ଅସ୍ବଚ୍ଛ ବଜେଟ

ଡ. ସନ୍ତୋଷ କୁମାର ମହାପାତ୍ର
ସାଧାରଣତଃ ଆର୍ଥିକ ସର୍ବେକ୍ଷଣ ରିପୋର୍ଟରେ ସରକାର କ’ଣ କ’ଣ ଆଲୋଚ୍ୟ ବର୍ଷରେ ହାସଲ କରିଛନ୍ତି, କେଉଁ ବିଫଳତାର ସମ୍ମୁଖୀନ ହୋଇଛନ୍ତି, ଅର୍ଥନୀତିର ସ୍ଥିତି କିପରି ଅଛି ତାହା ପ୍ରତିଫଳିତ ହୋଇଯାଏ। କିନ୍ତୁ ବଜେଟରେ ଆଲୋଚ୍ୟ ବର୍ଷରେ ସରକାର କିପରି ସମ୍ବଳ ସଂଗ୍ରହ କରୁଛନ୍ତି, କିପରି ବ୍ୟୟ କରୁଛନ୍ତି, କେଉଁ କ୍ଷେତ୍ରକୁ କେତେ ଗୁରୁତ୍ୱ ଦେଉଛନ୍ତି, ଅର୍ଥନୀତିକୁ କେଉଁ ଦିଶାରେ ନେବାକୁ ଯାଉଛନ୍ତି ତାହା ପ୍ରତିଫଳନ ହୋଇଥାଏ। କିନ୍ତୁ ଅର୍ଥମନ୍ତ୍ରୀ ବଜେଟ ଅଭିଭାଷଣରେ ମୁଖ୍ୟତଃ ସରକାରଙ୍କର ବିଗତ ବର୍ଷଗୁଡ଼ିକର ସଫଳତାକୁ ଅତିରଞ୍ଜିତ କରି କିମ୍ବା ବିଫଳତାକୁ ସଫଳତାର ଖୋଳପାରେ ପୂରାଇ ଉପସ୍ଥାପନ କରିଛନ୍ତି ଏବଂ ଏକ ସୁନେଲି ସ୍ବପ୍ନ ସୃଷ୍ଟି କରିଛନ୍ତି, ଯାହା ବଜେଟର ଅଂଶ ନୁହେଁ। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେ ଦୀର୍ଘ ୨ ଘଣ୍ଟା ୯ ମିନିଟ୍‌ ଧରି ବଜେଟ ଅଭିଭାଷଣ ଦେବା ସତ୍ତ୍ୱେ ପ୍ରଥମଥର ପାଇଁ ବଜେଟରେ ସରକାର କିପରି ରାଜସ୍ବ ବା ସମ୍ବଳ ସଂଗ୍ରହ କରୁଛନ୍ତି, କେଉଁ କ୍ଷେତ୍ରରେ କେତେ ବ୍ୟୟ କରୁଛନ୍ତି, ମୋଟ ଆୟ ଓ ବ୍ୟୟ କେତେ, ବିତ୍ତୀୟ ନିଅଣ୍ଟ, ରାଜସ୍ବ ନିଅଣ୍ଟ, ପ୍ରାଥମିକ ନିଅଣ୍ଟ, ବିଭିନ୍ନ ରିହାତିର ପରିମାଣ କେତେ ଆଦି ସମ୍ପର୍କରେ କହିନାହାନ୍ତି। ଏଠାରେ ସ୍ବତଃ ପ୍ରଶ୍ନ ଉଠେ ଯଦି ଏସବୁ ବଜେଟର ଆନୁଷଙ୍ଗିକ ପୁସ୍ତିକାରେ ଉଲ୍ଲେଖ କରାଯାଇଛି, ତେବେ ବଜେଟ ସହିତ ସମସ୍ତ ପୁସ୍ତିକାକୁ ଇଣ୍ଟରନେଟ୍‌ରେ ଦେଇଦେଲେ ସମସ୍ତେ ଦେଖିପାରିବେ ବା ପଢ଼ିପାରିବେ। ଏତେ ସମୟ ଧରି ବଜେଟ ଅଭିଭାଷଣ ଦେବାର ଆବଶ୍ୟକତା କ’ଣ? ବଜେଟରେ ଖାଲି ସ୍ଲୋଗାନ ଭରି ରହିଛି। ଅନେକ ଶ୍ଳୋକ, ସାୟରି ସେ କହିଛନ୍ତି। ପୁନଶ୍ଚ ତାମିଲ ଲୋକଙ୍କୁ ଖୁସି କରିବା ପାଇଁ ତାମିଲ କବିଙ୍କ କବିତାର କିଛି ଅଂଶ ପାଠ କରିଛନ୍ତି।
ତଥ୍ୟକୁ ଏପରି ଭାବେ ଅର୍ଥମନ୍ତ୍ରୀ ଉପସ୍ଥାପନ କରିଛନ୍ତି ଯେ, ଜଣେ ଭାବିବ ଦେଶରେ କେବଳ ବିକାଶ ହେଉଛି। କିଛି ସମସ୍ୟା ନାହିଁ। ସମସ୍ତେ ଘିଅମହୁରେ ଭାସୁଛନ୍ତି। ଭୟଙ୍କର ଆର୍ଥିକ, ସାମାଜିକ ତଥା ରାଜନୈତିକ ସମସ୍ୟାକୁ ସେ ଚତୁରତାର ସହିତ ଲୁଚାଇଛନ୍ତି, ଯାହା ଜଣେ ସାଧାରଣ ଲୋକ ବୁଝିପାରିବ ନାହିଁ। ପ୍ରତ୍ୟେକ ବର୍ଷ ଦେଶର ଜିଡିପି, ଆୟ, ବ୍ୟୟ, ଟିକସ, ଋଣ ଆଦି ସଂଖ୍ୟା ବୃଦ୍ଧି ପାଉଛି। ଏହା ପ୍ରାୟତଃ ଏକ ବିଶ୍ୱବ୍ୟାପୀ ଘଟଣା। ଏସବୁ ତଥ୍ୟର ପ୍ରକୃତ ମୂଲ୍ୟ ଜାଣିବାକୁ ହେଲେ କିମ୍ବା ଅତୀତର ତଥ୍ୟ ସହିତ ତୁଳନା କରିବାକୁ ହେଲେ ସଂଖ୍ୟା ଦୃଷ୍ଟିରୁ ତୁଳନା କରା ନ ଯାଇ ମୁଦ୍ରାସ୍ଫୀତିକୁ ବିଚାରକୁ ନିଆଯାଏ। ବିଭିନ୍ନ ବ୍ୟୟବରାଦ ଆଦି ଜିଡିପି ବା ବଜେଟର କେତେ ପ୍ରତିଶତ ତାହା କୁହାଯାଇଥାଏ। କାରଣ ୧୦ ବର୍ଷ ତଳେ ୫୦ ଟଙ୍କାର ମୂଲ୍ୟ ବା କ୍ରୟଶକ୍ତି ଯାହା ଥିଲା ବର୍ତ୍ତମାନ ତାହାର ଅଧା ହୋଇଥାଇପାରେ। କେନ୍ଦ୍ର ସରକାର ଆସନ୍ତା ୧୦ ବର୍ଷ ପାଇଁ ୧୦ଟି ଲକ୍ଷ୍ୟଧାର୍ଯ୍ୟ କରିବା କଥା ଅର୍ଥମନ୍ତ୍ରୀ କହିଛନ୍ତି। ସେଥିରେ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ହେଉଛି ବ୍ଲୁ ଇକୋନୋମି, ସବୁଜ ଧରା ଓ ନୀଳ ଆକାଶ ସହିତ ପ୍ରଦୂଷଣରହିତ ଭାରତ ଗଠନ। ଭୌତିକ ଓ ସାମାଜିକ ଭିତ୍ତିଭୂମି ନିର୍ମାଣ ସର୍ବନିମ୍ନ। ‘ବ୍ଲୁ ଇକୋନୋମି’ କହିଲେ ସାମୂହିକ ସମ୍ପଦର ସଦୁପଯୋଗ, ସମୁଦ୍ର, ଜଳବାୟୁ ପରିବର୍ତ୍ତନ ଏବଂ ସାଧାରଣ ଜନତାଙ୍କ ମଙ୍ଗଳ ମଧ୍ୟରେ ସମ୍ପର୍କ ସ୍ଥାପନକରି କାର୍ଯ୍ୟ କରିବା। ବିଶେଷକରି ଜଳବାୟୁ ପରିବର୍ତ୍ତନକୁ ଗୁରୁତ୍ୱଦେବା ଓ ସେଥିପାଇଁ ବ୍ୟୟବରାଦ କରିବା। ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଆଦି ଦେଶ ଏଥିପାଇଁ ବ୍ୟୟବରାଦ କରୁଛନ୍ତି। ଅର୍ଥମନ୍ତ୍ରୀ ଏହି ପ୍ରଶ୍ନ ଉଠାଇଲା ବେଳେ କୌଣସି ବ୍ୟୟବରାଦ ନ କରିବା ଚିନ୍ତାର ବିଷୟ। ଉଲ୍ଲେଖଯୋଗ୍ୟ ଜଳବାୟୁ ପରିବର୍ତ୍ତନ ଯୋଗୁ ଗରିବ, ସାଧାରଣ ଜନତା ବେଶି କ୍ଷତିଗ୍ରସ୍ତ ହେଲା ବେଳେ ଧନିକ ଶ୍ରେଣୀମାନେ ରକ୍ଷା ପାଇଯାଆନ୍ତି। ମୋଦି ୧.୦ ସରକାର ଅମଳରେ ବାୟୁମଣ୍ଡଳ ଆହୁରି ଦୂଷିତ ହେଲା ବେଳେ ସରକାର କିଛି ପଦକ୍ଷେପ ନେଇନାହାନ୍ତି। ପୃଥିବୀର ୨୦ଟି ସର୍ବାଧିକ ପ୍ରଦୂଷିତ ସହର ମଧ୍ୟରୁ ୧୫ଟି ଭାରତରେ ରହିଛି। ଏହାର ଅର୍ଥ ‘ସ୍ବଚ୍ଛ ଭାରତ’ ଏବଂ ‘ବ୍ଲୁ ଇକୋନୋମି’, ‘ସବୁଜ ଭାରତ’ କେବଳ ସ୍ଲୋଗାନରେ ସୀମିତ।
ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଭାରତ ବର୍ତ୍ତମାନ ୬ଷ୍ଠ ବୃହତ୍ତମ ଅର୍ଥନୀତି ଏବଂ କ୍ରୟଶକ୍ତି ସମତା ଦୃଷ୍ଟିରୁ ଏହା ତୃତୀୟ ବୃହତ୍ତମ ଅର୍ଥନୀତି। ବର୍ତ୍ତମାନ ଜିଡିପି ମୂଲ୍ୟ ୨.୭ ଟ୍ରିଲିୟନ ଡଲାର (୧ଟ୍ରିଲିୟନ = ୧ଲକ୍ଷ କୋଟି, ୧ଡଲାର= ୬୮ଟଙ୍କା)। ଏହା ଚଳିତ ବର୍ଷ ୩ ଟ୍ରିଲିୟନ ଡଲାରରେ ପହଞ୍ଚତ୍ବା ସହିତ ଆଗାମୀ କିଛି ବର୍ଷରେ ୫ଟ୍ରିଲିୟନ ଡଲାରରେ ପହଞ୍ଚତ୍ବ। ଏଥିପାଇଁ ଶାସନଗତ ବ୍ୟବସ୍ଥାରେ ସଂସ୍କାର (ରିଫର୍ମ), ପ୍ରଦର୍ଶନ (ପରଫର୍ମ) ଓ ରୂପାନ୍ତର (ଟ୍ରାନ୍ସଫର୍ମ) ନୀତିକୁ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି। କିନ୍ତୁ ଏଠାରେ ସ୍ବତଃ ପ୍ରଶ୍ନ ଉଠେ ସରକାର ଚାହିଁଲେ କ’ଣ ଜିଡିପି ବୃଦ୍ଧି ପାଇଯିବ। ଯଦି ଏହା ସମ୍ଭବ ତେବେ ଏହି ସରକାରଙ୍କ ପୂର୍ବ ଅବତାରରେ ଅଭିବୃଦ୍ଧି ହ୍ରାସ ପାଇ ଗତବର୍ଷ କାହିଁକି ୬.୮% ହୋଇଛି ଏବଂ ଗତ ଆର୍ଥିକ ବର୍ଷର ଶେଷ ତ୍ରିମାସୀରେ ଅଭିବୃଦ୍ଧି ହାର ୫.୬% ହୋଇଛି, ଯାହା ପ୍ରାୟ ଗତ ୧୬ଟି ତ୍ରିମାସୀରେ ସର୍ବନିମ୍ନ। ସେତେବେଳେ ସରକାର କାହିଁକି ଏହାକୁ ରୋକିପାରିଲେ ନାହିଁ? ପୁନଶ୍ଚ ଯଦି ଏହା କହିଦେଲେ ସମ୍ଭବ, ତେବେ ଉନ୍ନତ ଦେଶଗୁଡ଼ିକ ଅଧିକ ଅଭିବୃଦ୍ଧି କାହିଁକି ହାସଲ କରିପାରୁ ନାହାନ୍ତି। ଯଦି ସରକାର ଆର୍ଥିକ ମାନ୍ଦାବସ୍ଥା ରୋକିପାରୁନାହାନ୍ତି ୫ଟ୍ରିଲିୟନର ସ୍ବପ୍ନ କାହିଁକି ଦେଖାଉଛନ୍ତି? ଭାରତ ଏତେବଡ଼ ଅର୍ଥନୀତି ହୋଇ ମଧ୍ୟ କ୍ଷୁଧା, ଦାରିଦ୍ର୍ୟ, ବେକାରି ଓ ବୈଷମ୍ୟ ବ୍ୟାପକ। ଗତ ୪୫ ବର୍ଷରେ ବେକାରି ହାର ସର୍ବାଧିକ (୬.୧%)। ଅଧିକାଂଶ ଅନ୍ତର୍ଜାତୀୟ ସାମାଜିକ ସୂଚକାଙ୍କରେ ଭାରତ ଅତ୍ୟନ୍ତ ନିମ୍ନରେ ରହିଛି। ଦେଶର ଟିକସ-ଜିଡିପି ଅନୁପାତ ବିଶ୍ୱରେ ପ୍ରାୟ ସର୍ବନିମ୍ନ । ଶିକ୍ଷା, ସ୍ବାସ୍ଥ୍ୟର ବ୍ୟାପକ ଘରୋଇକରଣ ଯୋଗୁ ଏହା ଗରିବଙ୍କ ପାଇଁ ସମ୍ପୂର୍ଣ୍ଣ ଅପହଞ୍ଚ। କେବଳ ଅଭିବୃଦ୍ଧିର ସୁଫଳ ଧନିକ ଶ୍ରେଣୀ ପାଖକୁ ଯାଉଛି, ଯାହାଫଳରେ ୧% ଭାରତୀୟ କେବଳ ୫୦% ସମ୍ପଦର ଅଧିକାରୀ ହୋଇଛନ୍ତି। ତେଣୁ ସରକାର ଏହି ମିଥ୍ୟା ସୁନେଲି ସ୍ବପ୍ନ ଦେଖାଇବାରୁ ବିରତ ରହିବା ଆବଶ୍ୟକ। ପୁନଶ୍ଚ ଅଭିବୃଦ୍ଧି ମଧ୍ୟ ପ୍ରାକୃତିକ ସମ୍ବଳର ଅତ୍ୟଧିକ ବିନିଯୋଗ ଉପରେ ନିର୍ଭରକରେ। ଏହା କିନ୍ତୁ ଦିନେ ସରିଯିବ। ଏଣୁ ନିକଟରେ ନ୍ୟୁଜିଲାଣ୍ଡ ସରକାର ଯେଉଁ ବଜେଟ ଉପସ୍ଥାପନ କରିଛନ୍ତି ସେ ଅଭିବୃଦ୍ଧିକୁ ଗୁରୁତ୍ୱ ନ ଦେଇ ଜନସାଧାରଣଙ୍କ ମଙ୍ଗଳ ଓ ସାମାଜିକ ବିକାଶକୁ ପ୍ରାଧାନ୍ୟ ଦେଇଛନ୍ତି। ଏଥିରୁ ଆମ ସରକାର ଶିକ୍ଷା ନେଇ ବେଶି ଶିକ୍ଷା, ସ୍ବାସ୍ଥ୍ୟ, ନିଯୁକ୍ତି ପାଇଁ ବ୍ୟୟ କରିବା ଉଚିତ, ଯାହା ଅର୍ଥମନ୍ତ୍ରୀ କହିନାହାନ୍ତି। ଅର୍ଥମନ୍ତ୍ରୀ ପୁନଶ୍ଚ କହିଛନ୍ତି ଯେ, ବିଶ୍ୱ ସ୍ତରରେ ମୋଟ ଏଫ୍‌ଡିଆଇ ହ୍ରାସ ପାଇଛି। ଏହା ୨୦୧୭ରେ ୧.୮ ଟ୍ରିଲିୟନ ଡଲାର ଥିଲା ବେଳେ ୨୦୧୮ରେ ୧.୫ ଟ୍ରିଲିୟନକୁ ହ୍ରାସ ପାଇଛି। କିନ୍ତୁ ଏହି ସମୟରେ ଭାରତରେ ୨୦୧୮-୧୯ ବର୍ଷରେ ଏଫ୍‌ଡିଆଇ ପୂର୍ବବର୍ଷ ତୁଳନାରେ ୬% ବୃଦ୍ଧି ପାଇ ୬୪.୩୭୫ ବିଲିୟନ ଡଲାର ହୋଇଛି। ତେବେ ଏଫ୍‌ଡିଆଇ ବୃଦ୍ଧି ଯୋଗୁ କ’ଣ ଲାଭ ହୋଇଛି, କେତେ ନିଯୁକ୍ତି, ଅଭିବୃଦ୍ଧି ଅଧିକ ହୋଇଛି ଏବଂ କେତେ ନୂଆ ଶିଳ୍ପ ପ୍ରତିଷ୍ଠା ହୋଇଛି ତାହା ଅର୍ଥମନ୍ତ୍ରୀ କହିଲେ ନାହିଁ। ବାସ୍ତବରେ ଅଭିବୃଦ୍ଧି ସଞ୍ଚୟ ଉପରେ ନିର୍ଭରକରେ, ଯାହା ଗତ ୫ ବର୍ଷରେ ହ୍ରାସ ପାଇଛି, ଏହା ଅର୍ଥମନ୍ତ୍ରୀ କହିନାହାନ୍ତି। ଅର୍ଥମନ୍ତ୍ରୀ ପ୍ରତ୍ୟକ୍ଷ ଟିକସ ବୃଦ୍ଧି କଥା କହିବା ସହିତ ବିତ୍ତୀୟ ଶୃଙ୍ଖଳା ବଜାୟ ରଖିବା କଥା କହିଛନ୍ତି। କିନ୍ତୁ ଗତବର୍ଷ ଧାର୍ଯ୍ୟ ଟିକସ-ଜିଡିପି ଅନୁପାତ ହ୍ରାସ ପାଇଛି। ବ୍ୟକ୍ତିଗତ ଆୟକର କ୍ଷେତ୍ରରେ ୧୫୮୩୯୬ କୋଟି ଟଙ୍କା, କମ୍ପାନୀ ଟିକସ କ୍ଷେତ୍ରରେ ୯୬୪୨୮ କୋଟି ଟଙ୍କା, ସୀମା ଶୁକ୍ଳ କ୍ଷେତ୍ରରେ ୨୭୪୫୮ କୋଟି ଟଙ୍କା ଏବଂ କେନ୍ଦ୍ରୀୟ ଜିଏସ୍‌ଟି କ୍ଷେତ୍ରରେ ୪୬୩୬୫ କୋଟି ଟଙ୍କା ସଂଶୋଧିତ ଧାର୍ଯ୍ୟ ଅଟକଳ ଅନୁସାରେ କମ୍‌ ଆଦାୟ ହୋଇଛି। ସମ୍ବଳ ହ୍ରାସ ଅର୍ଥ ବ୍ୟୟ ସଂକୋଚନ। ଗତବର୍ଷ ଧାର୍ଯ୍ୟ ବ୍ୟୟଠାରୁ ୦.୩% କମ୍‌ ବ୍ୟୟ ହୋଇଛି।
ଗତ କିଛି ବର୍ଷ ହେବ ମୋଟ୍‌ ଜିଡିପି ଅନୁସାରେ ବ୍ୟୟ ହ୍ରାସ ପାଉଛି ଯାହା ଅର୍ଥମନ୍ତ୍ରୀ କହିନାହାନ୍ତି। ପୁନଶ୍ଚ ପେଟ୍ରୋଲ, ଡିଜେଲ ଉପରେ ଲିଟର ପିଛା ୧ଟଙ୍କା ସଡ଼କ ଓ ଭିତ୍ତିଭୂମି ସେସ୍‌ ଆଉ ୧ଟଙ୍କା ଅତିରିକ୍ତ ଉତ୍ପାଦନ ଶୁଳ୍କ ଏମିତି ମୋଟ ୨ଟଙ୍କା ଟିକସ ଧାର୍ଯ୍ୟ କରିଛନ୍ତି। ଏହାଦ୍ୱାରା କେଉଁ ଶ୍ରେଣୀର ଲୋକ ଉପକୃତ ହେବେ ଏବଂ କିପରି ଗରିବଙ୍କ ଉପକାର ହେବ ତାହା ଅର୍ଥମନ୍ତ୍ରୀ କହିବା ଉଚିତ। ଆୟକରଦାତା ବିଶେଷକରି ବେତନଭୋଗୀ ଆୟକର କ୍ଷେତ୍ରରେ କିଛି ରିହାତି ଆଶା କରୁଥିଲେ। କିନ୍ତୁ ସେମାନଙ୍କୁ ଅର୍ଥମନ୍ତ୍ରୀ ନିରାଶ କରିଛନ୍ତି। ଅପରପକ୍ଷରେ କର୍ପୋରେଟ୍‌ ଟିକସ ହାର ୩୦ରୁ ୨୫%କୁ ହ୍ରାସ ହୋଇଛି। ପୂର୍ବରୁ ବାର୍ଷିକ ୨୫୦ କୋଟି ଟଙ୍କା ଟର୍ନଓଭରରୁ ଅଧିକ ଥିବା କମ୍ପାନୀଗୁଡ଼ିକ ୩୦% ଟିକସ ଦେଲାବେଳେ ବର୍ତ୍ତମାନ ଏହି ସୀମା ୪୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଧନିକ ଶ୍ରେଣୀଠାରୁ ସରଚାର୍ଜ ହାର ବୃଦ୍ଧି କରି ଅଧିକ ଟିକସ ଆଦାୟ ପାଇଁ ପ୍ରୟାସ କରିଛନ୍ତି, ଯାହା ସ୍ବାଗତଯୋଗ୍ୟ। କିନ୍ତୁ ଏହା ଆହୁରି ବୃଦ୍ଧି ହେବା ଆବଶ୍ୟକ। ଟିକସ ହାର ବୃଦ୍ଧି ନ କରି ସରଚାର୍ଜ ଓ ସେସ୍‌ କାହିଁକି ବୃଦ୍ଧି କଲେ? ତାହାର କାରଣ ହେଲା ଏଥିରେ ରାଜ୍ୟ ସରକାରଙ୍କ କିଛି ଅଂଶ ରହିବ ନାହିଁ ଯାହା ଅର୍ଥମନ୍ତ୍ରୀ କହିନାହାନ୍ତି। ଅର୍ଥମନ୍ତ୍ରୀ ବିତ୍ତୀୟ ଶୃଙ୍ଖଳା ବଜାୟ ରଖିବା କଥା କହିଛନ୍ତି। କିନ୍ତୁ ୨୦୧୮-୧୯ରେ ଜବରଦସ୍ତ ଓଏନ୍‌ଜିସି, ରିଜର୍ଭ ବ୍ୟାଙ୍କ ଆଦି କ୍ଷେତ୍ରରୁ ଅନ୍ତରୀଣ ଲାଭାଂଶ, ୨୦୧୮-୧୯ ବର୍ଷର କିଛି ବ୍ୟୟକୁ ୨୦୧୯-୨୦ ବର୍ଷକୁ ଘୁଞ୍ଚେଇଦେବା ସହ କିଛି ବ୍ୟୟ ହ୍ରାସ କରି ବିତ୍ତୀୟ ନିଅଣ୍ଟକୁ ଜିଡିପିର ୩.୪% ରଖିଛନ୍ତି, ଯାହା ଲୋକଙ୍କୁ କୁହାଯାଉନି। ପୁନଶ୍ଚ ପୁଞ୍ଜି ପ୍ରତ୍ୟାହାର ମାଧ୍ୟମରେ ଚଳିତ ଆର୍ଥିକବର୍ଷରେ ୧ଲକ୍ଷ ୫ହଜାର କୋଟି ଟଙ୍କା ଆଦାୟ କରିବେ ବୋଲି ଧାର୍ଯ୍ୟ କରିଛନ୍ତି। ଅନ୍ତରୀଣ ବଜେଟରେ ଏହା ୯୦ ହଜାର କୋଟି ଟଙ୍କା ଥିଲା। ପୁଞ୍ଜି ପ୍ରତ୍ୟାହାର ଅର୍ଥ ସରକାର ଟିକସ ମାଧ୍ୟମରେ ସମ୍ବଳ ସଂଗ୍ରହ କରିବାରେ ବିଫଳ। ଯଦି ସରକାର ସମ୍ବଳ ସଂଗ୍ରହ କରି ନ ପାରିଲେ କିପରି ନୂଆ ଭାରତ, ୫ଟ୍ରିଲିୟନ ଅର୍ଥନୀତି ସମ୍ଭବ ହେବ? ତଥ୍ୟସବୁ ସରକାରଙ୍କୁ ସୁହାଇଲା ପରି ପ୍ରଦର୍ଶନ କରାଯାଇଛି।
ଡିଭାଇନ ନଗର, ଚାଉଳିଆଗଞ୍ଜ, କଟକ, ମୋ: ୯୪୩୭୨୦୮୭୬୨


