Posted inଖେଳ

ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସ: ଭାରତ ଚାମ୍ପିୟନ

ଭୁବନେଶ୍ୱର, ୧୫।୬(କ୍ରୀଡ଼ା ପ୍ରତିନିଧି)-କଳିଙ୍ଗ ଷ୍ଟାଡିୟମରେ ଶନିବାର ଶେଷ ହୋଇଥିବା ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସ ହକି ଟୁର୍ନାମେଣ୍ଟରେ ଭାରତ ଚାମ୍ପିୟନ ହୋଇଛି। ଶନିବାର ଅନୁଷ୍ଠିତ ଫାଇନାଲରେ ଭାରତ ୫-୧ ଗୋଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ଭାରତ ପକ୍ଷରୁ ବରୁଣ କୁମାର ଓ ହରମନପ୍ରୀତ ସିଂ ୨ଟି ଲେଖାଏ ଏବଂ ବିବେକ ସାଗର ପ୍ରସାଦ ଗୋଟିଏ ଗୋଲ ଦେଇଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ରିଚାର୍ଡ ପାଉଜ୍‌ ଗୋଟିଏ ଗୋଲ ପରିଶୋଧ କରିଥିଲେ। ଏହି ଟୁର୍ନାମେଣ୍ଟରୁ ଭାରତ ଓ ଦକ୍ଷିଣ ଆଫ୍ରିକା ୨୦୨୦ ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ଟୁର୍ନାମେଣ୍ଟ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏହା ଆଗାମୀ ଅକ୍ଟୋବର-ନଭେମ୍ବରରେ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ଅନ୍ତର୍ଜାତୀୟ ହକି ଫେଡେରେଶନ(ଏଫ୍‌ଆଇଏଚ୍‌) ସଭାପତି ନରିନ୍ଦର ବାତ୍ରା, କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାସ, ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଓ ହକି ଇଣ୍ଡିଆର କର୍ମକର୍ତ୍ତାମାନେ ଅନ୍ୟତମ ଅତିଥିଭାବେ ଯୋଗଦେଇଥିଲେ। ହରମନପ୍ରୀତ ସିଂ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ। ବେଷ୍ଟ ଟିମ୍‌ ସେଲିବ୍ରେଶନ ପୁରସ୍କାର ମେକ୍ସିକୋ ପାଇଥିବାବେଳେ ଫ୍ୟାନ୍ସ ଚଏସ ଭାରତର ଆକାଶଦୀପ ସିଂ, ଫେୟାର ପ୍ଲେ ଏବଂ ସର୍ବାଧିକ ଗୋଲ ସ୍କୋର ପୁରସ୍କାର ଭାରତୀୟ ଦଳକୁ ମିଳିଥିଲା। ଶ୍ରେଷ୍ଠ ଜୁନିୟର ଖେଳାଳି ଭାରତର ବିବେକ ପ୍ରସାଦ ବିବେଚିତ ହୋଇଥିବାବେଳେ ଶ୍ରେଷ୍ଠ ଗୋଲକିପର ପୁରସ୍କାର ପାଇଥିଲ ଆମେରିକାର ଜୋନାଥନ କ୍ଲାଗେସ। ୩ ଖେଳାଳିଙ୍କୁ ଟପ୍‌ ଗୋଲ ସ୍କୋରର ପୁରସ୍କାର ମିଳିଥିଲା। ସେମାନେ ହେଲେ ଭାରତର ହରମନପ୍ରୀତ ସିଂ, ବରୁଣ କୁମାର ଏବଂ ରୁଷିଆର ସେମେନ ମାଟ୍‌କୋଭସ୍କି। ଟୁର୍ନାମେଣ୍ଟର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ ଭାରତୀୟ ଦଳର ଅଧିନାୟକ ମନପ୍ରୀତ ସିଂ। କୋଚ୍‌ ଗ୍ରାହାମ ରିଡ୍‌ଙ୍କ ରଣନୀତି ଅନୁସାରେ ଆରମ୍ଭରୁ ଆକ୍ରମଣାତ୍ମକ ଆଭିମୁଖ୍ୟ ପୋଷଣ କରିଥିଲା ଭାରତ। ଫଳରେ ପ୍ରଥମ ମିନିଟରେ ହିଁ ଦକ୍ଷିଣ ଆଫ୍ରିକା ଗୋଲପୋଷ୍ଟ ନିକଟରେ ଖେଳାଳିମାନେ ଗୋଲ ସୁଯୋଗ ସୃଷ୍ଟି କରିଥିଲେ। ପ୍ରଥମ ଉଦ୍ୟମରେ ମନପ୍ରୀତ ସିଂଙ୍କ ଦଳ ସଫଳ ହୋଇ ନ ଥିଲେ ହେଁ ୨ୟ ମିନିଟରେ ପେନାଲ୍ଟି କର୍ନର ସୁଯୋଗ ହାସଲ କରିବାରେ ସଫଳ ହୋଇଥିଲା। ୨୨ ନମ୍ବର ଜର୍ସି ପରିହିତ ବରୁଣ କୁମାର ଏହାକୁ ଗୋଲରେ ପରିଣତ କରି ଭାରତକୁ ଅଗ୍ରଣୀ କରାଇଥିଲେ। ପୁରା କ୍ବାର୍ଟରେ ଭାରତ ପ୍ରତିପକ୍ଷ ଦଳ ଉପରେ ଭାରି ପଡ଼ିଥିଲା। ୧୧ତମ ମିନିଟରେ ମିଳିଥିବା ଆଉ ଏକ ପେନାଲ୍ଟି କର୍ନରକୁ ହରମନପ୍ରୀତ ସିଂ ଗୋଲରେ ପରିଣତ କରିବାରେ ସଫଳ ହୋଇଥିଲେ। ୧୫ତମ ମିନିଟରେ ଦକ୍ଷିଣ ଆଫ୍ରିକା ଭଲ ମୁଭ୍‌ ନେଇଥିଲେ ହେଁ ଭାରତୀୟ ଗୋଲକିପର କ୍ରିଷ୍ଣନ ପାଠକ ଚମତ୍କାର ସେଭ୍‌ କରି ପ୍ରଥମ କ୍ବାର୍ଟର ଶେଷସୁଦ୍ଧା ଭାରତର ଅଗ୍ରଣୀକୁ ୨-୦ରେ ବଳବତ୍ତର ରଖିଥିଲେ। ଦ୍ୱିତୀୟ କ୍ବାର୍ଟରରେ ଉନ୍ନତ ପ୍ରଦର୍ଶନ କରିଥିଲା ଦକ୍ଷିଣ ଆଫ୍ରିକା। ଫଳରେ ଭାରତୀୟ ଖେଳାଳିମାନେ ଏକାଧିକ ସୁଯୋଗ ସୃଷ୍ଟି କରିଥିଲେ ହେଁ ତାହାକୁ ସଫଳତାର ସହ ଦକ୍ଷିଣ ଆଫ୍ରିକା ଡିଫେଣ୍ଡରମାନେ ପ୍ରତିହତ କରିଥିଲେ। ମାତ୍ର ୨୫ତମ ମିନିଟରେ ଭାରତର ଓଡ଼ିଆ ଡିଫେଣ୍ଡର ବୀରେନ୍ଦ୍ର ଲାକ୍ରା ଗୋଲ ଦେବାକୁ ଯାଉଥିବାବେଳେ ଦକ୍ଷିଣ ଆଫ୍ରିକା ଖେଳାଳିମାନେ ପୋଷ୍ଟ ନିକଟରେ ଷ୍ଟିକ୍‌ଚେକ୍‌ କରିଥିଲେ। ଫଳରେ ରେଫରି ଜାଭିୟର ଫେନାର୍ଟ ଭାରତକୁ ପେନାଲ୍ଟି ଷ୍ଟ୍ରୋକ୍‌ ସୁଯୋଗ ଦେଇଥିଲେ। ହରମନପ୍ରୀତ ଏହାକୁ ଗୋଲରେ ପରିଣତ କରିବାରେ କୌଣସି ଭୁଲ କରି ନ ଥିଲେ। ଫଳରେ ପ୍ରଥମାର୍ଦ୍ଧ ବେଳକୁ ଭାରତର ଅଗ୍ରଣୀ ବ୍ୟବଧାନ ୩-୧ରେ ପହଞ୍ଚତ୍ ଯାଇଥିଲା।ଦ୍ୱିତୀୟାର୍ଦ୍ଧରେ ପଟ ପରିବର୍ତ୍ତନନ ହୋଇଥିଲେ ହେଁ ଦକ୍ଷିଣ ଆଫ୍ରିକା ଭାଗ୍ୟ ପରିବର୍ତ୍ତନ ହୋଇ ନ ଥିଲା। ଦଳର ଡିପେଣ୍ଡରମାନେ ଭାରତୀୟ ଫରୱାର୍ଡଙ୍କୁ କିଛି ପରିମାଣରେ ରୋକିବାରେ ସକ୍ଷମ ହୋଇଥିଲେ ସତ, ମାତ୍ର ଭାରତୀୟ ଗୋଲପୋଷ୍ଟ ଉପରେ ଆକ୍ରମଣ କରିବାରେ ଅସଫଳ ରହିଥିଲେ। ତୃତୀୟ କ୍ବାର୍ଟର ଆରମ୍ଭର ୫ମ ମିନିଟ ସମୟରେ ଦକ୍ଷିଣ ଆଫ୍ରିକା ଗୋଲପୋଷ୍ଟ ନିକଟରେ ବଲ୍‌ ପାଇଁ ସଂଘର୍ଷ ଚାଲିଥିବାବେଳେ ଆକାଶଦୀପ ସିଂଙ୍କଠାରୁ ପାସ୍‌ ପାଇଥିଲେ ସିମରନଜିତ ସିଂ। ସେ ଚତୁରତାର ସହ ବଲ୍‌କୁ ବିବେକ ପ୍ରସାଦଙ୍କ ନିକଟକୁ ପଠାଇ ଦେଇଥିଲେ। ବିବେକ ଏହାକୁ ଗୋଲରେ ପରିଣତ କରି ଭାରତର ଅଗ୍ରଣୀକୁ ୪-୦ରେ ପହଞ୍ଚାଇଥିଲେ। ଅନ୍ତିମ କ୍ବାର୍ଟରରେ ମଧ୍ୟ ଭାରତର ଦବ୍‌ଦବା ଜାରି ରହିଥିଲା। ୪୧ତମ ମିନିଟରେ ଭାରତ ଏକ ପେନାଲ୍ଟି କର୍ନର ସୁଯୋଗ ପାଇଥିବାବେଳେ ଅମିତ ରୋହିଦାସଙ୍କ ଶଟ୍‌କୁ ଆଫ୍ରିକା ଡିଫେଣ୍ଡରମାନେ ଅଟକାଇବାରେ ସକ୍ଷମ ହୋଇଥିଲେ। ୪୯ତମ ମିନିଟରେ ଆଉ ଏକ ପେନାଲ୍ଟି କର୍ନର ସୁଯୋଗ ମିଳିଥିବାବେଳେ ବରୁଣ କୁମାର ଏହାକୁ ଗୋଲରେ ପରିଣତ କରିଥିଲେ। ୫୩ତମ ମିନିଟରେ ଦକ୍ଷିଣ ଆଫ୍ରିକାକୁ ପ୍ରଥମ ପେନାଲ୍ଟି କର୍ନର ମିଳିଥିଲା। ପ୍ରଥମ ଉଦ୍ୟମରେ ଏହା ବିଫଳ ହୋଇଥିଲେ ହେଁ କ୍ରମାଗତ ଦ୍ୱିତୀୟ ପେନାଲ୍ଟି କର୍ନରକୁ ଗୋଲରେ ପରିଣତ କରିଥିଲେ ଆଫ୍ରିକାର ରିଚାର୍ଡ ପାଉଜ୍‌। ଏହା ମ୍ୟାଚରେ ଦକ୍ଷିଣ ଆଫ୍ରିକା ପାଇଁ ସାନ୍ତ୍ୱନା ସଦୃଶ ଥିଲା। ଭାରତ ୫୬ ଓ ଦକ୍ଷିଣ ଆଫ୍ରିକା ୫୭ତମ ମିନିଟରେ ପେନାଲ୍ଟି କର୍ନର ପାଇଥିଲେ ହେଁ ସେଥିରୁ ଗୋଲ ହୋଇ ନ ଥିଲା।


All Right Reserved By

Posted inଖେଳ

ପିକେଏଲ୍‌: ବେଙ୍ଗାଲୁରୁ, ୟୁ ମୁମ୍ବା ସେମିଫାଇନାଲରେ

ଅହମ୍ମଦାବାଦ, ୧୫।୧୦ (ପି.ଟି.)- ଡିଫେଣ୍ଡିଂ ଚାମ୍ପିୟନ ବେଙ୍ଗାଲୁରୁ ବୁଲ୍ସ ଓ ୟୁ ମୁମ୍ବା ଚଳିତ ପ୍ରୋ କବାଡ଼ି ଲିଗ୍‌ (ପିକେଏଲ୍‌) ୭ମ ସିଜନର ସେମିଫାଇନାଲରେ ପ୍ରବେଶ...

ପ୍ରକାଶ ପାଇଲା ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ, ଟପ୍‌ ୧୦ରେ ବୁମ୍‌ରା

ଦୁବାଇ, ୨୭ା୮ (ପି.ଟି.)- ମଙ୍ଗଳବାର ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଟେଷ୍ଟ ର଼୍ୟାଙ୍କିଙ୍ଗ ପ୍ରକାଶ ପାଇଛି। ବ୍ୟାଟ୍ସମ୍ୟାନ ତାଲିକାରେ ଭାରତ ଅଧିନାୟକ ବିରାଟ କୋହଲି ଷ୍ଟିଭ୍‌...

ଜାତୀୟ ସିନିୟର ୫-ଏ-ସାଇଡ୍‌ ହକି: ହରିୟାଣା, କର୍ନାଟକ ଚାମ୍ପିୟନ

କାନ୍‌ପୁର, ୨୮।୯- ସ୍ଥାନୀୟ ଗ୍ରୀନ୍‌ ପାର୍କ ଷ୍ଟାଡିୟମରେ ଶୁକ୍ରବାର ଶେଷ ହୋଇଥିବା ୫-ଏ-ସାଇଡ୍‌ ହକି ଟୁର୍ନାମେଣ୍ଟର ମହିଳା ବିଭାଗରେ ହରିୟାଣା ଓ ପୁରୁଷରେ କର୍ନାଟକ ଚାମ୍ପିୟନ...

ପାଟନା ପାଇରେଟ୍ସର ରୋମାଞ୍ଚକ ବିଜୟ

ମୁମ୍ବାଇ, ୩୦।୭ (ପି.ଟି.)- ପ୍ରୋ-କବାଡ଼ି ଲିଗ୍‌ ୭ମ ସଂସ୍କରଣର ଏକ ରୋମାଞ୍ଚକ ମ୍ୟାଚରେ ପାଟନା ପାଇରେଟ୍ସ ୨୪-୨୩ରେ ତାମିଲ ଥଲାଇଭାସକୁ ପରାସ୍ତ କରିଛି। ସୋମବାର ଖେଳାଯାଇଥିବା...

ଫର୍ନାଣ୍ଡୋ ଟୋରେସଙ୍କ ଅବସର

ମାଡ୍ରିଡ୍‌,୨୧।୬- ପୂର୍ବତନ ଫିଫା ବିଶ୍ୱକପ୍‌ ଚାମ୍ପିୟନ ସ୍ପେନ ଦଳର ସଦସ୍ୟ ଫର୍ନାଣ୍ଡୋ ଟୋରେସ ଫୁଟ୍‌ବଲରୁ ଶୁକ୍ରବାର ଅବସର ସମ୍ପର୍କରେ ଘୋଷଣା କରିଛନ୍ତି। ଏଥିସହ ସ୍ପାନିଶ ଖେଳାଳିଙ୍କ...

ସ୍କୁଲ ଛାତ୍ରୀଛାତ୍ରଙ୍କ ସହ ଖେଳିଲେ କୋହଲି

ସାଉଥାମ୍ପଟନ,୨୧।୬- ସ୍ଥାନୀୟ ସ୍ପ୍ରିଙ୍ଗହିଲ ସ୍କୁଲର ୩୦ ଛାତ୍ରୀଛାତ୍ରଙ୍କ ଲାଗି ଗୁରୁବାର ଥିଲା ସ୍ବତନ୍ତ୍ର ଦିନ। କାରଣ ଭାରତୀୟ କ୍ରିକେଟ ଦଳର ଅଧିନାୟକ ତଥା ନଂ ୧...

ପ୍ରଥମ ଅନ୍‌ଅଫିସିଆଲ ଟେଷ୍ଟ: ବୃହତ୍‌ ବିଜୟର ନିକଟତର ଭାରତ ଏ’

ଥିରୁଭାନନ୍ତପୁରମ,୧୨।୯(ପି.ଟି.)- ସ୍ଥାନୀୟ ଗ୍ରୀନ୍‌ ଫିଲ୍ଡ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଚାଲିଥିବା ଦକ୍ଷିଣ ଆଫ୍ରିକା ଏ’ ବିପକ୍ଷ ପ୍ରଥମ ଅନ୍‌ ଅଫିସିଆଲ ଟେଷ୍ଟ ମ୍ୟାଚ୍‌ରେ ଘରୋଇ ଭାରତ ଏ’...

କୋହଲିଙ୍କ ୪୩ତମ ଶତକ: ସିରିଜ୍‌ ଜିତିଲା ଭାରତ

ପୋର୍ଟ ଅଫ ସ୍ପେନ, ୧୫।୮: ସ୍ବାଧୀନତା ଦିବସ ପୂର୍ବରୁ ଭାରତୀୟ କ୍ରିକେଟ ଦଳ ଦେଶବାସୀଙ୍କୁ ବଡ ଉପହାର ଦେଇଛି। ୱେଷ୍ଟଇଣ୍ଡିଜକୁ ତୃତୀୟ ଦିନିକିଆରେ ୬ ଉଇକେଟରେ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *