Posted inଫୁରସତ

ପାଣି ପାଇଁ ଅଣ୍ଟା ଭିଡ଼ିଥିବା ଲୋକ

ଖରାଦିନ ଆସିଲେ ଯଦି ସବୁଠୁ କେଉଁ ଚିନ୍ତା ବେଶି ଅତିଷ୍ଠ କରିଥାଏ ତାହା ହେଲା ପାଣି ଚିନ୍ତା। ଆଉ ଯଦି ପାହାଡ଼, ପର୍ବତ ବା ଟାଙ୍ଗରା ଅଞ୍ଚଳ ହେଲା ତା’ହେଲେ ସେ କଥା ନ କହିଲେ ଭଲ। ଟୋପେ ପାଣି ପାଇଁ ଲୋକଙ୍କର ଡହଳ ବିକଳ କେବଳ ଅନୁଭବିଙ୍କୁ ହିଁ ଜଣା। ଏମିତି କିଛି ସ୍ଥାନ ଅଛି ଓଡ଼ିଶାରେ ଯେଉଁଠି ଖରାଦିନ ଆସିଲେ ହିଁ ଲୋକଙ୍କର ନିଦ ହଜିଯାଏ। ପିଇବା ପାଣି ମୁନ୍ଦାଏ ପାଇଁ ଗୃହପାଳିତ ଜୀବଙ୍କଠାରୁ ଆରମ୍ଭ କରି ମଣିଷ ଯାଏ ସମସ୍ତ ଅବସ୍ଥା କହିଲେ ନ ସରେ। ଏମିତି ପରିସ୍ଥିତିରେ ଚାଷବାସ ପୂରା ଠପ୍‌ ହୋଇଯାଏ। ତେବେ ଏହି ସମସ୍ୟାକୁ ବାରମ୍ବାର ସାମ୍ନା କରୁଥିବା ଲୋକମାନେ ସରକାର ବା କୌଣସି ସହାୟତାକୁ ଆଶା ନ ରଖି ନିଜ ସମାଧାନର ବାଟ ଖୋଜିଲେ, ନିଜ ପାଇଁ ନିଜେ ଅଣ୍ଟା ଭିଡ଼ିଲେ, ଯାହାର ଫଳସ୍ବରୂପ ଏବେ ବର୍ଷସାରା ତାଙ୍କୁ ଆଉ ପାଣି ସମସ୍ୟା ଛଟପଟ କରୁନାହିଁ। ଆରାମରେ ଚାଷ ବି କରିପାରୁଛନ୍ତି। ଏଥିପାଇଁ ସେମାନେ ଭରସା କରୁଛନ୍ତି ବର୍ଷାଜଳ ଓ ଝରଣା ଜଳ ଉପରେ। କିଛି ଗାଁରେ ବର୍ଷାଜଳକୁ ସଂରକ୍ଷଣ କରୁଥିବା ବେଳେ ଆଉ କିଛି ଗାଁରେ ଝରଣା ଜଳକୁ ପାହାଡ଼ ଖୋଳି ବାଟକଢ଼ାଇ ନେଇ ଆସିଛନ୍ତି ଗାଁକୁ। ପାଣି ସମସ୍ୟାର ସମାଧାନ ପାଇଁ ନିଜେ ବାଟ ଖୋଜିଥିବା ଏମିତି କେତୋଟି ଗାଁ ସମ୍ପର୍କରେ …..

ଝରଣା ପାଣି ସାହିକୁ ଆଣିଲେ ବାଦଲ ମୁଣ୍ଡା : ଝୁମ୍ପୁରା ବ୍ଲକ କାଇଯୋଡ଼ା ଗ୍ରାମର ମୁଣ୍ଡାସାହିର ବାଦଲ ମୁଣ୍ଡା ନିଜ ସାହିକୁ ଜଳସେଚନ କରିବା ପାଇଁ ଦୀର୍ଘ ୩୦ ବର୍ଷ ହେଲା ପ୍ରୟାସ କରି ସଫଳ ହୋଇଛନ୍ତି। ପାହାଡ଼ରୁ ଝରି ଆସୁଥିବା ଝରଣା ପାଣିକୁ ନିଜ ଓ ନିଜର ପୂର୍ବ ପୁରୁଷଙ୍କ ଉଦ୍ୟମ ଓ ଦୃଢ଼ ଇଚ୍ଛାଶକ୍ତି ବଳରେ ସାହିର ଚାଷ ଜମିକୁ ଆଣି ଜଳସେଚନ କରିପାରିଛନ୍ତି ା ଗାଁ ନିକଟସ୍ଥ ଖଣ୍ଡାଧାର ପର୍ବତମାଳା (ଲାଲପାଣି ପାହାଡ଼)ରେ ରହିଛି ତିନୋଟି ଝରଣା। ତେବେ ଏହା ଆଗରୁ ଜଳସେଚନ କାମରେ ଲାଗିପାରୁ ନ ଥିଲା । ଦୀର୍ଘ ୩୦ ବର୍ଷ ହେଲା ବାଦଲ ମୁଣ୍ଡାଙ୍କ ପିତୃପୁରୁଷମାନେ ପଥର ତାଡ଼ି ଓ ମାଟି ଖୋଳି ପାଣିକୁ ଗାଁ ଜମିକୁ ଜଳସେଚନ କରିବା ପାଇଁ ଉଦ୍ୟମ ଚଳାଇଥିଲେ। ପରବର୍ତୀ ସମୟରେ ବାଦଲ ମୁଣ୍ଡାଙ୍କ ନେତୃତ୍ୱରେ ଗ୍ରାମବାସୀ କୋଡିକୋଦାଳ ଧରି ଗାଁ ଚାଷ ଜମିକୁ ପାଣି ମଡ଼ାଇବାରେ ସଫଳ ହୋଇଛନ୍ତି । ଏହି ପାଣି ଦ୍ୱାରା ଉକ୍ତ ଗ୍ରାମର ୧୫ଟି ଆଦିବାସୀ ପରିବାରର ପ୍ରାୟ ୨୫ ଏକର ଜମିରେ ଚାଷ ହେଉଛି ଏବଂ ଦୁଇ ଫସଲି ଚାଷ କରି ସମସ୍ତଙ୍କ ମୁହଁରେ ହସ ଖେଳିପାରିଛି । ଧାନ ଚାଷ ସହିତ ପନିପରିବା ଚାଷ କରି ନିଜେ ଖାଇ ବଳକାକୁ ଆଖପାଖ ହାଟ ବଜାରରେ ବିକି ତେଲଲୁଣ କିଣି ଚଳୁଛନ୍ତି । ପ୍ରୋତ୍ସାହନ ମିଳିଲେ ସେମାନେ ଅଧିକ ଉପକୃତ ହୋଇ ପାରନ୍ତେ ବୋଲି ବାଦଲ କୁହନ୍ତି । ଅଗମ୍ୟ ଅଞ୍ଚଳରେ ରହୁଥିବା ଏହି ଲୋକଙ୍କ ଉଦ୍ୟମ ଯୋଗୁ ସେମାନଙ୍କ କ୍ଷେତ ଶସ୍ୟ ଶ୍ୟାମଳା ହୋଇଉଠିଛି । ଏପରିକି ବେତଝରୀ ନାଳରୁ ମଧ୍ୟ ସେମାନେ ନିଜ ଉଦ୍ୟମରେ କେନାଲ କାଟି ଜମିକୁ ପାଣି ମଡ଼ାଇଛନ୍ତି ଯାହାକି ନ ଦେଖିଲେ ବିଶ୍ୱାସ କରିହେବ ନାହିଁ ବୋଲି ବସନ୍ତପୁର ଗ୍ରାମର ସାମାଜିକ କର୍ମୀ ପ୍ରଫୁଲ୍ଲ ମହାନ୍ତ କହିଛନ୍ତି । ସେମାନେ ସମସ୍ତେ ଚାଷ କାମ ସହିତ ଦିନ ମଜୁରିଆ କାମ କରନ୍ତି ଏବଂ ବଣ ଜଙ୍ଗଲରୁ ଫଳମୂଳ ସଂଗ୍ରହ କରି ଚଳୁଛନ୍ତି । ଏଣୁ ଏଭଳି ଉଦ୍ୟମ ଫଳରେ ସେମାନେ ଚାଷ ଉପରେ ଅଧିକ ମନ ନିବେଶ କରିପାରିବେ ଓ ଭଲରେ ଚଳିପାରିବେ ବୋଲି ସେ କହିଛନ୍ତି । ତେବେ ଏହି କେନାଲ ପାଣି ଗାଁକୁ ପହଁଚି ପାରିଲେ ସେମାନେ ଘରୋଇ କାମରେ ବ୍ୟବହାର କରିପାରନ୍ତେ ଏବଂ ସେମାନଙ୍କ ଗ୍ରାମର ଜଳ ସମସ୍ୟା ଦୂର ହୋଇ ପାରନ୍ତା ବୋଲି କହିଛନ୍ତି ଗ୍ରାମବାସୀ ତେଲେଙ୍ଗା ମୁଣ୍ଡା। ଆଗରୁ ଚାଷ ପାଇଁ ବର୍ଷା ପାଣିକୁ ଅପେକ୍ଷା କରିବାକୁ ପଡୁଥିଲା। ଏବେ ଚିରସ୍ରୋତା ଝରଣା ପାଣି ସେମାନଙ୍କୁ ବର୍ଷ ତମାମ ଚାଷ କରିବାର ଭରସା ଦେଉଛି ବୋଲି କହିଛନ୍ତି ଗ୍ରାମବାସୀ ।

ଏଠି ବର୍ଷା ପାଣି ଭରସା: ମାଲକାନଗିରି ଜିଲାରେ ଗ୍ରୀଷ୍ମ ପ୍ରଭାବ ବୃଦ୍ଧି ସହ ଅନେକ ଅଞ୍ଚଳରେ ଉତ୍କଟ ଜଳ ସମସ୍ୟା ସୃଷ୍ଟି ହୋଇଥାଏ। ଚାଷବାସ ତ ଦୂରର କଥା, ଲୋକେ ପିଇବା ପାଇଁ ପାଣି ମୁନ୍ଦାଏ ବି ପାଆନ୍ତି ନାହିଁ। ପ୍ରତିବର୍ଷ ଖରାଦିନେ ଏହି ସମସ୍ୟା ଭୟଙ୍କର ହେଉଥିବାବେଳେ ଏବେ କିନ୍ତୁ ଜଳକଷ୍ଟ କ’ଣ ସେମାନେ ଭୁଲି ଯାଇଛନ୍ତି। କାରଣ ଶହ ଶହ ବର୍ଷ ଧରି ଗ୍ରାମ ନିକଟରେ ଏକ ଜଳକୁଣ୍ଡ ସେମାନଙ୍କୁ ଥଣ୍ଡା ପାନୀୟଜଳ ଯୋଗାଉଛି । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲା ପଡିଆ ବ୍ଲକ ନିଲିଗୁଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପୁରୁଣା ନିଲିଗୁଡା ଗ୍ରାମରେ। ନିଲିଗୁଡା ଗ୍ରାମରେ ୧୯୭୦ ମସିହା ପୂର୍ବରୁ ୫୨ଟି ଆଦିବାସୀ ପରିବାର ବସବାସ କରୁଥିଲେ । ସେହି ସମୟରେ ପାଣି ପାଇଁ ଏତେ ସମସ୍ୟା ନ ଥିଲା। ଝରଣା ଜଳ ଓ ବର୍ଷାଜଳ ଲୋକମାନଙ୍କ ଆବଶ୍ୟକତା ମେଣ୍ଟାଉଥିଲା। କାଳକ୍ରମେ ଜଙ୍ଗଲ କ୍ଷୟ, ଅନିୟମିତତା ବୃଷ୍ଟି, ମରୁଡି, ଇତ୍ୟାଦି କାରଣରୁ ଜଳ ସଂକଟ ଦେଖାଦେଲା। ଅନ୍ୟ ପକ୍ଷରେ ଲୋକ ସଂଖ୍ୟା ବୃଦ୍ଧି ପାଇବାରୁ ପରିବାର ସଂଖ୍ୟା ବୃଦ୍ଧି ପାଇ ୧୪୫କୁ ପହଞ୍ଚିଥିଲା। ଜଳ ଅଭାବ ଯୋଗୁ ଗ୍ରାମର ୬୦ଟି ପରିବାର ଦୁଇ କିଲୋମିଟର ଦୂର ରାସ୍ତା କଡ଼ରେ ନୂତନ ଗ୍ରାମ ପ୍ରତିଷ୍ଠା କରି ବର୍ତ୍ତମାନ ନିଲିଗୁଡ଼ାରେ ବାସ କରୁଛନ୍ତି। ତେବେ ମାଲକାନଗିରି ସୀମାନ୍ତ ଛତିଶଗଡ଼ ସାବେରୀ ନଦୀକୂଳରେ ପ୍ରାୟ ଅଧା ଏକର ଜାଗାରେ ଥିବା ଏହି ଜଳ କୁଣ୍ଡରେ ବର୍ଷର ୧୨ମାସ ଯାକ ପାଣି ରହିପାରୁଛି। କୁଣ୍ଡ ଭିତରେ ପାଣି ତଳେ ଏକ ଦୁଇ କିଲୋମିଟର ସୁଡ଼ଙ୍ଗ ସାବେରୀ ନଦୀକୁ ସଂଲଗ୍ନ ହୋଇଛି। ସାବେରୀ ନଦୀରେ ବର୍ଷାଦିନେ ବନ୍ୟା ଆସିଲେ ଏହି ସୁଡ଼ଙ୍ଗ ଦେଇ ବନ୍ୟା ଜଳ କୁଣ୍ଡରେ ପ୍ରବେଶ କରେ। ଏହି ଜଳ କୁଣ୍ଡର ବିଶେଷତ୍ୱ ହେଲା ବର୍ଷର ସବୁ ସମୟରେ ସମାନ ଭାବେ ପାଣି ରହିଥାଏ। ଗ୍ରୀଷ୍ମ ଓ ଅନ୍ୟ ଋତୁମାନଙ୍କରେ ସୂର୍ଯ୍ୟ ଉଦୟ ପରେ ପାଣି ଆସ୍ତେ ଆସ୍ତେ ଥଣ୍ଡା ହୋଇ ଦୁଇ ପ୍ରହର ବେଳକୁ ଅତ୍ୟଧିକ ଥଣ୍ଡା ହୋଇଥାଏ । ଯାହାକି ବରଫ ପାଣି ସହ ସମାନ । ସୂର୍ଯ୍ୟାସ୍ତ ପରେ ପାଣି ଆସ୍ତେ ଆସ୍ତେ ଗରମ ହୋଇଯାଏ । ଏହି କୁଣ୍ଡ ଚାରିପଟେ ପଥର ଭିତରୁ ଅନେକ ଜାଗାରେ ସ୍ବଚ୍ଛ ପାଣି ବାହାରୁଛି । ଯାହାକୁ କି ଗ୍ରାମବାସୀ ପାନୀୟ ଜଳ ରୂପେ ବ୍ୟବହାର କରୁଛନ୍ତି । ଗ୍ରାମରେ ନଳକୂପ ଥିଲେ ମଧ୍ୟ ସେହି ନଳକୂପରୁ ଲାଲପାଣି ବାହାରୁ ଥିବାରୁ ସେହି ପାଣିକୁ ବ୍ୟବହାର ନ କରି ଏହି କୁଣ୍ଡର ସ୍ବଚ୍ଛ ପାଣିକୁ ପାନୀୟଜଳ ଏବଂ ଖାଦ୍ୟ ରାନ୍ଧିବାରେ ବ୍ୟବହାର କରୁଛନ୍ତି ା ଦ୍ୱିପ୍ରହର ସମୟରେ ଗ୍ରାମର ମହିଳା ଓ ପୁରୁଷ ଏବଂ ଆଖପାଖ ଅଞ୍ଚଳର ଲୋକମାନେ ଏହି ଥଣ୍ଡା ପାଣିରେ ଗାଧୋଇବା ପାଇଁ ପ୍ରବଳ ଭିଡ଼ ଜମାଇବା ସହ ଗୃହପାଳିତ ପଶୁ ପକ୍ଷୀମାନେ ମଧ୍ୟ ଏହି ପାଣିକୁ ବ୍ୟବହାର କରିଥାନ୍ତି। ଗ୍ରାମର ବୟୋଜ୍ୟେଷ୍ଠ ଦେବା ମାଢି ଏବଂ ସ୍ଥାନୀୟ ସରପଞ୍ଚ ଆଡମା କାର୍ତାମୀ ପ୍ରକାଶ କରିଛନ୍ତି ଯେ, ତାଙ୍କର ପୁରୁଷ ପୁରୁଷରୁ ଏହି ଜଳ କୁଣ୍ଡଟି ରହିଆସିଛି। ଏହା ଆମମାନଙ୍କ ପାଇଁ ପ୍ରକୃତିର ବରଦାନ ସଦୃଶ।’
ଖରାଦିନେ ବର୍ଷାଜଳ ଚାଷୀଙ୍କ ମୁହଁରେ ଦେଇଛି ହସ : କଳାହାଣ୍ଡି ଜିଲାର ଅଣଜଳ ସେଚିତ ଅଞ୍ଚଳମାନଙ୍କରେ ପା୍ରୟତଃ ବର୍ଷା ଉପରେ ନିର୍ଭର କରିଥାନ୍ତି ଚାଷୀ । ବର୍ଷା ଭଲ ନ ହେଲେ ପରିସ୍ଥିତି ହୁଏ ଭୟଙ୍କର। ଏବେ କିନ୍ତୁ ଦୂର ହୋଇଛି ସମସ୍ୟା । ଜଳଛାୟା ପ୍ରକଳ୍ପ ଜରିଆରେ ବର୍ଷାଜଳ ସଂରକ୍ଷଣ ଦ୍ୱାରା ଚାଷୀଙ୍କ ମୁହଁରେ ଫୁଟିଛି ହସ । ମୃତ୍ତିକା ସଂରକ୍ଷଣ ସହ ଏଠାକାର ଭୂତଳ ଜଳ ସ୍ତର ମଧ୍ୟ ବୃଦ୍ଧି ପାଇଛି । ପାହାଡ଼ ଜଙ୍ଗଲ ଘେରା କଳାହାଣ୍ଡି ଜିଲାର ଭବାନୀପାଟଣା, କେସିଙ୍ଗା, ନର୍ଲା, ରାମପୁର, ଗୋଲାମୁଣ୍ଡା ଭଳି ବ୍ଲକ ଅଞ୍ଚଳରେ ବର୍ଷ ସାରା ଏଠାରେ ଚାଷ ଜମି ରହୁଛି ଶସ୍ୟ ଶ୍ୟାମଳା । ଏଥିପାଇଁ ଚାଷୀଙ୍କୁ ସହାୟତାର ହାତ ବଢ଼ାଇଛି କଳାହାଣ୍ଡି ଜଳଛାୟା ମିଶନ । ଜଳଛାୟା ପ୍ରକଳ୍ପ ଦ୍ୱାରା ଚାଷୀମାନେ ନିଜ ନିଜ ଜମିରେ ପାଣି ଟ୍ୟାଙ୍କ ତିଆରି କରି ସେଥିରେ ବର୍ଷା ଜଳକୁ ସଂରକ୍ଷଣ କରିବାରେ ହୋଇଛନ୍ତି ସକ୍ଷମ ା ଭବାନୀପାଟଣା ବ୍ଲକର ମାଟିଆ ଗ୍ରାମରେ ପରକ୍ଷିତ ସାହୁ ଏହି ପ୍ରକଳ୍ପ ଦ୍ୱାରା ଆର୍ଥିକ ସହାୟତା ପାଇ ଏକ ଟ୍ୟାଙ୍କ ମାଧ୍ୟମରେ ୫ ଏକରରେ ପନିପରିବା ଚାଷକରି ନିଜର ପରିବାର ପ୍ରତିପୋଷଣ କରୁଥିବାବେଳେ ଗୋପ ସାହୁ ୫ ଏକର ଜମିରେ ଧାନ ଚାଷ କରିବାରେ ସକ୍ଷମ ହୋଇଛନ୍ତି । ସେହିପରି କେସିଙ୍ଗା ବ୍ଲକର ରମାକାନ୍ତ ଭୋଇ ଏହି ବର୍ଷାଜଳ ସଂରକ୍ଷଣ କରି ୨୦ ଏକର ଧାନ ଚାଷ କରୁଛନ୍ତି । ଢୁମାଲ ଗ୍ରାମର ଭୁବନେ ମାଝୀ ମଧ୍ୟ ଏହି ସହାୟତା ପାଇ ୪ ଏକରରେ ବିଭିନ୍ନ ପ୍ରକାର ପନିପରିବା କରିଛନ୍ତି । ଜଳଛାୟା ପ୍ରକଳ୍ପ ତରଫରୁ ବିଭିନ୍ନ ପ୍ରକାର ପୋଖରୀର ସହାୟତା ପ୍ରଦାନ କରାଯାଉଥିବାବେଳେ ଚାଷୀଙ୍କ ପାଇଁ ଏହା ସହାୟତା ହୋଇଛି । ଜଳଛାୟା ମିଶନ ପକ୍ଷରୁ ୩ ଲକ୍ଷରୁ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚାଷୀମାନଙ୍କୁ ସହାୟତା ପ୍ରଦାନ କରାଯାଉଛି ଯାହାଦ୍ୱାରା କି ଜିଲାର ଅଣ ଜଳସେଚିତ ଅଞ୍ଚଳର ଚାଷୀମାନେ ଏହି ଟ୍ୟାଙ୍କ ଏବଂ ପୋଖରୀ ମାଧ୍ୟମରେ ବର୍ଷା ଜଳକୁ ସଂରକ୍ଷଣ କରି ବିଭିନ୍ନ ପ୍ରକାଶ ଚାଷ କରିବା ସହ ନିଜର ଆର୍ଥିକ ମେରୁଦଣ୍ଡକୁ ସୁଦୃଢ଼ କରିପାରିଛନ୍ତି । ଏହା ପୂର୍ବରୁ ଏହି ଚାଷୀମାନେ କେବଳ ବର୍ଷା ଜଳ ଉପରେ ନିର୍ଭର କରିଆସୁଥିବାବେଳେ ନିଜ ନିଜର ଚାଷ କାର୍ଯ୍ୟକୁ ସୀମିତ ଅଞ୍ଚଳରେ କରୁଥିଲେ । ତେବେ ଏହି ଜଳଛାୟା ପ୍ରକଳ୍ପ ସହାୟତାରେ ବିଭିନ୍ନ ପ୍ରକାର ଟ୍ୟାଙ୍କ ଏବଂ ପୋଖରୀ ତିଆରି କରିବା ପରେ ଯେଉଁ ଚାଷୀ ଏକ ବା ଦୁଇ ଏକରରେ ଚାଷ କରୁଥିଲେ ସେହି ଚାଷୀମାନେ ବର୍ତ୍ତମାନ ତାହାର ଦୁଇରୁ ତିନି ଗୁଣା ଅଞ୍ଚଳରେ ଚାଷ କରିବାରେ ସକ୍ଷମ ହୋଇଛନ୍ତି । ପୂର୍ବରୁ ଏହି ଅଞ୍ଚଳମାନଙ୍କରେ ବର୍ଷାର ପରିମାଣ ମଧ୍ୟ କମ୍‌ ରହୁଥିଲା ଯାହାଦ୍ୱାରା କି ଚାଷ ପାଇଁ ପାଣି ମଧ୍ୟ ନିଅଣ୍ଟ ହେଉଥିଲା ତେବେ ବର୍ତ୍ତମାନ କିନ୍ତୁ ସେହି ସମସ୍ୟାର ସମାଧାନ ହୋଇପାରିଛି । କଳାହାଣ୍ଡି ଜିଲା ନର୍ଲା ବ୍ଲକର ରାଇଧନୀପଦର, ଜୋରାଡୋବା୍ର, ସୁଡିଙ୍ଗପଦର, ମୁରସିଙ୍ଗ, ସାମପୁର, ଭବାନୀପାଟନା ବ୍ଲକର ମାଟିଆ, ସାକରମାଳ, କାମଠଣା, କର୍ଲାଗୁଡ଼ା, ଟେମେରା ସେହିପରି କେସିଙ୍ଗା ବ୍ଲକର ଉତ୍‌କେଲା, ଲିମଗାଁ, କୋକୋମୁଣ୍ଡା, ଖମାରୀ, ବୋରଗୁଡା, କନାବିରା ସମେତ ଜିଲାର ଅନ୍ୟାନ୍ୟ ଅଞ୍ଚଳରେ ଚାଷୀମାନେ ଜଳଛାୟା ପ୍ରକଳ୍ପର ସହାୟତାରେ ଏହି ସବୁ ଚାଷ କରିପାରୁଛନ୍ତି ।

ପାହାଡ଼ କାଟି ପାଣି ଆଣିଲେ ଗାଁକୁ : କୋରାପୁଟ ମ୍ୟୁନିସିପାଲିଟି ଅନ୍ତର୍ଗତ ୧୫ନଂ. ୱାର୍ଡରେ ରହିଛି ପିଣ୍ଡିକିମାଳିଗୁଡ଼ା ଗ୍ରାମ। ଗ୍ରାମରେ ରହନ୍ତି ୩୫ ପରିବାର। ଚାଷ ହେଉଛି ସେମାନଙ୍କ ଆୟର ମୁଖ୍ୟ ମାଧ୍ୟମ। କିନ୍ତୁ ପାଣିର ଅଭାବ ଯୋଗୁ ଗାଁରେ ଥିବା ଏକ କୂଅରୁ ପାଣି କାଢି ବର୍ଷରେ ମାତ୍ର ୩/୪ ମାସ ଫସଲ କରି ବହୁ କଷ୍ଟରେ ସେମାନେ ପରିବାର ପ୍ରତିପୋଷଣ କରୁଥିଲେ। ଏ ସମସ୍ୟାରୁ କେମିତି ମୁକ୍ତି ମିଳିବ ସେ ନେଇ ଗ୍ରାମବାସୀ ଏକତ୍ର ହୋଇ ଏକ ବୈଠକ ଡକାଇଲେ। ଗ୍ରାମବାସୀ ଏନେଇ ନିଜ ନିଜର ମତ ରଖୁଥିବାବେଳେ ଗାଁର ମୁଖିଆ ଗଙ୍ଗାଧର ନାୟକ ଗାଁଠାରୁ ୧ କି.ମି ଦୂରରେ ଥିବା ଦାଦିବୁଢ଼ା ପାହାଡ଼ ନିକଟରେ ଏକ ଝରଣା ରହିଥିବା ପ୍ରକାଶ କରିଥିଲେ। ଆଉ ସେହି ପାଣିକୁ କିପରି ଗାଁକୁ ଅଣାଯାଇପାରିବ ସେଥିପାଇଁ ଯୋଜନା କରିବାକୁ ଗ୍ରାମବାସୀଙ୍କୁ କହିଲେ। ଗ୍ରାମବାସୀ ଏନେଇ କୋରାପୁଟ ମ୍ୟୁନିସିପାଲିଟି କର୍ତ୍ତୃପକ୍ଷଙ୍କ ଦ୍ୱାରସ୍ଥ ହେଲେ। କିନ୍ତୁ ଏପରି କିଛି ବ୍ୟବସ୍ଥା ମ୍ୟୁନିସିପାଲିଟିରେ ନାହଁି ବରଂ କୋରାପୁଟ ବ୍ଲକ୍‌କୁ ଯାଇ ବିଡିଓଙ୍କୁ ସାକ୍ଷାତ କରିବାକୁ ସେମାନେ ପରାମର୍ଶ ଦେଲେ। ଏହା ପରେ ଗ୍ରାମବାସୀ ବ୍ଲକ୍‌କୁ ଯାଇ ବ୍ଲକ୍‌ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିଲା ନାହିଁ। ଶେଷରେ ବାଧ୍ୟହୋଇ ଗ୍ରାମବାସୀ ନିଜସ୍ବ ଉଦ୍ୟମରେ ଝରଣା ପାଣିକୁ ସୁବିଧାରେ ଗାଁକୁ ଆଣିବାକୁ ଚେଷ୍ଟା ଚଳାଇଥିଲେ। ୨୦୧୬ ନଭେମ୍ବରରେ ଗ୍ରାମବାସୀ କିଛି ବାଟ ପାହାଡ଼ିଆ ରାସ୍ତା କାଟିବା ପରେ ମାଟି ଖୋଳି ନାଳକରି ସେହିବାଟେ ପାହାଡ଼ର ଝରଣା ଜଳକୁ ଗାଁ ମୁଣ୍ଡକୁ ଆଣିଥିଲେ ଆଉ ସେଠାରେ ଏକ ଗାତ ଖୋଳି ପାଣିକୁ ଗଚ୍ଛିତ କରିଥିଲେ। ପରେ ସେଠାରୁ ପ୍ରାୟ ୩ଶହ ମିଟର ପ୍ଲାଷ୍ଟିକ୍‌ ପାଇପ୍‌ ଯୋଗେ ପାଣିକୁ ନେଇ ଗାଁ ଜମିରେ ମଡ଼ାଇଥିଲେ। ପାଇପ୍‌ ଭିତରେ ପାଣିର ପ୍ରବାହ ଯେମିତି ଭଲରେ ହୋଇପାରିବ, ସେଥିପାଇଁ ଖାଲୁଆ ସ୍ଥାନମାନଙ୍କରେ କେଉଁଠି କେଉଁଠି ବାଉଁଶ ଓ କାଠ ପୋତି ତା’ ଉପରେ ପାଇପ୍‌ ରଖିଥିଲେ ତ ଆଉ କେଉଁଠି ଗଛ ଡାଳର ସନ୍ଧିରେ ପାଇପ୍‌କୁ ନେଇଥିଲେ ଗ୍ରାମବାସୀ। ଯେଉଁଥିପାଇଁ ତାଙ୍କୁ ପାଖାପାଖି ମାସେ କଠିନ ପରିଶ୍ରମ କରିବାକୁ ପଡ଼ିଥିଲା। ବର୍ତ୍ତମାନ ଏହି ସୁବିଧା ଯୋଗୁ ଗ୍ରାମବାସୀ ପ୍ରାୟ ୧୦ ଏକର ଜମିରେ ବର୍ଷସାରା ବିଭିନ୍ନ ପନିପରିବା ଚାଷ କରି ସେମାନଙ୍କର ଆର୍ଥିକ ଅବସ୍ଥାକୁ ସୁଧାରିବା ଆରମ୍ଭ କରିଛନ୍ତି। ଝରଣାରୁ ଆସୁଥିବା ପାଣିରେ କେବଳ ଚାଷବାସ ନୁହେଁ ଗାଧୋଇବା, ଲୁଗା ସଫା କରିବା, ବାସନ ମାଜିବା ଇତ୍ୟାଦି କାମ ବି ସେମାନେ ତୁଲାଉଛନ୍ତି। ଏପରି କି ପାଣିକୁ ଅଯଥା ନଷ୍ଟ ନ କରିବା ପାଇଁ ସେମାନେ ଗାଧୋଇବା ପାଣିକୁ ବି ଜମିକୁ ମଡ଼ାଇ ଦେଉଛନ୍ତି। ଏନେଇ ଗାଁର ମୁଖିଆ ଗଙ୍ଗାଧର ନାୟକ କୁହନ୍ତି, ‘ଗାଁରେ ପୂର୍ବରୁ ପାଣି ପାଇଁ ବହୁ ଅସୁବିଧା ହେଉଥିଲା। ହେଲେ ବର୍ତ୍ତମାନ ଝରଣା ପାଣି ଯୋଗୁ ବର୍ଷର ପ୍ରାୟ ୧୦ ମାସ ଚାଷ ହୋଇପାରୁଛି। ଫଳରେ ଦୁଇ ପଇସା ଭଲ ରୋଜଗାର ଆମେ କରିପାରୁଛୁ।’ ଏପ୍ରିଲ ମାସ ଠାରୁ ଜୁନ ମାସ ପର୍ଯ୍ୟନ୍ତ ଝରଣାର ପାଣି ଶୁଖିଯିବା ଫଳରେ ଗ୍ରାମବାସୀଙ୍କ ଚାଷ କାର୍ଯ୍ୟକୁ ପ୍ରଭାବିତ ହୋଇଥାଏ । ଗ୍ରାମର ଉଠା ଜଳ ସେଚନ ବିଭାଗ କିମ୍ବା ଅନ୍ୟାନ୍ୟ ଇରିଗେସ ବିଭାଗ ପକ୍ଷରୁ ଜଳର ସୁବ୍ୟବସ୍ଥା କରାଗଲେ ସେମାନେ ଚାଷ କାର୍ଯ୍ୟକୁ ଆଗକୁ ବଢାଇବା ସହିତ ଅନ୍ୟାନ୍ୟ ଚାଷ କରିପାରିଥାଆନ୍ତେ ବୋଲି ଗ୍ରାମବାସୀ ମୁକୁନ୍ଦ ନାୟକ, ଅଭି ନାୟକ, ନାଗେଶ୍ୱର ନାୟକ, ଟୁନା ମାଳୀ ପ୍ରମୁଖ ପ୍ରକାଶ କରିଛନ୍ତି । ନିଜ ସମସ୍ୟା ସମାଧାନ ପାଇଁ ପିଣ୍ଡିକିମାଳିଗୁଡ଼ା ଗ୍ରାମବାସୀ ନେଇଥିବା ପଦକ୍ଷେପ ସତରେ ପ୍ରଶଂସାଯୋଗ୍ୟ। ନିଜେ ଚାହିଁଲେ ନିଜ ସମସ୍ୟା ସମାଧାନର ବାଟ କେମିତି ବାହାରିପାରିବ ତାହା ପ୍ରମାଣ କରି ଦେଖାଇ ଦେଇଛନ୍ତି ଏହି ଗ୍ରାମବାସୀ। ଯାହାକି ଅନ୍ୟମାନଙ୍କ ପାଇଁ ନିଶ୍ଚିତଭାବେ ଉଦାହରଣ।

-ରୋଜାଲିନ୍‌ ମହାନ୍ତି
ତଥ୍ୟ-ନରେଶ ପଟ୍ଟନାୟକ, ଦୁର୍ଯ୍ୟୋଧନ ପାତ୍ର,
ଅଂଶୁମାନ ପାତ୍ର, ସୁପ୍ରିତ୍‌ ପୂଜାରୀ


All Right Reserved By Dharitri.Com

ଇ-ଗ୍ଲୋବ୍‌ : କୃତ୍ରିମ ହାତକୁ ଦେବ ବାସ୍ତବ ଅନୁଭବ

ନ୍ୟୁୟର୍କ: ଆମେରିକାର ପୁରଡ୍ୟୁ କଲେଜ ଅଫ ଇଞ୍ଜିନିୟରିଂର ଗବେଷକମାନେ ଏକ ଇଲେକ୍ଟ୍ରୋନିକ ଗ୍ଲୋବ୍‌(ଇ-ଗ୍ଲୋବ୍‌) ବିକାଶ କରିଛନ୍ତି, ଯାହା ପ୍ରୋସ୍ଥେଟିକ୍‌ ହ୍ୟାଣ୍ଡ୍‌ ବା ରୋବୋ ବାୟୋନିକ୍‌ ହ୍ୟାଣ୍ଡ୍‌କୁ...

ମାଙ୍କଡ଼ ତଡ଼ିବା ପାଇଁ ଭାଲୁ ପୋଷାକ ପିନ୍ଧିଲେ ଆଇଟିବିପି ଯବାନ: ସୋସିଆଲ୍‌ ମିଡ଼ିଆରେ ଭିଡ଼ିଓ ଭାଇରାଲ

ଡେରାଡୁନ୍‌: ଉତ୍ତରାଖଣ୍ଡରେ ମାଙ୍କଡ଼ଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି। ସେମାନେ ଲୋକଙ୍କ ଘରେ ପଶି ଖାଦ୍ୟ ପଦାର୍ଥ ଛଡ଼ାଇ ନେବା ସହିତ ନାନା ପ୍ରକାର ହଇରାଣ କରୁଛନ୍ତି।...

ବରଫରେ ସ୍ପୋର୍ଟସ କାର୍‌ ନିର୍ମାଣ କଲେ ଯୁବକ

ଶ୍ରୀନଗର, ୨୦।୧: ଜମ୍ମୁ-କଶ୍ମୀରରେ ପ୍ରବଳ ଥଣ୍ଡା ସାଙ୍ଗକୁ ବରଫପାତ ହେଉଛି। ଜୁବୈର ଅହମ୍ମଦ ନାମକ ଜଣେ ଯୁବକ ଏହି ବରଫରେ ଏକ ଅଦ୍ଭୁତ କଳା ପ୍ରଦର୍ଶନ...

ଟେଣ୍ଟ ସିଟି

ଆମେରିକା, ନ୍ୟୁଜର୍ସିର ଲେକ ଉଡ୍‌ ନିକଟରେ ଅଛି ଏକ ଛୋଟିଆ ସହର। ଏହି ସହର ସାଧାରଣ ସହରଠୁ ଭିନ୍ନ। କାରଣ ଏଠାରେ ନାହିଁ ଇଟା ସିମେଣ୍ଟର...

ବଜାରକୁ ଆସିଲା ହାପୁସ ଆମ୍ବ, ଗୋଟିକର ଦାମ ୧୭୦ଟଙ୍କା

ମୁମ୍ବାଇ,୧।୨: କୋଙ୍କଣର ବିଶ୍ୱ ପ୍ରସିଦ୍ଧ ହାପୁସ ଆମ୍ବ ଏବେ ବଜାରକୁ ଆସିବା ଆରମ୍ଭ କରିଛି। ନିକଟରେ ଏହାର ଏକ ନିଲାମି କରାଯାଇଥିବା ସୂଚନା ମିଳିଛି। ଏହାର...

ଏହି ଅଙ୍ଗୁର ପେନ୍ଥାର ଦାମ୍‌ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବଜାରରେ ବିଭିନ୍ନ ପ୍ରକାରର ଅଙ୍ଗୁର ମିଳିଥାଏ। ଭିନ୍ନ ଭିନ୍ନ ଅଙ୍ଗୁରର ଦାମ୍‌ ମଧ୍ୟ ଅଲଗା ରହିଥାଏ। କିନ୍ତୁ ଜାପାନ୍‌ରେ ରୁବି ରୋମାନ ନାମକ ଏକ ଅଙ୍ଗୁରର...

ଯେଉଁଠି ଦେବୀଦେବତାଙ୍କୁ ମିଳେ ଦଣ୍ଡ

ଅଦାଲତରେ ସାଧାରଣତଃ ମଣିଷମାନଙ୍କୁ ଦଣ୍ଡ ବିଧାନର ବ୍ୟବସ୍ଥା ରହିଛି। ସେମିତି ଗାଁ ଗଣ୍ଡାରେ ଦେବୀଦେବତାଙ୍କୁ ସାକ୍ଷୀ ରଖି ବିଭିନ୍ନ ପ୍ରକାର ମାମଲାର ସମାଧାନ କରାଯାଇଥିବା ମଧ୍ୟ...

ହଲଚଲ ହେଉଛି ଶବ

କାନ୍‌ବେରା: ମୃତ୍ୟୁ ପରେ ମଣିଷ ଶରୀର ପାଖାପାଖି ବର୍ଷେ ଯାଏ ହଲଚଲ ହୁଏ ଅର୍ଥାତ ତା’ ମୂଳ ଅବସ୍ଥାରେ କିଛି ଏପାଖ ସେପାଖ ହୁଏ ବୋଲି...

Leave a comment

Your email address will not be published. Required fields are marked *