ନାଗରିକତା ବନାମ ମାନବିକତା

ବୈକୁଣ୍ଠନାଥ ମିଶ୍ର
ନାଗରିକତ୍ୱ ସଂଶୋଧନ ଆଇନ ପ୍ରଣୀତ ହେବା ଦିନଠାରୁ ଅନେକ ଆଲୋଚନା, ପର୍ଯ୍ୟାଲୋଚନା, ତର୍କ, ବିତର୍କ, ସପକ୍ଷ ଓ ବିପକ୍ଷବାଦୀଙ୍କ ଆନ୍ଦୋଳନ ଭାରତର ରାଜନୈତିକ ଆକାଶକୁ ଧୂମାଚ୍ଛନ୍ନ କରି ରଖିଛି। ଏହି ଆନ୍ଦୋଳନକୁ ଦେଖି ମନେହୁଏ ଏହା ଅଧିକ ରାଜନୈତିକ ଓ କମ୍‌ ସାମାଜିକ। ଯଦି ଉକ୍ତ ଆଇନ ଦ୍ୱାରା ମାନବିକତାର ହନନ ହେଉଥାଏ ତେବେ ଏହା ବିରୋଧରେ ଅହିଂସାତ୍ମକ ପ୍ରତିବାଦ ସ୍ବାଗତଯୋଗ୍ୟ। କିନ୍ତୁ କେବଳ ରାଜନୀତି ପାଇଁ ଉଦ୍ଦିଷ୍ଟ ହୋଇଥିଲେ ଏହା ଆଦୌ ଶୁଭଙ୍କର ନୁହେଁ। ଉକ୍ତ ଆଇନରେ ଦର୍ଶାଯାଇଛି ଯେ ଆମର ତିନିଗୋଟି ପଡୋଶୀ ଦେଶ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶର ସଂଖ୍ୟାଲଘୁ ସମ୍ପ୍ରଦାୟ ଯଥା-ହିନ୍ଦୁ, ପାର୍ସି, ଶିଖ୍‌, ବୌଦ୍ଧ, ଜୈନ ଓ ଖ୍ରୀଷ୍ଟିଆନ ଯଦି ସେ ଦେଶରେ ଧାର୍ମିକ ଉତ୍ପୀଡନର ଶିକାର ହୋଇ ୨୦୧୪ ଡିସେମ୍ବର ୩୧ ସୁଦ୍ଧା ଭାରତରେ ଶରଣାର୍ଥୀଭାବେ ଜୀବନ ଜିଉଥାନ୍ତି, ତେବେ ସେମାନଙ୍କୁ ଆଇନସମ୍ମତ ଭାବେ ନାଗରିକତ୍ୱ ପ୍ରଦାନ କରାଯିବ। ଏଥିରେ ମୁସଲମାନଙ୍କୁ ଅନ୍ତର୍ଭୁକ୍ତ କରାଯାଇନାହିଁ, ଯେଉଁଥିପାଇଁ ବିଦ୍ରୋହର ସ୍ବର ତୀବ୍ର ହେବାରେ ଲାଗିଛି।
ସାଧାରଣତଃ ଚାରିପ୍ରକାର ଲୋକ ଗୋଟିଏ ଦେଶରୁ ଯାଇ ଅନ୍ୟ ଦେଶରେ ବେଆଇନ ବସବାସ କରନ୍ତି। ପ୍ରଥମତଃ ଯେଉଁମାନେ ଧାର୍ମିକ ବିଦ୍ୱେଷର ଶିକାର ହୋଇ ନିର୍ଯାତିତ ହେଉଥିବେ ଓ ନିଜ ଦେଶରେ ଦୁଃଖମୟ ଜୀବନ ଯାପନ କରୁଥିବେ। ଦ୍ୱିତୀୟତଃ ବ୍ୟବସାୟ ବାଣିଜ୍ୟ ଉଦ୍ଦେଶ୍ୟରେ ଅନ୍ୟ ଏକ ଦେଶକୁ ଯାଇ କ୍ରମେ ସେ ଦେଶର ଅଧିବାସୀଙ୍କ ସହ ଘନିଷ୍ଠ ସମ୍ପର୍କ ରଖି ସେଠାରେ ରହିଯାନ୍ତି ଓ ଆଉ ମୂଳ ଦେଶକୁ ଫେରିବାକୁ ଇଚ୍ଛା କରନ୍ତି ନାହିଁ। ତୃତୀୟତଃ ଅଜ୍ଞତାବଶତଃ ନିଜ ଦେଶର ଜଳ ଓ ସ୍ଥଳସୀମା ଅତିକ୍ରମ କରି ଅନ୍ୟ ଦେଶରେ ପ୍ରବେଶ କରନ୍ତି ଓ ଆନ୍ତର୍ଜାତିକ ସୀମା ଆଇନ ବଳରେ ସେମାନଙ୍କୁ ଅଟକ ରଖାଯାଏ। ବିଚାର ପ୍ରକ୍ରିୟା ଶେଷ ହେଲା ବେଳକୁ ବହୁଦିନ ଲାଗେ ଓ ସେମାନେ ସେହି ଦେଶର ଲୋକଙ୍କ ସହ ସମ୍ପର୍କ ସ୍ଥାପନ କରି ରହିଯାନ୍ତି। ଚତୁର୍ଥତଃ କିଛି ଲୋକ ମନ୍ଦ ଉଦ୍ଦେଶ୍ୟ ରଖି ପଡୋଶୀ ଦେଶରେ ପ୍ରବେଶ କରି ସେ ଦେଶରେ ଆତଙ୍କମୟ ବିଭୀଷିକା ସୃଷ୍ଟି କରନ୍ତି। ଏମାନଙ୍କ ମଧ୍ୟରୁ ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ବିଦେଶୀଙ୍କୁ ନିଜ ଦେଶକୁ ପ୍ରତ୍ୟାବର୍ତ୍ତନର ସୁଯୋଗ ସୃଷ୍ଟି କରାଯିବା ଆବଶ୍ୟକ। ଚତୁର୍ଥ ଶ୍ରେଣୀଭୁକ୍ତ ବିଦେଶୀ ହେଉଛନ୍ତି ଅନୁପ୍ରବେଶକାରୀ। ସେମାନଙ୍କ ପ୍ରତି କଠୋରତା ଅବଲମ୍ବନ ଏକାନ୍ତ ଅପରିହାର୍ଯ୍ୟ। କେବଳ ପ୍ରଥମ ଶ୍ରେଣୀଭୁକ୍ତଙ୍କ ପ୍ରତି ଦୟା, କରୁଣା ଓ ମାନବିକତା ପ୍ରଦର୍ଶନ ପୂର୍ବକ ଜାତିଧର୍ମ ନିର୍ବିଶେଷରେ ସେମାନଙ୍କୁ ଥଇଥାନ କରାଯିବା ଉଚିତ।
ଇତିହାସ ପୃଷ୍ଠାରୁ ଜଣାଯାଏ ଯେ, ବିଭାଜନ ସମୟରେ ମୁସଲିମ୍‌ ଲିଗ୍‌ର ତତ୍ତ୍ୱ ଅନୁସାରେ ଯେଉଁ ହିନ୍ଦୁମାନେ ପାକିସ୍ତାନରେ ରହିବେ ଏବଂ ଯେଉଁ ମୁସଲମାନମାନେ ଭାରତରେ ରହିବେ ସେମାନେ ସମ୍ପୃକ୍ତ ଦେଶର ପ୍ରାକୃତିକ ଅଧିବାସୀ ଭାବେ ପରିଗଣିତ ହେବେ। ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ଜିଦ୍‌ ଯୋଗୁ ପାକିସ୍ତାନ ନୂତନ ଦେଶର ମାନ୍ୟତା ଲାଭ କଲାବେଳେ ଆଶା କରାଯାଉଥିଲା ଯେ ଉକ୍ତ ଦୁଇ ଦେଶରେ ଉଭୟ ଧର୍ମାବଲମ୍ବୀଙ୍କୁ ସମାନ ମର୍ଯ୍ୟାଦା ପ୍ରଦାନ କରାଯିବ। ୧୯୪୭ ଅଗଷ୍ଟ ୧୧ ତାରିଖରେ ସମ୍ବିଧାନ ସଭାକୁ ଉଦ୍‌ବୋଧିତ କରି ଜିନ୍ନା କହିଥିଲେ, ”ଆମେ ଏପରି ଏକ ପାକିସ୍ତାନ ଗଠନର ସଙ୍କଳ୍ପ ନେବା, ଯେଉଁଠି ସଂଖ୍ୟାଲଘୁ ଓ ସଂଖ୍ୟାଗରିଷ୍ଠଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ରହିବ ନାହିଁ। ଜଣେ ମସଜିଦ୍‌ ଯାଇ ଯେପରି ସ୍ବାଧୀନ ଭାବେ ପ୍ରାର୍ଥନା କରିପାରିବ, ଆଉ ଜଣେ ମନ୍ଦିର ଯାଇ ପରମ୍ପରା ମତେ ଉପାସନା କରିପାରିବ। କୌଣସି ସାମ୍ପ୍ରଦାୟିକ ଭେଦଭାବ ରହିବ ନାହିଁ। ଏହି ଆଦେଶକୁ ପାକିସ୍ତାନ ଯଦି ପାଳନ କରିବାକୁ ସକ୍ଷମ ହୁଏ, ତେବେ ଭବିଷ୍ୟତରେ ପାକିସ୍ତାନ ପାଇଁ କେହି ହିନ୍ଦୁ କିମ୍ବା କେହି ମୁସଲମାନ ନୁହନ୍ତି। ସମସ୍ତେ ପାକିସ୍ତାନର ଅଧିବାସୀ।“ କିନ୍ତୁ ୧୯୪୮ରେ ଜିନ୍ନାଙ୍କ ମୃତ୍ୟୁ ସହିତ ତାଙ୍କ ସ୍ବପ୍ନର ମଧ୍ୟ ମୃତ୍ୟୁ ଘଟିଲା। ପାକିସ୍ତାନର ପ୍ରଥମ ପ୍ରଧାନମନ୍ତ୍ରୀ ଲିୟାକତ୍‌ ଅଲ୍ଲୀ ଖାଁଙ୍କ ସମୟରୁ ହିଁ ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାର ଆରମ୍ଭ ହୋଇଗଲା। ଭାରତର ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ପାକିସ୍ତାନ ପ୍ରତିପକ୍ଷ ଲିୟାକତ୍‌ ଅଲ୍ଲୀଙ୍କୁ ଭାରତକୁ ଆମନ୍ତ୍ରଣ କରି ଆଲୋଚନା କଲେ। ଆଲୋଚନା ୬ ଦିନ ଧରି ଚାଲିଲା। ଉଭୟଙ୍କ ମଧ୍ୟରେ ଏକ ରାଜିନାମା ସ୍ବାକ୍ଷରିତ ହେଲା ଯେ ଉଭୟ ଦେଶ ସଂଖ୍ୟାଲଘୁଙ୍କ ସୁରକ୍ଷା ସୁନିଶ୍ଚିତ କରିବେ। କିନ୍ତୁ ଲିୟାକତ୍‌ ଭାରତରୁ ଯାଇ ପାକିସ୍ତାନ ମାଟିରେ ପାଦ ଦେବା ସଙ୍ଗେ ସଙ୍ଗେ ଦ୍ୱିପାକ୍ଷିକ ରାଜିନାମା ତା’ର ଗୁରୁତ୍ୱ ହରାଇଲା। ସଂଖ୍ୟାଲଘୁ ବିଶେଷକରି ହିନ୍ଦୁଙ୍କ ଉପରେ ଅତ୍ୟାଚାର ଆରମ୍ଭ ହୋଇଗଲା।
ପ୍ରସିଦ୍ଧ ଲେଖିକା ‘ଏଡିଥ୍‌ ପାରଜେଟର’ ତାଙ୍କ ପ୍ରବନ୍ଧ ‘ଏ ଗ୍ରେନ୍‌ ଅଫ୍‌ ମଷ୍ଟାର୍ଡ ସିଡ୍‌ରେ ବିଭାଜନ ସମୟରେ ତାଙ୍କ ପରିବାରକୁ କିପରି ନିର୍ଯାତିତଭାବେ ପାକିସ୍ତାନରୁ ବିତାଡିତ କରାଯାଇଥିଲା, ତା’ର ଲୋମହର୍ଷକ ଅନୁଭୂତି ବର୍ଣ୍ଣନା କରିଛନ୍ତି। ତାଙ୍କ ପିତା ଥିଲେ ପାକିସ୍ତାନର ଜଣେ ଧନାଢ୍ୟ ବ୍ୟକ୍ତି ଓ ଲାହୋରରେ ତାଙ୍କର ଥିଲା ଏକ ବିଶାଳ ଅଳଙ୍କାର ପ୍ରତିଷ୍ଠାନ। ତାଙ୍କ ପରିବାରକୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଗଲା ଯେ ପରଦିନ ପ୍ରଭାତରେ ଅମୃତସର ଅଭିମୁଖେ ଛାଡୁଥିବା ଟ୍ରେନରେ ସେମାନଙ୍କୁ ପାକିସ୍ତାନ ଛାଡି ସବୁଦିନ ପାଇଁ ଭାରତ ଚାଲିଯିବାକୁ ହେବ। ନିଜର ପିନ୍ଧା ବସନ ବ୍ୟତୀତ ସୋରିଷ କଣାଟିଏ ବି ସାଙ୍ଗରେ ନ ନେବାକୁ କଡା ହୁକୁମ ଦିଆଗଲା। ଲେଖିକା କହନ୍ତି, ତାଙ୍କ ବାସଭବନଠାରୁ ରେଳଷ୍ଟେଶନ ପର୍ଯ୍ୟନ୍ତ କେବଳ ମୁସଲମାନଙ୍କର ଗହଳି ଯେଉଁମାନେ ହିନ୍ଦୁମାନଙ୍କୁ ତନ୍ନ ତନ୍ନ କରି ପରୀକ୍ଷା କରୁଥାନ୍ତି। ଜନଗହଳି ମଧ୍ୟରେ ଥାନ୍ତି ତାଙ୍କ ପରିବାରର ଶୁଭେଚ୍ଛୁ ବନ୍ଧୁଗଣ ଓ ତାଙ୍କର ଅତିପ୍ରିୟ ଗ୍ରାହକମାନେ। ସେମାନଙ୍କ ଅସ୍ବାଭାବିକ ଆଚରଣ ତାଙ୍କୁ ସ୍ତବ୍ଧ କରିଦେଉଥାଏ। ସମସ୍ତେ ବାପାଙ୍କ ପକେଟ ଅଣ୍ଡାଳୁଥାନ୍ତି କାଳେ ସେ କିଛି ନେଉନାହାନ୍ତି ତ? ଅନେକ ବିଧାଚାପୁଡା ମଧ୍ୟ ତାଙ୍କୁ ଖାଇବାକୁ ହୋଇଛି। ଲେଖିକା କହନ୍ତି, ସେତେବେଳେ ସେ ଅତି ସାନ ଥିବାରୁ ଏସବୁର ରହସ୍ୟ ବୁଝିବାରେ ଅସମର୍ଥ ଥିଲେ। କିନ୍ତୁ ଏତେ ସବୁ ଭିତରେ ଗୋଟିଏ ଘଟଣା ତାଙ୍କ ପିତାଙ୍କୁ ଢେର ଆଘାତ ଦେଇଥିଲା, ଯାହା ପରେ ତାଙ୍କ ପରିବାର ପାଇଁ ଶୁଭଙ୍କର ପ୍ରମାଣିତ ହୋଇଥିଲା। ମହଦ୍ଦର ଇକ୍‌ବାଲ ନାମକ ବାପାଙ୍କର ଜଣେ ଘନିଷ୍ଠ ବନ୍ଧୁ ଟ୍ରେନ ଚଢିବା ସମୟରେ ବାପାଙ୍କ ପଛରୁ ଏକ ଶକ୍ତ ଧକ୍କା ଦେଇ ତାଙ୍କ ପକେଟ ଅଣ୍ଡାଳି ପକାଇଲା। ଏହାଥିଲା ବାପାଙ୍କ ପାଇଁ ସର୍ବବୃହତ୍‌ ମାର୍ମିକ ଓ ଶାରୀରିକ ଆଘାତ। ଧକ୍କା ସହି ନ ପାରି ବାପା ଟ୍ରେନ୍‌ ଭିତରେ କଚାଡି ହୋଇପଡିଲେ ଓ ତାଙ୍କ ଚଷମା ଭାଙ୍ଗି ଚୂରମାର ହୋଇଗଲା। ଟ୍ରେନ ଅମୃତସରରେ ପହଞ୍ଚିଲା ପରେ ବାପା ତାଙ୍କ ପକେଟରୁ ଆବିଷ୍କାର କଲେ ଏକ ରୁମାଲବନ୍ଧା ପୁଡିଆ, ଯେଉଁଥିରେ ଥିଲା ୧୫୦୦ ଟଙ୍କା ଓ ଇକ୍‌ବାଲଙ୍କର ଏକ ହାତଲେଖା ଚିଠି। ଚିଠିରେ ଲେଖାଥିଲା, ”କ୍ଷମା କରିବ ବନ୍ଧୁ! ଏପରି କରିବା ଛଡ଼ା ମୋ ପାଖରେ ଅନ୍ୟ ଉପାୟ ନ ଥିଲା। ମୁଁ ଯଦି ପ୍ରକାଶ୍ୟରେ ତୁମ ପ୍ରତି ସେ ପ୍ରକାର ବ୍ୟବହାର କରିଥାନ୍ତି ତେବେ ତୁମେ ଓ ମୁଁ ଉଭୟେ ବିପଦକୁ ବରଣ କରିଥାନ୍ତେ। ଭାରତରେ ସୁଖରେ ରୁହ। ଏହି ଅର୍ଥର ବିନିଯୋଗରେ ସେଠାରେ ଜୀବନ ଜୀବିକାର ମାର୍ଗ ସ୍ଥିର କରିନେବ। ଏହା ମୋର ଦାନ ନୁହେଁ। ବ୍ୟବସାୟ ପାଇଁ ତୁମଠାରୁ ଆଣିଥିବା ଋଣ ପରିଶୋଧର କିୟଦଂଶ ମାତ୍ର। ବାପାଙ୍କର ହୃଦ୍‌ବୋଧ ହେଲା ଇକ୍‌ବାଲ ଜଣେ ସଚ୍ଚା ମଣିଷ ଓ ତାଙ୍କ ମାନବିକତାର ପଟାନ୍ତର ନାହିଁ।
ଉକ୍ତ କାହାଣୀର ସାରାଂଶ ଅନୁଯାୟୀ ମୁସଲମାନମାନେ ଯେ ହିନ୍ଦୁଙ୍କର ଶତ୍ରୁ ଏପରି ଏକ ଧାରଣା ପୋଷଣ କରିବା ଠିକ୍‌ ନୁହେଁ। ଭାରତମାତା ସବୁ ଧର୍ମର ସନ୍ତାନଙ୍କୁ କୋଳରେ ଧାରଣ କରିଛି। ସମ୍ବିଧାନର ଧାରା ୧୪, ୧୫ ଓ ୧୬ରେ କୌଣସି ଧର୍ମର ପକ୍ଷପାତିତା ନ କରିବାର ପ୍ରତିବଦ୍ଧତା ପ୍ରତିପାଦିତ ହୋଇଛି। ନାଗରିକତ୍ୱ ଆଇନକୁ ସମର୍ଥନ କରିବା ସମୟରେ ଆମ ମୁଖ୍ୟମନ୍ତ୍ରୀ ମୁସଲମାନ ପ୍ରତିନିଧିଙ୍କୁ ଏହା ସ୍ପଷ୍ଟ କରିଛନ୍ତି ଯେ, ଓଡ଼ିଶାର ମୁସଲମାନଙ୍କ ଉପରେ କୌଣସି ବିପଦର ସମ୍ଭାବନା ନାହିଁ। ସେଥିପାଇଁ ନାଗରିକତ୍ୱ ଆନ୍ଦୋଳନର ତୀବ୍ରତା ଓଡ଼ିଶା ମାଟିରେ ପରିଦୃଷ୍ଟ ନୁହେଁ। ରାଜଧାନୀ ଦିଲ୍ଲୀରେ ଏହି ଆନ୍ଦୋଳନ ଉଗ୍ର ରୂପ ଧାରଣ କରିବା ସହ ବିପୁଳ ଧନଜୀବନର କ୍ଷତି ଘଟିଛି। ଏଠାରେ ସ୍ବାଭାବିକ ପ୍ରଶ୍ନ ଉଠେ ଯେ, ୨୦୧୪ ଡିସେମ୍ବର ୩୧ ପୂର୍ବରୁ ଭାରତରେ ବସବାସ କରୁଥିବା ଓ ନାଗରିକତ୍ୱ ପ୍ରାପ୍ତ ହୋଇ ନ ଥିବା ମୁସଲମାନଙ୍କର ଭାଗ୍ୟ କ’ଣ ହେବ? ଭାରତ ଭୂଖଣ୍ଡରୁ ବିତାଡିତ ହୋଇ ସେମାନେ କୁଆଡେ ଯିବେ? ୧୯୯୦ରେ କଶ୍ମୀର ଉପତ୍ୟକାରୁ ବାସ୍ତୁହରା ହୋଇଥିବା କଶ୍ମୀର ପଣ୍ଡିତଙ୍କ ପରି ସେମାନଙ୍କର ଅବସ୍ଥା ହେବନାହିଁ ତ? ଭାରତ ସରକାରଙ୍କ ତଥ୍ୟ ଅନୁସାରେ ସେହି ବିତାଡିତ ହିନ୍ଦୁ ପଣ୍ଡିତଙ୍କ ସଂଖ୍ୟା ସାଢେ ତିନି ଲକ୍ଷରୁ ଅଧିକ। ଭାରତ ସରକାର ପ୍ରତିବର୍ଷ ବଜେଟରେ ସେମାନଙ୍କ ପାଇଁ କିଛି ଅର୍ଥ ଆବଣ୍ଟନ କରୁଛନ୍ତି। ସେହିପରି ନାଗରିକତ୍ୱରୁ ବଞ୍ଚିତ ମୁସଲମାନମାନେ ଭାରତରୁ ବିତାଡିତ ହେବା ପରେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରେ ଆଶ୍ରିତ ଜୀବନ ବିତାଇବାକୁ ଧାଇଁ ଯିବେ। ସେମାନଙ୍କୁ ସେଠାରେ ଆଶ୍ରୟ ମିଳିବାର କୌଣସି ନିଶ୍ଚିତତା ନାହିଁ। ଯଦି ଆଶ୍ରୟ ନ ମିଳେ ତେବେ ସେମାନଙ୍କର କ’ଣ ହେବ? ଏହା ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥିବାରୁ ଧାର୍ମିକ ଦୃଷ୍ଟିକୋଣରୁ ବିଚାର ନ କରି ମାନବିକତା ଦୃଷ୍ଟିକୋଣରୁ ବିଚାର କରାଯିବା ବିଧେୟ।
ସିଦ୍ଧଳ, ଜଗତ୍‌ସିଂହପୁର, ମୋ-୯୯୩୭୪୫୦୫୪୦


All Right Reserved By Dharitri.Com

କରୋନା ସଂକ୍ରମଣ ଓ ଶିଶୁଙ୍କ ସୁରକ୍ଷା

ଶୁଭନାରାୟଣ ଶତପଥୀ ସାରା ପୃଥିବୀରେ କରୋନାଜନିତ ଭୟଙ୍କର ପ୍ରଭାବ ଦେଖିବାକୁ ମିଳୁଛି। କରୋନାକୁ ନେଇ ଜନସାଧାରଣଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି। ସେଥିରୁ ଶିଶୁମାନେ...

ଏଇ ଭାରତରେ

କେତେକ ବ୍ୟକ୍ତି ନିଜର ସ୍ବାସ୍ଥ୍ୟକୁ ଜଳାଞ୍ଜଳି ଦେଇ ଅର୍ଥ ରୋଜଗାର କରିଥାଆନ୍ତି। ଏଭଳି ଏକ ଘଟଣା ମହାରାଷ୍ଟ୍ରର ବିଡ୍‌ ଜିଲାରେ ଦେଖିବାକୁ ମିଳୁଛି। ଅଧିକ ଅର୍ଥ...

କ୍ରିକେଟାୟ ନମଃ

ଡ. କୁଳାଙ୍ଗାର ଭାଇରେ କ୍ରିକେଟ ଖେଳ କି ମନ୍ତର କଲା, ବୁଢ଼ାହଡ଼ା ଭେଣ୍ଡିଆ ପିଲା ସଭିଙ୍କୁ ପାଗଳ କଲା…! କ୍ରିକେଟ କ୍ରିକେଟ ଘୋଷିଘୋଷି ଆମେ ଏ...

ଏଇ ଭାରତରେ

କେରଳର ଏମ୍‌.ଜେ. ପଲ୍‌ ନାମକ ଜଣେ ବ୍ୟକ୍ତି ମଦ୍ୟପାନ ଭଳି କୁଅଭ୍ୟାସ ଛାଡି ରକ୍ତଦାନ କରି ରୋଗୀଙ୍କ ଜୀବନ ବଞ୍ଚାଇବାରେ ଲାଗିଛନ୍ତି। ପଲ୍‌ଙ୍କ ବ୍ଲଡ୍‌ଗ୍ରୁପ ‘ଓ’...

ଏଇ ଭାରତରେ

ଉତ୍ତର କର୍ନାଟକର ଗଡଗ ଜିଲାସ୍ଥିତ ଏକ ଲିଙ୍ଗାୟତ ମଠ ଧାର୍ମିକ ବନ୍ଧନରୁ ମୁକ୍ତ ହୋଇ ସାମାଜିକ ସୌହାର୍ଦ୍ଦ୍ୟକୁ ଶ୍ରେଷ୍ଠ ସ୍ଥାନ ଦେଇଛି। ଏହି ମଠ ତା’...

କଳ୍‌କୀ ଭୂମିକାରେ ଭାରତୀୟ ଭୋଟର

ମାୟାଧର ନାୟକ ଏବେ ସାରା ଭାରତରେ ଦଳମାନେ ପ୍ରାର୍ଥୀମାନଙ୍କୁ ନିର୍ବାଚନ ମଇଦାନରେ ଓହ୍ଲାଇଦେଲେଣି। ଗଲା ଏପ୍ରିଲ ୧୧ରେ ପ୍ରଥମ ଦଫା କଳିଯୁଦ୍ଧ ଆରମ୍ଭ ହୋଇଯାଇଛି। ଏଇମିତି...

ଆଜିର ଅର୍ଥନୀତି/ ଗଡ଼ାଣିରେ ଅର୍ଥନୀତି

ଭାରତ ସରକାରଙ୍କ ପୂର୍ବତନ ଅର୍ଥନୈତିକ ପରାମର୍ଶଦାତା ଅରବିନ୍ଦ ସୁବ୍ରମଣ୍ୟନ୍‌ ଚଳିତ ସପ୍ତାହରେ ଦେଶର ଜିଡିପି ଆକଳନ ସମ୍ପର୍କରେ ଏକ କଟୁସତ୍ୟ ପ୍ରକାଶ କରି ଏକପ୍ରକାର ବୋମା...

ଏଇ ଭାରତରେ

ପାଣି ନଷ୍ଟ କଲେ ଦେବାକୁ ପଡିବ ଜରିମାନା। ଗୁଜରାଟର ଗାନ୍ଧୀନଗର ନିକଟବର୍ତ୍ତୀ ଦାହୋଦରେ ଏବେ ପାଣି ନଷ୍ଟ କଲେ ଦେବାକୁ ପଡିବ ୨୫୦ରୁ ୫୦୦ ଟଙ୍କା...

Leave a comment

Your email address will not be published. Required fields are marked *