ସାଧାରଣ ଜନତାଙ୍କ ଉପରେ ନଜରଦାରି

କୁମାରସମ୍ଭବ ଶ୍ରୀବାସ୍ତବ
ଭାରତ ସରକାରଙ୍କ ବିବାଦୀୟ ସୋସିଆଲ ରେଜିଷ୍ଟ୍ରି ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବାକୁ ଦାୟିତ୍ୱରେ ଥିବା ବରିଷ୍ଠ ବ୍ୟୁରୋକ୍ରାଟ ଚେତାବନୀ ଦେଇଥିଲେ ଯେ ଏତେ ବଡ଼ ଆକାରର ଏକ କେନ୍ଦ୍ରୀକୃତ ତଥା କ୍ରସ୍‌-ଲିଙ୍କ୍‌ଡ ଡାଟାବେସ ଶହେ କୋଟିରୁ ଅଧିକ ଭାରତୀୟଙ୍କ ଗୋପନୀୟତା ଓ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିପାରେ। କିନ୍ତୁ ତାଙ୍କ ଚେତାବନୀକୁ ଅଣଦେଖା କରାଯାଇଥିଲା ବୋଲି ହଫ୍‌ପୋଷ୍ଟ ଇଣ୍ଡିଆ ଦ୍ୱାରା ସମୀକ୍ଷିତ ଦଲିଲରୁ ଜଣାପଡ଼ିଛି। ହଫପୋଷ୍ଟ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ଉକ୍ତ ସାମାଜିକ ରେଜିଷ୍ଟ୍ରି ନାଗରିକଙ୍କ ସାମାଜିକ ତଥା ଅର୍ଥନୈତିକ ଜୀବନକୁ ସ୍ବୟଂଚାଳିତ ଭାବରେ ଟ୍ରାକ୍‌ କରିବା ପାଇଁ ଉଦ୍ଦିଷ୍ଟ- ଏହା ସାହାଯ୍ୟରେ ସରକାରୀ ସହାୟତା ପାଇବା ପାଇଁ ସ୍ବୟଂଚାଳିତ ଭାବେ ନିରନ୍ତର ସେମାନଙ୍କର ଯୋଗ୍ୟତା ଆକଳନ କରାଯିବ। ରେଜିଷ୍ଟ୍ରି ଉପରେ କାର୍ଯ୍ୟ ଚାଲିଥିଲାବେଳେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟର ଅର୍ଥନୈତିକ ପରାମର୍ଶଦାତା ମନୋରଞ୍ଜନ କୁମାର ହୃଦୟଙ୍ଗମ କରିଥିଲେ ଯେ ଏହି ବ୍ୟବସ୍ଥାକୁ ସାଧାରଣ ଜନତାଙ୍କ ଉପରେ ନଜରଦାରି ପାଇଁ ସହଜରେ ବ୍ୟବହାର କରାଯାଇପାରିବ।
ନଭେମ୍ବର ୨୭, ୨୦୧୫ରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟର ଅର୍ଥନୈତିକ ପରାମର୍ଶଦାତା ମନୋରଞ୍ଜନ କୁମାର ଜାତୀୟ ସାମାଜିକ ରେଜିଷ୍ଟ୍ରି ସମ୍ପର୍କରେ ଧାରଣା ଦେଉଥିବା ଏକ ନୋଟ ଲେଖିଥିଲେ, ଯେଉଁଥିରେ ସେ ଦର୍ଶାଇଥିଲେ ଯେ ଦେଶର ଗରିବ ନାଗରିକମାନଙ୍କୁ ସ୍ବଚ୍ଛ ଭାବରେ ଲାଭ ପ୍ରଦାନ କରିବା ଏବଂ ସରକାରୀ କାର୍ଯ୍ୟକ୍ରମଗୁଡ଼ିକର ପ୍ରଭାବ ଆକଳନ କରିବା ପାଇଁ ଏହା ହେଉଛି ଏକ ନୂତନ ଉପାୟ। କିନ୍ତୁ ବର୍ତ୍ତମାନ ପାଞ୍ଚବର୍ଷ ପରେ, ସୋସିଆଲ ରେଜିଷ୍ଟ୍ରି ସମାପ୍ତ ହେବାକୁ ଯାଉଥିବା ବେଳେ କୁମାର ଆଶଙ୍କା କରୁଛନ୍ତି ଯେ, ଉତ୍ତମ ଉଦ୍ଦେଶ୍ୟରେ ପରିକଳ୍ପିତ ଏହି ବ୍ୟବସ୍ଥା ଭାରତର ୧୨୦ କୋଟି ନାଗରିକଙ୍କ ଅଧିକାର ଓ ସ୍ବାଧୀନତାକୁ କ୍ଷୁଣ୍ଣ କରିପାରେ।
ଶ୍ରୀନିବାସ କୋଡାଲିଙ୍କ ଦ୍ୱାରା ସୂଚନା ଅଧିକାର ଅଧିନିୟମ ଅନୁଯାୟୀ ପ୍ରାପ୍ତ ଦଲିଲଗୁଡିକ ଦର୍ଶାଏ ଯେ ସୋସିଆଲ ରେଜିଷ୍ଟ୍ରି ଏକ ବିଶାଳ ଇଣ୍ଟ୍ରୁସିଭ୍‌ ଡାଟାବେସ ହେବ ଯାହା ଭାରତର ୧୨୦ କୋଟି ନାଗରିକଙ୍କ ଜୀବନର ପ୍ରତ୍ୟେକ ଦିଗକୁ ଟ୍ରାକ୍‌ କରିବା ପାଇଁ ଆଧାର ନମ୍ବରକୁ ବ୍ୟବହାର କରିବ। ହଫ୍‌ପୋଷ୍ଟ ଇଣ୍ଡିଆ ରିପୋର୍ଟ ଅନୁସାରେ, ଯେତେବେଳେ ଜଣେ ନାଗରିକ ସହରରୁ ସହରକୁ ଯିବ, ଚାକିରି ବଦଳାଇବ, ନୂତନ ସମ୍ପତ୍ତି କ୍ରୟ କରିବ, ପରିବାରରେ କୌଣସି ସଦସ୍ୟ ଜନ୍ମ ହେବ ବା କେହି ମରିଯିବେ କିମ୍ବା କେହି ବିବାହ କରି ନିଜ ଶ୍ୱଶୁରଗୃହକୁ ଚାଲିଯିବେ, ସେତେବେଳେ ଜାତୀୟ ସାମାଜିକ ରେଜିଷ୍ଟ୍ରି ସ୍ବୟଂଚାଳିତ ଭାବରେ ଏସବୁକୁ ଟ୍ରାକ୍‌ କରିବ। ଧର୍ମ, ଜାତି, ଆୟ, ସମ୍ପତ୍ତି, ଶିକ୍ଷା, ବୈବାହିକ ସ୍ଥିତି, ରୋଜଗାର, ଅକ୍ଷମତା ଏବଂ ବଂଶବୃକ୍ଷର ପ୍ରତ୍ୟେକ ତଥ୍ୟକୁ ଏକ ବିଶାଳ ଡାଟାବେସ୍‌ରେ ଏକତ୍ର କରିବାକୁ ଆଧାର ସଂଖ୍ୟା ବ୍ୟବହାର କରାଯିବ।
୨୦୧୯ରେ ଅବସର ନେବା ପରଠାରୁ ରେଜିଷ୍ଟ୍ରି ଉପରେ ତାଙ୍କର ପ୍ରଥମ ସାର୍ବଜନୀନ ମନ୍ତବ୍ୟରେ କୁମାର ହଫ୍‌ପୋଷ୍ଟ ଇଣ୍ଡିଆକୁ କହିଛନ୍ତି ଯେ, ସେ ଚାହୁଁଥିଲେ ସାମାଜିକ ରେଜିଷ୍ଟ୍ରି ସିଷ୍ଟମ୍‌ ଗଠନ ହେଉ କାରଣ ସେ ଜନମଙ୍ଗଳ ଯୋଜନାରେ ସରକାରଙ୍କ କାର୍ଯ୍ୟରେ ସ୍ବଚ୍ଛତା ଚାହୁଁଥିଲେ। କେତେକ ଅଧିକାରୀ ଗ୍ରାମୀଣ ଯୋଜନାଗୁଡିକର ସଫଳତା ଉପରେ ଅତିରଞ୍ଜିତ ତଥ୍ୟ ପ୍ରଦାନ କରିଥାନ୍ତି ଏବଂ ଏହି ଡାଟାବେସ୍‌ ପ୍ରସ୍ତୁତି ପରେ ତାହା ବନ୍ଦ ହୋଇଯିବ ବୋଲି ସେ ବିଶ୍ୱାସ କରୁଥିଲେ। କାରଣ ଜନକଲ୍ୟାଣ ଯୋଜନାର ସଫଳ ରୂପାୟନ ସମ୍ପର୍କରେ ଠିକ୍‌ ତଥ୍ୟ ସାମାଜିକ ରେଜିଷ୍ଟ୍ରିରୁ ପ୍ରତିଫଳିତ ହେବ। କିନ୍ତୁ ରେଜିଷ୍ଟ୍ରିର ଅନ୍ତିମ ରୂପ କୁମାରଙ୍କୁ ନିଶ୍ଚିତ କରିଛି ଯେ, ବର୍ତ୍ତମାନ ଏହାକୁ କାର୍ଯ୍ୟକାରୀ କଲେ ଭାରତ ନିଜ ଲୋକଙ୍କ ଉପରେ ପୋଲିସିଂ କରୁଥିବା ଏକ ଦେଶରେ ପରିଣତ ହେବ। ତାଙ୍କର ବିଶ୍ୱାସ କୌଣସି ଦେଶର ବିକାଶ ପାଇଁ ଏହା ଘରୋଇ କ୍ଷେତ୍ର ତଥା ବ୍ୟବସାୟକୁ ଅଧିକ ସ୍ବାଧୀନତା ଦେବା ଉଚିତ ଏବଂ କମ୍‌ ନିୟନ୍ତ୍ରଣ ଲାଗୁ କରିବା ଆବଶ୍ୟକ। କିନ୍ତୁ ଦୁର୍ଭାଗ୍ୟବଶତଃ ଆଜି ଆମେ ସମସ୍ତ ସରକାରୀ ଓ ଅର୍ଦ୍ଧସରକାରୀ ସଂଗଠନକୁ ପୋଲିସ ଏଜେଣ୍ଟରେ ପରିଣତ କରିଛୁ। ବୀମା ନିୟମାବଳୀ, ବ୍ୟାଙ୍କିଙ୍ଗ୍‌, ଟିକସ କିମ୍ବା ସମ୍ପତ୍ତି ପଞ୍ଜୀକରଣ ହେଉ, ସମସ୍ତେ ଆପରାଧିକ ଦୃଷ୍ଟିରୁ ଦେଖୁଛନ୍ତି ଏବଂ ବ୍ୟକ୍ତିଗତ ଓ ବ୍ୟବସାୟ କ୍ଷେତ୍ରକୁ କମ୍‌ ସ୍ବାଧୀନତା ଦିଆଯାଉଛି।
କୁମାର ଏକଦା ସୋସିଆଲ ରେଜିଷ୍ଟ୍ରିର ଜଣେ ବଳିଷ୍ଠ ସମର୍ଥକ ଥିଲେ। ୨୦୧୫ରେ ଏ ସମ୍ପର୍କରେ କନ୍‌ସେପ୍ଟ ନୋଟ ଲେଖିବା ବ୍ୟତୀତ ସେ ସଂସଦୀୟ ଷ୍ଟାଣ୍ଡିଂ କମିଟି ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟର ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି ସହିତ ବିଚାର ବିମର୍ଶ କରିଥିଲେ। ତା’ ସହ ଆବଶ୍ୟକ ଅନୁମୋଦନ ପାଇବା ପାଇଁ ଅନ୍ୟ କେନ୍ଦ୍ର ମନ୍ତ୍ରଣାଳୟ, ବିଶ୍ୱ ବ୍ୟାଙ୍କ ଏବଂ ନୀତି ଆୟୋଗ ସହିତ ସମନ୍ବୟ ରକ୍ଷା କରିଥିଲେ। ଅମଲାତନ୍ତ୍ରର ଶୁଷ୍କ ଭାଷା ମଧ୍ୟରେ କୁମାରଙ୍କ ଏହି ପ୍ରକଳ୍ପ ପ୍ରତି ଅତ୍ୟାଗ୍ରହ ପ୍ରକାଶ ପାଇଥିଲା।
ପ୍ରତ୍ୟେକ ଭାରତୀୟଙ୍କୁ ଟ୍ରାକ୍‌ କରିବା ପାଇଁ ସୋସିଆଲ ରେଜିଷ୍ଟ୍ରିକୁ ୩୬୦ ଡିଗ୍ରୀ ଡାଟାବେସରେ ପରିଣତ କରିବା ଲାଗି ମୋଦି ସରକାର ଏସ୍‌ଇସିସିକୁ ବ୍ୟବହାର କରୁଛନ୍ତି। ୨୦୧୬ ପର୍ଯ୍ୟନ୍ତ କୁମାର ଏହି ପ୍ରକଳ୍ପରେ ସକ୍ରିୟ ଭାବରେ ଜଡିତ ଥିଲେ, କିନ୍ତୁ ୨୦୧୭ରେ ସେ ଭୁଲ ଜିନିଷର ବିକାଶ କରୁଥିବା ପରି ତାଙ୍କର ମନେ ହୋଇଥିଲା। କୁମାର ଲେଖିଛନ୍ତି ଯେ, ଆମେ ଏପରି ଏକ ସାମାଜିକ ରେଜିଷ୍ଟ୍ରି ସିଷ୍ଟମ୍‌ ଖୋଜିବା ଉଚିତ ଯାହାକି ଗୋପନୀୟତା ଉପରେ ମଧ୍ୟ ଧ୍ୟାନ ଦେଇଥାଏ, ବିଶେଷକରି ପୋଲିସ ସିଷ୍ଟମ୍‌ ଏବଂ ଅମଲାତନ୍ତ୍ର ସହିତ ଯାହା ନୈତିକତା ଦେଖାଇବାକୁ କୁଣ୍ଠାବୋଧ କରେ ନାହିଁ। ସେ କହିଛନ୍ତି ଯେ, କେବଳ ଆମେରିକାର ସାମାଜିକ ସୁରକ୍ଷା ବ୍ୟବସ୍ଥା ଏହି ଭାବରେ କାମ କରିଛି କାରଣ ଏଥିରେ ସର୍ବୋଚ୍ଚ ଗୋପନୀୟତା ଚିନ୍ତାଧାରା ପ୍ରଭାବଶାଳୀ ଭାବରେ ରହିଥିଲା। ଫାଇଲରେ କୁମାରଙ୍କ ପର୍ଯ୍ୟବେକ୍ଷଣ ଉପରେ କେହି ଉତ୍ତର ଦେଇ ନାହାନ୍ତି।
ଇତିମଧ୍ୟରେ ସୁପ୍ରିମ୍‌କୋର୍ଟ ଗୋପନୀୟତା ଅଧିକାର ଉପରେ ଆବେଦନର ଶୁଣାଣି କରୁଥିଲେ ମଧ୍ୟ ଭାରତୀୟ ନାଗରିକଙ୍କୁ ବିଭିନ୍ନ ସରକାରୀ ଡାଟାବେସରେ ଆଧାର ନମ୍ବର ଦେବା ପାଇଁ ମୋଦି ସରକାର ନିର୍ଦ୍ଦେଶ ପରେ ନିର୍ଦ୍ଦେଶ ଜାରି କରିଥିଲେ। କୁମାର ହଫ୍‌ପୋଷ୍ଟ ଇଣ୍ଡିଆକୁ କହିଥିଲେ ଯେ ଆଧାରର ଅପବ୍ୟବହାରକୁ ନେଇ ତାଙ୍କର