ସାମାଜିକ ଅର୍ଥନୈତିକ ଜାତି ଗଣନା

କୁମାରସମ୍ଭବ ଶ୍ରୀବାସ୍ତବ
ଭାରତର ୧.୨ ବିଲିୟନ ନାଗରିକଙ୍କ ଜୀବନର ପ୍ରତ୍ୟେକ ଦିଗକୁ ଟ୍ରାକ୍‌ କରିବା ପାଇଁ ମୋଦି ସରକାର ଏକ ସର୍ବବ୍ୟାପୀ, ଅଟୋ-ଅପ୍‌ଡେଟଯୋଗ୍ୟ ଏବଂ ସନ୍ଧାନଯୋଗ୍ୟ ଡାଟାବେସ୍‌ ସୃଷ୍ଟି କରିବାର ଶେଷ ପର୍ଯ୍ୟାୟରେ ଅଛନ୍ତି ବୋଲି ହଫ୍‌ପୋଷ୍ଟ ଇଣ୍ଡିଆ ପ୍ରତିଷ୍ଠାନ ଦ୍ୱାରା ସମୀକ୍ଷା କରାଯାଇଥିବା ପୂର୍ବରୁ ଅପ୍ରକାଶିତ କେତେକ ସରକାରୀ ନଥିରୁ ଜଣାପଡ଼ିଛି। ପ୍ରସ୍ତାବିତ ଜାତୀୟ ସାମାଜିକ ରେଜିଷ୍ଟ୍ରି ୨୦୧୧ ସାମାଜିକ ଅର୍ଥନୈତିକ ଜାତି ଗଣନା (SECC)କୁ ଅପ୍‌ଡେଟ କରିବା ପାଇଁ ଏକ ଦୋଷହୀନ କସରତ ଭାବରେ ଗଣମାଧ୍ୟମ ବର୍ଣ୍ଣନା କରିଛି। ଗରିବମାନଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ଯୋଜନାଗୁଡ଼ିକର ଯେପରି ବାଟମାରଣା ନ ହୁଏ ଏବଂ ସବୁ ସରକାରୀ ସୁବିଧା ସୁଯୋଗ ଠିକ୍‌ ଲୋକଙ୍କ ନିକଟରେ ପହଞ୍ଚେ, ତାକୁ ସୁନିଶ୍ଚିତ କରିବା ଏସ୍‌ଇସିସିର ଉଦ୍ଦେଶ୍ୟ ବୋଲି କୁହାଯାଇଛି। କୁହାଯାଉଛି ଯେ ଏସ୍‌ଇସିସି ଅପଡେଟ ହେଉଛି ଏକ ନିତିଦିନିଆ ଅମଲାତାନ୍ତ୍ରିକ କାର୍ଯ୍ୟ।
ବର୍ତ୍ତମାନ ଖବରଦାତା ଶ୍ରୀନିବାସ କୋଡାଲି ସୂଚନା ଅଧିକାର ଆଇନ ବ୍ୟବହାର କରି ପାଇଥିବା ତଥା ହଫ୍‌ପୋଷ୍ଟ ଇଣ୍ଡିଆ ଦ୍ୱାରା ସମୀକ୍ଷା ହୋଇଥିବା ଦଲିଲଗୁଡ଼ିକ ସମ୍ପୂର୍ଣ୍ଣ ବିପରୀତ ମତ ଦେଇଛନ୍ତି। ସେହି ଅନୁସାରେ ଜାତୀୟ ସାମାଜିକ ରେଜିଷ୍ଟ୍ରି (ସୋସିଆଲ ରେଜିଷ୍ଟ୍ରି ସୂଚନା ପ୍ରଣାଳୀ କିମ୍ବା ଏସ୍‌ଇସିସି ସାମାଜିକ ରେଜିଷ୍ଟ୍ରି ଭାବେ ମଧ୍ୟ ଏହା ଜଣାଶୁଣା) ଏକକ, ସନ୍ଧାନଯୋଗ୍ୟ ଆଧାର-ମୂଳକ ଡାଟାବେସ କିମ୍ବା ଏକାଧିକ ସୁସଂଗତ ଏବଂ ଏକୀକୃତ ଡାଟାବେସ ହେବ ଯାହା ଆଧାର ସଂଖ୍ୟାକୁ ଧର୍ମ, ଜାତି, ଆୟ, ସମ୍ପତ୍ତି, ଶିକ୍ଷା, ବୈବାହିକ ସ୍ଥିତି, ନିଯୁକ୍ତି, ଶାରୀରିକ ଅକ୍ଷମତା ଏବଂ ପ୍ରତ୍ୟେକ ନାଗରିକଙ୍କ ବଂଶବୃକ୍ଷ ଆଦି ତଥ୍ୟ ନିମନ୍ତେ ବ୍ୟବହାର କରିବ।
ଦଲିଲଗୁଡିକରୁ ଜଣାପଡ଼ିଛି ଯେ ଏସ୍‌ଇସିସି କେବଳ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାର ଉପରେ ତଥ୍ୟ ସଂଗ୍ରହରେ ସୀମିତ ରହିବ ନାହିଁ। ୧୯୪୮ର ଭାରତୀୟ ଜନଗଣନା ଅଧିନିୟମ ବ୍ୟକ୍ତିଙ୍କ ଗୋପନୀୟତାକୁ ଆଇନଗତ ଭାବରେ ସୁରକ୍ଷା ଦେଇଥାଏ କିନ୍ତୁ ଏସ୍‌ଇସିସିରେ ସେପରି କୌଣସି ସୁରକ୍ଷା ବ୍ୟବସ୍ଥା ନାହିଁ। ଯଦି ମୋଦିଙ୍କ ଅମଲାତନ୍ତ୍ର ଓ ପରାମର୍ଶଦାତାଙ୍କ କଳ୍ପନା ସାକାର ହୁଏ, ତେବେ ଯେତେବେଳେ ନାଗରିକ ସହରରୁ ସହରକୁ ଯିବେ, ଚାକିରି ପରିବର୍ତ୍ତନ କରିବେ, ନୂତନ ସମ୍ପତ୍ତି କ୍ରୟ କରିବେ, ପରିବାରରେ କୌଣସି ସଦସ୍ୟ ଜନ୍ମ ହେବେ, ମରିଯିବେ କିମ୍ବା ବିବାହ କରି ନିଜ ପତିଙ୍କ ଘରକୁ ଯିବେ, ରେଜିଷ୍ଟ୍ରି ସ୍ବୟଂଚାଳିତ ଭାବରେ ଏସବୁକୁ ଟ୍ରାକ୍‌ କରିବ। ଆଧୁନିକ ଡାଟାବେସ ସିଷ୍ଟମର ପାରସ୍ପରିକ କାର୍ଯ୍ୟଦକ୍ଷତା ଅର୍ଥ ହେଉଛି ଡାଟା ପରିସରର କୌଣସି ସୀମା ନାହିଁ ଯାହା ଏହି ମାଷ୍ଟର ଡାଟାବେସ ଦ୍ୱାରା ସଂଗୃହୀତ ଏବଂ ସୂଚୀବଦ୍ଧ ହୋଇପାରିବ। ଉଦାହରଣ ସ୍ବରୂପ, ଅକ୍ଟୋବର ୪, ୨୦୧୯ରେ ଏକ ବୈଠକରେ, ନୀତି ଆୟୋଗର ଜଣେ ସ୍ବତନ୍ତ୍ର ସଚିବ ପ୍ରତ୍ୟେକ ଘରକୁ ଜିଓ ଟ୍ୟାଗିଂ କରିବାକୁ ଏବଂ ଏହାକୁ ଇସ୍ରୋ ଦ୍ୱାରା ବିକଶିତ ୱେବ୍‌ ପୋର୍ଟାଲ ଭୁବନ ସହିତ ସଂଯୁକ୍ତ କରିବାକୁ ପ୍ରସ୍ତାବ ଦେଇଥିଲେ।
ହଫ୍‌ପୋଷ୍ଟ ଇଣ୍ଡିଆ ଦ୍ୱାରା ସମୀକ୍ଷା କରାଯାଇଥିବା ଫାଇଲ ନୋଟିସ, ମିଟିଂ ତଥ୍ୟ ଏବଂ ଆନ୍ତଃବିଭାଗୀୟ ଚିଠିରୁ ଜଣାପଡିଛି ଯେ, ସରକାର ଏହି ଡାଟାବେସ ନିର୍ମାଣ ଦିଗରେ ଠୋସ୍‌ ପଦକ୍ଷେପ ନେଇଛନ୍ତି। ଆସନ୍ତା ବର୍ଷ ସୁଦ୍ଧା ସାମାଜିକ ରେଜିଷ୍ଟ୍ରି କାର୍ଯ୍ୟକାରୀ କରିବା ପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରାଯାଇଛି। କମିଟି ଏକ ପାଇଲଟ ପ୍ରୋଜେକ୍ଟ କରିବାର ଶେଷ ପର୍ଯ୍ୟାୟରେ ଅଛି। ଏହି ବିଶେଷଜ୍ଞ କମିଟି ସୁପ୍ରିମକୋର୍ଟଙ୍କ ବିଚାରକୁ ଅଗ୍ରାହ୍ୟ କରି ସରକାରଙ୍କୁ ଏହି ସୂଚନା ହାସଲ କରିବାକୁ ଅନୁମତି ଦେବା ପାଇଁ ଆଧାର ଆଇନରେ ସଂଶୋଧନ ପ୍ରସ୍ତାବ ଦେଇଛି। ବ୍ୟକ୍ତିଗତ ଗୋପନୀୟତା ଏକ ମୌଳିକ ଅଧିକାର ହୋଇଥିବା ବେଳେ ୟୁନିକ ଆଇଡେଣ୍ଟିଫିକେଶନ ଅଥରିଟି ଅଫ୍‌ ଇଣ୍ଡିଆ (UIDAI) ଅକ୍ଟୋବର ୪ ବୈଠକରେ ଆଧାର ନିୟମ ସଂଶୋଧନ କରିବାକୁ ନିଷ୍ପତ୍ତି ନେଇଛି। ଏହା ଯଦି କାର୍ଯ୍ୟକାରୀ ହୁଏ, ତେବେ ଏହି ପରିବର୍ତ୍ତନଗୁଡିକ ମୂଳ ଆଧାର ଆଇନର ଏକ ଅଂଶ ଥିବା ଗୋପନୀୟତା ସୁରକ୍ଷାକୁ ହଟାଇ ସୁପ୍ରିମ୍‌କୋର୍ଟଙ୍କ ୨୦୧୮ ରାୟକୁ ଅର୍ଥହୀନ କରିବ।
UIDAI ଏକ ଡାଟା ଏକ୍ସଚେଞ୍ଜ ଫ୍ରେମ୍‌ୱାର୍କ ଉପରେ ଚିନ୍ତା କରିଛି ଯାହା ରାଜ୍ୟ ତଥା କେନ୍ଦ୍ର ସ୍ତରରେ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗରେ ଥିବା ଶହ ଶହ ସରକାରୀ ଡାଟାବେସ ମଧ୍ୟରେ ସହଜରେ ତଥ୍ୟ ଆଦାନ ପ୍ରଦାନ କରିପାରିବ। ଏହି ଖୁଲାସା ବିଶେଷ ଭାବରେ ମହତ୍ତ୍ୱପୂର୍ଣ୍ଣ କାରଣ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ତଥାକଥିତ ବିଦେଶୀ ଅନୁପ୍ରବେଶକାରୀଙ୍କୁ ବାହାର କରିବା ପାଇଁ ଏକ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ସୃଷ୍ଟି କରିବାକୁ କହିଥିଲେ। ଏମାନେ ଉଇ ପରି ଭାରତକୁ ଖୋଳ କରୁଛନ୍ତି ବୋଲି ଶାହା ଦାବି କରିଥିଲେ, ଯଦିଚ ଏହାର ସମର୍ଥନରେ ସେ କୌଣସି ପ୍ରମାଣ ଦେଇନାହାନ୍ତି। ଯଦି ରେଜିଷ୍ଟ୍ରି ଏହାର ସାମ୍ପ୍ରତିକ ରୂପରେ କାର୍ଯ୍ୟକାରୀ ହୁଏ, ତେବେ ଗୋପନୀୟତା ବିଶେଷଜ୍ଞମାନଙ୍କ ମତରେ ନାଗରିକ ଚିହ୍ନଟ ପାଇଁ ଅସ୍ପଷ୍ଟ ଆଲଗୋରିଦମ ବ୍ୟବହାର କରିବା ସରକାରଙ୍କ ପାଇଁ ସରଳ ହେବ। ବିଦେଶୀ ଘୋଷିତ ନାଗରିକମାନଙ୍କୁ ଭୋଟଦାନ ଅଧିକାରରୁ ବଞ୍ଚିତ କରାଯିବ।
୨୦୧୧ରେ, ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଏନ୍‌ଡିଏ ସରକାର ୧୯୩୧ ପରଠାରୁ ଭାରତର ପ୍ରଥମ ଜାତିଭିତ୍ତିକ ଜନଗଣନା ଆରମ୍ଭ କରିଥିଲେ। ୨୦୧୧ରେ ଏସ୍‌ଇସିସି ଏକ ପ୍ରକାର ଜନଗଣନା ଥିଲା, ସର୍ଭେ ନୁହେଁ: ଏହାର ଅର୍ଥ ହେଉଛି ସରକାର ଜାତି, ଆୟ ଆଦି ଉପରେ ତଥ୍ୟ ସଂଗ୍ରହ କରିବାକୁ ଚେଷ୍ଟା କରିଥିଲେ ଏବଂ ପ୍ରତ୍ୟେକ ଭାରତୀୟ ନାଗରିକଙ୍କ ପାଇଁ ସାମାଜିକ ପାରାମିଟର ନିର୍ଦ୍ଧାରଣ କରିଥିଲେ। ଜୁଲାଇ ୩, ୨୦୧୫ରେ ଭାଜପା ସରକାର ଏସ୍‌ଇସିସି ଦ୍ୱାରା ସଂଗୃହୀତ ସାମାଜିକ-ଅର୍ଥନୈତିକ ତଥ୍ୟ ପ୍ରକାଶ କରିଥିଲେ, କିନ୍ତୁ ରାଜନୈତିକ ସମ୍ବେଦନଶୀଳ ଜାତି ତଥ୍ୟକୁ ବାଦ୍‌ ଦେଇଥିଲେ। ୧୩ ଅକ୍ଟୋବର ୨୦୧୫ ରେ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଗ୍ରାମାଞ୍ଚଳର ବିକାଶ ପାଇଁ ସଂସଦ ଷ୍ଟାଣ୍ଡିଂ କମିଟିକୁ ଏସ୍‌ଇସିସି ତଥ୍ୟରୁ ଅଧିକ ଲାଭ ନିଶ୍ଚିତ କରିବାକୁ ଏକ ସାମାଜିକ ରେଜିଷ୍ଟ୍ରି ବ୍ୟବସ୍ଥା ଲାଗି ପ୍ରସ୍ତାବ ଦେଇଥିଲା। ନଭେମ୍ବର ୨୭, ୨୦୧୫ରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟର ତତ୍କାଳୀନ ଅର୍ଥନୈତିକ ପରାମର୍ଶଦାତା ମନୋରଂଜନ କୁମାର ଏକ ବିସ୍ତୃତ ନୋଟ ରଚନା କରିଥିଲେ ଯାହାକି ଏସ୍‌ଇସିସି ତଥ୍ୟକୁ କ୍ରମାଗତ ଭାବରେ ଅପଡେଟ ହେଉଥିବା ରେଜିଷ୍ଟ୍ରିରେ ପରିଣତ କରିବା ପାଇଁ ଏକ ଉଚ୍ଚାଭିଳାଷୀ ପ୍ରକଳ୍ପର ଆଧାର ଭାବରେ କାର୍ଯ୍ୟ କରିବ।
ସିଷ୍ଟମ୍‌ ସ୍ବୟଂଚାଳିତ ଭାବରେ ନିଜକୁ ଅପଡେଟ କରିବା ଉଚିତ ବୋଲି କୁମାରଙ୍କ ଜୁନିୟର ଧ୍ରୁବ କୁମାର ସିଂ ପରାମର୍ଶ ଦେଇଛନ୍ତି। ଭବିଷ୍ୟତରେ ପ୍ରସ୍ତାବିତ ସିଷ୍ଟମ ଅଟୋ-ଅପଡେଟ ଅଧୀନରେ ରହିବ କାରଣ ହିତାଧିକାରୀଙ୍କ ପ୍ରୋଫାଇଲ ସରକାରୀ ସୁବିଧା ପାଇ ବଦଳିଯାଇପାରେ। କୁମାରଙ୍କ ଇଚ୍ଛା ଏକ କେନ୍ଦ୍ରୀଭୂତ ଡାଟାବେସ କିମ୍ବା ରେଜିଷ୍ଟ୍ରି, ଯାହା ପ୍ରତ୍ୟେକ ଭାରତୀୟଙ୍କ ବିଷୟରେ ବହୁ ତଥ୍ୟ ହାସଲ କରିବାକୁ ଆଧାର-ଭିତ୍ତିକ କାରବାର ଉପରେ ନିର୍ଭର କରେ। କୁମାରଙ୍କ ନୋଟ ଏକ ପାଞ୍ଚବର୍ଷର ପ୍ରକ୍ରିୟା ଆରମ୍ଭ କରିଥିଲା ଯାହା ଏପର୍ଯ୍ୟନ୍ତ ଜାରି ରହିଛି। ବର୍ଷ ବର୍ଷ ଧରି ବିଭିନ୍ନ ବିଭାଗ, ମନ୍ତ୍ରଣାଳୟ, ଥିଙ୍କ ଟ୍ୟାଙ୍କ ଏବଂ ଏନଆଇଟି ଆୟୋଗ, UIDAI ଏବଂ ବିଶ୍ୱ ବ୍ୟାଙ୍କ ପରି ଏଜେନ୍ସିଗୁଡ଼ିକ ଏହା ଉପରେ ନିଜ ନିଜର ପ୍ରସ୍ତାବ ଦେଇଛନ୍ତି।
ଥିଓରି ଅନୁସାରେ ଏକ ଗତିଶୀଳ ଡାଟାବେସ ସରକାରୀ ସାହାଯ୍ୟ ଆବଶ୍ୟକ କରୁଥିବା ସମସ୍ତଙ୍କୁ ସାହାଯ୍ୟ କରିଥାଏ। କିନ୍ତୁ ବାସ୍ତବରେ ଏହା ହାସଲ କରିବାର ଏକମାତ୍ର ଉପାୟ ହେଉଛି ପ୍ରତ୍ୟେକ ନାଗରିକର ଅର୍ଥନୈତିକ ଏବଂ ସାମାଜିକ ଜୀବନ ଉପରେ ନିରନ୍ତର ନଜର ରଖିବା- ଯାହା ବିଶେଷଜ୍ଞମାନେ ସେତେବେଳେ ଅନୁଭବ କରିନଥିଲେ। ତିନିବର୍ଷ ମଧ୍ୟରେ, ପ୍ରତ୍ୟେକ ଅତିରିକ୍ତ ପରାମର୍ଶ କେବଳ ସାମାଜିକ ରେଜିଷ୍ଟ୍ରିକୁ ଅଧିକରୁ ଅଧିକ ହସ୍ତକ୍ଷେପ-ପୀଡ଼ିତ କରିପାରିଛି। ଉଦାହରଣ ସ୍ବରୂପ, ଜାନୁୟାରୀ ୨୦୧୬ରେ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ପୂର୍ବତନ ଅର୍ଥ ସଚିବ ସୁମିତ ବୋଷଙ୍କ ଅଧୀନରେ ଏକ ବିଶେଷଜ୍ଞ ଗୋଷ୍ଠୀ ଗଠନ କରି ଏସ୍‌ଇସିସି ବ୍ୟବହାର କରି ବିଭିନ୍ନ କଲ୍ୟାଣକାରୀ ଯୋଜନାରେ ହିତାଧିକାରୀ ଚିହ୍ନଟ କରିବାର ମାନଦଣ୍ଡ ନିର୍ଣ୍ଣୟ କରିଥିଲେ। ନଭେମ୍ବର ୨୦୧୬ରେ ଏକ ଗତିଶୀଳ ଡାଟାବେସର ଧାରଣାକୁ ସମର୍ଥନ କରି କମିଟି ଏହାର ରିପୋର୍ଟ ଦାଖଲ କରିଛି। ନୀତି ଆୟୋଗ କହିଛି ଯେ ସାମାଜିକ ସ୍ଥାନାନ୍ତର ନିଶ୍ଚିତ ଭାବରେ ଜନ୍ମ, ମୃତ୍ୟୁ ଏବଂ ବିବାହ ରେଜିଷ୍ଟର ସହିତ ସଂଯୁକ୍ତ ହେବା ଆବଶ୍ୟକ। ମନ୍ତ୍ରଣାଳୟ ଏହି ପ୍ରସ୍ତାବଗୁଡ଼ିକୁ ଅନ୍ତର୍ଭୁକ୍ତ କରିବାକୁ ରାଜି ହୋଇଛି, ମନ୍ତ୍ରଣାଳୟର ନିର୍ଦ୍ଦେଶକ ଧ୍ରୁବ କୁମାର ସିଂଙ୍କ ଦ୍ୱାରା ୨୦ ମଇ ୨୦୧୬ରେ ଲିଖିତ ଏକ ନୋଟ ଏହା ଦର୍ଶାଯାଇଛି।
(ସୌଜନ୍ୟ: ହଫ୍‌ପୋଷ୍ଟ ଇଣ୍ଡିଆ)
ସହ-ପ୍ରତିଷ୍ଠାତା, ଲ୍ୟାଣ୍ଡ କଣ୍ଟ୍ରୋଲ ୱାଚ୍‌, ନୂଆଦିଲ୍ଲୀ, kumarsambhav.08@gmail.com


All Right Reserved By Dharitri.Com

ଜଳ ସଂରକ୍ଷଣ ଅନିବାର୍ଯ୍ୟ

ଇଂ. ବିଦ୍ୟାଧର ପଣ୍ଡା ସନ୍ଧ୍ୟା ଭାଉଜଙ୍କ ବାପଘର ବାଲିସାହି, ସାପୁଆ ନଦୀକୂଳରେ। ପ୍ରଭାତଭାଇ ଘର ମେଘା, ମୁଣ୍ଡିଆ ଉପରେ। ବାପଘରେ ଥିଲାବେଳେ ସନ୍ଧ୍ୟା ଭାଉଜ ଦିନକୁ...

ଗାନ୍ଧୀଙ୍କ ଈଶ୍ୱର

ପ୍ରଖ୍ୟାତ ବୈଜ୍ଞାନିକ ନିଉଟନ ବିଶ୍ୱାସ କରୁଥିଲେ ଯେ ଏ ସମଗ୍ର ବିଶ୍ୱର ସୃଷ୍ଟି ଏକ ସଚେତନ ମହାଶକ୍ତି ଦ୍ୱାରା ସମ୍ଭବ ହୋଇଛି। ମାତ୍ର ତାଙ୍କର ଜଣେ...

ନିଜ ଗାତରେ ଚାଇନା

ସମ୍ପାଦକୀୟ/ତଥାଗତ ସତପଥୀ ଚାଇନାରେ କରୋନା ଭୂତାଣୁ ଅଦ୍ୟାବଧି ୩୬୧ ଜଣଙ୍କ ପ୍ରାଣ ନେଇସାରିଲାଣି। ଆଜିଯାଏ ଜଣାପଡ଼ିଥିବା ପରିସ୍ଥିତିରୁ ପ୍ରାୟ ୧୭,୦୦୦ ଲୋକଙ୍କଠାରେ କରୋନା ଭାଇରସ୍‌ ଠାବ...

ଅପରାଧର ଶିକାର

ସମ୍ପାଦକୀୟ/ତଥାଗତ ସତପଥୀ ନିକଟରେ ହାଇଦ୍ରାବାଦରେ ମହିଳା ଡାକ୍ତରଙ୍କୁ ଗଣବଳାତ୍କାର ଓ ହତ୍ୟା ଘଟଣା ସମଗ୍ର ଭାରତରେ ଚାଞ୍ଚଲ୍ୟ ଖେଳାଇଛି। ପ୍ରାୟ ସବୁ ଗଣମାଧ୍ୟମରେ ଏ ସମ୍ପର୍କରେ...

ଏଇ ଭାରତରେ

ଅଚିହ୍ନା ମୃତଦେହ ସଂଗ୍ରହ କରି ସେଗୁଡ଼ିକର ଅନ୍ତିମ ସଂସ୍କାର କରିବା ହେଉଛି ବିହାର ପାଟନାର ଜଣେ ବ୍ୟକ୍ତିଙ୍କ ନିଶା। ସେ ହେଉଛନ୍ତି ନବୀନ ଶ୍ରୀବାସ୍ତବ। ଗତ...

ସଭିଏଁ ହୋଇ ଏକମୁଖ

ଶ୍ରୀ ସନ୍ନ୍ୟାସୀ ପୂର୍ବରୁ ମୁଖ୍ୟମନ୍ତ୍ରୀ ଓଡ଼ିଶା ପାଇଁ ୭ ଦିନିଆ ଲକ୍‌ଡାଉନ୍‌ ଘୋଷଣା କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମଗ୍ର ଦେଶରେ ଏହାକୁ ୨୧...

ଏଇ ଭାରତରେ

ବାହାଘରକୁ ନେଇ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପରମ୍ପରା ଦେଖିବାକୁ ମିଳେ। ହେଲେ ଗୁଜରାଟର ଛୋଟା ଉଦୟପୁରରେ ଥିବା ସୁରଖେଡା ଗାଁର ଆଦିବାସୀଙ୍କ ବିବାହ ପ୍ରଥା...

ଆମ ସମ୍ବିଧାନର ମହତ୍ତ୍ୱ

ବିପିନ ବିହାରୀ ମିଶ୍ର ଆମ ସମ୍ବିଧାନ ପ୍ରସ୍ତୁତ ହେଲା ୨୬ ନଭେମ୍ବର ୧୯୪୯ରେ ଏବଂ କାର୍ଯ୍ୟକାରୀ ହେଲା ୨୬ ଜାନୁୟାରୀ ୧୯୫୦ରେ। ସମ୍ବିଧାନରେ ଲେଖାଯାଇଛି ଯେ...

Leave a comment

Your email address will not be published. Required fields are marked *