ବୌଦ୍ଧତନ୍ତ୍ରରେ ଦାରୁଦିଅଁ

ଡ. ଭାଗ୍ୟଲିପି ମଲ୍ଲ
ଜଗନ୍ନାଥ ଦାରୁଦେବତା। କାଠରେ ଗଢ଼ା ତାଙ୍କ ଦେହ। ପୁଣି ବିଶ୍ୱାବସୁ ଶବର ପୂଜିତ ଠାକୁର। ତେଣୁ ପ୍ରଥମତଃ ସେ ବନବାସୀ ମଣିଷଙ୍କ ଦିଅଁ। ପ୍ରାଚୀନ ଓଡି଼ଶା ଥିଲା ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଏବଂ ଆଦିବାସୀମାନେ ମୁଖ୍ୟତଃ ପ୍ରକୃତି ପୂଜକ। ଶାସ୍ତ୍ରଭାଷାରେ ସେମାନଙ୍କୁ ଆମେ ଶକ୍ତି ଉପାସକ କହିପାରିବା। ତେବେ ଶାକ୍ତ ସାଧନାର ଭିତ୍ତିଭୂମି ତନ୍ତ୍ର। ତେଣୁ ତନ୍ତ୍ର ସେମାନଙ୍କର ଅତି ପ୍ରିୟ।
ଓଡ଼ିଶାରେ ମୁଖ୍ୟତଃ ତନ୍ତ୍ରର ତିନୋଟି ଧାରା ଦେଖିବାକୁ ମିଳେ। ଆଦିବାସୀତନ୍ତ୍ର, ବୌଦ୍ଧତନ୍ତ୍ର ଓ ହିନ୍ଦୁତନ୍ତ୍ର। ଓଡ଼ିଶା ଆଦିବାସୀବହୁଳ ରାଜ୍ୟ ହୋଇଥିବାରୁ ଆଦିବାସୀତନ୍ତ୍ରର ପ୍ରାବଲ୍ୟ ଏଠାରେ ରହିବା ସ୍ବାଭାବିକ। ଅଣସର ଘରେ ଦିଅଁମାନଙ୍କୁ ଜ୍ୱର ହେବା ଏବଂ ଜ୍ୱରର ନିରାକରଣ ପଦ୍ଧତି ଜଡିବୁଟି ଇତ୍ୟାଦି ଆଦିବାସୀତନ୍ତ୍ରର ପ୍ରଭାବ ନିଶ୍ଚୟ। ଜଡ଼ିବୁଟି, ଗୁଣିଗାରେଡି଼, ଶକ୍ତିସାଧନା ଆଦିବାସୀତନ୍ତ୍ରର ମୂଳ ଉପାଦାନ। ମାତ୍ର ଏହି ଆଦିବାସୀ ତନ୍ତ୍ର କେତେବେଳେ ଓ କିପରି ବୌଦ୍ଧତନ୍ତ୍ରକୁ ସଂକ୍ରମିତ ହେଲା, ତାହା ହିଁ ଅନୁସଂଧେୟ।
ବୌଦ୍ଧଧର୍ମ ଗୌତମ ନାମକ ଜଣେ ରାଜପୁତ୍ରର ସାଧନାର ସାରକଥା। ସଂସାର ଦୁଃଖପୂର୍ଣ୍ଣ, କାମନା ହିଁ ଦୁଃଖର କାରଣ ଏବଂ କାମନାର ବିନାଶରେ ଦୁଃଖର ବିନାଶ। ଏବଂ ନିର୍ବାଣପ୍ରାପ୍ତି ହିଁ ମଣିଷର ଏକମାତ୍ର କାମନା ଥିଲା ସେହି ରାଜପୁତ୍ରଙ୍କର ବାଣୀ। ସମକାଳର ବ୍ରାହ୍ମଣ୍ୟବାଦ ଓ ଭୋଗମତ୍ତ କ୍ଷମତାକୁ ଏହା ଆହତ କରିଛି। ପ୍ରତିବାଦର ସ୍ବର ତୀବ୍ର ହୋଇଛି। ମାତ୍ର ବୁଦ୍ଧଙ୍କ କଥା ସାଧାରଣ ଜନତାଙ୍କୁ ଏତେ ପ୍ରଭାବିତ କରିଛି ଯେ, କ୍ଷମତା ବାଧ୍ୟ ହୋଇଛି ବୁଦ୍ଧଙ୍କୁ ସ୍ବୀକାର କରିବାକୁ। ଶେଷରେ ରାଜପୃଷ୍ଠପୋଷକତା ଲାଭ କରିଛି ବୌଦ୍ଧଧର୍ମ। ସାଧାରଣ ମଣିଷର ବିଶ୍ୱାସ ମିଶିଯାଇଛି ବୌଦ୍ଧଧର୍ମରେ।
ମାତ୍ର କଥା ହେଉଛି ସମକାଳରେ ସାଧାରଣ ମଣିଷର ଜୀବନ ବହୁ ବିଶ୍ୱାସ ଦ୍ୱାରା ନିୟନ୍ତ୍ରିତ ଏବଂ ସବୁ ବିଶ୍ୱାସର ମୂଳ ଆଧାର ଶାକ୍ତବିଚାର। ଶାକ୍ତବିଚାର କହେ- ସମଗ୍ର ବ୍ରହ୍ମାଣ୍ଡ ମାତୃଶକ୍ତି ଦ୍ୱାରା ପରିଚାଳିତ। ଯିଏ ସମ୍ମୋହନ, ଜନ୍ମ, ଜୀବନ, ମରଣ ଓ ପୁନର୍ଜନ୍ମର କାରଣ। ତେଣୁ ଯେଉଁ ବୌଦ୍ଧଧର୍ମ ଦିନେ ନିର୍ବାଣର କଥା କହୁଥିଲା, ସେହି ବୌଦ୍ଧଧର୍ମ ଶାକ୍ତବିଚାର ସହ ସନ୍ଧି କରିବାକୁ ବାଧ୍ୟହେଲା। ଅର୍ଥାତ୍‌ ସନାତନ ଧର୍ମର ଯେତେ ଶାଖାପ୍ରଶାଖା- ସବୁକୁ ଆଚ୍ଛନ୍ନକରି ରଖିଲା ଶକ୍ତିଙ୍କ ଅପ୍ରତିହତ ସମ୍ମୋହନ।
ସପ୍ତମ-ଅଷ୍ଟମ ଶତାବ୍ଦୀ ବେଳକୁ ବୌଦ୍ଧଧର୍ମ ଦୁଇଟି ଶାଖାରେ ବିଭକ୍ତ ହୋଇଗଲା। ବଜ୍ରଯାନ ଓ ସହଜଯାନ। ବଜ୍ରଯାନର ପ୍ରବର୍ତ୍ତକ ସମ୍ବଳକ (ବର୍ତ୍ତମାନର ସମ୍ବଲପୁର)ର ରାଜା ଇନ୍ଦ୍ରଭୂତି ଓ ସହଜଯାନର ପ୍ରବର୍ତ୍ତିକା ତାଙ୍କ ଭଉଣୀ, ସୋନପୁରର ରାଜବଧୂ ଲକ୍ଷ୍ମୀଙ୍କରା। ଇନ୍ଦ୍ରଭୂତିଙ୍କ ‘ଜ୍ଞାନସିଦ୍ଧି’ କହେ ବୁଦ୍ଧଙ୍କ ଭିତରେ ଜଗନ୍ନାଥ ଚେତନାର କଥା। ”ପ୍ରଣିପତ୍ୟ ଜଗନ୍ନାଥ ସର୍ବଜୀନ ବରାର୍ଚ୍ଚିତମ୍‌; ସର୍ବ ବୁଦ୍ଧମୟଂ ସିଦ୍ଧି ବ୍ୟାପିନଂ ଗଗନୋପମ୍‌“। ଠିକ୍‌ ପରେ ପରେ ଲକ୍ଷ୍ମୀଙ୍କରାଙ୍କର ‘ଅଦେୟସିଦ୍ଧି’ର ସହଜଯାନ ଲୋକପ୍ରିୟତାକୁ ଛୁଇଁଲା। ତାଙ୍କ ଦର୍ଶନ ସହଜରୁ ସହଜାତୀତ ଓ ପୁଣି ସହଜ ହୋଇଯିବାର ଏକ ଯାତ୍ରା। ଏହି ଯାତ୍ରାର ଯାତ୍ରୀ ହେଲେ ବହୁ ସାଧାରଣ ମଣିଷ। ସେମାନଙ୍କ ଚେତନାରେ ସହଜଯାନର ତନ୍ତ୍ର। ତନ୍ତ୍ର କହିଲେ, ଯାହା ଜୀବ-ଜୀବ ମଧ୍ୟରେ ପରସ୍ପର ପ୍ରତି ସମ୍ମୋହନର ଭାବ ସୃଷ୍ଟିକରେ। ସମ୍ମୋହନରୁ କାମନା, କାମନାରୁ ସର୍ଜନା ଏବଂ ସର୍ଜନାରୁ ମହାମୁକ୍ତି ହେଉଛି ସହଜତନ୍ତ୍ର। ଅର୍ଥାତ୍‌ ଜୀବ ଓ ଭୋଗର ପୂର୍ଣ୍ଣ ଆତ୍ମସମର୍ପଣଭାବ ହିଁ ଏହାର ମୂଳସୂତ୍ର। ଦାର୍ଶନିକ ପରିଭାଷା ଏହାକୁ କହେ- ସ୍ତମ୍ଭନ, ମୋହନ, ଉଚ୍ଚାଟନ, ବଶୀକରଣ ମାଧ୍ୟମ ଦେଇ ତୂରୀୟଗତି ପ୍ରାପ୍ତି।
ମାତ୍ର ଦାରୁଦିଅଁ ସକଳ ସନାତନ ଚେତନାର ସମନ୍ବିତ ରୂପ। ସେ ବୈଷ୍ଣବ, ଶାକ୍ତ, ଶୈବ, ଗାଣପତ୍ୟ, ମହାଜୀନ ଓ ବୌଦ୍ଧମନ୍ତ୍ରରେ ଦୀକ୍ଷିତ। ବିଚିତ୍ର ତାଙ୍କର ରୂପ। କଳାମୁହଁ, ଚକାଆଖି, ନାଲିଓଠ। ନାକରେ ଫୁଲର ଗୁଣା, ମଥାରେ ପାଟ ଓଢ଼ଣା। ସେ ପୁରୁଷ ନା ନାରୀ? କେଉଁ ରୂପରେ ତାଙ୍କୁ ଆମେ ଦେଖିବା। ସେ ମହାତାନ୍ତ୍ରିକ ନା ମହାମାନ୍ତ୍ରିକ ନା ଉଭୟର ଏକ କଳାରୂପ? ତାଙ୍କ ସ୍ଥିର ଚକାଆଖି ତ ସକଳ ଜଗତକୁ ସମ୍ମୋହିତ କରି ରଖିଛି। ତାଙ୍କର ଏ ବିଚିତ୍ର ରୂପରେ ଆଦିଶକ୍ତିର ମହାଭାବ ହିଁ ପ୍ରତୀକାୟିତ। ଶାକ୍ତ ଦର୍ଶନ କହେ- ଜଗନ୍ନାଥ ଶକ୍ତି ଦ୍ୱାରା ନିୟନ୍ତ୍ରିତ ନୁହନ୍ତି, ବରଂ ଶକ୍ତିଙ୍କର ମୁଗ୍ଧ ପ୍ରତିରୂପ। ତେଣୁ ‘ମହାନିର୍ବାଣତନ୍ତ୍ର’ରେ ସେ ସ୍ବୟଂ ଦକ୍ଷିଣକାଳିକା। ପ୍ରକୃତି ସ୍ବରୂପା। ପୁଣି ଶ୍ରୀମନ୍ଦିରରେ ବିମଳା ମହାଭୈରବୀ ଓ ଜଗନ୍ନାଥ ଭୈରବ ଭାବରେ ପୂଜା ପାଉଛନ୍ତି। ଶ୍ରୀଜଗନ୍ନାଥଙ୍କୁ ଦୁଇଟି ତାନ୍ତ୍ରିକ ଶବ୍ଦ ‘କାଳଚକ୍ର’ ଓ ‘କାଳତତ୍ତ୍ୱ’ରେ ଉଚ୍ଚାରଣ କରାଯାଏ।
ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା- ବୌଦ୍ଧଧର୍ମର ‘ତ୍ରିମୟ’ ଭାବରେ ଗୃହୀତ। ବୁଦ୍ଧ, ଧର୍ମ, ସଂଘ। ସୁଦର୍ଶନ ଚକ୍ରର ପ୍ରତୀକ। ନାଲି ଓ କଳା ରଙ୍ଗ ତନ୍ତ୍ର ସାଧନାର ରଙ୍ଗ। ଜଗନ୍ନାଥଙ୍କ କଳାମୁହଁ, ନାଲି ଓଠ ତନ୍ତ୍ରଦର୍ଶନକୁ ସୂଚାଏ। ଜଗନ୍ନାଥଙ୍କ ଗଳାରେ ଫୁଲମାଳ ଦିଆଯାଏ ନାହିଁ, ବୁଦ୍ଧଙ୍କ ଗଳାରେ ଫୁଲମାଳ ଦିଆଯାଏ ନାହିଁ। ରତ୍ନସିଂହାସନ ଉପରେ ଚତୁର୍ଦ୍ଧାମୂର୍ତ୍ତି ଶାକ୍ତଯନ୍ତ୍ର ଉପରେ ଅଧିଷ୍ଠିତ ଥିବା କୁହାଯାଏ। ଜଗନ୍ନାଥ ଧର୍ମର ଶେଷକଥା ମୋକ୍ଷ ବା ମୁକ୍ତିପ୍ରାପ୍ତି। ଜଗନ୍ନାଥଙ୍କୁ ପାଇବାର ମାର୍ଗ ପ୍ରେମମାର୍ଗ। ପ୍ରେମ ହିଁ ସହଜମାର୍ଗ। ବୌଦ୍ଧତନ୍ତ୍ରର ମୂଳମନ୍ତ୍ର। ତନ୍ତ୍ରରେ ଭାବ ଏକ ପ୍ରଧାନ ଅଙ୍ଗ ଏବଂ ଭାବ ଦ୍ୱାରା ମୁକ୍ତିପ୍ରାପ୍ତି ସମ୍ଭବ। ଆମ ଦାରୁଦେବତା ଭାବର ଠାକୁର।
ମୋ-୯୪୩୯୨୮୧୫୬୧


All Right Reserved By Dharitri.Com

ସମ୍ପାଦକୀୟ/ସ୍ଥିରତା ଲୋଡ଼ା

ନିକଟରେ ଦେଶର ୨୦୦ରୁ ଊର୍ଦ୍ଧ୍ୱ ଜିଲାରେ ବ୍ୟାଙ୍କ ପକ୍ଷରୁ ଋଣମେଳା ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ୧୪ ଅକ୍ଟୋବରରେ ତଥ୍ୟ ଦେଇଛନ୍ତି ଯେ,...

ଜାଣିବା କଥାରୁ କିଛି

ଡ. ଶରତ ଚନ୍ଦ୍ର ରଥ ଜ୍ଞାନର ଦିଗ୍‌ବଳୟ ଅତ୍ୟନ୍ତ ପ୍ରଶସ୍ତ। ଯେତେ ଜାଣିଲେ ବି ଜାଣିବା ସରେ ନାହିଁ। ତେଣୁ ତ କୁହାଯାଇଛି ସତ୍ୟଂ ଜ୍ଞାନମନନ୍ତମ୍‌।...

କାହା ଦୁଃଖର କାରଣ ହୁଅନା

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ଅନେକ କାର୍ଯ୍ୟ ଆମେ ବିନା ବିଚାରରେ କରିଥାଉ ଏବଂ ସେଥିପାଇଁ ଅନେକଙ୍କ ଦୁଃଖଯନ୍ତ୍ରଣାର କାରଣ ହୋଇଥାଉ। ମୋ ବିଶ୍ୱରେ ପରମେଶ୍ୱରଙ୍କ...

ରାଷ୍ଟ୍ରାୟତ୍ତ ଉଦ୍ୟୋଗ ବଞ୍ଚ

ଟେଲିଯୋଗାଯୋଗ କ୍ଷେତ୍ର ଦିନକୁ ଦିନ ବ୍ୟାପକ ଆକାର ଧାରଣ କରୁଛି। ଏଥିରେ ବାରମ୍ବାର ପରୀକ୍ଷାନିରୀକ୍ଷା ଯୋଗୁ ଆଖିପିଛୁଳାକେ ଅନେକ ପରିବର୍ତ୍ତନ ଆସିପାରୁଛି। ଭାରତୀୟ ଟେଲିକମ୍‌ ଶିଳ୍ପର...

ରାସ୍ତା ଭାଙ୍ଗୁଛି ରାସ୍ତାର ନିୟମ

ତୁଷାରକାନ୍ତ ସମ୍ପ୍ରତି ଭୁବନେଶ୍ୱର-କଟକ ପୋଲିସ କମିଶନରେଟର ନୂଆ କମିଶନର ବିପର୍ଯ୍ୟସ୍ତ ଟ୍ରାଫିକ୍‌ ବ୍ୟବସ୍ଥାକୁ ସୁଧାରିବା ଦିଗରେ ଖୁବ୍‌ ଯତ୍ନବାନ୍‌ ହେଉଛନ୍ତି। ତେବେ ନିୟମ ମାନିବାକୁ ପ୍ରସ୍ତୁତ...

ସମସ୍ତଙ୍କ ବିଶ୍ୱାସଭାଜନ

ସପ୍ତଦଶ ଲୋକ ସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ଭାଜପା) ୩୦୩ ଆସନ ପାଇ ଏକାକୀ ସଂଖ୍ୟାଗରିଷ୍ଠତା ହାସଲ କରିବା ସହ ସହଯୋଗୀଙ୍କୁ ନେଇ ଏନ୍‌ଡିଏ...

ଆଜିର ଅର୍ଥନୀତି/ ବାହାପିଆ କଥା

ଚଳିତ ମାସରେ ଅନୁଷ୍ଠିତ ନୀତି ଆୟୋଗର ପଞ୍ଚମ ଗଭର୍ନିଂ କାଉନ୍‌ସିଲ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦରଦାସ ମୋଦି ଇଚ୍ଛା ପ୍ରକଟ କରିଛନ୍ତି କି ୨୦୨୪ ବା...

ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ୫୦ ଦିନ

କିରେନ୍‌ ରିଜିଜୁ ଗତ ସପ୍ତାହରେ ମୋଦି ସରକାର ୨.୦ କାର୍ଯ୍ୟାଳୟରେ ୫୦ ଦିନ ପୂରଣ କରିଛନ୍ତି। ଏବେ ଆମ ରିପୋର୍ଟ କାର୍ଡ ପ୍ରଦାନ କରିବା ଏବଂ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *