ଆତଙ୍କବାଦ ବିରୋଧରେ ଟ୍ରମ୍ପ କାର୍ଡ

ଅରୁଣ କୁମାର ପଣ୍ଡା
ପ୍ରତିରକ୍ଷା, ଶକ୍ତି, ବୈଷୟିକ ଜ୍ଞାନକୌଶଳ ଏବଂ ସଞ୍ଚାର କ୍ଷେତ୍ରରେ ପରସ୍ପର ବୁଝାମଣା ସହିତ ଉଭୟ ଦେଶ ମଧ୍ୟରେ ସୌହାର୍ଦ୍ଦ୍ୟ ବୃଦ୍ଧି ପାଇଁ ଦୃଢ ପଦକ୍ଷେପ ନେବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ଦେଇଥିବା ପ୍ରତିଶ୍ରୁତି ଭାରତ-ଆମେରିକା ସମ୍ପର୍କ କ୍ଷେତ୍ରରେ ଏକ ମାଇଲଖୁଣ୍ଟ କୁହାଯାଇପାରେ। ଇସ୍‌ଲାମିକ ଆତଙ୍କବାଦ ବିରୋଧରେ ଆମେରିକା ଭାରତ ସହ ନିର୍ଣ୍ଣାୟକ ଲଢେଇ କରିବ ବୋଲି ଘୋଷଣା କରି ଉଭୟ ଦେଶ ମଧ୍ୟରେ ଗଭୀର ବନ୍ଧୁତାର ମହତ୍ତ୍ୱପୂର୍ଣ୍ଣ ସଙ୍କେତ ଦେଇଛନ୍ତି କହିଲେ ଅତ୍ୟୁକ୍ତି ହେବନାହିଁ। ଅବଶ୍ୟ ଟ୍ରମ୍ପ ଆମେରିକାବାସୀଙ୍କ ଭିତରେ ତାଙ୍କର ଭାରତ ଗସ୍ତକୁ ନେଇ ଏକ ଭାବାବେଶ ସୃଷ୍ଟି କରିବାକୁ ଚାହୁଁଥିଲେ। ଆମେରିକା ନିର୍ବାଚନର ଅବ୍ୟବହିତ ପୂର୍ବରୁ ଆମେରିକାରେ ଥିବା ପ୍ରବାସୀ ଭାରତୀୟଙ୍କ ମନରେ ତାଙ୍କ ପ୍ରତି ବିଶ୍ୱାସ ସୃଷ୍ଟି କରିବା ଏହି ଗସ୍ତର ଭିତିରି ଉଦ୍ଦେଶ୍ୟ ଥିଲେ ମଧ୍ୟ ଗତ ଆମେରିକା ରାଷ୍ଟ୍ରପତିମାନଙ୍କ ଭାରତ ଗସ୍ତଠାରୁ ଟ୍ରମ୍ପଙ୍କ ଯାତ୍ରା ଅଧିକ ଫଳପ୍ରଦ ପ୍ରମାଣିତ ହୋଇଛି।
ଟ୍ରମ୍ପଙ୍କ ଭାରତ ଗସ୍ତ ବେଳେ ବହୁ ପ୍ରତୀକ୍ଷିତ ବାଣିଜି୍ୟକ ବୁଝାମଣା ହେଲା ନାହିଁ କିମ୍ବା ସେଭଳି କୌଣସି ନାଟକୀୟ ଘୋଷଣା କରାଗଲା ନାହିଁ। ପରନ୍ତୁ ଯାହା ହେଲା ତାହା କିଛି କମ୍‌ ନୁହେଁ। ଅତିକମ୍‌ରେ ଚାରୋଟି କ୍ଷେତ୍ରରେ ଟ୍ରମ୍ପଙ୍କ ଭାରତ ଯାତ୍ରା ବେଶ୍‌ କିଛି ଉଲ୍ଲେଖନୀୟ ଫଳଶ୍ରୁତି ଦେଇଛି। ସେଗୁଡ଼ିକ ହେଲା- ସାଂସ୍କୃତିକ, ରାଜନୈତିକ, ସାମରିକ ଓ ଆର୍ଥିକ, ଯାହାର ଦୂରଗାମୀ ପ୍ରଭାବ ଭବିଷ୍ୟତରେ ଦେଖିବାକୁ ମିଳିବ। ଏହା ନିଃସନ୍ଦେହରେ କୁହାଯାଇପାରେ ଯେ, ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱ ରାଜନୀତି କ୍ଷେତ୍ରରେ ଦୁଇ ଜଣ ମଜଭୁତ ରାଜନେତା ଭାବରେ ଉଭା ହୋଇଛନ୍ତି ଏବଂ ଏହି ଦୁଇଦେଶ ମଧ୍ୟରେ ଭାଗୀଦାରି ଶକ୍ତିଶାଳୀ ହୋଇଛି। ଏ ପର୍ଯ୍ୟନ୍ତ ଆମେ ଛୋଟମୋଟ ଦେଣନେଣ ବା କାରବାର କରୁଥିଲୁ। ଆମେରିକା ସହିତ ଯାହାକୁ ଜେନେରାଲାଇଜ୍‌ଡ ସିଷ୍ଟମ୍‌ ପ୍ରିଫରେନ୍ସ (ଜିଏସ୍‌ପି) କୁହାଯାଏ। ଏହା ଅନୁସାରେ ଭାରତକୁ ପୂର୍ବରୁ ମିଳୁଥିବା ସୁବିଧା ଆଦି ପୁଣି ପ୍ରଦାନ କରିବା, କୃଷି ଏବଂ ଦୁଗ୍ଧ ଉତ୍ପାଦ ପାଇଁ ଭାରତୀୟ ବଜାର ଖୋଲିବା ଲାଗି ପ୍ରୟାସ ଆଦି ଅନ୍ତର୍ଭୁକ୍ତ ରହିବ। ରାଷ୍ଟ୍ରପତିଙ୍କ ଗସ୍ତ ପରେ ଏ କ୍ଷେତ୍ର ଆହୁରି ବ୍ୟାପକ ହେବ ବୋଲି ଆଶା କରାଯାଉଛି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଭାରତରୁ ସର୍ବାଧିକ ରପ୍ତାନି ଆମେରିକାକୁ ହିଁ ହୋଇଥାଏ। ସେହି ଅନୁସାରେ ଆମେରିକୀୟ ସାମଗ୍ରୀ ଭାରତକୁ ଆସୁନାହିଁ। ରାଷ୍ଟ୍ରପତି ଟ୍ରମ୍ପ ଏହି ଅସନ୍ତୁଳନକୁ ଦୂର କରିବା ପାଇଁ ଭାରତର ତୈଳ ସମସ୍ୟାର ସମାଧାନ ଦୃଷ୍ଟିରୁ ପେଟ୍ରୋଲିୟମ୍‌ ଉତ୍ପାଦ ଭାରତକୁ ରପ୍ତାନି କରିବା ସମ୍ପର୍କରେ ବିଚାର କରୁଛନ୍ତି। ଏବେ ଆମେରିକା ଶିଳାତୈଳ (ସେଲ୍‌ ଅଏଲ)ର ଟେକ୍‌ନିକ୍‌ ହାସଲ କରି ଏହାର ପ୍ରଚୁର ଉତ୍ପାଦନ କରୁଛି। ଏହା ପରମ୍ପରାଗତ ଅଶୋଧିତ ପେଟ୍ରୋଲ ବା ଖଣିଜତୈଳର ବିକଳ୍ପ ଭାବେ ଉଭା ହୋଇଛି। ଏହି ଶିଳାତେଲ ବିଶେଷ ପ୍ରକାରର ଚଟାଣରୁ ଉତ୍ପାଦିତ ହୋଇଥାଏ। ଆଗରୁ ଆମେରିକା ଅନ୍ୟ ଦେଶରୁ ତୈଳ ଆମଦାନି କରୁଥିଲା। ଏବେ ରପ୍ତାନି କରୁଛି। ଏହି ନୂତନ ତେଲର ବହୁ ବଡ ବଡ ଭଣ୍ଡାର ଆମେରିକାରେ ରହିଛି। ଟେକ୍‌ସାସ ନିକଟବର୍ତ୍ତୀ ବାମିୟନ ବେସିନ ଅଞ୍ଚଳରେ ଆଜିକାଲି ପ୍ରଚୁର ପରିମାଣରେ ଏହି ତୈଳ ଉତ୍ପାଦିତ ହେଉଛି। ଏହି ଉଦ୍ୟୋଗ ଯେତେ ଜୋରରେ ବଢି ଚାଲିଛି, ସେହି ଅନୁସାରେ ପାଇପ୍‌ ଲାଇନର ଅଭାବ ଦେଖାଦେଉଛି। ଏବେ ଆମେରିକା ବିଶ୍ୱର ଏକ ବଡ ଖଣିଜ ତେଲ ଉତ୍ପାଦକ ଦେଶରେ ପରିଣତ ହୋଇଛି। ଏହି ତୈଳ ରପ୍ତାନି ପାଇଁ ଭାରତରେ ବଡବଜାର ସୃଷ୍ଟି କରିବାକୁ ଆମେରିକା ଲକ୍ଷ୍ୟ ରଖିଛି।
ଏବେ ଭାରତର ସବୁଠାରୁ ବଡ ଆବଶ୍ୟକତା ନିଜର ଅର୍ଥ ବ୍ୟବସ୍ଥାକୁ ଗତି ପ୍ରଦାନ କରିବା ଏବଂ ବିଶେଷ ନିର୍ମାଣ କ୍ଷେତ୍ରରେ ଆଗକୁ ବଢିବା। ଏହା ସହିତ ଆମକୁ ଶ୍ରେଷ୍ଠତମ ବୈଷୟିକ ଜ୍ଞାନକୌଶଳର ମଧ୍ୟ ଆବଶ୍ୟକତା ରହିଛି। ଆମେରିକା କମ୍ପାନୀଗୁଡିକର ସହଯୋଗରେ ଭାରତର ଔଦ୍ୟୋଗିକ ବିକାଶ ଗତିଶୀଳ ହେବାର ସମ୍ଭାବନା ସୃଷ୍ଟି ହୋଇଛି।
ଏବେ ଟିକେ ପଛକୁ ଚାହିଁବା, ଯାହାକୁ ସିଂହାବଲୋକନ କୁହାଯାଏ। ୨୦୧୪ରେ ପ୍ରଧାନମନ୍ତ୍ରୀ ହେବା ପରେ ସେପ୍ଟେମ୍ବର ମାସରେ ଆମେରିକା ଯିବା ପୂର୍ବରୁ ନରେନ୍ଦ୍ର ମୋଦି ‘ଓ୍ବାଲ ସ୍ପିଚ୍‌ ଜର୍ନାଲ’ ପତ୍ରିକାରେ ପ୍ରକାଶିତ ଲେଖାରେ ନିଜ ସ୍ବପ୍ନର ଭାରତ ସମ୍ପର୍କରେ ଉଲ୍ଲେଖ କରି ଲେଖିଥିଲେ ଯେ, ଆମେରିକା ସମେତ ବିଶ୍ୱର ଅନ୍ୟ ବିକଶିତ ରାଷ୍ଟ୍ରମାନଙ୍କୁ ଭାରତରେ ନିବେଶ କରିବା ପାଇଁ ସେ ଆମନ୍ତ୍ରଣ କରୁଛନ୍ତି। ସେ ଲେଖିଥିଲେ- ଠିକ୍‌ କାମ କରିବା ଯେତିକି ଜରୁରୀ, କାମକୁ ଠିକ୍‌ କରିବା ମଧ୍ୟ ସେତିକି ଆବଶ୍ୟକ।’ ମୋଦିଙ୍କ ଆମେରିକା ଗସ୍ତର ଅବ୍ୟବହିତ ପୂର୍ବରୁ ଦେଶରେ ‘ମେକ୍‌ ଇନ୍‌ ଇଣ୍ଡିଆ’ ଅଭିଯାନର ଶୁଭାରମ୍ଭ ହୋଇଥିଲା। ଏହି ଅଭିଯାନର ଠିକ୍‌ ଗୋଟିଏ ଦିନ ଆଗରୁ ଭାରତର ବୈଜ୍ଞାନିକମାନେ ମଙ୍ଗଳୟାନ ଅଭିଯାନ ସଫଳ ହେବା ଘୋଷଣା କରିଥିଲେ। ଏହି ସମୟ ମୋଦିଙ୍କ ‘ଗ୍ଲୋବାଲ-କନେକ୍ଟ’ କାର୍ଯ୍ୟକ୍ରମ ପାଇଁ ବେଶ୍‌ ମହତ୍ତ୍ୱପୂର୍ଣ୍ଣ ଥିଲା। ପ୍ରଥମେ ଜାପାନ, ପୁଣି ଚାଇନା ଏବଂ ଏହା ପରେ ଆମେରିକା ସରକାରଙ୍କ ସହ କଥାବାର୍ତ୍ତା କରି ସେ ବୈଶ୍ୱିକ ମଞ୍ଚରେ ‘ନୂଆ ଭାରତ ଆଗମନ’ର ଘୋଷଣା କରିଥିଲେ। ଆମେରିକା ସହିତ ଯେତେବେଳେ ଭାରତର ପରମାଣୁ ସନ୍ଧି ହୋଇଥିଲା, ସେତେବେଳେ ଆମେରିକାରେ କମ୍ପାନୀମାନେ ଆଶା କରିଥିଲେ ଯେ, ଭାରତ ସହିତ ପ୍ରାୟ ୧୪୦ ନିୟୁତ ଡଲାରର ରିଆକ୍ଟର ଏବଂ ଅନ୍ୟ ଉପକରଣର ସଉଦା ହେବ। ପରମାଣୁ ଅପ୍ରସାର ଲବିର କଡା ବିରୋଧ ସତ୍ତ୍ୱେ ଆମେରିକା ଭାରତକୁ ସମର୍ଥନ କଲା; ପରନ୍ତୁ ପ୍ରତିବଦଳରେ କିଛି ହିଁ ମିଳିଲା ନାହିଁ। ଆମେରିକାର ଏହି ଦୁଃଖ ଆଜି ବି ରହିଛି। ଟ୍ରମ୍ପଙ୍କ ଏହି ଭାରତ ଯାତ୍ରା ବେଳେ ରିଆକ୍ଟର କ୍ରୟ ଓ ଅନ୍ତରୀକ୍ଷ ଅନୁସନ୍ଧାନ କ୍ଷେତ୍ରରେ ସହଯୋଗ ପାଇଁ ପୁଣିଥରେ କଥାବାର୍ତ୍ତା ଆରମ୍ଭ ହୋଇଛି। ଦେଶର ଦୂରସଞ୍ଚାର କ୍ରାନ୍ତିରେ ମଧ୍ୟ ଆମେରିକାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ ବୋଲି ଆଶା କରାଯାଉଛି।
ଯଦି ସ୍ଥିତି ଠିକ୍‌ ରହିବ ତେବେ ଭାରତରେ ପୁଞ୍ଜି ନିବେଶ ପାଇଁ ଆମେରିକୀୟ କମ୍ପାନୀଗୁଡିକୁ ପ୍ରୋତ୍ସାହିତ କରାଯାଇପାରିବ। ଭାରତକୁ ପୁଞ୍ଜି ସହିତ ଉଚ୍ଚସ୍ତରୀୟ କାରିଗରି ଜ୍ଞାନକୌଶଳର ଆବଶ୍ୟକତା ରହିଛି। ଏହି ଟେକ୍‌ନୋଲୋଜି ପ୍ରତିରକ୍ଷା ସହିତ ଚିକିତ୍ସା, ବୈଜ୍ଞାନିକ ଅନୁସନ୍ଧାନ ତଥା ଉପଭୋକ୍ତା ସାମଗ୍ରୀ ଆଦି ପାଇଁ ବିନିଯୋଗ ହୋଇପାରିବ। ଭାରତ ନିଜର ଅର୍ଥ ବ୍ୟବସ୍ଥାକୁ ଦୃଢ଼ କରିବାରେ ବିଳମ୍ବ କରିଛି ତଥା ଆଧୁନିକ ବେପାର ପାଇଁ ପର୍ଯ୍ୟାପ୍ତ ଢାଞ୍ଚା ପ୍ରସ୍ତୁତିରେ ମଧ୍ୟ ଅଗ୍ରଗତି କରିନାହିଁ। କେବଳ ଜାତୀୟ ରାଜପଥ, ବନ୍ଦର ଏବଂ ରେଳବାଇ କ୍ଷେତ୍ରରେ ଆମେ କିଛି ଅଗ୍ରଗତି କରିଛୁ।
ଚାଇନାକୁ ଟକ୍କର ଦେବା ପାଇଁ ଆମେରିକା ସାମରିକ କ୍ଷେତ୍ରରେ ଭାରତକୁ ସହଯୋଗ କରିବା ପାଇଁ ଆଗ୍ରହୀ। ଚାଇନା-ପାକିସ୍ତାନ ମଧ୍ୟରେ ଗଠବନ୍ଧନକୁ ଦେଖି ଭାରତକୁ ନିଜର ସେନା କ୍ଷମତା ବୃଦ୍ଧି କରିବାକୁ ପଡୁଛି। ସାମୁଦ୍ରିକ ବେପାର ମାର୍ଗର ମହତ୍ତ୍ୱକୁ ଉପଲବ୍ଧି କରି ଭାରତ ମହାସାଗରଠାରୁ ଆରମ୍ଭ କରି ପ୍ରଶାନ୍ତ ମହାସାଗର ପର୍ଯ୍ୟନ୍ତ ଭାରତୀୟ ନୌସେନାର କ୍ଷେତ୍ରୀୟ ସୁରକ୍ଷାକୁ ନେଇ ଭୂମିକା ବଢିଛି। କିଛି ବର୍ଷ ମଧ୍ୟରେ ଭାରତ-ଆମେରିକା ମଧ୍ୟରେ ସାମରିକ ସମ୍ବନ୍ଧ ଅତି ମହତ୍ତ୍ୱପୂର୍ଣ୍ଣ ହୋଇଉଠିଛି। ଟ୍ରମ୍ପଙ୍କ ଭାରତ ଗସ୍ତ ସମୟରେ ତିନି ନିୟୁତ ଡଲାରର ରକ୍ଷା ବୁଝାମଣା ଉପରେ ହସ୍ତାକ୍ଷର ହୋଇଛି। ଏହା ଭିତରେ ନୌସେନା ପାଇଁ ୨୩ ଏମ୍‌ଏଚ୍‌-୬୦ ରୋମିଓ ହେଲିକପ୍ଟର ଏବଂ ସ୍ଥଳସେନା ପାଇଁ ୬ଏଏଚ୍‌୬୪-ଇ ଆପାଚି ହେଲିକପ୍ଟର ସାମିଲ ଅଛି। ଦେଶର ଆବଶ୍ୟକତାକୁ ଚାହିଁ ଭବିଷ୍ୟତରେ ଆହୁରି କିଛି ବୁଝାମଣା ହୋଇପାରେ।
ଟ୍ରମ୍ପଙ୍କ ମୁହଁରୁ ଭାରତବାସୀ ଯାହା ଶୁଣିବାକୁ ଚାହୁଁଥିଲେ ତାଙ୍କ ଯାତ୍ରାର ଦ୍ୱିତୀୟ ଦିବସରେ ଦିଲ୍ଲୀରେ ସେ ଖୋଲାଖୋଲି ତାହା କହିଲେ। କଠୋରପନ୍ଥୀ ଇସ୍‌ଲାମିକ ଆତଙ୍କବାଦ ବିରୋଧରେ ଆମେରିକା-ଭାରତ ମିଳିତ ଭାବେ ସଂଗ୍ରାମ କରିବେ ବୋଲି ସେ ଘୋଷଣା କଲେ। ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେ ପାକିସ୍ତାନକୁ କହିଥିବା କଥା ମଧ୍ୟ ଟ୍ରମ୍ପ ପ୍ରକାଶ କରିଥିଲେ। ଇତିମଧ୍ୟରେ ତାଲିବାନ ସହିତ ଆମେରିକାର ବୁଝାମଣା ହୋଇଛି। ଏଥିରେ ପାକିସ୍ତାନ ଆମେରିକାକୁ ସହାୟତା କରିଥିବାରୁ ଟ୍ରମ୍ପ ଇମ୍‌ରାନଙ୍କୁ ସାଥିରେ ରଖିବାକୁ ଚାହୁଁଛନ୍ତି। ପରନ୍ତୁ ଆତଙ୍କବାଦକୁ ନେଇ ସେ ପାକିସ୍ତାନକୁ ବାରମ୍ବାର କଠୋରବାଣୀ ଶୁଣାଇଛନ୍ତି। ଆଫଗାନିସ୍ତାନ ପ୍ରସଙ୍ଗରେ ମଧ୍ୟ ଟ୍ରମ୍ପ ଭାରତର ସହଯୋଗ ଚାହିଁଛନ୍ତି। ସର୍ବତୋ ଭାବରେ ଟ୍ରମ୍ପଙ୍କ ଭାରତ ଗସ୍ତ ଆମ ପାଇଁ ସକାରାତ୍ମକ ହୋଇଛି।
ସେକ୍ଟର-୬, ସିଡିଏ, କଟକ, ମୋ-୯୪୩୭୨୭୦୬୦୫


All Right Reserved By Dharitri.Com

ଏଇ ଭାରତରେ

ଖାସିର ଜଣେ ମହିଳା ବ୍ୟାଙ୍କ ଚାକିରି ଛାଡ଼ି ନିଜର କଫି ଫାର୍ମ କରିବା ସହ ୩୦୦ରୁ ଊର୍ଦ୍ଧ୍ୱ ମହିଳା ଶ୍ରମିକଙ୍କୁ ଜୀବିକା ଯୋଗାଇଛନ୍ତି। ଏହି ମହିଳା...

ମଣିଷ ହୁଅ

  ଦ୍ୱିତୀ ଚନ୍ଦ୍ର ସାହୁ ସମସ୍ତଙ୍କ ଉପସ୍ଥିତିରେ ସାଇଁକରି ଗାଡ଼ିଟିକୁ ଚକ୍ରାକାରରେ ଘୂରେଇଲା ଜଣେ ଯୁବକ। ଆଗ ଚକ ଟିକେ ଉପରକୁ ଉଠାଇଲା ଆଉ ଆଖିବୁଜା...

ଏଇ ଭାରତରେ

ଆଦିବାସୀଙ୍କ ବିକାଶ ପାଇଁ କାର୍ଯ୍ୟକରି ସମାଜରେ ଉଦାହରଣ ସୃଷ୍ଟି କରିଛନ୍ତି ଡା. ଏମ. ରେଗି ଏବଂ ଡା.ଲଳିତା ରେଗି । ଏକ ଡାକ୍ତର ଦମ୍ପତି ତାମିଲନାଡୁର...

ଜନଜାତି ସଂସ୍କୃତିରେ ନାରୀ

ଡ. ପ୍ରଫୁଲ୍ଲ କୁମାର ସାହୁ ଭାରତୀୟ ସମାଜ ଜୀବନର ଏକ ପ୍ରଧାନ ଅଙ୍ଗ ହେଉଛି ଆଦିବାସୀ ସଂସ୍କୃତି। ପ୍ରକୃତିର ମନୋଜ୍ଞ ପରିବେଶରେ ଜୀବନ ଧାରଣ କରି...

ଏଇ ଭାରତରେ

ରାମାୟଣ ଓ ଗୀତା ଉପରେ ପ୍ରବଚନ ଦେଇ ଧାର୍ମିକ ସମନ୍ବୟ ଓ ସଦ୍‌ଭାବନାର ବାର୍ତ୍ତା ଦେଉଛନ୍ତି ଜଣେ ମୁସଲମାନ। ତାଙ୍କ ନାମ ଫାରୁଖ ଖାନ୍‌। ମଧ୍ୟପ୍ରଦେଶର...

ବାଘ ସୁରକ୍ଷା: ଦାୟ କାହାର

ସବ୍ୟସାଚୀ ଅମିତାଭ ଏଇ ଦିନ କେଇଟା ତଳେ ଉତ୍ତରପ୍ରଦେଶର ପିଲ୍‌ଭିଟ୍‌ ବ୍ୟାଘ୍ର ଅଭୟାରଣ୍ୟର ଗୋଟିଏ ମହାବଳ ବାଘକୁ ଲୋକେ ପିଟିପିଟି ମାରିଦେଇଛନ୍ତି। ଖାଦ୍ୟ ଅନ୍ବେଷଣରେ ବାଘଟି...

ଏଇ ଭାରତରେ

ଜଣେ ବିଚାରାଧୀନ ଅପରାଧୀ ଗଛ ଲଗାଇବେ ଓ ତାହାକୁ ବର୍ଷେ ଯାଏ ଜଗିବା ଲାଗି ଗ୍ବାଲିୟର ହାଇକୋର୍ଟ ପ୍ରଦାନ କରିଥିବା ସସର୍ତ୍ତ ଜାମିନକୁ ନେଇ ଏବେ...

ଟିକସ ବିଶାରଦରୁ ପ୍ରଧାନମନ୍ତ୍ରୀ

ବ୍ୟକ୍ତିତ୍ୱ/ଶିବ ପ୍ରସାଦ ପୁହାଣ ଜଣେ ଜଣାଶୁଣା ଅର୍ଥନୀତିଜ୍ଞ ତଥା ରାଜନେତା ମିଖାଇଲ ମିଶୁଷ୍ଟିିନ ନିକଟରେ ରୁଷିଆର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ ହୋଇଛନ୍ତି। ବିଶ୍ୱର ସାମ୍ପ୍ରତିକ ପରିସ୍ଥିତିରେ...

Leave a comment

Your email address will not be published. Required fields are marked *