All Right Reserved By Dharitri.Com

ଓଡ଼ିଆ ଜାତିର ଜୀବନ ବେଦ

ଡ. ପ୍ରଫୁଲ୍ଲ କୁମାର ସାହୁ ଗ୍ରନ୍ଥସ୍ରଷ୍ଟାଙ୍କ ଜୟନ୍ତୀ ପାଳନ ହେବାର ବିଧି ବିଶ୍ୱବ୍ୟାପୀ ପ୍ରଚଳିତ। ମାତ୍ର ଓଡ଼ିଆ ଭାଗବତକୁ ଛାଡ଼ିଦେଲେ ପୃଥିବୀରେ ପ୍ରାୟ ଏମିତି କୌଣସି...

ଚାଷୀ କ’ଣ ଦୟାର ପାତ୍ର

ସବ୍ୟସାଚୀ ଅମିତାଭ ଚାଷୀଙ୍କୁ ନେଇ ବିଧାନସଭା ପଡୁଛି ଉଠୁଛି। ବିରୋଧୀଙ୍କ ପ୍ରଶ୍ନବାଣରେ ଶାସକ ଦଳ ଜର୍ଜରିତ। କିଛି କରିନ, ଖାଲି ପ୍ରତିଶ୍ରୁତି ଦେଉଛ। ଚାଷୀଙ୍କ ଭାଗ୍ୟ...

ଏଇ ଭାରତରେ

ପରୀକ୍ଷା ଦେବା ପରେ ସମସ୍ତେ ଚାହିଁଥାନ୍ତି ଫଳକୁ। ପାସ୍‌ହେଲେ ସାର୍ଟିଫିକେଟ ଓ ମାର୍କଶିଟ୍‌ ନେଇ ଆଗକୁ ପଢିବେ। କିନ୍ତୁ ୧୩ ବର୍ଷ ପୂର୍ବେ ପରୀକ୍ଷା ଦେଇଥିବା...

ଅମୃତର ନାଭି

ଡ. ଲାବଣ୍ୟଚନ୍ଦ୍ର ସାହୁ ଗାଈ ବା ଗାଭୀକୁ ବେଦରେ ଅମୃତର ନାଭି କୁହାଯାଇଛି- ”ମାତା ରୁଦ୍ରାଣାଂ ଦୁହିତା ବସୂନାଂ ସ୍ବସାଦିତ୍ୟାନାମମୃତସ୍ୟ ନାଭିଃ।“ ଅର୍ଥାତ୍‌ ଗାଈ ହେଉଛି...

ସମ୍ପାଦକୀୟ/ଆଜି ଅସଲି, କାଲି ନକଲି

ଜଣେ ବ୍ୟକ୍ତିଙ୍କ ଆୟର ଉତ୍ସ ଜାଣିବା ଲାଗି ଭାରତର ଆୟକର ବିଭାଗ ଦ୍ୱାରା ପର୍ମାନେଣ୍ଟ ଆକାଉଣ୍ଟ ନମ୍ବର (ପାନ୍‌) ବ୍ୟବହାର କରାଯାଇଥାଏ। ସେହିପରି ଆୟକର ଦାଖଲ...

ଆଇଏନ୍‌ସିବି ସଦସ୍ୟା

ବ୍ୟକ୍ତିତ୍ୱ/ ଜିତେନ୍ଦ୍ର କୁମାର ନାୟକ ଅନ୍ତର୍ଜାତୀୟ ନିଶା ଔଷଧ ନିୟନ୍ତ୍ରଣ ବୋର୍ଡ (ଇଣ୍ଟରନ୍ୟାଶନାଲ ନାର୍କୋଟିକ୍ସ କଣ୍ଟ୍ରୋଲ ବୋର୍ଡ ବା ଆଇଏନ୍‌ସିବି) ଜାତିସଂଘର ଏକ ସ୍ବାଧୀନ ତଥା...

ଏଇ ଭାରତରେ

ଉତ୍ତରପ୍ରଦେଶ ବରେଲିର ଇଜ୍ଜତନଗର ଥାନା ଅଞ୍ଚଳରେ ଏପରି ଏକ ଘଟଣା ଘଟିଛି ଯାହା ସମସ୍ତଙ୍କୁ ଚକିତ କଲାଭଳି। ନୁରୁଲ ହାସନ ନାମକ ଜଣେ ରିକ୍ସା ଚାଳକ...

ଓଡ଼ିଶାର ପାଲା ସଂସ୍କୃତି

ନୃସିଂହ ଚରଣ ମହାପାତ୍ର ଆମ ଉତ୍କଳ ପ୍ରଦେଶର ଯେତେପ୍ରକାର ସଂସ୍କୃତି ରହିଛି ତନ୍ମଧ୍ୟରୁ ପାଲା ଅନ୍ୟତମ। ମୋଗଲ ଶାସନ ଅମଳରୁ ସତ୍ୟନାରାୟଣ ପାଲା ବା ସତ୍ୟପୀର...

Leave a comment

Your email address will not be published. Required fields are marked *