ଚିନ୍ତା ବଢ଼ିବାରେ ଲାଗିଛି। ଆଜି ଯଦି ଆପଣ ଟଙ୍କା ଜମା କରିବାକୁ ଯାଆନ୍ତି, ନଗଦ ଅର୍ଥ ଫେରସ୍ତ ପାଇବା କିମ୍ବା ଜଣେ ଗୁରୁତର ରୋଗୀଙ୍କ ପାଇଁ ଡାକ୍ତରଖାନାରେ ନଗଦ ଅର୍ଥ ପ୍ରଦାନ କରିବାକୁ ଚାହାନ୍ତି, ପ୍ରତ୍ୟେକ ଥର ଆପଣଙ୍କ ଆଧାର ଦାବି କରାଯାଏ। ସେମାନେ ସମସ୍ତେ ପୋଲିସ ପରି କାର୍ଯ୍ୟ କରୁଛନ୍ତି। ଏଭଳି ପରିସ୍ଥିତିରେ ଆଧାର ଏକ ବିପଜ୍ଜନକ ଉପକରଣ। ଏହା ଏତେ ସୂଚନା ବହନ କରେ ଏବଂ ଟେକ୍ନୋଲୋଜି ଏପରି ଯେ କିଛି ବି ଗୁପ୍ତ ରହିପାରେ ନାହିଁ।
ହଫ୍‌ପୋଷ୍ଟ ଇଣ୍ଡିଆର ପୂର୍ବ ରିପୋର୍ଟ ଅନୁସାରେ, ସରକାର ପ୍ରଥମେ ଆଧାର ବିନା ସାମାଜିକ ରେଜିଷ୍ଟ୍ରି ନିର୍ମାଣ ପାଇଁ ଉପାୟ ଖୋଜିଥିଲେ, କିନ୍ତୁ ଶେଷରେ ଏହା ବଦଳରେ ଆଧାର ଅଧିନିୟମ ସଂଶୋଧନ କରିବାକୁ ନିଷ୍ପତ୍ତି ନେଇଥିଲେ। ଯଦି ଏହି ପରିବର୍ତ୍ତନଗୁଡିକ କାର୍ଯ୍ୟକାରୀ କରାଯାଏ, ଏହା ଆଧାର ଉପରେ କୋର୍ଟଙ୍କ ନିର୍ଦ୍ଦେଶିତ ସୁରକ୍ଷାକୁ ଅର୍ଥହୀନ କରିବ। ନାଗରିକଙ୍କ ବ୍ୟକ୍ତିଗତ ତଥ୍ୟର ବ୍ୟବହାରକୁ ନିୟନ୍ତ୍ରଣ କରିବା ପାଇଁ କୌଣସି ଆଇନ ନ ଥିବାରୁ ସୋସିଆଲ ରେଜିଷ୍ଟ୍ରି ପରି ଏକ ଲାଇଭ୍‌ ଡାଟାବେସକୁ ସରକାର ଅସଂଖ୍ୟ ଉପାୟରେ ଅପବ୍ୟବହାର କରିପାରିବେ ବୋଲି ଆର୍‌ଟିଆଇରେ ତଥ୍ୟ ହାସଲ କରିଥିବା କୋଡାଲି କୁହନ୍ତି। ସେ କହିଛନ୍ତି, ଏହି ତଥ୍ୟ ଦ୍ୱାରା କ୍ଷମତାରେ ଥିବା କୌଣସି ରାଜନୈତିକ ଦଳ ଭୋଟର ପ୍ରୋଫାଇଲ ସୃଷ୍ଟି କରି ନିର୍ବାଚନମଣ୍ଡଳୀର ପୁନର୍ଗଠନ କରିପାରିବେ ଯାହାଦ୍ୱାରା କେବଳ ସେମାନଙ୍କ ଦଳ କ୍ଷମତାକୁ ଆସିପାରିବ। (ସୌଜନ୍ୟ: ହଫ୍‌ପୋଷ୍ଟ ଇଣ୍ଡିଆ)
ସହ-ପ୍ରତିଷ୍ଠାତା, ଲ୍ୟାଣ୍ଡ୍‌ କଣ୍ଟ୍ରୋଲ ୱାଚ୍‌, ନୂଆଦିଲ୍ଲୀ, kumarsambhav.08@gmail.com


All Right Reserved By Dharitri.Com

ମରିସସ୍‌ର ପ୍ରଧାନମନ୍ତ୍ରୀ

ବ୍ୟକ୍ତିତ୍ୱ/ ଜିତେନ୍ଦ୍ର କୁମାର ନାୟକ ଆଫ୍ରିକାର ଏକ ସ୍ଥାୟୀ ଗଣତନ୍ତ୍ର ଭାବେ ମରିସସ୍‌ ଜଣାଶୁଣା। ୧୯୬୮ରେ ବ୍ରିଟେନରୁ ଏହା ସ୍ବାଧୀନତା ପାଇଥିଲା। ଭାରତ ଭଳି ଏହାର...

ଏଇ ଭାରତରେ

ପରିବାରରେ ସ୍ତ୍ରୀ ଓ ସ୍ବାମୀଙ୍କ ମଧ୍ୟରେ ବିବାଦ ଥିଲେ ଛାଡ଼ପତ୍ର ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେବା ସାଧାରଣ କଥା। ମାତ୍ର ଉତ୍ତରପ୍ରଦେଶ ମିରଟ ଜିଲାରେ ଘଟିଛି...

ଦାଗୀ ବାବୁଙ୍କୁ ଅଙ୍କୁଶ

ଦୁର୍ନୀତିଗ୍ରସ୍ତ ସମସ୍ତ ସେବା ଅଧିକାରୀଙ୍କୁ ସରକାରକୁ ନ ଫେରାଇବା ଲାଗି କେନ୍ଦ୍ର ସରକାର ନିୟମରେ ପରିବର୍ତ୍ତନ କରିବାକୁ ପ୍ରସ୍ତାବ ଦେଇଛନ୍ତିି। ଯଦି ଆଇଏଏସ୍‌, ଆଇପିଏସ୍‌ ଏବଂ...

ଭାରତୀୟ ଗଣତନ୍ତ୍ରରେ ନିର୍ବାଚନ

ନାରାୟଣ ପଣ୍ଡା ବିଶ୍ୱର ବୃହତ୍ତମ ଗଣତାନ୍ତ୍ରିକ ଦେଶ ଭାରତରେ ସପ୍ତଦଶ ସାଧାରଣ ନିର୍ବାଚନ ଆରମ୍ଭ ହୋଇଛି। ଦେଶର ସମ୍ବିଧାନ ଅନୁସାରେ ପ୍ରତି ୫ବର୍ଷରେ ଉକ୍ତ ନିର୍ବାଚନ...

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ଚଳିଆସୁଛି। ଏସବୁ ପରମ୍ପରା ପଛରେ ଅନେକ କାହାଣୀ ରହିଥାଏ। ଉତ୍ତରପ୍ରଦେଶର ମହାରାଜଗଞ୍ଜ୍‌ ଜିଲା ବେଲଓ୍ବା ଚୌଧ୍‌ରୀ ଗାଁରେ...

ଏଇ ଭାରତରେ

ପୋଲିସ ଆଖିରେ ଧୂଳି ଦେଇ ଅପରାଧୀ ଖସିଯାଉଥିବାବେଳେ ଦୁଇଟି ଛେଳି ପୋଲିସ ହାବୁଡ଼ରେ ପଡି ଗିରଫ ହୋଇ ଥାନାକୁ ଆସିବା ଖବର ଶୁଣି ଟିକେ ଆଶ୍ଚର୍ଯ୍ୟ...

ଏଇ ଭାରତରେ

କୁକୁର ବିବାହ କରାଇଲେ ଗ୍ରହ ଦୋଷ ଖଣ୍ଡନ ହୋଇଥାଏ ବୋଲି ଲୋକେ ବିଶ୍ୱାସ କରନ୍ତି। ଯେଉଁ ପରିବାର ଏହି କୁକୁର ବିବାହ କରିଥାଆନ୍ତି ସେମାନଙ୍କ ଘରେ...

ଆଇନଜ୍ଞ ରାଜ୍ୟପାଳ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ ରାଷ୍ଟ୍ରପତି ଭବନ ପକ୍ଷରୁ ଜୁଲାଇ ୨୦ରେ ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ବିହାର, ନାଗାଲାଣ୍ଡ ଏବଂ ତ୍ରିପୁରାରେ ରାଜ୍ୟପାଳଙ୍କ ନିଯୁକ୍ତି ନେଇ ବିଜ୍ଞପ୍ତି...

Leave a comment

Your email address will not be published. Required fields are marked *