Posted inଫୁରସତ

ମୂକସାକ୍ଷୀ ବରଗଛ: ନାମକରଣରେ ଯୋଡ଼ି ହୋଇଛି ଅଲୌକିକ, ରୋମାଞ୍ଚଭରା କାହାଣୀ

ଗାଁରୁ ସହର ଅନେକ ଛକସ୍ଥାନର ପ୍ରହରୀ ଓ ବହୁ କଥାର କାହାଣୀ ବରଗଛ। ମଶାଣି ପଦାରୁ- ମେଳାପଡ଼ିଆ ସବୁଠାରେ ସବୁବେଳେ ଲାଗିଥାଏ ପ୍ରାଣୀଙ୍କ ସେବାରେ । ତାରି ପାଖରେ ବସେ ନ୍ୟାୟ ନିଶାପ। ତା’ ମୂଳରେ ସ୍ଥାପନା ହୁଅନ୍ତି ଗ୍ରାମଦେବତୀ । କେତେ ଭକ୍ତି ଓ ବିଶ୍ୱାସ ସୃଷ୍ଟିହୁଏ ତା’ଠାରେ। କେଉଁଠି ତନ୍ତ୍ର, ମନ୍ତ୍ରର ଅଜବ ପୂଜା ଚାଲେ ତ ଆଉ କେଉଁଠି ବିଜ୍ଞାନର ପରୀକ୍ଷା ନିରୀକ୍ଷା । ମାତ୍ର ବିଭିନ୍ନ ସ୍ଥାନରେ ଥିବା କେତେକ ବରଗଛର ନାମକରଣକୁ ନେଇ ଯୋଡ଼ି ହୋଇଯାଇଛି କିଛି ଅଲୌକିକ ଓ ରୋମାଞ୍ଚଭରା କାହାଣୀ…

ପରିବେଶସୁରକ୍ଷା ହେଉ କି ପ୍ରାଣୀଜଗତର ଜୀବନରକ୍ଷା। ପରୋକ୍ଷ ଓ ପ୍ରତ୍ୟକ୍ଷଭାବେ ବୃକ୍ଷ ହିଁ ସର୍ବଦା ସହାୟକ ହୋଇଥାଏ। ଏପରି କି ଯେବେ ପ୍ରାକୃତିକ ବିପଦ ଆସେ ଅନ୍ୟର ସୁରକ୍ଷାପାଇଁ ସେ ଯୁଝିଥାଏ ନିଆରା ଯୋଦ୍ଧାପରି।
ଗାଁରୁ ସହର ଅନେକ ଛକସ୍ଥାନର ପ୍ରହରୀ ଓ ବହୁ କଥାର କାହାଣୀ ବରଗଛ। ମଶାଣି ପଦାରୁ- ମେଳାପଡ଼ିଆ ସବୁଠାରେ ସବୁବେଳେ ଲାଗିଥାଏ ପ୍ରାଣୀଙ୍କ ସେବାରେ ।

ତାରି ପାଖରେ ବସେ ନ୍ୟାୟ ନିଶାପ। ତା’ ମୂଳରେ ସ୍ଥାପନା ହୁଅନ୍ତି ଗ୍ରାମଦେବତୀ । କେତେ ଭକ୍ତି ଓ ବିଶ୍ୱାସ ସୃଷ୍ଟିହୁଏ ତା’ଠାରେ। କେଉଁଠି ତନ୍ତ୍ର, ମନ୍ତ୍ରର ଅଜବ ପୂଜା ଚାଲେ ତ ଆଉ କେଉଁଠି ବିଜ୍ଞାନର ପରୀକ୍ଷା ନିରୀକ୍ଷା । ମାତ୍ର ବିଭିନ୍ନ ସ୍ଥାନରେ ଥିବା କେତେକ ବରଗଛର ନାମକରଣକୁ ନେଇ ଯୋଡ଼ି ହୋଇଯାଇଛି କିଛି ଅଲୌକିକ ଓ ରୋମାଞ୍ଚଭରା କାହାଣୀ। ଯାହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିପାରେ ମାତ୍ର ଏହାର ପ୍ରାମାଣିକ ସତ୍ୟତାକୁ ନେଇ ନାନାପ୍ରକାର ଲୋକକଥା ଶୁଣିବାକୁ ମିଳେ। ଏମିତି କେତେକ ଘଟଣା, ଅଘଟଣ, ବିଶ୍ୱାସ, ଅବିଶ୍ୱାସ ଓ ଅନ୍ଧବିଶ୍ୱାସ ସାଧାରଣରେ ପ୍ରଚାର ଯୋଗୁ ଲୋକମୁଖରେ ଏକପ୍ରକାର ସତମିଛର କାହାଣୀ ଜନ୍ମେଇ ଥାଏ। ତେବେ ଏ ସମ୍ପର୍କରେ ଅଧିକ ଗବେଷଣାର ଆବଶ୍ୟକତା ରହିଛି। ଏମିତି କେତେକ ମୂକସାକ୍ଷୀ ପାଲଟିଥିବା ବୃକ୍ଷ କାହାଣୀକୁ ନେଇ ଏଥରର ପ୍ରଚ୍ଛଦ…।

ଶ୍ରୀକ୍ଷେତ୍ରରେ ସପ୍ତବଟ: ବଟବୃକ୍ଷ ଆମ ଉପାସନା, ପରମ୍ପରା ଓ ଐତିହ୍ୟର ସ୍ବତନ୍ତ୍ର ମର୍ଯ୍ୟାଦା ବହନକରେ। ଗବେଷକ ଡ. ସୁରେନ୍ଦ୍ର ମିଶ୍ର କୁହନ୍ତି ପୁରୁଣା ଜଗନ୍ନାଥ ସଡ଼କ ଦାଢ଼ରେ ଥିଲା କାଉଁରୀବଟ। ପୁରସ୍ତମକୁ ଆସୁଥିବା ତୀର୍ଥଯାତ୍ରୀ ଏଇଠି ଥକା ମେଣ୍ଟାଉଥିଲେ। କାମାକ୍ଷାରୁ ଜଣେ ସାଧିକା ସେହି ବଟ ଉପରେ ବସି ପୁରୀ ଆସୁଥିଲେ। ନିତେଇ ଧୋବଣୀଙ୍କ ଦୃଷ୍ଟି ପଡ଼ିଥିଲା ସେହି ବଟ ଉପରେ। ମନ୍ତ୍ରବଳରେ ସେ ଉକ୍ତ ବଟକୁ ଶୂନ୍ୟରୁ ଓହ୍ଲାଇ ଦେଇଥିଲେ । ସାଧିକା ପଚାରିଲେ ବଟବୃକ୍ଷଙ୍କୁ କାହିଁକି ଶୂନ୍ୟରୁ ଓହ୍ଲେଇ ଦେଲୁ? ମୁଁ ତ ନୀଳାଚଳ ନାଥଙ୍କୁ ଦର୍ଶନ କରିବାକୁ ଯାଉଛି। ଆସିଥିଲି କାଉଁରୀ କାମାକ୍ଷାରୁ? ନିତେଇ ଧୋବଣୀ କହିଲେ, ଜୀବ ଉପରେ ବସି କ’ଣ ଯିବାଆସିବା କରୁଛୁ। ଜଡ଼ ଉପରେ ବସି ଯାଇପାରିବୁ କି? ମନାକଲା ସାଧିକା । ମୋର ସେ ସାଧନା ନାହିଁ। ସେତିକି ବେଳେ ତା’ ଅନୁରୋଧରେ ଗୋଟେ ଖଣ୍ଡିଆବନ୍ଧରେ ବସି ବୁଲିଆସିଲେ ନିତେଇ। ସେହି ଦିନ ଠାରୁ ସେ ବଟ ରହିଗଲା ନିତେଇ ଧୋବଣୀଙ୍କ ଘାଟରେ। ତାହା କାଉଁରୀବଟ ଭାବେ ପରିଚିତ ହେଲା। ମାତ୍ର୧୯୮୨ ଓ ୧୯୯୯ମହାବାତ୍ୟାରେ ଏହି କାଉଁରୀବଟ ଧ୍ୱଂସପାଇଗଲା। ଶହଶହ ବର୍ଷର ଐତିହ୍ୟର ଇତି ହୋଇଗଲା। ଏହିପରି ବଞ୍ଚି ରହିଛି ଜଗନ୍ନାଥ ସଡ଼କରେ ଚାଲିଚାଲି ଆସୁଥିବା ମହାପ୍ରଭୁଙ୍କ ଭକ୍ତଙ୍କୁ ନେଇ ଅନେକ ଐତିହ୍ୟର ଗାଥା। ସେହିପରି ଶ୍ରୀକ୍ଷେତ୍ରର ପ୍ରଥମ ତଥା ସର୍ବପୁରାତନ ପବିତ୍ର କଳ୍ପବଟ ଶ୍ରୀମନ୍ଦିର ପରିସରରେ ଦଣ୍ଡାୟମାନ। ଅନେକ ସଂସ୍କୃତି ଓ ଓଡ଼ିଆ ଗ୍ରନ୍ଥରେ କଳ୍ପବଟର ମାହାତ୍ମ୍ୟ ବର୍ଣ୍ଣିତ। ଏହି କଳ୍ପବଟକୁ ଉପାସନାକଲେ ମନୋବାଞ୍ଛା ପୂର୍ଣ୍ଣ ହୁଏ ବୋଲି ଲୋକକଥାରେ ସେ ବାଞ୍ଛାକଳ୍ପତରୁ ହୋଇଯାଇଛନ୍ତି। ଅନ୍ୟପକ୍ଷେ ଗନ୍ଧର୍ବମଠରେ ରହିଛି ଗୋଛନ୍ଦବଟ। ଏହି ମଠ ପ୍ରଥମେ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ଆଶ୍ରମଥିଲା। ଏହାକୁ ନେଇ ରହିଛି ବହୁ ଐତିହ୍ୟ। ସେହିପରି ଶ୍ରୀଯମେଶ୍ୱର ମହାଦେବଙ୍କ ପୀଠରେ ମହର୍ଷିକଣ୍ଡୁଙ୍କ ସମୟରୁ ନିକୁମ୍ଭିଲାବଟ ନାମରେ ଏକବଟ ରହିଛି। ଦୋଳମଣ୍ଡପ ସାହିର ଜହ୍ନିମୁଣ୍ଡିଆ ଠାରେ ଶ୍ରୀଅଙ୍ଗିରା ମହର୍ଷିଙ୍କ ଆଶ୍ରମରେ କାମ୍ୟବଟ ରହିଛି। ଏହିପବିତ୍ର ଧାମରେ ଶ୍ରୀମାର୍କଣ୍ଡେୟ ମହର୍ଷିଙ୍କ ଆଶ୍ରମରେ ରହିଛି ଅଘୋରବଟ। ଏହାରି ତଳେ ଶ୍ରୀମାର୍କଣ୍ଡେୟ ମହର୍ଷି ସିଦ୍ଧିଲାଭ କରିଥିଲେ ବୋଲି ବିଶ୍ୱାସ ରହିଛି। ଉଆଁସ ଦାଣ୍ଡରେ ଶବ କାନ୍ଧେଇ ସ୍ବର୍ଗଦ୍ୱାର ଗଲାବେଳେ ଏଇଠୁ ଶବ ଓଜନ ବଢ଼ିଯାଏ। ଏହିଠାରୁ ସ୍ବର୍ଗଦ୍ୱାର ବାଲିପନ୍ତା ଆରମ୍ଭ ହେଉଥିଲା। ଏହିଠୁ ନୀଳାଚଳ କ୍ଷେତ୍ରରେ ପ୍ରେତଭୂମି ଆରମ୍ଭ। ଅଘୋରିମାନେ ଏଇଠି ରାତିସାରା ସାଧନାରତ ରହୁଥିଲେ। ଏହିଠାରୁ ମୃତଶରୀର ସୂକ୍ଷ୍ମସତ୍ତା ମର୍ତ୍ତ୍ୟଲୋକ ଛାଡ଼ି ପ୍ରେତଲୋକରେ ପ୍ରେବେଶ କରେ। ଅଣସର ସମୟରେ କ୍ଷେତ୍ରକୁ ଆସିଥିବା ଯୋଗୀ କର୍ଣ୍ଣାମିଗିରି ଏହି ବଟମୂଳେ ଆସ୍ଥାନକରି ପ୍ରଥମେ ଡେରାପକାଇଥିଲେ। ସେ ପରିଚିତ ଥିଲେ ସୋଲାଖିଆ ବାବା ଭାବେ। ସେବେଠୁ ବାବା ବସିଥିବା ବରଗଛଟି ସୋଲାଖିଆ ବଟ ନାମରେ ପ୍ରସିଦ୍ଧ।

ବାଣପୁରରେ ଗାନ୍ଧୀ ବର-: ବ୍ରିଟିଶ ଶାସନ କବଳରୁ ଦେଶକୁ ସ୍ବାଧୀନ କରିବା ପାଇଁ ଗାନ୍ଧିଜୀ ଦେଶବ୍ୟାପୀ ପଦଯାତ୍ରା କରିଥିଲେ ।
୧୯୨୧ରୁ ୧୯୪୭ ମଧ୍ୟରେ ଓଡ଼ିଶାକୁ ଗାନ୍ଧିଜୀ ସାତଥର ଆସିଥିଲେ । ଓଡ଼ିଶାର ଅବିଭକ୍ତ ପୁରୀ ଜିଲାର ବାଣପୁରକୁ ଗାନ୍ଧିଜୀ ପ୍ରଥମେ ଆସିଥିଲେ । ଅଧ୍ୟାପକ ଡ. ସତ୍ୟ ଷଡ଼ଙ୍ଗୀ କୁହନ୍ତି, ୧୯୨୭ ମସିହା ଡିସେମ୍ବର ୮ତାରିଖ। ପଣ୍ଡିତ ଗୋଦାବରୀଶ ମିଶ୍ର ଓ ତାଙ୍କର ସହକର୍ମୀ ଗାନ୍ଧିଜୀଙ୍କୁ ବାଣପୁରକୁ ପାଛୋଟି ଆଣିଥିଲେ ଏବଂ ବାଣପୁର ଠାରେ ପଣ୍ଡିତ ଗୋଦାବରୀଶ ସ୍ଥାପନ କରିଥିବା ଆଶ୍ରମ ସମ୍ମୁଖ ଏକ ବରଗଛମୂଳେ ସଭା କରାଯାଇଥିଲା। ସେଦିନ ଗାନ୍ଧିଜୀଙ୍କ କଥାଶୁଣି ବାଣପୁର ଜନସାଧାରଣ ୨୨୫ଟଙ୍କା ସଂଗ୍ରହ କରିଥିଲେ। ସେଦିନ ସଭାରେ ଆଦିବାସୀମାନେ ଗାନ୍ଧିଜୀଙ୍କୁ ଭେଟିଦେଇଥିବା ଫଳ,ପରିବା ନିଲାମ ହୋଇଥିଲା। ରାତିରେ ଗାନ୍ଧିଜୀ ବାଣପୁରରେ ରହିଥିଲେ। ତାଙ୍କ ପରାମର୍ଶରେ ବାଣପୁରରେ ଅରଟକେନ୍ଦ୍ର ଖୋଲାଯାଇଥିଲା। ଗାନ୍ଧିଜୀଙ୍କ ସଭାର ସ୍ମାରକୀ ସ୍ବରୂପ ବର୍ତ୍ତମାନ ଖୋର୍ଦ୍ଧାଜିଲା ବାଣପୁର ଗୋଦାବରୀଶ ବିଦ୍ୟାପୀଠର ପୂର୍ବପଟକୁ ଏହି ବରଗଛ ରହିଛି। ନିକଟରେ ଗଛ ବାଲୁଙ୍କେଶ୍ୱର ମନ୍ଦିର ଅବସ୍ଥିତ।

ଗୁରୁବାଇନାସୀର ଲୋଟଣିବର-: ଚିଲିକା ଥିଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲୀଳାକ୍ଷେତ୍ର। ଐତିହାସିକ ଉପନ୍ୟାସ ‘ନୀଳାଦ୍ରି ବିଜୟ’ରେ ସୁରେନ୍ଦ୍ର ମହାନ୍ତି ଉଲ୍ଲେଖ କରିଛନ୍ତି – ଚିଲିକା ଗର୍ଭରେ ଦିଅଁମାନେ ଆଉ ନିରାପଦ ନୁହନ୍ତି। ଅତୀତରେ ମୋଗଲଗୋଳ ବେଳେ ଦିଅଁମାନେ ବାରମ୍ବାର ଚିଲିକାଗର୍ଭରେ ଆତ୍ମାଗୋପନ କରିଥିବା ଦୃଷ୍ଟିରୁ ଚିଲିକାର ଦ୍ୱୀପ ଓ ପାହାଡ଼ ମୁଣ୍ଡିଆ ଉପରେ ମାଲୁଦ ଫୌଜଦାରର ଦୃଷ୍ଟି କ୍ରମେ ପଡ଼ିଲାଣି। / ଚିଲିକାର ନୀଳଜଳରାଶି ଭିତରୁ ଉଇଁ ଆସୁଥିଲା ପୂର୍ଣ୍ଣିମା ତିଥିର ଚନ୍ଦ୍ର। ରାମଚନ୍ଦ୍ର ଦେବ ଚମକି ଉଠିଲେ। ତାଙ୍କର ମନେପଡ଼ିଗଲା-ଆଜି ପୌଷ ପୂର୍ଣ୍ଣିମା। ସନ୍ଧ୍ୟା-ବିବର୍ଣ୍ଣ ଜଳରାଶି ଉପରେ ପୂର୍ଣ୍ଣିମାର ରଜତ ମହୋତ୍ସବ। /ଆଜି ଶ୍ରୀକ୍ଷେତ୍ରରେ ଜଗନ୍ନାଥଙ୍କର ପୁଷ୍ପ୍ୟାଭିଷେକ। ଜଗନ୍ନାଥଙ୍କର ମାଜଣା, କନକଲାଗି ବେଶ, ମାଳଫୁଲ, କର୍ପୂର ବେଶ ଦେଖିବାପାଇଁ ଭିତରକାଠ ପର୍ଯ୍ୟନ୍ତ ଯାତ୍ରୀ ଠେଲାଠେଲି ଭିତରଛୁ ମହାପାତ୍ର ସିଂହାସନ ଉପରକୁ ଉଠି ଦଣ୍ଡଛତ୍ର ଧରିଥିବ ଲକ୍ଷ୍ମଣଙ୍କ ପରି। ପାଳିଆ ମେକାପ ହନୁମାନ ପରି ଆଣ୍ଠେଇ ଧରିଥିବ ଦଣ୍ଡଛତ୍ରର ତଳଭାଗ। /କିନ୍ତୁ ହେନ୍ତାଳ ବଣଭିତରେ ଜଗନ୍ନାଥ ଆଜି ବନବାସୀ, ନିର୍ବାସିତ। କାହିଁ ପୁଷ୍ପ୍ୟାଭିଷେକ, ମାଜଣାଲାଗି ବେଶ, ପନ୍ତିଭୋଗ? ଗୁରୁବାଇ ଦ୍ୱୀପର ସେଇ ଲୋଟଣୀବର ତଳେ ଦିଅଁମାନେ ଆଜି ଖାଡ଼ାଖାଡ଼ା ଓପାସ। /ମୁଦ୍ରିତ ଆଖିର ଭ୍ରୂଲତାପରି ଏଇ ଆଗରେ ଦେଖାଯାଏ ହେନ୍ତାଳ, ଜେଉଳା ଆଉ ନଳଘାସଘେରା ଗୁରୁବାଇନାସୀ। ଇଏଥିଲା ‘ନୀଳାଦ୍ରି ବିଜୟ’ଉପନ୍ୟାସର କିଛି ବାକ୍ୟ ମାତ୍ର । କିନ୍ତୁ ଦିନଥିଲା ଯେତେବେଳେ ଏଠାର ନିକାଞ୍ଚନ ନିରାପଦ ଜାଗାରେ ମହାପ୍ରଭୁଙ୍କୁ ବିଦ୍ୟମାନ କରିଯାଇ ପୂଜାର୍ଚ୍ଚନ କରାଯାଉଥିଲା କିନ୍ତୁ ସେଦିନର ସେଇ ମୂଳ ଲୋଟଣୀ ବରଗଛ ଆଉ ନାହିଁ କି ଜଙ୍ଗଲ ନାହିଁ। ଏବେ ସ୍ମାରକୀ ଭାବେ ଏଠାରଥିବା ଶାଖା ଲୋଟଣୀ ବରଗଛଟି ଫନୀ ବାତ୍ୟାରେ ଭାଙ୍ଗିଯାଇଛି। ଏହି ପବିତ୍ର ସ୍ଥାନ ନିକଟରେ ଏକ ମନ୍ଦିର ନିର୍ମାଣ ହୋଇଛି। ଶ୍ରୀଜୀଉ ଦଧିବାମନ ରୂପେ ପୂଜା ପାଉଛନ୍ତି । ମହାପ୍ରଭୁଙ୍କ ଏମିତି ଲୀଳାକ୍ଷେତ୍ରକୁ ନେଇ କେତେ ପୁରାଣ, ଉପନ୍ୟାସ ଓ ସାହିତ୍ୟ ରଚନା ହୋଇଛି।

ଫାଶୀଦିଆ ବରଗଛ-: ଓଡ଼ିଶାର ମହାନ୍‌ ସଂଗ୍ରାମୀ ତଥା ଭାରତର ପ୍ରଥମ ଶହୀଦ ଜୟୀ ରାଜଗୁରୁଙ୍କର ରକ୍ତରେ ରଞ୍ଜିତ ଫାଶୀଦିଆ ବରଗଛ ଏବେ ବି ସ୍ମରଣକରେ ଇଂରେଜ ଶାସନର ଅମାନୁଷିକ ଲୋମଟାଙ୍କୁରା ହତ୍ୟାକାଣ୍ଡକୁ। ଜୟୀ ରାଜଗୁରୁ ସ୍ମୃତିସଂସଦର ପ୍ରତିଷ୍ଠାତା ସମ୍ପାଦକ ଜଟାଧାରୀ ମିଶ୍ର କୁହନ୍ତି, ଏହି ଇତିହାସ ସମ୍ପର୍କରେ ଗବେଷଣା କରୁଥିବାରୁ ତା.୧୦ା୮ା୨୦୦୮ମସିହାରେ ବାଘିତୋଟାର ବରଗଛ ସମ୍ପର୍କରେ ଅନୁସନ୍ଧାନ କରିଥିଲୁ। ଦିନଥିଲା ୧୮୦୬ମସିହା ଡିସେମ୍ବର ୬ତାରିଖ ଭୋର ସମୟରେ ମହାନ୍‌ ସଂଗ୍ରାମୀ ଜୟୀ ରାଜଗୁରୁଙ୍କୁ ଇଂରେଜମାନେ ମେଦିନପୁରର ବାଘିତୋଟାର ବରଗଛ ଡାଳରେ ଦୁଇ ଗୋଡ଼କୁବାନ୍ଧି ଅତିନିର୍ମମଭାବେ ହତ୍ୟା କରିଥିଲେ। ଏହି ସ୍ଥାନଟି ବର୍ତ୍ତମାନ ଓଡ଼ିଶାର ବାଲେଶ୍ୱର ଜିଲା ରେମୁଣା ବ୍ଲକ ଚଷାଖଣ୍ଡ ଗ୍ରାମପଞ୍ଚାୟତର ଅନନ୍ତପୁର ରାଜସ୍ବ ଗ୍ରାମ ଅଧୀନ ବାଘିତୋଟା ଓ ବାଘିନାଳ । ସେତେବେଳେ ଖୋର୍ଦ୍ଧା ଅଞ୍ଚଳରୁ ପାଇକମାନେ ଜୟୀ ରାଜଗୁରୁଙ୍କୁ ବିଟ୍ରିଶ କବଳରୁ ଛଡ଼ାଇ ଆଣିବା ପାଇଁ ଆସିଥିଲେ। ମାତ୍ର ସେତେବେଳକୁ ରାଜଗୁରୁଙ୍କୁ ହତ୍ୟା କରାଯାଇ ସାରିଥିଲା। ଏଠାକୁ ଆସିଥିବା ପାଇକମାନେ ସେବେଠାରୁ ଏଠାରେ ପାଇକବସ୍ତି କରିରହିଛନ୍ତି। ଏଠାରେ ଥିବା ସେହି ମୂଳବରଗଛର ଶାଖାଗଛକୁ ପ୍ରତିବର୍ଷ ଗ୍ରାମର ଲୋକମାନେ ପୂଜାର୍ଚ୍ଚନା କରିବା ସହିତ ଜୟୀ ରାଜଗୁରୁଙ୍କ ନାମରେ ଯଜ୍ଞ ଓ ସଂକୀର୍ତ୍ତନ ଅନୁଷ୍ଠିତ ହେଉଛି। ଅନ୍ୟପକ୍ଷେ ବଟବୃକ୍ଷକୁ ସ୍ବୟଂ ବ୍ରହ୍ମା,ବିଷ୍ଣୁ ଓ ମହେଶ୍ୱରଙ୍କ ସ୍ବରୂପ ରୂପେ ପୁରାଣରେ ବର୍ଣ୍ଣିତ ହୋଇଛି। ତେବେ ଓଡ଼ିଶାର ପ୍ରସିଦ୍ଧ ବଟବୃକ୍ଷ ମଧ୍ୟରେ ଛତିଆବଟ, ସଖୀବଟ, ଉଦୟବଟ ସମେତ ବିଭିନ୍ନ ସ୍ଥାନରେ ଥିବା କେତେକ ବରଗଛର ପ୍ରଚ୍ଛଦରେ ରହିଛି ବିଭିନ୍ନ ଘଟଣାର ଅତୀତ କାହାଣୀ ।

ଅନ୍ୟପକ୍ଷେ ବରଗଛ ଶୈଶବର ଖେଳଘର, ଯୌବନର ପସରା ଓ ବାର୍ଦ୍ଧକ୍ୟର ସାହାରା ହୋଇଥାଏ। ଯାହା ଆମକୁ ସେହିସମୟକୁ ସ୍ମରଣ କରାଇଦିଏ।

ବର-ଅଶ୍ୱତ୍ଥ ବିବାହରେ ପୁଣ୍ୟ ମିଳେ
ଦିନକୁଦିନ ଗଛସଂଖ୍ୟା କମୁଥିବାରୁ ବର ଓ ଅଶ୍ୱତ୍ଥ ଗଛ ମଧ୍ୟରେ ବିବାହ କରାଇ ଗଛ ଲଗାଇବାର ସଚେତନତା ସ୍ବାଗତ ଯୋଗ୍ୟ । ବିଭିନ୍ନ ସ୍ଥାନରେ ବର ଅଶ୍ୱତ୍ଥ ଗଛ ମଧ୍ୟରେ ବିବାହ ଅନୁଷ୍ଠିତ ହେଉଛି । ଖୋର୍ଦ୍ଧାର ଗୋଲକ ବିହାରୀ ହାତୀ, ବର ପକ୍ଷ ଓ ଶାନ୍ତିଲତା ଦେଈ ଅଶ୍ୱତ୍ଥ ପକ୍ଷ ହୋଇ ବିବାହ କରାଇଥିଲେ । ବାଜା, ବାଣ, ରୋଶଣି, ହୁଳହୁଳି ଓ ବ୍ରାହ୍ମଣଙ୍କ ମନ୍ତ୍ରପାଠରେ ବିବାହ କାର୍ଯ୍ୟ ସରିଥିଲା। ଏଥିରେ ସ୍ଥାନୀୟ ବାସିନ୍ଦା, ପରିବେଶ୍‌ବିତ୍‌ ସହଯୋଗ କରିଥିଲେ । ନୟାଗଡ଼ ଜିଲା ନନ୍ଦିଘୋର ଗଁାର ଶିକ୍ଷକ ଗିରିଜା ଶଙ୍କର ମହାପାତ୍ର କୁହନ୍ତି, ପରିବେଶ ପାଇଁ ବର ଓ ଅଶ୍ୱତ୍ଥ ଗଛର ଆବଶ୍ୟକତା ଅଛି । ଅଶ୍ୱତ୍ଥ ଗଛର ମୃତ୍ୟୁ ଥିବାବେଳେ ବରଗଛର ପ୍ରାକୃତିକ ମୃତ୍ୟୁ ନାହିଁ । ମୂଳଗଛଟି ମରିଗଲେ ମଧ୍ୟ ଓହଳ ଦ୍ୱାରା ନୂତନ ଗଛ ସୃଷ୍ଟି ହୋଇ ବଞ୍ଚି ରହେ । ଫଳରେ ପିଢ଼ି ପରେ ପିଢ଼ି ଜୀବଜଗତ ସେବାରେ ଲାଗିଥାଏ । ପ୍ରାକୃତିକ ଭାବେ ବରଫଳ ଖାଉଥିବା ପକ୍ଷୀଙ୍କ ମଳରୁ ମଞ୍ଜିବାହାରି ଗଛସୃଷ୍ଟି ହୋଇଥାଏ । ଗୋଡିପଡାର ଚନ୍ଦ୍ରମଣି ମିଶ୍ର କୁହନ୍ତି, ବର ଓ ଅଶ୍ୱତ୍ଥ ଗଛ ବିବାହ ଏକ ପୁଣ୍ୟ କାର୍ଯ୍ୟ । ନିଃସନ୍ତାନ ଦମ୍ପତି ଏହି ବୃକ୍ଷ ଲଗାଇ ବିବାହ କରାଇ ଆମତ୍ତୃପ୍ତି ପାଆନ୍ତି। । ଡାକ୍ତର ତ୍ରୈଲୋକ୍ୟନାଥ ମହାରଣା କୁହନ୍ତି, ପ୍ରାଚୀନ ଆୟୁର୍ବେଦ ଚିକିତ୍ସାଗ୍ରନ୍ଥରେ ବଟବୃକ୍ଷର ଔଷଧୀୟଗୁଣ ସମ୍ପର୍କରେ ଚମତ୍କାର ବର୍ଣ୍ଣନା ହୋଇଛି। ବଟବୃକ୍ଷର ପତ୍ର, କ୍ଷୀର,ଫଳ, ବଳ୍କଳରେ ଔଷଧୀୟ ଗୁଣ ଭରପୂର ରହିଛି।

-ବନବିହାରୀ ବେହେରା, ଲୋକନାଥ ମିଶ୍ର


All Right Reserved By

ପ୍ରତିଶୋଧ ପାଇଁ ୧୫୯ ସାଇକେଲ ସିଟ୍‌ ଚୋରି

ଜାପାନ: ୧୫୯ ସାଇକେଲର ସିଟ୍‌ ଚୋରି କରିବା ଅଭିଯୋଗରେ ଜାପାନ ଟୋକିଓ ସହରର ଜଣେ ୬୧ ବର୍ଷୀୟ ବୃଦ୍ଧଙ୍କୁ ପୋଲିସ ଗିରଫ କରିଛି। ତାଙ୍କ ନାମ...

୨କୋଟି ଟଙ୍କାର ଗାଡ଼ିରେ ପେଟ୍ରୋଲ୍‌ ପକାଇବା ପାଇଁ କୁକୁଡା ଚୋରି କରୁଥିଲେ ମାଲିକ

ସଉକ୍‌ ପାଇଁ ମଣିଷ ବେଳେ ବେଳେ ଅଜବ କାମ କରୁଥିବା ଦେଖିବାକୁ ମିଳିଥାଏ। ସେମିତି ଚାଇନାର ଜଣେ କୃଷକ ନିଜର ସୌକ ପାଇଁ ୨ କୋଟି...

ଏହି ସ୍ଥାନକୁ ଭଉଣୀଭାଇଙ୍କୁ ଏକାଠି ଯିବା ମନା

ଉତ୍ତରପ୍ରଦେଶର କଲ୍‌ପିରେ ରହିଛି ୨୧୦ ଫୁଟ୍‌ ଉଚ୍ଚ ‘ଲଙ୍କା ମୀନାର୍‌’। ଏହି ମୀନାର ମଧ୍ୟରେ ରାବଣଙ୍କ ପୂରା ପରିବାରର ଚିତ୍ରଣ କରାଯାଇଛି। ମୀନାରକୁ ନେଇ ରହିଛି...

ସ୍ତ୍ରୀଙ୍କ ପାଇଁ ମ୍ୟାଟର୍‌ନିଟି ଫଟୋଶୁଟ୍‌ କଲେ ସ୍ବାମୀ

ଆମେରିକାରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ସ୍ତ୍ରୀଙ୍କ ପାଇଁ ମ୍ୟାଟର୍‌ନିଟି ଫଟୋଶୁଟ୍‌ କରି ଚର୍ଚ୍ଚାକୁ ଆସିଛନ୍ତି ସ୍ବାମୀ। ଆମେରିକାର କେଣ୍ଟୁକିରେ ରହୁଥିବା କେଲସି ବ୍ରେଓ୍ବେର...

ଏହି ମନ୍ଦିରରେ ଦେବୀ ରୂପରେ ପୂଜାପାଆନ୍ତି ମାଛର ହାଡ: ପୂରା ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଭାରତରେ ଏପରି କିଛି ମନ୍ଦିର ଅଛି, ଯାହାର ସ୍ବତନ୍ତ୍ର ପରମ୍ପରା ରହିଛି। ଏହି ମନ୍ଦିରମାନଙ୍କୁ ନେଇ ଅନେକ କିମ୍ବଦନ୍ତୀ ମଧ୍ୟ ରହିଛି। ଆପଣ କ’ଣ ଏପରି...

ଯେଉଁଠି ୫୦ ଟଙ୍କା ପାଇଁ ଲଗାଯାଏ ଜୀବନ ବାଜି

ବିଶ୍ୱରେ ଏମିତି ଅନେକ ପ୍ରକାରର ପରମ୍ପରା ରହିଛି, ଯାହା ଶୁଣିଲେ ଯେତିକି ଆଶ୍ଚର୍ଯ୍ୟ ଲାଗେ ସେତିକି ଆଶଙ୍କା ବି ସୃଷ୍ଟି ହୁଏ। ଏଭଳି ଏକ ପରମ୍ପରା...

ଆଖି ଡେଇଁଥାଏ କାହିଁକି…

ବେଳେ କେତେକଙ୍କର ଆଖି ଡେଇଁଥାଏ। ଏହା କେତେକ ଶାରୀରିକ ସମସ୍ୟା ଯୋଗୁ ସୃଷ୍ଟି ହୋଇଥାଏ ବୋଲି ଚିକିତ୍ସକ କହିଥାନ୍ତି। ବୈଜ୍ଞାନିିକ ଦୃଷ୍ଟିକୋଣରୁ ଅତ୍ୟଧିକ ଚା, କଫି,...

ଫନୀ ପ୍ରକୋପରେ ବିବର୍ଣ୍ଣ ଉପକୂଳ ଓଡ଼ିଶା: ବାରମ୍ବାର ଘଟୁଛି ପ୍ରାକୃତିକ ବିପର୍ଯ୍ୟୟ, କିପରି ଅଛି ବାତ୍ୟା ପରର ଜୀବନ

ଉପକୂଳ ଓଡ଼ିଶାରେ ଏମିତି କିଛି ଗାଁ ଅଛି, ଯେଉଁଠାରେ ଲୋକେ ବାରମ୍ବାର ବନ୍ୟାବାତ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୁଅନ୍ତି । ପୁଣି ଅଣ୍ଟା ଭିଡି...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *