ଜାଣିବା କଥାରୁ କିଛି

ଡ. ଶରତ ଚନ୍ଦ୍ର ରଥ
ଜ୍ଞାନର ଦିଗ୍‌ବଳୟ ଅତ୍ୟନ୍ତ ପ୍ରଶସ୍ତ। ଯେତେ ଜାଣିଲେ ବି ଜାଣିବା ସରେ ନାହିଁ। ତେଣୁ ତ କୁହାଯାଇଛି ସତ୍ୟଂ ଜ୍ଞାନମନନ୍ତମ୍‌। ଜାଣିବାର ଇଚ୍ଛା ହେଉଛି ଜିଜ୍ଞାସା। ଯାହାର ଜିଜ୍ଞାସା ଯେତେ ଅଧିକ ତା’ର ଜୀବନ ଜିଇବା ସେତେ ସାର୍ଥକ। ପ୍ରାଣୀ ଓ ମଣିଷ ଜୀବନ ଭିତରେ କେତେକ ମୌଳିକ ପାର୍ଥକ୍ୟ ଭିତରୁ ଜିଜ୍ଞାସା ଗୋଟିଏ। ରାଜନୀତିଠାରୁ ଅର୍ଥନୀତି ପର୍ଯ୍ୟନ୍ତ, ସମାଜ ନୀତିଠାରୁ ସଂସ୍କୃତି ପର୍ଯ୍ୟନ୍ତ, ବିଜ୍ଞାନଠାରୁ ଦର୍ଶନ ପର୍ଯ୍ୟନ୍ତ ସବୁ କିଛି ସମ୍ବନ୍ଧରେ ଜ୍ଞାନ ହିଁ ଜାଣିବାର ଅନ୍ତର୍ଭୁକ୍ତ। ଜାଣିବା ହିଁ ଜିଣିବାର ମୂଳମନ୍ତ୍ର ଓ ପ୍ରଧାନ ଅସ୍ତ୍ର। ବାଟ ଜାଣି ଚାଲିବା ହିଁ ଯଥାର୍ଥ ଚାଲିବା, ଦର ଜାଣି କିଣିବା ହିଁ ଯଥାର୍ଥ କିଣିବା, ଅର୍ଥ ବୁଝି ଶୁଣିବା ଯଥାର୍ଥ ଶୁଣିବା ଏବଂ ଭାବିଚିନ୍ତି କହିବା ହିଁ ଯଥାର୍ଥ କହିବା।
ଦୈନନ୍ଦିନ ଜୀବନରେ ଚଳିବା ପାଇଁ କେତେ କଥା ଜାଣିବା ଦରକାର। ଚାଣକ୍ୟ କହିଛନ୍ତି- ”ପୁସ୍ତକସ୍ଥା ତୁ ଯା ବିଦ୍ୟା ପରହସ୍ତଗତଂ ଧନମ୍‌। କାର୍ଯ୍ୟକାଳେ ସମୁତ୍ପନ୍ନେ ନ ସା ବିଦ୍ୟା ନ ତଦ୍ଧନମ୍‌।ା“ ଅର୍ଥାତ୍‌ ଯେଉଁ ବିଦ୍ୟା ପୁସ୍ତକରେ ଅଛି, ଯେଉଁ ଧନ ଅନ୍ୟ ହାତରେ ଅଛି, ଆବଶ୍ୟକ ବେଳେ ସେଗୁଡ଼ିକ କାମ ଦିଅନ୍ତି ନାହିଁ। ମଣିଷକୁ ଚିହ୍ନିବା ପାଇଁ କେତେକ ମାନଦଣ୍ଡ ରହିଛି। ସେଥିରୁ ଗୋଟିଏ ଏହିପରି- ଅଧମା ଧନମିଚ୍ଛନ୍ତି ଧନମାନୌ ଚ ମଧ୍ୟମାଃ। ଉତ୍ତମା ମାନମିଚ୍ଛନ୍ତି ମାନୋ ହି ମହତାଂ ଧନମ୍‌।ା ଅର୍ଥାତ୍‌ ଅଧମ ଲୋକମାନେ ଧନ ଇଚ୍ଛା କରନ୍ତି, ମଧ୍ୟମ ଶ୍ରେଣୀର ଲୋକମାନେ ଧନ ଓ ମାନ ଉଭୟ ଇଚ୍ଛା କରନ୍ତି, ଉତ୍ତମ ଶ୍ରେଣୀର ଲୋକମାନେ କେବଳ ମାନ ଇଚ୍ଛା କରନ୍ତି। ଜୀବନକୁ ଧନର ମାପରେ ସେମାନେ ମାପିଥାନ୍ତି। ମାତ୍ର ଉତ୍ତମ ଶ୍ରେଣୀର ଲୋକମାନେ ମାନମର୍ଯ୍ୟାଦା, ମହତ୍‌ପଣିଆ, ମଣିଷପଣିଆ ଉପରେ ଅଧିକ ଗୁରୁତ୍ୱ ଦିଅନ୍ତି। ସେମାନେ ବୁଝିଥାନ୍ତି – ଥିଲେ ଥାଉ ପଛେ ଧନ ହଜାର, ଚରିତ୍ର ନ ଥିଲେ ସବୁ ଅସାର। ମଣିଷ ଚିହ୍ନିବା ପାଇଁ ଆଉ ଏକ ମାନଦଣ୍ଡ ଅଛି। ତାହା ହେଉଛି ସେମାନଙ୍କ ବ୍ୟବହାର। କୁହାଯାଇଛି ଧୂର୍ତ୍ତ ଲୋକଙ୍କୁ ଚିହ୍ନିବାକୁ ଥିବା ତିନିଗୋଟି ଲକ୍ଷଣ ଏହିପରି, ଯଥା- ”ମୁଖଂ ପଦ୍ମଦଳାକାରଂ ବାଣୀ ଚନ୍ଦନଶୀତଳା। ହୃଦୟଂ କର୍ତ୍ତରୀତୁଲ୍ୟଂ ତ୍ରିବିଧଂ ଧୂର୍ତ୍ତ ଲକ୍ଷଣମ୍‌।“ ଅର୍ଥାତ୍‌ ମୁଖ ପଦ୍ମପାଖୁଡ଼ା ପରି ସୁନ୍ଦର, କଥା ଚନ୍ଦନ ପରି ଶୀତଳ ମାତ୍ର ହୃଦୟ କର୍ତ୍ତରୀ (କତୁରୀ) ପରି ଶାଣିତ- ଏ ତିନିଗୋଟି ଧୂର୍ତ୍ତର ଲକ୍ଷଣ।
ମଣିଷ ଚିହ୍ନିବା ପାଇଁ ଆଉ ଏକ ମାନଦଣ୍ଡ ଅଛି। ତାହା ହେଉଛି କୃତଜ୍ଞତା। ଯିଏ ଅନ୍ୟଠାରୁ ଉପକାର ପାଇଲେ କୃତଜ୍ଞତା ପ୍ରକାଶ କରେ ସେ ଉତ୍ତମ ମଣିଷ। ଯିଏ କୃତଜ୍ଞତା ଲେଶମାତ୍ର ପ୍ରକାଶ ନ କରେ ସେ ହେଉଛି ଅଧମ ମଣିଷ। କଥା କହିବା ଏକ କଳା। ସମସ୍ତେ କଥା କହି ଜାଣନ୍ତି ନାହିଁ। କହୁ କହୁ କେତେ କ’ଣ କହିଯାନ୍ତି, ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରନ୍ତି। ମୁଖର ଲୋକଙ୍କ ତୁଣ୍ଡରେ ବାଡ଼ବତା ନ ଥାଏ। ସେମାନେ ଅପ୍ରିୟ ହୋଇ ରହିବାକୁ ବାଧ୍ୟ ହୁଅନ୍ତି। ମୌନତା ସର୍ବଦା ଉନ୍ନତିର କାରକ। ମୌନତା କହିଲେ ମୂକତ୍ୱ ନୁହେଁ ଆବଶ୍ୟକତା ଅନୁସାରେ ଯେତିକି ଓ ଯେମିତି ଦରକାର ସେତିକି ଓ ସେମିତି କଥା କହିବା। ତେଣୁ ତ କୁହାଯାଇଛି- ମୌଖର୍ଯ୍ୟଂ ଲାଘବକରଂ ମୌନଂ ଉନ୍ନତି କାରକମ୍‌। ମୁଖରଂ ନୂପୁରଂ ପାଦେ କଣ୍ଠହାରୋ ବିରାଜତେ।ା ଅର୍ଥାତ୍‌ ମୁଖରତା ହେଉଛି ଅଧୋଗତିର କାରଣ। ମୌନତା ଉନ୍ନତିର କାରଣ। ଶବ୍ଦ କରୁଛିି ବୋଲି ନୂପୁର ପାଦରେ ଅଛି, ଶବ୍ଦ କରୁନାହିଁ ବୋଲି ହାର କଣ୍ଠରେ ରହିଛି। ମୌନତା ହେଉଛି ମୁନିର ଲକ୍ଷଣ। ମୁନି କିଏ ବୋଲି କହିବାକୁ ଯାଇ ଶ୍ରୀମଦ୍‌ ଭଗବଦ୍‌ ଗୀତା କହନ୍ତି- ”ଦୁଃଖେଷ୍ବନୁଦ୍‌ବିଗ୍ନମନାଃ ସୁଖେଷୁ ବିଗତସ୍ପୃହଃ। ବୀତରାଗଭୟକ୍ରୋଧଃ ସ୍ଥିତଧୀର୍ମୁନିରୁଚ୍ୟତେ।ା“ ଅର୍ଥାତ୍‌ ଯିଏ ଦୁଃଖରେ ଭାଙ୍ଗିପଡ଼େ ନାହିଁ ଅଥବା ସୁଖରେ ବୀତସ୍ପୃହ ରହେ, ରାଗ, ଭୟ, କ୍ରୋଧରୁ ମୁକ୍ତ ଥାଏ ସେହି ସ୍ଥିତପ୍ରଜ୍ଞ ବ୍ୟକ୍ତି ହିଁ ମୁନି ପଦବାଚ୍ୟ। ଶାନ୍ତି ଓ ଅଶାନ୍ତିର ବହୁ ଭାଗ ମନ ଉପରେ ନିର୍ଭର କରେ। ମନର ଉଦାରତାରୁ ମିଳେ ଶାନ୍ତି, ମନର ସଂକୀର୍ଣ୍ଣତାକୁ ମିଳେ ଅଶାନ୍ତି। ସ୍ବାମୀ ବିବେକାନନ୍ଦ କହିଛନ୍ତି, ଉଦାରତା ହିଁ ଜୀବନ, ସଂକୀର୍ଣ୍ଣତା ହିଁ ମୃତ୍ୟୁ। ସାହିତ୍ୟରେ କୁହାଯାଇଛି- ଯା’ ମନ ଯେପରି, ତା’ ପାଇଁ ସେପରି ଫଳ ଥୋଇଥାଏ ବିଶ୍ୱ, ଉଚ୍ଚମନା ଉଚ୍ଚେ ଅମୃତ ଲଭଇ ନୀଚମନା ପାଏ ବିଷ। ମଣିଷ ମାତ୍ରକେ ପ୍ରଶଂସାପ୍ରିୟ। ମାତ୍ର ଅତି ପ୍ରଶଂସା ଓ ଅଯାଚିତ ପ୍ରଶଂସା କ୍ଷତିକାରକ। ନ୍ୟାୟଟି ହେଉଛି ଅତି ସର୍ବତ୍ର ଗର୍ହିତମ। ଅଲୋଡ଼ା ଭାବରେ ଆସି କେହି ଅଯଥା ପ୍ରଶଂସା କରିବାକୁ ଆରମ୍ଭ କଲେ ଶୁଣିବା ଲୋକକୁ ସଚେତନ ହେବାକୁ ପଡ଼ିବ। କାରଣ କହୁଥିବା ଲୋକ ଭିତରେ ଫଳାଭିସନ୍ଧି ନିଶ୍ଚୟ ଥିବ। କୁହାଯାଇଛି- ଅନାହୂତ ହୋଇ ଆସି କେହି ତୋର ଅଯଥା ପ୍ରଶଂସା କଲେ, ଜାଣିଥିବୁ ତା’ର ଆଗମନ ତତେ ଠକିବାକୁ କଉଶଳେ।
ଅର୍ଥ ଏକ ଆବଶ୍ୟକ ଶକ୍ତି। ଅର୍ଥ ନୁହେଁ ଅନର୍ଥର କାରଣ। ଅର୍ଥର ଅସଦ୍‌ ମାର୍ଗରେ ଉପାର୍ଜନ ଏବଂ ଅପବ୍ୟବହାର ହିଁ ଅନର୍ଥର କାରଣ। ଅସଦ୍‌ମାର୍ଗରେ ଉପାର୍ଜିତ ଧନରେ କିଛି କିଛି କଳଙ୍କର ଛାପ ଥାଏ, ତାହା ଏମିତି ହଠାତ୍‌ ଜାଣିହୁଏ ନାହିଁ। ମାତ୍ର କ୍ରମଶଃ ସେହି କଳଙ୍କର ପ୍ରଭାବ ବଢ଼ିବାକୁ ଲାଗେ ଏବଂ ବିଭିନ୍ନ ପ୍ରକାରେ ଅଶାନ୍ତିକୁ ନିମନ୍ତ୍ରଣ କରିଆଣେ। ସେ ଧନ ସନ୍ତୋଷ ଦିଏ ନାହିଁ। ତେଣୁ ତ କୁହାଯାଇଛି- ଦୁଃଖେ ଅର୍ଜିତ ଯେତେ ଧନ, ସୁଖେ ତା’ ନୁହେଁ ପ୍ରୟୋଜନ।
ସଂସାର ବାଟ ବଡ଼ ଜଟିଳ, ଜୀବନ ବାଟ ବଡ଼ ପିଚ୍ଛିଳ। ଏ ବାଟରେ ଚାଲିବାକୁ ହେଲେ ବହୁ ସତର୍କତା ଓ ସଚେତନତା ଦରକାର। ଏଥିପାଇଁ ପୂର୍ବପୁରୁଷର ଅଭିଜ୍ଞତା ଏବଂ ଶାସ୍ତ୍ରମାନଙ୍କର ଦିଗ୍‌ଦର୍ଶନ ଆବଶ୍ୟକ।
ମୋ-୯୪୩୭୭୫୬୨୪୦


