ଅମ୍ଫନ୍‌ ମୁକାବିଲାରୁ ଶିକ୍ଷା

ଡ. ଶିବ ଶଙ୍କର ସାହୁ

ତାଲାବନ୍ଦ କୋଟି କୋଟି ଲୋକଙ୍କ ବଞ୍ଚତ୍ବାର ରାହା ଛଡ଼େଇ ନେଇଛି। ଏପରି ସମୟରେ ବାତ୍ୟା ଅମ୍ଫନ୍‌ କ୍ଷୟକ୍ଷତି ଓଡ଼ିଶା, ପଶ୍ଚିମବଙ୍ଗ ସମେତ ବାଂଲାଦେଶ ପାଇଁ ବୋଝ ଉପରେ ନଳିତା ବିଡ଼ା ହୋଇଛି। ପ୍ରଳୟଙ୍କରୀ ୧୯୯୯ ମହାବାତ୍ୟାର ୨୧ ବର୍ଷ ପରେ ଅମ୍ଫନ୍‌ ହେଉଛି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଦ୍ୱିତୀୟ ବଡ଼ ବାତ୍ୟା, ଯାହାର ଉତ୍ପତ୍ତି ସମୁଦ୍ର ଗର୍ଭରେ। ସାଧାରଣତଃ ମୌସୁମୀ ପରବର୍ତ୍ତୀ ସମୟରେ ବାତ୍ୟା ଆଶଙ୍କା ବେଶି ଥାଏ। କିନ୍ତୁ ଜଳବାୟୁ ପରିବର୍ତ୍ତନ ଓ ତୀବ୍ର ଭୂମଣ୍ଡଳୀୟ ଉଷ୍ମୀକରଣ ପ୍ରଭାବ ବାତ୍ୟା, ସାମୁଦ୍ରିକ ଘୂର୍ଣ୍ଣିଝଡ଼ ପ୍ରାକ୍‌ ମୌସୁମୀ ବାତ୍ୟାର ରୂପ ନେଉଛି। ଗତବର୍ଷର ‘ଫନୀ’ ଆଉ ଏବେ ଅମ୍ଫନ୍‌କୁ ଏହାର ଉଦାହରଣ ଭାବେ ବିଚାରକୁ ନିଆଯାଇପାରେ।
ବିଗତ ୫୦ ବର୍ଷ ମଧ୍ୟରେ ଭାରତରେ ୧୫୦ରୁ ଅଧିକ ଛୋଟ ବଡ଼ ତୋଫାନ ଆସିଛି। ସଫିର-ସିମ୍ପସନ୍‌ ହରିକେନ ସ୍କେଲରେ ବାତ୍ୟା ସାଧାରଣତଃ ସାମାନ୍ୟ, ତୀବ୍ର, ଅତି ତୀବ୍ର, ଅତି ଭୀଷଣ ତୀବ୍ର ଓ ମହାବାତ୍ୟା ଭାବେ ଶ୍ରେଣୀ ବିଭକ୍ତ ହୋଇଥାଏ। ୨୦୦୪ରେ ଅମ୍ଫନ୍‌ର ନାମକରଣ ଥାଇଲାଣ୍ଡରେ ହୋଇଥିଲା, ଯାହାର ଅର୍ଥ ଆକାଶ ଓ ଥାଇ ଭାଷାରେ ଉଚ୍ଚାରଣ ଉମ-ପୁନ। ଏହା ପୂର୍ବରୁ ହୋଇଥିବା ପ୍ରଳୟଙ୍କରୀ ଫନୀର ନାମକରଣ ବାଂଲାଦେଶ ଦ୍ୱାରା ହୋଇଥିଲା, ଯାହାର ଅର୍ଥ ଥିଲା ଫେଣା ଟେକିଥିବା ସାପ। ୨୦୦୦ ମସିହା ଓମାନ୍‌ର ରାଜଧାନୀ ମସ୍କାଟ୍‌ଠାରେ ହୋଇଥିବା ଅନ୍ତର୍ଜାତୀୟ ଜଳବାୟୁ ସଂସ୍ଥାନର ୨୭ତମ ଅଧିବେଶନରେ ବାତ୍ୟାର ନାମକରଣ କରିବା ପାଇଁ ନିୟମ ତିଆରି ହୋଇଥିଲା। ସେହି ନିୟମ ଅନୁସାରେ ଉତ୍ତର ଭାରତ ମହାସାଗର, ବଙ୍ଗୋପସାଗର ଓ ଆରବସାଗରରେ ହେଉଥିବା ବାତ୍ୟାର ନାମକରଣ ଦାୟିତ୍ୱ ୮ ଦେଶ ଯଥା ଭାରତ, ବାଂଲାଦେଶ, ପାକିସ୍ତାନ, ଶ୍ରୀଲଙ୍କା, ମ୍ୟାନ୍‌ମାର, ମାଳଦ୍ୱୀପ, ଓମାନ୍‌ ଓ ଥାଇଲାଣ୍ଡ ଉପରେ ନ୍ୟସ୍ତ କରାଯାଇଛି। ପ୍ରତ୍ୟେକ ଦେଶ ୮ଟି ଲେଖାଏ ହିସାବରେ ୬୪ଟି ତୋଫାନର ନାମକରଣ କରିଛନ୍ତି। ଅମ୍ଫନ୍‌ ହେଉଛି ଏହି ତୋଫାନ ନାମକରଣ ସୂଚୀର ଶେଷ ନାମ। ୨୦୨୦ ଏପ୍ରିଲରେ ଆଉ ୫ ଦେଶ ଇରାନ୍‌, କାତାର, ସୌଦିଆରବ, ଆରବ ଯୁକ୍ତରାଜ୍ୟ ଓ ୟେମେନକୁ ମିଶାଇ ୧୩ ଦେଶ ପ୍ରତିଟି ୧୩ ଲେଖାଏ ୧୬୯ଟି ଆଗାମୀ ଭବିଷ୍ୟତ ବାତ୍ୟାର ନାମକରଣ କରିଛନ୍ତି। ଏହା ପଛର ଉଦ୍ଦେଶ୍ୟ ହେଉଛି ସାଧାରଣ ଜନତାଙ୍କୁ ବୋଧଗମ୍ୟ ହେଲା ଭଳି କ୍ଷୁଦ୍ର ଓ ସରଳ ନାମ ଦେବା। ଫଳରେ ଗଣମାଧ୍ୟମ, ବିପର୍ଯ୍ୟୟ ପ୍ରଶମନ ସଂସ୍ଥା ତଥା ପାଣିପାଗ ବିଶେଷଜ୍ଞମାନେ ଏହାକୁ ସହଜରେ ବ୍ୟାଖ୍ୟା କରିପାରିବେ।
ଓଡ଼ିଶା ବାରମ୍ବାର ବିଭିନ୍ନ ପ୍ରକାର ବିପର୍ଯ୍ୟୟର ଶିକାର ହୋଇଆସୁଛି। ପ୍ରାକୃତିକ ଦୁର୍ବିପାକ ବାତ୍ୟା ହଉ କି ମରୁଡ଼ି, ବନ୍ୟା କିମ୍ବା ଗ୍ରୀଷ୍ମପ୍ରବାହ ଲୁ ଅଥବା ମନୁଷ୍ୟକୃତ ଦୁର୍ବିପାକ ଯଥା ଅନାହାର ମୃତ୍ୟୁ, ଶିଶୁ ମୃତ୍ୟୁ, ଚାଷୀ ମୃତ୍ୟୁ କିମ୍ବା ଦାଦନର ମୃତ୍ୟୁ ପିଛା ଛାଡୁନି। ଫନୀ ମହାବାତ୍ୟାର ବର୍ଷକ ପରେ କ୍ଷତ ଶୁଖି ନ ଥିବାବେଳେ ଅମ୍ଫନ୍‌ ଭୟ ସୃଷ୍ଟି କରିଥିଲା। ଦୀର୍ଘ ଏକ ସପ୍ତାହ ଧରି ବଙ୍ଗୋପସାଗରରେ ଘୂରି ବୁଲିବା ପରେ ଏହା ଭୀଷଣ ଝଡ଼ବାତ୍ୟା ରୂପରେ ପଶ୍ଚିମବଙ୍ଗର ଦୀଘା ଓ ବାଂଲାଦେଶର ହାତିଆ ଦ୍ବୀପ ମଧ୍ୟସ୍ଥ ସୁନ୍ଦରବନ ଛୁଇଁଥିଲା। ଭାରତୀୟ ପାଣିପାଗର ପ୍ରାକ୍‌ ଆକଳନ ଅନୁସାରେ ଲ୍ୟାଣ୍ଡ ଫଲ୍‌ ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୫୫ ରୁ ୧୬୫ କିଲୋମିଟର ଏବଂ ମଝିରେ ମଝିରେ ଘଣ୍ଟା ପ୍ରତି ୧୮୫ ଥିଲା। ବିଶ୍ୱ ପାଣିପାଗ ସଂସ୍ଥା ମତରେ ଅମ୍ଫନ୍‌ ବଙ୍ଗୋପସାଗରରେ ଅତିମାତ୍ରାରେ ସଶକ୍ତ ହୋଇ ମହାବାତ୍ୟାର ରୂପ ନେଇଥିଲା, ଯାହାକି ତୋଫାନ ମାପକ ସ୍କେଲ୍‌ ସଫିର-ସିମ୍ପସନର ଶକ୍ତିଶାଳୀ ପଞ୍ଚମ ଶ୍ରେଣୀରେ ଅନ୍ତର୍ଭୁକ୍ତ। ଏହା ହରିକେନ ତୋଫାନର ଗତି ସହ ସମାନ। ଅମ୍ଫନ୍‌ ସ୍ଥଳଭାଗକୁ ଛୁଇଁବା ପରେ ଅପେକ୍ଷାକୃତ କମ୍‌ ଶକ୍ତିଶାଳୀ ଚତୁର୍ଥ ଶ୍ରେଣୀରେ ଅନ୍ତର୍ଭୁକ୍ତ ହୋଇଥିଲା। ସମ୍ପୂର୍ଣ୍ଣ ଭାବେ ସ୍ଥଳଭାଗକୁ ପ୍ରବେଶ କରିବାକୁ ଏହାକୁ ୪ଘଣ୍ଟା ଲାଗିଥିଲା ଓ ଏହାର କେନ୍ଦ୍ରୀୟ ବାୟୁ ଚାପ ବହୁତ ବଢ଼ିଥିଲା, ଯାହାକି ମହାବାତ୍ୟାର କରାଳରୂପକୁ ଶାନ୍ତ କରିବାରେ ସହାୟକ ହେଲା।
ପାଣିପାଗ ବିଶେଷଜ୍ଞଙ୍କ ମତରେ ଓଡ଼ିଶା ଉପକୂଳ ଅନ୍ୟ ପୂର୍ବ ରାଜ୍ୟଗୁଡ଼ିକ ତୁଳନାରେ ବିପର୍ଯ୍ୟୟ ଦୃଷ୍ଟିକୋଣରୁ ଦୁଇଗୁଣା ବିପଦସଙ୍କୁଳ। ଓଡ଼ିଶା ମାନଚିତ୍ରରେ ପୁରୀରୁ ଭଦ୍ରକ ମଧ୍ୟସ୍ଥ ସ୍ଥଳଭାଗ ଅବସ୍ଥିତି ସମୁଦ୍ର ମଧ୍ୟକୁ ଅଧିକା ପଶି ଆସିବାର ଦେଖାଯାଏ, ଯାହାକି ବାତ୍ୟାର ପ୍ରଭାବ ମାତ୍ରାଧିକ ହୋଇଥାଏ। ସମଗ୍ର ପୂର୍ବ ଭାରତ ଉପକୂଳର ମାତ୍ର ୧୭ ପ୍ରତିଶତ ହେଉଛି ଓଡ଼ିଶା ଉପକୂଳର ଆୟତନ। କିନ୍ତୁ ବିଡ଼ମ୍ବନା ପୂର୍ବ ରାଜ୍ୟଗୁଡ଼ିକୁ ଅତିକ୍ରମ କରୁଥିବା ତୋଫାନର ୩୫ ଭାଗ ଓଡ଼ିଶା ଉପକୂଳରେ ତୀବ୍ରତର ହୁଏ କିମ୍ବା ସିଧା ମାଡ଼ ହୋଇଥିଲା। ବିଖ୍ୟାତ ଜଳବାୟୁ ବିଶେଷଣଜ୍ଞ ସି.ଜେ. ନିଉମାନ୍‌ଙ୍କ ମତରେ ଉତ୍ତର ଭାରତ ମହାସାଗରରେ ହେଉଥିବା ବାତ୍ୟା ସମୂହରୁ ସାଧାରଣତଃ ୭ ପ୍ରତିଶତ ଘାତକ ରୂପ ନେଇଥାଏ। ଅଗଭୀର ବଙ୍ଗୋପସାଗର, ତତ୍‌ସହିତ ନୀଚା ଚଉଡ଼ା ଓ କାହାଳୀ ଆକୃତିର ସମୁଦ୍ର ତଟରେଖା ବାତ୍ୟା ବିପର୍ଯ୍ୟୟର ଘନତ୍ୱକୁ ଦ୍ବିଗୁଣିତ କରିଥାଏ। ସେଥିପାଇଁ ବଙ୍ଗୋପସାଗରକୁ ଲାଗିଥିବା ଭାରତର ପୂର୍ବ ଉପକୂଳ, ବାଂଲାଦେଶ, ମ୍ୟାନ୍‌ମାର ଓ ଶ୍ରୀଲଙ୍କାରେ ପ୍ରତିବର୍ଷ ବହୁ କ୍ଷୟକ୍ଷତି ଘଟାଏ। ଏହି ଅଞ୍ଚଳରେ ସର୍ବାଧିକ ୪୪ ପ୍ରତିଶତ ବାତ୍ୟା ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ, ୩୬ ପ୍ରତିଶତ ଅକ୍ଟୋବର-ନଭେମ୍ବରରେ, ବଳକା ୨୦ ପ୍ରତିଶତ ମୌସୁମୀ ପ୍ରାକ୍‌ ଆଗମନ ମାର୍ଚ୍ଚରୁ ମେ’ରେ ହୋଇଥାଏ ବୋଲି ପାଣିପାଗ ବିଶେଷଜ୍ଞମାନେ ଆକଳନ କରିଛନ୍ତି।
ଆଇପିସିସି ୨୦୦୩ ରିପୋର୍ଟ କହେ, ଜଳବାୟୁ ଗରମ ହେଲେ ଯେଉଁ ତୋଫାନ ଉତ୍ପନ୍ନ ହୁଏ ଅଧିକାଂଶ ଉତ୍କଟରୂପ ଧାରଣ କରି ବହୁ କ୍ଷୟକ୍ଷତି ଘଟାଇଥାଏ। ଏହି ରିପୋର୍ଟରେ ମଧ୍ୟ ଉଲ୍ଲେଖ ଅଛି, ଯଦି ବଙ୍ଗୋପସାଗର ଉପକୂଳରେ କ୍ରାନ୍ତୀୟ ତୋଫାନର ଆଗମନ ହୁଏ ତେବେ ଗ୍ରୀଷ୍ମଦିନିଆ ମୌସୁମୀ ବର୍ଷା ଅତ୍ୟନ୍ତ ଭୟଙ୍କର ହୋଇଥାଏ। ଏହାର ପ୍ରଭାବରେ ସମୁଦ୍ରର ଉଛୁଳା ଜଳଭାଗ ଉପକୂଳବର୍ତ୍ତୀ ତଳୁଆ ବସତିରେ ନାହିଁ ନ ଥିବା କ୍ଷୟକ୍ଷତି ଘଟାଇଥାଏ। ବିଗତ ୪୩ ବର୍ଷ ମଧ୍ୟରେ ଫନୀ ବାତ୍ୟା ପରେ ଅମ୍ଫନ୍‌ ହେଉଛି ଗ୍ରୀଷ୍ମଦିନରେ କ୍ୱଚିତ ହେଉଥିବା ସାମୁଦ୍ରିକ ତୋଫାନ, ଯାହାର ଗତିପଥର ଭବିଷ୍ୟତ ଅନୁଧ୍ୟାନ କରିବା କଷ୍ଟକର ବ୍ୟାପାର ଥିଲା। ବଙ୍ଗୋପସାଗରରେ ମହାବାତ୍ୟା ରୂପ ନେବା ପରେ ଅମ୍ଫନ୍‌ର ତୀବ୍ରତା, ଗତିପଥ, ଦିଗ ଓ ସମୟ ଭାରତୀୟ ପାଣିପାଗ ବିଭାଗର ବାତ୍ୟା ପଦାଙ୍କ ନମୁନା ଯାହା ଆକଳନ କରିଥିଲା, ତାହା ଶତ ପ୍ରତିଶତ ନିର୍ଭୁଲ ପ୍ରମାଣିତ କରି ଏକ ବଳିଷ୍ଠ ଉଦାହରଣ ସୃଷ୍ଟିକରିବା ସହ ଜନମାନସରେ ସୁଦୃଢ଼ ବିଶ୍ୱାସର ସଂସ୍ଥା ରୂପେ ପରିଗଣିତ ହୋଇଛି। ବିଗତ ୧୫୦ ବର୍ଷ ମଧ୍ୟରେ ଅମ୍ଫନ୍‌କୁ ମିଶାଇ ଏହିପରି ତୋଫାନ ଓଡ଼ିଶାରେ ଚାରି ଥର ହୋଇସାରିଛି ଓ ବହୁ କ୍ଷୟକ୍ଷତି ସହ ଅନେକ ମୂଲ୍ୟବାନ ଜୀବନ ନେଇଛି। ବଙ୍ଗୋପସାଗର ଉପକୂଳ ସାଧାରଣତଃ ଓସାରିଆ ହୋଇଥିବା ବେଳେ ଆରବସାଗର ଉପକୂଳ ଆକୃତି ସଂକୀର୍ଣ୍ଣ। ଏହା ପବନର ଗତିକୁ ବଙ୍କେଇପାରେନି, ଆଉ ତାହା ଅତି ତୀବ୍ର ରୂପ ନେଇ ଓସାରିଆ ଉପକୂଳରେ ମାଡ଼ ହୁଏ ଓ ବହୁ ପରିସୀମା ଅତିକ୍ରାନ୍ତ କରିଥାଏ। ପୃଥିବୀରେ ହୋଇଥିବା ୩୬ଟି ଅତ୍ୟନ୍ତ ଘାତକ କ୍ରାନ୍ତୀୟ ତୋଫାନ ମଧ୍ୟରୁ ୨୭ଟି ବଙ୍ଗୋପସାଗରରେ ସୃଷ୍ଟି ହୋଇଛି।
ଭାରତୀୟ ଔଦ୍ୟୋଗିକ ସଂସ୍ଥାନ ଭୁବନେଶ୍ୱରର କ୍ରାନ୍ତୀୟ ପାଣିପାଗ ବିଜ୍ଞାନୀ ଉମା ଚରଣ ପତିଙ୍କ ମତରେ, ଓଡ଼ିଶା ୧୮୯୦ରୁ ଆଜିପର୍ଯ୍ୟନ୍ତ ୧୩୦ ବର୍ଷ ମଧ୍ୟରେ ୧୧୦ରୁ ଅଧିକ ବାତ୍ୟାର ସମ୍ମୁଖୀନ ହେଲାଣି। ଏହା ନିଶ୍ଚିତ ଭାବରେ ରାଜ୍ୟର ସାମାଜିକ ଆଉ ଅର୍ଥନୈତିକ ବିକାଶର ସୋପାନରେ ବିଶାଳ ପ୍ରତିବନ୍ଧକ ରୂପେ ଛିଡ଼ା ହେଉଛି । ଓଡ଼ିଶା ପରି ଅର୍ଥନୈତିକ ଦୁର୍ବଳ ରାଜ୍ୟ, ଯେଉଁଠି ସଂଖ୍ୟାଧିକ ପରିବାର ଦାରିଦ୍ର୍ୟ ସୀମାରେଖା ତଳେ ଅଛନ୍ତି ସେଠି କରୋନା ମହାମାରୀ ସହ ପ୍ରାକୃତିକ ବିପର୍ଯ୍ୟୟକୁ ଏକକାଳୀନ ସମ୍ମୁଖୀନ ହେବା ନିହାତି କଷ୍ଟକର ବ୍ୟାପାର। ଓଡ଼ିଶା ୧୯୯୯ ମହାବାତ୍ୟା ପରବର୍ତ୍ତୀ ଫାଇଲିନ୍‌, ହୁଡ୍‌ହୁଡ୍‌, ତିତ୍‌ଲି, ଫନୀ ଆଉ ବର୍ତ୍ତମାନ ଅମ୍ଫନ୍‌ର ମୁକାବିଲା କରି ସମଗ୍ର ବିଶ୍ୱରେ ଚର୍ଚ୍ଚିତ। ଜାତିସଂଘଠୁ ଆରମ୍ଭକରି ବହୁ ଅନ୍ତଃରାଷ୍ଟ୍ରୀୟ ସଂସ୍ଥା ଏବେ ଓଡ଼ିଶା ବାତ୍ୟା ପରିଚାଳନା ନୀତିକୁ ଆଦର୍ଶ ରୂପେ ନେଉଛନ୍ତି। ବ୍ୟକ୍ତିଜୀବନ ପରି ରାଷ୍ଟ୍ରକୁ ମଧ୍ୟ ବିପଦ ଗ୍ରାସ କରିଥାଏ, କିନ୍ତୁ ରାଷ୍ଟ୍ର ଜୀବନର ବିପଦକୁ ସାମୂହିକ ରୂପେ ମୁକାବିଲା କରାଯାଇଥାଏ। ଚାଣକ୍ୟଙ୍କ ମତରେ ବିପଦ ଯେ ପର୍ଯ୍ୟନ୍ତ ନ ଆସିଛି ତାକୁ ଡରିବା ଦରକାର। ଶତ୍ରୁ ଯେତେବି ଦୁର୍ବଳ ହେଉ ନା କାହିଁକି ତାକୁ ହାଲୁକାରେ କେବେ ବି ନେବା ଗ୍ରହଣୀୟ ନୁହେଁ। ମହାମାରୀ ହେଉ କି ପ୍ରାକୃତିକ ବିପର୍ଯ୍ୟୟ ସାମୂହିକ ଉଦ୍ୟମ ଆଗରେ ହାର ମାନିବ।
୧୯୩୪ ମସିହାରେ ରେଭେନ୍‌ଶା କଲେଜର ବାର୍ଷିକ ଉତ୍ସବରେ ନୋବେଲ ବିଜୟୀ ମହାନ ଭାରତୀୟ ବୈଜ୍ଞାନିକ ସି.ଭି.ରମଣ ଏକଦା କହିଥିଲେ ”ମୁଁ ଥିଲେ ଯୁଧିଷ୍ଠିରଙ୍କୁ କହିଥାନ୍ତି ପଶାକାଠି ପକାଇବା ପୂର୍ବରୁ ପ୍ରତି କାଠିକୁ ମାପ ଯନ୍ତ୍ରରେ ମାପି ନିଅ, ଓଜନ କର, ଦେଖ ସବୁ ସମାନ କି ନାହିଁ।“ ଭାଗ୍ୟ ଉପରେ ସବୁ ଛାଡ଼ିଦେବା ଆଗରୁ ନିଜ ବୁଦ୍ଧି, ସତର୍କତା ଓ ଉଦ୍ୟମ ପୂର୍ଣ୍ଣମାତ୍ରାରେ ପ୍ରୟୋଗ କରିବା ଉଚିତ। ଏଠି ଏହା କହିବାର ଯଥାର୍ଥତା ହେଉଛି ଅନ୍ତର୍ଦୃଷ୍ଟି, ବିବେକ ଆଉ ବୈଜ୍ଞାନିକ ଚିନ୍ତାଧାରା ସହ ମାନବିକତାର ମନ୍ତ୍ରରେ ଦୀକ୍ଷିତ ହେଲେ ସଙ୍କଟକୁ ଏଡ଼ାଇ ଦିଆଯାଇପାରିବ। ମହାମାରୀ କରୋନା ଆଉ ମହାବାତ୍ୟା ଅମ୍ଫନ୍‌ ଏହା ହଁି ଶିକ୍ଷା ଦିଏ ‘ସମାଜ ଓ ପରିବେଶ ବଞ୍ଚିଲେ ଆମେ ବଞ୍ଚିବା’।
ଅଧ୍ୟାପକ, ପ୍ରୟୋଗାତ୍ମକ ଭୂଗୋଳ ବିଭାଗ,
ରେଭେନ୍‌ଶା ବିଶ୍ୱବିଦ୍ୟାଳୟ
ମୋ:୯୪୩୯୧୬୭୮୫୫,
ଇମେଲ:sibasankarjnu@gmail.com


All Right Reserved By Dharitri.Com

ଏଇ ଭାରତରେ

ଉତ୍ତରପ୍ରଦେଶର କୌଶାମ୍ବୀ ଜିଲାର ଶିକ୍ଷକ ଅଜୟ ସାହୁ ଏକ ଗ୍ରାମୀଣ ସ୍କୁଲ୍‌ର ପରିବେଶକୁ ବଦଳାଇ ଉଦାହରଣ ସୃଷ୍ଟି କରିଛନ୍ତି। ୨୦୧୬-୧୭ ଶିକ୍ଷା ବର୍ଷରେ ଅଜୟ ସିରାଥୁ...

ରୋଗ ଉପଶମରେ ଯୋଗର ପ୍ରୟୋଗ

ଇଂ. ହାଡ଼ିବନ୍ଧୁ ଖଣ୍ଡୁଆଳ ଋତୁ ପରିବର୍ତ୍ତନ ତଥା ଜଳବାୟୁ ପରିବର୍ତ୍ତନ ଫଳରେ ଆମେ ଅନେକ ପ୍ରକାର ପୀଡ଼ାର ସମ୍ମୁଖୀନ ହେଉ। ଆମ ମୁଣ୍ଡଠାରୁ ଆରମ୍ଭ କରି...

ଟୁନାମାଛର ବିପଦ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ଆମେରିକାରେ ବିକ୍ରି ହେଉଥିବା ୟେଲୋଫିନ୍‌ ଟୁନା (ହଳଦିଆ ଡେଣାଯୁକ୍ତ ଟୁନା ମାଛ)ର ଉତ୍ପାଦଗୁଡ଼ିକ ଖାଦ୍ୟ ବିଷାୟନର କାରଣ ହୋଇପାରେ ବୋଲି...

ଲକ୍‌ଡାଉନ୍‌ ଯଥେଷ୍ଟ ନୁହେଁ

କରୋନା ଭାଇରସ୍‌ ଭାରତରେ ୧୧୦୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ସଂକ୍ରମିତ କରିଥିବା ବେଳେ ୨୭ ଜଣଙ୍କ ଜୀବନ ନେଇଗଲାଣି। ଗତ କିଛି ଦିନ ମଧ୍ୟରେ ଏହା ଯେଭଳି...

ସବୁଜ ଅର୍ଥନୀତିର ପଥପ୍ରଦର୍ଶକ

ବ୍ୟକ୍ତିତ୍ୱ/ଶିବ ପ୍ରସାଦ ପୁହାଣ ପ୍ରଖ୍ୟାତ ଭାରତୀୟ ପରିବେଶ ଅର୍ଥଶାସ୍ତ୍ରୀ ତଥା ଜାତିସଂଘ ପରିବେଶ କାର୍ଯ୍ୟକ୍ରମ (ୟୁଏନ୍‌ଇପି) ର ଗୁଡ୍‌ଓ୍ବିଲ ଆମ୍ବାସାଡର ପବନ ସୁଖଦେବ ୨୦୨୦ର ଟାଇଲର୍‌...

ଆଜିର ନାରୀ ପ୍ରତିଭା

ବୈକୁଣ୍ଠନାଥ ମିଶ୍ର ନାରୀ ଆଉ ଅସୂର୍ଯ୍ୟଂପଶ୍ୟା, ଦୁର୍ବଳା ଓ ପରମୁଖାପେକ୍ଷୀ ହୋଇ ରହିନାହିଁ। ସମୟ ନାରୀ ମଧ୍ୟରେ ଏକ ଅପୂର୍ବ ଜାଗରଣ ସୃଷ୍ଟିକରି ତାକୁ ସମାଜର...

ସମ୍ପାଦକୀୟ/ବୁଦ୍ଧି ଲୋଡ଼ା

ଚଳିତବର୍ଷ ଅର୍ଥନୀତି ପାଇଁ ନୋବେଲ ପୁରସ୍କାର ପାଇଥିବା ଭାରତୀୟ-ଆମେରିକୀୟ ଅଭିଜିତ୍‌ ବାନାର୍ଜୀ ୨୨ ଅକ୍ଟୋବରରେ ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ୍‌ ଆଲୋଚନା କରିଛନ୍ତି।...

ସମ୍ପାଦକୀୟ/ଅଷ୍ଟ୍ରେଲିଆ ନିଆଁ

ଏବେ ପୃଥିବୀ ସମ୍ମୁଖରେ ଆମେରିକା-ଇରାନ୍‌ ମଧ୍ୟରେ ତିକ୍ତତା ସବୁଠାରୁ ଅଧିକ ଦୃଷ୍ଟି ଆକର୍ଷଣ କରୁଛି। ବିନା କାରଣରେ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ଇରାନ୍‌କୁ ଉସୁକାଇବା...

Leave a comment

Your email address will not be published. Required fields are marked *