ପ୍ରବୁଦ୍ଧ ମହାପୁରୁଷଗଣ ଶରଣ୍ୟ

ଜନାର୍ଦ୍ଦନ ବନ୍ଦ୍ୟୋପାଧ୍ୟାୟ
ପୂର୍ବ ପ୍ରବନ୍ଧରେ (ଧରିତ୍ରୀ୯ା୧) ଆମେ ଆର୍ଯ୍ୟ ପଞ୍ଚବର୍ହିଃ ବା ମୌଳିକ ହିନ୍ଦୁ ଦର୍ଶନର ପ୍ରଥମ ଶ୍ଲୋକଟି ବିଷୟରେ ଆଲୋଚନା କରିଛୁ। ଏହାର ଦ୍ୱିତୀୟ ଶ୍ଲୋକଟି ହେଲା-ପୂର୍ବେଷାମାପୂରୟିତାରଃ ପ୍ରବୁଦ୍ଧା ଋଷୟଃ ଶରଣମ୍‌, ଅର୍ଥାତ୍‌ ପୂର୍ବପୂରଣକାରୀ ପ୍ରବୁଦ୍ଧ ଋଷିଗଣଙ୍କର ଶରଣ ନେଉଅଛି। ସାଧାରଣତଃ ଋଷି କହିଲେ ଆମେ ବୁଝୁ ଜଣେ ଗେରୁଆ ବସ୍ତ୍ରପିନ୍ଧା, ଜଟାଜୁଟଧାରୀ, ସଂସାରତ୍ୟାଗୀ ସନ୍ନ୍ୟାସୀଙ୍କୁ। ଏଠାରେ କିନ୍ତୁ ଋଷି କୁହାଯାଉଛି ସେହି ସାଧକୋତ୍ତମ, ତତ୍ତ୍ୱଦର୍ଶୀ ମହାପୁରୁଷମାନଙ୍କୁ, ଯେଉଁମାନେ ସଂସାର ମଧ୍ୟରେ ଥାଇ ମଧ୍ୟ ଜୀବନଧର୍ମର କୌଶଳଗୁଡିକୁ ଅଧିଗତ କରି, ନିଜ ଜୀବନରେ ଆଚରଣ କରି ଜନସାଧାରଣଙ୍କୁ ଶିକ୍ଷା ଦେଇଥାନ୍ତି। ସେମାନେ ପ୍ରତ୍ୟେକଙ୍କର ଏକାନ୍ତ ଅନୁସରଣୀୟ। ଋଷି ଯାଜ୍ଞବଳ୍କ୍ୟ, ବ୍ୟାସ, ବଶିଷ୍ଠ, ବିଶ୍ୱାମିତ୍ରଙ୍କଠାରୁ ଆରମ୍ଭ କରି ଜଗତର ବିଭିନ୍ନ ସ୍ଥାନରେ ଆବିର୍ଭୂତ ଅବତାର ପୁରୁଷ, ଯେପରି କି ଶ୍ରୀରାମ, ଶ୍ରୀକୃଷ୍ଣ, ବୁଦ୍ଧ, ଯିଶୁ, ମହମ୍ମଦ, ଶ୍ରୀଚୈତନ୍ୟ, ଶ୍ରୀରାମକୃଷ୍ଣ ପ୍ରମୁଖ ସମସ୍ତଙ୍କୁ ଋଷି ପର୍ଯ୍ୟାୟଭୁକ୍ତ କରାଯାଇଛି। ସେମାନେ ମାନବଜାତିର ପ୍ରୟୋଜନରେ ଜଗତର ବିଭିନ୍ନ ସ୍ଥାନରେ ଆବିର୍ଭୂତ ହୋଇ ନିଜର ଆଚରଣ ମାଧ୍ୟମରେ ପ୍ରତିଟି ମଣିଷକୁ ବାସ୍ତବ ଧର୍ମଜ୍ଞାନ ଶିକ୍ଷା ଦେଇଛନ୍ତି। ସେମାନଙ୍କର ଅନ୍ୟ ବୈଶିଷ୍ଟ୍ୟ ହେଲା- ସେମାନେ ସମସ୍ତେ ପୂର୍ବାପୂରକ, ଅର୍ଥାତ୍‌ ପୂର୍ବବର୍ତ୍ତୀଙ୍କୁ ପୂରଣ କରନ୍ତି- ବିରୋଧ କରନ୍ତି ନାହିଁ- ଭେଦ ସୃଷ୍ଟି କରନ୍ତି ନାହିଁ କିମ୍ବା ସମ୍ପ୍ରଦାୟ ସୃଷ୍ଟି କରନ୍ତି ନାହିଁ। ସେମାନଙ୍କ ତିରୋଧାନ ପରେ ଅଜ୍ଞାନ ଅନୁସରଣକାରୀମାନେ ସେମାନଙ୍କ ନାମରେ ସମ୍ପ୍ରଦାୟ ସୃଷ୍ଟି କରି ମାନବ ସମାଜରେ ବିଚ୍ଛିନ୍ନତା ଆଣନ୍ତି। ଅବତାରପୁରୁଷଗଣ ସମସ୍ତେ ସେହି ଏକ ଏବଂ ଅଦ୍ୱିତୀୟ ଈଶ୍ୱରଙ୍କର ବାର୍ତ୍ତାବାହୀ, ପୂର୍ବପୂରୟମାଣ ଏବଂ ମାନବ ସମାଜର ପରମ ମଙ୍ଗଳାକାଙ୍‌କ୍ଷୀ।
ଠାକୁର ଅନୁକୂଳଚନ୍ଦ୍ର କହିଛନ୍ତି- ପୂରୟମାଣ ପ୍ରେରିତ ବା ମହାପୁରୁଷଙ୍କ ଭିତରେ ଭେଦଚକ୍ଷୁ ଆଣ ନାହିଁ- ଜଣକୁ ସମର୍ଥନ, ଅପରକୁ ଅବଜ୍ଞା ମାନେ ସମସ୍ତଙ୍କୁ ଅବଜ୍ଞା କରିବା। (ଶାଶ୍ୱତୀ-୨୪୫)। ସେମାନେ ଧୂଳିମାଟିର ଦୁନିଆରେ ଈଶ୍ୱରଙ୍କର ମୂର୍ତ୍ତ ବିଗ୍ରହ ସଦୃଶ- ମିଳନର ବାର୍ତ୍ତାବାହୀ। ସେମାନଙ୍କ ଆଗମନରେ ମାନବଜୀବନରେ ନବୀନ ଉନ୍ମେଷ ଜାଗିଉଠେ- ନବୀନ ସଭ୍ୟତାର ଅଭ୍ୟୁଦୟ ଘଟେ। ବେଦ-ଉପନିଷଦ ଯୁଗର ମହାନ ଋଷିମାନଙ୍କଠାରୁ ଆରମ୍ଭ କରି ଶ୍ରୀରାମ, ଶ୍ରୀକୃଷ୍ଣ, ତଥାଗତ ବୁଦ୍ଧ, ଶ୍ରୀଚୈତନ୍ୟ, ଶ୍ରୀରାମକୃଷ୍ଣ ଏବଂ ଆଚାର୍ଯ୍ୟ ଶଙ୍କରଙ୍କ ଭଳି ମହାପୁରୁଷମାନେ ଆବିର୍ଭୂତ ହୋଇ ଭାରତୀୟ ସଭ୍ୟତା ଓ ସଂସ୍କୃତିକୁ ରୁଦ୍ଧିମନ୍ତ କରିଛନ୍ତି। ସେହିପରି ଯିଶୁଖ୍ରୀଷ୍ଟଙ୍କୁ ଅନୁସରଣ କରି ଅନଗ୍ରସର ଇଉରୋପୀୟ ଜାତିମାନେ ଗଢିତୋଳିଲେ ଉନ୍ନତ, ସମୃଦ୍ଧ ପାଶ୍ଚାତ୍ୟ ସଭ୍ୟତା ଏବଂ ହଜରତ ରସୁଲଙ୍କ ଭାବାଦର୍ଶରେ ଅନୁପ୍ରାଣିତ ହୋଇ ମରୁଭୂମିର କୁସଂସ୍କାରାଚ୍ଛନ୍ନ, ବର୍ବର ଆରବମାନେ ସୃଷ୍ଟି କଲେ ସମୁନ୍ନତ ଇସଲାମୀୟ ସଭ୍ୟତା। ଉଦାର ହିନ୍ଦୁ ସଂସ୍କୃତି ଚିରଦିନ ହିଁ ସମ୍ପ୍ରଦାୟ ନିର୍ବିଶେଷରେ ଏହି ବିଶ୍ୱବରେଣ୍ୟ ମହାପୁରୁଷମାନଙ୍କୁ ସ୍ବୀକାର କରିଛି, ଶ୍ରଦ୍ଧାର ସହିତ ଆପଣାର କରିନେଇଛି।
ପରମ ବିଜ୍ଞାନୀ ଋଷିମାନଙ୍କର ବାସ୍ତବ ଅନୁଭୂତିଲବ୍ଧ ଜ୍ଞାନ ବଳରେ ଭାରତୀୟ ସଂସ୍କୃତି ଏତେ ଉନ୍ନତ ଏବଂ ଆଧ୍ୟାତ୍ମ ବିଜ୍ଞାନର ଚରମ ଉପଲବ୍ଧି ଦ୍ୱାରା ଦୃଢୀଭୂତ ଯେ ତାହା ସମୟର ଗତିରେ ଅନେକ ନବୀନ ଭାବଧାରାକୁ ଗ୍ରହଣ ଓ ଆପ୍ତୀକୃତ କରି ମଧ୍ୟ ନିଜତ୍ୱରେ ଅକ୍ଷୁଣ୍ଣ ରହି ଆସିଛି ଏବଂ ନିଜକୁ ଅଧିକ ରୁଦ୍ଧିମନ୍ତ ଓ ପ୍ରସାରିତ କରିପାରିଛି। ଭାରତୀୟ ସଂସ୍କୃତିର ଏହି ଆପ୍ତୀକରଣ କ୍ଷମତାର ବର୍ଣ୍ଣନା କରି ସ୍ବାମୀ ବିବେକାନନ୍ଦ କହିଛନ୍ତି, ”ଭାରତରେ ମତବାଦ ପରେ ମତବାଦର ଅଭ୍ୟୁଦୟ ଘଟି ବୈଦିକ ଧର୍ମର ମର୍ମସ୍ଥଳକୁ ଦୋହଲାଇ ଦେଲା ଭଳି ପ୍ରତୀୟମାନ ହୋଇଛି। କିନ୍ତୁ ଗୋଟିଏ ବିରାଟ ଭୂକମ୍ପରେ ସାଗରବେଳାର ଜଳରାଶି ଭଳି ଏହା ସାମୟିକ ଭାବରେ ଅପସରି ଗଲେ ମଧ୍ୟ ପୁନର୍ବାର ସହସ୍ରଗୁଣ ଶକ୍ତିଶାଳୀ ଏକ ସର୍ବଗ୍ରାସୀ ବନ୍ୟା ଭଳି ପ୍ରତ୍ୟାବର୍ତ୍ତନ କରିଛି ଏବଂ ସଂଘାତର ପରିସମାପ୍ତି ପରେ ସେହି ମତବାଦଗୁଡିକ ସେହି ସୁପ୍ରାଚୀନ ବେଦମାତାଙ୍କ ବିରାଟ କାୟାରେ ଅବଶୋଷିତ, ଗୃହୀତ ଏବଂ ଆପ୍ତୀକୃତ ହୋଇଯାଇଛନ୍ତି। (ଶିକାଗୋ ଭାଷଣ)
ଏହିପରି ଭାବରେ ବୌଦ୍ଧ ଧର୍ମ ହଜାର ହଜାର ବର୍ଷ ଧରି ଏ ଦେଶରେ ତିଷ୍ଠିରହି ଭାରତୀୟ ଧର୍ମଜୀବନକୁ ଶୁଦ୍ଧ କରିଛି, ପୁଷ୍ଟ କରିଛି ଏବଂ ପରିଶେଷରେ ଭାରତୀୟ ସଂସ୍କୃତିର ଉଦାରତା ଓ ବ୍ୟାପକତା ମଧ୍ୟରେ ନିଜକୁ ହଜାଇ ଦେଇଛି। ଭାରତରେ ପ୍ରଚଳିତ ଅନେକ ଧର୍ମମତ ସମ୍ବନ୍ଧରେ ମଧ୍ୟ ସେହି ଏକପ୍ରକାର କଥା କୁହାଯାଇପାରେ। ଜନୈକ ରୁଷୀୟ ଗବେଷକ ଦାବି କରନ୍ତି ଯେ, ଯିଶୁଖ୍ରୀଷ୍ଟ ଜେରୁଜେଲମରେ ଖ୍ରୀଷ୍ଟଧର୍ମ ପ୍ରଚାର କରିବା ପୂର୍ବରୁ ଭାରତବର୍ଷକୁ ଆସି ଧର୍ମଶିକ୍ଷା କରିଥିଲେ ଏବଂ ସେ ପୂର୍ବ ସମୁଦ୍ର ତଟବର୍ତ୍ତୀ ଜଗନ୍ନାଥ ଧାମ ପର୍ଯ୍ୟନ୍ତ ଆସିଥିଲେ। ସେହିପରି ଅନେକ ଗବେଷକଙ୍କ ମତରେ କୋରାନରେ ବିଶୁଦ୍ଧ ବେଦମନ୍ତ୍ରର ସମାବେଶ ରହିଛି- ଯେପରି କି କୋରାନର କଲିମ୍‌ ଶବ୍ଦ ସହିତ ହିନ୍ଦୁ ଦର୍ଶନର କ୍ଲୀଂ ବୀଜ ଏବଂ କରିମ୍‌ ଶବ୍ଦ ସହିତ କ୍ରୀଂ ବୀଜମନ୍ତ୍ରର ସାମଞ୍ଜସ୍ୟ ଲକ୍ଷ୍ୟ କରାଯାଏ। ସ୍ବାମୀ ବିବେକାନନ୍ଦ ଯଥାର୍ଥରେ କହିଛନ୍ତି ଯେ, ପ୍ରାଚୀନ ଭାରତ ବର୍ଷ ହେଉଛି ପୃଥିବୀର ସମସ୍ତ ଧର୍ମମତର ଜନ୍ମଭୂମି ସଦୃଶ। ମଧ୍ୟଯୁଗରେ ମୁସଲମାନ ଆକ୍ରମଣକାରୀ ଏବଂ ଶାସକବର୍ଗଙ୍କ ନୃଶଂସତା, ଅମାନୁଷିକ ଅତ୍ୟାଚାର ଏବଂ ଉତ୍କଟ ହିନ୍ଦୁ ବିଦ୍ୱେଷ ନୀତି ଯୋଗୁ ପବିତ୍ର ଇସଲାମ ଧର୍ମର ବିଶ୍ୱାସ, ନିଷ୍ଠା ଏବଂ ଆତ୍ମସମର୍ପଣର ଭାବାଦର୍ଶ ଭାରତୀୟ ଜନସାଧାରଣଙ୍କ ନିକଟରେ ଅଜ୍ଞାତ ରହିଗଲା। ତଥାପି ନାନକ, କବୀର, ରାମାନନ୍ଦସ୍ବାମୀ, ମୌଲାନା ଜଲାଲୁଦ୍ଦିନ ରୁମୀ ପ୍ରମୁଖ ମହାତ୍ମାଗଣ ହିନ୍ଦୁ, ମୁସଲମାନ ପ୍ରଭୃତି ସମସ୍ତ ଧର୍ମମତରେ ସମନ୍ବୟ ଘଟାଇଛନ୍ତି। କିନ୍ତୁ ବ୍ରିଟିଶ ସାମ୍ରାଜ୍ୟବାଦୀମାନେ ଉଭୟ ସମ୍ପ୍ରଦାୟଙ୍କ ମଧ୍ୟରେ ଯେଉଁ ବିଦ୍ୱେଷର ବୀଜ ବପନ କଲେ ତାହାର ଫଳ ସ୍ବରୂପ ରକ୍ତାକ୍ତ ସଂଘର୍ଷ ସହିତ ଦେଶ ବିଭାଗ ହେଲା। ଦୁଃଖର କଥା ଦେଶ ସ୍ବାଧୀନ ହେଲା ପରେ ଜନଜୀବନରେ ସାମ୍ପ୍ରଦାୟିକ ସଦ୍‌ଭାବ ପ୍ରତିଷ୍ଠା ପାଇଁ କୌଣସି ସକାରାତ୍ମକ ପଦକ୍ଷେପ ଗ୍ରହଣ ନ କରି କେବଳ ପୋଲିସ ବ୍ୟବସ୍ଥା ଉପରେ ନିର୍ଭର କରି ସାମାଜିକ ଶାନ୍ତିଶୃଙ୍ଖଳା ବଜାୟ ରଖିବାର ଅପଚେଷ୍ଟା ଚାଲିଛି।
ମୋ-୯୪୩୭୨୮୭୯୬୪


All Right Reserved By Dharitri.Com

ଅସମୟରେ ଲାଭ

କରୋନା ଭାଇରସ୍‌ ବିଶ୍ୱର ୧୯୩ ଦେଶରେ କାୟା ବିସ୍ତାର କରି ଲୋକଙ୍କ ଜୀବନକୁ ବିପନ୍ନ କରିଦେଇଛି। ଭାରତରେ ଏହା କେଉଁ ଷ୍ଟେଜ୍‌ରେ ଅଛି ତାହା ଅଦ୍ୟାବଧି...

ଶ୍ରାଦ୍ଧ: ଜୀବନ ପାଇଁ ଯଜ୍ଞ

ଅନ୍ତର୍ଯ୍ୟାମୀ ପଟ୍ଟନାୟକ ଶ୍ରାଦ୍ଧ ଶବ୍ଦଟି ଶ୍ରଦ୍ଧାରୁ ଆସିଛି। ଅର୍ଥ ଶ୍ରେୟକୁ ଧାରଣ କରିବା (ଶ୍ରୀ+ଅତ୍‌ = ଶ୍ରତ୍‌, ଶ୍ରତ୍‌+ଧା = ଶ୍ରଦ୍ଧା, ଶ୍ରଦ୍ଧା+ଅ = ଶ୍ରାଦ୍ଧ)।...

ବିବେକାନନ୍ଦଙ୍କ ଦୃଷ୍ଟିରେ ପ୍ରତୀକ ଉପାସନା

ଡ. ଛାୟାକାନ୍ତ ଷଡ଼ଙ୍ଗୀ ସ୍ୱାମୀ ବିବେକାନନ୍ଦଙ୍କ ରାଜପୁତାନା ପରିଭ୍ରମଣ ସମୟର କଥା। ଅଲଓ୍ବାରର ରାଜା ମଙ୍ଗଲ ସିଂହଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା। ମହାରାଜା ସ୍ବାମିଜୀଙ୍କୁ...

କଂଗ୍ରେସ ତ୍ରୁଟି ସୁଧାରୁ

ବୈକୁଣ୍ଠନାଥ ମିଶ୍ର ସ୍ବାଧୀନତା ଆନ୍ଦୋଳନ, ସ୍ବାଧୀନତା ପ୍ରାପ୍ତି ଓ ସ୍ବାଧୀନତୋତ୍ତର ଭାରତବର୍ଷରେ ଲୋକତାନ୍ତ୍ରିକ ଶାସନ ପ୍ରତିଷ୍ଠା କରିବାରେ ଜାତୀୟ କଂଗ୍ରେସର ଅବଦାନ ସର୍ବଜନବିଦିତ। ସ୍ବାଧୀନତାର ପ୍ରାକ୍‌ପ୍ରସ୍ତୁତିସ୍ବରୂପ...

ଅସମୟରେ ଇଲେକ୍ଟୋରାଲ ବଣ୍ଡ୍‌ ବିକ୍ରିକୁ ଅନୁମତି

ନୀତୀନ ସେଠୀ ଜାନୁୟାରୀ ୨, ୨୦୧୮ରେ ଭାଜପା ସରକାର ବିବାଦୀୟ ଇଲେକ୍ଟୋରାଲ ବଣ୍ଡ୍‌ର ନିୟମକାନୁନ ସମ୍ପର୍କରେ ବିଜ୍ଞପ୍ତି ଜାରି କରିଥିଲେ। ତା’ପରେ ଅଚିରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ...

ସେନା ଦାନା ଖାଉଛନ୍ତି

ବର୍ତ୍ତମାନର କେନ୍ଦ୍ର ସରକାର ଜାତୀୟ ନିରାପତ୍ତାକୁ ସର୍ବାଧିକ ଗୁରୁତ୍ୱ ଦେଉଥିବା ବଡ଼ ପାଟିରେ କହୁଛନ୍ତି। ବଜେଟ ୨୦୨୦-୨୧ରେ ପ୍ରଯତ୍ନଶୀଳ ସମାଜ ଉପରେ ଗୁରୁତ୍ୱ ଦିଆଯାଇଥିଲା। ସେଥିରେ...

ଶିକ୍ଷା ବ୍ୟବସାୟ

ବିଚିତ୍ର ବିଶ୍ୱାଳ ଜନସାଧାରଣଙ୍କ ପାଇଁ ଉଚ୍ଚମାନର ଶିକ୍ଷା ଓ ସ୍ବାସ୍ଥ୍ୟସେବା ଯୋଗାଇବା ଜନକଲ୍ୟାଣକାରୀ ସରକାରଙ୍କ ମୁଖ୍ୟ ଦାୟିତ୍ୱ। କିନ୍ତୁ ଆମ ଦେଶର ସରକାର ଧୀରେ ଧୀରେ...

ଏଇ ଭାରତରେ

ଘରେ ପ୍ଲାଷ୍ଟିକ୍‌ ଉପକରଣର ବ୍ୟବହାର କମ୍‌ କରି ପ୍ରଦୂଷଣ ଦୂର କାରିବା ଲାଗି ଆସାମର ଜଣେ ବ୍ୟକ୍ତିଙ୍କ ଉଦ୍ୟମ ପ୍ରଶଂସନୀୟ। ଗୁଆହାଟୀ ନିବାସୀ କେଶବାନନ୍ଦ ବୋରା...

Leave a comment

Your email address will not be published. Required fields are marked *