All Right Reserved By

ଏଇ ଭାରତରେ

ଏପରି ଅନେକ ରହସ୍ୟମୟ ବିଷୟ ରହିଛି ଯାହା ଅନେକଙ୍କୁ ଅଜଣା। ପ୍ରକୃତି କୋଳରେ ବଢ଼ୁଥିବା ବିଭିନ୍ନ ବୃକ୍ଷକୁ ଲୋକେ ପୂଜା କରିଥାନ୍ତି। ଶାଳଗଛ ତନ୍ମଧ୍ୟରୁ ଅନ୍ୟତମ।...

କିଏ ଏଇ ମା’

ସୁଧିରାଜ ରାଉତ ବର୍ଷା ମାସ। ଇନ୍ଦ୍ରାବତୀ ଜଳଭଣ୍ଡାର ସାମର୍ଥ୍ୟଠାରୁ ଅଧିକ ଜଳରେ ପୂର୍ଣ୍ଣହୋଇ ମନେହେଉଥିଲା ସତେ ଅବା ଏକ ମାଟିଆ ସମୁଦ୍ର। କୂଳରେ ବନ୍ଧା ହୋଇଥିବା...

ଏଇ ଭାରତରେ

ଦେଶରେ ବେଳେବେଳେ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି ହେଉଥିବାବେଳେ ଉତ୍ତରପ୍ରଦେଶର ମିରଟରେ ବାସକରୁଥିବା ଜଣେ ମୁସଲମାନ୍‌ ମହିଳା ସାମ୍ପ୍ରଦାୟିକ ସଦ୍‌ଭାବର ଉଦାହରଣ ପାଲଟିଛନ୍ତି। ୪୨ ବର୍ଷ ବୟସ୍କା...

କଂଗ୍ରେସ ତ୍ରୁଟି ସୁଧାରୁ

ବୈକୁଣ୍ଠନାଥ ମିଶ୍ର ସ୍ବାଧୀନତା ଆନ୍ଦୋଳନ, ସ୍ବାଧୀନତା ପ୍ରାପ୍ତି ଓ ସ୍ବାଧୀନତୋତ୍ତର ଭାରତବର୍ଷରେ ଲୋକତାନ୍ତ୍ରିକ ଶାସନ ପ୍ରତିଷ୍ଠା କରିବାରେ ଜାତୀୟ କଂଗ୍ରେସର ଅବଦାନ ସର୍ବଜନବିଦିତ। ସ୍ବାଧୀନତାର ପ୍ରାକ୍‌ପ୍ରସ୍ତୁତିସ୍ବରୂପ...

ଭକ୍ତି ନାଁରେ ମସ୍ତି ଓ ବେପାର

ଭାଲଚନ୍ଦ୍ର ଷଡ଼ଙ୍ଗୀ ଗତ କିଛିବର୍ଷ ଧରି ଶ୍ରାବଣମାସ ଆସିଲେ ଦେଶର ରାସ୍ତାଘାଟରେ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳୁଛି। ଗେରୁଆ ପୋଷାକ ପିନ୍ଧି କାନ୍ଧରେ ରଙ୍ଗ...

ସ୍ବଚ୍ଛତା ପାଇଁ ପ୍ଲାଷ୍ଟିକ ପ୍ରତିବନ୍ଧକ

ଡ. ଆଶୁତୋଷ ଦେବତା ସ୍ବଚ୍ଛତା ହିଁ ସୁସ୍ଥତାର ହେତୁ। ବିଶ୍ୱରେ ଆବର୍ଜନାର ପରିମାଣ ଗତ ୨୦ ବର୍ଷ ମଧ୍ୟରେ ୫ ଗୁଣରୁ ଅଧିକ ହୋଇଯାଇଛି। ମହାତ୍ମା...

ମାତୃପିତୃ ଗୁଣେ ସନ୍ତାନ

ରମେଶ ଚନ୍ଦ୍ର ସାମଲ ଯେକୌଣସି କାମ କଲେ ଏହାର ଫଳ ଭଲ କିମ୍ବା ମନ୍ଦ ହୋଇଥାଏ। ଭଲ କାମର ଫଳ ଭଲ-ଏହା ଦ୍ୱାରା ସମସ୍ତଙ୍କ ମଙ୍ଗଳ...

କାହା ଉପରେ ଶିଶୁଙ୍କ ଦାୟିତ୍ୱ

ଭାଗୀରଥି ବେହେରା ପ୍ରତ୍ୟେକ ଶିଶୁ ଅଗଢା ପଥର ସଦୃଶ। ସେ ପଥରରେ ସୁନ୍ଦର ମୂର୍ତ୍ତିଟିଏ ଲୁଚିଥାଏ। ଏ ମୂର୍ତ୍ତିକୁ ଶିଳ୍ପୀଟିଏ ଦେଖିପାରେ। ସେହି ଶିଳ୍ପୀମାନେ ହେଲେ-...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *