ସାମାଜିକ ରେଜିଷ୍ଟ୍ରି ଓ ସମଗ୍ରମ୍‌

କୁମାରସମ୍ଭବ ଶ୍ରୀବାସ୍ତବ
ତେଲଙ୍ଗାନା ରାଜ୍ୟ ସରକାର ଆଧାର ଉପରେ ନିର୍ଭର ନ କରି ଭାରତର ୧୩୦ କୋଟି ବାସିନ୍ଦାଙ୍କ ୩୬୦-ଡିଗ୍ରୀ ପ୍ରୋଫାଇଲ ନିର୍ମାଣ ପାଇଁ ମୋଦି ସରକାରଙ୍କୁ ଏକ ଇଣ୍ଟ୍ରୁସିଭ୍‌ ଓ ସର୍ଚ୍ଚେବ୍‌ଲ ଡାଟାବେସ୍‌ ନିର୍ମାଣ କରିବାରେ ସାହାଯ୍ୟ କରିବାକୁ ପ୍ରସ୍ତାବ ଦେଇଛନ୍ତି ବୋଲି ହଫ୍‌ପୋଷ୍ଟ ଇଣ୍ଡିଆ ଦ୍ୱାରା ସମୀକ୍ଷିତ ଦଲିଲଗୁଡ଼ିକରୁ ଜଣାପଡ଼ିଛି। ଅକ୍ଟୋବର ୧୯, ୨୦୧୮ରେ ତେଲଙ୍ଗାନାର ସୂଚନା ପ୍ରଯୁକ୍ତି, ଇଲେକ୍ଟ୍ରୋନିକ୍ସ ଏବଂ ଯୋଗାଯୋଗ ବିଭାଗର ପ୍ରମୁଖ ସଚିବ ଜୟେଶ ରଞ୍ଜନ ତାଙ୍କ ପ୍ରତିପକ୍ଷ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟର ସଚିବ ଅଜୟ ପ୍ରକାଶ ସାହନୀଙ୍କୁ କହିଛନ୍ତି ଯେ, ତେଲଙ୍ଗାନା ଏପରି ଏକ ବ୍ୟବସ୍ଥା ଲାଗୁ କରିସାରିଛି। ଏହି ବ୍ୟବସ୍ଥା ଦ୍ୱାରା ରାଜ୍ୟର ୩୦ ନିୟୁତ ବାସିନ୍ଦାଙ୍କୁ ଟ୍ରାକ୍‌ କରାଯାଇପାରୁଛି ଏବଂ କେନ୍ଦ୍ର ସରକାର ୧୩୦ କୋଟି ଲୋକଙ୍କୁ ଟ୍ରାକ୍‌ କରିବା ପାଇଁ ଏହାକୁ ଏକ ସିଷ୍ଟମ୍‌ରେ ପରିଣତ କରିବାକୁ ଯାଉଥିବାରୁ ତେଲଙ୍ଗାନା ଏଥିରେ ତାଙ୍କୁ ସାହାଯ୍ୟ କରିବାକୁ ପ୍ରସ୍ତୁତ।
ସୁପ୍ରିମ୍‌କୋର୍ଟ ଆଧାରର ସାମ୍ବିଧାନିକ ବୈଧତାକୁ ସମର୍ଥନ କରିବା ସହ ନାଗରିକଙ୍କ ଗୋପନୀୟତାକୁ ଉଲ୍ଲଂଘନ ନ କରିବା ପାଇଁ କହିବାର ତିନିସପ୍ତାହ ପରେ ତେଲଙ୍ଗାନା ଏହି ପ୍ରସ୍ତାବ ଦେଇଥିଲା। ରଞ୍ଜନ ତାଙ୍କ ଇମେଲରେ ଲେଖିଛନ୍ତି ଯେ, ଆଧାର ଉପରେ ସୁପ୍ରିମ୍‌କୋର୍ଟଙ୍କ ରାୟକୁ ଦୃଷ୍ଟିରେ ରଖି ତୁରନ୍ତ ଏହାର ସମାଧାନ ଖୋଜିବା ଆବଶ୍ୟକ ପଡ଼ିଲା, ଯାହାଦ୍ୱାରା ଆଧାର ବିନା ଉକ୍ତ ୩୬୦-ଡିଗ୍ରୀ ଟ୍ରାକ୍‌ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯାଇପାରିବ। ପ୍ରାୟ ଅଢ଼େଇ ବର୍ଷ ପୂର୍ବେ ତେଲଙ୍ଗାନା ସମଗ୍ରମ୍‌ ବା ସମଗ୍ର ବେଦିକା ନାମକ ଏକ ପ୍ରକଳ୍ପ ଆରମ୍ଭ କରିଥିଲା, ଯାହା ବହୁବିଧ ପ୍ରଶାସନିକ ଉଦ୍ଦେଶ୍ୟ ପୂରଣ କରୁଥିବା ବିଭିନ୍ନ ରେକର୍ଡ ଲିଙ୍କେଜ୍‌ ବିଶିଷ୍ଟ ଏକ ବୃହତ୍‌ ଡାଟାବେସ୍‌। ରଞ୍ଜନ ତାଙ୍କ ଇମେଲରେ ଲେଖିଛନ୍ତି, ଏହି ସମାଧାନ ଉପାୟ ଅନ୍ୟ ରାଜ୍ୟ ତଥା ଭାରତ ସରକାରଙ୍କ ବିଭିନ୍ନ ବିଭାଗକୁ ପ୍ରଦାନ କରିପାରିଲେ ତେଲଙ୍ଗାନା ବହୁତ ଖୁସି ହେବ। ଏ ବିଷୟରେ ପୂର୍ଣ୍ଣାଙ୍ଗ ବିବରଣୀ ପ୍ରଦାନ ପାଇଁ ଦିଲ୍ଲୀ ଆସିବାକୁ ସେ ପ୍ରସ୍ତାବ ଦେଇଥିଲେ।
ସମଗ୍ରମ୍‌ ନାମକ ତେଲଙ୍ଗାନା ପ୍ରୟୋଗ ମୋଦି ସରକାରଙ୍କ ଉଚ୍ଚାଭିଳାଷୀ ତଥା ବିବାଦୀୟ ସାମାଜିକ ରେଜିଷ୍ଟ୍ରି ପାଇଁ ଏକ କାର୍ଯ୍ୟକାରୀ ଆଦିରୂପ- ଏହା ପ୍ରମାଣ କରେ ଯେ ବିରାଟ ଡାଟାବେସ୍‌କୁ ନେଇ ଦେଶର ନାଗରିକଙ୍କ ଉପରେ ନଜରଦାରି କରିବା କୌଣସି ସୁଖସ୍ବପ୍ନ ନୁହେଁ, ବରଂ ଏକ ଚିନ୍ତାଜନକ ବାସ୍ତବତା। ସାମାଜିକ ରେଜିଷ୍ଟ୍ରି ଯେପରି ୨୦୧୧ରେ ପ୍ରଥମେ ପରିଚାଳିତ ସାମାଜିକ-ଅର୍ଥନୈତିକ ଜାତି ଗଣନା (ଏସ୍‌ଇସିସି) ଉପରେ ନିର୍ମିତ ହେବାକୁ ଯାଉଛି; ସମଗ୍ରମ୍‌ ସେହିପରି ସମଗ୍ର କୁଟୁମ୍ବ ସର୍ଭେ ଉପରେ ଭିତ୍ତିକରି ନିର୍ମିତ ହୋଇଛି, ଯାହା ଇଣ୍ଟିଗ୍ରେଟେଡ୍‌ ହାଉସ୍‌ହୋଲ୍‌ଡ ସର୍ଭେ ଭାବରେ ମଧ୍ୟ ଜଣାଶୁଣା। ତାହା ତେଲଙ୍ଗାନା ସରକାରଙ୍କ ଦ୍ୱାରା ୨୦୧୪ରେ ରାଜ୍ୟର ପ୍ରତ୍ୟେକ ବାସିନ୍ଦାଙ୍କ ଜନସାଂଖି୍ୟକ ତଥା ସାମାଜିକ-ଅର୍ଥନୈତିକ ତଥ୍ୟ ସଂଗ୍ରହ ପାଇଁ କରାଯାଇଥିଲା।
କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟର ପୂର୍ବତନ ଅର୍ଥନୈତିକ ପରାମର୍ଶଦାତା ତଥା ପ୍ରସ୍ତାବିତ ସୋସିଆଲ ରେଜିଷ୍ଟ୍ରିର ଅନ୍ୟତମ ସ୍ଥପତି ମନୋରଞ୍ଜନ କୁମାର ହଫ୍‌ପୋଷ୍ଟ ଇଣ୍ଡିଆକୁ କହିଛନ୍ତି ଯେ, ସୋସିଆଲ ରେଜିଷ୍ଟ୍ରିର ଅପବ୍ୟବହାର ହେବାର ଯଥେଷ୍ଟ ସମ୍ଭାବନା ରହିଛି। କୁମାର କହିଛନ୍ତି, ଏହାର ଚାରିପାଖରେ ଥିବା ଅନ୍ୟାନ୍ୟ ବ୍ୟବସ୍ଥାରେ ସଂସ୍କାର ନ ହେବା ପର୍ଯ୍ୟନ୍ତ ସେ ଏହାକୁ କାର୍ଯ୍ୟକାରୀ କରିବେ ନାହିଁ। ସରକାର ଡାଟା ସୁରକ୍ଷାକୁ ସୁଦୃଢ଼ କରନ୍ତୁ। କୋର୍ଟଗୁଡ଼ିକର କ୍ଷମତା ବୃଦ୍ଧି କରନ୍ତୁ। ତା’ପରେ ଏହି ବ୍ୟବସ୍ଥାର ଉପଯୋଗ କରିବାରେ ଅସୁବିଧା ନାହିଁ। ନଚେତ୍‌ ଏହା ରାଜ୍ୟ ଦ୍ୱାରା ଅପବ୍ୟବହାର ହୋଇପାରିବ।
ହାଇଦ୍ରାବାଦରେ ଥିବା ଏକ ଦୁଇ ମହଲା କାର୍ଯ୍ୟାଳୟରେ ଜଣେ ବରିଷ୍ଠ ସରକାରୀ ଅଧିକାରୀ ଏକ ବିଶିଷ୍ଟ କ୍ରୀଡ଼ାବିତ୍‌ ଏବଂ ତାଙ୍କ ପିତାଙ୍କ ନାମ ଟାଇପ କରିଥିଲେ। କେଇ ସେକେଣ୍ଡ ଭିତରେ ତାଙ୍କ ନାମ ସହିତ ସଂଯୁକ୍ତ ୧୨ଟି ରେକର୍ଡ ସ୍କ୍ରିନ୍‌ରେ ପ୍ରଦର୍ଶିତ ହୋଇଗଲା- ଠିକଣା, ଫୋନ ନମ୍ବର, ଉଚ୍ଚ ବିଦ୍ୟାଳୟ ଏବଂ ଉଚ୍ଚ ମାଧ୍ୟମିକ ପରୀକ୍ଷା ବିବରଣୀ, ପାସ୍‌ପୋର୍ଟ, ଡ୍ରାଇଭିଂ ଲାଇସେନ୍ସ ସୂଚନା ଏବଂ ଯାନ ମାଲିକାନା ବିବରଣୀ ଇତ୍ୟାଦି। ସେ ବହୁତ ଧନୀ। ତାଙ୍କ ପାଖରେ ଚାରିଟି ଗାଡି ଅଛି ବୋଲି ଅଧିକାରୀ ଜଣକ କହିଛନ୍ତି। କେବଳ ଜଣକର ଫୋନ୍‌ ନମ୍ବର ଦେଇଦେଲେ ସେଥିରୁ ସବୁ ତଥ୍ୟ ଜଣାପଡ଼ିଯିବ। ମାଉସ୍‌ର ଆଉ ଦୁଇଟି କ୍ଲିକ, ତା’ପରେ ଅଧିକାରୀ ତାଙ୍କ ସହିତ ସଂଯୁକ୍ତ ସମସ୍ତଙ୍କ ନାମ ସହିତ ସେମାନଙ୍କର ସମସ୍ତ ସମ୍ପର୍କର ଚିତ୍ର ଉପସ୍ଥାପନା କରିପାରିବେ।
ଅଧିକାରୀ ହଫ୍‌ପୋଷ୍ଟ ଇଣ୍ଡିଆକୁ କହିଛନ୍ତି ଯେ, ସମଗ୍ର ସିଷ୍ଟମ୍‌ ପାଞ୍ଚ ପ୍ରକାରର ସମ୍ପର୍କକୁ ମ୍ୟାପିଂ କରେ: ପିତାମାତା, ପିଲା, ଭାଇଭଉଣୀ, ପତି-ପତ୍ନୀ ଏବଂ ଅନ୍ୟାନ୍ୟ ଅବଶିଷ୍ଟ ସମ୍ପର୍କ ଯେପରିକି ସମାନ ଠିକଣାରେ ରହୁଥିବା ଲୋକ, ସମାନ ଫୋନ୍‌ ନମ୍ବର କିମ୍ବା ଇମେଲ ଆଇଡି ବ୍ୟବହାର କରୁଥିବା ଲୋକ ଇତ୍ୟାଦି। ଯଦି ଆପଣ ସେହି ବ୍ୟକ୍ତିମାନଙ୍କ ମଧ୍ୟରୁ କୌଣସି ଉପରେ କ୍ଲିକ କରିବେ, ସେମାନଙ୍କ ବିଷୟରେ ଆହୁରି ଅନେକ ତଥ୍ୟ ଜଣାପଡ଼ିବ। ଶେଷ ପାହାଚରେ ପହଞ୍ଚିବା ପର୍ଯ୍ୟନ୍ତ ଆପଣ ଖୋଳତାଡ଼ ଜାରି ରଖିପାରିବେ ବୋଲି ଅଧିକାରୀ କହିଛନ୍ତି।
ଅଧିକାରୀ କହିଛନ୍ତି ଯେ, ସମଗ୍ରମ୍‌ ପ୍ରୟୋଗର ସମ୍ପର୍କ-ନେଟ୍‌ୱାର୍କ ବୈଶିଷ୍ଟ୍ୟ କେବଳ ଆଇନ ଏବଂ ଆଦେଶ କାର୍ଯ୍ୟକାରୀ କରୁଥିବା ଏଜେନ୍ସିର ବରିଷ୍ଠ ଅଧିକାରୀଙ୍କ ପାଇଁ ଉପଲବ୍ଧ। ଅନେକ ଭାରତୀୟ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥା ଅନୁରୂପ ଡାଟାବେସ୍‌ ନିର୍ମାଣ କରିବାକୁ ଚେଷ୍ଟା କରୁଛନ୍ତି। ଏହି ପ୍ରକାରର ନେଟ୍‌ୱାର୍କ ତିଆରି କରିବା ପାଇଁ ଫାଇନାନ୍ସିଆଲ ଇଣ୍ଟେଲିଜେନ୍ସ ୟୁନିଟ୍‌, ଆୟକର ବିଭାଗ, ନ୍ୟାଶ୍‌ନାଲ ଇଣ୍ଟେଲିଜେନ୍ସ ଗ୍ରୀଡ୍‌ ପ୍ରଭୃତି ସମସ୍ତ ଆଇନ ପ୍ରବର୍ତ୍ତନ ଏଜେନ୍ସି ଚାହୁଁଛନ୍ତି। ସେମାନେ ନିଜ ନିଜ ସ୍ତରରେ ଅଛନ୍ତି। କିନ୍ତୁ ତେଲଙ୍ଗାନା ପରି ଏଭଳି ଉନ୍ନତ ସ୍ତରରେ କେହି ପହଞ୍ଚି ନାହାନ୍ତି ବୋଲି ଅଧିକାରୀ କହିଛନ୍ତି।
ଯେହେତୁ ଆମେ ସମସ୍ତେ ସଚେତନ, ଆମ ସମସ୍ତଙ୍କର ଡିଜିଟାଲ ଫୁଟ୍‌ପ୍ରିଣ୍ଟ ଅଛି। ଯେତେବେଳେ ଆମେ ଏକ କାରବାର କରୁ ଯେଉଁଠାରେ ରେକର୍ଡ ରକ୍ଷଣାବେକ୍ଷଣ ଆବଶ୍ୟକ ହୁଏ, ସେତେବେଳେ ଆମେ ଏକ ଡିଜିଟାଲ ପାଦଚିହ୍ନ ଛାଡିଥାଉ ବୋଲି ଜୁଲାଇ ୨୦୧୯ରେ ତେଲଙ୍ଗାନା ଆଇଟି ବିଭାଗର ପ୍ରିନ୍ସିପାଲ ରଞ୍ଜନ କହିଛନ୍ତି। ଯଦି ଆପଣ ମୋତେ ଜଣଙ୍କର ନାମ କହିବେ ତେବେ ମୁଁ ତାଙ୍କର ସମ୍ପୂର୍ଣ୍ଣ ଡିଜିଟାଲ ପାଦଚିହ୍ନ ପ୍ରାୟ ୯୬% ସଠିକତା ପର୍ଯ୍ୟନ୍ତ ଦେଇ ପାରିବି ବୋଲି ସେ କହିଛନ୍ତି। ରଞ୍ଜନ ତାଙ୍କ ସାର୍ବଜନୀନ ଭାଷଣରେ କହିଛନ୍ତି, ତେଲଙ୍ଗାନା ସରକାର ରାଜ୍ୟରେ ପ୍ରତ୍ୟେକ ବାସିନ୍ଦାଙ୍କ ବିସ୍ତୃତ ଡିଜିଟାଲ ପ୍ରୋଫାଇଲ ନିର୍ମାଣ ପାଇଁ ୩୦ଟି ବିଭିନ୍ନ ସରକାରୀ ଡାଟାବେସ୍‌କୁ ଏକତ୍ର କରି ଏହି ସିଷ୍ଟମ୍‌ ନିର୍ମାଣ କରିଛନ୍ତି। ଉଦାହରଣ ସ୍ବରୂପ, ଯଦି ଆପଣ ଏକ ବ୍ୟାଙ୍କ ଆକାଉଣ୍ଟ ଖୋଲନ୍ତି, ତେବେ ବ୍ୟାଙ୍କ ଡାଟାବେସ୍‌ ଆପଣଙ୍କୁ ରେକର୍ଡ କରେ। ଯଦି ଆପଣ ଏକ ମୋବାଇଲ ଫୋନ୍‌, ଏକ ସିମ୍‌କାର୍ଡ କିଣନ୍ତି, ତେବେ ଅପରେଟରଙ୍କ ଡାଟାବେସ୍‌ ଆପଣଙ୍କୁ ରେକର୍ଡ କରେ। ଭୋଟର ତାଲିକାରେ ଆପଣଙ୍କ ରେକର୍ଡ ତ ରହିବ। ଯଦି ଆପଣ ସମ୍ପତ୍ତି କର ଦେଉଛନ୍ତି, ତେବେ ଆପଣ ସମ୍ପତ୍ତି କର ତାଲିକାରେ ରେକର୍ଡ ହେବେ। ଯଦି ଆପଣଙ୍କର କୌଣସି ବାଣିଜି୍ୟକ କାରବାର ଚାଲିଛି ବା ଧରାଯାଉ ଆପଣ ଜିଏସ୍‌ଟି ଦେଉଛନ୍ତି ତେବେ ଆପଣ ସେଠାରେ ଜିଏସ୍‌ଟି ଡାଟାବେସ୍‌ରେ ରହିବେ। ଆମର ପ୍ରତ୍ୟେକଟି ତଥ୍ୟ ଏକାଧିକ ଡାଟାବେସ୍‌ରେ ଅଛି ଯାହା ଆମର ଡିଜିଟାଲ ପ୍ରୋଫାଇଲ ଗଠନ କରେ।
ସମଗ୍ରମ୍‌ ସିଷ୍ଟମ୍‌ ଜଣେ ବ୍ୟକ୍ତିର ନାମ ଓ ଠିକଣାକୁ ବ୍ୟବହାର କରି ତାଙ୍କର ବ୍ୟକ୍ତିଗତ ଡିଜିଟାଲ ପ୍ରୋଫାଇଲ ସୃଷ୍ଟି କରିପାରିବ। ଫୋନ୍‌ ନମ୍ବର ପରି ଅତିରିକ୍ତ ବିବରଣୀ ଯୋଡିବା ପ୍ରକ୍ରିୟାକୁ ତ୍ୱରାନ୍ବିତ କରେ ଏବଂ ଏହାକୁ ଅଧିକ ନିର୍ଭୁଲ୍‌ କରିଥାଏ। ପ୍ରଶାସନକୁ ସୁଦୃଢ଼ କରିବା ଓ ସେଥିରେ ଉନ୍ନତି ଆଣିବା ଆଳରେ ରାଜ୍ୟ ସରକାରୀ କର୍ମଚାରୀମାନେ ଏହି ସ୍ତରର ନଜରଦାରିକୁ ଯଥାର୍ଥ ବୋଲି କହିଛନ୍ତି। ପ୍ରକୃତ ଯୋଗ୍ୟ ବ୍ୟକ୍ତିଙ୍କୁ ସରକାରୀ ସୁବିଧା ମିଳୁନାହିଁ। ଗରିବଙ୍କ ସୁବିଧା ଧନୀମାନେ ମାରିନେଉଛନ୍ତି। ତେଣୁ ଶାସନକୁ ସୁଦୃଢ଼ କରିବା ପାଇଁ ବିଭିନ୍ନ ବିଭାଗରେ ଉପଲବ୍ଧ ତଥ୍ୟ ଆଣିବା ପାଇଁ ସମଗ୍ରମ୍‌ ବା ସମଗ୍ର ବେଦିକା ନାମକ ଉକ୍ତ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନିଆଗଲା ବୋଲି ଇଲେକ୍‌ଟ୍ରୋନିକ୍ସ ସର୍ଭିସ୍‌ ଡେଲିଭରି କମିଶନର ଜି.ଟି. ଭେଙ୍କଟେଶ୍ୱର ରାଓ କହିଛନ୍ତି। ଏହି ସିଷ୍ଟମ ଆଧାର ବ୍ୟବହାର କରୁନାହିଁ ବୋଲି ରାଓ କହିଛନ୍ତି। ଅର୍ଥାତ୍‌ ତାଙ୍କ ମତରେ ସେପ୍ଟେମ୍ବର ୨୦୧୯ରେ ସୁପ୍ରିମ୍‌କୋର୍ଟ ଆଧାର ବ୍ୟବହାର ସମ୍ପର୍କରେ ଦେଇଥିବା ବିଚାରର ଏହା ଉଲ୍ଲଂଘନ କରୁନାହିଁ। ରାଓ କହିଛନ୍ତି ଯେ, ସୁପ୍ରିମ୍‌କୋର୍ଟ ଆଇନସଂଗତ ଉଦ୍ଦେଶ୍ୟରେ ଗୋପନୀୟତାର ବ୍ୟବହାର କରାଯାଇପାରିବ ବୋଲି ଦର୍ଶାଇଛନ୍ତି ଏବଂ ସେହି ଉଦ୍ଦେଶ୍ୟଗୁଡ଼ିକ ହେଉଛି ରାଜ୍ୟର ରାଜସ୍ବ ସଂରକ୍ଷଣ, ସାମାଜିକ କଲ୍ୟାଣକାରୀ ସୁବିଧା ପ୍ରଦାନ, ଜାତୀୟ ସୁରକ୍ଷା, ଆଇନଶୃଙ୍ଖଳା ରକ୍ଷା, ଅପରାଧ ରୋକିବା ଇତ୍ୟାଦି। ଆଲୋଚିତ ସମଗ୍ର ବେଦିକାର ଉଦ୍ଦେଶ୍ୟ ରାଜ୍ୟର ଏହି ଆଇନସଂଗତ ଉଦ୍ଦେଶ୍ୟ ଅଧୀନରେ ରହିଛି। ରାଓ କହିଛନ୍ତି ଯେ ଏଭଳି ପ୍ରୋଫାଇଲ ସୃଷ୍ଟି କରିବା ପାଇଁ ନାଗରିକଙ୍କ ସହମତି ଲୋଡିବାର କୌଣସି ଆବଶ୍ୟକତା ନାହିଁ କାରଣ ସମଗ୍ରମ୍‌ ନାଗରିକଙ୍କଠାରୁ ନୂତନ ତଥ୍ୟ ସଂଗ୍ରହ କରିବା ଆବଶ୍ୟକ କରୁନାହିଁ – ବରଂ ଏହି ବ୍ୟବସ୍ଥା ସେହିସବୁ ତଥ୍ୟ ସଂଗ୍ରହ କରିଛି ଯାହା ବିଭିନ୍ନ ସରକାରୀ ବିଭାଗ ଦ୍ୱାରା ପୂର୍ବରୁ ସଂଗୃହୀତ ହୋଇସାରିଛି। ରାଓ ଦାବି କରିଛନ୍ତି ଯେ, ଏଥିରେ ଅନେକ ସୁରକ୍ଷା ବ୍ୟବସ୍ଥା ରହିଛି ଏବଂ ଡାଟାବେସ୍‌ରେ ପ୍ରବେଶ କେବଳ ସରକାରୀ ବରିଷ୍ଠ ଅଧିକାରୀଙ୍କ ପାଇଁ ସୀମିତ ରହିଛି। ତେବେ ଗୋପନୀୟତା ବିଶେଷଜ୍ଞମାନେ ରାଓଙ୍କ ସହ ସହମତ ନୁହନ୍ତି॥ (ସୌଜନ୍ୟ: ହଫ୍‌ପୋଷ୍ଟ ଇଣ୍ଡିଆ)
ସହ-ପ୍ରତିଷ୍ଠାତା, ଲ୍ୟାଣ୍ଡ କଣ୍ଟ୍ରୋଲ ୱାଚ୍‌, ନୂଆଦିଲ୍ଲୀ, kumarsambhav.08@gmail.com


All Right Reserved By Dharitri.Com

ଏଇ ଭାରତରେ

ମଧ୍ୟପ୍ରଦେଶର ଜଣେ ଆଦିବାସୀ ମହିଳା କୃଷିରେ ନୂଆ କୌଶଳ ପ୍ରୟୋଗ କରି ଗାଁରେ ପୂରା ଚାଷ ପଦ୍ଧତିକୁ ବଦଳାଇ ଦେଇଛନ୍ତି। ଆଦିବାସୀବହୁଳ ଡିଣ୍ଡୋରି ଜିଲାର ଏକ...

କର୍ମ, ଶ୍ରମ ଓ ଶ୍ରମଜୀବୀ

ଡ. କିଶୋର ମହାନ୍ତି ଶ୍ରମିକମାନଙ୍କ ପାଇଁ ତାଲାବନ୍ଦ କିଛି ନୂଆ କଥା ନୁହେଁ। କେତେକେତେ ଏମିତି ତାଲାବନ୍ଦର ସମ୍ମୁଖୀନ ହେଇଛି ସେ, କିନ୍ତୁ ଏପ୍ରକାର କରୋନା...

ଦୁଇଟି ନଗରୀର କାହାଣୀ

ଡ. ରମେଶ ଚନ୍ଦ୍ର ପରିଡ଼ା ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ। ତେବେ ସମଗ୍ର ବିଶ୍ୱ ପାଇଁ ତାହା ପାଲଟିଛି ଶିଳ୍ପ ଦୁର୍ଘଟଣା ଭୟାବହତାର ପ୍ରତୀକ। ୩୫ ବର୍ଷ...

ଓଡ଼ିଶା ରାଜନୀତିରେ ନାରୀଶକ୍ତି

ଶରତଚନ୍ଦ୍ର ମିଶ୍ର ଏଥର ନିର୍ବାଚନ(୨୦୧୯)ରେ ବିଜେଡି ଓଡ଼ିଶାର ସମୁଦାୟ ଲୋକ ସଭା ସିଟ୍‌ର ତିନିଭାଗରୁ ଏକଭାଗ ମହିଳାଙ୍କୁ ପ୍ରଦାନ କରି ଏକ ସକାରାତ୍ମକ ଉଦାହରଣ ସୃଷ୍ଟି...

ଆଜିର ଅର୍ଥନୀତି/ଦୋହରା ଝଟକା

ଇରାନର ଜେନେରାଲ କାସିମ ସୋଲେମାନୀଙ୍କୁ ଆମେରିକା ଶୁକ୍ରବାର ବିମାନ ଆକ୍ରମଣ କରି ହତ୍ୟାକରିବା ପରେ ଓ୍ବାଶିଂଟନ ଓ ତେହେରାନ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।...

ଶିକ୍ଷାର୍ଥୀ, ଶିକ୍ଷାୟତନ ଓ ର଼୍ୟାଗିଂ

ପ୍ରଦୀପ୍ତ ନାୟକ ଶିକ୍ଷାନୁଷ୍ଠାନର ଅନ୍ୟନାମ ବିଦ୍ୟାମନ୍ଦିର, ଯେଉଁଠାରେ ମାତାପିତାଙ୍କର ଯୋଗ୍ୟ ସନ୍ତାନ ତଥା ଦେଶର ସୁନାଗରିକ ତିଆରି ହୁଅନ୍ତି। ଏଣୁ ଏହାକୁ ମଣିଷ ତିଆରି କାରଖାନା...

ସରକାର ବିଳମ୍ବ ନ କରନ୍ତୁ

ତତ୍ତ୍ୱ ଓ ତର୍କ/ବିମଳ ପାଣ୍ଡିଆ ଫେବୃଆରୀ ୨୦ ତାରିଖରୁ ମାର୍ଚ୍ଚ ୨୩ ଭିତରେ ଭାରତର ପ୍ରମୁଖ ଷ୍ଟକ୍‌ ଏକ୍ସଚେଞ୍ଜ ସୂଚକାଙ୍କ ‘ସେନ୍ସେକ୍ସ’ ୪୧,୩୯୯ରୁ ୨୫,୯୮୧କୁ ଖସି...

ଓଡ଼ିଶାର ଲେନିନ୍‌ : ଭଗବତୀ ଚରଣ

ଡ. ପ୍ରଫୁଲ୍ଲ କୁମାର ସାହୁ ମହାନ୍‌ ସ୍ବାଧୀନତା ସଂଗ୍ରାମୀ ତଥା ବିପ୍ଳବୀ ଜନନାୟକ ଭଗବତୀ ଚରଣ ପାଣିଗ୍ରାହୀ ଥିଲେ ଚାଷୀ, ମୂଲିଆ, ଗରିବ ଓ ଅସହାୟ...

Leave a comment

Your email address will not be published. Required fields are marked *