ନେପାଳ ଗଲା

ଏବର କେନ୍ଦ୍ର ସରକାର ସର୍ବଦା କହିଆସୁଛନ୍ତି, ଭାରତ ବିଶ୍ୱର ବିଭିନ୍ନ ଦେଶ ସହ ଉତ୍ତମ ସମ୍ପର୍କ ରଖିଚାଲିଛି। ଆମେରିକା ଓ ଅନ୍ୟ ବିକଶିତ ରାଷ୍ଟ୍ରଗୁଡ଼ିକ ଭାରତର ନେତୃତ୍ୱକୁ ସମ୍ମାନ ଦେଉଥିବା ବିଷୟ ବିଭିନ୍ନ ମଞ୍ଚରେ ବାରମ୍ବାର କୁହାଯାଉଛି। ଉଲ୍ଲେଖଯୋଗ୍ୟ, ଭାରତକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ୨୦୦ ଭେଣ୍ଟିଲେଟର ଉପହାର ଦେବେ ବୋଲି ଘୋଷଣା କରିଛନ୍ତି। ଗୋଟିଏ ପଟେ ଟ୍ରମ୍ପ୍‌ଙ୍କ ଗତ ଫେବୃୟାରୀରେ ଗୁଜରାଟର ଅହମଦାବାଦ ପରିଦର୍ଶନ ଏବଂ ତାଙ୍କ ସମ୍ବର୍ଦ୍ଧନା ଲାଗି କରାଯାଇଥିବା ‘ନମସ୍ତେ ଟ୍ରମ୍ପ୍‌’ କାର୍ଯ୍ୟକ୍ରମରେ ୧୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା କଥା ସମସ୍ତେ ଜାଣନ୍ତି। ଅନ୍ୟପଟେ ଖୋଦ୍‌ ରାଷ୍ଟ୍ରପତି ଟ୍ରମ୍ପ୍‌ ନିଜ ଦେଶ ଆମେରିକାରେ ଲାଗି ରହିଥିବା କରୋନା ଭାଇରସ୍‌ଜନିତ ମୃତ୍ୟୁ ସମ୍ଭାଳିବା ପାଇଁ ଭେଣ୍ଟିଲେଟର ଯୋଗାଇପାରି ନାହାନ୍ତି। ଏହି ଉପହାର କେତେଦୂର ଭାରତର ସମସ୍ୟା ସମାଧାନ କରିବାରେ ସହାୟକ ହେବ କହିବା କଷ୍ଟକର। କିନ୍ତୁ ଏଭଳି ଏକ ବିପଜ୍ଜନକ ପରିସ୍ଥିତିରେ ଆମେରିକା ରାଷ୍ଟ୍ରପତିଙ୍କ ଏହି ଦାନ ସତେ ଯେମିତି କୌତୂହଳର ବିଷୟ ମନେହେଉଛି। ଉଲ୍ଲେଖଯୋଗ୍ୟ, ଭାରତରେ ପ୍ରସ୍ତୁତ ମ୍ୟାଲେରିଆ ଔଷଧ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌, ଯାହାକୁ କେବଳ ରାଷ୍ଟ୍ରପତି ଟ୍ରମ୍ପ କହୁଛନ୍ତି ଯେ କୋଭିଡ୍‌-୧୯ ଦ୍ୱାରା ପୀଡ଼ିତ ରୋଗୀଙ୍କୁ ଏହା ଉପଶମ କରିବ, ତାହାକୁ ଭାରତରୁ ଆମଦାନୀ କରିବାକୁ ସେ ଇଚ୍ଛା ପ୍ରକାଶ କରିଥିଲେ। ଦେଖିବାକୁ ଗଲେ ସେହି ଔଷଧ ରପ୍ତାନିକୁ ଭାରତ ସରକାର ବନ୍ଦ କରିଥିଲେ। ଭାରତ ଯଦି ତାହା ପଠାଇବାକୁ ମନା କରିବ, ତେବେ ଉଚିତ ଜବାବ ଦିଆଯିବ ବୋଲି ଟ୍ରମ୍ପ୍‌ ଘୋଷଣା କଲେ। ଏପରି ଧମକ ପାଇ ଭାରତ ସରକାର ତାଙ୍କ ନିଷ୍ପତ୍ତିରୁ ଓହରିଗଲେ। ପରେ ଧମକରେ ଆଣ୍ଠେଇ ପଡ଼ିଥିବା ଭାରତକୁ ମଲମ ଲଗାଇବାକୁ ଯାଇ ଟ୍ରମ୍ପ୍‌ ମାତ୍ର ୨୦୦ ଭେଣ୍ଟିଲେଟର ଦେବାକୁ କହିଛନ୍ତି। ଏଥିରୁ ମନେହୁଏ ନାହିଁ ଯେ, ଯେପରି ଆମେରିକା ଓ ଭାରତ ମଧ୍ୟରେ ଏକ ସମାନ ଓଜନର ସମ୍ପର୍କ ରହିଛି।
ଏବେ ଦୂରରୁ ଫେରିଆସି ନିକଟତର ପଡ଼ୋଶୀ ସହ ସମ୍ପର୍କକୁ ଦୃଷ୍ଟି ଦିଆଯାଉ। ଭାରତ-ନେପାଳ ସୀମାକୁ ନେଇ ବର୍ତ୍ତମାନ ବିବାଦ ଉପୁଜିଛି। ଭାରତର ପଡ଼ୋଶୀ ଛୋଟିଆ ଦେଶ ନେପାଳ ତା’ର ନୂଆ ରାଜନୈତିକ ମାନଚିତ୍ରକୁ ଅନୁମୋଦନ କରିଛି। ଏଥିରେ ଉତ୍ତରାଖଣ୍ଡରେ ଅବସ୍ଥିତ କାଲାପାଣି, ଲିପୁଲେଖ ଓ ଲିମ୍ପିୟାଧୁରା ଅଞ୍ଚଳକୁ ନେପାଳ ସ୍ଥାନ ଦେଇଛି। ଖୁବ୍‌ଶୀଘ୍ର ଏହି ମାନଚିତ୍ରକୁ ସାଧାରଣରେ ପ୍ରକାଶ କରାଯିବ ବୋଲି ନେପାଳ ବହିର୍ବ୍ୟାପାର ମନ୍ତ୍ରୀ ପ୍ରଦୀପ କୁମାର ଗିଓ୍ବାଲି ୧୯ ମେ’ରେ କହିଛନ୍ତି। ସୂଚନା ଦିଆଯାଇପାରେ ଯେ, କାଲାପାଣି ଉତ୍ତରାଖଣ୍ଡର ପିଥୋରଗଡ଼ ଜିଲାରେ ଥିବା ବେଳେ କାଠମାଣ୍ଡୁ ଏହାକୁ ଧାରଚୁଲା ଜିଲାର ବୋଲି କହୁଛି। ସେହିପରି ଲିପୁଲେଖ ପାସ୍‌ ଓ ଲିମ୍ପିୟାଧୁରା ଉଭୟ ଦେଶର ସୀମାନ୍ତରେ ଥିବାରୁ ପରସ୍ପର ମଧ୍ୟରେ ଏହି ଅଞ୍ଚଳକୁ ନେଇ ବିବାଦ ଉପୁଜିଛି।
ଭାରତ-ନେପାଳ ସମ୍ପର୍କର ତିକ୍ତତାକୁ ବୁଝିବାକୁ ହେଲେ ଅତୀତକୁ ଦେଖିବାକୁ ହେବ। ଦକ୍ଷିଣ ନେପାଳରେ ବାସ କରୁଥିବା ମାଧେସୀ ସମ୍ପ୍ରଦାୟର ଜନସାଧାରଣଙ୍କ ବଂଶଗତ ସମ୍ପର୍କ ଉତ୍ତର ପ୍ରଦେଶ ଓ ବିହାର ସହିତ ରହିଛି। ନେପାଳର ମୂଳ ବାସିନ୍ଦାମାନେ ସେମାନଙ୍କୁ ନେପାଳି ଭାବେ ମାନ୍ୟତା ଦିଅନ୍ତି ନାହିଁ। ସେଠାରେ ନୂତନ ସମ୍ବିଧାନ ପ୍ରଣୟନ ବେଳେ ମାଧେସୀ ସମ୍ପ୍ରଦାୟକୁ କୌଣସି ସାମ୍ବିଧାନିକ ଅଧିକାର ଦିଆଯାଇ ନ ଥିଲା। ସେମାନେ କାଠମାଣ୍ଡୁ ବିରୋଧରେ ପ୍ରତିବାଦ କରିବାରୁ ଭାରତର ଭୂମିକା ନେପାଳ ଜନସାଧାରଣଙ୍କୁ କ୍ରୋଧିତ କରିଥିଲା। ମାଧେସୀମାନେ ଅର୍ଥନୈତିକ ଅବରୋଧ କରିଛନ୍ତି ବୋଲି କହି ଭାରତ ସରକାରଙ୍କ ଅତ୍ୟନ୍ତ ଦୂରଦୃଷ୍ଟିହୀନତାରୁ ଔଷଧ, ପେଟ୍ରୋଲଜାତ ସାମଗ୍ରୀ ଏବଂ ଖାଦ୍ୟ ଭଳି ଅତ୍ୟାବଶ୍ୟକ ଦ୍ରବ୍ୟଗୁଡ଼ିକୁ ନେପାଳ ଯିବାକୁ ଦିଆଯାଇ ନ ଥିଲା। ସେବେଠାରୁ ଏକମାତ୍ର ହିନ୍ଦୁ ରାଷ୍ଟ୍ର ତା’ର ନୂତନ ସମ୍ବିଧାନରେ ନିଜକୁ ଧର୍ମନିରପେକ୍ଷ ଆଖ୍ୟା ଦେଇଦେଲା। ଏହା ମୋଦି ସରକାରଙ୍କୁ ଅଧିକ କ୍ଷୁବ୍ଧ କରିଥିଲା। ନେପାଳୀ ଗଣମାଧ୍ୟମରେ ପ୍ରଚାର କରାଗଲା ଯେ, ଭାରତ ପୁନର୍ବାର ରାଜ ପରିବାରକୁ କ୍ଷମତାସୀନ କରିବାକୁ ମସୁଧା ଚଳାଇଛି। ଗଣତାନ୍ତ୍ରିକ ନେପାଳ ତାହାର ପ୍ରତିକ୍ରିୟା ସ୍ବରୂପ କମ୍ୟୁନିଷ୍ଟ ଚାଇନା ସହିତ ସମ୍ପର୍କ ଗଢ଼ିବାକୁ ଯାଇ ଓ୍ବାନ୍‌ ବେଲ୍ଟ ଓ୍ବାନ୍‌ ରୋଡ୍‌ (ଓବର) ଚୁକ୍ତିରେ ସ୍ବାକ୍ଷର କରିଥିଲା। ସେଥିପାଇଁ ଏବେ ସବୁ ଛୋଟ ବଡ଼ କଥାରେ ଟଣାଓଟରା ଚାଲିବ ବୋଲି ଭାରତୀୟମାନେ ବୁଝିଯିବା ଦରକାର। ଚଳିତ ମାସ ପ୍ରାରମ୍ଭରେ ନେପାଳର ଧାରଚୁଲା ସହ ଲିପୁଲେଖ ପାସ୍‌ ସଂଯୋଗ ଲାଗି ନୂଆ ରାସ୍ତା ନିର୍ମାଣକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଭିଡିଓ କନ୍‌ଫରେନ୍ସ ଜରିଆରେ ଉଦ୍‌ଘାଟନ କରିଥିଲେ। ଏହି ରାସ୍ତା ଦ୍ୱାରା କୈଳାସ ମାନସରୋବର ଯାଉଥିବା ତୀର୍ଥଯାତ୍ରୀଙ୍କ ପାଇଁ ଦୂରତା କମିଯିବ। ଏହାକୁ ନେଇ କାଠମାଣ୍ଡୁ ଆପତ୍ତି ଉଠାଇଥିଲା। ନେପାଳର କହିବା ଅନୁଯାୟୀ, ଲିପୁଲେଖ ଅଞ୍ଚଳ ନେପାଳରେ ଥିବା ହେତୁ ଭାରତର ପ୍ରତିରକ୍ଷା ମନ୍ତ୍ରୀ ଏହାକୁ ଉଦ୍‌ଘାଟନ କରିବା ସୀମା ବିବାଦକୁ ଉସୁକାଇଛି। ଅନ୍ୟପକ୍ଷରେ ଭାରତର ସେନାମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରଓ୍ବାଣେ କହିଛନ୍ତି ଯେ, ନେପାଳ-ଭାରତ ସୀମା ବିବାଦକୁ ଚାଇନା ଟିହାଉଛି। ଏହା ନିଶ୍ଚିତ ଭାବେ ସତ୍ୟ ହୋଇଥିବ। ଆଜିର ରାଜନୈତିକ ନେତୃତ୍ୱ ବ୍ୟକ୍ତିଗତ କାରଣରୁ ଦେଶର ଦୀର୍ଘମିଆଦୀ ହିତକୁ ଜଳାଞ୍ଜଳି ଦେଇଦେଉଛନ୍ତି। ତ୍ତତ୍ତର ଭାରତର ସୀମାରେ ନେପାଳର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସେହି ଦେଶର ଦକ୍ଷିଣରେ ଭାରତ ଥିବା ବେଳେ ଉତ୍ତରରେ ଚାଇନା। ଯଦି ନେପାଳର ସମ୍ପର୍କ ଚାଇନା ସହିତ ଅଧିକ ନିବିଡ଼ ହୋଇଚାଲେ, ତେବେ ଚାଇନାର ଲାଲ୍‌ ସେନା ଉତ୍ତର ପ୍ରଦେଶ ଓ ବିହାରକୁ ସୀମାନ୍ତ ରାଜ୍ୟରେ ଅତି ସହଜରେ ପରିଣତ କରିଦେବ। ଅର୍ଥାତ୍‌ ଭାରତର ସୀମାର ଦୈର୍ଘ୍ୟ ଅନେକ ପରିମାଣରେ ବଢ଼ିଯିବ। ଏବେ ଘଟାଯାଉଥିବା କୂଟନୈତିକ ତ୍ରୁଟି ଭାରତର ଭବିଷ୍ୟତକୁ ଅନ୍ଧକାର କରିବା ସହିତ ଅନେକ ଯୁଗ ପାଇଁ ସମସ୍ୟା ସୃଷ୍ଟି କରିଦେବ। ଏହିଭଳି ପୂର୍ବର ବନ୍ଧୁ ଥିବା ଦେଶଗୁଡ଼ିକ ସହିତ ତିକ୍ତତା ବଢ଼ୁଥିବାରୁ ବାଂଲାଦେଶ ଏବେ ଭାରତ ସପକ୍ଷବାଦୀରୁ ବିପକ୍ଷବାଦୀ ପାଲଟିବା ଆରମ୍ଭ କଲାଣି। ଅନୁରୂପ ଭାବେ ଡୋକ୍‌ଲାମ ଯୋଗୁ ଭୁଟାନ୍‌ ଏବଂ ବିଭିନ୍ନ କାରଣରୁ ମ୍ୟାନ୍‌ମାର ଓ ଶ୍ରୀଲଙ୍କା ସହିତ ସମ୍ପର୍କ ଅତି ବିଗିଡ଼ିଯାଇଛି। ଆଜିର ସମୟରେ ଏହା ଭାରତ ପାଇଁ ଅତ୍ୟନ୍ତ ଆବଶ୍ୟକ ଯେ, ପ୍ରଥମେ ପଡ଼ୋଶୀ ଦେଶକୁ ନିହାତି ବନ୍ଧୁତ୍ୱର ନିବିଡ଼ତା ପ୍ରମାଣ ଦେଇ ପୁନର୍ବାର ସୁସମ୍ପର୍କ ଗଢ଼ିବା।


All Right Reserved By Dharitri.Com

ତସ୍ମୈ ଶ୍ରୀ ଶିଷ୍ୟବେ ନମଃ

ତୁଳସୀଦାସ ମିଶ୍ର ପାଠ ନ ଜାଣିଲେ ବୋଲି ଛାତ୍ରଙ୍କୁ ମାଡ଼ ମାରି ପ୍ରଧାନ ଶିକ୍ଷକ ଜଣେ କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି। ‘କହି ଦେଉଥାଏ ପରକୁ, ବାଟ...

ଏଇ ଭାରତରେ

ସମାଜରେ ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ବିନା କିଛି ପାଇବା ଆଶାରେ ବିଭିନ୍ନ ସେବା ଯୋଗାଇ ଦେଇଥାନ୍ତି। ତେବେ ଜଣେ ସାଧାରଣ ଓ୍ବେଲ୍‌ଡର ମାଗଣାରେ ଅକ୍ସିଜେନ...

ପ୍ରତିବାଦ

ପ୍ର. ପ୍ରଫୁଲ୍ଲ କୁମାର ମହାନ୍ତି ପ୍ରତିବାଦ ଏକ ପ୍ରତିକୂଳ ଉକ୍ତି। ପ୍ରତିବାଦ ଗୋଟିଏ ମତବାଦ ବି। ନିୟମ, ଆଇନ, ବ୍ୟବସ୍ଥା, ଆଦର୍ଶ ବିରୋଧରେ ଏକ ଭିନ୍ନମତର...

ସମସ୍ତଙ୍କ ବିଶ୍ୱାସଭାଜନ

ସପ୍ତଦଶ ଲୋକ ସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ଭାଜପା) ୩୦୩ ଆସନ ପାଇ ଏକାକୀ ସଂଖ୍ୟାଗରିଷ୍ଠତା ହାସଲ କରିବା ସହ ସହଯୋଗୀଙ୍କୁ ନେଇ ଏନ୍‌ଡିଏ...

ଏଇ ଭାରତରେ

ଜଣେ ମହିଳା ୩୦୦ ପ୍ରାଣୀଙ୍କୁ ନେଇ ଗଠିତ ପରିବାରକୁ ସମ୍ଭାଳିବା କଥା କେବେ ଶୁଣିଛନ୍ତି କି। ଏମିତି ଜଣେ ମହିଳା ରହିଛନ୍ତି ମୁମ୍ବାଇରେ। ତାଙ୍କ ନାମ...

ମୁଁ ସ୍ବର ଉଠାଏ

ଡ. ଗାୟତ୍ରୀବାଳା ପଣ୍ଡା ”ମୁଁ ସ୍ବର ଉଠାଏ- ତା’ର ମାନେ ନୁହେଁ ଯେ ମୁଁ ଚିତ୍କାର କରେ, ତା’ର ଅର୍ଥ ହୁଏତ ଏୟା ଯେ ଯେଉଁମାନେ...

ବାଘ ସୁରକ୍ଷା: ଦାୟ କାହାର

ସବ୍ୟସାଚୀ ଅମିତାଭ ଏଇ ଦିନ କେଇଟା ତଳେ ଉତ୍ତରପ୍ରଦେଶର ପିଲ୍‌ଭିଟ୍‌ ବ୍ୟାଘ୍ର ଅଭୟାରଣ୍ୟର ଗୋଟିଏ ମହାବଳ ବାଘକୁ ଲୋକେ ପିଟିପିଟି ମାରିଦେଇଛନ୍ତି। ଖାଦ୍ୟ ଅନ୍ବେଷଣରେ ବାଘଟି...

ଆଜିର ଅର୍ଥନୀତି/ ଆତ୍ମଘାତୀ ନୀତି

ଟେଲିକମ୍‌ କମ୍ପାନୀଗୁଡିକ ଉପରେ ବାକି ଥିବା ଆଡ୍‌ଜଷ୍ଟେଡ ଗ୍ରସ୍‌ ରେଭିନ୍ୟୁ (ଏଜିଆର୍‌) ଦେୟର ପୁନର୍ଗଣନା ଲାଗି ଚେଷ୍ଟା କରିବା ଯୋଗୁ ସୁପ୍ରିମ୍‌କୋର୍ଟ ବୁଧବାର ଦୂରସଞ୍ଚାର ବିଭାଗ...

Leave a comment

Your email address will not be published. Required fields are marked *