Posted inଫୁରସତ

ବାପା: ଯାହାଙ୍କ ଗାଳିରେ ଲୁଚି ରହିଥାଏ ସ୍ନେହାର୍ଶୀବାଦ, ପାଖରେ ଥିଲେ ଦେହରେ ଆସେ ଶତ ସିଂହର ବଳ

ସିଏ ପାଖରେ ଥିଲେ ଦେହରେ ଶତ ସିଂହର ବଳ ଆସେ। କୌଣସି କଥାକୁ ଭୟ ଲାଗେନା କି ଚଲାପଥରେ କେବେ କଣ୍ଟା ଫୁଟେନା। କିନ୍ତୁ ବେଳେବେଳେ ପିଲାଙ୍କୁ ସୁପଥଗାମୀ କରାଇବା ପାଇଁ ସେଇ ବାପା ନିଜକୁ କଠୋର କରନ୍ତି, ରାଗନ୍ତି, ଗାଳି ଦିଅନ୍ତି…

ଆଙ୍ଗୁଠି ଧରି ବାଟ ଚଲେଇବା ଶିଖାନ୍ତି ଯିଏ, ମୁଣ୍ଡ ଝାଳ ତୁଣ୍ଡରେ ମାରି ପିଲାଙ୍କ ପାଟିରେ ଖାଦ୍ୟ ଦିଅନ୍ତି ଯିଏ, ଆଖି ଲୁହକୁ ଲୁଚାଇ ସନ୍ତାନଙ୍କୁ ହସିବା ଶିଖାଇଥାନ୍ତି ଯିଏ; ସିଏ ଆଉ କେହି ନୁହନ୍ତି ସେ ହେଉଛନ୍ତି ବାପା। ସିଏ ପାଖରେ ଥିଲେ ଦେହରେ ଶତ ସିଂହର ବଳ ଆସେ। କୌଣସି କଥାକୁ ଭୟ ଲାଗେନା କି ଚଲାପଥରେ କେବେ କଣ୍ଟା ଫୁଟେନା। କିନ୍ତୁ ବେଳେବେଳେ ପିଲାଙ୍କୁ ସୁପଥଗାମୀ କରାଇବା ପାଇଁ ସେଇ ବାପା ନିଜକୁ କଠୋର କରନ୍ତି, ରାଗନ୍ତି, ଗାଳି ଦିଅନ୍ତି। ଆବଶ୍ୟକ ପଡ଼ିଲେ ପିଲାଙ୍କ ଉପରକୁ ହାତ ବି ଉଠାନ୍ତି। ହେଲେ ସେହି ମାଡ଼ ଗାଳିକୁ ଯେଉଁ ସନ୍ତାନ ଭଲ ଅର୍ଥରେ ନେଇ କାର୍ଯ୍ୟକାରୀ କରିଥା’ନ୍ତି, ଶେଷରେ ସେମାନେ ହୁଅନ୍ତି ସଫଳ, ଆଉ ଦୁନିଆ ତାଙ୍କୁ ସୁସନ୍ତାନ ବୋଲି କହେ। ବାପାଙ୍କ ଗାଳି ପାଇଁ ସଫଳତାର ସ୍ବାଦ ଚାଖିଥିବା ସେମିତି କେତେଜଣ ବ୍ୟକ୍ତିଙ୍କ ସମ୍ପର୍କରେ…

ବାପାଙ୍କ ଗାଳି ଯୋଗୁ ଇଞ୍ଜିନିୟର ହେଲି
ଯାଜପୁର ରୋଡ଼ ଫେରୋକ୍ରୋମ କଲୋନୀର ରଜତ କୁମାର ପତି। ବାପା ବ୍ରଜ କିଶୋର ପତି ଜଣେ ଆଇନଜୀବୀ, ମା’ ଊର୍ମିଳା ପାଢ଼ୀ ଶିକ୍ଷୟିତ୍ରୀ। ପିଲାଟି ଦିନରୁ ରଜତ ଥିଲେ ଟିକେ ଚଗଲା। ଖେଳପ୍ରିୟ ରଜତ ବେଳେବେଳେ ସାଙ୍ଗମାନଙ୍କ ସହ ଖେଳିବା ପାଇଁ ସ୍କୁଲ ଯିବାକୁ ଅମଙ୍ଗ ହେଉଥିଲେ। ଏଥିପାଇଁ କେତେଥର ବାପା ତାଙ୍କୁ ଗାଳି ଦେଇଥିଲେ। ହେଲେ ପରେ ପୁଣି ପୁଅକୁ ପାଖରେ ବସାଇ ଭଲମନ୍ଦ ଅନେକ କଥା ବୁଝାଉଥିଲେ। ଭଲ ପାଠ ନ ପଢିଲେ, ସ୍କୁଲକୁ ନ ଗଲେ ଭବିଷ୍ୟତରେ କେତେ ଅସୁବିଧା ହେବ ସେ ନେଇ ବହୁ ଉପଦେଶ ବି ଦେଉଥିଲେ। ରଜତ କୁହନ୍ତି: ମୋ ବାପା ଉପରକୁ ବହୁତ ଗମ୍ଭୀର ଓ ରାଗୀ ଜଣାପଡିଥାନ୍ତି। କିନ୍ତୁ ମୋତେ ବହୁତ ଭଲ ପାଆନ୍ତି। ସବୁବେଳେ ମୋ ପାଠପଢା ଆଉ କ୍ୟାରିୟରକୁ ନେଇ ତାଙ୍କର ଚିନ୍ତା ଥାଏ। ଏମିତିରେ ଦିନେ ମୋର ଦଶମ ଶ୍ରେଣୀ ପରୀକ୍ଷା ଫଳ ବାହାରିବାର ସମୟ ଆସିଲା। ବାପା ପରୀକ୍ଷା ଫଳ ଆଣିବାକୁ ଯାଇଥାନ୍ତି। ପରୀକ୍ଷାରେ ଭଲ କରିଥିବା ସତ୍ତ୍ୱେ ବାପାମା’, ଶିକ୍ଷକ ତଥା ବନ୍ଧୁପରିଜନଙ୍କ ଆଶା ଓ ଆକାଂକ୍ଷାର ଚାପ ମୋ ଉପରେ ଥାଏ। ତେଣୁ ଡର ଲାଗୁଥାଏ। ସକାଳ ୧୦.୩୦ ମିନିଟ୍‌ ସମୟରେ ବାପା ରେଜଲ୍ଟ କାଗଜ ଧରି ଘରକୁ ଆସିଲା ବେଳେ ଆମ ତଳ ଘରେ ରହୁଥିବା ମଉସା ପଚାରିଲେ, ପୁଅର ରେଜଲ୍ଟ କ’ଣ ହୋଇଛି। ବାପା ତାଙ୍କୁ ରେଜଲ୍ଟ କାଗଜ ଦେଖାଇ ମନଦୁଃଖରେ କହିଲେ, ଗଣିତ ଓ ସଂସ୍କୃତକୁ ଛାଡ଼ି ଆଉ କୌଣସି ବିଷୟରେ ସେ ଏତେ ଭଲ କରିନାହିଁ। ମୁଁ ଉପରୁ ଥାଇ ଏସବୁ କଥା ଶୁଣୁଥାଏ। ଏଣେ ଡର ଲାଗୁଥାଏ ବାପା ଆସିଲେ କ’ଣ କହିବେ ବୋଲି। ବାପା ଆସି ଗାଳି ଦେଲେ ଆଉ ମନଦେଇ ପାଠପଢିବାକୁ ତାଗିଦ୍‌ କରି କହିଲେ। ବାପାଙ୍କ ଗାଳି କଷ୍ଟ ଲାଗୁଥିଲେ ହେଁ ଆଶାନୁରୂପ ରେଜଲ୍ଟ ହୋଇ ନ ଥିବାରୁ ତାଙ୍କର ବି ମନଦୁଃଖ ହୋଇଥିବା ଦେଖି ମୋତେ ଭାରି କାନ୍ଦ ଲାଗିଲା। ସେଦିନଠାରୁ ନିଷ୍ପତ୍ତି ନେଲି ମନଦେଇ ପାଠପଢି ବାପାଙ୍କ ସ୍ବପ୍ନକୁ ପୂରଣ କରିବି। ବାପାଙ୍କର ଇଚ୍ଛା ଥିଲା ମୁଁ ଜଣେ ଇଂଜିନିୟର ହୁଏ। ଆଉ ତାଙ୍କରି ଆଶୀର୍ବାଦରୁ ମୁଁ ଆଜି ଉଚ୍ଚଶିକ୍ଷା ସମାପ୍ତ କରି ଏକ ପ୍ରତିଷ୍ଠିତ ବହୁ ରାଷ୍ଟ୍ରୀୟ କମ୍ପାନୀରେ ଇଂଜିନିୟର ଭାବେ ଚାକିରି କରୁଛି। ବାପାଙ୍କର ସେଦିନର ସେହି ଗାଳି ହିଁ ମୋତେ ଆଜି ମଣିଷ କରିଦେଇଛି। ତେଣୁ ଏତିକି କହିବି, ବାପାମା’ଙ୍କର ଗାଳି କିମ୍ବା ତାଗିଦ୍‌ କେବେ ବି ପିଲାମାନଙ୍କ ପାଇଁ ଖରାପ ହୋଇ ନ ଥାଏ, ତାହା ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପଥ କଢାଇ ନେଇଥାଏ।

ବାପାଙ୍କ ଗାଳିରେ ବି ଥିଲା ପ୍ରେରଣା
ଯାଜପୁର ରୋଡ୍‌ କୋପଣ୍ଡସ୍ଥିତ ଡ. ଦୁଷ୍ମନ୍ତ ନାୟକ ଓ ସ୍ବର୍ଗତା ଡ. ଲଳିତା ରାଉତଙ୍କର ସୁପୁତ୍ର ହେଲେ ଡା. ଦିବ୍ୟଜ୍ୟୋତି ନାୟକ। ତାଙ୍କ ବାପାମା’ ଉଭୟ ଭିନ୍ନ ଭିନ୍ନ କଲେଜରେ ଅଧ୍ୟକ୍ଷ ଭାବେ ଚାକିରି କରିଥିଲେ। ପିଲାଦିନେ ଦିବ୍ୟ ବେଶ୍‌ ଚଗଲା ଥିଲେ। ପାଠ ଅପେକ୍ଷା ସାଙ୍ଗସାଥୀଙ୍କ ସହ କ୍ରିକେଟ୍‌ ଖେଳିବାରେ ତାଙ୍କର ବେଶି ସମୟ କଟୁଥିଲା, ଯଦ୍ଦ୍ବାରା ପରୀକ୍ଷାରେ ମାର୍କ କମିଲା। ପୁଅକୁ କେମିତି ବାଟକୁ ଆଣିବେ, ସେ ନେଇ ବାପାମା’ ଚିନ୍ତାରେ ପଡିଲେ। ପୁଅର ବୟସ ବଢୁଥିବାରୁ ତାକୁ ବେଶି ଗାଲିଗୁଲଜ ନ କରି ବରଂ କେମିତି ବୁଝାଇଶୁଝାଇ ବାଟକୁ ଆଣିବେ ସେ ଚେଷ୍ଟାରେ ଲାଗିଲେ। ବହୁ ବୁଝାଶୁଝା କରିବା ପରେ ଦିବ୍ୟ ପାଠରେ ମନଦେଲେ। ସେତେବେଳେ ଦିବ୍ୟଙ୍କର ଜଣେ ଦାଦା ଭାବା ପରମାଣୁ ଗବେଷଣା କେନ୍ଦ୍ରରେ ବୈଜ୍ଞାନିକ ଭାବେ ଅବସ୍ଥାପିତ ଥାନ୍ତି। ତାଙ୍କୁ ଦେଖି ଦିବ୍ୟ ବି ବୈଜ୍ଞାନିକ ହେବାକୁ ଇଚ୍ଛା କଲେ। ହେଲେ ବାପାମା’ଙ୍କର ସ୍ବପ୍ନ ଥିଲା ଦିବ୍ୟ ଜଣେ ଡାକ୍ତର ହୁଅନ୍ତୁ। ଶେଷରେ ବାପାମା’ଙ୍କ କଥା ମାନି ଦିବ୍ୟ ଡାକ୍ତରୀ ଶିକ୍ଷା ଗ୍ରହଣ କରି ଏବେ ଜଣେ ସଫଳ ଏଲୋପାଥି ଡାକ୍ତର ଭାବେ ଭୁବନେଶ୍ୱରରେ ଅବସ୍ଥାପିତ। ଏ ନେଇ ଦିବ୍ୟ କୁହନ୍ତି, ମୋ ଭବିଷ୍ୟତକୁ ନେଇ ବାପାମା’ ଉଭୟ ବେଶ୍‌ ଯତ୍ନଶୀଳ ଥିଲେ। ଖାସ୍‌କରି ସକାଳେ ଓ ସନ୍ଧ୍ୟାବେଳେ ମୋତେ ପଢେଇବା ସହିତ ଶିକ୍ଷକମାନଙ୍କ ସହ ମୋ ପାଠପଢା ସମ୍ପର୍କରେ ଆଲୋଚନା କରିବାର ଦାୟିତ୍ୱ ବାପା ନିଜେ ହିଁ ବୁଝୁଥିଲେ। ଯଦି କେବେ ପରୀକ୍ଷାରେ ମାର୍କ କମିଯାଉଥିଲା, ବାପା ରାଗୁଥିଲେ ହେଲେ ପୁଣି ମନଦେଇ ପାଠ ପଢିବାକୁ ମୋତେ ବୁଝଉଥିଲେ। ବାପା ସବୁବେଳେ ମୋତେ ଗୋଟେ କଥା କହୁଥିଲେ, ମୁଁ ଯାହା କହୁଛି, କିଛି ଖରାପ କହୁନି, ତୋ ଭବିଷ୍ୟତ ପାଇଁ କହୁଛି, ତୋ ଭଲ ପାଇଁ କହୁଛି। ଆଜି ନିଜ ଗୋଡରେ ଠିଆ ହେବା ପରେ ମୁଁ ଅନୁଭବ କରୁଛି, ସତରେ ବାପା ଯାହା କହୁଥିଲେ ଠିକ୍‌ ହିଁ କହୁଥିଲେ। ତାଙ୍କ କଥା ମାନି ଆଉ ତାଙ୍କରି ପଦାଙ୍କ ଅନୁସରଣ କରିଥିବାରୁ ବୈଜ୍ଞାନିକ ନ ହେଲେ ବି ଜଣେ ଡାକ୍ତର ହୋଇ ତ ଜନସେବା କରିପାରୁଛି। ତା’ଛଡ଼ା ମା’ ଆଉ ନାହାନ୍ତି ସତ, କିନ୍ତୁ ତାଙ୍କ ସ୍ନେହାଦର କଥା ଏବେ ବି ମୋର ଭାରି ମନେପଡୁଛି।

ନନାଙ୍କ ଗାଳି ନୁହେଁ ସ୍ନେହ ହିଁ ମୋତେ ସଫଳତା ଦେଲା: ତୁଷାରକାନ୍ତ ଆଚାର୍ଯ୍ୟ (ଅଭିନେତା)
ପୁରୀ ଜିଲା ଗୋପ ବ୍ଲକ ଅନ୍ତର୍ଗତ ଓଟରଶିମୁଳି ଶାସନରେ ତୁଷାରଙ୍କ ଜନ୍ମ। ନନା (ବାପା)ସ୍ବର୍ଗତ ମଙ୍ଗୁଳି ଆଚାର୍ଯ୍ୟ, ମା’ ଊର୍ମିଳା ଆଚାର୍ଯ୍ୟ। ତୁଷାରଙ୍କ ଜେଜେବାପା ଥିଲେ ଜଣେ ନାମକରା ନାଟ୍ୟକାର ତଥା ନାଟ୍ୟ ନିର୍ଦ୍ଦେଶକ। ତାଙ୍କ ନନା ବ୍ୟାଙ୍କ୍‌ ପିଅନ ଭାବେ କାମ କରୁଥିଲେ ହେଁ, କଳା ପ୍ରତି ତାଙ୍କର ମଧ୍ୟ ଥିଲା ଆଦର। ସେଥିପାଇଁ ତୁଷାର ବି ପିଲାଦିନରୁ ଏହି ମାୟାରେ ପଡିଯାଇଥିଲେ। ତାଙ୍କର ପାଠ ହେଉ ନ ଥିଲା କିନ୍ତୁ ହିନ୍ଦୀ ଗୀତ ଲେଖିବା ଓ ଗାଇବାରେ ସେ ଥିଲେ ଓସ୍ତାଦ୍‌। କଷ୍ଟେମଷ୍ଟେ ଦଶମ ପାସ୍‌ କରିବା ପରେ ଆଉ ପାଠ ନ ପଢ଼ି ଗୀତକୁ ନେଇ କ୍ୟାରିୟର କରିବାକୁ ସେ ଚିନ୍ତାକଲେ। ହେଲେ ତାଙ୍କ ନନା ଚାହୁଁଥିଲେ, ତୁଷାର ବ୍ୟବସାୟ କରି ରୋଜଗାର କରନ୍ତୁ, ଗୀତ ସାଇଡ୍‌ରେ ଚାଲିଥାଉ। କାରଣ ସେତେବେଳେ କଳାକୁ ଉଭୟ ନିଶା ଓ ପେସା କରି ଏ ସମାଜରେ ତିଷ୍ଠିବା ସେତେ ସହଜ କଥା ନ ଥିଲା। ହେଲେ ତୁଷାରଙ୍କର ଥିଲା ସେଇ ଗୋଟିଏ ଲକ୍ଷ୍ୟ। ଓଡିଶା ବାହାରକୁ ଯିବେ, ପପ୍‌ ସିଙ୍ଗର୍‌ ହେବେ। ତେଣୁ ଦିନେ ସେ କାହାରିକୁ କିଛି ନ କହି ନନାଙ୍କ ପକେଟ୍‌ରୁ ଦୁଇ ହଜାର ଟଙ୍କା ନେଇ ବମ୍ବେ ଚାଲିଗଲେ। ସେଠାରେ ୯ ଦିନ ରହି କେତେଜଣ ସଙ୍ଗୀତ ନିର୍ଦ୍ଦେଶକଙ୍କ ସହ ଦେଖାକଲେ। ତାଙ୍କ ଲିଖିତ ଗୀତ ସେମାନଙ୍କୁ ପସନ୍ଦ ଆସୁଥିଲେ ହେଁ ତାକୁ କାର୍ଯ୍ୟକାରୀ କରିବା ପାଇଁ ସେମାନେ ଟଙ୍କା ମାଗିଲେ। ହେଲେ ତୁଷାରଙ୍କ ପାଖେ ଟଙ୍କା ନ ଥିଲା। ଏପଟେ ୯ ଦିନ ଭିତରେ ଖାଇବା ପିଇବାରେ ଘରୁ ଲୁଚେଇ ଆଣିଥିବା ଟଙ୍କା ସରିବାକୁ ବସିଲା। ତେଣୁ ସେ ପୁଣି ଘରକୁ ଫେରିଲେ। ଘରେ ପହଞ୍ଚତ୍ଲାବେଳେ ତାଙ୍କ ନନା ଅଫିସ୍‌ ପଳେଇଥିଲେ। ମା’ ତୁଷାରଙ୍କୁ ଦେଖି ଖୁସି ହୋଇଗଲେ କିନ୍ତୁ ଅଭିମାନଭରା କଣ୍ଠରେ କହିଲେ, ତୁ ଏତେଦିନ କୁଆଡେ ଯାଇଥିଲୁ। ନନା କେତେ ବ୍ୟସ୍ତ ହେଉଛନ୍ତି। ସେ ରାଗି କି ଅଛନ୍ତି। ବୋଉ କଥା ଶୁଣି ତୁଷାରଙ୍କୁ ଡର ଲାଗୁଥାଏ। ସନ୍ଧ୍ୟା ବେଳକୁ ତୁଷାରଙ୍କ ନନା ଆସିଲେ। ହେଲେ ଆଶ୍ଚର୍ଯ୍ୟ ସେ ତୁଷାରଙ୍କ ଉପରେ ରାଗିବା ତ ଦୂର କଥା ଟାଣ କରି ପଦେ କଥା ବି କହିଲେନି। ଓଲଟି ତାଙ୍କୁ ପାଖକୁ ଡାକି ବୁଝେଇଲେ: ‘ଏମିତି କାହାକୁ କିଛି ନ କହି କୁଆଡେ ଯିବା ଠିକ୍‌ ନୁହେଁ। ଆଜି ଯଦି ତମର କିଛି ଅସୁବିଧା ହୋଇଯାଇଥାନ୍ତା, ତା’ହେଲେ। ଏମିତି ଆଉ ଜମା କରିବନି। ଯାହା ବି କରିବ ଘରେ ଜଣେଇବ, ମୋତେ ଜଣେଇ କି କରିବ। ତମେ ରୋଜଗାର କରି ମୋତେ ଆଣି ପଇସା ଦେବ, ସେଇଟା ମୁଁ କେବେ ଚାହେଁନି। ବରଂ ଭଲ ମଣିଷଟିଏ ହୋଇ ନିଜ ଗୋଡରେ ନିଜେ ଠିଆ ହେଲେ ମୁଁ ଖୁସି ହେବି।’ ଏ ନେଇ ତୁଷାର କୁହନ୍ତି, ସେଦିନ ନନାଙ୍କର ଏହି ସ୍ନେହବୋଳା କଥା ମୋ ଜୀବନରେ ଏକ ନୂଆ ମୋଡ ଆଣିଲା। କିଛିଦିନ ପରେ ନନାଙ୍କୁ କହି ତାଙ୍କଠାରୁ ହାତଖର୍ଚ୍ଚ ନେଇପୁଣି ବମ୍ବେ ଗଲି। ସେଠାରେ ପହଞ୍ଚତ୍ ଏକ ଗାର୍ମେଣ୍ଟ କମ୍ପାନୀରେ ହେଲ୍‌ପର୍‌ କାମ କଲି। ତା’ସହିତ ହୋଟେଲ୍‌ ଆଉ ବିୟର୍‌ ବାର୍‌ରେ ଗୀତ ଗାଇଲି, ଗିଟାର୍‌ ଶିଖିଲି। ଭାବିଥିଲି ଗୀତକୁ ନେଇ କ୍ୟାରିୟର କରିବି। ହେଲେ ସମୟକ୍ରମେ ଏକ ଥିଏଟର୍‌ ଗ୍ରୁପ୍‌ ସଂସ୍ପର୍ଶରେ ଆସି ‘ଗିର୍‌ଗିଟ୍‌’ ନାମକ ଏକ ନାଟକରେ ଅଭିନୟ କଲି। ଅଭିନୟ ଭଲ କରିବାରୁ ପରେ ସେହି ଗ୍ରୁପ୍‌ର ପିଲାମାନଙ୍କୁ ଅଭିନୟ ଶିଖାଇଲି। ଏମିତି ୫/୬ ବର୍ଷ ବିତିଗଲା। ତା’ଭିତରେ ଷ୍ଟାର୍‌ ପ୍ଲସ୍‌ରେ ଅଡିଶନ୍‌ ଦେଇ ‘ହେଲୋ ଡଲି’ ଧାରାବାହିକର ପାଇଲଟ୍‌ ଶୁଟ୍‌ରେ ଛୋଟ ଅଭିନୟ କରିବା ସହ ଏକ ଭିଡିଓ ଆଲବମ୍‌ ଓ କେତୋଟି ଗୁଜରାଟୀ ଡକ୍ୟୁମେଣ୍ଟାରୀ ଫିଲ୍ମରେ ବି ଅଭିନୟ କରିଥିଲି। ସଫଳତାର ଶିଡ଼ି ଚଢ଼ି ଚାଲିଥିବାବେଳେ ହଠାତ୍‌ ଏହି ସମୟରେ ନନାଙ୍କର ଆକ୍ସିଡେଣ୍ଟ ହେଲା। ଗୋଟେ ପୁଅ ହୋଇଥିବାରୁ ନନାଙ୍କ ଦେଖାଚାହାଁ ପାଇଁ ଓଡିଶା ଆସି ଓଡ଼ିଆ ଇଣ୍ଡଷ୍ଟ୍ରିରେ କ୍ୟାରିୟର କରିବାକୁ ଚେଷ୍ଟାକଲି। କ୍ରମେ ‘ସୁନା କଳସ’ ଧାରାବାହିକ, ‘ମୁଁ ତୋତେ ଲଭ୍‌ କରୁଛି’ ଓ ‘ରସିକ ନାଗର’ ଚଳଚ୍ଚିତ୍ରରେ ଅଭିନୟ କଲି। ଏହାପରେ ମୋ ବାହାଘର ଓ ପୁଅ ଜନ୍ମ ହେଲା। କିଛିଦିନ ପରେ ନନା ଚାଲିଗଲେ। ପତ୍ନୀଙ୍କ ସହଯୋଗରେ ପୁଣି ବମ୍ବେ ଯାଇ ଏଠିସେଠି କିଛିଦିନ କାମ କଲି। ଜଣେ ସାଙ୍ଗର ସହାୟତାରେ ଜି-ଟିଭିରେ ଅଡିଶନ୍‌ ଦେଇ ‘ଅଫ୍‌ସର୍‌ ବିଟିଆ’ ଧାରାବାହିକରେ ଅଭିନୟ କଲି। କ୍ରମେ ହିଟ୍‌ଲର୍‌ ଦିଦି, ପରିଚୟ, ସାବଧାନ ଇଣ୍ଡିଆ, ପବିତ୍ର ରିସ୍ତା, ପବିତ୍ର ବନ୍ଧନ ପରି ପ୍ରାୟ ୫୦ଟି ଧାରାବାହିକରେ ଅଭିନୟ କରିବା ପରେ ଚଳଚ୍ଚିତ୍ର ଜଗତ ଆଡେ ମୁହଁାଇଲି। ୟା’ ଭିତରେ ପ୍ରାୟ ୧୪/୧୫ଟି ଶର୍ଟ ଫିଲ୍ମରେ ଅଭିନୟ କରିବା ସହ ‘ଭିରେ କି ଓ୍ବେଡିଂ’, ‘ଭୂତ୍‌ ଓ୍ବାଲି ଲଭ୍‌ ଷ୍ଟୋରି’, ‘ଗନ୍‌ଓ୍ବାଲି ଦୁଲ୍‌ହନିଆ’ ଚଳଚ୍ଚିତ୍ରରେ ଅଭିନୟ କରିସାରିଲିଣି। ଆଉ ଆଗକୁ ରିଲିଜ୍‌ ଅପେକ୍ଷାରେ ଥିବା ମଲାଲା ୟୁସୁଫ୍‌ ଜାଇଙ୍କ ଉପରେ ଆଧାରିତ ବାୟୋପିକ୍‌ ଫିଲ୍ମ ‘ଗୁଲ୍‌ ମକାଇ’, ‘ଅନ୍ତର୍ଧ୍ୱନି’, ‘ପେପର୍‌ ରକେଟ୍‌’, ‘ବନ୍ଦା ନବାଜ୍‌’ରେ ବି ଅଭିନୟ କରିଛି। ତା’ଛଡ଼ା ୟଶ୍‌ରାଜ୍‌ ଫିଲ୍ମସ୍‌ ବ୍ୟାନ୍‌ରରେ ପ୍ରସ୍ତୁତ ‘ଶମଶେରା’ ଚଳଚ୍ଚିତ୍ରରେ ଅଦ୍ୟାବଧି ମୋର ଅଭିନୟ ଜାରି ରହିଛି। ତେବେ ଆଜି ମୁଁ ଯେଉଁ ସ୍ଥାନରେ ପହଞ୍ଚତ୍ଛି, ୟା’ ପଛରେ ମୋ ନନାଙ୍କର ବଡ଼ ହାତ ଅଛି। କାରଣ ଯଦି ସେଦିନ ନନା ମୋତେ ରାଗିଥାନ୍ତେ, ତା’ହେଲେ ହୁଏତ ମୁଁ କିଛି ଭୁଲ୍‌ ନିଷ୍ପତ୍ତି ନେଇଯାଇଥାନ୍ତି। ହେଲେ ତାଙ୍କର ସେହି ସ୍ନେହବୋଳା କଥା ହିଁ ମୋତେ ଆଜି ସଫଳତା ଆଣିଦେଇଛି।

ବାପାଙ୍କ ରାଗ ମୋତେ ଦୃଢ଼ କଲା: ପ୍ରେମାନନ୍ଦ ମାଝି
(କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାତା)
ଦେବଗଡ଼ରେ ପ୍ରେମାନନ୍ଦଙ୍କ ଜନ୍ମ। ବାପା ସ୍ବର୍ଗତ ଗୋବିନ୍ଦ ମାଝି, ବୋଉ ସ୍ବର୍ଗତା ପୂର୍ଣ୍ଣିମା ମାଝି। ଅଭିନୟର ନିଶା ତାଙ୍କୁ ଜୋର୍‌ରେ ଘାରିଥିଲା। ତେଣୁ କଲେଜ ପଢ଼ା ସମୟରେ ସେ ଅନେକ ଅଡିଶନ୍‌ ଦେଲେ। ହେଲେ କୌଣସି ସୁଯୋଗ ମିଳିଲା ନାହିଁ। ତେଣୁ ପଢା ସରିଲା ପରେ ନିଜେ ଗୋଟିଏ ପ୍ରଡକ୍ସନ ହାଉସ୍‌ କରି ପ୍ରାମାଣିକ ଚଳଚ୍ଚିତ୍ର କରିବାକୁ ଅଣ୍ଟା ଭିଡିଲେ। ଏଥିପାଇଁ ଭିଡିଓ କ୍ୟାମେରା ଦରକାର ଥିବାରୁ ବାପାଙ୍କୁ କହିଲେ, କିନ୍ତୁ ବାପା ରାଜି ହେଲେନି। ବାପା ଚାହୁଁଥିଲେ ପୁଅ ପାଠପଢି ଚାକିରି କରୁ। ହେଲେ ପ୍ରେମାନନ୍ଦଙ୍କର ସେଇ ଗୋଟିଏ ଜିଦ୍‌। ତେଣୁ ଭଡାରେ କ୍ୟାମେରା ଆଣି ସେ କାମ ଆରମ୍ଭ କଲେ। ବୋଉ ନାଁରେ ପୂର୍ଣ୍ଣିମା ଫିଲ୍ମସ ବ୍ୟାନର କରି କେତେଜଣ ଲୋକାଲ ଆର୍ଟିଷ୍ଟଙ୍କୁ ନେଇ ‘ସବୁଜ ସକାଳ’ ନାମକ ଏକ ଭିଡିଓ ଫିଲ୍ମ ନିର୍ମାଣ କଲେ। କିନ୍ତୁ ଫିଲ୍ମଟି ଫ୍ଲପ୍‌ ହେବାରୁ ବହୁତ କ୍ଷତି ହେଲା। ବାପା ତାଙ୍କ ଉପରେ ଖୁବ୍‌ ରାଗିଲେ, ଯଦ୍ଦ୍ବାରା ପ୍ରେମାନନ୍ଦ କାହାରିକୁ କିଛି ନ ଜଣାଇ ଘରଛାଡ଼ି ଭୁବନେଶ୍ୱର ଚାଲି ଆସିଲେ। ଭୁବନେଶ୍ୱର ଆସି ଏକ ଘରୋଇ ଗଣମାଧ୍ୟମରେ ସାମ୍ବାଦିକ ସହ କ୍ୟାମେରାମ୍ୟାନ୍‌ର କାମ କଲେ। ଯାହା ଦରମା ମିଳୁଥିଲା, ସେଥିରୁ କିଛି ସଞ୍ଚୟ କରୁଥିଲେ। ଏମିତି ପ୍ରାୟ ଦୁଇ ବର୍ଷ ବିତିଯିବା ପରେ ହଠାତ୍‌ ଦିନେ ତାଙ୍କ ପାଖକୁ ଖବର ଆସିଲା, ବାପା ଚାଲିଗଲେ। ଭାଙ୍ଗି ପଡିଲେ ସେ। ଏ ନେଇ ପ୍ରେମାନନ୍ଦ କହନ୍ତି, ଯାହାଙ୍କ ଉପରେ ଅଭିମାନ କରି ଘରଛାଡ଼ି ଚାଲି ଆସିଥିଲି ଆଜି ସେ ଆଉ ନାହାନ୍ତି ବୋଲି ଶୁଣି ଖୁବ୍‌ ଆଘାତ ଲାଗିଲା। ସାଙ୍ଗେ ସାଙ୍ଗେ ଗାଁକୁ ଗଲି। ବାପାଙ୍କ ପାର୍ଥତ୍ବ ଶରୀର ପାଖେ ବସି ବହୁତ କାନ୍ଦିଲି। ମନେମନେ ବାପାଙ୍କୁ କ୍ଷମା ବି ମାଗୁଥିଲି ଯେ, ଶେଷ ସମୟରେ ତାଙ୍କ ପାଖରେ ରହିପାରିଲିନି ବୋଲି। ତା’ସହିତ ବାପାଙ୍କ ପାଦଛୁଇଁ ଶପଥ ନେଲି, ଯେଉଁ କାରଣ ପାଇଁ ମୋର ତାଙ୍କ ସହ ମତାନ୍ତର ହୋଇଥିଲା, ସେହି ଦିଗରେ ସଫଳ ହୋଇ ଦେଖେଇବି। ବାପାଙ୍କ ମୃତ୍ତିକୀୟା କର୍ମ ସାରି ଆସି ଆଉ କିଛିଦିନ ଉକ୍ତ ଗଣମାଧ୍ୟମ ସଂସ୍ଥାରେ କାମ କଲି। ତା’ପରେ ସଞ୍ଚତ୍ତ ଟଙ୍କାରେ ନିଜର ଏକ ଭିଡିଓ କ୍ୟାମେରା କିଣି ଫ୍ରିଲାନ୍ସିଂରେ କ୍ୟାମେରାମ୍ୟାନ୍‌ର କାମ କଲି। ତା’ସହିତ ପୂର୍ଣ୍ଣିମା ଫିଲ୍ମସ ବ୍ୟାନରରେ କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚିତ୍ର ତଥା ମ୍ୟୁଜିକ୍‌ ଭିଡିଓ ନିର୍ମାଣ କରିବା କାମ ବି ଆରମ୍ଭ କଲି। ନିଜସ୍ବ ଉଦ୍ୟମରେ ‘ପର୍ଯ୍ୟଟନ ଦେବଗଡ଼’ ଓ ଗୋଂଡ ଜନଜାତିଙ୍କର ଦେବତା ଜଙ୍ଘାଦେବ ଠାକୁରଙ୍କ ଉପରେ ପ୍ରସ୍ତୁତ କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚିତ୍ର ଡିଡି-୧ରେ ପ୍ରସାରିତ ହେଲାପରେ ମୋତେ ଅନେକ ସଫଳତା ମିଳିଲା। ତା’ପରେ ‘ଜୟ ଜଗନ୍ନାଥ ସ୍ବାମୀ’, ‘ଚାଲ ଚାଲରେ କାଉଡିଆ’, ‘ଶୁଭ କଳସ’ ନାମକ ତିନୋଟି ଭଜନ ଭିସିଡି ନିର୍ମାଣ କଲି। ଏହା ମଧ୍ୟ ମାର୍କେଟ୍‌ରେ ଭଲ ଚାଲିଲା। ଏହାପରେ ମୋତେ କ୍ରମାଗତ ଭାବେ ଓଡ଼ିଶା ସରକାରଙ୍କ ମୃତ୍ତିକା ସଂରକ୍ଷଣ ବିଭାଗ ଏବଂ ଜଳପରିମଳ ମିଶନ ତରଫରୁ ଓଡ଼ିଶାର ବିଭିନ୍ନ ଜିଲା ପାଇଁ ସୂଚନାତ୍ମକ ଚଳଚ୍ଚିତ୍ର ପ୍ରସ୍ତୁତ କରିବାର ସୁଯୋଗ ମିଳିଚାଲିଲା। ମୃତ୍ତିକା ସଂରକ୍ଷଣ ବିଭାଗ ତରଫରୁ ପ୍ରାୟ ୨୦୦ଟି ଏବଂ ଜଳ ପରିମଳ ମିଶନ ତରଫରୁ ପ୍ରାୟ ୧୫୦ଟି ସୂଚନାତ୍ମକ ଚଳଚ୍ଚିତ୍ର ୟା’ଭିତରେ ମୁଁ ପ୍ରସ୍ତୁତ କରିସାରିଲିଣି। ସେହିପରି ନିଜ ବ୍ୟାନର୍‌ରେ ପ୍ରସ୍ତୁତ ୫୨ ଏପିସୋଡ୍‌ ବିଶିଷ୍ଟ ‘ରୁପାଜହ୍ନ’ ନାମକ ମେଗା ଧାରାବାହିକଟି ଡିଡି-୧ରେ ପ୍ରସାରିତ ହୋଇ ଦର୍ଶକଙ୍କ ଦ୍ୱାରା ବେଶ୍‌ ଆଦୃତ ହୋଇସାରିଛି। ତେଣୁ ଏତିକି କହିବି, ସେଦିନ ବାପାଙ୍କର ସେହି ରାଗ ହିଁ ମୋତେ ନିଜ ଗୋଡରେ ଠିଆ ହେବା ପାଇଁ ଦୃଢ କରାଇଛି।

ବାପାଙ୍କ କଥା ମୋର ଏବେ ବି ମନେଅଛି
ଡ.ସୁଧାକର କର (ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ କୁମ୍ଭୀର ବିଶେଷଜ୍ଞ)
କେନ୍ଦ୍ରାପଡା ଜିଲା ଆଳି ଥାନା ଅନ୍ତର୍ଗତ ଧାନମଣ୍ଡଳ ଗାଁରେ ସୁଧାକରଙ୍କ ଜନ୍ମ। ବାପା ସ୍ବର୍ଗତ ମାଧବାନନ୍ଦ କର, ମା’ ସ୍ବର୍ଗତା ଶୁଭଦ୍ରା କର। ୭ ଭାଇଭଉଣୀଙ୍କ ଭିତରେ ସେ ଥିଲେ ସବା ସାନ। ସମସ୍ତଙ୍କର ଭାରି ଗେହ୍ଲା। ପାଠରେ ଯେମିତି ଆଗୁଆ ଥିଲେ ଚଗଲାମି ବି ସେମିତି କରୁଥିଲେ। ଚଗଲାମି ପାଇଁ ବେଳେବେଳେ ବାପାଙ୍କଠୁ ଗାଳି ବି ଶୁଣୁଥିଲେ। ପିଲାଦିନେ ତାଙ୍କୁ ତାଙ୍କ ବାପା ଗୋଟିଏ କଥା କହିଥିଲେ, ‘ସମ୍ପତ୍ତି ହେ ତୋର ବାଦଲ ଛାଇ, କୀରତି ହେ ତୋର ସବୁ ଦିନାଇ’। ସମ୍ପତ୍ତିକୁ ତାଙ୍କ ବାପା ବାଦଲର ଛାଇ ସହ ତୁଳନା କରୁଥିଲେ, ଯାହା ହେଉଛି କ୍ଷଣସ୍ଥାୟୀ। ହେଲେ କର୍ମ ହେତୁ ମଣିଷ ଯେଉଁ କୀର୍ତ୍ତି ଅର୍ଜେ, ତାହା ସବୁଦିନ ସବୁ ସମୟରେ ତା’ ପାଖରେ ଥାଏ। ବାପାଙ୍କର ଏହି କଥା ପଦକୁ ସେ କେବଳ ମନେରଖି ନାହାନ୍ତି ତାକୁ ପାଳନ ମଧ୍ୟ କରିଛନ୍ତି। ବ୍ରାହ୍ମଣୀ ନଦୀ କୂଳରେ ନିଜ ଘର ଓ ମଝିଆ ଭଉଣୀର ଶାଶୁଘର ହୋଇଥିବାରୁ, କୁମ୍ଭୀର ଦେଖିବା ସୁଧାକରଙ୍କ ପାଇଁ ସାଧାରଣ କଥା ଥିଲା। କ୍ରମେ ବୟସ ବଢିବା ସହ କୁମ୍ଭୀର ଓ ଅନ୍ୟାନ୍ୟ ବନ୍ୟଜନ୍ତୁଙ୍କ ସମ୍ପର୍କରେ ଜାଣିବାକୁ ତାଙ୍କର ଇଚ୍ଛା ହେଲା। ଫଳରେ ଏମ୍‌.ଏସ୍‌ସି ପାସ୍‌ କରିବା ପରେ ମିଳିତ ଜାତିସଂଘର କୃଷି ଓ ଖାଦ୍ୟ ସଂସ୍ଥା ଏଫ୍‌.ଏ.ଓ-ୟୁ.ଏନ୍‌.ଡି.ପି ତଥା ଭାରତ ସରକାରଙ୍କ ମିଳିତ ସହଯୋଗରେ ଆରମ୍ଭ ହେବାକୁ ଥିବା କୁମ୍ଭୀର ଓ ସମୁଦ୍ର କଇଁଛର ଗବେଷଣା ଓ ସଂରକ୍ଷଣ ନାମକ ପ୍ରୋଜେକ୍ଟରେ କାମ କରିବାକୁ ଇଚ୍ଛା କରି ସେ ଇଣ୍ଟରଭ୍ୟୁ ଦେଲେ। ଇଣ୍ଟରଭ୍ୟୁରେ ସିଲେକ୍‌ସନ୍‌ ହୋଇ ସେ ଭିତରକନିକାରେ ୧୯୭୫ରେ ବଉଳା କୁମ୍ଭୀର ଗବେଷକ ଭାବେ ଅବସ୍ଥାପିତ ହେଲେ। ସେ ହେଲେ ଓଡିଶା ତଥା ଭାରତର ପ୍ରଥମ ବଉଳା କୁମ୍ଭୀର ଗବେଷକ। ବଉଳା କୁମ୍ଭୀରଙ୍କ ଉପରେ ପି.ଏଚ୍‌ଡି କରିବାରେ ବି ସେ ହେଲେ ଭାରତର ପ୍ରଥମ ଓ ପୃଥିବୀର ଦ୍ୱିତୀୟ ବ୍ୟକ୍ତି। ବରିଷ୍ଠ ବୈଜ୍ଞାନିକ ଭାବେ ଚାକିରିରୁ ଅବସର ନେଇ ସାରିଥିଲେ ବି ଗବେଷଣା କ୍ଷେତ୍ରରେ ସେ ଏବେ ବି ସକ୍ରିୟ ଅଛନ୍ତି। ବଉଳା କୁମ୍ଭୀର ବ୍ୟତିତ ନନ୍ଦନକାନନର ଘଡିଆଳ କୁମ୍ଭୀର, ଗଞ୍ଜାମ ଜିଲାର ବାଲିପଦର ଭେଟନଈ କୃଷ୍ଣସାର ମୃଗ, ଚିଲିକା ପକ୍ଷୀମାନଙ୍କ ଉପରେ ସେ ବହୁ ଗବେଷଣା କରିଛନ୍ତି। ସେ କହନ୍ତି, ବାପାଙ୍କର ସେହି କଥା ପଦକ ପାଇଁ ମୁଁ ଏ ସ୍ଥାନରେ ପହଁଞ୍ଚତ୍ପାରିଛିି। ଏବେ ମୁଁ ମୋ ପିଲାଙ୍କୁ ସେଇ ଏକା କଥା କହୁଛି, ସେମାନେ ବି ଏହାକୁ ମାନି ସଫଳତାର ଶିଡି ଚଢ଼ି ଚାଲିଛନ୍ତି।

ଶେଷରେ ଏତିକି କୁହାଯାଇପାରେ, ପିଲାମାନଙ୍କ ପାଇଁ ବାପାଙ୍କ ସ୍ନେହ ଯେମିତି ମିଠା ତାଙ୍କ ଗାଳି ବି ସେମିତି ମିଠା ଲାଗିବା ଦରକାର। କାରଣ ତାଙ୍କ ଗାଳିରେ ବି ଲୁଚି ରହିଥାଏ ସ୍ନେହାର୍ଶୀବାଦ, ଯାହା ସେମାନଙ୍କ ସନ୍ତାନଙ୍କର ଚଲାପଥରେ କେବେ ବି କଣ୍ଟା ବାଜିବାକୁ ଦିଏ ନାହିଁ।
-ଅମ୍ବ୍ରିତା
ତଥ୍ୟ ସହାୟତା: ଅଭିମନ୍ୟୁ ମିଶ୍ର, ଭାସ୍କର ରାଉତରାୟ


All Right Reserved By

ଆଙ୍କର ହେବା ସହଜ ନୁହେଁ: ଅଭିମନ୍ୟୁ ପରିଡ଼ା

ଯାତ୍ରାର ପ୍ରଥମ ଚରଣ ଆରମ୍ଭ ହୁଏ ଆଙ୍କରିଂରୁ। ଯାତ୍ରା ଦେଖିବାକୁ ଯାଉଥିବା ଦର୍ଶକମାନେ ପ୍ରଥମେ ଯାହାଙ୍କୁ ଦେଖି ତାଳିମାଡ଼ କରନ୍ତି ସେ ହେଉଛନ୍ତି ଜଣେ ଆଙ୍କର।...

୧୦ ଦିନର ଛୁଟି ପରେ ବି ଖୁସି ନାହାନ୍ତି ଏହି ଦେଶର ଲୋକ

ୟକୋହମା,୧।୫: କାର୍ଯ୍ୟବ୍ୟସ୍ତ ଜୀବନରୁ କର୍ମଚାରୀଙ୍କୁ ଏକାସାଙ୍ଗରେ ୧୦ ଦିନର ଛୁଟି ମିଳିବା ଏକ ବରଦାନରୁ କମ୍‌ ନୁହେଁ। କିନ୍ତୁ ଏଭଳି ଏକ ଦେଶ ଅଛି, ଯେଉଁଠି...

ଯେଉଁଠି ଫୁଲ ତୋଡା ଧରିଲେ ଖୁବ୍‌ଶୀଘ୍ର ହୁଏ ବିବାହ

ବିବାହକୁ ନେଇ ରହିଛି ଭିନ୍ନ ଭିନ୍ନ ପରମ୍ପରା। ଚାଇନାରେ ଥିବା ଏକ ଅଜବ ପରମ୍ପରା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଥିଲେ ମଧ୍ୟ ଏମିତି ପରମ୍ପରାରେ ଲୋକେ ଭାଗ...

ଯେଉଁଠି ରାତିରେ ଟଏଲେଟ୍‌ ଯିବା ମନା

ଟଏଲେଟ୍‌ ଯିବା ଏଠାରେ ଏକ ଅପରାଧ। ସ୍ବିଜରଲାଣ୍ଡର ଏହି ଅଜବ ନିୟମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେ। ତେବେ ଏହା ସେଠାକାର ସ୍ବୀକୃତିପ୍ରାପ୍ତ ନିୟମ ବା ପରମ୍ପରା...

ଏମିତି ମନ୍ଦିର, ଯେଉଁଠି ସ୍ବାମୀ-ସ୍ତ୍ରୀ ଏକାଠି ହୋଇ ପୂଜା କରିବା ମନା

ଭାରତରେ ଏମିତି କିଛି ମନ୍ଦିର ରହିଛି, ଯେଉଁଠି ପରମ୍ପରା ଏବଂ ମାନ୍ୟତା ଭିନ୍ନ ଭିନ୍ନ। ମନ୍ଦିରକୁ ପରିବାର ସହ ମିଶି ପୂଜାର୍ଚ୍ଚନା କରିବାକୁ ଯାଇଥାନ୍ତି ଲୋକେ।...

୪୭୨ ବର୍ଷ ପୁରୁଣା ଜେଲ୍‌ରେ ଏବେ ଅଛନ୍ତି ଜଣେ କଏଦୀ…

ଜେଲ୍‌ରେ ପୁଣି ଜଣେ ମାତ୍ର କଏଦୀ ଥିବା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିଥାଏ। ତେବେ ଏହା ସତ୍ୟ ଡାମନ-ଡିୟୁରେ ଥିବା ୪୨୭ ବର୍ଷ ପୁରୁଣା ଦୁର୍ଗରେ ରହିଛି...

ହ୍ରଦ ଉପରେ ରହିଛି ୨୦ ହଜାର ଜନସଂଖ୍ୟା ବିଶିଷ୍ଟ ଗାଁ

ପଶ୍ଚିମ ଆଫ୍ରିକାର ବୋନିନ୍‌ କ୍ଷେତ୍ରରେ ଏଭଳି ଏକ ଗାଁ ରହିଛି, ଯାହା ସମ୍ପୂର୍ଣ୍ଣ ଭାବେ ହ୍ରଦ ଉପରେ ବସିଛି। ୨୦ ହଜାର ଜନସଂଖ୍ୟା ବିଶିଷ୍ଟ ଏହି...

ଅଦରକାରୀ ପାର୍ଟସ୍‌ରୁ ବାଇକ୍‌: ଦାମ୍‌ ୨ହଜାର, ୫ଟଙ୍କାରେ ୫୦କିଲୋମିଟର ଯିବ

ସୁରଟ:ପରିବେଶ ପ୍ରଦୂଷଣ ବୃଦ୍ଧିପାଉଛି। ଆଗକୁ ଏକ ଭଲ ପରିବେଶ ମିଳିବ କି ନାହିଁ ତାହା କହିହେବନି। ଅନ୍ୟପକ୍ଷରେ ପେଟ୍ରୋଲ କିମ୍ବା ଡିଜେଲ ଦାମ୍‌କୁ ଲକ୍ଷ୍ୟ କଲେ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *