ଗାଈ ଖାଇଲେ ଫେରାଦି

ମନ-ମାନଚିତ୍ର/ ଡ. ନରହରି ବେହେରା
ଦୁଲେଇ ନାନୀର ଗାଈ ମିଟିର ଗୁଣ ବିଷୟରେ ଆମ ଗାଁର ଯାହାକୁ ପଚାରିଦେଲେ ସେ ନିମିଷକେ ବିନା ପ୍ରସ୍ତୁତିରେ ଓଗାଳି ପକେଇବ। ମିଟିକୁ ନେଇ ଆମ ଗାଁରେ ଅନେକ ଚର୍ଚ୍ଚା। କଳା ଚିକ୍‌ ଚିକ୍‌ ଡଉଲ ଡାଉଲ ଚେହେରା ରଖିଥିବା ଏ ଗାଈଟା କେଉଁ ନକ୍ଷତ୍ରରେ ଜନ୍ମ ହୋଇଥିଲା କେଜାଣି ‘ହେଇ’ ବୋଲି କହିଦେଲେ ଆଖିପିଛୁଳାକେ ଦୁଇଶହ ମିଟର ଦୌଡ଼ି ପଳାଇବ। ପୁଣି କେହି ନ ଥିବାବେଳେ ଫେରିଆସି ନିରୀହ ପିଲାଟି ପରି ଠିଆହୋଇ ଆଖି ମିଟିମିଟି କରୁଥିବ। ଓର ଉଣ୍ଡି ବାଡ଼ ଡେଇଁ ଭିତରକୁ ପଶିଯିବ। ତିନି ଚାରି ଫୁଟ୍‌ ଉଚ୍ଚ ବାଡ଼କୁ ସେ ଏମିତି ତେର୍ଚ୍ଛାମାରି ଡେଇଁପଡ଼େ ଯେ ହାଇଜମ୍ପ୍‌ ଟ୍ରେନିଂ ମାଷ୍ଟରର ଆଖି ବି ତରାଟି ହୋଇଯିବ। ମିଟି ତା’ କ୍ୟାରିୟରରେ ଏମନ୍ତ ଅନେକ ବାଡ଼ ଡେଇଁ ତା’ ଦକ୍ଷତାର ପ୍ରମାଣ ଦେଇସାରିଛି। କେବଳ ସେତିକି ନୁହେଁ ଘରଭଙ୍ଗା ମଣିଷମାନେ ଯେମନ୍ତ ଅନ୍ୟ ଘରର ଛିଦ୍ର ଉଣ୍ଡି ଭିତରକୁ ପଶି ଘର ଉଜାଡ଼ି ଦିଅନ୍ତି, ତେମନ୍ତ ମିଟି ଯଦି କାହା ବିଲ କି ବାଡ଼ି ଭିତରକୁ ପଶିଯାଏ ତା’ର ସବୁ ଫସଲକୁ ଉଜାଡ଼ି ଦିଏ। ଗାଲୁଆମାନଙ୍କୁ ଯେତେ କଟୁକଥା କହିଲେ ବି ସେମାନେ ନିଜର ସ୍ବାର୍ଥସାଧନ ନ ହେବାଯାଏ ସବୁ ଅପମାନକୁ ହସି ହସି ସହିଯିବା ପରି ମିଟି ଥରେ ବାଡ଼ିରେ ପଶିଗଲେ ତାକୁ ଯେତେ ହୁରୁଡ଼େଇଲେ କି ପିଟାପିଟି କଲେ ବି ତାକୁ ଖାତିର ନ କରି କ୍ଷେତକୁ ହନୁମନ୍ତିଆର ଅଶୋକବାଟିକା ପରିକା ନ କରିବାଯାଏ ଚଙ୍କିବ ନାହିଁ। ବାଡ଼ିର ଏମୁଣ୍ଡରୁ ସେମୁଣ୍ଡ ଦୌଡ଼ୁଥିବ।
ମିଟି ଯେ ଦିନେ ତା’ ଖେଳୁଆଡ଼ କରାମତି ଆମ ବାଡ଼ିରେ ଦେଖାଇବ- ଏକଥା ଭାବି ନ ଥିଲି। ସେଦିନ ଘରେ ପହଞ୍ଚତ୍ବା ବେଳକୁ ଦେଖିଲି ଶ୍ରୀମତୀ ଘରେ କବାଡ଼ି ଖେଳିବା ପରି ଏପଟ ସେପଟ ହୋଇ ଖାଲି ମୋ ନାଁରେ ଆପତ୍ତି ଅଭିଯୋଗ ଅଜାଡ଼ି ପକାଉଛନ୍ତି। ମିଟି ୟାର ମୂଳ କାରଣ ବୋଲି ଜାଣିଗଲି। ବହୁ କଷ୍ଟକରି ଘର ଆଗରେ ସେ ନାନା କିସମର ଫୁଲଗଛ ଲଗେଇଥିଲେ, ମାତ୍ର ମିଟି ସବୁ କିଛି ଉଜାଡ଼ି ଦେଇଛି। ବନ୍ୟାବାତ୍ୟା ଦାଉରୁ ହୁଏତ କିଛି ଗଛ ବଞ୍ଚତ୍ୟାଇପାରେ ମାତ୍ର ମିଟି ଦାଉରୁ ବଞ୍ଚତ୍ବାର ସମ୍ଭାବନା ଆଦୌ ନାହିଁ।
ଶ୍ରୀମତୀଙ୍କର ତାଡ଼ନା ସହି ନ ପାରି ଦୁଲେଇ ନାନୀ ଘରକୁ ଦୌଡ଼ିଲି। ମୋ ଅଭିଯୋଗ ଶୁଣି ଦୁଲେଇ ନାନୀ ଏକପ୍ରକାର ରଣହୁଂକାର ଦେଇ ବାହାରକୁ ବାହାରି ଆସିଲା। ସିଧା ସିଧା ମୋ ମୁହଁ ଉପରେ ବର୍ଷିଗଲା- କ’ଣ କହିଲୁ, ମୋ ମିଟି ତୋ ବାଡ଼ିକୁ ଉଜାଡ଼ି ଦେଇଛି? ଆଜି ଦିନସାରା ମୋ ମିଟି ମୋ ଘରବାଡ଼ିରୁ ବାହାରକୁ ଯାଇନାହିଁ। ଦେଖିବୁ? ଆ’ଲୋ ମିଟି, ଇଆଡ଼େ ଅଇଲୁ। ଦୁଲେଇ ନାନୀର ଡାକ ଶୁଣି ମିଟି କୋଉଠି ଥିଲା କେଜାଣି ଶାନ୍ତ ସୁଧାର ପିଲା ଭଳି ହଲି ଦୋହଲି ଆସି ଠିଆ ହୋଇଗଲା। ଆମକୁ ଚାହିଁ ଆଖି ମିଟି ମିଟି କରି ନିରୀହତାର ପ୍ରମାଣ ଦେଇଦେଲା। ଆହା କି ଠାଣି! ସତେ ଯେମିତି କିଛି ଜାଣିନି। ଦୁଲେଇ ନାନୀ ଟାଣଗଳାରେ ଥଟ୍ଟାକରି କହିଲା- ଦେଖିଲୁ ତ? ମୋ ମିଟି ଏଇଠି ଅଛି। ତୋ ବାଡ଼ିକୁ ଯାଇଛି ବୋଲି ମିଛରେ ତା’ ନାଁରେ ଉଲୁଗୁଣା ଦେଉଛୁ। ମୋତେ ଲାଗିଲା ସତେଯେମିତି ଦୁଲେଇ ନାନୀର ଓଲେଈ ଗାଈ ନୁହେଁ, ଗୋପୀଘରେ ପଶି ସର ଲବଣି ସ୍ବାହା କରିଦେଇ ମା’ ଯଶୋଦା ଆଗରେ ନିଜର ନିର୍ଦ୍ଦୋଷପଣିଆ ପ୍ରମାଣ କରିବାକୁ ସ୍ବୟଂ କାହ୍ନୁ ଠିଆ ହୋଇଛି। ଆଉ କୌଣସି ପ୍ରମାଣ ଦେଇ ନ ପାରି ମୂଢ଼ ଗୋପାଳୁଣୀ ପରି ମୁଁ ନିରସ୍ତ ହୋଇଯାଉଛି।
ଦୁଲେଇ ନାନୀର ଆରମ୍ଭ ହୋଇଗଲା ପ୍ରବଚନସମ୍ବଳିତ ସାମାଜିକ ସ୍ଥିତିର ଧାରା ବିବରଣୀ। ମୋର ସକଳ ଅଭିଯୋଗକୁ ପଦଦଳିତ କରି ଦୁଲେଇ ନାନୀ କହିଲା- ଏ ଦୁନିଆରେ କିଏ ନ ଖାଉଛି ଯେ ଏକା ମୋ ମିଟି ଖାଇଗଲା? ହୁଡୁହୁଡୁ, ତିତ୍‌ଲି, ଫନୀ ପ୍ରଭୃତିରେ ଯେତେଯାହା ଟଙ୍କା କି ଜିନିଷ ଆସିଲା ସବୁତ ନିଜ କାଇଦାରେ ମାରିନେଲ। ମୁଁ ବ୍ଲକ୍‌ ଯାଇପାରୁନି ବୋଲି ଖାଉଟି କାର୍ଡ କରିଦେବ ବୋଲି କହି ଖାଉ ଗଉଡ଼ ମୋଠାରୁ ପାଞ୍ଚଶହ ନେଇଗଲା ଯେ ଏଯାଏ ଦେଖାଦେଉନି। ମୋତେ ଦେଖିଲେ ମୁହଁ ଲୁଚାଇ ପଳଉଚି। ମୋ ମିଟି କ’ଣ ତା’ଠାରୁ ବେଶି ଖାଇ ଯାଉଚି? ଟଙ୍କିକିଆ ଚାଉଳ ପାଇ ଆରାମରେ ଗେଫା ମାରୁଚ! ମୋ ମିଟିପାଇଁ ତମେ କ’ଣ କରିଚ ଯେ ତମ ବାଡ଼ିଘର ଭିତରକୁ ନ ପଶି ଆରାମରେ ଖାଇବ? ଆରେ ମୋ ମିଟି ତ ତମଠାରୁ ହଜାରଗୁଣ ଭଲ। ସେ ପରିଶ୍ରମ କରୁଚି। କାହା ବାଡ଼ିରେ ପଶିବ ବୋଲି ଭାବିଚିନ୍ତି କଷ୍ଟ କରି ଡିଆଁକୁଦା ମାରୁଚି। ନ ହେଲେ କୋଉଠି ଗୋଟେ ଦି’ଟା ଗଛ ଖାଇ ଦେଇଥିବ। ସେଇଠୁ କ’ଣ ହୋଇଗଲା? ତମେଗୁଡ଼ାକ ତ କର୍ମକୋଢ଼ି। କାମ ନ କରି ସମସ୍ତଙ୍କ ସମ୍ପତ୍ତି ଝାମ୍ପମାରି ନେଇଯାଉଚ। ପଡ଼ିଆ ବିଲ ସବୁ ଘେରି ନେଉଚ। ମୋ ମିଟି ଚରିବ କୋଉଠି? ଏ ସଂସାରଟା କ’ଣ ପୂରା ତମର, ଆଉ କାହାର ନାହିଁ? ଆରେ ମୋ ମିଟି କ’ଣ, ସମୟ ଆସିବ ହାତୀ, ବାଘ, ଭାଲୁ ତମ ଘରେ ପଶିବେ, ସେତେବେଳେ ତମେ କାହା ପାଖରେ ଫେରାଦ ହେବ?
ଦୁଲେଇ ନାନୀ ଭାଷଣ ଦେଇ ଚାଲିଥାଏ। ମିଟି ସେଠାରେ ଠିଆହୋଇ ଯୁଦ୍ଧବିଜୟୀ ବୀରପରି ମୋତେ ମଝିରେ ମଝିରେ ତେର୍ଚ୍ଛା ଚାହାଣିରେ ଚାହୁଁଥାଏ। ସତେଯେମିତି କହିଦେଉଥାଏ, ଆରେ ମୋ ନାଁରେ ଅଭିଯୋଗ ଆଣିଥିଲୁ ପରା, ପାନେ ପାଆ। ମୁଁ ଧୀରେ ଧୀରେ ପଶ୍ଚାଦ୍‌ପଦରେ ନିରୁତ୍ତର ହୋଇ ପଳାଇ ଆସିଲି। ମିଟି ଆଉ ମୋ ଦୃଷ୍ଟିରେ ଗୋଟିଏ ଓଲେଈ ଗାଈ ନୁହେଁ, ଗୋଟିଏ ସାମାଜିକ ଚରିତ୍ର ପାଲଟି ଯାଇଥିଲା। ଏ ସଂସାରରେ ଅନେକ ମଣିଷ ନିଜ ସ୍ବାର୍ଥ ସାଧନପାଇଁ ଅନ୍ୟକୁ କଳକୌଶଳ କରି ଲୁଟି ଚାଲିଛନ୍ତି। ତା’କୁ ଦୁଲେଇ ନାନୀ ପରି ଅନେକ ବଡ଼ବଡ଼ିଆ ଅନ୍ଧଭାବରେ ସମର୍ଥନ କରୁଛନ୍ତି। ଆମେ ଚହଟଚିକ୍କଣ ବାବୁ ବୋଲାଉଥିବା ମଣିଷମାନେ ବି କିଛି କମ୍‌ ନୋହୁଁ। ଏ ସଂସାରରେ ଆମର ସବୁ ଦରକାର। ଗୋଚର, ଶ୍ମଶାନ, ନଈନାଳ, ବଣ ଜଙ୍ଗଲ ସବୁକୁ କରାୟତ୍ତ କରିବାପାଇଁ ଆମେ ଅହରହ ଚିନ୍ତା କରୁଛୁ। କିଛି ଲୋକଙ୍କର ସର୍ବଗ୍ରାସୀ ଲାଳସା ଆଜି ସମସ୍ତଙ୍କର ନିଦ ହଜେଇଦେଇଛି। ଦୁଲେଇ ନାନୀ ସଞ୍ଜୟ ପରି ଯୋଉ ଚେତାବନୀ ଦେଲା ତା’କୁ ମୋ ପରି ଧୃତରାଷ୍ଟ୍ରମାନେ ବୁଝି ନ ପାରିଲେ ମହାଭାରତ ଭଳି ପରିସ୍ଥିତି ଅବଶ୍ୟମ୍ଭାବୀ।
ବାସୁଦେବବାସ୍ୟମ୍‌, ଜଗନ୍ନାଥବିହାର, ବାଇପାସ, ଭଦ୍ରକ, ମୋ-୭୯୭୮୯୦୩୫୦୯


All Right Reserved By Dharitri.Com

ବିଦ୍ୟାସାଗରଙ୍କ ବିଚାର

ଭାଲଚନ୍ଦ୍ର ଷଡ଼ଙ୍ଗୀ ଊନବିଂଶ ଶତାବ୍ଦୀରେ ଦେଶର ସାମାଜିକ ଜୀବନକୁ ବହୁଳ ଭାବେ ପ୍ରଭାବିତ କରିଥିବା ସମାଜ ସଂସ୍କାରକମାନଙ୍କ ମଧ୍ୟରେ ଈଶ୍ୱରଚନ୍ଦ୍ର ବିଦ୍ୟାସାଗର ପ୍ରମୁଖ ଥିଲେ। ମହାଦେବ...

ଜିଡିପିରେ କରୋନା ଭାଇରସ୍‌

ସହଦେବ ସାହୁ ଉହାନ୍‌ ନାମକ ପ୍ରଦେଶ କରୋନା ଭାଇରସ୍‌-୨୦୧୯ (2019-nCoV)ର ଉପତ୍ତ୍ତିସ୍ଥଳ ହୋଇଥିବାରୁ ଚାଇନା ସେ ପ୍ରଦେଶଟିକୁ ପୂରାପୂରି ଘେରବନ୍ଦୀ କରିରଖିଛି, ଅନ୍ୟ ଅଞ୍ଚଳ ସହ...

ଦୁଇଟି ନଗରୀର କାହାଣୀ

ଡ. ରମେଶ ଚନ୍ଦ୍ର ପରିଡ଼ା ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ। ତେବେ ସମଗ୍ର ବିଶ୍ୱ ପାଇଁ ତାହା ପାଲଟିଛି ଶିଳ୍ପ ଦୁର୍ଘଟଣା ଭୟାବହତାର ପ୍ରତୀକ। ୩୫ ବର୍ଷ...

ବଦଳାଇବାକୁ ହେବ ସ୍ବାସ୍ଥ୍ୟସେବାର ଚିତ୍ର

ଅରୁଣ ଦାସ ସେଦିନ ମାଉସୀଙ୍କୁ ଭୀଷଣ ଜ୍ୱର ହୋଇଥିବାରୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଲୁ। ଡାକ୍ତର କିଛି ଔଷଧ ଲେଖିଦେବା ସହ ରକ୍ତ ଓ...

କକ୍‌ଟେଲିଙ୍ଗ: ଖାଦ୍ୟପେୟରୁ ଭାଷାସଂସ୍କୃତି

ଡ. ଚିନ୍ତାମଣି ପଣ୍ଡା ସେଦିନ ବସ୍‌ଷ୍ଟାଣ୍ଡରେ ବସ୍‌କୁ ଅପେକ୍ଷା କରିଥିବା ବେଳେ ଦେଖିଲି ଜଣେ ଯାତ୍ରୀ ଦୁଇ ତିନୋଟି ବିଭିନ୍ନ ଛାପର ଗୁଟ୍‌ଖା ଜରିକୁ ଖୋଲି...

ଏଇ ଭାରତରେ

ପରିଣତ ବୟସରେ ମାତାପିତାଙ୍କୁ ଅଯଥା ବୋଝ ମନେକରି ସେମାନଙ୍କୁ ବୃଦ୍ଧାଶ୍ରମରେ ଛାଡ଼ି ଦିଆଯାଉଛି। କେତେକ ବ୍ୟକ୍ତି ସେମାନଙ୍କ ମାତାପିତାଙ୍କୁ ପ୍ରତିପୋଷଣ କରିବାକୁ କୁଣ୍ଠାବୋଧ କରିବା ସହ...

ଏଇ ଭାରତରେ

ଗୁଜରାଟର ପାଳନପୁର ତହସିଲ ଅନ୍ତର୍ଗତ ବାଘଣା ଗାଁର ଲୋକଙ୍କ ସହ ଯୋଡିହୋଇ ରହିଛି ଏକ ଅଜବ ପରମ୍ପରା। ଆଷାଢ ଚତୁର୍ଦ୍ଦଶୀରୁ ଦଶହରା ଯାଏ ଓଟଗାଡି, ବଳଦଗାଡି,...

ଆଚାରରେ ଫୁଟୁ ଗାନ୍ଧୀ ବିଚାର

ମୋହନ ଭାଗବତ ସନାତନ କାଳରୁ ପ୍ରଚଳିତ ଭାରତର ଇତିହାସ ଗାଥାର ଏକ ପର୍ବ ଭାରତର ଆଧୁନିକ ଇତିହାସ ତଥା ସ୍ବାଧୀନ ଭାରତର ଉତ୍ଥାନର କାହାଣୀ। ସେଥିରେ...

Leave a comment

Your email address will not be published. Required fields are marked *