ନିଦାଘ ଓ ଜଳକଷ୍ଟ

ଅଲେଖ ଚନ୍ଦ୍ର ସାମଲ
ଉପକୂଳ ଓଡ଼ିଶାରୁ ଆରମ୍ଭ କରି ରାଜ୍ୟର ପଶ୍ଚିମାଞ୍ଚଳ, ଦକ୍ଷିଣର ପାହାଡ଼ିଆ ଇଲାକା ପର୍ଯ୍ୟନ୍ତ ସବୁଠି ପିଇବା ପାଣି ପାଇଁ ଲୋକେ ଡହଳବିକଳ ହେବାର ଦେଖାଯାଉଛି। ଖରାର ତାତି ଯେତିକି ବଢ଼ୁଛି, ଜଳକ୍ଳିଷ୍ଟ ଅଞ୍ଚଳରେ ପାନୀୟ ଜଳକଷ୍ଟ ସେତିକି ଉତ୍କଟ ହେବାରେ ଲାଗିଛି। ରାଜ୍ୟର କେତେକ ସ୍ଥାନରେ ପାଣି ମୁନ୍ଦିଏ ପାଇଁ ମହିଳାଙ୍କୁ ତିନିରୁ ପାଞ୍ଚ କିଲୋମିଟର ପର୍ଯ୍ୟନ୍ତ ଦୂର ସ୍ଥାନକୁ ଯିବାକୁ ପଡ଼ୁଛି। କେଉଁଠି ପାନୀୟ ଜଳର ଆଦୌ ବ୍ୟବସ୍ଥା ନାହିଁ ତ ଆଉ କେଉଁଠି ବ୍ୟବସ୍ଥା ଥିଲେ ମଧ୍ୟ ତାହା କାର୍ଯ୍ୟକ୍ଷମ ଅବସ୍ଥାରେ ନାହିଁ। ସରକାରୀ ରେକର୍ଡ ଅନୁଯାୟୀ ଗ୍ରାମାଞ୍ଚଳର ନଳକୂପ, ଷ୍ଟାଣ୍ଡପୋଷ୍ଟ ସମେତ ପ୍ରାୟ ୩ଲକ୍ଷ ୧୨ ହଜାର ୨୮୧ଟି ୱାଟର ସ୍ପଟ୍‌ ରହିଛି। ସେଥିରୁ ଏବେ ବହୁ ସଂଖ୍ୟକ ଅଚଳ, ବ୍ୟବହାର ଅନୁପଯୋଗୀ। କେଉଁଠି ନଳକୂପ ଭାଙ୍ଗି ଅଚଳ ହୋଇପଡ଼ିଛି ତ ଆଉ କେଉଁଠି ଭୂତଳ ଜଳସ୍ତର କମି ଯାଇଥିବାରୁ ନଳକୂପରୁ ପାଣି ବାହାରୁ ନାହିଁ। ଆଉ କେଉଁଠି ପାଇପ୍‌ ଜଳ ଯୋଗାଣ ବ୍ୟବସ୍ଥା ଥିଲେ ସୁଦ୍ଧା ତାହା କାର୍ଯ୍ୟକ୍ଷମ ଅବସ୍ଥାରେ ନାହିଁ। ପାଇପ୍‌ ଖୋଲିଲେ ପାଣି ବଦଳରେ ସଁ ସଁ ହୋଇ ପବନ ବାହାରୁଛି। ବହୁ ସଂଖ୍ୟକ ଗାଁରେ ପାନୀୟ ଜଳର ମୁଖ୍ୟ ଉତ୍ସ କୂଅଗୁଡ଼ିକ ଶୁଖିଯିବା ଫଳରେ ସମସ୍ୟା ଦେଖାଦେଉଛି। ପାନୀୟ ଜଳର ଏ ଉତ୍କଟ ସମସ୍ୟା ଭିତରେ ବିଶୁଦ୍ଧ ପାନୀୟ ଜଳ ସମସ୍ୟା ଲୁଚି ଯାଉଛି। କିନ୍ତୁ ପାନୀୟ ଜଳ ସମସ୍ୟାଠାରୁ ବିଶୁଦ୍ଧ ପାନୀୟ ଜଳ ସମସ୍ୟା ଅଧିକ ଗୁରୁତର, ଯାହାଫଳରେ ବିପଜ୍ଜନକ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେବା ଆଶଙ୍କା ରହିଛି।
ତେବେ ଚଳିତ ବର୍ଷ ଦେଖାଦେଇଥିବା ଏ ପାନୀୟ ଜଳାଭାବ ଏକ ବ୍ୟତିକ୍ରମ ନୁହେଁ। ପ୍ରାୟ ପ୍ରତିବର୍ଷ ରାଜ୍ୟରେ ନିଦାଘ ଗ୍ରୀଷ୍ମ ତା’ ସହ ପାନୀୟ ଜଳ ସମସ୍ୟାକୁ ସାଥିରେ ନେଇ ଆସେ। ପ୍ରତିବର୍ଷ ଏହାର ନିରାକରଣ ପାଇଁ ପଦକ୍ଷେପ ଘୋଷଣା କରାଯାଏ, ଅଥଚ ପରବର୍ତ୍ତୀ ବର୍ଷ ପୁଣି ସମସ୍ୟାର ପୁନରାବୃତ୍ତି ହୁଏ। ବିଡ଼ମ୍ବନାର ବିଷୟ ହେଲା, ପାନୀୟ ଜଳ ଯୋଗାଣ ପାଇଁ ଅନେକ ଯୋଜନା ଚାଲିଥିବା ଦାବି କରାଯାଉଛି, କିନ୍ତୁ ଅବସ୍ଥାରେ ଉନ୍ନତି ହେବା ପରିବର୍ତ୍ତେ ସ୍ଥିତି ଅଧିକ ବିଗିଡ଼ି ଚାଲିଛି। ଏ ସନ୍ଦର୍ଭରେ ଜନଗଣନା ରିପୋର୍ଟର ତଥ୍ୟକୁ ଉଦ୍ଧାର କରାଯାଇପାରେ। ପାନୀୟ ଜଳ ସ୍ଥିତି ନେଇ ୨୦୦୧ ଏବଂ ୨୦୧୧ ଜନଗଣନା ରିପୋର୍ଟର ତୁଳନାତ୍ମକ ବିଶ୍ଳେଷଣ କଲେ ସ୍ଥିତିରେ ଅବନତି ସ୍ପଷ୍ଟ ଜଣାପଡ଼େ। ଦଶବର୍ଷ ତଳେ ରାଜ୍ୟର ୩୦.୮ ପ୍ରତିଶତ ପରିବାରକୁ ନିଜ ଘରଠାରୁ ୫୦୦ ମିଟରରୁ ଅଧିକ ଦୂରକୁ ଯାଇ ପାଣି ଆଣିବାକୁ ପଡ଼ୁଥିଲା। ୨୦୧୧ ବେଳକୁ ନିଜ ଘରୁ ୫୦୦ ମିଟରରୁ ଅଧିକ ଦୂର ଯାଇ ପାଣି ଆଣୁଥିବା ପରିବାରଙ୍କ ଭାଗ ୩୫.୪ ପ୍ରତିଶତକୁ ବୃଦ୍ଧି ପାଇଛି। ସଂଖ୍ୟା ଦୃଷ୍ଟିରୁ ଦେଖିଲେ ୨୦୦୧ରେ ରାଜ୍ୟର ୩୦ ଲକ୍ଷ ୪୪ ହଜାର ୮୮୪ ପରିବାର ୫୦୦ ମିଟର କିମ୍ବା ତା’ଠାରୁ ଅଧିକ ଦୂରରୁ ପାନୀୟ ଜଳ ସଂଗ୍ରହ କରୁଥିବା ପରିବାରଙ୍କ ସଂଖ୍ୟା ୪୪ ଲକ୍ଷ ୧୬ ହଜାର ୬୮୬କୁ ବୃଦ୍ଧି ପାଇଛି। ଜନଗଣନା ରିପୋର୍ଟର ଏହି ତଥ୍ୟ ସ୍ବତଃ ପାନୀୟ ଜଳ ସମସ୍ୟା ସୁଧୁରିବା ପରିବର୍ତ୍ତେ ଅଧିକ ଗୁରୁତର ହୋଇଥିବାର ଦୁଃଖଦ ସୂଚନା ଦେଉଛି। ବର୍ତ୍ତମାନ ବି ରାଜ୍ୟର ମାତ୍ର ୨୨.୪ ପ୍ରତିଶତ ପରିବାର ପାଇଁ ନିଜ ଘର ପରିସରରେ ପାନୀୟ ଜଳର ବ୍ୟବସ୍ଥା ଥିବା ବେଳେ ଅବଶିଷ୍ଟ ୭୭ ପ୍ରତିଶତ ପରିବାରକୁ ପାଣି ପାଇଁ ଘରୁ ବାହାରକୁ ଯିବାକୁ ପଡ଼େ। ଖୋଦ ରାଜ୍ୟ ସରକାରଙ୍କ ତଥ୍ୟ ଅନୁଯାୟୀ ୪୬ ହଜାର ୭୩୨ଟି ଗ୍ରାମ ଅନ୍ତର୍ଗତ ମୋଟ ୧ଲକ୍ଷ ୪୧ ହଜାର ୯୨୮ଟି ଜନବସତି ମଧ୍ୟରୁ ୮୧,୮୧୨ଟି ଜନବସତି ପାଇଁ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି। ଏହାର ଅର୍ଥ ହେଲା ବର୍ତ୍ତମାନ ବି ପ୍ରାୟ ୪୦ ପ୍ରତିଶତ ଜନବସତି ଜଳକ୍ଳିଷ୍ଟ। ଏହାହିଁ ରାଜ୍ୟର ପାନୀୟ ଜଳ ସମସ୍ୟାର ଉତ୍କଟ ରୂପର ଦୁଃଖଦ ଚିତ୍ର ପ୍ରଦାନ କରୁଛି। ଯଦି ସାଧାରଣ ଭାବେ ପାନୀୟ ଜଳ ଯୋଗାଣର ସ୍ଥିତି ଏହା, ଗ୍ରୀଷ୍ମରେ ସମସ୍ୟା ଅଧିକ ଗୁରୁତର ହେବା ସ୍ବାଭାବିକ। ଏହା କେବଳ ପାନୀୟ ଜଳ ଭଳି ମୌଳିକ ଆବଶ୍ୟକତା ପୂରଣ କ୍ଷେତ୍ରରେ ବିଫଳତାର ସୂଚନା ଦେଉନାହିଁ, ସାମଗ୍ରିକ ଭାବେ ବିକାଶ ଓ ପ୍ରଗତି ନେଇ ଦାବି କେତେ ଫମ୍ପା ଓ ଅନ୍ତଃସାରଶୂନ୍ୟ ତାହାର ମଧ୍ୟ ଦୁର୍ଭାଗ୍ୟଜନକ ଇଙ୍ଗିତ ଦେଉଛି।
ଉଲ୍ଲେଖ ନିଷ୍ପ୍ରୟୋଜନ ଯେ, ଏହି ମୌଳିକ ଆବଶ୍ୟକତା ପୂରଣ ପାଇଁ ନିଷ୍ଠା ଓ ଆନ୍ତରିକତାର ସହ ତ୍ୱରାନ୍ବିତ ପଦକ୍ଷେପ ନିଆଯିବା ଏକାନ୍ତ ଜରୁରୀ। ପାନୀୟ ଜଳ ବ୍ୟବସ୍ଥା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଭିଜନ୍‌ ପ୍ରସ୍ତୁତ କରାଯାଇଛି। ଏହି ଯୋଜନା ଅଧୀନରେ ରାଜ୍ୟର ସବୁ ଅଞ୍ଚଳକୁ ଫ୍ଲୋରୋସିସ୍‌ମୁକ୍ତ ବିଶୁଦ୍ଧ ପାନୀୟ ଜଳ ଯୋଗାଣର ଲକ୍ଷ୍ୟ ରଖାଯାଇଛି। ପ୍ରତି ବ୍ଲକ୍‌ରେ ୧୬ଶହଟି ନଳକୂପ ଏବଂ ୫୮ଟି ପାଇପ୍‌ ଜଳ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଯୋଜନା ରହିଛି। ତେବେ ଏହାର କାର୍ଯ୍ୟକାରିତା କ୍ଷେତ୍ରରେ ଉଦାସୀନତା ଫଳରେ ଲକ୍ଷ୍ୟ ହାସଲ ନେଇ ସନ୍ଦେହ ଦେଖାଦେଇଛି। ଏହାଛଡ଼ା ତ୍ରୟୋଦଶ ଅର୍ଥ କମିଶନ ପାନୀୟ ଜଳ, ପରିମଳ ପାଇଁ ସ୍ବତନ୍ତ୍ର ଭାବେ ୨,୭୫୬ କୋଟି ଟଙ୍କାର ଅନୁଦାନ ମଞ୍ଜୁର କରିଥିଲେ ସୁଦ୍ଧା ଏହାର ବିନିଯୋଗ ଆଦୌ ଉତ୍ସାହଜନକ ନୁହେଁ। ସାମ୍ପ୍ରତିକ ପାନୀୟ ଜଳ ସମସ୍ୟାର ମୁକାବିଲା ସରକାରୀ କଳ ପାଇଁ ଏକ ବଡ଼ ଆହ୍ବାନ। ଏଥିପାଇଁ ଉଭୟ ସ୍ବଳ୍ପମିଆଦୀ ଏବଂ ଦୀର୍ଘମିଆଦୀ ପଦକ୍ଷେପ ନିଆଯିବାର ଆବଶ୍ୟକତା ରହିଛି। ପ୍ରଥମେ ସ୍ବଳ୍ପମିଆଦୀ ପଦକ୍ଷେପ ସ୍ବରୂପ ଯୁଦ୍ଧକାଳୀନ ଭିତ୍ତିରେ ଅନେକ ନଳକୂପର ମରାମତି କରାଯାଇ ସେଗୁଡ଼ିକୁ କାର୍ଯ୍ୟକ୍ଷମ କରାଯାଉ, ଦୂଷିତ ହୋଇ ଯାଇଥିବା ଜଳଉତ୍ସଗୁଡ଼ିକର ବିଶୁଦ୍ଧୀକରଣ ଏବଂ ଜଳକ୍ଳିଷ୍ଟ ଅଞ୍ଚଳରେ ନୂତନ ଗଭୀର ନଳକୂପ ଖନନ ପାଇଁ ଜରୁରୀ ପଦକ୍ଷେପ ଗ୍ରହଣ କରାଯାଉ। ଦୀର୍ଘମିଆଦୀ ପଦକ୍ଷେପ ସ୍ବରୂପ ପାନୀୟ ଜଳ ଯୋଗାଣ ନେଇ ପ୍ରସ୍ତୁତ ଭିଜନ୍‌ ଏବଂ ଅନ୍ୟ ଯୋଜନାଗୁଡ଼ିକର ରୂପାୟନକୁ ତ୍ୱରାନ୍ବିତ କରାଯାଉ। ଅନ୍ୟଥା ଆସନ୍ତା ବର୍ଷ ପୁଣି ଗ୍ରୀଷ୍ମ ଆସିବ ଓ ତାହା ସହ ନେଇ ଆସିବ ଉତ୍କଟ ପାନୀୟ ଜଳକଷ୍ଟ।
ସହକାରୀ ବନ ସଂରକ୍ଷକ, ରାୟଗଡ଼ା ବନ୍ୟ ଡିଭିଜନ, ରାୟଗଡ଼ା, ମୋ-୯୪୩୭୨୫୭୧୨୩


All Right Reserved By

ସମ୍ପାଦକୀୟ/ ସମାଧାନକାରୀ ନୁହେଁ, ସୃଷ୍ଟିକର୍ତ୍ତା

ସାଧାରଣ ନିର୍ବାଚନ ୨୦୧୯ର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଏପ୍ରିଲ ୧୮ରେ ଅନୁଷ୍ଠିତ ହେବାକୁ ଯାଉଛି। ସମଗ୍ର ଦେଶରେ ଦିନକୁ ଦିନ ପ୍ରଚାର ଅଭିଯାନ ଜୋରଦାର...

ଆଭ୍ୟନ୍ତରୀଣ କନ୍ଦଳର କ୍ଷତ

ଆକାର ପଟେଲ ଗତ ୨୦ ବର୍ଷ ଭିତରେ ଆଭ୍ୟନ୍ତରୀଣ କନ୍ଦଳରେ ଭାରତରେ ଯେତିକି ସୈନିକ ମରିଛନ୍ତି, ତାହା ୧୯୬୨ ଚାଇନା ଯୁଦ୍ଧରେ ଶହୀଦ ହୋଇଥିବା ସୈନିକ...

ବ୍ୟକ୍ତିଗତ ପ୍ରସଙ୍ଗ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ୨୦୧୪ରେ ମୋଦି ସରକାର ନିଷ୍ପତ୍ତି ନେଇଥିଲେ ଯେ ପ୍ରଶାସନିକ ବାବୁମାନେ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ (ପିଏସ୍‌) ଓ ସ୍ବତନ୍ତ୍ର ଡ୍ୟୁଟି...

ବଡ଼ ଲୋକଙ୍କୁ ଉତ୍ତର ନାହିଁ

ବୈକୁଣ୍ଠନାଥ ମିଶ୍ର ଘଞ୍ଚ ଜଙ୍ଗଲ ମଧ୍ୟରେ ସୁଉଚ୍ଚ ପାହାଡ଼। ପାହାଡ଼ରୁ କଳକଳ ନାଦ କରି ବହିଆସୁଛି ଚିର ଚଞ୍ଚଳ ଝରଣା। ବନ୍ୟଜନ୍ତୁଙ୍କ ତୃଷା ନିବାରଣର ଏକ...

କୁତ୍ସିତ ବୃତ୍ତି

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ଏ ପୃଥିବୀରେ ଯେତେ ସର୍ଭେ କରାଯାଇଛି, ସେଥିରୁ ଜଣାପଡ଼ିଛି ଯେ ନାଳନର୍ଦ୍ଦମା ସଫାକରିବା, ବିଶେଷକରି ପ୍ରାଣୀ (ଗାଈ, ଘୁଷୁରି, କୁକୁଡ଼ା...

ଭାରତଛାଡ଼ ଆନ୍ଦୋଳନ ଓ ରକ୍ତତୀର୍ଥ ଇରମ୍‌

ଡ. ପ୍ରଫୁଲ୍ଲ କୁମାର ସାହୁ ଅଗଷ୍ଟ ବିପ୍ଳବ ଆମ ସ୍ବାଧୀନତା ସଂଗ୍ରାମ ଇତିହାସରେ ଏକ ଯୁଗାନ୍ତକାରୀ ଅଧ୍ୟାୟ। ୧୯୪୨ ଅଗଷ୍ଟ ୮ ତାରିଖ ବମ୍ବେର ଗ୍ବାଲିୟର...

ଏଇ ଭାରତରେ

କଥାରେ ଅଛି-‘ରଖେ ହରି, ମାରେ କିଏ?’ ଏହି ଆପ୍ତବାକ୍ୟଟି ସତ୍ୟରେ ପରିଣତ ହୋଇଛି ଜଣେ ୭ବର୍ଷର ବାଳିକା କ୍ଷେତ୍ରରେ। ତେଲେଙ୍ଗାନାର ମକଥଲ୍‌ ଅଞ୍ଚଳର ଏହି ବାଳିକାଟି...

ଏଇ ଭାରତରେ

ମା’ ଛେଉଣ୍ଡ ନବଜାତ ଶିଶୁକନ୍ୟାକୁ ପୋଷ୍ୟ ଭାବେ ଗ୍ରହଣ କରି ସ୍ତନ୍ୟପାନ କରାଇଲେ ବିଚାରପତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବେଟି ବଚାଓ ବେଟି ପଢ଼ାଓ ଅଭିଯାନ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *