ଶ୍ରମିକଙ୍କ ଅଧିକାର ପାଇଁ ଲଢ଼େଇ

ଭାଲଚନ୍ଦ୍ର ଷଡ଼ଙ୍ଗୀ
‘ଆଠ ଘଣ୍ଟା କାମ, ଆଠ ଘଣ୍ଟା ବିଶ୍ରାମ ଓ ଆଠ ଘଣ୍ଟା ମନୋରଞ୍ଜନ’ ଦାବିରେ ଆଜିକୁ ୧୩୩ ବର୍ଷ ତଳେ ଆମେରିକାର ଶିକାଗୋ ସହରର ‘ହେ ମାର୍କେଟ’ ଛକରେ ହୋଇଥିବା ଆନ୍ଦୋଳନ ବିଶ୍ୱର ଶ୍ରମିକ ଶ୍ରେଣୀ ଇତିହାସରେ ଏକ ମାଇଲଖୁଣ୍ଟ ଥିଲା। ସେଦିନ ନିଜର ନ୍ୟାୟସଙ୍ଗତ ଦାବି ନେଇ ଜମା ହୋଇଥିବା ହଜାର ହଜାର ଶ୍ରମିକଙ୍କ ଶାନ୍ତିପୂର୍ଣ୍ଣ ସମାବେଶ ଉପରେ ପୋଲିସ ଅତର୍କିତ ଗୁଳି ଚାଳନା କରିବା ଫଳରେ ବହୁ ଶ୍ରମିକ ମୃତାହତ ହୋଇଥିଲେ। ଗୁଳିକାଣ୍ଡ ଓ ତତ୍‌ପରବର୍ତ୍ତୀ ହିଂସାକାଣ୍ଡ ଘଟଣାରେ ଅନେକ ଶ୍ରମିକ ନେତାଙ୍କୁ ଗିରଫ କରାଯିବା ସହ ଚାରିଜଣ ଶ୍ରମିକ ନେତାଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଆଣି ତାଙ୍କୁ ଫାଶୀଦଣ୍ଡ ଦିଆଯାଇଥିଲା। କିନ୍ତୁ ଶିକାଗୋର ଶ୍ରମିକମାନଙ୍କ ସେଦିନର ବଳିଦାନଟି ବ୍ୟର୍ଥ ଯାଇ ନ ଥିଲା। ପୁଞ୍ଜିବାଦୀ ଶୋଷଣ ବିରୋଧରେ ପ୍ରଥମ ଥର ପାଇଁ ଶ୍ରମିକ ଶ୍ରେଣୀର ଏତେ ବଡ଼ ସଂଗଠିତ ତଥା ଲଢ଼ୁଆ ପ୍ରତିରୋଧ ପୁଞ୍ଜିପତିଙ୍କ ଭିତରେ ଏକରକମ ଆତଙ୍କ ଖେଳାଇଦେବା ସହ ଶ୍ରମିକ ଶ୍ରେଣୀକୁ ନିଜର ଅର୍ଥନୈତିକ ଓ ରାଜନୈତିକ ଅଧିକାର ପାଇଁ ଆଗକୁ ଲଢ଼େଇ କରିବା ପାଇଁ ପ୍ରେରଣା ଦେଇଥିଲା। ଶ୍ରମିକମାନଙ୍କ ଦାବିକୁ ଶେଷରେ ପୁଞ୍ଜିପତି ଶ୍ରେଣୀ ମାନିବାକୁ ବାଧ୍ୟ ହୋଇଥିଲେ। ଆମେରିକା ଓ ୟୁରୋପର ଅନେକ ଦେଶର ସରକାର ଆଠଘଣ୍ଟାର କାର୍ଯ୍ୟଦିବସକୁ ଆଇନସମ୍ମତ କରିବାକୁ ବାଧ୍ୟ ହୋଇଥିଲେ। ପରେ ପରେ ତାହା ଭାରତ ସମେତ ବିଶ୍ୱର ସବୁ ଦେଶରେ ଶ୍ରମିକମାନଙ୍କର ଏକ ଆଇନସିଦ୍ଧ ଅଧିକାରରେ ପରିଣତ ହୋଇଥିଲା।
୧୯୯୧ରେ ଆମ ଦେଶରେ ନବ-ଉଦାର ଅର୍ଥନୀତି ଲାଗୁ ହେବା ପରେ ଶ୍ରମିକମାନଙ୍କ ଅବସ୍ଥା ପୂର୍ବାପେକ୍ଷା ଅଧିକ ଖରାପ ହୋଇଛି। ଅଧିକ ଲାଭ ପାଇଁ ମାଲିକଶ୍ରେଣୀ କଳକାରଖାନାର ଅଧିକରୁ ଅଧିକ ଯାନ୍ତ୍ରିକୀକରଣ କରିବା ଫଳରେ ନିଯୁକ୍ତି ହାର କମିବା ସହିତ ଯାହା ବି ନିଯୁକ୍ତି ମିଳୁଛି ତାହା ପ୍ରାୟତଃ ଠିକାଭିତ୍ତିକ ହିଁ ହେଉଛି। ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରଦାମ୍‌ ଆକାଶଛୁଆଁ ହେଉଛି, ଅଥଚ ସରକାରୀ ଘୋଷିତ ସର୍ବନିମ୍ନ ମଜୁରି ପ୍ରତିବର୍ଷ ବଜାର ଦର ଅନୁସାରେ ବଢୁନି। ଆଜି ବି ଦେଶର ପ୍ରାୟ ୯୨% ଶ୍ରମିକ ଅର୍ଥନୀତିର ଅସଙ୍ଗଠିତ କ୍ଷେତ୍ରରେ ନିୟୋଜିତ ରହି ସମସ୍ତ ପ୍ରକାର ଶ୍ରମ ଅଧିକାର ଓ ସାମାଜିକ ସୁରକ୍ଷାରୁ ବଞ୍ଚିତ ହେଉଛନ୍ତି। କୃଷି ପରେ ନିର୍ମାଣ କ୍ଷେତ୍ରରେ ଦେଶର ସର୍ବାଧିକ ଶ୍ରମିକ କାର୍ଯ୍ୟରତ ଅଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ ପ୍ରବାସୀ ଶ୍ରମିକ ଭାବେ ମହାନଗର ଓ ସହରର ବସ୍ତିମାନଙ୍କରେ ଅତ୍ୟନ୍ତ ଦୟନୀୟ ସ୍ଥିତିରେ ଜୀବନଯାପନ କରୁଛନ୍ତି। ମନରେଗା, କେନ୍ଦୁପତ୍ର, ବାଉଁଶ, ବିଡ଼ି, ଇଟାଭାଟି ଭଳି ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ଅଧିକାଂଶ ଶ୍ରମିକ ସରକାରୀ ଘୋଷିତ ସର୍ବନିମ୍ନ ମଜୁରି ପାଇବାରୁ ବଞ୍ଚିତ। କାର୍ଯ୍ୟକ୍ଷେତ୍ରରେ ବିଶେଷ କରି ନିର୍ମାଣ ଭଳି ଅସଂଗଠିତ କ୍ଷେତ୍ରରେ ମହିଳା ଶ୍ରମିକଙ୍କୁ ପୁରୁଷଠାରୁ କମ୍‌୍‌ ମଜୁରି ଦେଇ ଶୋଷଣ କରାଯାଉଛି। ଦେଶରେ ଆଠଘଣ୍ଟାର ଶ୍ରମ ଦିବସ ପାଇଁ ଅନେକ ଦିନରୁ ଆଇନ ଥିଲେ ମଧ୍ୟ ଅନେକ କ୍ଷେତ୍ରରେ ଦୈନିକ ବାର ଘଣ୍ଟା ବା ତା’ଠାରୁ ଅଧିକ ସମୟ ଖଟିବାକୁ ପଡ଼ୁଛି। ଏଭଳି ପରିସ୍ଥିତିରେ ଶ୍ରମିକ ଦିନସାରା ପରିଶ୍ରମ କରି ଯାହା ବି ରୋଜଗାର କରୁଛି ତାହା ତା’ର ପରିବାର ପ୍ରତିପୋଷଣ ପାଇଁ ଯଥେଷ୍ଟ ହେଉନି।
ଦେଶରେ ନବ-ଉଦାର ଅର୍ଥନୀତିର ଆରମ୍ଭ ପରଠାରୁ ରୋଜଗାରର ଠିକାକରଣ ଆମ ଶ୍ରମିକଶ୍ରେଣୀର ବଡ଼ ଶତ୍ରୁ ଭାବେ ମୁଣ୍ଡ ଟେକିଛି, ଏହାର ଫଳସ୍ବରୂପ ଘରୋଇ କ୍ଷେତ୍ର ଏପରି କି ସରକାରୀ କ୍ଷେତ୍ରରୁ ବି ସ୍ଥାୟୀ ଏବଂ ନିୟମିତ ନିଯୁକ୍ତି ଧୀରେ ଧୀରେ ହ୍ରାସ ପାଉଥିବା ବେଳେ ଅସ୍ଥାୟୀ, ଠିକା ଏବଂ ଆଉଟସୋର୍ସିଂରେ ନିଯୁକ୍ତି ହାର ବଢ଼ିବାରେ ଲାଗିଛି। ଦେଶର ମୋଟ ଶ୍ରମଶକ୍ତିର ଠିକା ଶ୍ରମିକଙ୍କ ଅଂଶ ୧୯୯୯-୨୦୦୦ରେ ୨୦% ଥିବାବେଳେ ତାହା ବୃଦ୍ଧିପାଇ ୨୦୦୮-୦୯ରେ ୩୨%ରେ ପହଞ୍ଚି ଥିବାବେଳେ ଅନେକ ଉଦ୍ୟୋଗରେ ଠିକା ଶ୍ରମିକଙ୍କ ସଂଖ୍ୟା ନିୟମିତ ଶ୍ରମିକଙ୍କ ସଂଖ୍ୟାକୁ ବି ଟପି ସାରିଲାଣି। ଜାତୀୟ ନମୁନା ସର୍ଭେର ସଦ୍ୟତମ ତଥ୍ୟ ଅନୁଯାୟୀ ଦେଶର ମୋଟ ଶ୍ରମସମ୍ପଦର ୫୧% ସ୍ବରୋଜଗାର ହୋଇଥିବା ବେଳେ ୩୩.୫% ଅସ୍ଥାୟୀ ବା ଠିକା ଶ୍ରମିକ ଏବଂ ମାତ୍ର ୧୫.୬% ହିଁ ସ୍ଥାୟୀ ରୋଜଗାର ପାଇଛନ୍ତି। ଆଶା, ଅଙ୍ଗନୱାଡ଼ି, ମଧ୍ୟାହ୍ନ ଭୋଜନ ପାଚିକା-ସହାୟିକା ପରି ସରକାରଙ୍କ ବିଭିନ୍ନ ସ୍କିମ୍‌ରେ ନିଯୁକ୍ତ କର୍ମଚାରୀମାନଙ୍କୁ ସରକାର ନିୟମିତ କାମରେ ନିୟୋଜିତ କରିଥିଲେ ବି ସେମାନଙ୍କୁ କର୍ମଚାରୀର ମାନ୍ୟତା ମିଳୁନି କି ସେମାନେ କୌଣସି ଶ୍ରମ ଅଧିକାର ପାଉନାହାନ୍ତି।
ଦେଶର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକମାନଙ୍କର ମଜୁରି ଉପତ୍ାଦନର ମୂଲ୍ୟ ତୁଳନାରେ ହ୍ରାସ ପାଇବାରେ ଲାଗିଛି। ୧୯୮୦ ମସିହାରେ ପ୍ରସ୍ତୁତ ମାଲରେ ଶ୍ରମିକର ମଜୁରିର ଅଂଶଟି ୩୦% ଥିବାବେଳେ ୧୯୯୦ରେ ତାହା ୨୦% ଏବଂ ୨୦୦୮-୦୯ରେ ତାହା ଆହୁରି ହ୍ରାସ ପାଇ ୧୦%ରେ ଯାଇ ପହଞ୍ଚିଛି। ଅଥଚ ସେହି ସମୟ ମଧ୍ୟରେ ମାଲିକର ମୁନାଫା ଆଶାତୀତ ବୃଦ୍ଧି ପାଇଛି। ସରକାରୀ ଓ ବେସରକାରୀ ଉଭୟ କ୍ଷେତ୍ରରେ ବର୍ଷ ବର୍ଷ ଧରି ନିୟମିତ କାମ କରୁଥିବା ଲକ୍ଷ ଲକ୍ଷ ଶ୍ରମିକ-କର୍ମଚାରୀଙ୍କୁ ସିଧାସଳଖ ଓ ସ୍ଥାୟୀ ନିଯୁକ୍ତି ଦେବା ପରିବର୍ତ୍ତେ ଅଧିକ ମୁନାଫା ପାଇଁ କମ୍‌ ପାରିଶ୍ରମିକରେ ଠିକା ଓ ଆଉଟ୍‌ସୋର୍ସିଂରେ ନିଯୁକ୍ତି ଦିଆଯାଉଛି। ବିଭିନ୍ନ କଳକାରଖାନା ଓ ସେବାରେ ଠିକା ଓ ଆଉଟସୋର୍ସିଂରେ ନିଯୁକ୍ତ ଥିବା ଏହି କୋଟି କୋଟି ଶ୍ରମିକ ତଥା କର୍ମଚାରୀ ସ୍ବଳ୍ପ ବେତନ ସହ ସମସ୍ତ ପ୍ରକାର ଶ୍ରମ ଅଧିକାର ଓ ସାମାଜିକ ସୁରକ୍ଷାରୁ ବଞ୍ଚିତ ହୋଇ ଦୟନୀୟ ଜୀବନଯାପନ କରିବାକୁ ବାଧ୍ୟ ହେଉଛନ୍ତି।
ଆଜି ବିଶ୍ୱ ଶ୍ରମିକ ଦିବସ ଏପରି ଏକ ସମୟରେ ହେଉଛି, ଯେତେବେଳେ ବିଶ୍ୱବ୍ୟାପୀ ମୂଲ୍ୟବୃଦ୍ଧି, ବେରୋଜଗାରି, ମଜୁରି ହ୍ରାସ ଏବଂ ଶ୍ରମ ଅଧିକାର ଉପରେ ଆକ୍ରମଣ ପ୍ରକ୍ରିୟାଟି ବଢ଼ିବାରେ ଲାଗିଛି। ନବ-ଉଦାର ଆର୍ଥିକ ନୀତି ଫଳରେ ସମାଜର ସବୁ ମେହନତି ମଣିଷଙ୍କ ଶୋଷଣ ତୀବ୍ର ହେବାରେ ଲାଗିଛି। ସମାଜରେ ଅର୍ଥନୈତିକ ବୈଷମ୍ୟ ବୃଦ୍ଧି ପାଇ ଅଳ୍ପ କିଛି ଧନକୁବେରଙ୍କ ହାତରେ ସମାଜର ଅଧିକାଂଶ ସମ୍ପତ୍ତି ଠୁଳ ହେବାରେ ଲାଗିଛି। ଜାତୀୟ ନମୁନା ସର୍ଭେର ସଦ୍ୟତମ ତଥ୍ୟ ଅନୁଯାୟୀ ଆମ ଦେଶରେ ବର୍ତ୍ତମାନ ବେରୋଜଗାରିର ହାର ଗତ ୪୫ ବର୍ଷ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। କର୍ପୋରେଟ୍‌ମାନଙ୍କୁ ଲକ୍ଷ ଲକ୍ଷ କୋଟିର ରିହାତି ଦିଆଯାଉଥିବା ବେଳେ ସାମାଜିକ କ୍ଷେତ୍ରରେ ସରକାରୀ ବିନିଯୋଗ କମିବାରେ ଲାଗିଛି। ଶ୍ରମିକମାନଙ୍କ ସ୍ବାର୍ଥର ସୁରକ୍ଷା ପାଇଁ ରହିଥିବା କାରଖାନା ଆଇନ, ଶିଳ୍ପ ବିବାଦ ଆଇନ, ଠିକା ଶ୍ରମିକ ଆଇନ ଏବଂ ଶିକ୍ଷାନବୀଶ ଆଇନ ଆଦିକୁ ସଂଶୋଧନ କରିବା ଦିଗରେ ସରକାର ଚେଷ୍ଟା ଚଳାଇଛନ୍ତି। ଶ୍ରମ ଆଇନରେ ପ୍ରସ୍ତାବିତ ଏହି ସଂଶୋଧନଗୁଡ଼ିକ ଶ୍ରମିକ ଶ୍ରେଣୀର ସ୍ବାର୍ଥବିରୋଧୀ। ଏହାଦ୍ୱାରା ମାଲିକମାନେ ଶ୍ରମିକଙ୍କୁ ମନଇଚ୍ଛା କାମରେ ରଖିବା ଓ କାମରୁ ବାହାର କରିବା ସହଜ ହୋଇଯିବ।
ଭାରତ ସମେତ ବିଶ୍ୱର ବିଭିନ୍ନ ଦେଶରେ ଶ୍ରମିକ ଶ୍ରେଣୀ ନିଜର ଅଧିକାର ପାଇଁ ଲଢ଼େଇରେ ସର୍ବଦା ଆଗରେ ରହି ଆସିଛନ୍ତି। ମେ ଦିବସ କେବଳ ଆଠଘଣ୍ଟିଆ ଶ୍ରମ ଦିବସର କଥା କହୁନାହିଁ ବରଂ ପୁଞ୍ଜି ଦ୍ୱାରା ଶ୍ରମର ଶୋଷଣ ବିରୋଧରେ ଅବିରାମ ସଂଘର୍ଷର ଶିକ୍ଷା ଦେଇଆସିଛି। ଅତଏବ ଏହି ମହାନ୍‌ ଦିବସ ଅବସରରେ ସମାଜର ପ୍ରତ୍ୟେକ ଶ୍ରମଜୀବୀ ମଣିଷ ନିଜର ଅର୍ଥନୈତିକ ତଥା ରାଜନୈତିକ ଦାବି ହାସଲ ପାଇଁ ଲଢ଼େଇ କରିବାକୁ ଶପଥ ନେବା ଆବଶ୍ୟକ। ସମାଜରୁ ମଣିଷ ଦ୍ୱାରା ମଣିଷର ଶୋଷଣକୁ ହଟାଇ ତା’ ସ୍ଥାନରେ ଏକ ନ୍ୟାୟପୂର୍ଣ୍ଣ ବିକଳ୍ପ ସମାଜବାଦୀ ବ୍ୟବସ୍ଥାର ନିର୍ମାଣ ପାଇଁ ଲଢ଼େଇରେ ସାମିଲ ହେବା ହିଁ ଅନ୍ତର୍ଜାତୀୟ ଶ୍ରମିକ ଦିବସର ଯଥାର୍ଥ ଆହ୍ବାନ।
bhalachandra.odisha@gmail.com


All Right Reserved By Dharitri.Com

କାହାକୁ କହିବା ସୁଶାସନ

ଶରତ ଚନ୍ଦ୍ର ମିଶ୍ର ମହାଭାରତ ଯୁଦ୍ଧ ସମାପ୍ତ। ପିତାମହ ଭୀଷ୍ମ ଶରଶଯ୍ୟାରେ। ଯୁଧିଷ୍ଠିର ଯାଇ ପ୍ରଶ୍ନ କଲେ- ”ପିତାମହ! ସୁଶାସନ କାହାକୁ କହନ୍ତି?“ ପିତାମହ କହିଲେ-...

ଏଇ ଭାରତରେ

ଦୃଷ୍ଟିବାଧିତ ବରକନ୍ୟାଙ୍କ ବାହାଘର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଥିଲେ ବି ଛତିଶଗଡ଼ର କୋରିଆ ଜିଲାରେ ଜାତିବାଦକୁ ପଛକରି ଅନୁଷ୍ଠିତ ହୋଇଥିବା ନିଆରା ବାହାଘର ଏବେ ଚର୍ଚ୍ଚାର...

ଭାଲେରିଆ, କୁର୍ଦ୍ଦି ଓ ନିଷ୍ଠୁର ବିଶ୍ୱ

ପ୍ରକାଶ ତ୍ରିପାଠୀ ଗତ ଜୁନ୍‌ ୨୫ ତାରିଖ ସକାଳେ ଆମେରିକାବାସୀ ଯେତେବେଳେ ସେ ଦିନର ଖବରକାଗଜକୁ ଖୋଲିଥିବେ ପ୍ରଥମ ପୃଷ୍ଠାରେ ଫଟୋ ସହ ପ୍ରକାଶ ପାଇଥିବା...

କେତେ ଜରୁରୀ ଭିଆଇପି ସୁରକ୍ଷା

ଶରତ ଚନ୍ଦ୍ର ମିଶ୍ର ଖଲିସ୍ଥାନ ଆନ୍ଦୋଳନ, ମାଓବାଦ, ଆତଙ୍କବାଦ ଓ ଦେଶରେ ହିଂସାର ବାତାବରଣ ହେତୁ, ନେତାମାନଙ୍କର ସୁରକ୍ଷା ବର୍ତ୍ତମାନ ଦେଶର ଏକ ବଡ଼ ଦାୟିତ୍ୱ।...

ଏଇ ଭାରତରେ

ନିଶାଦ୍ରବ୍ୟ ସେବନ ଖରାପ ଅଭ୍ୟାସ। ଏହି ବଦଭ୍ୟାସଠାରୁ ଦୂରେଇ ରହିଛନ୍ତି ଗୋଟିଏ ଗଁ।ର ବାସିନ୍ଦା। ହରିୟାଣାର ଶେଷ ମୁଣ୍ଡରେ ରାଜସ୍ଥାନକୁ ଲାଗିଥିବା ଗାଁ ହେଉଛି ଟିକଲା।...

ନିର୍ବାଚନ ସଂସ୍କାର

ଶରତ ଚନ୍ଦ୍ର ମିଶ୍ର ସପ୍ତଦଶ ଲୋକ ସଭା ନିର୍ବାଚନ ନିର୍ବାଚନ କମିଶନ, ନିର୍ବାଚନ ଅଧିକାରୀ, ରାଜ୍ୟ ପୋଲିସ ଓ ଅର୍ଦ୍ଧସାମରିକ ବାହିନୀଙ୍କ ନିଷ୍ଠା ଓ କର୍ତ୍ତବ୍ୟ...

ପୋଖରୀ ତୁଠ

ଡା. ବାସୁଦେବ ପ୍ରଧାନ ଆମ ପିଲାବେଳେ ଗାଁଲୋକେ ସମସ୍ତେ ପୋଖରୀରେ ଗାଧାନ୍ତି। କାଁ ଭାଁ କୂଅ ଥାଏ ଗାଁରେ। କୂଅପାଣି କେବଳ ରୋଷେଇବାସ ଓ ପିଇବା...

ଏଇ ଭାରତରେ

କରୋନା ମହାମାରୀ ଏବେ ସାରା ବିଶ୍ୱରେ ଆତଙ୍କ ଖେଳାଇଚାଲିଛି। ଭାରତରେ ଏହାର ମୁକାବିଲା କରିବା ଲାଗି ସରକାର ଲକ୍‌ଡାଉନ ଘୋଷଣା କରିଛନ୍ତି। ତଥାପି କରୋନା ସଂକ୍ରମଣ...

Leave a comment

Your email address will not be published. Required fields are marked *