ଆମ ପାଇଁ ହରି ଭରସା

ଚିତ୍ର ଚରିତ୍ର/ ନିରଞ୍ଜନ ପାଢ଼ୀ
”ହେ ପ୍ରଭୁ! ଏ ଜନ୍ମ ତ ନିଷ୍ଫଳ ହେଲା। ପୁନର୍ଜନ୍ମ ବୋଲି ଯଦି କିଛି ଥାଏ, ତେବେ ଆସନ୍ତା ଜନ୍ମରେ ଆଉ ଯେଉଁ ଜନ୍ମ ଦେବୁ ପଛେ ମଣିଷ ଜନ୍ମ କେବେ ଦେବୁନି।“ ପ୍ରାଣୀଙ୍କ ମଧ୍ୟରେ ସବୁଠୁ ଶ୍ରେଷ୍ଠ ଜୀବ ଭାବେ ମଣିଷକୁ ଗଣା ହେଉଥିଲା ବେଳେ ପ୍ରାୟ ଛଅମାସ ତଳେ ଆମ ରାଜ୍ୟର ସାନଖେମୁଣ୍ଡି ଅଞ୍ଚଳର ବୁଢାବୁଢୀ ଦୁହେଁ ଏମିତି ଏକ ପ୍ରାର୍ଥନା ଈଶ୍ୱରଙ୍କୁ କରିଥିଲେ। ଏମିତି ଏକ ବିଚିତ୍ର ବର ମାଗିଥିବା ବୁଢାବୁଢୀ ଦୁହେଁ ଥିଲେ ସ୍ବାମୀସ୍ତ୍ରୀ, ଯିଏ ନିଜ ବଡପୁଅର ଘର ବାରଣ୍ଡାରେ ସଞ୍ଜରୁ ପରଦିନ ସକାଳ ଯାଏ ରାତି ଉଜାଗର ରହି, ମଶାକାମୁଡା ସହି ନିଜ ପୁଅବୋହୂଙ୍କ ଆଗମନକୁ ଅପେକ୍ଷା କରୁଥିଲେ।
ସମର୍ଥ ତିନିପୁଅଙ୍କ ଏହି ମାତାପିତା ଦୁହେଁ କ୍ୟାଲେଣ୍ଡରର ପୃଷ୍ଠା ଭିତରେ ନିଜକୁ ବାଣ୍ଟି ଚାଲିଥିଲେ ପ୍ରତି ପୁଅ ପାଖରେ ଦୁଇମାସ ଲେଖାଏ ରହି। ସାନ ଓ ମଝିଆ ପୁଅର ପାଳି ସରିବାରୁ ଚାରିମାସ ପରେ ସେମାନେ ଆସିଥିଲେ ପରବର୍ତ୍ତୀ ଆଶ୍ରୟସ୍ଥଳ ନିଜ ବଡପୁଅ ଘରକୁ। ସା ପୂର୍ବରୁ ପହଞ୍ଚି ଦେଖିଲେ ବଡପୁଅର ଘରେ ତାଲା ପଡିଛି। ପୁଅବୋହୂ ବାହାରକୁ ଯାଇଥିବେ ଓ ଫେରିଆସିବେ ଭାବି ଘର ବାରଣ୍ଡାରେ ଅପେକ୍ଷା କରି ବସି ରହିଲେ। ମାତ୍ର ସେମାନଙ୍କର ଫେରିବାର ନ ଥିଲା। ମଶାକାମୁଡାର ଯନ୍ତ୍ରଣା ସହି ଘର ବାରଣ୍ଡାରେ ଭୋକଉପାସରେ ରାତି ପାହିଗଲା। ପରଦିନ ପ୍ରଭାତରେ ଗାଁ ଲୋକେ ବୁଢାବୁଢୀଙ୍କ ଦୟନୀୟ ଅବସ୍ଥା ଦେଖି ବଡପୁଅକୁ ଫୋନ କରି ଖବର ଦେଲେ। ମାତ୍ର ସେଆଡୁ ଖବର ଆସିଲା, ସେମାନଙ୍କର ଆସିବା ବିଳମ୍ବ ହେବ କେଇଦିନ ପାଇଁ। ଅବଶ୍ୟ ଏ କଥା କହିଲେ ନାହିଁ ଯେ ଏହା ସେମାନଙ୍କର ଇଚ୍ଛାକୃତ ବିଳମ୍ବ ବୋଲି।
ସଦ୍ୟ ପାଳି ସରିଥିବା ମଝିଆ ପୁଅକୁ ଗାଁ ଲୋକେ ଫୋନ କଲେ। ବୋଝମୁକ୍ତିର ଆନନ୍ଦ ଉପଭୋଗ କରୁଥିବା ମଝିଆ ପୁଅ ସ୍ପଷ୍ଟ ମନା କରିଦେଲା। ଅସହାୟ ବୃଦ୍ଧ ଦମ୍ପତିଙ୍କ କରୁଣ କାନ୍ଦ ଗାଁ ଲୋକଙ୍କୁ ବିବଶ କଲା ସବା ସାନ ପୁଅ ସହ ଯୋଗାଯୋଗ କରିବାକୁ। ତା’ ସହ ମୂଲଚାଲ ପରେ ସ୍ଥିର ହେଲା, ଯେତେଦିନ ଯାଏ ବଡ ପୁଅ ତା’ ଘରକୁ ଫେରିନାହିଁ ସେତେଦିନ ବାପମା’ଙ୍କୁ ସାନପୁଅ ରଖିବ ଓ ସେ ବାବଦ ଖର୍ଚ୍ଚ ବଡପୁଅ ଫେରିଲା ପରେ ତା’ଠାରୁ ଆଦାୟ କରାଯିବ। ଆପାତତଃ ସମସ୍ୟାର ସମାଧାନ ହେଲା ବେଳକୁ ଗାଁର ମୁରବି ମନ୍ତବ୍ୟ ଦେଲେ, ”ଏମିତି କେତେ ଦହଗଞ୍ଜ ହେଉଥିବ। ଥାନାରେ ଯାଇ ପୁଅଙ୍କ ବିରୋଧରେ ଅଭିଯୋଗ କରୁନ କାହିଁକି?“ ଏମନ୍ତ ଟିପ୍ପଣୀ ଶୁଣି ମାଆ ଚିତ୍କାର କରି କାନ୍ଦିବାକୁ ଆରମ୍ଭ କଲାରୁ ବାପା ନିଜ ଆଖିର ଲୁହ ପୋଛି ମନ୍ତବ୍ୟ ଦେଲେ, ”ଆମେ କ’ଣ ଥାନାରେ ଫେରାଦ ହେବୁ? ତିନି ବୋହୂ ପରା ଆମକୁ ଜେଲରେ ପୂରାଇବାକୁ କେଇବାର ଧମକ ଦେଇ ସାରିଲେଣି। ଆଇନ କାଳେ ତାଙ୍କ ସପକ୍ଷରେ ଯିବ ବୋଲି ଶୁଣିଲା ପରେ ଆମକୁ ଯେତେ ନିର୍ଯାତନା ଦେଲେ ବି ଚୁପଚାପ ସବୁ ସହିନେଇ ପଡିରହୁଛୁ। ଆଇନକାନୁନ, କୋର୍ଟକଚେରି ସବୁ ତାଙ୍କ ପାଇଁ। ଆମ ପାଇଁ କେବଳ ହରିଭରସା!“
ପ୍ରକୃତରେ ଯେତେବେଳେ ବ୍ୟାଧି ବା ବାର୍ଦ୍ଧକ୍ୟ ମଣିଷକୁ କଲବଲ କରେ, ଯେତେବେଳେ ଅସହାୟ ଅବସ୍ଥାରେ ଆହା କହି ସାହା ହେବାକୁ ସାଙ୍ଗରେ କେହି ନ ଥାନ୍ତି, ଯେତେବେଳେ ପୁତ୍ରକନ୍ୟାମାନେ ନିଜ ନିଜର ବର୍ତ୍ତମାନ ସହ ବ୍ୟସ୍ତ ରହି ଭବିଷ୍ୟତ ଗଢିବା ଆଳରେ ଅତୀତକୁ ବିସ୍ମରିଯାଆନ୍ତି; ସେତେବେଳେ ରକ୍ଷାକବଚ ସାଜିବାକୁ ଆଇନକାନୁନ ଅପେକ୍ଷା ବେଶି ଲୋଡା ପଡନ୍ତି ସେଇ ‘ହରି’ ନାମଧାରୀ ଅଦୃଶ୍ୟ ରହସ୍ୟମୟ ଶକ୍ତି। ବୟସ ଯେତେ ଯେତେ ଆଗକୁ ବଢିଥାଏ, ବାର୍ଦ୍ଧକ୍ୟ ଯେତେ ଯେତେ ଶକ୍ତି ହରଣ କରି ନେଉଥାଏ, ସେତେ ସେତେ ସେଇ ଅଦୃଷ୍ଟ ଈଶ୍ୱରଙ୍କ ପ୍ରତି ଆସ୍ଥା ଓ ବିଶ୍ୱାସ ବଢି ବଢି ଚାଲୁଥାଏ।
ମାତ୍ର ଯୌବନର କଥା ନିଆରା। ଜ୍ୱଳନ୍ତ ଯୌବନର ଉଦ୍ଦାମତା ଧର୍ମ, ଅଧର୍ମ, ପାପପୁଣ୍ୟର ପ୍ରଭେଦ ଦେଖିପାରେନା। ଆଜିର ପୁଅ କାଲି ବାପା ହେବ ବା ଆଜିର ବୋହୂ କାଲି ଶାଶୁ ହେବ, ଏ କଥା ମନରେ ହେଜେନା। କେଇବର୍ଷ ତଳେ ରାଜ୍ୟର ଜଣେ ଜନନେତ୍ରୀ ଯୌତୁକ ଜୁଇରେ ଜଳି ଯାଉଥିବା ନିରୀହ ନବବଧୂମାନଙ୍କୁ ଲକ୍ଷ୍ୟ କରି ଯୌତୁକଲୋଭୀ ଶାଶୁଶ୍ୱଶୁରଙ୍କୁ ବୋହୂମାନେ ମାଡମାରିବାକୁ ଆହ୍ବାନ ଦେଇଥିଲେ। ଅବଶ୍ୟ ଏହା ଅନସ୍ବୀକାର୍ଯ୍ୟ ଯେ ସେତେବେଳେ ଯୌତୁକରାକ୍ଷସର ଆସୁରିକ ପ୍ରଭାବରେ କେତେକ ଅର୍ଥମୋହଗ୍ରସ୍ତ ଶାଶୁଶ୍ୱଶୁର ସେମାନଙ୍କ ବୋହୂମାନଙ୍କୁ ବାରମ୍ବାର ଅକଥନୀୟ ନିର୍ଯାତନା ଦେଇ ଚାଲିଥିଲେ। ଏମାନଙ୍କ କରାଳ କୋପରୁ ମୁକ୍ତି ପାଇବା ପାଇଁ କପାଳରେ ସଧବା ସିନ୍ଦୂର ପିନ୍ଧି ଏକ ନୂଆ ଜୀବନର ସ୍ବପ୍ନ ଦେଖୁଥିବା ଶହ ଶହ ନିରିମାଖି ଯୁବବଧୂ ନିଜ ଜୀବନର ଯବନିକା ଟାଣୁଥିଲେ ତ ଅନ୍ୟ କେଉଁଠି ଅପେକ୍ଷାକୃତ ଦୃଢମନା ବୋହୂମାନେ ସେମାନଙ୍କ ପ୍ରତି ହେଉଥିବା ଅତ୍ୟାଚାରର ମୁକାବିଲା କରିବାକୁ ଯାଇ ଅକାଳରେ ଜଳି ଯାଉଥିଲେ। ଏସବୁ ସାମାଜିକ କଳଙ୍କର ଯଥାଯଥ ପ୍ରତିରୋଧ ପାଇଁ ସେତେବେଳେ ମହିଳା କମିଶନର ହସ୍ତକ୍ଷେପ ବା ପୋଲିସ ଆଇନ ବ୍ୟବସ୍ଥାର ୪୯୮ ଧାରା ପ୍ରୟୋଗ କରି କୁତ୍ସିତ ମାନସିକତାର ଅଧିକାରିଣୀ କେଇଜଣ ଉଦଣ୍ଡୀ ଶାଶୁଙ୍କ ହାତରେ କଡି ଓ ଅଣ୍ଟାରେ ବେଡି ପକାଇ ରାଜରାସ୍ତାରେ ଚଲାଇ ନିଆଯାଉଥିବାର ଦୃଶ୍ୟ ସଇତାନର ଶିକ୍ଷା ହୋଇ ଉଭା ହେଉଥିଲା। ଆଖି ଆଗରେ ନିଜ ସମଗୋତ୍ରୀ ଶାଶୁମାନଙ୍କର ପରାଭବ ଦେଖି ମଧ୍ୟ ପରିତାପରେ ଯାହାର ଅନ୍ତର ଶିହରି ନ ଉଠିଲା, ତାକୁ ଯେ କୌଣସି ପରାକ୍ରମୀ ବୋହୂର ମାଡ ଯେ ପରିବର୍ତ୍ତନ କରିପାରନ୍ତା, ଏ କଥା ସହଜରେ ବିଶ୍ୱାସ କରିହୁଏନା!
ସେଦିନରୁ ଆଜି ଯାଏ ଶାଶୁବୋହୂ ହାତାହାତି ଇତିହାସରେ ବୋହୂ ଉପରେ ଶାଶୁର ମାଡ ଅତ୍ୟନ୍ତ ବିରଳ ଘଟଣା ଭାବେ ଗୃହୀତ ହେଲେ ମଧ୍ୟ ଶାଶୁଙ୍କୁ ବୋହୂର ମାଡ ଆଉ ବିରଳ ଘଟଣା ହୋଇ ରହିନାହିଁ। ଅଳ୍ପଦିନ ତଳେ ଜଣେ ଅଶୀତିପର ଶାଶୁବୁଢୀଙ୍କୁ ଅତ୍ୟନ୍ତ ନିର୍ମମ ଭାବରେ ରାସ୍ତା ଉପରେ ଘୋଷାଡି ଘୋଷାଡି ମାରିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଖେଳି ବୁଲୁଥିଲା। ପୁଣି ଟିଭି ସମାଚାରରେ ଦେଖିବାକୁ ମିଳିଥିଲା ଆଉ ଏକ ଅଭାବିତ ଦୃଶ୍ୟ। ଚାନ୍ଦବାଲି ସହରର ଆହାର କେନ୍ଦ୍ର ନିକଟରେ ଜଣେ ନବେବର୍ଷୀୟା ଅନ୍ଧୁଣୀଙ୍କୁ ଛାଡିଦେଇ ନିରୁଦ୍ଦିଷ୍ଟ ହୋଇ ଯାଇଥିଲା ତା’ର ଯୋଗ୍ୟ ସନ୍ତାନ, ଯିଏ ନିଜ ବୁଢୀମାଆ ଉପରେ ସ୍ତ୍ରୀଙ୍କ ନିତିଦିନର ନିର୍ଯାତନା ସହି ନ ପାରି ଏମିତି ଏକ ନିଷ୍ଠୁର ନିଷ୍ପତ୍ତି ନେଇଥିଲା ବୋଲି ପୋଲିସ ଅନୁସନ୍ଧାନରୁ ଜଣାପଡିଥିଲା।
ପୂର୍ବରୁ ବୋହୂ ଉପରେ ଶାଶୁଶ୍ୱଶୁର ଓ ନଣନ୍ଦଙ୍କ ଅତ୍ୟାଚାରକୁ କଠୋର ହସ୍ତରେ ଦମନ କରିବା ପାଇଁ ଆମ ପ୍ରଶାସନ ଆଇନ ପ୍ରକରଣରେ ଯୋଡ଼ି ଦେଇଥିଲେ କଠୋରରୁ କଠୋରତମ ଦଣ୍ଡର ବ୍ୟବସ୍ଥା। ଅଥଚ ଶାଶୁଙ୍କ ଉପରେ ଅବା ଶାଶୁଶ୍ୱଶୁର ଉଭୟଙ୍କୁ ମାନସିକ ତଥା ଶାରୀରିକ ନିର୍ଯାତନା ଦେଉଥିବା ବୋହୂଙ୍କ ପାଇଁ ଆମ ଆଇନ ବ୍ୟବସ୍ଥାରେ ସେମିତି କିଛି ସ୍ବତନ୍ତ୍ର ପ୍ରକରଣ ନ ଥିବା ତଥା ବୋହୂମାନେ ନିଜେ ଯୌତୁକ ଯାତନା ଭଳି ଏକ ଅମୋଘ ଅସ୍ତ୍ରରେ ସଜ୍ଜିତ ହୋଇଥିବା ହେତୁ ନିଃଶବ୍ଦରେ ମିଳାଇ ଯାଉଛି ନିର୍ଯାତିତ ଶାଶୁଶ୍ୱଶୁରଙ୍କ ହାହାକାରର ଦୀର୍ଘଶ୍ୱାସ। ହତଭାଗ୍ୟ ଶାଶୁଶ୍ୱଶୁରମାନେ ଏ ଦୁର୍ଭାଗ୍ୟକୁ କିପରି ବା ସାମ୍‌ନା କରିପାରନ୍ତେ! ସେମାନଙ୍କ ପାଇଁ ନା ମହିଳା କମିଶନ ବା ବୃଦ୍ଧବୃଦ୍ଧା କମିଶନ ଅଛି ନା ସେମାନଙ୍କ ସୁରକ୍ଷାର ବ୍ୟବସ୍ଥା ପାଇଁ ପେନାଲ କୋଡରେ ୪୯୮ ଧାରା ଅଛି! ଶାରୀରିକ ନିର୍ଯାତନା ଭୋଗୁଥିବା ବୋହୂମାନଙ୍କ ପୀଡ଼ାକୁ କୋର୍ଟକଚେରିରେ ପ୍ରମାଣ କରିହେବ ସିନା, ଶାଶୁଶ୍ୱଶୁରଙ୍କ ମାନସିକ ନିର୍ଯାତନାର ଅଦୃଶ୍ୟ ରକ୍ତକ୍ଷରଣ କାହାକୁ ଦେଖାଇଦେଲା ଭଳି ଚିଜ ନୁହେଁ। ସୁତରାଂ ନିଜ ଆଖିଲୁହକୁ ଆଖିରେ ମାରି ଗୋଟିଏ ପଟେ ବୋହୂର ତାଡନା ଯାତନା ଏବଂ ଅନ୍ୟପଟେ ଅଦୃଷ୍ଟ ଈଶ୍ୱରଙ୍କ କରୁଣା ପାଖରେ ନିଜକୁ ସମର୍ପଣ କରିବା ବ୍ୟତୀତ ସେମାନେ ଆଉ ଅଧିକ କ’ଣ କରିପାରନ୍ତେ!
ଦଶମାସ ଗର୍ଭରେ ଧରି, ନିଜ ବୁକୁରୁ ରକ୍ତ ନିଗାଡି ପରମ ଯତ୍ନରେ ଯେଉଁ ପୁଅଟିକୁ ମା’ ପାଳନ କରିଥାଏ, ଯାହାର ମଙ୍ଗଳ କାମନା ବିନା ତା’ର ଗୋଟିଏ ମୁହୂର୍ତ୍ତ ବି ବିତିଯାଏନା, ସେଇ ପୁଅଟି ଦିନେ ବାହା ହୋଇ ବୋହୂଟିଏ ଘରକୁ ଆଣେ। ପୁଅ ସହିତ ମା’ଟି ମଧ୍ୟ ଜୀବନର ଏକ ସ୍ବତନ୍ତ୍ର ସୋପାନରେ ପାଦ ଥାପେ। ମାଆରୁ ଶାଶୁ ବନିଯିବାର ଅଭିନବ ରୋମାଞ୍ଚ ମଧ୍ୟରେ ସେ ଏକ ନୂଆ ଦୁନିଆର ସ୍ବପ୍ନ ଦେଖେ। ସାଂସାରିକ ଜଞ୍ଜାଳରେ ଏ ଯାଏ ଘାଣ୍ଟି ହୋଇ ଆସିଥିବା ତା’ର ଅବସନ୍ନ ମନ ଓ ଶରୀର ଅଭୀଷ୍ଟ ଅବସରର ଆଶା ରଖେ। ମାତ୍ର ସେ ନିରାଶ ହୁଏ। ନୂଆ ବୋହୂଟି ପୁରୁଣା ହେଉ ହେଉ କେବଳ ନିଜ ସ୍ବାମୀ ଉପରେ ନୁହେଁ, ସମଗ୍ର ପରିବାର ଉପରେ ପ୍ରଭୁତ୍ୱ ଜାହିର କରେ। ନାରୀର ସହଜାତ ଗୁଣ କୋମଳତା ଓ ସହିଷ୍ଣୁତା ବଦଳରେ ତା’ ପାଖରେ ପ୍ରକଟିତ ହୁଏ ରଣଚଣ୍ଡୀର ଭୈରବ ହୁଙ୍କାର। ତା’ର ଏମନ୍ତ ଆଚରଣ ପ୍ରତିକ୍ଷଣରେ ପରିବାରର ଅନ୍ୟମାନଙ୍କୁ ଆବୃତ୍ତ କରୁଥିଲେ ମଧ୍ୟ ସେଥିକୁ ସେ ଖାତିର କରେନା। ଶାଶୁଶ୍ୱଶୁର ଦୁହିଁଙ୍କୁ ସେ ନିଜ ମୁଣ୍ଡ ଉପରେ ଓଜନଦାର ବୋଝ ସଦୃଶ ମନେକରେ। ଯେମିତି କି ଏ ଦୁହେଁ ତା’ର କେହି ନୁହନ୍ତି। କେବଳ ସେ ଓ ତା’ର ସ୍ବାମୀ, ଯିଏ କେବଳ ତା’ରି ପାଇଁ ଆକାଶରୁ ଖସିପଡିଛି, ଯିଏ କେବେ ବି କୌଣସି ମାତୃଗର୍ଭରୁ ଜନ୍ମ ନେଇ ନାହିଁ କି ମା’ ବୋଲି ଜୀବଟି ପାଇଁ ଯାହାର କିଛି ବି କର୍ତ୍ତବ୍ୟ ଅବା ଦାୟିତ୍ୱ ନାହିଁ!
କେଇବର୍ଷ ପୂର୍ବରୁ ବୋହୂମାନଙ୍କ ଉପରେ ଉଦଣ୍ଡୀ ଶାଶୁମାନଙ୍କ ନିର୍ଯାତନା ଯେତିକି ଉତ୍କଟ ହୋଇ ନ ଥିଲା, ତାହାଠୁଁ ଢେର ଅଧିକ ଉତ୍କଟ ହେଲାଣି ବୁଢୀ ଶାଶୁ ଓ ସ୍ଥଳ ବିଶେଷରେ ଉଭୟ ଶାଶୁଶ୍ୱଶୁରଙ୍କ ଉପରେ ଉଦଣ୍ଡୀ ବୋହୂମାନଙ୍କ ଉତ୍ପାତ। ପୂର୍ବରୁ ନିରୀହା ନବବଧୂଙ୍କ ନିର୍ଯାତନାର କରୁଣ କାହାଣୀ ସମାଜର ବିବେକ ଉପରେ ଏକ ପ୍ରଶ୍ନଚିହ୍ନ ଆଙ୍କିଦେଲା ପରେ ସରକାରୀ ସ୍ତରରେ ଏହାକୁ ନେଇ ତତ୍ପରତା ପ୍ରକାଶ ପାଇଲା ଓ କଠୋର ଆଇନକାନୁନ ପ୍ରଣୟନ ସହ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରି ନିରିମାଖି ବୋହୂଙ୍କ ଅଶ୍ରୁଧାରକୁ ରୋକାଯାଇ ପାରିଲା। ମାତ୍ର ଏବେ ଚକର ଅଖ ଘୂରିଯାଇଛି। ପ୍ରତି ମୁହୂର୍ତ୍ତରେ ବୋହୂର ଅତ୍ୟାଚାରରେ ଆହତ ହୋଇ ନିଜ ପୁଅର ନିଷ୍କ୍ରିୟତାକୁ ଅଭିଶାପ ଦେବା ସହ ଚରମ ଅସହାୟତା ଓ ଦାରୁଣ ହତାଶା ମଧ୍ୟରେ ଦୀର୍ଘଶ୍ୱାସ ଛାଡୁଥିବା ଶାଶୁଶ୍ୱଶୁରଙ୍କ ଅନ୍ତରର କୋହ ନିର୍ଯାତିତା ବୋହୂମାନଙ୍କ ଆଖିର ଲୁହ ପରି ସମପରିମାଣ ସମ୍ବେଦନା ସହ ସାମାଜିକ ଓ ପ୍ରଶାସନିକ ସ୍ତରରେ ସୁଚିନ୍ତିତ ଅନୁଶୀଳନ, ମାନସ ମନ୍ଥନ ଓ ବିଚାର ବିଶ୍ଳେଷଣର ଯେ ଅପେକ୍ଷା ରଖେ, ଏ କଥା ଭୁଲିଯିବା ଉଚିତ ନୁହେଁ।
ଚକେଇସିହାଣୀ, ଭୁବନେଶ୍ୱର, ମୋ-୮୮୯୫୬୨୪୧୦୫


All Right Reserved By Dharitri.Com

ଆଜିର ଅର୍ଥନୀତି/ବଜେଟ ତ୍ରୁଟି

ନିକଟରେ ବଜେଟ ଉପସ୍ଥାପନ ପରେ ପରେ ବିଏସ୍‌ଇ ସେନ୍‌ସେକ୍ସ ତଳକୁ ଖସିଥିବା ବେଳେ ଗୁରୁବାର ଓଲଟିଯାଇ ୨୬୬ ପଏଣ୍ଟ ବୃଦ୍ଧିପାଇଛି। ୟୁଏସ୍‌ ଫେଡ୍‌ ରେଟ୍‌ ହ୍ରାସ...

ବିବର୍ତ୍ତନବାଦ ଓ ଦଶାବତାର

ପ୍ରକାଶ ତ୍ରିପାଠୀ ତ୍ରେତୟା ଯୁଗରେ ଲଙ୍କାର ରାଜା ରାବଣ ପୁଷ୍ପକ ବିମାନରେ ଆକାଶମାର୍ଗରେ ଯାତାୟାତ କରୁଥିଲା। ଦ୍ୱାପର ଯୁଗରେ ମହାଭାରତ ଯୁଦ୍ଧର ଟିକିନିଖି ବିବରଣୀ ଯୁଦ୍ଧସ୍ଥଳଠାରୁ...

ବାବୁଙ୍କ ଉପରେ ଭରସା

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନର ପ୍ରଥମ ପାଳିରେ ଯାହା ଦେଖିବାକୁ ମିଳିଥିଲା ତାହା ଏବେ ଦ୍ୱିତୀୟ ପାଳିରେ ବି ଦେଖିବାକୁ...

ଏଇ ଭାରତରେ

ପବିତ୍ର ଧର୍ମଗ୍ରନ୍ଥ କୋରାନ ସହ ତିନି ପିଢି ହେବ ଭଗବତ୍‌ ଗୀତାକୁ ସାଇତି ରଖିଛନ୍ତି ଏକ ମୁସଲମାନ ପରିବାର। କେବଳ ଏତିକି ନୁହେଁ ତାହାକୁ ପଢୁଛନ୍ତି...

ସରକାର ବିଳମ୍ବ ନ କରନ୍ତୁ

ତତ୍ତ୍ୱ ଓ ତର୍କ/ବିମଳ ପାଣ୍ଡିଆ ଫେବୃଆରୀ ୨୦ ତାରିଖରୁ ମାର୍ଚ୍ଚ ୨୩ ଭିତରେ ଭାରତର ପ୍ରମୁଖ ଷ୍ଟକ୍‌ ଏକ୍ସଚେଞ୍ଜ ସୂଚକାଙ୍କ ‘ସେନ୍ସେକ୍ସ’ ୪୧,୩୯୯ରୁ ୨୫,୯୮୧କୁ ଖସି...

ପଣ୍ଡିତେ ଖୁସି ତ

ପ୍ରକାଶ ତ୍ରିପାଠୀ କେନ୍ଦ୍ର ସରକାରଙ୍କ ଐତିହାସିକ ନିଷ୍ପତ୍ତିକ୍ରମେ ସମ୍ବିଧାନର ଏକ ସମ୍ବେଦନଶୀଳ ଧାରା ୩୭୦କୁ ହଟାଇ ଦିଅାଯାଇଛି ସାରା ଦେଶରେ ଏହାକୁ ବିପୁଳ ଜନସମର୍ଥନ ମିଳିବା...

ଏଇ ଭାରତରେ

ଗତ ୪ଶହ ବର୍ଷ ଧରି ମଧ୍ୟପ୍ରଦେଶର ରାଜଗଡ଼ ଜିଲା ସଙ୍କ୍‌ ଶ୍ୟାମ୍‌ ଜୀ ଗାଁରେ କୌଣସି ଶିଶୁଙ୍କ ଜନ୍ମ ହୋଇନି। ଭୋପାଳଠାରୁ ଏହି ଗାଁର ଦୂରତା...

ଏଇ ଭାରତରେ

ଗାଁ ଗାଁରେ ଏବେ କଥା କଥାକେ ଝଗଡା ହୋଇ ମାମଲା ଥାନାରେ ପହଞ୍ଚିଯାଉଛି। କିନ୍ତୁ ହରିୟାଣାର ଜିନ୍ଦ୍‌ ଜିଲାର ଏକ ଗାଁରେ ଆଜକୁ ୫୦ ବର୍ଷ...

Leave a comment

Your email address will not be published. Required fields are marked *