ଚାଙ୍ଗୀ ବନାମ ଶାଳ

ଅଜିତ କୁମାର ଦାସ
ଚାଙ୍ଗୀ ଗୋଟିଏ ବିଷୁବ ମଣ୍ଡଳୀୟ ଉଦ୍ଭିଦ। ସିଙ୍ଗାପୁରରେ ଏହାକୁ ଜାତୀୟ ଐତିହ୍ୟର ମାନ୍ୟତା ଦିଆଯାଇଛି। ଶାଳଗଛ ବଂଶର ଏଇ ବୃକ୍ଷଟିର ନାମ ହୋପିଆ ସାଙ୍ଗାଲ। ସେଠାକାର ଲୋକେ ତାକୁ ଚେଙ୍ଗାଲ ପାସିର ନାମରେ ମଧ୍ୟ ଜାଣନ୍ତି। ବୃକ୍ଷଟିର କାଠ ଶାଳକାଠ ଭଳି ଶକ୍ତ ଓ ମଜଭୁତ। ପ୍ରଚୁର ଝୁଣା ଓ ଖଇର ଥିବାରୁ ଏଥିରେ ଘୁଣ କିମ୍ବା କବକ ଲାଗନ୍ତିନି। ଘରର କଡି, ବର୍ଗା, କବାଟବନ୍ଧ, ଝରକା ଫ୍ରେମ, ଶିଡିପାହାଚ, ଘରର ଚଟାଣଠୁଁ ନେଇ ଜାହାଜ ତିଆରି ପର୍ଯ୍ୟନ୍ତ ସବୁ କାମରେ ଏହାକୁ ବ୍ୟବହାର କରାଯାଉଥିଲା। ଚାଙ୍ଗୀ ବିମାନବନ୍ଦର, ଚାଙ୍ଗୀ ଯାଦୁଘର, ଚାଙ୍ଗୀ ଭିଲେଜ ପ୍ରଭୃତି ନାମରୁ ଏହାର ଲୋକପ୍ରିୟତା ଜଣାଯାଏ। ଏହା ବାଦ ନୂଆ ନୂଆ ଗଢି ଉଠୁଥିବା ହୋଟେଲ, ରେସ୍ତୋରାଁ ଓ କ୍ଲବ୍‌ ଘରମାନଙ୍କର ନାମ ମଧ୍ୟ ଚାଙ୍ଗୀ। ଏଇ ଲୋକପ୍ରିୟତା ହିଁ ଦିନେ ତା’ର କାଳ ହେଲା। ଆଧୁନିକ ସିଙ୍ଗାପୁର ନିର୍ମାଣ ସମୟରେ ଚାଙ୍ଗୀର ବଡ ବଡ ଅରଣ୍ୟ ନିର୍ବିଚାରରେ କାଟି ସଫା କରିଦିଆଗଲା। କାଁ ଭାଁ ଯେଉଁଠି ରହିଯାଇଥିଲା ଲୋକେ କାଟିନେଇ ଘର କାମରେ ଲଗାଇଦେଲେ। ଏମିତି ସମୟ ଆସିଲା ଖୋଜିଲେ ବି ଗଛଟିଏ ମିଳିଲାନି। ରେଡ ଡାଟା ବୁକ ଏହାର ୧୯୯୪ ମସିହା ସଂସ୍କରଣରେ ଚାଙ୍ଗୀକୁ ଏକ ବିଲୁପ୍ତ ଜାତି ବୋଲି ଘୋଷଣା କରିଥିଲା।
୨୦୦୨ ମସିହାରେ ଚାଙ୍ଗୀ ଭିଲେଜ ଅଞ୍ଚଳରେ କେତେକ ପ୍ରକୃତିପ୍ରେମୀ ସର୍ଭେ କରୁଥିବା ସମୟରେ ଅତି ଆକସ୍ମିକ ଭାବେ ଏକମାତ୍ର ଚାଙ୍ଗୀ ବୃକ୍ଷକୁ ଆବିଷ୍କାର କଲେ। ରାଜକୀୟ ଠାଣିରେ ଛିଡା ହୋଇଥିବା ଗଛଟିର ଉଚ୍ଚତା ଥିଲା ୩୫ ମିଟର। ଗଣ୍ଡିର ବେଢ ତିନି ମିଟରରୁ ଅଧିକ ଓ ବୟସ ଦେଢଶହ ବର୍ଷରୁ ଅଧିକ। ଗଛଟି ବେଶିଦିନ ତିଷ୍ଠି ପାରିଲାନି। ସିଙ୍ଗାପୁରରେ କାର୍ଯ୍ୟରତ ଏକ ଅନ୍ତର୍ଜାତୀୟ ନିର୍ମାଣ ସଂସ୍ଥା ବିନାନୁମତିରେ ଗଛଟିକୁ କାଟିଦେଲେ। ସମଗ୍ର ସିଙ୍ଗାପୁରବାସୀ ଚିହିଁକି ଉଠିଲେ। ସମାଜର ସବୁ ସ୍ତରରୁ ପ୍ରତିବାଦ ଆସିଲା। ରେଡିଓ, ଟିଭି ଓ ଖବରକାଗଜରେ ପ୍ରତିବାଦର ସ୍ବର ଜୋରଦାର ହେବାରେ ଲାଗିଲା। ଛାତ୍ରୀଛାତ୍ରମାନେ ରାଜରାସ୍ତାକୁ ଓହ୍ଲାଇ ଆସିଲେ। ଗଳ୍ପ, କବିତା ଓ ଏକାଙ୍କିକା ମାଧ୍ୟମରେ ସମାଜ ତା’ର କ୍ରୋଧ ପ୍ରକାଶ କଲା। ଶେଷରେ ଜାତୀୟ ଉଦ୍ୟାନ ବିଭାଗ ନିର୍ମାଣ ସଂସ୍ଥାକୁ କାଠଗଡାରେ ଛିଡା କରାଇଲା। ନିର୍ମାଣ ସଂସ୍ଥା କହିଲା, ଚଡକମରା, ଉଇଖିଆ ଗଛଟି ତାଙ୍କ କର୍ମଚାରଙ୍କ ଘର ଉପରକୁ ଢଳି ରହିଥିଲା। ପଡିଗଲେ ଧନଜୀବନ କ୍ଷୟ ହୋଇ ଥାଆନ୍ତା। ଏ ପ୍ରକାର ବେପରୁଆ ଉତ୍ତରକୁ ନ୍ୟାୟାଳୟ ଗ୍ରହଣ କଲେନି। ୨୦୦୩ ମସିହାରେ ଗୋଟିଏ ଗଛ କାଟିଥିବାରୁ କମ୍ପାନୀକୁ ୮୪ ହଜାର ସିଙ୍ଗାପୁର ଡଲାର ପଇଠ କରିବାକୁ ନିର୍ଦ୍ଦେଶ ଦିଆଗଲା, ଯାହାର ଭାରତୀୟ ମୁଦ୍ରାରେ ମୂଲ୍ୟ ପ୍ରାୟ ୪୪ ଲକ୍ଷ ଟଙ୍କା।
ଏବେ ଆସିବା ଓଡିଶାର ଢେଙ୍କାନାଳ ଜିଲାର ଝିଙ୍କାରଗଡି ଜଙ୍ଗଲକୁ, ଯେଉଁଠାରେ ପୋଲିସ ସହାୟତାରେ ପ୍ରଶାସନ ଗୋଟିଏ ବିଅର ଫ୍ୟାକ୍ଟ୍ରି ପ୍ରତିଷ୍ଠା କରାଇବା ପାଇଁ ଏକ ଜଙ୍ଗଲ କାଟି ସଫା କରିଦେଲା ଯେଉଁଥିରେ ଥିଲା ପାଞ୍ଚ ଶହ ସରିକି କେବଳ ଶାଳଗଛ। କଥା ସେତିକିରେ ସରିଲାନି। ଗଛଗୁଡ଼ିକୁ କୁଣ୍ଢାଇ ଧରି ପ୍ରତିରୋଧ କରୁଥିବା ସ୍ତ୍ରୀ ଲୋକମାନଙ୍କୁ ପୋଲିସ ଉଠାଇନେଇ ବିଭିନ୍ନ ଦଫା ଲଗାଇ ଜେଲରେ ପୂରାଇଦେଲା। ଜାତୀୟ ଐତିହ୍ୟର ମାନ୍ୟତା ପାଇ ନ ଥିଲେ ବି ଶାଗୁଆନ ଭଳି ଶାଳ ମଧ୍ୟ ଏକ ବହୁଳ ବ୍ୟବହାର ଉପଯୋଗୀ ଗଛ। ଚାଙ୍ଗୀ ଯେଉଁ କାମରେ ଲାଗେ ଶାଳ ମଧ୍ୟ ସେଇ କାମରେ ଲାଗିଥାଏ। ମନଇଚ୍ଛା କଟାଯାଉଥିବାରୁ ଶାଳ ଏବେ ଦୁଷ୍ପ୍ରାପ୍ୟ। ଆଦିବାସୀମାନେ ଆମ୍ବ ଓ ବରଗଛ ଭଳି ଏହାକୁ ପୂଜା କରନ୍ତି। ପଶ୍ଚିମ ଓଡିଶାରେ ବିଭିନ୍ନ ପର୍ବପର୍ବାଣିରେ କଦଳୀପତ୍ର ସ୍ଥାନରେ ଶାଳପତ୍ର ବ୍ୟବହାର କରାଯାଇଥାଏ।
୧୯୭୨ ମସିହା ବେଳକୁ ଝିଙ୍କାରଗଡି କହିଲେ ଅନାବନା ଘାସ ଓ ଏଠିସେଠି ଉଠିଥିବା ବୁଦୁବୁଦୁକିଆ ଗଛର ଏକ ଉଜୁଡା ଜଙ୍ଗଲକୁ ହିଁ ବୁଝାଉଥିଲା। ନିକଟସ୍ଥ ବଳରାମପୁର ଗାଁ ଲୋକେ ନିଜ ତରଫରୁ ସେଠାରେ ଗଛ ଲଗାଇଲେ, ପାଣିଦେଲେ, ପାଳିକରି ରାତିରେ ଜଙ୍ଗଲ ଜଗିଲେ। ଚାଳିଶ ବର୍ଷର ନିରବଚ୍ଛିନ୍ନ ସେବା ଓ ଯତ୍ନରେ ଖୋଲାମେଲା ଜାଗାଟି ଘଞ୍ଚ ଜଙ୍ଗଲରେ ପରିଣତ ହେଲା। ଏମିତି କି ହାତୀପଲ ମଧ୍ୟ ଗାଁ ଗଣ୍ଡା ଭିତରେ ନ ପଶି ପୁଣିଥରେ ଏଇ ଜଙ୍ଗଲକୁ ନିଜ ଚଲାବାଟ ଭାବେ ବାଛି ନେଲେ। ଦେଖିବାକୁ ଗଲେ ପରିବେଶର ପ୍ରକୃତ ସୁରକ୍ଷା ବଳରାମପୁରବାସୀ ହିଁ କରୁଥିଲେ। ଜଙ୍ଗଲ ସହିତ ସେମାନଙ୍କର ଥିଲା ଏକ ଆତ୍ମିକ ସମ୍ପର୍କ। ତେବେ ଏହା ଭିତରେ ଇଡ୍‌କୋ ବିଭାଗ ଅବ୍ୟବହୃତ ସରକାରୀ ଜାଗାମାନଙ୍କୁ ସଂଗ୍ରହ କରି ଏକ ଲ୍ୟାଣ୍ଡ ବ୍ୟାଙ୍କ ଗଠନ କରିଥିଲା। ଉଦ୍ଦେଶ୍ୟଥିଲା ବିଭିନ୍ନ ଶିଳ୍ପ ପ୍ରତିଷ୍ଠା ପାଇଁ ଉଦ୍ୟୋଗୀମାନଙ୍କୁ ଏହି ଲ୍ୟାଣ୍ଡବ୍ୟାଙ୍କରୁ ଜମି ଯୋଗାଇଦେବା। ଝିଙ୍କାରଗଡି ଜଙ୍ଗଲ ଲ୍ୟାଣ୍ଡ ବ୍ୟାଙ୍କ ପରିସରକୁ ଆସିଯିବା ମାତ୍ରେ କୋଲକାତାର P&A Bottles କମ୍ପାନୀ ୧୦୨ କୋଟି ଟଙ୍କା ବ୍ୟୟରେ ଏଠାରେ ଏକ ବିଅର କାରଖାନା ବସାଇବାର ପ୍ରସ୍ତାବ ଦେଲା। ଏହାକୁ ବିରୋଧ କରି ବଳରାମପୁର ଗ୍ରାମ୍ୟ ପରିଚାଳନା ପରିଷଦ ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲକୁ ଜଣାଇବା ସହିତ ହାଇକୋର୍ଟରେ ଫେରାଦ ହେଲା। ନ୍ୟାୟାଳୟ ସରକାରଙ୍କୁ ଷ୍ଟାଟସ ରିପୋର୍ଟ ତୁରନ୍ତ ଦାଖଲ କରିବାର ନିର୍ଦ୍ଦେଶ ଦେଲେ, ମାତ୍ର କାର୍ଯ୍ୟବନ୍ଦ ରଖିବା ପାଇଁ କୌଣସି ନିର୍ଦ୍ଦେଶ ଏଥିରେ ନ ଥିଲା। ଏହାରି ସୁଯୋଗରେ ନଭେମ୍ବର ୨୦୧୮ ମସିହାରେ ଢେଙ୍କାନାଳ ପ୍ରଶାସନ ଅତି ଚତୁରତାର ସହିତ ଭୋର ସମୟରେ ଯନ୍ତ୍ରଚାଳିତ କରତରେ ଗଛଗୁଡିକ କାଟିପକାଇଲେ। ତଳେ ଲୋଟିଥିବା ଗଛଗୁଡିକୁ କୁଣ୍ଢାଇ ଧରିବାର ହୃଦୟ ବିଦାରକ ଦୃଶ୍ୟ ଗଣମାଧ୍ୟମରେ ପ୍ରଚାର ହେବା ଓ ନେତୃସ୍ଥାନୀୟ ବ୍ୟକ୍ତିମାନଙ୍କର ତୀବ୍ର ବିରୋଧ ପରେ ସରକାର ଉକ୍ତ କାର୍ଯ୍ୟକ୍ରମକୁ ବନ୍ଦ କରିଦେଲେ। କାହାକୁ ଦୋଷୀ ସାବ୍ୟସ୍ତ କରି କୌଣସି କାର୍ଯ୍ୟାନୁଷ୍ଠାନ ଏ ପର୍ଯ୍ୟନ୍ତ ନିଆଯାଇନାହିଁ। ସମୟାନୁକ୍ରମେ ଘଟଣାଟିକୁ ଆମେ ଭୁଲିଯିବୁ, ମାତ୍ର ସିଙ୍ଗାପୁରବାସୀ ଭୁଲି ନାହାନ୍ତି। ଏବେ ବି ବିଭିନ୍ନ ସମୟରେ ନାଟକ ମଞ୍ଚସ୍ଥ କରି ପୁରୁଣା ଦିନର ଘଟଣାକୁ ମନରେ ସବୁବେଳେ ତାଜା କରି ରଖିଛନ୍ତି।
ମୋ-୯୪୩୭୨୬୬୩୧୬


All Right Reserved By Dharitri.Com

ଶବ୍ଦ ନୁହେଁ ମନ୍ତ୍ରଟିଏ

ସଂଗ୍ରାମ କେଶରୀ ପୃଷ୍ଟି ଦଶମାସ ଦଶଦିନ ମିଠା ଯନ୍ତ୍ରଣାକୁ ଆଲିଙ୍ଗନ କରି ସୁରକ୍ଷିତ ଗର୍ଭକୁ ବୋହି ଶେଷରେ ଏ ସୁନ୍ଦର ସୃଷ୍ଟିକୁ ଯିଏ ଆଣିଥାଏ, ସେ...

ଦେଶର ସଙ୍କଟ ବେଳେ କମ୍ପାନୀଙ୍କ ପୁଷମାସ

ଡ. ସନ୍ତୋଷ କୁମାର ମହାପାତ୍ର ସରକାର ସ୍ବୀକାର କରନ୍ତୁ ବା ନ କରନ୍ତୁ, ବର୍ତ୍ତମାନ ଭାରତୀୟ ଅର୍ଥନୀତି ଭୟଙ୍କର ଆର୍ଥିକ ସଙ୍କଟ ଦେଇ ଗତି କରୁଛି।...

ଦୀର୍ଘଜୀବୀ ହେଉ ଆମ ଗଣତନ୍ତ୍ର

ପ୍ରକାଶ ତ୍ରିପାଠୀ ଜାନୁୟାରୀ ୨୪, ୧୯୫୦ରେ ଇଂଲିଶ ଖବରକାଗଜ ହିନ୍ଦୁସ୍ଥାନ ଟାଇମ୍ସର ପ୍ରଥମ ପୃଷ୍ଠାରେ ପ୍ରକାଶ ପାଇଥିଲା ଏକ ଦୃଷ୍ଟି ଆକର୍ଷଣକାରୀ କାର୍ଟୁନ। ଦୃଶ୍ୟଟି ଥିଲା...

ଅବେଳରେ ସାକ୍ଷାତ୍‌କାର

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ଏହା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପୂର୍ବର ଘଟଣା, ଯେଉଁଥିରୁ ସୂଚନା ମିଳୁଛି ଯେ, ମୋଦି ସରକାର ପୁଣିଥରେ କ୍ଷମତାକୁ...

ବିଶ୍ୱ ନଜରରେ ଭାରତ

ଆକାର ପଟେଲ ୨୦୨୦ରେ ସାରା ଜଗତ ଭାରତ ବିଷୟରେ କ’ଣ କହୁଛି? ”ଭାରତରେ ହିଂସାକାଣ୍ଡ ବଢ଼ିଚାଲିଥିବା ବେଳେ ପୋଲିସ ମୁସଲମାନଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ ହେଉଛି“...

ଏଇ ଭାରତରେ

କଶ୍ମୀରର ମହମ୍ମଦ ଅଲି ଭଟ୍ଟ ୨୩ ବର୍ଷ ପରେ ନିର୍ଦ୍ଦୋଷରେ ହୋଇ ଜେଲ୍‌ରୁ ମୁକୁଳିବା ପରେ ପରିବାରରେ କୌଣସି ସଦସ୍ୟ ନ ଥିଲେ ତାଙ୍କୁ ସ୍ବାଗତ...

ଏଇ ଭାରତରେ

ସମାଜସେବାରେ ସାରା ଜୀବନ ବିତାଇଦେବା ଲୋକଙ୍କ ସଂଖ୍ୟା କିଛି କମ୍‌ ନାହିଁ। ଏମାନଙ୍କ ମଧ୍ୟରୁ ମହାରାଷ୍ଟ୍ର ପୁଣେ ନିବାସୀ ପଦ୍ମିନୀ ଷ୍ଟମ୍ପ୍‌ ଅନ୍ୟତମ। ସେ ଏବେ...

ଏଇ ଭାରତରେ

ଶିକ୍ଷାର ବିକାଶ ଲାଗି ସରକାର ଯାହା କରନ୍ତୁ ନା କାହିଁକି ଏଥିଲାଗି ମହାରାଷ୍ଟ୍ରର ଏକ ଗାଁର ପ୍ରୟାସ ନିଶ୍ଚିତ ପ୍ରଶଂସନୀୟ। ଓରଙ୍ଗାବାଦ ଜିଲାର ଗାଁ ପୋଖ୍‌ରୀର...

Leave a comment

Your email address will not be published. Required fields are marked *