାପମାନରେ ଅତ୍ୟଧିକ ବୃଦ୍ଧି, ମରୁଡି, ବନ୍ୟା, ବାତ୍ୟା, ଅତିବୃଷ୍ଟି,...

ଜୀବନ ଅନ୍ୟର ଦାନ

ଡ. ବାସୁଦେବ ମିଶ୍ର ମଣିଷ ଜୀବନ ଯେ ଅନ୍ୟର ଦାନ ଏ କଥାକୁ ବୁଝିବା ହେଉଛି ସଂସାରରେ ଜୀବନ ବଞ୍ଚତ୍ବାର ସର୍ବୋତ୍କୃଷ୍ଟ କଳା। ଏହି କଳା...

ଉତ୍କଳର ରାଜବଂଶ ଓ ବାଇଶି ପାହାଚ

ବୈକୁଣ୍ଠନାଥ ମିଶ୍ର ଭୌମକର ବଂଶର ଶାସକମାନେ କଳିଙ୍ଗକୁ ଶାସନ କରୁଥିବା ସମୟରେ ସୋମବଂଶୀମାନେ କୋଶଳର ଶାସନକର୍ତ୍ତା ଥିଲେ। ନବମ ଶତାବ୍ଦୀର ଶେଷଭାଗରେ ଭୌମକର ଶାସନର ପତନ...

ନେତା ଚୟନର ଶାସ୍ତ୍ରୀୟ ବିଧି

ଡ. ଭାରତ ଭୂଷଣ ରଥ ରାଜତନ୍ତ୍ର ଏବଂ ଗଣତନ୍ତ୍ରକୁ ନେଇ ବିଶ୍ୱର ଶାସନ ବ୍ୟବସ୍ଥା ପ୍ରଚଳିତ। କେତେକ ଦେଶରେ ଏବେ ବି ରାଜତନ୍ତ୍ର ଚାଲିଛି। ତେବେ...

ଫିଜିରେ ଭାରତୀୟ ବିଚାରପତି

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ ବିଚାର ବ୍ୟବସ୍ଥାରେ ଉତ୍କର୍ଷ ପ୍ରତିପାଦନ କରୁଥିବା ବ୍ୟକ୍ତିଙ୍କ ଚାହିଦା ସର୍ବଦା ରହିଥାଏ। ବାସ୍ତବଧର୍ମୀ ରାୟ ଦେଉଥିବା ବିଚାରପତିଙ୍କୁ ଅନ୍ୟମାନେ ଅନୁସରଣ କରିଥାଆନ୍ତି।...

ବଢ଼ୁଛି ଦୁର୍ନୀତିର ଦୈର୍ଘ୍ୟ-ପ୍ରସ୍ଥ

ଡ. ପ୍ରଫୁଲ୍ଲ କୁମାର ସାହୁ ସ୍ବାଧୀନତା ପରେ ଏକ ଦୁର୍ନୀତିମୁକ୍ତ ଆଦର୍ଶ ଭାରତ ଗଢ଼ିବା ଥିଲା ଗାନ୍ଧିଜୀଙ୍କର ସ୍ବପ୍ନ। ଅଥଚ ଆଜି ଦୁର୍ନୀତିର ପାହାଡ଼ ଉପରେ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *