ସେମାନେ ମନେପଡ଼ନ୍ତି

ଡ. ଛାୟାକାନ୍ତ ଷଡ଼ଙ୍ଗୀ
ଆଜି ଆଉ ରାଜତନ୍ତ୍ର ନାହିଁ। ଆସିଛି ଗଣତନ୍ତ୍ର। ଏବେ ଜନସାଧାରଣଙ୍କ ଦ୍ୱାରା ନିର୍ବାଚିତ ପ୍ରତିନିଧି ଶାସନ କରୁଛନ୍ତି। ଯେହେତୁ ଜନସାଧାରଣ ନିଜ ପସନ୍ଦ ଅନୁସାରେ ଶାସକ ବାଛନ୍ତି, ତେଣୁ ସେମାନଙ୍କ କଥା ଶାସକ ଶୁଣିବେ ବୋଲି ସେମାନଙ୍କର ଆଶା କରିବା ସ୍ବାଭାବିକ। ମାତ୍ର ନିର୍ବାଚନ ସରିଗଲେ ଦୃଶ୍ୟପଟ ବଦଳିଯାଏ। ନିର୍ବାଚିତ ବିଧାୟକମାନଙ୍କ ମଧ୍ୟରୁ କେତେଜଣ ହୁଅନ୍ତି ମନ୍ତ୍ରୀ। ତା’ପରେ ଜନସାଧାରଣଙ୍କଠାରୁ ତାଙ୍କ ଦୂରତ୍ୱ ବଢ଼ିଯାଏ। ଜନସାଧାରଣ ସହଜରେ ତାଙ୍କୁ ସାକ୍ଷାତ କରିପାରନ୍ତି ନାହିଁ। ସାକ୍ଷାତ କରିବା ପାଇଁ ନିମ୍ନସ୍ତରୀୟ ଦଳୀୟ ନେତାଙ୍କ ସାହାଯ୍ୟ ନେବାକୁ ହୁଏ ଓ ଦିନ ଦିନ ଧରି ଅପେକ୍ଷା କରିବାକୁ ପଡ଼େ।
ସେତେବେଳେ ମନେପଡ଼େ ପିଲାଦିନେ ଶୁଣିଥିବା ଜଣେ ରାଜାଙ୍କ କାହାଣୀ। ସେହି ରାଜା ପ୍ରଜାମାନଙ୍କ ଦୁଃଖସୁଖ ବୁଝିବା ପାଇଁ ଅନେକ ସାମନ୍ତ ଓ ଅମାତ୍ୟ ନିଯୁକ୍ତ କରିଥାନ୍ତି। ମାତ୍ର କ୍ଷମତା ପାଇ ସେମାନେ ବନିଯାନ୍ତି ସ୍ବେଚ୍ଛାଚାରୀ ଓ ଦୁର୍ନୀତିଗ୍ରସ୍ତ। ଫଳରେ ଶୋଷିତ ହୁଅନ୍ତି ପ୍ରଜାକୁଳ। ରାଜାଙ୍କୁ ସାକ୍ଷାତ କରିବାର ସୁଯୋଗ ନ ଥିବାରୁ ପ୍ରଜାମାନେ ସାମନ୍ତ ଓ ଅମାତ୍ୟ ଦ୍ୱାରା ଶୋଷିତ ହୋଇ ଦୁଃଖ ଭୋଗନ୍ତି। ଦିନେ ରାଜା ଛଦ୍ମବେଶରେ ବୁଲୁବୁଲୁ ଜାଣିବାକୁ ପାଇଲେ ଯେ, ତାଙ୍କ ସହ ପ୍ରଜାମାନଙ୍କ ସିଧାସଳଖ ସମ୍ପର୍କ ନ ଥିବାରୁ ପ୍ରଜାମାନେ ସାମନ୍ତମାନଙ୍କ ଦ୍ୱାରା ପ୍ରପୀଡ଼ିତ ହେଉଛନ୍ତି। ତେଣୁ ସେ ତିଆରି କଲେ ଏକ ନୂଆ ଯୋଜନା। ନିଜ ଶୟନକକ୍ଷରେ ଏକ ଘଣ୍ଟା ବାନ୍ଧିବାର ବ୍ୟବସ୍ଥା କଲେ। ସେହି ଘଣ୍ଟାରେ ଏକ ଲମ୍ବା ଦଉଡ଼ିର ଗୋଟିଏ ପ୍ରାନ୍ତ ବନ୍ଧାଯାଇ ଅନ୍ୟପ୍ରାନ୍ତଟିକୁ ରାଜନବରର ପ୍ରବେଶ ଦ୍ୱାରରେ ଝୁଲାଇ ଦିଆଗଲା। ଘୋଷଣା କରାଗଲା, ପ୍ରଜାମାନେ ସେମାନଙ୍କ ଆପତ୍ତି ଅଭିଯୋଗ ରାଜାଙ୍କ ଦୃଷ୍ଟିକୁ ଆଣିବା ପାଇଁ ରାଜନବରର ଦ୍ୱାରଦେଶରେ ଝୁଲୁଥିବା ଦଉଡିକୁ ଟାଣିବେ। ରାଜା ସେମାନଙ୍କୁ ସାକ୍ଷାତର ସୁଯୋଗ ଦେବେ ଓ ସେମାନଙ୍କ ସମସ୍ୟା ସମାଧାନ କରିବେ। ଏହି ବ୍ୟବସ୍ଥା ଲାଗୁ ହେଲା ପରେ ପ୍ରଜାମାନେ ସୁଶାସନ ପାଇଲେ ଓ ଦୁର୍ନୀତିଗ୍ରସ୍ତ ସାମନ୍ତମାନେ ପଦଚ୍ୟୁତ ହେଲେ। ପରବର୍ତ୍ତୀ ସମୟରେ ସେହି ରାଜାଙ୍କ ବଂଶଧରମାନେ ମଧ୍ୟ ସେହି ବ୍ୟବସ୍ଥା ଚାଲୁରଖିଲେ। ଜଣେ ରାଜା ପ୍ରବେଶଦ୍ୱାରରେ ନିଯୁକ୍ତି ଦେଲେ ଜଣେ ଦ୍ୱାରପାଳଙ୍କୁ। ଦେଖାଗଲା, ରାଜାଙ୍କୁ ଦୁଃଖ ଜଣାଇବାକୁ ଆସିଥିବା ପ୍ରଜା ସେହି ଦ୍ୱାରପାଳକୁ ସନ୍ତୁଷ୍ଟ ନ କଲା ପର୍ଯ୍ୟନ୍ତ ଘଣ୍ଟା ଦଉଡି ଟାଣିବାର ସୁଯୋଗ ପାଇଲା ନାହିଁ। ଅବଶ୍ୟ ଆଜି ଆଉ ରାଜାନାହାନ୍ତି କି ତାଙ୍କର ଅମାତ୍ୟ ଓ ସାମନ୍ତ ନାହାନ୍ତି। ତଥାପି ଏକ ଭିନ୍ନ ନାମରେ ସେହି ସମାନ ବ୍ୟବସ୍ଥା ଚାଲିଛି। ରାଜାଙ୍କ ସ୍ଥାନରେ ଅଛନ୍ତି ମନ୍ତ୍ରୀ। ତାଙ୍କୁ ସହଯୋଗ କରିବା ପାଇଁ ଅଛନ୍ତି ସଚିବ, ନିର୍ଦ୍ଦେଶକ, ଜିଲାପାଳ ଆଦି ଅନେକ ପ୍ରଶାସନିକ ଅଧିକାରୀ। ମନ୍ତ୍ରୀଙ୍କ ପାଖକୁ ଯିବା ପୂର୍ବରୁ ଏମାନଙ୍କ ପାଖରେ ଆପତ୍ତି ଅଭିଯୋଗ ଦେବାକୁ ହୁଏ। ରାଜନବରର ପ୍ରବେଶ ଦ୍ୱାରରେ ବସିଥିବା ଦ୍ୱାରରକ୍ଷୀକୁ ସନ୍ତୁଷ୍ଟ ନ କଲେ ଘଣ୍ଟା ଦଉଡିକୁ ଟାଣି ନ ପାରି ରାଜାଙ୍କ ସାକ୍ଷାତରୁ ବଞ୍ଚିତ ହେବା ଭଳି ଆଜି ବି ମନ୍ତ୍ରୀ ଓ ବିଭିନ୍ନ ପ୍ରଶାସନିକ ଅଧିକାରୀଙ୍କ ଦ୍ୱାରରକ୍ଷୀକୁ ଖୁସି ନ କଲେ ସେମାନଙ୍କ ସାକ୍ଷାତ ମିଳୁନାହିଁ। ଶାସନତନ୍ତ୍ରରେ ନାମ ଓ ଶାସକମାନଙ୍କ ପଦର ନାମ ସିନା ବଦଳିଛି, ଶାସନ ପଦ୍ଧତିରେ ବିଶେଷ କିଛି ପରିବର୍ତ୍ତନ ହୋଇନାହିଁ।
ଯେତେବେଳେ ବନ୍ୟା କିମ୍ବା ବାତ୍ୟା ଆସେ ଓଡ଼ିଶାର ଅସଂଖ୍ୟ ଲୋକ ଗୃହଶୂନ୍ୟ ହୋଇଯାନ୍ତି। ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀ ଆସନ୍ତି ସେମାନଙ୍କ ଦୁର୍ଦ୍ଦଶା ଦେଖିବା ପାଇଁ। ବାଣ୍ଟିଦିଅନ୍ତି ଖାଦ୍ୟପୁଡିଆ ଓ ଲୁଗାପଟା। ଲୋକଙ୍କ ଦୁର୍ଦ୍ଦଶା ଦେଖିବାକୁ ଆସି ନିଅନ୍ତି ଭ୍ରମଣ ଭତ୍ତା। ତା’ପରେ ରାଜଧାନୀ ଫେରି ଶୀତତାପନିୟନ୍ତ୍ରିତ କକ୍ଷରେ ନିଦ୍ରା ଯାଆନ୍ତି। ସେତେବେଳେ ମନେପଡ଼ନ୍ତି ଉତ୍କଳମଣି ଗୋପବନ୍ଧୁ ଯିଏ ନିଜର ରୋଗଗ୍ରସ୍ତ ପୁଅକୁ ଛାଡି ବନ୍ୟାକ୍ଳିଷ୍ଟ ଲୋକଙ୍କ ସେବା କରିବା ପାଇଁ ବାହାରିଆସନ୍ତି। ମନେପଡନ୍ତି ପାରଳାଖେମୁଣ୍ଡିର କୃଷ୍ଣଚନ୍ଦ୍ର ଗଜପତି। ଥରେ ତିନିଦିନ ଧରି ବର୍ଷା ଲାଗିରହିଲା। ରାଜା ଥାନ୍ତି ନବବିବାହିତ। ରାଜ୍ୟର ମଧ୍ୟଭାଗରେ ପ୍ରବାହିତ ବଂଶଧାରା ନଦୀ। ତା’ କୂଳରେ ଅବସ୍ଥିତ କାଶୀନଗର ସହର। ପ୍ରବଳ ବର୍ଷା ଲାଗି ରହିବାରୁ ନଦୀର ଜଳସ୍ତର ବୃଦ୍ଧିହେବାକୁ ଲାଗିଲା। ଯେକୌଣସି ସମୟରେ ଜନବସତି ଭାସିଯିବାର ଆଶଙ୍କାରେ ରାଜା ବିବ୍ରତ ହୋଇପଡିଲେ। ସେ ଶୋଇପାରିଲେ ନାହିଁ। ଡକାଇଲେ ମୁଖ୍ୟ ଇଞ୍ଜିନିୟର ମୁଲ୍ଲାର ସାହେବଙ୍କୁ। ନିଜେ ବାହାରି ପଡିଲେ କାଶୀନଗର। ସାଙ୍ଗରେ ଚାଲିଲେ ମୁଲ୍ଲାର ସାହେବ ଓ ୪୦/୫୦ ରାଜ କର୍ମଚାରୀ। ରାଜାଙ୍କ ଉପସ୍ଥିତିରେ ସେମାନେ ବର୍ଷାକୁ ଖାତିର ନ କରି ମାଟି ପଥର ଖୋଳି ନଦୀବନ୍ଧରେ ଢାଳିଲେ। ପାଞ୍ଚମାଇଲ ନଦୀବନ୍ଧରେ ତିନିଫୁଟ ଆଡିବନ୍ଧ ତିଆରି ହେଲା। ଏହି କାମରେ ସହରବାସୀ ମଧ୍ୟ ସହଯୋଗ କଲେ। ରାଜା ନିଜେ ଛିଡା ହୋଇ ରହିଲେ କାମ ଶେଷ ହେବା ପର୍ଯ୍ୟନ୍ତ। ଲୋକଙ୍କ ଦୁର୍ଦ୍ଦଶା ସମୟରେ ବ୍ୟକ୍ତିଗତ ଭାବରେ ଉପସ୍ଥିତ ରହି ଲୋକଙ୍କୁ ସହଯୋଗର ହାତ ବଢାଇବା ଶାସକ ଆଜି କାହାନ୍ତି ?
ଆଜିର ମନ୍ତ୍ରୀମାନେ ଯେଭଳି ଭାବରେ ସୁଖସ୍ବାଚ୍ଛନ୍ଦ୍ୟରେ ରହୁଛନ୍ତି ଓ ସ୍ବତନ୍ତ୍ର ସୁବିଧା ଉପଭୋଗ କରୁଛନ୍ତି, ସେକଥା ଚିନ୍ତା କଲାବେଳେ ମନେପଡନ୍ତି ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀ। ରେଳମନ୍ତ୍ରୀ ଥିବାବେଳେ ଦିନେ ସେ ଆଲ୍ଲାହାବାଦ ଆସିବା ପାଇଁ ଦିଲ୍ଲୀ ରେଳଷ୍ଟେଶନରେ ଗାଡିକୁ ଅପେକ୍ଷା କରିଥାନ୍ତି। ସାଙ୍ଗରେ ଥାନ୍ତି ତାଙ୍କର ସ୍ତ୍ରୀ। ଏପ୍ରିଲ ମାସର ପ୍ରଚଣ୍ଡ ଗରମରେ ଶାସ୍ତ୍ରୀ ମୁହଁରୁ ଘନଘନ ଝାଳ ପୋଛୁଥାନ୍ତି। ଯଥାସମୟରେ ଗାଡି ପହଞ୍ଚିଲା। ସ୍ତ୍ରୀଙ୍କ ସହ ଶାସ୍ତ୍ରିଜୀ ଉଦ୍ଦିଷ୍ଟ ଡବାକୁ ପଶିଗଲେ। ଡବା ଭିତରେ ଅନୁଭବ କଲେ ଥଣ୍ଡା। ଡବାଟି ଥିଲା ଶୀତତାପ ନିୟନ୍ତ୍ରିତ। ଶାସ୍ତ୍ରିଜୀ ସେକ୍ରେଟାରୀଙ୍କୁ କହିଲେ, ”ଯାହାହେଉ, ରେଳଯାତ୍ରୀମାନେ ପ୍ରଚଣ୍ଡ ଗରମରୁ ରକ୍ଷା ପାଇପାରୁଛନ୍ତି।“ ଅଳ୍ପ ହସି ସେକ୍ରେଟାରୀ କହିଲେ, ଏହି ଶୀତତାପନିୟନ୍ତ୍ରିତ ବ୍ୟବସ୍ଥା ସାଧାରଣ ରେଳଯାତ୍ରୀମାନଙ୍କ ପାଇଁ ନୁହେଁ ସାର୍‌। କେବଳ ଆପଣଙ୍କ ଯିବା ପାଇଁ ସ୍ବତନ୍ତ୍ର ଭାବରେ ଏପରି ବ୍ୟବସ୍ଥା କରାଯାଇଛି। ଏକଥା ଶୁଣି ଶାସ୍ତ୍ରିଜୀ ଗମ୍ଭୀର ହୋଇଗଲେ। ପରବର୍ତ୍ତୀ ଷ୍ଟେଶନ ଆସିବା କ୍ଷଣି ସେ ସେହି ଡବାରୁ ଓହ୍ଲାଇପଡିଲେ ଓ ସାଧାରଣ ଯାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ଡବାରେ ଚଢିଲେ। ସେକ୍ରେଟାରୀ ତାଙ୍କୁ ଶୀତତାପନିୟନ୍ତ୍ରିତ ଡବାକୁ ଫେରିଯିବା ପାଇଁ ଅନୁରୋଧ କରନ୍ତେ ସେ କହିଲେ, ”ଭଗବାନ୍‌ ମୋତେ ମନ୍ତ୍ରୀ କରି ଜନ୍ମ ଦେଇନାହାନ୍ତି। ଯେଉଁ ସାଧାରଣଲୋକେ ମୋତେ ଭୋଟ ଦେଇ ନିର୍ବାଚିତ କରିଛନ୍ତି ସେମାନଙ୍କୁ ଗରମ ଭିତରେ ଛାଡିଦେଇ ମୁଁ କିପରି ଆରାମରେ ଯାଇପାରିବି ?“
ଆଜି ମନେପଡନ୍ତି ମୟୂରଭଞ୍ଜର ରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ। ସେ କହୁଥିଲେ, ରାଜ୍ୟ ତାଙ୍କର ପ୍ରକୃତ ସମ୍ପତ୍ତି ନୁହେଁ କି ରାଜକୋଷ ତାଙ୍କର ହାତବାରିସି ନୁହେଁ। ରାଜ୍ୟର ଧନ ପ୍ରଜାଙ୍କର। ଏଥିରେ ତାଙ୍କର ଅଧିକାର ନାହିଁ। ଏକ ସମୟର କଥା। ମହାରାଜାଙ୍କ ବୈଠକଖାନାର ଛାତରୁ ପାଣି ପଡୁଥାଏ। ଏ ଅବସ୍ଥା ଦେଖି ଜଣେ କର୍ମଚାରୀ କହିଲେ, ‘ମଣିମା, ବୈଠକଖାନାକୁ ଏହି ବର୍ଷ ମରାମତି ନ କଲେ ଆରବର୍ଷକୁ ଛାତଟି ଭାଙ୍ଗିପଡିବ।’ ମହାରାଜା କହିଲେ କ’ଣ କରିବି, ଏବର୍ଷ ବଜେଟରେ ଟଙ୍କା ନାହିଁ। ରାସ୍ତା, ସ୍କୁଲ, ଡାକ୍ତରଖାନା, କେନାଲ ଆଦି କରିବାରେ ସବୁତକ ଟଙ୍କା ବ୍ୟୟିତ ହୋଇଛି। ଆରବର୍ଷକୁ ଦେଖାଯିବ। ମହାରାଜାଙ୍କ ପାଇଁ ବୈଠକଖାନାର ମରାମତି ଅପେକ୍ଷା ଜନହିତକର କାର୍ଯ୍ୟ ବେଶି ଗୁରୁତ୍ୱପୂର୍ଣ୍ଣ ଥିଲା। ଥରେ ତାଙ୍କର ଦୁଇ କଲେଜପଢୁଆ ପୁଅ ଭଲ କୋଟ ତିଆରି କରିବା ପାଇଁ ମହାରାଜାଙ୍କୁ କହିଲେ। ମହାରାଜା କହିଲେ, ‘ତୁମମାନଙ୍କ ପାଇଁ ଯେତିକି ଟଙ୍କା ପଠାଇବା କଥା ପଠାଇଥିଲି। ବର୍ତ୍ତମାନ ମୋ ପାଖରେ ଅର୍ଥ ନାହିଁ। ଆରମାସକୁ ଦେଖାଯିବ। ବର୍ତ୍ତମାନ ଯାହା ଅଛି ତାହା ପିନ୍ଧ। ଆଜିର ମନ୍ତ୍ରୀ ଓ ପ୍ରଶାସକମାନଙ୍କ ବିଳାସପୂର୍ଣ୍ଣ ଚଳଣି ଦେଖିଲେ ମନେପଡନ୍ତି ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ମହାରାଜା ରାମଚନ୍ଦ୍ର ଭଞ୍ଜଦେଓ ଓ ଲାଲବାହାଦୁର ଶାସ୍ତ୍ରୀ।
ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ, ମୋ-୯୪୩୭୩୨୯୨୬୩


All Right Reserved By

ଜୀବନ ଅନ୍ୟର ଦାନ

ଡ. ବାସୁଦେବ ମିଶ୍ର ମଣିଷ ଜୀବନ ଯେ ଅନ୍ୟର ଦାନ ଏ କଥାକୁ ବୁଝିବା ହେଉଛି ସଂସାରରେ ଜୀବନ ବଞ୍ଚତ୍ବାର ସର୍ବୋତ୍କୃଷ୍ଟ କଳା। ଏହି କଳା...

ଆଜିର ଅର୍ଥନୀତି/ଅଳସୁଆ ବଢୁଛନ୍ତି

ପ୍ରତ୍ୟେକ ରାଜନୈତିକ ଦଳ ଯେକୌଣସି ଉପାୟରେ ନିର୍ବାଚନ ଜିତିବାକୁ ଚାହୁଁଛନ୍ତି। ନିର୍ବାଚନ ବର୍ଷରେ ଏସବୁ ଦେଖିବାକୁ ମିଳିଥାଏ। ପ୍ରମୁଖ ରାଜନୈତିକ ଦଳ, ବିଶେଷତଃ କ୍ଷମତାସୀନ ଦଳ...

ଏଇ ଭାରତରେ

ନିଶାଦ୍ରବ୍ୟ ସେବନ ଖରାପ ଅଭ୍ୟାସ। ଏହି ବଦଭ୍ୟାସଠାରୁ ଦୂରେଇ ରହିଛନ୍ତି ଗୋଟିଏ ଗଁ।ର ବାସିନ୍ଦା। ହରିୟାଣାର ଶେଷ ମୁଣ୍ଡରେ ରାଜସ୍ଥାନକୁ ଲାଗିଥିବା ଗାଁ ହେଉଛି ଟିକଲା।...

ସମ୍ପାଦକୀୟ/ଦୀପାବଳି କି ଇଦ୍‌ ନୁହେଁ

ରାଜସ୍ଥାନ ବାର୍ମେର ଜିଲାର ଏକ ନିର୍ବାଚନ ସଭାରେ ଏପ୍ରିଲ ୨୧ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନକୁ ସମାଲୋଚନା କରି ଭୋଟ ମାଗିଛନ୍ତିି। ସେ କହିଛନ୍ତି, ଦିନେ...

ଏଇ ଭାରତରେ

ବିହାରର ଭାଗଲପୁର ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କୁ ତାଙ୍କ ପ୍ରେମିକ ସହ ବିବାହ କରାଇ ଦେଇଛନ୍ତି।...

ଏଇ ଭାରତରେ

ସରକାରୀ ଚାକିରିରୁ ଅବସର ଗ୍ରହଣ ଦିନ କେଉଁ କର୍ମଚାରୀଙ୍କୁ ଖୁସି ଲାଗେ ତ, କାହାର ମନ ବିଷାଦରେ ଭରିଯାଏ। ଖୁସି ଲାଗେ ଏଇଥିପାଇଁ, କିଛିବର୍ଷ ରୁଟିନବନ୍ଧା...

ଏକ ଅମଳିନ ବ୍ୟକ୍ତିତ୍ୱ

ଡ. ସିଦ୍ଧାର୍ଥ କାନୁନ୍‌ଗୋ ଆଜି ଉତ୍କଳଗୌରବ ମଧୁସୂଦନ ବଞ୍ଚତ୍ଥିଲେ ୧୭୧ ବର୍ଷ ବୟସରେ ପଦାର୍ପଣ କରିଥାନ୍ତେ। ଇତିମଧ୍ୟରେ ତାଙ୍କ ତିରୋଧାନ ହେବାର ମଧ୍ୟ ୮୫ ବର୍ଷ...

ଆଭ୍ୟନ୍ତରୀଣ କନ୍ଦଳର କ୍ଷତ

ଆକାର ପଟେଲ ଗତ ୨୦ ବର୍ଷ ଭିତରେ ଆଭ୍ୟନ୍ତରୀଣ କନ୍ଦଳରେ ଭାରତରେ ଯେତିକି ସୈନିକ ମରିଛନ୍ତି, ତାହା ୧୯୬୨ ଚାଇନା ଯୁଦ୍ଧରେ ଶହୀଦ ହୋଇଥିବା ସୈନିକ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *