ବିପର୍ଯ୍ୟୟମୁଖୀ ଉଚ୍ଚଶିକ୍ଷା

ଡ. ସୁବାସ ଚନ୍ଦ୍ର ପାତ୍ର
କେହି କେହି କହନ୍ତି ସରକାରଙ୍କ ବଡ଼ ଶତ୍ରୁ ସରକାର। ଉପକୂଳ ରାଜପଥରୁ ସରକାରୀ ବସ୍‌ର ଉଭାନ, ଓଡ଼ିଶା ଏବଂ ଓଡ଼ିଶା ବାହାରେ ବେଶ୍‌ ଲୋକପ୍ରିୟ ହୋଇଥିବା କୋଣାର୍କ ଟିଭି ଇତିହାସ ପାଲଟିଯିବା, ବେଶ୍‌ ସୁନାମ ଅର୍ଜନ କରିଥିବା ଓଡ଼ିଶା ଟେକ୍ସଟାଇଲ୍ସ ମିଲ୍‌ର କପଡ଼ା କାହାଘରେ ପୁରୁଣା ତକିଆଖୋଳର ସ୍ମୃତି ହୋଇ ବଞ୍ଚି ରହିବା ପଛରେ ସରକାରଙ୍କ ଯଥେଷ୍ଟ ଅବଦାନ ରହିଛି। ଠିକ୍‌ ସେହି ନ୍ୟାୟରେ ବିଗତ କେତେବର୍ଷ ଧରି ଉଚ୍ଚଶିକ୍ଷାକୁ ନେଇ ଓଡି଼ଶା ସରକାର ଯେଉଁ ନୀତି ଆପଣେଇଛନ୍ତି, ସେଥିରୁ ସେହି ଧାରା ହିଁ ପ୍ରତିଫଳିତ। ସରକାରସ୍ତରୀୟ ଉଚ୍ଚଶିକ୍ଷାକୁ ଦୁର୍ବଳ ଓ ରୁଗ୍‌ଣ ଏବଂ ଅନାକର୍ଷଣୀୟ କରିବାର ଏହା ଏକ ସୁଚିନ୍ତିତ ପଦକ୍ଷେପ, ଯାହା ଘରୋଇକରଣ ଆଡ଼କୁ ବାଟ ଫିଟେଇବ। ପ୍ରସଙ୍ଗତଃ ଉଲ୍ଲେଖଯୋଗ୍ୟ, ଘରୋଇ ଆବାସିକ +୨ ଶିକ୍ଷାନୁଷ୍ଠାନଗୁଡ଼ିକ ସେହିସ୍ତରର ସରକାରୀ ଅନୁଷ୍ଠାନକୁ ଧୀରେ ଧୀରେ ଅବାନ୍ତର କଲାଭଳି ଜନସାଧାରଣ ସେ ସବୁଠୁ ମୁହଁ ଫେରାଇ ନେଲାପରି ଆଗାମୀ ବର୍ଷଗୁଡ଼ିକରେ ସରକାରୀ +୩ ଶିକ୍ଷାନୁଷ୍ଠାନ ଓ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକ ସେହି ଦୁର୍ଦ୍ଦଶା ଭୋଗ କରିବାକୁ ଯାଉଛନ୍ତି। ୧୨ା୬ା୨୦୧୯ରେ ପ୍ରକାଶିତ ୧୨,୦୧୯ ନମ୍ବରର ସରକାରୀ ନିର୍ଦ୍ଦେଶନାମା ସେହିପ୍ରକାର ଏକ ଆଭାସର ସୂଚନା ଦିଏ।
ଉଲ୍ଲିଖିତ ନିର୍ଦ୍ଦେଶନାମା ଅତିଥି ଅଧ୍ୟାପକ ଚୟନ, ତା’ର ପରିମାଣାତ୍ମକ ଆବଶ୍ୟକତା, ସେ ପାଇଁ ଅର୍ଥ ବ୍ୟବସ୍ଥା ସମ୍ବନ୍ଧରେ ବିଶଦ ବର୍ଣ୍ଣନା କରିଥିଲାବେଳେ ତା’ର ଅନ୍ତରାଳରେ ଉଚ୍ଚଶିକ୍ଷାର ବିପର୍ଯ୍ୟସ୍ତ ବ୍ୟବସ୍ଥା ଓ ତା’ର ଅନ୍ଧକାରମୟ ଭବିଷ୍ୟତର ସୂଚନା ମିଳେ। କୌତୁକର କଥା ଅତିଥି ଅଧ୍ୟାପକ ନିଯୁକ୍ତି ବ୍ୟବସ୍ଥା ପାଖାପାଖି ୧୦ ବର୍ଷ ଚାଲୁ ରହିଥିଲା ବେଳେ ଏବେ ତାକୁ ସୁସଂହତ କରିବାକୁ ଆପାତଦୃଷ୍ଟିରେ ଚେଷ୍ଟା କରାଯାଇଛି। ପ୍ରଥମେ ଚୟନବିଧି ଉପରେ ନଜର ପକାଯାଉ, ବିଶେଷତଃ ଏ କ୍ଷେତ୍ରରେ ଥିବା ତ୍ରୁଟି, ପ୍ରିୟାପ୍ରୀତିତୋଷଣର ସମ୍ଭାବନା ଓ ଅସମତା ସମ୍ବନ୍ଧରେ।
ନିର୍ଦ୍ଦେଶନାମାରେ କୁହାଯାଇଛି, ଅତିଥି ଅଧ୍ୟାପକ ଚୟନ ପାଇଁ ଫୁଲ୍‌ମାର୍କ ୧୦୦ ରହିବ, ଯେଉଁଥିରୁ କ୍ୟାରିୟର ପାଇଁ ୬୦ ଏବଂ ମୌଖିକ ପରୀକ୍ଷା ଲାଗି ରହିବ ୪୦। ଆଜିକାଲି ଅଧିକାଂଶ ପ୍ରତିଯୋଗିତାମୂଳକ ପରୀକ୍ଷାରେ ମୌଖିକ ପରୀକ୍ଷା ପାଇଁ ରଖାଯାଇଥିବା ମାର୍କ ଆନୁପାତିକ ଭାବେ ବହୁତ କମ୍‌ ରଖାଯାଉଥିବା ବେଳେ ଏଠାରେ ପାଖାପାଖି ୫୦ ପ୍ରତିଶତ ରଖାଯାଇଛି, ଯାହା ପ୍ରିୟାପ୍ରୀତିତୋଷଣରେ ସହାୟକ ହେବ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଅଧ୍ୟାପକ ଚୟନ ପାଇଁ ସର୍ଭିସ୍‌ ସିଲେକ୍‌ଶନ ବୋର୍ଡ କରୁଥିବା ପରୀକ୍ଷାରେ ମୌଖିକ ପରୀକ୍ଷା ଲାଗି ୪୦ ନମ୍ବର ରଖାଯାଇଛି। ଏହି ୪୦ ନମ୍ବରରୁ ୨୦ ନମ୍ବର ଶିକ୍ଷାଦାନ ଦକ୍ଷତା, ୧୫ ନମ୍ବର ବିଷୟକ ଜ୍ଞାନ, ୫ ନମ୍ବର ନେତୃତ୍ୱ ନେବାର କଳା ପାଇଁ ରହିବ। ଏଠାରେ ପ୍ରଶ୍ନ ଉଠେ, ଏହି ଶିକ୍ଷାଦାନ ଦକ୍ଷତା କିପରି ନିରୂପିତ ହେବ? ଏଥିଲାଗି ପ୍ରାର୍ଥୀମାନଙ୍କୁ ଡେମୋ କ୍ଲାସ୍‌ ମାଧ୍ୟମରେ ପରୀକ୍ଷା କରାଯିବ କି? ଏ ସମ୍ବନ୍ଧରେ ସ୍ପଷ୍ଟତା ନାହିଁ ଅର୍ଥାତ୍‌ ସବୁକିଛି କଲେଜସ୍ତରୀୟ ଚୟନ କମିଟି ହାତରେ ଛାଡ଼ିଦିଆଯାଇଛି। ଠିକ୍‌ ଅନୁରୂପ ଭାବେ ପ୍ରିୟାପ୍ରୀତିର ସମ୍ଭାବନା ରହିଛି ଅବସରପ୍ରାପ୍ତ ଅଧ୍ୟାପକଙ୍କୁ ଅତିଥି ଅଧ୍ୟାପକ ନିଯୁକ୍ତି ନିମନ୍ତେ ସିଧାସଳଖ ସୁଯୋଗକୁ ନେଇ। ଉଲ୍ଲେଖ ରହିଛି, ପିଏଚ୍‌.ଡି ଧାରୀ ସରକାରୀ କଲେଜରୁ ଅବସରପ୍ରାପ୍ତ ଅଧ୍ୟାପକ ବିନା ମୌଖିକ ପରୀକ୍ଷା ଓ କ୍ୟାରିୟର ମୂଲ୍ୟାୟନରେ ସିଧାସଳଖ ଅତିଥି ଅଧ୍ୟାପକ ନିଯୁକ୍ତି ପାଇପାରିବେ ଏବଂ ସେ ପୁଣି ୭୦ ବର୍ଷ ବୟସ ପର୍ଯ୍ୟନ୍ତ। ଏହା ପ୍ରିୟାପ୍ରୀତିର ଏକ ମୁକ୍ତଦ୍ୱାର ଉନ୍ମୋଚନ କରିବ। ସିଲାବସ୍‌କୁ ଉନ୍ନୀତ କରାଯାଇ ଅତ୍ୟାଧୁନିକ କରାଯାଇଥିଲାବେଳେ, ପାଠ୍ୟକ୍ରମ ଦିନକୁ ଦିନ ପ୍ରଯୁକ୍ତିବିଦ୍ୟା କୈନ୍ଦ୍ରିକ ହୋଇପଡୁଥିଲାବେଳେ, ଶିକ୍ଷାଦାନର ଶୈଳୀ କାରିଗରି ବିଦ୍ୟା ସମ୍ବଳିତ ହେବାକୁ ୟୁଜିସିର ନିର୍ଦ୍ଦେଶ ଥିଲାବେଳେ ୩୫ ବର୍ଷ ତଳେ ଏମ୍‌.ଏ ପାଠ ପଢ଼ିଥିବା ଏବଂ ମୋଟାଅଙ୍କର ପେନ୍‌ସନ ପାଉଥିବା ଜଣେ ବୟସ୍କ ଅଧ୍ୟାପକଙ୍କୁ ପୁଣି ସିଧାସଳଖ ନିଯୁକ୍ତିର ଯୌକ୍ତିକତା କ’ଣ? ସେ ବ୍ୟକ୍ତି ଜଣଙ୍କ ସିଲାବସ୍‌ ଉପଯୋଗୀ ତଥା ସମୟ ଉପଯୋଗୀ କି ନୁହେଁ, ତାହା ଥରେ ପରଖି ନେବାରେ ଅସୁବିଧା କ’ଣ? ଏ ନିଯୁକ୍ତିର ପରିସୀମା କ’ଣ? ଅର୍ଥାତ୍‌ ବିଜ୍ଞାନର ବିଷୟ ବା କଳାରେ ଭୂଗୋଳ, ନୃତତ୍ତ୍ୱ, ସମାଜ ବିଜ୍ଞାନ ଇତ୍ୟାଦି ବିଷୟରେ, ଯେଉଁଥିରେ ଯୋଗ୍ୟ ଶିକ୍ଷକ କମ୍‌ ମିଳନ୍ତି ସେକ୍ଷେତ୍ର ପାଇଁ ନା ସାଧାରଣ ବିଷୟ ଯେମିତି ଇତିହାସ, ରାଜନୀତି ବିଜ୍ଞାନ, ଓଡ଼ିଆ, ଇଂଲିଶ, ସଂସ୍କୃତ ଇତ୍ୟାଦି ପାଇଁ? ସେ ପୁଣି ୭୦ ବର୍ଷ ବୟସ ପର୍ଯ୍ୟନ୍ତ? ପ୍ରତିଭାଧର ଯୋଗ୍ୟ, ବେକାର, ପିଏଚ୍‌.ଡିଧାରୀ ଶିକ୍ଷିତ ଯୁବକ ଯୁବତୀମାନଙ୍କ ପାଇଁ ଏହା ଏକ ପ୍ରତାରଣା ନୁହେଁ କି?
ଅତିଥି ଅଧ୍ୟାପକ ନିଯୁକ୍ତି ଏକ କାମଚଳା ବ୍ୟବସ୍ଥା। ଏହାକୁ ଯେତେଦୂର ସମ୍ଭବ ସାମୟିକ, ଆପାତକାଳୀନ ବ୍ୟବସ୍ଥାରେ ସୀମିତ ରଖିବା ଉଚିତ। ନିର୍ଦ୍ଦେଶନାମାରେ ଏହାର ପରିମାଣ ଉପରେ କୁହାଯାଇଛି, କିନ୍ତୁ ସମୟ ସୀମା ବିଷୟରେ ନୁହେଁ। ଅର୍ଥାତ୍‌ ମଞ୍ଜୁରୀପ୍ରାପ୍ତ ସମସ୍ତ ପଦବୀର ୨୦ ପ୍ରତିଶତ ଅତିଥି ଅଧ୍ୟାପକ ରଖିବା ସପକ୍ଷରେ କୁହାଯାଇଛି, ଆଉ ଯେଉଁ ଯୁକ୍ତି ରଖାଯାଇଛି, ତାହା ବିଚିତ୍ର। ସଂଖ୍ୟା ବଢ଼ିଲେ ସଂଘବଦ୍ଧତା (ୟୁନିୟିନିଜମ୍‌) ବଢ଼ିବ, ଯାହା ସରକାରଙ୍କୁ ଅଡୁଆରେ ପକାଇବ!! ବିଡ଼ମ୍ବନାର କଥା ସରକାରଙ୍କ ପାଖରେ ଯଦି ଖାଲିଥିବା ସ୍ଥାନର ସ୍ପଷ୍ଟ ଚିତ୍ର ଅଛି, ଯାହା ପାଖାପାଖି ୧୪୦୦, ପବ୍ଲିକ୍‌ ସର୍ଭିସ୍‌ କମିଶନଙ୍କୁ ୩୦୦/୪୦୦ ଅଧ୍ୟାପକ ଚୟନ ପାଇଁ କାହିଁକି କୁହାଯାଏ? ଅର୍ଥାତ୍‌ ସବୁବେଳେ ୧୦୦୦ ପାଖାପାଖି ଅଧ୍ୟାପକ ପଦବୀ ଖାଲି ରଖି ଅତିଥି ଅଧ୍ୟାପକ ବ୍ୟବସ୍ଥାକୁ ଚାଲୁ ରଖିବା ଏବଂ ତାକୁ ଚିରସ୍ଥାୟୀ କରିବା। ଏହାଦ୍ୱାରା ଖାଲି ଗୁଣାତ୍ମକତା ଧ୍ୱଂସ ହେଉନାହିଁ, ଉଚ୍ଚଶିକ୍ଷିତ, ଯୋଗ୍ୟ ଯୁବ ପ୍ରାର୍ଥୀମାନେ ମାସକୁ ୨୫ ହଜାର ଟଙ୍କାର ଲଲିପପ୍‌ ଖାଇ, ସେମାନଙ୍କ ଚାକିରି ବୟସ ଅତିକ୍ରାନ୍ତ କରି ପରିବାର ଓ ସମାଜ ଉପରେ ବୋଝ ପାଲଟୁଛନ୍ତି।
ଅତିଥି ଶିକ୍ଷକ ବ୍ୟବସ୍ଥାର ବଡ଼ ତ୍ରୁଟି ହେଲା, ଯାହାର ଚୟନ କଲେଜକୈନ୍ଦ୍ରିକ। ଏହା ଶିକ୍ଷାନୁଷ୍ଠାନ-ଶିକ୍ଷାନୁଷ୍ଠାନ, ଛାତ୍ର-ଛାତ୍ର ମଧ୍ୟରେ ଅସମତା ସୃଷ୍ଟି କରେ। ଆମେ ଏକକ ସିଲାବସ୍‌, ଏକକ ପ୍ରଶ୍ନପତ୍ର କଥା କହୁ, କିନ୍ତୁ ଏକକ ଶିକ୍ଷକ-ଅର୍ଥାତ୍‌ ଏକାମାନର ଶିକ୍ଷକ-କଥା କହୁନୁ। ଏଠାରେ ଉଲ୍ଲେଖଯୋଗ୍ୟ ଯେ କଟକ, ଭୁବନେଶ୍ୱର, ବାଲେଶ୍ୱର, ବ୍ରହ୍ମପୁର, ପୁରୀ, ଭଦ୍ରକ ଇତ୍ୟାଦି ସ୍ଥାନରେ ଯେଉଁ ଯୋଗ୍ୟତା ଓ ଦକ୍ଷତାସମ୍ପନ୍ନ ଅତିଥି ଶିକ୍ଷକ ମିଳିବେ କୋରାପୁଟ, କନ୍ଧମାଳ, କେନ୍ଦୁଝର, ବଲାଙ୍ଗୀରରେ ସେ ପ୍ରକାର ଶିକ୍ଷକ ମିଳିବେ ନାହିଁ। ପବ୍ଲିକ୍‌ ସର୍ଭିସ୍‌ କମିଶନ ମାଧ୍ୟମରେ ବା ସରକାର କେନ୍ଦ୍ରୀୟ ଭାବରେ ଯେତେବେଳେ ଆଡହକ୍‌ ନିଯୁକ୍ତି ଦେଉଥିଲେ ସେତେବେଳେ ଓଡ଼ିଶାର ସବୁ ସରକାରୀ ମହାବିଦ୍ୟାଳୟରେ ଏକା ଦକ୍ଷତାସମ୍ପନ୍ନ ଅଧ୍ୟାପକ ଦେଖିବାକୁ ମିଳୁଥିଲା, ଦକ୍ଷତାର ପାତରଅନ୍ତର ନ ଥିଲା। ପରିବର୍ତ୍ତିତ ପରିସ୍ଥିତିରେ ଓଟିଇଟି ଭଳି ଯଦି ସରକାର ନେଟ୍‌ ଢାଞ୍ଚାରେ ସେଟ୍‌ ବା ସ୍ଲେଟ୍‌ (ଷ୍ଟେଟ ଲେଭଲ ଇଲିଜିବିଲିଟ ଟେଷ୍ଟ) ଆୟୋଜିତ କରି ଯୋଗ୍ୟ ଅଧ୍ୟାପକ ବା ଅଧ୍ୟାପିକାମାନଙ୍କର ଏକ ‘ପୁଲ୍‌’ ବା ତାଲିକା କରନ୍ତେ, ଆପାତତଃ ସବୁ ଶିକ୍ଷାନୁଷ୍ଠାନ-ସରକାରୀ ବା ଘରୋଇକୁ ବାଧ୍ୟ କରାଯାନ୍ତା ସେହି ତାଲିକାଭୁକ୍ତ ପ୍ରାର୍ଥୀଙ୍କୁ ଚୟନ କରିବା ପାଇଁ। ଏହାଦ୍ୱାରା ଘରୋଇ ଆବାସିକ ମହାବିଦ୍ୟାଳୟ ତଥା ସରକାରୀ ଶିକ୍ଷାନୁଷ୍ଠାନରେ ଏଣୁତେଣୁ ଶିକ୍ଷକ ରହି ଶିକ୍ଷାର ଗୁଣାତ୍ମକତାକୁ ପ୍ରଭାବିତ କରନ୍ତେ ନାହିଁ। ଏହି ଅସମତା କିଛି ମାତ୍ରାରେ ଦୂରୀଭୂତ ହୋଇପାରନ୍ତା।
ପ୍ରକାଶିତ ନିର୍ଦ୍ଦେଶନାମାରେ ଶିକ୍ଷକମାନଙ୍କୁ ଘଣ୍ଟାୱାରି କାମ କରୁଥିବା ଶ୍ରମିକ ହିସାବରେ ଚିତ୍ରଣ କରିବାର ଉଦ୍ୟମ କରାଯାଉଛି। ଶିକ୍ଷକତା ସବୁ ବୃତ୍ତିର ଜନନୀ, ଏହା ଏକ ସାଧନା। ଜଣେ ଶିକ୍ଷକ ସଦା ଶିକ୍ଷାମନସ୍କ। ତାଙ୍କୁ ଘଣ୍ଟାୱାରି କାମ ସହ ଯୋଡି଼ବା ଅର୍ଥ ତାଙ୍କୁ ନିନ୍ଦିତ କରିବା, ତାଙ୍କ କାର୍ଯ୍ୟକୁ ଗୌଣ କରିବା। ଶିକ୍ଷାନୁଷ୍ଠାନଗୁଡ଼ିକ କ’ଣ ଗୋଟିଏ ଗୋଟିଏ କାରଖାନା, ଆଉ ଶିକ୍ଷକ (ଅତିଥି ଶିକ୍ଷକ ହେଉ ବା ନିୟମିତ)ମାନେ କ’ଣ ସେଠି ଘଣ୍ଟାୱାରି କାମ କରୁଥିବା ଜଣେ ଜଣେ ଦିନମଜୁରିଆ?
ଏହା ଯଦି ଆମ ଶିକ୍ଷା କର୍ମକର୍ତ୍ତାମାନଙ୍କ ମନୋଭାବ ତେବେ ଶିକ୍ଷାର କି ପ୍ରକାର ଗୁଣାତ୍ମକ ବିକାଶ ହେବ, ତାହା ସମସ୍ତେ ଜାଣିପାରୁଥିବେ।
ପୂର୍ବତନ ଅଧ୍ୟକ୍ଷ, ଜେଲ ରୋଡ୍‌, ବାଲେଶ୍ୱର, ମୋ:୯୪୩୭୩ ୭୬୨୧୯, subashbls56@gmail.com


All Right Reserved By

ବନ୍ଧୁତାର ମହତ୍ତ୍ୱ

ଡ. ଛାୟାକାନ୍ତ ଷଡ଼ଙ୍ଗୀ ଇଂରେଜ କବି ହେନ୍‌ରି ଅଷ୍ଟିନ ଡବସନ୍‌ କହିଥିଲେ, ଯଶ ହେଉଛି ଏପରି ଏକ ଖାଦ୍ୟ ଯାହା କେବଳ ମୃତବ୍ୟକ୍ତି ଖାଇଥାନ୍ତି। (Fame...

ଏଇ ଭାରତରେ

ଅଙ୍ଗଦାନ ମହାପୁଣ୍ୟ। ବେଙ୍ଗାଲୁରୁରେ ଜଣେ କୃଷକ ମୃତ୍ୟୁପରେ ତାଙ୍କ ଶରୀର ଦାନକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ଟୁମାକୁରୁର ଶ୍ରୀଦେବୀ ହସ୍ପିଟାଲ୍‌କୁ ଛାତ୍ରୀଛାତ୍ରଙ୍କ ଗବେଷଣା ପାଇଁ...

ବଢ଼ୁଛି ଦୁର୍ନୀତିର ଦୈର୍ଘ୍ୟ-ପ୍ରସ୍ଥ

ଡ. ପ୍ରଫୁଲ୍ଲ କୁମାର ସାହୁ ସ୍ବାଧୀନତା ପରେ ଏକ ଦୁର୍ନୀତିମୁକ୍ତ ଆଦର୍ଶ ଭାରତ ଗଢ଼ିବା ଥିଲା ଗାନ୍ଧିଜୀଙ୍କର ସ୍ବପ୍ନ। ଅଥଚ ଆଜି ଦୁର୍ନୀତିର ପାହାଡ଼ ଉପରେ...

ଏଇ ଭାରତରେ

ଗାଁରେ ନାହିଁ ଗୋଟିଏ ବି ମୁସଲମାନ ପରିବାର। ହିନ୍ଦୁ କରୁଛନ୍ତି ମସ୍‌ଜିଦର ଦେଖାରଖା। ପଞ୍ଜାବ ରାଜ୍ୟର ଲୁଧିଆନା ଜିଲା ମୁଖ୍ୟାଳୟଠାରୁ ପ୍ରାୟ ୪୫ କିଲୋମିଟର ଦୂରରେ...

କେନ୍ଦ୍ରୀକରଣ ଶିକ୍ଷାନୀତି: ଏକ ବିଶ୍ଲେଷଣ

ପ୍ରଦୀପ୍ତ ନାୟକ ସ୍ବାଧୀନତୋତ୍ତର ଭାରତବର୍ଷରେ ଅଦ୍ୟାବଧି ଦୁଇଟି ଜାତୀୟ ଶିକ୍ଷାନୀତି ପ୍ରଣୀତ ହୋଇଛି। ଏବର ପ୍ରସ୍ତାବିତ ଶିକ୍ଷାନୀତି ହେଉଛି ତୃତୀୟ। ୧୩୦ କୋଟି ଅଧିବାସୀଙ୍କର ଏହି...

କ୍ରିକେଟାୟ ନମଃ

ଡ. କୁଳାଙ୍ଗାର ଭାଇରେ କ୍ରିକେଟ ଖେଳ କି ମନ୍ତର କଲା, ବୁଢ଼ାହଡ଼ା ଭେଣ୍ଡିଆ ପିଲା ସଭିଙ୍କୁ ପାଗଳ କଲା…! କ୍ରିକେଟ କ୍ରିକେଟ ଘୋଷିଘୋଷି ଆମେ ଏ...

ଏଇ ଭାରତରେ

ହସ୍ପିଟାଲରେ ସ୍ଥାନର ଅଭାବ ଯୋଗୁ ଚିକିତ୍ସା ପାଇଁ ଆସିଥିବା ୧୦୦ ଶିଶୁଙ୍କୁ ନିଜ ବଙ୍ଗଳାକୁ ନେଲେ ଜିଲାପାଳ। ଏବେ ତାଙ୍କର ମହତ୍‌ପଣିଆ ସୋସିଆଲ୍‌ ମିଡିଆରେ ଭାଇରାଲ...

ଭକ୍ତି ନାଁରେ ମସ୍ତି ଓ ବେପାର

ଭାଲଚନ୍ଦ୍ର ଷଡ଼ଙ୍ଗୀ ଗତ କିଛିବର୍ଷ ଧରି ଶ୍ରାବଣମାସ ଆସିଲେ ଦେଶର ରାସ୍ତାଘାଟରେ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳୁଛି। ଗେରୁଆ ପୋଷାକ ପିନ୍ଧି କାନ୍ଧରେ ରଙ୍ଗ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *