ନିର୍ବାଚନ ସଂସ୍କାର

ଶରତ ଚନ୍ଦ୍ର ମିଶ୍ର
ସପ୍ତଦଶ ଲୋକ ସଭା ନିର୍ବାଚନ ନିର୍ବାଚନ କମିଶନ, ନିର୍ବାଚନ ଅଧିକାରୀ, ରାଜ୍ୟ ପୋଲିସ ଓ ଅର୍ଦ୍ଧସାମରିକ ବାହିନୀଙ୍କ ନିଷ୍ଠା ଓ କର୍ତ୍ତବ୍ୟ ପରାୟଣତା ହେତୁ ସଫଳ ଭାବରେ ସମାପ୍ତ ହୋଇଛି। ଆମ ଭାରତରେ ନିର୍ବାଚନ ମାଧ୍ୟମରେ ଶାନ୍ତିପୂର୍ଣ୍ଣ କ୍ଷମତା ହସ୍ତାନ୍ତର ପ୍ରକ୍ରିୟା ସତ୍ତ୍ୱେ ବିଶ୍ୱପ୍ରସିଦ୍ଧ Economic Intelligence Unit ଭାରତକୁ ଦୋଷଯୁକ୍ତ ଗଣତନ୍ତ୍ର (Flawed Democracy) ବୋଲି ଗଣନା କରେ ଓ ଭାରତରେ ନିର୍ବାଚନ ପଦ୍ଧତିରେ ସଂସ୍କାରର ଆବଶ୍ୟକତା ରହିଛି ବୋଲି ଦେଶରେ ଓ ବିଦେଶରେ ଅନେକେ ଅନୁଭବ କରନ୍ତି। ଆମ ନିର୍ବାଚନ ପଦ୍ଧତିରେ ପ୍ରକୃତ ଜନମତ ପ୍ରତିଫଳିତ ହୁଏନାହିଁ। ଉଦାହରଣ ସ୍ବରୂପ ୨୦୧୪ ନିର୍ବାଚନରେ ମାତ୍ର ତିନିଭାଗରୁ ପ୍ରାୟ ଏକ ଭାଗ ଭୋଟ ପାଇ ଭାଜପା କେନ୍ଦ୍ରରେ ସରକାର ଗଠନ କରିଥିଲା। ମାତ୍ର ୨୦୧ ଜଣ ସାଂସଦ ପଚାଶ ଭାଗରୁ ଅଧିକ ଭୋଟ ପାଇଥିଲେ ା ବହୁଜନ ସମାଜ ପାର୍ଟି ଦେଶର ସମୁଦାୟ ଭୋଟରୁ ୪୨% ଭୋଟ ପାଇ ମଧ୍ୟ ପାର୍ଲାମେଣ୍ଟରେ କୌଣସି ଗୋଟିଏ ସ୍ଥାନ ପାଇ ନ ଥିଲା। ଅନ୍ୟ ପକ୍ଷରେ ତୃଣମୂଳ କଂଗ୍ରେସ ୩୯% ଭୋଟ ପାଇ ପାର୍ଲାମେଣ୍ଟକୁ ୩୪ ଜଣ ପ୍ରତିନିଧି ପଠାଇଥିଲା। ଏ ବର୍ଷ (୨୦୧୯) ନିର୍ବାଚନରେ ବିଜେଡି ଓଡିଶାରେ ବିଧାନସଭାରେ ବିପୁଳ ସଂଖ୍ୟାରେ ବିଜୟ ଲାଭ କରିଛି। ଦଳର ଭୋଟ ହେଉଛି ଶତକଡା ୪୫ ଭାଗରୁ କିଛି ଅଧିକ । ତା’ର ଅର୍ଥ ସଂଖ୍ୟାଧିକ ଭୋଟର (ଶତକଡା ୫୫ ଭାଗ) ବିଜେଡି ସରକାର ଚାହିଁ ନ ଥିଲେ। ଭାଜପା ରାଜ୍ୟ ବିଧାନସଭା ପାଇଁ ପ୍ରାୟ ୩୨% ଭୋଟ ପାଇଲା ବେଳକୁ, ବିଧାନସଭାରେ ସଭ୍ୟ ସଂଖ୍ୟା ପ୍ରାୟ ୧୬%। ଜନମତକୁ ଠିକ୍‌ ଭାବରେ ସଦସ୍ୟ ଆବଣ୍ଟନରେ ପରିଣତ କରିପାରିବା ନିର୍ବାଚନର ଲକ୍ଷ୍ୟ ହେବା ଉଚିତ। ନତୁବା ଏହା ଅଗଣତାନ୍ତ୍ରିକ ହେବ ଓ ତା’ର କାରଣ ନିର୍ଣ୍ଣୟ କରି ତା’ର ସମାଧାନ ଉଦ୍ୟମ ହେବା ଆବଶ୍ୟକ।
ଆମ ଦେଶରେ ଦୁଇ ପ୍ରକାର ନିର୍ବାଚନ ପଦ୍ଧତି ପ୍ରଚଳିତ। ଲୋକ ସଭା ଓ ବିଧାନସଭା ନିମନ୍ତେ ଆମେ ବ୍ରିଟିଶ ଅନୁକରଣରେ First Past The Post System (FPTPS) ବ୍ୟବହାର କରୁ। ଏ ପ୍ରଥାରେ ଯେଉଁ ପ୍ରାର୍ଥୀ ସବୁଠାରୁ ଅଧିକ ଭୋଟ ପାଇଲା, ସେ ନିର୍ବାଚିତ ହୁଏ। ସେ ସମୁଦାୟ ଭୋଟରୁ ସଂଖ୍ୟାଧିକ ଭୋଟ ପାଇଛି କି ନାହିଁ ତାହା ବିଚାର କରାଯାଏ ନାହିଁ। ତେଣୁ ଜଣେ ପ୍ରାର୍ଥୀର ସପକ୍ଷ ଭୋଟ ଅପେକ୍ଷା, ସମୁଦାୟ ବିପକ୍ଷ ଭୋଟ ଅଧିକ ହେଲେ ମଧ୍ୟ ସେ ନିର୍ବାଚିତ ହୁଏ। ଆମ ଦେଶରେ ସଂଖ୍ୟାଧିକ ନିର୍ବାଚିତ ଏମ୍‌ଏଲ୍‌ଏ ଓ ଏମ୍‌ପି ସଂଖ୍ୟାଧିକ ଭୋଟ ପାଆନ୍ତି ନାହିଁ। ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ରାଜ୍ୟ ସଭା ଓ ବିଧାନ ପରିଷଦ ନିର୍ବାଚନ ନିମନ୍ତେ ଆନୁପାତିକ ପ୍ରତିନିଧିତ୍ୱ (Proportional representation) ବ୍ୟବସ୍ଥା ଅନୁସୃତ। ଏ ବ୍ୟବସ୍ଥାରେ ଭୋଟଦାତାଙ୍କ ମତ, ପ୍ରତିନିଧି ସଂଖ୍ୟାରେ ଠିକ୍‌ ଭାବରେ ପ୍ରତିଫଳିତ ହୁଏ।
ସର୍ବାଧିକ ଭୋଟ ପାଇ ନିର୍ବାଚିତ ହେବାର ଉପାଦେୟତା ସମ୍ବନ୍ଧରେ ଏବେ ଉଭୟ ଇଂଲଣ୍ଡ ଓ ଭାରତରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ଏବଂ ୨୦୧୧ ମସିହାରେ ଏ ସମ୍ବନ୍ଧରେ ଇଂଲଣ୍ଡରେ ଏକ ଗଣଭୋଟ ହୋଇ ୬୮% ଭୋଟର ଏ ପ୍ରଥାର ଅବିରତ ସ୍ଥିତି ସପକ୍ଷରେ ଭୋଟ ଦେଲେ। ଏହା ଏକ ସରଳ ପ୍ରଥା ଓ ଏହି ପ୍ରଥାରେ କେତେକ ସୁବିଧା ଅଛି।
ପ୍ରଥମତଃ, ପ୍ରଥମ ସାବାଳକ ନିର୍ବାଚନ (୧୯୫୨) ସମୟରେ ପ୍ରାୟ ୮୪% ଭୋଟର ଅଶିକ୍ଷିତ ଥିଲେ। କୌଣସି ଜଟିଳ ପ୍ରଥା ସେମାନଙ୍କ ପକ୍ଷରେ କଷ୍ଟକର ହୋଇଥାନ୍ତା। ଦ୍ୱିତୀୟରେ ଏହି ପ୍ରଥାରେ ପ୍ରତ୍ୟେକ ନିର୍ବାଚନମଣ୍ଡଳୀରୁ ଜଣେ ନିର୍ବାଚିତ ହୁଏ ଓ ସେ ଭୋଟରମାନଙ୍କ ପାଖରେ ଉତ୍ତରଦାୟୀ ରହେ। ଶେଷରେ ଭୋଟର ସାମୂହିକ ଭାବରେ ଦଳକୁ ଭୋଟ ନ ଦେଇ, ତା’ର ମନୋନୀତ ପ୍ରାର୍ଥୀଙ୍କୁ ହିଁ ଭୋଟ ଦିଏ।
ପ୍ରଥମ ସାଧାରଣ ନିର୍ବାଚନ ତୁଳନାରେ ଆମ ଭୋଟରମାନେ ଏବେ ବେଶ୍‌ ଶିକ୍ଷିତ ଓ ଏକ ନୂତନ ପଦ୍ଧତି ଗ୍ରହଣ କରିବାରେ ସକ୍ଷମ। ଇଭିଏମ୍‌ ପ୍ରଥାରେ ସହଜରେ ଅଭ୍ୟସ୍ତ ହୋଇପାରିଲା ପରି ଭୋଟ ଦାନ ପ୍ରଥାରେ କୌଣସି ପରିବର୍ତ୍ତନ ପ୍ରଚଳନ କଲେ, ତାହା ମଧ୍ୟ ସେମାନେ ଆୟତ୍ତ କରିପାରିବେ ବୋଲି ଆଶା।
ଆନୁପାତିକ ପ୍ରତିନିଧିତ୍ୱ ହେଉଛି ଏକ ବିକଳ୍ପ। ଏହି ପ୍ରଥା ଦୁଇ ପ୍ରକାର। ଗୋଟିଏ ପ୍ରଥାରେ ଭୋଟରମାନଙ୍କୁ ଦଳ ପକ୍ଷରୁ ଏକ ତାଲିକା ପ୍ରଦାନ କରାଯାଏ ଓ ଭୋଟରମାନେ ଦଳ ଓ ତାଲିକାରୁ ମନୋନୀତ ପ୍ରାର୍ଥୀକୁ ସମର୍ଥନ ଜଣାନ୍ତି। ଭୋଟ ଗଣତି ପରେ ଯେଉଁ ଦଳ, ଯେତିକି ପରିମାଣରେ ଭୋଟ ପାଇଥାଏ, ସେଇ ଅନୁପାତରେ ତାକୁ ଆସନ ବାଣ୍ଟି ଦିଆଯାଏ ଓ ତାଲିକାରେ ସମର୍ଥିତ ପ୍ରାର୍ଥୀଙ୍କ ଭୋଟ ଅନୁସାରେ ଅଧିକ ଭୋଟ ପାଇଥିବା ପ୍ରାର୍ଥୀମାନେ ଆସନପ୍ରାପ୍ତ ହୁଅନ୍ତି। ଦ୍ୱିତୀୟ ପଦ୍ଧତିରେ ଭୋଟର ଦଳକୁ ଭୋଟ ଦିଏ ଓ ଯେଉଁ ଦଳ ଯେତିକି ପରିମାଣରେ ଭୋଟ ପାଏ, ସେଇ ଅନୁପାତରେ ଦଳକୁ ଆସନ ମିଳେ ଓ ଦଳ ନିଜର ପ୍ରାର୍ଥୀ ମନୋନୟନ କରେ। ଏ ପ୍ରଥାରେ କେହି ସ୍ବାଧୀନ ପ୍ରାର୍ଥୀ ହେବାର ଅବକାଶ ନାହିଁ। ଦ୍ୱିତୀୟତଃ ଦଳର ନେତା ଏ ପ୍ରଥାରେ ଅତ୍ୟନ୍ତ କ୍ଷମତାଶାଳୀ ହୋଇଯାଆନ୍ତି ଓ ନିଜର ଅନୁଗତମାନଙ୍କୁ ପୁରସ୍କୃତ କରନ୍ତି। ଏହା ଏକପ୍ରକାର ବର୍ତ୍ତମାନ ଦଳମାନଙ୍କରେ ରାଜ୍ୟ ସଭା ପ୍ରାର୍ଥୀ ମନୋନୟନ ଭଳି। ଆନୁପାତିକ ପ୍ରତିନିଧିତ୍ୱ ବ୍ୟବସ୍ଥାରେ ଝୁଲା ପାର୍ଲାମେଣ୍ଟ ହେବାର ଆଶଙ୍କା ଅଧିକ। ଉଭୟ ବ୍ୟବସ୍ଥାରେ ତ୍ରୁଟି ସୁଧାରିବା ନିମନ୍ତେ କେତେକ ଦେଶରେ ଏକ ମିଶ୍ରିତ ବ୍ୟବସ୍ଥାର ପ୍ରଚଳନ କରାଯାଇଛି। ଜର୍ମାନୀରେ ଭୋଟର ଦୁଇଟି ଭୋଟ ପ୍ରଦାନ କରେ। ଗୋଟିଏ ନିଜ ନିର୍ବାଚନମଣ୍ଡଳୀର ପ୍ରତିନିଧି ନିମନ୍ତେ ଓ ଆଉ ଗୋଟିଏ ଦଳ ନିମନ୍ତେ। ଅଧା ଆସନ ପ୍ରଥମ ଭୋଟରେ ଓ ବାକି ଅଧା ଆସନ ଦଳମାନଙ୍କ ମଧ୍ୟରେ, ଭୋଟ ଅନୁପାତରେ ବଣ୍ଟନ କରାଯାଏ। ନେପାଳରେ ମଧ୍ୟ ଭୋଟର ଦୁଇଟି ଭୋଟ ପ୍ରଦାନ କରେ। ପ୍ରଥମ ଭୋଟରେ ୧୬୫ ପ୍ରାର୍ଥୀ ନିର୍ବାଚିତ ହୁଅନ୍ତି। ଦ୍ୱିତୀୟ ଭୋଟଟି ବାକି ୧୦୦ ଆସନ ନିମନ୍ତେ ଦଳକୁ ଦିଆଯାଏ ଓ ଭୋଟର ପରିମାଣ ଅନୁଯାୟୀ ୧୦୦ଟି ଆସନକୁ ଦଳମାନଙ୍କ ମଧ୍ୟରେ ବଣ୍ଟନ କରାଯାଏ।
ବର୍ତ୍ତମାନ ପୃଥିବୀରେ ଆନୁପାତିକ ପ୍ରତିନିଧିତ୍ୱ ବ୍ୟବସ୍ଥା ୮୩ଟି ଦେଶରେ, ସର୍ବାଧିକ ଭୋଟ ବ୍ୟବସ୍ଥା (FPTPS) ୬୧ଟି ଦେଶରେ ଓ ମିଶ୍ରିତ ବ୍ୟବସ୍ଥା ୨୧ଟି ଦେଶରେ ପ୍ରଚଳିତ। ଭାରତ ଭଳି ଏକ ବିରାଟ ଦେଶରେ ଆନୁପାତିକ ବ୍ୟବସ୍ଥା ପ୍ରଚଳନ ହେଲେ, ଦଳୀୟ ନେତାମାନେ ସାଂସଦ ମନୋନୟନରେ କେତେକ ଅଞ୍ଚଳକୁ ଅବହେଳା କରିବାର ଆଶଙ୍କା ରହିଛି। ଭୋଟରମାନଙ୍କ ପାଖରେ ସାଂସଦମାନେ ଉତ୍ତରଦାୟୀ ହେବା ଅପେକ୍ଷା ଦଳର ସର୍ବୋଚ୍ଚ ନେତାମାନଙ୍କର ପ୍ରିୟପାତ୍ର ହେବାରେ ଅଧିକ ଯତ୍ନଶୀଳ ହେବେ। ବର୍ତ୍ତମାନର ରାଜ୍ୟ ସଭା ଓ ବିଧାନ ପରିଷଦ ସଭ୍ୟମାନେ ଯେପରି ଭୋଟରମାନଙ୍କ ପାଖରେ ଉତ୍ତରଦାୟୀ ନୁହନ୍ତି, ସେହିପରି ପରିସ୍ଥିତି ଉପୁଜିବ। ଏକ ମିଶ୍ରିତ ପ୍ରଥା ଭାରତୀୟ ପରିସ୍ଥିତିରେ ଅଧିକ ବାଞ୍ଛନୀୟ। ଭୋଟରମାନଙ୍କ ପ୍ରତି ଉତ୍ତରଦାୟୀ ରହୁଥିବା ଓ ଜନମତ ଠିକ୍‌ ଭାବରେ ପ୍ରତିଫଳିତ ହେଉଥିବା ଭଳି ଏକ ବିକଳ୍ପ ବ୍ୟବସ୍ଥା ଆମକୁ ବାହାର କରିବାକୁ ହେବ। ଦେଶର ଆଇନ ପ୍ରଣୟନକାରୀ, ବୁଦ୍ଧିଜୀବୀ ଓ ସାମାଜିକ ଶ୍ରେଷ୍ଠମାନେ ଏ ଦିଗରେ ଧ୍ୟାନ ଦେବା ଆବଶ୍ୟକ।
ମୋ-୯୯୩୭୪୨୨୫୨୧


All Right Reserved By Dharitri.Com

ଏଇ ଭାରତରେ

ଶହୀଦଙ୍କ ସ୍ତ୍ରୀଙ୍କୁ ଗ୍ରାମବାସୀଙ୍କ ରାଖୀ ପୂର୍ଣ୍ଣିମା ଉପହାର। ମଧ୍ୟପ୍ରଦେଶର ଦେପାଲପୁର ଅନ୍ତର୍ଗତ ପୀର ପିପ୍‌ଲିୟା ଗାଁରେ ଦେଖିବାକୁ ମିଳିଛି ଏମିତି ଏକ ଦୃଶ୍ୟ, ଯାହା ସମସ୍ତଙ୍କ...

ଏଇ ଭାରତରେ

ମଣିଷ ଆଧୁନିକ ଜୀବନଶୈଳୀକୁ ଆପଣାଇ ନେଉଥିବା ବେଳେ ହରିୟାଣା ପାନିପଥର ଏକ ଗାଁରେ ଏବେ ସୁଦ୍ଧା ଟେଲିଭିଜନ ଦେଖିବା ଉପରେ କଟକଣା ଲଗାଯାଇଛି। କେବଳ ଏତିକି...

ଏଇ ଭାରତରେ

ଆସାମ ତିନସୁକିଆର ୪୦ବର୍ଷୀୟ ଡି. କ୍ରିଷ୍ଣ କୁମାର ସ୍କୁଟରରେ ମା’ଙ୍କୁ ୧୭ଟି ତୀର୍ଥସ୍ଥଳ ଭ୍ରମଣ କରାଇବାକୁ ବାହାରି ପଡିଛନ୍ତି। ପାଖାପାଖି ୪୦,୩୮୦ କିଲୋମିଟର ଭ୍ରମଣ କରିବାର...

ଅମାନବୀୟ ପରମ୍ପରା

ଦ୍ୱିତୀ ଚନ୍ଦ୍ର ସାହୁ ହେମଗିରିରୁ ଝାରସୁଗୁଡ଼ା ଫେରୁଥାଉ। ବନ୍ଧୁ ଶିବାଶିଷ ହଠାତ୍‌ ଏକ ନିଛାଟିଆ ସ୍ଥାନରେ ଗାଡ଼ିର ବ୍ରେକ୍‌ କଷିଲେ। ମୋବାଇଲ ଚାଟିଂରୁ ନଜର ହଟାଇ...

ସତ୍ୟପଥର ବିରଳ ଯାତ୍ରୀ

ଚିତ୍ର ଚରିତ୍ର/ ନିରଞ୍ଜନ ପାଢ଼ୀ ଦୁଇ ବନ୍ଧୁଙ୍କର ଯୁକ୍ତିଯୁଦ୍ଧକୁ ମନ ଓ ବିବେକର ଯୁଦ୍ଧ ବୋଲି ଧରି ନିଆଯାଉ। ‘ସତରେ ଥିଲେ ରାତିଅଧରେ ଭାତ ମିଳେ’-...

କୁତ୍ସିତ ବୃତ୍ତି

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ଏ ପୃଥିବୀରେ ଯେତେ ସର୍ଭେ କରାଯାଇଛି, ସେଥିରୁ ଜଣାପଡ଼ିଛି ଯେ ନାଳନର୍ଦ୍ଦମା ସଫାକରିବା, ବିଶେଷକରି ପ୍ରାଣୀ (ଗାଈ, ଘୁଷୁରି, କୁକୁଡ଼ା...

ଏଇ ଭାରତରେ

ଭାରତରେ ଧାର୍ମିକ ପରମ୍ପରାରେ ଏବେ ବି ଯନ୍ତ୍ରଣାଦାୟକ ବିଧି ଜମିରହିଛି। ଏମିତିକି ଆଧୁନିକତାର ସ୍ରୋତରେ ସାମିଲ ହୋଇଥିବା ରାଜପରିବାରରେ ମଧ୍ୟ ଏଭଳି କିଛି ବିଧି ଉପରେ...

କାଳର କଡ଼ ଲେଉଟାଣି

ଉପେନ୍ଦ୍ର ବିଶ୍ୱାଳ ପ୍ରତ୍ୟହ ପ୍ରଭାତରେ ପକ୍ଷୀଟିଏ ପହଞ୍ଚତ୍ଥାଏ ଦାଣ୍ଡ ଦୁଆରେ। ପୋକ, ପତଙ୍ଗାଦିକୁ ଖୁଣ୍ଟି ଖାଏ। ତା’ର କୁନି କୁନି ପାଦର ଟିକି ଟିକି ଚାଲି,...

Leave a comment

Your email address will not be published. Required fields are marked *