ବେସାଲିସ୍‌ ସ୍ବାଭିମାନ

ଡ. ହୃଷୀକେଶ ମଲ୍ଲିକ
ନନ୍ଦିନୀ ଶତପଥୀ ଥିଲେ ଭାରତୀୟ ସଂସ୍କୃତି ଓ ରାଜନୀତିରେ ବିସ୍ମୟ। ବିଜୁଳି ପରି ଉଜ୍ଜ୍ୱଳ ଓ ତୀବ୍ର। ୧୯୩୧ ମସିହା ଜୁନ୍‌ ୯ ତାରିଖରେ କଟକ ବକ୍ସିବଜାର ଯାଚକ ଲେନ୍‌ରେ ତାଙ୍କର ଜନ୍ମ। ସଂଯୋଗ ଏମିତି ଯେ, ବାପା କାଳିନ୍ଦୀଚରଣ ପାଣିଗ୍ରାହୀଙ୍କ କାଳଜୟୀ ଉପନ୍ୟାସ ‘ମାଟିର ମଣିଷ’ର ଲେଖା ଠିକ୍‌ ଏହିଦିନ ହିଁ ଶେଷ ହୋଇଥିଲା। ମାତ୍ର ୧୧ ବର୍ଷ ବୟସରେ ସ୍କୁଲ୍‌ ଛାତ୍ରୀ ଥିବାବେଳେ ମହାତ୍ମା ଗାନ୍ଧୀଙ୍କ ‘ଭାରତ ଛାଡ଼’ ଆନ୍ଦୋଳନ (୧୯୪୨)ରେ ସେ ଯୋଗ ଦେଇଥିଲେ। ସେହି ମୁହୂର୍ତ୍ତରୁ ତାଙ୍କ ଜୀବନରେ ଦେଶସେବାର ଯେଉଁ ଜ୍ୟୋତି ପ୍ରଜ୍ୱଳିତ ହୋଇଥିଲା, ଦେହାବସାନ (୨୦୦୬ ଅଗଷ୍ଟ ୪) ଯାଏ ତାହା ଆଉ ନିର୍ବାପିତ ହୋଇନାହିଁ। ଯେତେ ଅପରାଜେୟ ମନେ ହୁଅନ୍ତୁ ନା କାହିଁକି ପ୍ରତିଦ୍ୱନ୍ଦ୍ୱୀ, ପ୍ରାର୍ଥୀ ହୋଇଥିବା ପ୍ରତ୍ୟେକଟି ନିର୍ବାଚନରେ ବିଜୟୀ ହେବା ଥିଲା ତାଙ୍କ ପାଇଁ ଅବଧାରିତ।
ନନ୍ଦିନୀଙ୍କ କର୍ମମୟ ଜୀବନକୁ ଅନୁଧ୍ୟାନ କଲେ ଜଣାଯିବ ଯେ, ସତେ ଯେମିତି ସେ ଥିଲେ ଭାରତୀୟ ରାଜନୀତିରେ ଝଡ଼ ବିପକ୍ଷରେ ଉଡୁଥିବା ଇଗଲ୍‌। କୌଣସି କାମ ପାଇଁ ଥରେ ସଙ୍କଳ୍ପ ନେଇଗଲେ, ଯେତେ ବାଧାବିଘ୍ନ ଆସୁ ପଛେ କେବେ ପଛକୁ ହଟୁ ନ ଥିଲେ। ଯାହା ତାଙ୍କ ପାଇଁ କେବେ ବି ଗ୍ରହଣୀୟ ନୁହେଁ, ରାଜନୀତିର ଯେତେ ଉଚ୍ଚ ସୋପାନରୁ ନିର୍ଦ୍ଦେଶ ଆସୁ ପଛେ, ତାକୁ ସେ ଆଡେଇ ଯାଉଥିଲେ। ତାଙ୍କ ଦୁଇଥରର ମୁଖ୍ୟମନ୍ତ୍ରିତ୍ୱ ସମୟର ଅବଧି ଥିଲା ସଂକ୍ଷିପ୍ତ, କିନ୍ତୁ ସେଇ ସଂକ୍ଷିପ୍ତ ଶାସନକାଳ ମଧ୍ୟରେ ନାନା ବିରୋଧକୁ ସାମ୍ନା କରି ଯେଉଁସବୁ ଜନହିତକର ନିର୍ଣ୍ଣୟମାନ ସେ ନେଇଥିଲେ, ସେସବୁ ଥିଲା ତାଙ୍କ ରାଜନୈତିକ ଦୂରଦୃଷ୍ଟିର ପରିଚାୟକ। ୧୯୭୪ରେ ଯେତେବେଳେ ସେ ‘ଯୌତୁକ ନିରୋଧ ଆଇନ’ ପ୍ରଣୟନ କଲେ, ସେତେବେଳେ ତାଙ୍କର କେତେକ ଜଣାଶୁଣା ବିରୋଧୀ ବହୁ ଗୁରୁତ୍ୱପୂର୍ଣ୍ଣ ଜନ-ସମସ୍ୟା ଥାଉଥାଉ ନନ୍ଦିନୀ ଦେବୀ ଯୌତୁକ ଭଳି ଅପେକ୍ଷାକୃତ ଏକ ହାଲ୍‌କା ବିଷୟରେ କାହିଁକି ମାତିଛନ୍ତି ବୋଲି ହୋ ଉଠାଇଲେ। କିନ୍ତୁ ଆଜିର ସ୍ଥିତିରେ ଯଦି ବିବେଚନା କରାଯାଏ ‘ଯୌତୁକ ନିରୋଧ ଆଇନ’ ଯେ ନନ୍ଦିନୀ ଦେବୀଙ୍କର ଏକ ସମୟୋଚିତ ପଦକ୍ଷେପ ଥିଲା, ତାହା ଅସ୍ପଷ୍ଟ ରହେନା।
୧୯୭୪ରେ ତାଙ୍କ ଦ୍ୱାରା ପ୍ରଣୀତ ଭାଗଚାଷୀଙ୍କ ସ୍ବତ୍ୱ ସାବ୍ୟସ୍ତ ସହ ‘ଓଡ଼ିଶା ଭାଗଚାଷୀ ଆଇନ,’ ସଂଶୋଧିତ ଓଡ଼ିଶା ଭୂସଂସ୍କାର ଆଇନ, ୧୯୭୫ରେ ମାତ୍ର ୧୦ ମାସ ମଧ୍ୟରେ ପ୍ରାୟ ଦେଢ଼ଲକ୍ଷ ଭୂମିହୀନଙ୍କୁ ପ୍ରାୟ ଅଢେଇ ଲକ୍ଷ ଏକର ଜମି ବଣ୍ଟନ ଓ ଗରିବଙ୍କ ତଣ୍ଟିର କଣ୍ଟା ସାଜିଥିବା ମହାଜନୀ କାରବାର ବନ୍ଦ ପାଇଁ ଆଇନ ପ୍ରଣୟନ ସାଙ୍ଗକୁ ତାଳଚେର ଓ ପାରାଦୀପରେ ସାର କାରଖାନା ପ୍ରତିଷ୍ଠା, ରାଉରକେଲା ଇସ୍ପାତ କାରଖାନାର ସମ୍ପ୍ରସାରଣ, ଗୃହହୀନ ହରିଜନ, ଆଦିବାସୀଙ୍କୁ ଘର ଯୋଗାଇବା ପାଇଁ ‘କଳିଙ୍ଗ କୁଟୀର ଯୋଜନା’ର ଶୁଭାରମ୍ଭ (ଯାହାର ନାମ ପରିବର୍ତ୍ତିତ ହୋଇ ପରବର୍ତ୍ତୀ ସମୟରେ ରହିଲା ‘ଇନ୍ଦିରା ଆବାସ ଯୋଜନା’), ଭୁବନେଶ୍ୱରରେ ଅନ୍ଧ, ମୂକ ଓ ବଧିର ବିଦ୍ୟାଳୟ ପ୍ରତିଷ୍ଠା, ରେଙ୍ଗାଲି ଓ ଅପର କୋଲାବ ଜଳପ୍ରକଳ୍ପ ସହିତ ଶତାଧିକ ଜଳସେଚନ ପ୍ରକଳ୍ପ ପ୍ରତିଷ୍ଠା ଆଦି ବହୁ ଜନମୁଖୀ ଯୋଜନା ଥିଲା ନନ୍ଦିନୀ ଦେବୀଙ୍କ ଦୃଢ ଇଚ୍ଛାଶକ୍ତିର ପରିଚାୟକ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବା କେନ୍ଦ୍ରମନ୍ତ୍ରୀ, ଜଣେ ପ୍ରଶାସିକା ଭାବେ ଅନୁକରଣୀୟ ଥିଲା ତାଙ୍କ ସମୟାନୁବର୍ତ୍ତିତା। ଠିକ୍‌ ସମୟରେ ଅଫିସ୍‌ ଆସୁ ନ ଥିବା ଅଫିସର ଓ କର୍ମଚାରୀଙ୍କ ହୃଦ୍‌ସ୍ପନ୍ଦନ ବଢ଼ାଇ ଦେଉଥିଲା ନିର୍ଦ୍ଧାରିତ ସମୟରେ ସଚିବାଳୟରେ ତାଙ୍କ ପଦାର୍ପଣ। ସେ ଭିତରେ ଥିଲେ ମେଘ ପରି କୋମଳ ଓ ବାହାରେ ବଜ୍ର ସଦୃଶ କଠିନ। କାର୍ଯ୍ୟଦକ୍ଷଙ୍କୁ ପ୍ରଶଂସା କରିବାରେ ସେ ଯେପରି କୃପଣ ନ ଥିଲେ, କର୍ମକୁଣ୍ଠମାନଙ୍କୁ ଦଣ୍ଡ ଦେବାରେ ସେହିପରି ନିର୍ମୋହ ଥିଲେ।
ଓଡ଼ିଆ ସାହିତ୍ୟରେ ତାଙ୍କର ଅନୁରାଗଭରା ସ୍ବାକ୍ଷର ଥିଲା ସ୍ବକାଳର ଊର୍ଦ୍ଧ୍ୱରେ ଅଲିଭା। ଏକାଧିକ ଗଳ୍ପ, କବିତା ଓ ନିବନ୍ଧର ସେ ଥିଲେ ସ୍ରଷ୍ଟା। ରାଜଦଣ୍ଡ ଓ ଲେଖନୀ ଭିତରେ ଯେଉଁ ସମୁଚିତ ସନ୍ଧି ତାଙ୍କର ପ୍ରତ୍ୟେକଟି ରଚନାରେ ଦୀପ୍ତ ଥିଲା, ତାହା ତାଙ୍କ ସମକାଳର ରାଜନୈତିକ ବ୍ୟକ୍ତିଙ୍କଠାରେ ଥିଲା ସାତସ୍ବପ୍ନ। ପିତା କାଳିନ୍ଦୀଚରଣଙ୍କ ଦରଦୀ ମାନବବାଦ ଓ କକେଇ ଭଗବତୀଙ୍କ କ୍ରାନ୍ତିକାରୀ ତପୋସାଧନା ତାଙ୍କ ଲେଖକୀୟ ବ୍ୟକ୍ତିତ୍ୱକୁ ସମୁଜ୍ଜ୍ୱଳ କରିଥିଲା। ଗଳ୍ପଗ୍ରନ୍ଥ ‘କେତୋଟି କଥା’, ‘ସପ୍ତଦଶୀ’ ଓ କବିତାଗ୍ରନ୍ଥ ‘ଉତ୍ତର ପୁରୁଷ’ ଯେପରି ତାଙ୍କ ମୌଳିକ ସୃଜନ ପ୍ରତିଭାର ପରିଚୟ ଦିଏ, କୃଷ୍ଣ କ୍ରିପାଳିନୀଙ୍କ ଅଲ୍‌ ମ୍ୟାନ ଆର୍‌ ବ୍ରଦର୍ସ, ଅମ୍ରିତା ପ୍ରୀତମ୍‌ଙ୍କ ଆତ୍ମଜୀବନୀ ‘ରେଭିନ୍ୟୁ ଟିକେଟ୍‌’, ତସ୍‌ଲିମା ନାସ୍‌ରିନ୍‌ଙ୍କ ‘ଲଜ୍ଜା’ ଓ ମହାଶ୍ୱେତା ଦେବୀଙ୍କ ଗଳ୍ପସମୂହର ଅନୁବାଦ ସେହିପରି ତାଙ୍କ ଅନୁବାଦ ଦକ୍ଷତାର ପ୍ରମାଣ ଦିଏ। ଓଡ଼ିଆ ସାହିତ୍ୟକୁ ଅନନ୍ୟ ଅବଦାନ ପାଇଁ ସେ ବହୁ ପ୍ରମୁଖ ସାରସ୍ବତ ଅନୁଷ୍ଠାନ ଦ୍ୱରା ସମ୍ମାନିତ, ଯହିଁରେ ଅନ୍ତର୍ଭୁକ୍ତ ଗଙ୍ଗାଧର ରଥ ଫାଉଣ୍ଡେଶନ ପ୍ରଦତ୍ତ ‘ସାହିତ୍ୟ ଭାରତୀ’ ସମ୍ମାନ, ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ମାନ ଓ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ।
ଜଣେ ସାରସ୍ବତ ସ୍ରଷ୍ଟା ଭାବେ ନନ୍ଦିନୀ ଦେବୀ କାହିଁକି ଅନନ୍ୟା, ଏ କଥାଟି ସ୍ପଷ୍ଟ କରିବାକୁ ତାଙ୍କ ଜୀବନରୁ ଗୋଟିଏ ଦୃଷ୍ଟାନ୍ତ ଏଠାରେ ନିଆଯାଉ। ଥରେ ନନ୍ଦିନୀ ଦେବୀ ଗୋଟିଏ ଗପ ଲେଖିଥାନ୍ତି। ଯାହାର ଶୀର୍ଷକ ଥିଲା ‘ଏଇ ସହକାର ତଳେ’। ଗୋଟିଏ ଆମ୍ବଗଛ ମୂଳେ ଗରିବ ଦମ୍ପତିଟିଏ ପିଲାଛୁଆଙ୍କୁ ଧରି କଷ୍ଟରେ ଜୀବନଯାପନ କରୁଥିବାର ଜୀବନ୍ତ ଚିତ୍ର ପରିବେଷିତ ହୋଇଥାଏ ଗଳ୍ପଟିରେ। କାଳିନ୍ଦୀଚରଣ ଝିଅର ଅବର୍ତ୍ତମାନରେ ଗପଟିକୁ ପଢି ଖୁବ୍‌ ତୃପ୍ତ ହୋଇଥିଲେ। ସନ୍ଧ୍ୟାରେ ଝିଅ ଘରକୁ ଫେରିବା ପରେ ତାକୁ ପାଖକୁ ଡାକି କହିଲେ- ”ତୁ କ’ଣ ମାୟାଧର ମାନସିଂହଙ୍କୁ ଥଟ୍ଟା କରୁଛୁ?“ ନନ୍ଦିନୀ ଏଥିରେ ଆଶ୍ଚର୍ଯ୍ୟ ହୋଇ ପଚାରିଲେ- ‘କାହିଁକି?’ କାଳିନ୍ଦୀ ବାବୁ କହିଲେ, ”ତୁ ତ ଜାଣୁ ‘ଏଇ ସହକାର ତଳେ’ ଶିରୋନାମାରେ ମାନସିଂହଙ୍କର ଏକ ପ୍ରସିଦ୍ଧ କବିତା ଅଛି। ତେବେ ତୁ ସେହି ଏକା ଶିରୋନାମାରେ ଏପରି ଲେଖିଛୁ କାହିଁକି?“ ନନ୍ଦିନୀ ବୁଝିଗଲେ ବାପାଙ୍କର ଅସନ୍ତୋଷର ରହସ୍ୟ। ମାୟାଧରଙ୍କ ‘ଏଇ ସହକାର ତଳେ’ ଏକ ନିଚ୍ଛକ ପ୍ରେମକାହାଣୀ ହୋଇଥିବା ବେଳେ ଝିଅର କାହାଣୀ ଥିଲା ତା’ର ସମ୍ପୂର୍ଣ୍ଣ ବିପରୀତ, ଅର୍ଥାତ୍‌ ଆମ୍ବଗଛ ତଳେ ଜୀବନ ଜିଉଥିବା ଏକ ଦରିଦ୍ର ପରିବାରର ନିଷ୍ପେଷିତ କାହାଣୀ- ଏହା ହିଁ ବ୍ୟଥିତ କରିଥିଲା କାଳିନ୍ଦୀଚରଣଙ୍କୁ। ନନ୍ଦିନୀ ସେଦିନ ବାପାଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ପଚାରିଥିଲେ- ”ବାପା, ତେବେ କ’ଣ ମୁଁ ଏହି ଶିରୋନାମାଟିକୁ ବଦଳାଇ ଦେବି?“ କାଳିନ୍ଦୀଚରଣ ଥିଲେ ନିରୁତ୍ତର। ପିତାପୁତ୍ରୀର ଏହି କଥୋପକଥନ ଭିତରେ ଯାହା ସମାହିତ, ତାହା ହେଉଛି ଗୋଟିଏ ପଟେ ଏକ ରୋମାଣ୍ଟିକ ଯୁଗର ଅସ୍ତ ଆଭା ଓ ଅନ୍ୟପଟେ ଏକ କ୍ରାନ୍ତିକାରୀ ନବଯୁଗର ଉଦୟରାଗ। ଓଡ଼ିଆ ସମାଲୋଚକଙ୍କ ଅନ୍ୟମନସ୍କତାର ଆଢୁଆଳରେ ଓଡ଼ିଆ ସାହିତ୍ୟରେ ଏଇ ଯେଉଁ ଯୁଗାନ୍ତରଟି ନନ୍ଦିନୀ ଦେବୀ ଆଣିଥିଲେ, ତାହା ତାଙ୍କୁ କାଳକାଳକୁ ଯେ ଅମର କରି ରଖିବ, ଏଥିରେ ସନ୍ଦେହ ନାହିଁ।
ଶେଷରେ ସେହି ଅପବାଦ, ଯାହାକୁ ଏଯାଏ ବି ନନ୍ଦିନୀଦେବୀଙ୍କ ମୁଣ୍ଡରେ ଅତି ଦାୟିତ୍ୱହୀନ ଭାବେ କେହିକେହି ଥୋପି ଦିଅନ୍ତି, ତାହା ହେଉଛି ୧୯୭୫ର ଜରୁରିକାଳୀନ ସ୍ଥିତିରେ ତାଙ୍କ ଭୂମିକା। କିନ୍ତୁ ୨୦୦୦ ମସିହା ଜୁନ୍‌ ୨୫ ତାରଖରେ ‘The Asian Age’କୁ ଏକ ସାକ୍ଷାତ୍‌କାର ଦେଇ ନନ୍ଦିନୀ ଦେବୀ ଯାହା କହିଥିଲେ ତାହା ଅତ୍ୟନ୍ତ ପ୍ରଣିଧାନଯୋଗ୍ୟ। ସେ କହିଥିଲେ, ୧୯୭୫ ଜୁନ୍‌ ୨୫ ତାରିଖରେ ଘୋଷିତ ‘ଜରୁରିକାଳୀନ ସ୍ଥିତି’ ଘୋଷଣା ପୂର୍ବରୁ ତାଙ୍କୁ ଥିଲା ସମ୍ପୂର୍ଣ୍ଣ ଅଜ୍ଞାତ। ‘ଜରୁରିକାଳୀନ ସ୍ଥିତି’ ଘୋଷଣାର ଠିକ୍‌ ଅବ୍ୟବହିତ ପୂର୍ବରୁ ସେହିଦିନ ସନ୍ଧ୍ୟାରେ ଡାକରା ପାଇ ଇନ୍ଦିରା ଗାନ୍ଧୀଙ୍କ ବାସଭବନରେ ଉପସ୍ଥିତ ଥିବା ନନ୍ଦିନୀ ଦେବୀଙ୍କୁ ସଞ୍ଜୟ ଗାନ୍ଧୀ କହିଥିଲେ- ”ଆଣ୍ଟି, କାଲି ସକାଳର ସମସ୍ତ ଖବରକାଗଜକୁ କ’ଣ ଆପଣ ବନ୍ଦ କରିପାରିବେ ନାହିଁ?“ ଉତ୍ତରରେ ନନ୍ଦିନୀ ଦେବୀ କହିଥିଲେ- ”ଏହା କିପରି ସମ୍ଭବ? ଖବରକାଗଜ ଉପରେ ସରକାରଙ୍କର କ’ଣ ବା ନିୟନ୍ତ୍ରଣ!“ ଏହା ଶୁଣି ସଞ୍ଜୟ ଛିଗୁଲେଇ କହିଥିଲେ- ”ସରକାର କିନ୍ତୁ ସବୁବେଳେ ବିଜୁଳି ଓ ପାଣି ଲାଇନ୍‌ କାଟି ଦେଇପାରିବେ!“ ୧୯୭୫ ଅଗଷ୍ଟ ପ୍ରଥମ ସପ୍ତାହରେ ଦିଲ୍ଲୀରେ ଥିବାବେଳେ ନନ୍ଦିନୀ ଦେବୀ ଜାଣିଥିଲେ ଯେ ବିଜୁ ପଟ୍ଟନାୟକଙ୍କୁ ଗିରଫ କରାଯାଇଛି ତାଙ୍କ ଅଗୋଚରେ। ତତ୍‌କ୍ଷଣାତ୍‌ ସେ ଇନ୍ଦିରା ଗାନ୍ଧୀଙ୍କୁ ଫୋନ୍‌ କରି ନିଜର ପ୍ରତିବାଦ ଜଣାଇଲେ। ତା’ପରେ ତାଙ୍କୁ ଜଣାଇ ଦିଆଗଲା ଯେ, ତିହାର ଜେଲରେ ବିଜୁବାକୁ ଅଟକ ଅଛନ୍ତି। ଜରୁରିକାଳୀନ ସ୍ଥିତିର ସବୁ କଟକଣାକୁ ଅଣଦେଖା କରି ଡ. ମହତାବଙ୍କୁ କଲିକତାରେ ଆଖି ଅପରେଶନ ପାଇଁ ୬ମାସ ପାରୋଲ୍‌ରେ ମୁକ୍ତ କରିଥିଲେ ଏଇ ନନ୍ଦିନୀ ଦେବୀ! ଜରୁରିକାଳୀନ ସ୍ଥିତିକୁ ସେ ଅନ୍ୟ ଉପରେ ଦାଉ ସାଧିବାର ଏକ ସୁଯୋଗ ଭାବେ ଯେ ଗ୍ରହଣ କରି ନ ଥିଲେ- ଏ ସବୁ ତା’ର ପ୍ରମାଣ।
ଆଜି ନନ୍ଦିନୀଦେବୀଙ୍କ ଅବର୍ତ୍ତମାନରେ ଦ୍ୱିଧାହୀନଭାବେ ଏତିକି କହିହେବ ଯେ ସେ ଥିଲେ ଏପରି ଏକ ସ୍ବାଭିମାନର ପ୍ରବକ୍ତା, ଯେଉଁ ସ୍ବାଭିମାନ ଖାଲି ସ୍ବାଭିମାନ ନ ଥିଲା, ଥିଲା ସର୍ବାନ୍ତଃକରଣରେ ସାଲିସ୍‌ହୀନ। ଶୁଦ୍ଧ ଓ ଅଭୀକ ରାଜନୀତିର ଅଭ୍ରାନ୍ତ ପ୍ରତୀକ ନନ୍ଦିନୀ ଦେବୀଙ୍କୁ ଧରିତ୍ରୀ ସହ ଦେଶବାସୀଙ୍କର ଆଜି ନତଶିର ପ୍ରଣାମ!
(ନନ୍ଦିନୀ ଶତପଥୀଙ୍କ ପୁଣ୍ୟ ଜନ୍ମତିଥି ଉପଲକ୍ଷେ)
ମୋ: ୯୮୫୩୨୮୭୭୫୫


All Right Reserved By Dharitri.Com

ସମ୍ପାଦକୀୟ/ ମଦ ପିଇ ମରିବା

ଚଳିତ ସାଧାରଣ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ଭୋଟ ଗ୍ରହଣ ଓଡ଼ିଶାରେ ୨୯ ଏପ୍ରିଲରେ ଶେଷ ହୋଇଛି। ଏହି ଚୂଡ଼ାନ୍ତ ପର୍ଯ୍ୟାୟରେ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଦେଖାଦେଇଥିଲା।...

ମହାପରୀକ୍ଷାର ମନ୍ତ୍ରଧାରୀ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ ଭାରତ ବହୁବିଧ ଭାଷା ବ୍ୟବହାର କରୁଥିବା ଦେଶ। ହେଲେ ‘ଏକ ରାଷ୍ଟ୍ର, ଏକ ଭାଷା’ ଲାଗୁ କରିବା ନିମିତ୍ତ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ...

ମହାନତିର ସାବିତ୍ରୀ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ ୬୬ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର-୨୦୧୮ ଘୋଷଣା ହୋଇଛି ଉରି: ଦି ସର୍ଜିକାଲ ଷ୍ଟ୍ରାଇକ୍, ଅନ୍ଧାଧୁନ୍, ପଦ୍ମାବତ୍, ବଧାଈ ହୋ ଅାଦି ହିନ୍ଦୀ...

ଜୀବନ ସ୍ରୋତର ଶାଶ୍ୱତ ଧାରା

ବୈକୁଣ୍ଠନାଥ ମିଶ୍ର ଦୁର୍ଲଭ ଜନମ ମାନବ ଜୀବନ। ସ୍ରଷ୍ଟାଙ୍କର ସର୍ବୋତ୍କୃଷ୍ଟ ସୃଷ୍ଟି। ଜୀବାତ୍ମା ମଧ୍ୟରେ ପରମାତ୍ମାଙ୍କ ସତ୍ତା ବିଦ୍ୟମାନ। ମାନବ ଜୀବନରେ ଦେବତ୍ୱର ସଂସ୍ଥାପନ। ମାନବ...

ସବୁଲୋକ ଖରାପ ନୁହନ୍ତି

ଡ. ସିଦ୍ଧାର୍ଥ କାନୁନ୍‌ଗୋ ସେଦିନ ଭୁବନେଶ୍ୱର ହାଟରେ ହଠାତ୍‌ ରମେଶ ବାବୁ (ଛଦ୍ମନାମ)ଙ୍କ ସହ ଦେଖାହେଲା। ଅତୀତରେ ସେ ମୋର ସହକର୍ମୀ ଥିଲେ। ଏବେ ସେ...

ପ୍ରେରଣାଦାୟିନୀ ପ୍ରଶାସିକା

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ ‘ଜୀବନରେ କେବେ ପରାସ୍ତ ହେବା କଥା ନୁହେଁ କି କେତେବେଳେ ଲକ୍ଷ୍ୟସ୍ଥଳରୁ ବିଚ୍ୟୁତ ହେବା ଉଚିତ ନୁହେଁ। ପ୍ରଚେଷ୍ଟା ଥିଲେ ଲକ୍ଷ୍ୟସିଦ୍ଧି...

ଏନ୍‌ଆର୍‌ସିର ଯଥାର୍ଥତା

ଭାଲଚନ୍ଦ୍ର ଷଡ଼ଙ୍ଗୀ ଗତ ଅଗଷ୍ଟ ୩୧ରେ ଆସାମରେ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି)ର ଅନ୍ତିମ ତାଲିକା ପ୍ରକାଶ ପାଇବା ପରେ ତାକୁ ନେଇ ଦେଶସାରା ଚର୍ଚ୍ଚା...

ମହିଳାଙ୍କ ଭରସା ନବୀନ

ମାନସ ରଞ୍ଜନ ମଙ୍ଗରାଜ ପରିଣତ ବୟସରେ ପହଞ୍ଚିଥିବା ପ୍ରମିଳା ବିଷୋୟୀଙ୍କ ନାଁ ଯେତେବେଳେ ଆସିକା ଲୋକ ସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଭାବେ ଘୋଷଣା...

Leave a comment

Your email address will not be published. Required fields are marked *