ବଜେଟରେ କୃଷି ଓ କୃଷକଙ୍କୁ ଅବହେଳା

ଭାଲଚନ୍ଦ୍ର ଷଡ଼ଙ୍ଗୀ
ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ଦ୍ୱାରା ଉପସ୍ଥାପିତ ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବଜେଟଟି ସରକାରଙ୍କ ପୂର୍ବ ବର୍ଷଗୁଡ଼ିକର ବଜେଟର ଧାରାବାହିକତାକୁ ଅବ୍ୟାହତ ରଖିବା ସହ ଦେଶର ସାଧାରଣ ଜନତା ବିଶେଷକରି କୃଷକମାନଙ୍କୁ ଏକଦମ୍‌ ନିରାଶ କରିଛି। ଲକ୍ଷ୍ୟଠାରୁ କମ୍‌ ଟିକସ ଆଦାୟ, ଆର୍ଥିକ ବିକାଶ ଦରରେ ହ୍ରାସ, ବର୍ଦ୍ଧିତ ବେରୋଜଗାରୀ ସାଙ୍ଗକୁ ଉଭୟ କୃଷି ତଥା ଶିଳ୍ପ ଉପତ୍ାଦନ ହ୍ରାସର ସାମ୍‌ନା କରିବାରେ ବିଫଳ କେନ୍ଦ୍ର ସରକାର ନିଜର ଆୟବୃଦ୍ଧି ପାଇଁ ବିକଳ୍ପ ଉପାୟ ଗ୍ରହଣ କରିବା ପରିବର୍ତ୍ତେ ବିଭିନ୍ନ କ୍ଷେତ୍ରରେ ବ୍ୟୟବରାଦକୁ ହ୍ରାସ କରି ସଙ୍କଟରୁ ମୁକୁଳିବାର ଉଦ୍ୟମ କରିଛନ୍ତି। କୃଷି ସଙ୍କଟକୁ ଦୂରକରି କୃଷକଙ୍କ ପାଇଁ ‘ଭଲଦିନ’ ଆଣିବାକୁ ପ୍ରତିଶ୍ରୁତି ଦେଇଥିବା ଏହି ସରକାର ନିଜର ଗତ ପାଞ୍ଚବର୍ଷର ଅବଧି ମଧ୍ୟରେ ସେ ଦିଗରେ ଆନ୍ତରିକତାର ସହିତ ଉଦ୍ୟମ କରିବା ବି ଦେଖାଯାଇନି। କେବଳ ପରୀକଥା ଶୁଣାଇବା ପରି କୃଷକଙ୍କ ଆୟକୁ ଦୁଇଗୁଣ କରିବାକୁ ଗତ ତିନି ବର୍ଷ ଧରି ସରକାର ଦେଇ ଆସିଥିବା ପ୍ରତିଶ୍ରୁତିକୁ ସେ ପୁଣିଥରେ ଦୋହରାଇବା ଦେଖାଯାଇଛି।
ଆମ ଦେଶର ପ୍ରାୟ ୭୦ ଭାଗ ଜନତା କୃଷି ଉପରେ ନିର୍ଭରଶୀଳ ଏବଂ ଦେଶର ଜିଡିପିରେ କୃଷିର ଭାଗ ୧୩.୭%। ଦେଶର ମୋଟ ରପ୍ତାନିରେ କୃଷିର ଅଂଶ ୧୨% ହୋଇଥିବା ବେଳେ ଦେଶର ମୋଟ ଶ୍ରମଶକ୍ତିର ୫୨% ଏହି କ୍ଷେତ୍ରରୁ ହିଁ ରୋଜଗାର ପାଉଛନ୍ତି। କିନ୍ତୁ ଦେଶର ଅର୍ଥନୀତିର ଏତେବଡ଼ କ୍ଷେତ୍ର ହୋଇଥିଲେ ମଧ୍ୟ କୃଷିରେ ସରକାରଙ୍କ ପୁଞ୍ଜିନିବେଶ ବହୁତ କମ୍‌ । ଦେଶର ୪ର୍ଥରୁ ୧୨ଶ ପଞ୍ଚବାର୍ଷିକୀ ଯୋଜନା ମଧ୍ୟରେ କୃଷିରେ ହାରାହାରି ସରକାରୀ ବ୍ୟୟ ଜିଡିପିର ମାତ୍ର ୧.୩% ଥିବା ଜଣାପଡ଼ିଛି। କୃଷିକ୍ଷେତ୍ରରେ ମଜୁରିର ହାର ସ୍ଥିର ରହିଥିଲେ ମଧ୍ୟ କ୍ରମାଗତ ସରକାରୀ ଅବହେଳା ଯୋଗୁ କୃଷିର ହାରାହାରି ବାର୍ଷିକ ବିକାଶ ହାର ୨.୮୮%ରେ ସୀମିତ ରହିଛି।
କ୍ରମାଗତ ଭାବେ ସରକାରଙ୍କ ଭୁଲ ନୀତି ଲାଗି ଉଭୟ କୃଷି ଓ କୃଷକ ଆଜି ସଙ୍କଟର ସମ୍ମୁଖୀନ ହୋଇଛନ୍ତି। କୃଷି ଲାଭଜନକ ନ ହୋଇ ଏକ କ୍ଷତିର ପେସା ହୋଇସାରି ଥିବାରୁ ପ୍ରତିଦିନ ଅଧିକରୁ ଅଧିକ ଲୋକ କୃଷି ଛାଡ଼ୁଥିବା ବେଳେ କୃଷିରେ ଅଭିବୃଦ୍ଧି ହାର ସ୍ଥିର ରହିଛି। ଉପଯୁକ୍ତ ଭୂସଂସ୍କାର ନ ହେବା, କୃଷିରେ ସରକାରୀ ପୁଞ୍ଜିନିବେଶର ଅଭାବ, ସ୍ପଳ୍ପ ସୁଧହାରରେ କୃଷିଋଣ ନ ମିଳିବା, ଜଳସେଚନର ଅଭାବ, କୃଷିରେ ଉପତ୍ାଦନ ଖର୍ଚ୍ଚରେ ଅତ୍ୟଧିକ ବୃଦ୍ଧି ଏବଂ ସର୍ବୋପରି କୃଷକକୁ ତା’ର ଉପତ୍ାଦିତ ଫସଲର ଉପଯୁକ୍ତ ମୂଲ୍ୟ ନ ମିଳିବା ଆଦି କାରଣରୁ ଆମ ଦେଶର କୃଷି ଆଜି ଭୟଙ୍କର ସଙ୍କଟର ସମ୍ମୁଖୀନ ହେବା ସହ ଗତ ଦେଢ଼ ଦଶକ ମଧ୍ୟରେ ଦେଶର ଦଶ ଲକ୍ଷରୁ ଅଧିକ କୃଷକ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଛନ୍ତି। କିନ୍ତୁ ଦୁଃଖର କଥା ସରକାର ବଜେଟରେ ଭାରତୀୟ କୃଷି ସଙ୍କଟର କାରଣ ଜାଣିବାକୁ ଚାହିଁ ନାହାନ୍ତି କି ତା’ର ପ୍ରତିକାର ଦିଗରେ କୌଣସି ଠୋସ୍‌ ପଦକ୍ଷେପ ନେଇ ନାହାନ୍ତି। ନିଜକୁ କୃଷକମାନଙ୍କ ହିତୈଷୀ ବୋଲି ପ୍ରଦର୍ଶିତ କରିବା ପାଇଁ ବଜେଟର ଠିକ୍‌ ପୂର୍ବଦିନ ସରକାର କୃଷିଜାତ ଦ୍ରବ୍ୟର ସହାୟକ ମୂଲ୍ୟରେ ନାମକୁମାତ୍ର ବୃଦ୍ଧି କରିଛନ୍ତି। ଉପତ୍ାଦନ ଖର୍ଚ୍ଚରେ ମାତ୍ରାଧିକ ବୃଦ୍ଧି ସତ୍ତ୍ୱେ ସରକାର ଧାନର ସହାୟକ ଦରରେ ମାତ୍ର ୩.୭% ବୃଦ୍ଧି କରିଛନ୍ତି। ତେବେ ଏଭଳି ଲୋକଦେଖାଣିଆ ପଦକ୍ଷେପ ନା କୃଷି ସଙ୍କଟକୁ ଦୂର କରିବ ନା କୃଷକଙ୍କ ସ୍ଥିତିରେ ଆଖିଦୃଶିଆ ପରିବର୍ତ୍ତନ ଆଣିବ!
ଗତ ନିର୍ବାଚନରେ ପ୍ରଧାନମନ୍ତ୍ରୀ ମୋଦି ଓ ତାଙ୍କ ପାର୍ଟି ପକ୍ଷରୁ ନିଜର ନିର୍ବାଚନ ଇସ୍ତାହାରରେ ପୁଣିଥରେ କ୍ଷମତାକୁ ଆସିଲେ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ କୃଷିକ୍ଷେତ୍ରର ଉପତ୍ାଦକତା ବୃଦ୍ଧି ପାଇଁ ୨୫ ଲକ୍ଷ କୋଟି ଖର୍ଚ୍ଚ କରିବୁ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସେହି ଦୃଷ୍ଟିରୁ ଦେଖିଲେ ସରକାର କୃଷି ପାଇଁ ବାର୍ଷିକ ସର୍ବନିମ୍ନ ପାଞ୍ଚ ଲକ୍ଷ କୋଟି ପୁଞ୍ଜିନିବେଶ କରିବା କଥା। କିନ୍ତୁ ଚଳିତ ବଜେଟରେ ସରକାର ସମଗ୍ର କୃଷି କଲ୍ୟାଣ ବିଭାଗ ପାଇଁ ମାତ୍ର ୧,୩୦,୪୮୫ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି, ଯାହାକି ତାଙ୍କର ଘୋଷିତ ଲକ୍ଷ୍ୟର ଏକ ଚତୁର୍ଥାଂଶ । ତେବେ ଏହି ଟଙ୍କାର ବି ଏକ ବଡ଼ ଭାଗ (୫୭%) ଅର୍ଥାତ ୭୫,୦୦୦ କୋଟି ନିର୍ବାଚନ ପୂର୍ବରୁ ଚାଷୀଙ୍କୁ ନଗଦ ସହାୟତା ଦେବା ନାଁରେ ସରକାରଙ୍କ ଦ୍ୱାରା ଘୋଷିତ ପିଏମ୍‌ କିଷାନ୍‌ ସମ୍ମାନ ନିଧିର ଅର୍ଥ ରହିଛି। କୃଷିର ଅନ୍ୟାନ୍ୟ କ୍ଷେତ୍ରରେ ବ୍ୟୟବରାଦ ହ୍ରାସ ପାଇଛି। ସରକାର ନିଜର ଅର୍ଥନୈତିକ ସର୍ଭେ ରିପୋର୍ଟରେ କୃଷି ଗବେଷଣା ପାଇଁ କରାଯାଉଥିବା ସରକାରୀ ବିନିଯୋଗ ମୋଟ କୃଷି ଜିଡିପିର ୦.୩୭% ବୋଲି ସ୍ବୀକାର କରିଛନ୍ତି। ଅଥଚ କୃଷିଶିକ୍ଷା ଓ ଗବେଷଣା ବିଭାଗ ପାଇଁ ଗତ ବର୍ଷ ୭୯୫୩ କୋଟି ଦିଆଯାଇଥିବା ବେଳେ ଚଳିତ ବର୍ଷ ୮୦୭୫ କୋଟି ଟଙ୍କା ଦିଆଯାଇଛି। ଏହି ପରିମାଣ ବହୁରାଷ୍ଟ୍ରୀୟ ବିହନ କମ୍ପାନୀ ବାୟର ତା’ର କୃଷି ଗବେଷଣା ପାଇଁ କରୁଥିବା ବିନିଯୋଗଠାରୁ ବି କମ୍‌ ।
ସରକାର କୃଷି ସଙ୍କଟର ସମାଧାନ ପାଇଁ ଠୋସ୍‌ ପଦକ୍ଷେପ ନେବା ବଦଳରେ ପିଏମ୍‌ କିଷାନ ସମ୍ମାନ ନିଧି ନାଁରେ ଚାଷୀଙ୍କୁ ମାତ୍ର କିଛି ଟଙ୍କାର (ବାର୍ଷିକ ୬୦୦୦ ଅର୍ଥାତ୍‌ ମାସିକ ମାତ୍ର ୫୦୦ ଟଙ୍କା) ଆର୍ଥିକ ସହାୟତା ଦେଇ ନିଜର ଦାୟିତ୍ୱକୁ ମୁକ୍ତ କରି ଦେଇଛନ୍ତି। ତେବେ ବର୍ତ୍ତମାନ ଯାଏ ମିଳିଥିବା ତଥ୍ୟ ଅନୁଯାୟୀ ଏହି ଯୋଜନାର ପ୍ରଥମ କିସ୍ତି ମାତ୍ର ୨୭% ଏବଂ ଦ୍ୱିତୀୟ କିସ୍ତି ମାତ୍ର ୨୪% କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ମିଳିଥିବା ଜଣାପଡ଼ିଛି। ଏହି ଯୋଜନା ଅତ୍ୟନ୍ତ ଅପର୍ଯ୍ୟାପ୍ତ, କେବଳ ଦୁଇ ହେକ୍ଟର ପର୍ଯ୍ୟନ୍ତ ଜମିଥିବା ଚାଷୀଙ୍କ ପାଇଁ ସୀମିତ ଏବଂ ଚାଷୀଙ୍କ ପାଇଁ କେବଳ ଏହା ଏକ ଆୟ ସହାୟତା ଯୋଜନା ମାତ୍ର। ଏହି ଯୋଜନାରେ ମିଳୁଥିବା ନଗଦ ଅର୍ଥ ଅଭାବଗ୍ରସ୍ତ ଚାଷୀର ଅଭାବକୁ ଦୂର କରିବାରେ ହୁଏତ କିଛି ମାତ୍ରାରେ ସହାୟକ ହୋଇପାରେ, କିନ୍ତୁ ତାହା କୃଷିର ବିକାଶ ପାଇଁ ଯେ ବ୍ୟବହୃତ ହେବ ତା’ର କିଛି ନିଶ୍ଚିତତା ନାହିଁ। ଅନ୍ୟପଟେ ଆମର ଚାଷ କ୍ଷେତ୍ରରେ କାର୍ଯ୍ୟରତ ଲୋକଙ୍କ ଏକ ବଡ଼ ଭାଗ ରୂପେ ପରିଚିତ ଭାଗଚାଷୀ, ନାମମାତ୍ର ଚାଷୀ ଏହାର ଲାଭ ପାଇବେ ନାହିଁ। କାଳିଆ, ରୟତ୍‌ ବନ୍ଧୁ ଭଳି ଏହି ଯୋଜନା ଯଦିଓ ଚାଷୀଙ୍କୁ କିଛି ମାତ୍ରାରେ ଆୟ ସହାୟତା ଯୋଗାଇଦେବ କିନ୍ତୁ ତାହା ତା’ର ସଙ୍କଟକୁ ଦୂର କରିପାରିବନି।
ସରକାର ଚାଷର ସଙ୍କଟକୁ ଦୂର କରିବାକୁ ଚେଷ୍ଟା କରିବା ପରିବର୍ତ୍ତେ ୨୦୨୨ ସୁଦ୍ଧା ଚାଷୀର ଆୟକୁ ଦୁଇଗୁଣ କରିବାକୁ ଘୋଷଣା କରିଛନ୍ତି। କିନ୍ତୁ ଏହି ଆୟ କିପରି ଦୁଇଗୁଣ ହେବ ତା’ର ରୋଡ଼ମ୍ୟାପ୍‌ ନେଇ କେବେ କୌଣସି କମିଟି କରିନାହାନ୍ତି କି କୌଣସି ବୈଠକ ଡାକିନାହାନ୍ତି। ଦେଶରେ ଦେଖାଯାଇଥିବା ଚାଷ ସଙ୍କଟର ଏକ ପ୍ରମୁଖ କାରଣ ହେଉଛି ଉପତ୍ାଦନ ଖର୍ଚ୍ଚ ବୃଦ୍ଧି। ତେବେ ବଜେଟରେ ସରକାର ଉପତ୍ାଦନ ଖର୍ଚ୍ଚ କମାଇବା ପାଇଁ କୌଣସି ପଦକ୍ଷେପ ଘୋଷଣା କରିନାହାନ୍ତି। ବିହନ, ସାର ଓ କୀଟନାଶକର ମୂଲ୍ୟ କମାଇବାକୁ ଚାହିଁନାହାନ୍ତି। କୃଷି ଯନ୍ତ୍ରପାତି ଉପରେ ଥିବା ଚଢ଼ା ଜିଏସ୍‌ଟି ହାରକୁ ହ୍ରାସ କରିବାକୁ ଘୋଷଣା କରିନାହାନ୍ତି। ବରଂ ବଜେଟରେ ଟିକସ ଓ ସେସ୍‌ ବଢ଼ାଇବା ପରେ ପେଟ୍ରୋଲ ଓ ଡିଜେଲର ଯେଉଁ ଦର ବଢ଼ିବ ତାହା ଚାଷୀ ଉପରେ ଚାଷଖର୍ଚ୍ଚର ବୋଝକୁ ଆହୁରି ବଢ଼ାଇଦେବ।
ଅର୍ଥମନ୍ତ୍ରୀ କୃଷିର ଉପତ୍ାଦନ ଖର୍ଚ୍ଚକୁ କମାଇବାକୁ ପଦକ୍ଷେପ ନେବା ପରିବର୍ତ୍ତେ ଜିରୋ ବଜେଟ ଫାମିର୍ଂର ଉଲ୍ଲେଖ କରିଛନ୍ତି। ଏହାର ଅର୍ଥ ହେଲା ବଜାରରୁ ରାସାୟନିକ ସାର, କୀଟନାଶକ, ବିହନ ଆଦି ଉପାଦାନ କ୍ରୟ କରିବା ବିନା କେବଳ ଜୈବିକ ସାରର ଉପଯୋଗ କରି ଫସଲ ଉପତ୍ାଦନ। ବଜେଟରେ ଜୈବିକ ଚାଷ ପାଇଁ ମାତ୍ର ୩୫୦ କୋଟି ବ୍ୟୟ ବରାଦ କରାଯାଇଥିବା ବେଳେ ବହୁ ପ୍ରଚାରିତ ‘ଜିରୋ ବଜେଟ ଫାମିର୍ଂ’ ପାଇଁ ବଜେଟରେ କୌଣସି ଅନୁଦାନ ଘୋଷଣା କରିନାହାନ୍ତିି। ତେବେ ଜିରୋ ବଜେଟ୍‌ ଫାମିର୍ଂକୁ ସରକାର କିପରି ଜିରୋ ବଜେଟରେ ଆଗେଇ ନେବେ? ସ୍ବାଧୀନତାର ଏତେ ବର୍ଷ ପରେ ବି ଜଳସେଚନର ଉପଯୁକ୍ତ ବ୍ୟବସ୍ଥା କରିବାରେ ଆମର ବିଫଳତା କାରଣରୁ ଦେଶର ଅନେକ ଅଞ୍ଚଳ ଏବେ ପ୍ରତିବର୍ଷ ବୃଷ୍ଟିହୀନତା କାରଣରୁ ମରୁଡ଼ିର ଶିକାର ହେଉଛି। ।
ମୋ- ୯୪୩୭୧୬୬୩୯୧, bhalachandra.odisha@gmail.com


All Right Reserved By

ଏଇ ଭାରତରେ

ସାରା ଦେଶରେ ଟ୍ରାଫିକ୍‌ ନିୟମ କଡ଼ାକଡି ହେବା ପରେ ପୋଲିସ ଦ୍ୱାରା ନିୟମ ଉଲ୍ଲଂଘନକାରୀଙ୍କ ଉପରେ ଜରିମାନା କରାଯାଉଛି। ଗୋଟିଏ ଗାଡି ଉପରେ ଯେଭଳି ଜରିମାନା...

ଭାରତୀୟ ଗଣତନ୍ତ୍ରରେ ନିର୍ବାଚନ

ନାରାୟଣ ପଣ୍ଡା ବିଶ୍ୱର ବୃହତ୍ତମ ଗଣତାନ୍ତ୍ରିକ ଦେଶ ଭାରତରେ ସପ୍ତଦଶ ସାଧାରଣ ନିର୍ବାଚନ ଆରମ୍ଭ ହୋଇଛି। ଦେଶର ସମ୍ବିଧାନ ଅନୁସାରେ ପ୍ରତି ୫ବର୍ଷରେ ଉକ୍ତ ନିର୍ବାଚନ...

ଏଇ ଭାରତରେ

ବିହାରରେ ଜଣେ ଚାଷୀଙ୍କ ପୁଅଙ୍କୁ ଉଲ୍ଲେଖନୀୟ ସାମାଜିକ କାର୍ଯ୍ୟ ପାଇଁ ସମ୍ମାନଜନକ ଗ୍ରେନେଲ୍‌ ପୁରସ୍କାର ପ୍ରଦାନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଗୟା ଜିଲାର ହମ୍‌ଜାପୁର ଗାଁର...

କକ୍‌ଟେଲିଙ୍ଗ: ଖାଦ୍ୟପେୟରୁ ଭାଷାସଂସ୍କୃତି

ଡ. ଚିନ୍ତାମଣି ପଣ୍ଡା ସେଦିନ ବସ୍‌ଷ୍ଟାଣ୍ଡରେ ବସ୍‌କୁ ଅପେକ୍ଷା କରିଥିବା ବେଳେ ଦେଖିଲି ଜଣେ ଯାତ୍ରୀ ଦୁଇ ତିନୋଟି ବିଭିନ୍ନ ଛାପର ଗୁଟ୍‌ଖା ଜରିକୁ ଖୋଲି...

ଏଇ ଭାରତରେ

ପରିବାରକୁ ପିଲାଟିଏ ଆସିଲେ ସମସ୍ତେ ଯେମିତି ଖୁସି ହୁଅନ୍ତି ସେମିତି ତା’ର ଜନ୍ମଦିନକୁ ଜାକଜମକରେ ପାଳନ କରି ଶୁଭେଚ୍ଛା ଅଜାଡି ଦିଅନ୍ତି। ମଙ୍ଗଳ କାମନା କରି...

ଓଡ଼ିଶା କଂଗ୍ରେସର ଇତିବୃତ୍ତ

ଶରତ ଚନ୍ଦ୍ର ମିଶ୍ର ପ୍ରାୟ ଏକଶହ ବର୍ଷ ପୂର୍ବେ (୧୯୨୦) ଉତ୍କଳ ପ୍ରାଦେଶିକ କଂଗ୍ରେସ କମିଟି ପଣ୍ଡିତ ଗୋପବନ୍ଧୁଙ୍କ ନେତୃତ୍ୱରେ ଗଠିତ ହୋଇଥିଲା। ତା’ ପୂର୍ବରୁ...

ଏଇ ଭାରତରେ

ପିଲାମାନେ ବିଦ୍ୟାଳୟକୁ ଆସିବା ପାଇଁ ପାହାଡ଼ କାଟି ରାସ୍ତା କରିଥିବା ଜଣେ ଶିକ୍ଷକ ଅଛନ୍ତି ଝାଡ଼ଖଣ୍ଡର ଚତରା ଅଞ୍ଚଳ ଟଣ୍ଡବା ବ୍ଲକ୍‌ର ବନାଞ୍ଚଳ ହେସାତୁ ଉଚ୍ଚମାଧ୍ୟମିକ...

ସଂଯମ ଜରୁରୀ

ନିକଟରେ ରାଜସ୍ଥାନର ପୋଖରାନ୍‌କୁ ଯାଇଥିବା ବେଳେ ଭାରତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଥିଲେ ଯେ, ଆବଶ୍ୟକ ପଡ଼ିଲେ ଭାରତ ତା’ର ଆଣବିକ ନୀତିରେ ପରିବର୍ତ୍ତନ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *