କୂଟନୈତିକ ରାଜନେତା

ବ୍ୟକ୍ତିତ୍ୱ/ ଜିତେନ୍ଦ୍ର କୁମାର ନାୟକ
କେନ୍ଦ୍ରରେ ୩୦ ମେ ୨୦୧୯ରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦ୍ୱିତୀୟ ଥର ଲାଗି ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ସରକାର ଗଠିତ ହୋଇଛି। ପ୍ରଧାନମନ୍ତ୍ରୀଙ୍କ ସମେତ ୫୮ ମନ୍ତ୍ରୀ ଶପଥ ନେଇଥିବା ବେଳେ ବହିର୍ବ୍ୟାପାର ମନ୍ତ୍ରଣାଳୟ ଦାୟିତ୍ୱ ଏସ୍‌. ଜୟଶଙ୍କରଙ୍କ ଉପରେ ନ୍ୟସ୍ତ କରାଯାଇଛି। ଶପଥ ଗ୍ରହଣ ଉତ୍ସବକୁ ୧୫ ଦିନ ପୂରିଯାଇଥିଲେ ମଧ୍ୟ ଜାତୀୟ ଓ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଜୟଶଙ୍କରଙ୍କ ବ୍ୟକ୍ତିତ୍ୱକୁ ନେଇ ଚର୍ଚ୍ଚା ଚାଲିଛି। ଏକଦା ବହିର୍ବ୍ୟାପାର ସଚିବ ଥିବା ବ୍ୟକ୍ତି ଯେତେବେଳେ ମନ୍ତ୍ରଣାଳୟର ମୁଖ୍ୟ ଭାବେ ଦାୟିତ୍ୱ ନେଇଛନ୍ତି, ସେତେବେଳେ ଏଭଳି ଆଲୋଚନା ହେବା ସ୍ବାଭାବିକ। ଆମେରିକାର ବିଶେଷଜ୍ଞମାନେ ତାଙ୍କୁ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ କୂଟନୀତିଜ୍ଞ ଆସନରେ ବସାଇଛନ୍ତି। ବାସ୍ତବରେ ସଂସଦୀୟ ଗଣତନ୍ତ୍ରରେ ଆଇନ ପ୍ରଣୟନକାରୀ ଓ ଏହାକୁ ରୂପାୟନ କରୁଥିବା ଅମଲାତନ୍ତ୍ରୀଙ୍କ ମଧ୍ୟରେ ପ୍ରାଚୀର ଥାଏ। ଏହି ପ୍ରତିବନ୍ଧକ ଉଚ୍ଛେଦକରି ଯେତେବେଳେ ଜଣେ ବିଶେଷଜ୍ଞ ରାଜନୀତି କ୍ଷେତ୍ରରେ ପାଦ ଦେଇ ମନ୍ତ୍ରଣାଳୟର ମଙ୍ଗ ଧରନ୍ତି, ସେତେବେଳେ ଦେଶର ସଫଳତା ଶୀର୍ଷରେ ପହଞ୍ଚେ। ଏହାକୁ ବିଚାରକୁ ନେଲେ ଜୟଶଙ୍କରଙ୍କୁ ବହିର୍ବ୍ୟାପାର ମନ୍ତ୍ରଣାଳୟ ଦାୟିତ୍ୱ ଦେଇ ମୋଦି ନୂଆ ଇତିହାସ ସୃଷ୍ଟି କରିଛନ୍ତି ବୋଲି କୁହାଯାଇପାରେ। ଜୟଶଙ୍କର ଜଣେ ସଫଳ କୂଟନୀତିଜ୍ଞରୁ ବହିର୍ବ୍ୟାପାର ଭଳି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟର ମୁଖ୍ୟ ହେବା ପଛରେ ଅନେକ କାରଣ ଥିବା ଆଲୋଚନା ହେଉଛି। ପୂର୍ବରୁ କେବେ ପାର୍ଲାମେଣ୍ଟରେ ସଦସ୍ୟ ହୋଇ ନ ଥିବା ଜୟଶଙ୍କର ଓ ମୋଦିଙ୍କ କେମିଷ୍ଟ୍ରି ଊଣାଅଧିକେ ସମସ୍ତଙ୍କୁ ଜଣା।
ସୁବ୍ରମଣ୍ୟମ୍‌ ଜୟଶଙ୍କର ୧୯୫୫ ଜାନୁୟାରୀ ୯ରେ ନୂଆଦିଲ୍ଲୀଠାରେ ଜନ୍ମଗ୍ରହଣ କରିଥିଲେ। ପିତା କେ. ସୁବ୍ରମଣ୍ୟମ୍‌ ଥିଲେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ତଥା ପ୍ରତିରକ୍ଷା ବିଶେଷଜ୍ଞ ଏବଂ ମା’ଙ୍କ ନାମ ସୁଲୋଚନା। ଏକ ସମ୍ଭ୍ରାନ୍ତ ତଥା ଉଚ୍ଚଶିକ୍ଷିତ ପରିବାରରେ ଜନ୍ମିତ ଜୟଶଙ୍କର ଶ୍ରୀନିବାସପୁରୀ କେମ୍ବ୍ରିଜ୍‌ ସ୍କୁଲରେ ପାଠପଢ଼ା ଆରମ୍ଭ କରି ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅଧୀନ ସେଣ୍ଟ ଷ୍ଟିଫେନ୍ସ କଲେଜରୁ ସ୍ନାତକ ଡିଗ୍ରୀ ଅର୍ଜନ କରିଥିଲେ। ଜେଏନ୍‌ୟୁରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର କରିବା ପରେ ଏମ୍‌ଫିଲ୍‌ ଏବଂ ଇଣ୍ଟରନ୍ୟାଶ୍‌ନାଲ ରିଲେଶନ୍ସରେ ପିଏଚ୍‌ଡି ହାସଲ କରିଥିଲେ। ୧୯୭୭ରେ ଜୟଶଙ୍କର ଆଇଏଫ୍‌ଏସ୍‌ ପାଇବା ପରେ ୧୯୭୯ରୁ ୧୯୮୧ ଯାଏ ସୋଭିଏଟ୍‌ ୟୁନିୟନ ଲାଗି ମସ୍କୋସ୍ଥିତ ଭାରତୀୟ ଦୂତାବାସରେ ସଚିବ ଭାବେ ଅବସ୍ଥାପିତ ହୋଇଥିଲେ। ପରେ ସେ ନୂଆଦିଲ୍ଲୀକୁ ଫେରି ବହିର୍ବ୍ୟାପାର ମନ୍ତ୍ରଣାଳୟରେ ଅନୁସଚିବ ଭାବେ କାର୍ଯ୍ୟ କରିଥିଲେ। ମହାରାଷ୍ଟ୍ରର ତାରାପୁର ଶକ୍ତି ପ୍ରକଳ୍ପକୁ ଆମେରିକା ପକ୍ଷରୁ ଆଣବିକ ଇନ୍ଧନ ଯୋଗାଣ ନେଇ ଉଠିଥିବା ବିବାଦ ସମାଧାନରେ ତାଙ୍କର ବେଶ୍‌ ଭୂମିକା ରହିଥିଲା। ଜୟଶଙ୍କରଙ୍କ କାର୍ଯ୍ୟଦକ୍ଷତା ଯୋଗୁ ତାଙ୍କୁ ଓ୍ବାଶିଂଟନସ୍ଥିତ ଭାରତୀୟ ଦୂତାବାସରେ ସଚିବ ଭାବେ ୧୯୮୫ରୁ ୧୯୮୮ ପର୍ଯ୍ୟନ୍ତ ଦାୟିତ୍ୱ ସମ୍ଭାଳିବାର ସୁଯୋଗ ମିଳିଥିଲା। ୧୯୮୮ରୁ ୧୯୯୦ ମଧ୍ୟରେ ସେ ଶ୍ରୀଲଙ୍କାରେ ଭାରତୀୟ ଦୂତାବାସରେ ସଚିବ ଭାବେ ଅବସ୍ଥାପିତ ଥାଇ ଭାରତୀୟ ଶାନ୍ତିରକ୍ଷା ବାହିନୀର ରାଜନୈତିକ ପରାମର୍ଶଦାତା ହୋଇଥିଲେ। ୧୯୯୦ରୁ ୧୯୯୩ ହଙ୍ଗେରୀ ରାଜଧାନୀ ବୁଦାପେଷ୍ଟସ୍ଥିତ ଇଣ୍ଡିଆନ୍‌ ମିଶନ୍‌ରେ ବାଣିଜି୍ୟକ ଉପଦେଷ୍ଟା ରୂପେ କାର୍ଯ୍ୟକରି ନୂଆଦିଲ୍ଲୀ ଫେରିଥିଲେ। ଏହି ସମୟରେ ସେ ବହିର୍ବ୍ୟାପାର ମନ୍ତ୍ରଣାଳୟର ନିର୍ଦ୍ଦେଶକ (ପୂର୍ବ ୟୁରୋପ ବ୍ୟାପାର) ଏବଂ ତତ୍କାଳୀନ ରାଷ୍ଟ୍ରପତି ଶଙ୍କରଦୟାଲ ଶର୍ମାଙ୍କ ପ୍ରେସ୍‌ ସେକ୍ରେଟାରି ତଥା ଅଭିଭାଷଣ ଲେଖକ ଭାବେ ନିଯୁକ୍ତି ପାଇ ବିଚକ୍ଷଣତାର ପରିଚୟ ଦେଇଥିଲେ। ୧୯୯୬ରୁ ୨୦୦୦ ପର୍ଯ୍ୟନ୍ତ ତାଙ୍କୁ ଟୋକିଓସ୍ଥିତ ଭାରତୀୟ ଦୂତାବାସର ମିଶନ୍‌ରେ ଉପମୁଖ୍ୟ ଭାବେ ଅବସ୍ଥାପିତ କରାଯାଇଥିଲା। ସେହି ସମୟରେ ପୋଖରାନ୍‌-୨ ଆଣବିକ ପରୀକ୍ଷଣକୁ ନେଇ ଭାରତ ଓ ଜାପାନ ମଧ୍ୟରେ ସମ୍ପର୍କ ବିଗିଡ଼ିବାକୁ ଯାଉଥିବା ବେଳେ ଜୟଶଙ୍କରଙ୍କ କୂଟନୀତି ତାହାକୁ ଏଡ଼ାଇ ଦେଇଥିଲା। ୨୦୦୦ରେ ସେ ଚେକ୍‌ ରିପବ୍ଲିକ୍‌ରେ ଭାରତର ରାଷ୍ଟ୍ରଦୂତ ହୋଇଥିଲେ। ୨୦୦୪ରୁ ୨୦୦୭ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ବହିର୍ବ୍ୟାପାର ମନ୍ତ୍ରଣାଳୟର ଯୁଗ୍ମ ସଚିବ (ଆମେରିକା ବ୍ୟାପାର) ଭାବେ ଦାୟିତ୍ୱ ତୁଲାଇଥିଲେ। ଏହି ଅବଧି ମଧ୍ୟରେ ଭାରତ-ଆମେରିକା ବେସାମରିକ ଅଣୁ ଚୁକ୍ତି ସମ୍ପର୍କରେ ଚାଲିଥିବା ଆଲୋଚନାରେ ସକ୍ରିୟ ଭାଗ ନେଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏପରିକି ଆମେରିକା ସହ ୧୨୩ ରାଜିନାମା ବେଳେ ଜୟଶଙ୍କର ଭାରତ ପକ୍ଷରୁ ନେତୃତ୍ୱ ନେଇଥିଲେ। ୨୦୦୭ରୁ ୨୦୦୯ ମଧ୍ୟରେ ସିଙ୍ଗାପୁରରେ ଭାରତର ଉଚ୍ଚାୟୁକ୍ତ ଭାବେ ଅବସ୍ଥାପିତ ଥିବା ବେଳେ ବ୍ୟାପକ ଅର୍ଥନୈତିକ ସହଯୋଗ ରାଜିନାମା (ସିଇସିଏ)କୁ କାର୍ଯ୍ୟକାରୀ କରିବାରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା। ଚାଇନାରେ ଭାରତର ସର୍ବାଧିକ କାଳ ରାଷ୍ଟ୍ରଦୂତ ହେବାରେ ସେ ଗୌରବ ଅର୍ଜନ କରିଛନ୍ତି। ବେଜିଂରେ ସାଢ଼େ ୪ ବର୍ଷର ରହଣି ବେଳେ ଜୟଶଙ୍କର ଭାରତ-ଚାଇନା ମଧ୍ୟରେ ଅର୍ଥନୈତିକ, ବାଣିଜି୍ୟକ ଓ ସାଂସ୍କୃତିକ ସମ୍ପର୍କକୁ ସୁଦୃଢ଼ କରିବା ସହ ଦୁଇ ଦେଶର ସୀମା ବିବାଦର ସମାଧାନ ଦିଗରେ ଯତ୍ନବାନ ହୋଇଥିଲେ। ୨୦୧୩ ସେପ୍ଟେମ୍ବରରେ ଜୟଶଙ୍କର ଆମେରିକାରେ ଭାରତୀୟ ରାଷ୍ଟ୍ରଦୂତ ହୋଇଥିଲେ। ୨୦୧୪ ସାଧାରଣ ନିର୍ବାଚନ ଜିତି ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ସେପ୍ଟେମ୍ବରରେ ପ୍ରଥମ ଥର ପାଇଁ ଆମେରିକା ଗସ୍ତ କରିଥିଲେ। ଏହି ସମୟରେ ଆମେରିକୀୟ ନେତାଙ୍କ ସହ ସାକ୍ଷାତ୍‌ ଓ ମାଡିସନ ସ୍କୋୟାରରେ ଭାରତୀୟ ବଂଶୋଦ୍ଭବଙ୍କୁ ଉଦ୍‌ବୋଧନ କାର୍ଯ୍ୟକ୍ରମର ସଫଳ ସ୍ଥପତି ପାଲଟିଥିଲେ ଜୟଶଙ୍କର। ଏହିଠାରୁ ଆରମ୍ଭ ହୋଇଥିଲା ମୋଦି ଓ ଜୟଶଙ୍କରଙ୍କ କେମିଷ୍ଟ୍ରି।
କେବଳ ଇଂଲିଶ ଓ ହିନ୍ଦୀ ନୁହେଁ, ତାମିଲ, ରୁଷୀୟ, ମାଣ୍ଡାରିନ୍‌, ଜାପାନୀ ଓ ହଙ୍ଗେରୀ ଭାଷାରେ ପାରଗତା ହାସଲ କରିଥିବା ଏହି ବିଚକ୍ଷଣ କୂଟନୀତିଜ୍ଞଙ୍କୁ ୨୦୧୫ ଜାନୁୟାରୀ ୨୯ରେ ଭାରତୀୟ ବହିର୍ବ୍ୟାପାର ମନ୍ତ୍ରଣାଳୟର ସଚିବ ଦାୟିତ୍ୱ ଦିଆଯାଇଥିଲା। ସୁଷମା ସ୍ବରାଜ ବହିର୍ବ୍ୟାପାର ମନ୍ତ୍ରୀ ଥିବା ବେଳେ ୨୦୧୭ ଜୁନ୍‌ରୁ ପ୍ରାୟ ୩ ମାସ ଧରି ଭାରତ-ଚାଇନା ମଧ୍ୟରେ ଡୋକଲାମ୍‌କୁ ନେଇ ବିବାଦ ଲାଗି ରହିଥିଲା। ସେତେବେଳେ ନିଜ କୂଟନୀତି ପ୍ରୟୋଗ କରି ସେ ଏହି ସମସ୍ୟାର ସମାଧାନ କରିପାରିଥିଲେ। ୨୮ ଜାନୁୟାରୀ ୨୦୧୮ରେ ଚାକିରିରୁ ଅବସର ଗ୍ରହଣ କରିବା ପରେ ଜୟଶଙ୍କର ଟାଟା ସନ୍ସର ଅନ୍ତର୍ଜାତୀୟ କମ୍ପାନୀ ବ୍ୟାପାର ଅଧ୍ୟକ୍ଷ ଭାବେ ନୂଆ କାର୍ଯ୍ୟରେ ଯୋଗ ଦେଇଥିଲେ।
ଜୟଶଙ୍କରଙ୍କ କର୍ମମୟ ଜୀବନ ଓ ସେବା ପାଇଁ ୨୦୧୯ ଜାନୁୟାରୀରେ ତାଙ୍କୁ ଭାରତର ଚତୁର୍ଥ ସର୍ବୋଚ୍ଚ ବେସାମରିକ ସମ୍ମାନ ପ୍ରଦାନ କରାଯାଇଛି। କୂଟନୈତିକ ଦୃଷ୍ଟିଭଙ୍ଗୀ, କର୍ମକୁଶଳତା ଓ ବିବିଧ କ୍ଷେତ୍ରରେ ଉତ୍କର୍ଷ ତାଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇଛି। ଜୟଶଙ୍କରଙ୍କ ବ୍ୟକ୍ତିତ୍ୱ ଯୁବପିଢ଼ି ପାଇଁ ଅନୁସରଣୀୟ ଓ ଅନୁକରଣୀୟ।


All Right Reserved By Dharitri.Com

ଫେରୁଛି ପୁରୁଣା ଦିନ

ଉପେନ୍ଦ୍ର ବିଶ୍ୱାଳ ସକାଳ ସ୍ନାନ ସାରି ସାଧୁ ଜଣକ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟାଞ୍ଜଳି ଦେଉଥାନ୍ତି ନଦୀର ଅଣ୍ଟାଏ ପାଣିରେ। ଛଞ୍ଚାଣର ପଞ୍ଝାରୁ ଆକାଶରୁ ଅକସ୍ମାତ୍‌ ଖସିଆସି ଆଞ୍ଜୁଳାରେ...

ଏଇ ଭାରତରେ

କରଓ୍ବାଚୌଥରେ ପ୍ରତ୍ୟେକ ମହିଳା ତାଙ୍କ ସ୍ବାମୀଙ୍କ ଦୀର୍ଘ ଜୀବନ କାମନା କରୁଥିବାବେଳେ ମଥୁରାର ଏକ ଗାଁରେ ମହିଳାମାନେ କରଓ୍ବାଚୌଥ ଦିନ ସ୍ବାମୀଙ୍କ ପାଇଁ ବ୍ରତ ରଖନ୍ତିନି।...

ରପ୍ତାନି ସଂଗଠନ ସଭାପତି

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ ନିକଟରେ ଭାରତୀୟ ସାମଗ୍ରୀ ଉପରୁ ଆମେରିକା ଅଗ୍ରାଧିକାର ପ୍ରବେଶ ସୁବିଧା ପ୍ରତ୍ୟାହାର କରିଥିଲା। ପରେ ନୂଆଦିଲ୍ଲୀ ଆମେରିକାରୁ ଆସୁଥିବା ୨୮ ପ୍ରକାର...

ଅଗ୍ନିକାଣ୍ଡ ନିବାରଣରେ ଛେଳି-ସେନା

ଡ. ନିଖିଳାନନ୍ଦ ପାଣିଗ୍ରାହୀ ପର୍ତ୍ତୁଗାଲ ସରକାର ଜାତୀୟ ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ପାଇନ ଓ ୟୁକାଲିପଟାସ ଜଙ୍ଗଲ ଦେଶର କେନ୍ଦ୍ର ଓ ଉତ୍ତରାଞ୍ଚଳ ଏବଂ...

ମାଲିକ ନୁହେଁ, ଅତିଥି ହୁଅ

ଏବେ ସକାଳୁ ସକାଳୁ ପକ୍ଷୀଙ୍କ କଳରବ ମନକୁ ପୁଲକିତ କରୁଛି। ଘର ଆଖପାଖରେ ଥିବା ଛୋଟବଡ ବୃକ୍ଷ ଡାଳରେ, ଭୂମି ଉପରେ ରଙ୍ଗବେରଙ୍ଗର ଅନେକ ପ୍ରଜାତିର...

ଏଇ ଭାରତରେ

ବର୍ତ୍ତମାନ ଜମ୍ମୁ-କଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ହୋଇଛି ସେଠାରେ ଅାଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟିହେବା ଅାଶଙ୍କାରେ ସିଅାର୍ପିଏଫ୍ ପୋଲିସ ମୁତୟନ ଅଛନ୍ତି କଶ୍ମୀର ଅଧତ୍ବାସୀଙ୍କ ମନରେ...

ସମ୍ପାrଦକୀୟ/ପିଆଜ ଲୁହ

ପାକିସ୍ତାନରେ ଗତ ମାସ ପିଆଜ ଦର ୩୦୦ ଟଙ୍କା ଉପରକୁ ଚାଲିଯାଇଥିଲା। ସେତେବେଳେ ଭାରତରେ ଆଲୋଚନା ହେଲା ଯେ, ସେଠାକାର ଖାଉଟି ହନ୍ତସନ୍ତ ହୋଇଯାଉଥିବେ। କେତେକେ...

ଭାଷାବଗିଚାକୁ ଗାଉଁଲି ଚାରା

ପଦ୍ମନାଭ ସାହୁ ଜାତିର ଜୀବନ ଭାଷା। ଭାଷାର ରୂପ ଭିତରେ ଜାଜ୍ୱଲ୍ୟମାନ ଗୋଟିଏ ଜାତିର ପରିଚୟ। ଭାଷାର ସମୃଦ୍ଧିରେ ଦେଶ ଓ ସମାଜର ବିକାଶ ସାଧିତ...

Leave a comment

Your email address will not be published. Required fields are marked *