କୁକୁଡ଼ାମାଂସ ଓ ବୀଜାଣୁ ସଂକ୍ରମଣ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ
ବିଭିନ୍ନ ସମୟରେ ରାସ୍ତାକଡ଼ରୁ ବେଆଇନ ଖୋଖା (ତାରଜାଲିରେ ନିର୍ମିତ ବାକ୍ସ) ଭିତରେ ବସି ତାଙ୍କ ସାଥୀଭାଇଙ୍କ ମୁଣ୍ଡକାଟ ଦୃଶ୍ୟ ଦେଖୁଥିବା କୁକୁଡାଙ୍କୁ ମୁଁ ଉଦ୍ଧାର କରେ। କିଛିବର୍ଷ ପୂର୍ବେ ଲୋକ ସଭାରେ ଗୃହୀତ ପୌର ଆଇନ ବଳରେ ମୋ ନିର୍ବାଚନମଣ୍ଡଳୀରେ ଥିବା ସବୁ ବେଆଇନ ଖୋଖାକୁ ମୁଁ ବନ୍ଦ କରିଛି, ଆପଣମାନେ ବି ତାହା କରିବା ଉଚିତ। ସେମାନଙ୍କୁ ଉଦ୍ଧାର କରି ଯେତେବେଳେ ମୁଁ ଗୋଟିଏ ଫାର୍ମକୁ ନିଏ ସେମାନଙ୍କ ମଧ୍ୟରୁ ଅନେକେ ଚାଲିପାରନ୍ତିନି। ଏମିତି କି ସେମାନଙ୍କୁ କଅଁଳିଆ ଘାସ ଉପରେ ଛାଡିଲେ ବି ଚାଲିବାକୁ ଅକ୍ଷମ ହୁଅନ୍ତି। ଅଧିକାଂଶ କେଇ ପାଦ ଚାଲିବା ପରେ ବସିପଡନ୍ତି, ତା’ପରେ କିଛି ସମୟ ପରେ ପୁଣି ଚାଲିବାକୁ ଚେଷ୍ଟା କରନ୍ତି। ଏଥିରୁ ସ୍ପଷ୍ଟ ଯେ, ସେମାନେ ଖୁବ୍‌ ଯନ୍ତ୍ରଣାରେ ଥାଆନ୍ତି।
ବ୍ରଏଲର କୁକୁଡା କାହିଁକି ଛୋଟା ଏବଂ ସେମାନଙ୍କୁ ଖାଇବା ପରେ ସେମାନଙ୍କ ଚାଲିବାଜନିତ ସମସ୍ୟା ଆପଣଙ୍କୁ ପ୍ରଭାବିତ କରେ କି? ଖୁବ୍‌ କମ୍‌ ଦିନରେ ସେମାନଙ୍କୁ ହର୍ମୋନ ଓ ଅପ୍ରାକୃତିକ ଖାଦ୍ୟ ଦେଇ ମୋଟା କରିଦିଆଯାଉଥିତ୍ବାରୁ ବ୍ରଏଲର କୁକୁଡାଗୁଡିକ ଛୋଟା ହୋଇଥାନ୍ତି। ସେମାନଙ୍କ ଗୋଡ ଶରୀରର ଓଜନ ସମ୍ଭାଳିବାରେ ଅକ୍ଷମ ହୋଇଥିବାରୁ ସେମାନଙ୍କ ଚାଲିବାରେ ସମସ୍ୟା ରହିଥାଏ। ଏହା ବ୍ୟତୀତ, ସେମାନଙ୍କୁ ରଖାଯାଉଥିବା ପିଞ୍ଜରାର ଚଟାଣରେ ତାର ରହିଥିବାରୁ ତା’ ଆଘାତରେ ସେମାନଙ୍କ ଗୋଡରେ କ୍ଷତ ହୋଇଥାଏ। ଅଧିକାଂଶ କୁକୁଡା ବିଶେଷଜ୍ଞ ତାରନିର୍ମିତ ଫ୍ଲୋର ହଟାଇ ଦେବା ଉପରେ ଗୁରୁତ୍ୱ ଦେଇଥିଲେ ମଧ୍ୟ ଏହି ଫୋ୍ଲର ମଧ୍ୟ ଦେଇ ବାହାରକୁ ବାହାରିଯାଉଥିବା ମଳମୂତ୍ର ସଂଗ୍ରହ କରି ବିକ୍ରି କରିବା ପାଇଁ କୁକୁଡା ଶିଳ୍ପ ଏହାକୁ ବ୍ୟବହାର କରିବାରେ ଲାଗିଛନ୍ତି।
୨୦ ପ୍ରତିଶତ କିମ୍ବା ଏହାଠାରୁ ଅଧିକ ବ୍ରଏଲର କୁକୁଡା ଛୋଟା, କାରଣ ସେମାନେ ବ୍ୟାକ୍ଟେରିଆଲ କଣ୍ଡ୍ରୋନେକ୍ରୋସିସ୍‌ ଅଷ୍ଟିଓମାଇଲିଟିସ୍‌ (ବିସିଓ) ଦ୍ୱାରା ପୀଡିତ। ଅଷ୍ଟିଓମାଇଲିଟିସ୍‌ ଏକ ପ୍ରକାର ଅସ୍ଥି ସଂକ୍ରମଣ। ଅସ୍ଥି ଅନେକ ଉପାୟରେ ସଂକ୍ରମିତ ହୋଇଥାଏ। ଗୋଟିଏ କ୍ଷତରୁ ବୀଜାଣୁଜନିତ ସଂକ୍ରମଣ ରକ୍ତ ମାଧ୍ୟମରେ ଅସ୍ଥିକୁ ସଂକ୍ରମିତ ହୁଏ, କିମ୍ବା ଅସ୍ଥିରେ କୌଣସି ଫ୍ରାକ୍‌ଚର ଦ୍ୱାରା ବି ଅସ୍ଥି ସଂକ୍ରମିତ ହୋଇଥାଏ। କଙ୍କାଳ ଅସ୍ଥି ମଧ୍ୟ ସଂକ୍ରମିତ ହୋଇଥାଏ ଏବଂ ମେରୁଦଣ୍ଡ ଉପରେ ଚାପ ପଡିଥାଏ। ଶରୀର ଭିତରେ କ୍ଷତ ସୃଷ୍ଟି ହୁଏ। ବୀଜାଣୁ ଏହି କ୍ଷତ ମଧ୍ୟରେ ପ୍ରବେଶ କରନ୍ତି ଓ ଅସ୍ଥିକୁ କଣା କରିଦିଅନ୍ତି। ଏହାଦ୍ୱାରା ପକ୍ଷୀଗୁଡିକ ଆରମ୍ଭରୁ ଛୋଟା ପାଲଟିଯାଆନ୍ତି ଏବଂ ତା’ପରେ ଚାଲିବା ବନ୍ଦ କରି ଦେଇ ଗୋଟିଏ ପାଖ ମାଡି ତଳେ ଶୋଇରହନ୍ତି। ବେଳେବେଳେ ସେମାନେ ଡେଣା ଫଡ଼ଫଡ଼ କରି ଉଡ଼ିବାକୁ ଚେଷ୍ଟା କରନ୍ତି, କିନ୍ତୁ ତା’ପରେ ଡେଣାଗୁଡିକରେ ବି କ୍ଷତ ସୃଷ୍ଟି ହୋଇଥାଏ। ଯେତେବେଳେ ସେମାନେ ଚାଲିବା ବନ୍ଦ କରିଦେଇ ବହୁ ସମୟ ଧରି ବସି ରହନ୍ତି, ସେମାନଙ୍କ ଗୋଡର ମୁଖ୍ୟ ଧମନୀଗୁଡିକ ଉପରେ ଚାପ ପଡେ ଏବଂ ତା’ର କୋଷିକାଗୁଡିକ ନଷ୍ଟ ହୋଇଚାଲେ। ଏହାକୁ ନେକ୍ରୋସିସ୍‌ କୁହାଯାଏ। ସେମାନେ ଖାଦ୍ୟ ଓ ପାଣି ନିକଟରେ ପହଞ୍ଚିପାରନ୍ତି ନାହିଁ। ଏହାଦ୍ୱାରା ଭୋକିଲା ଓ ରୋଗଗ୍ରସ୍ତ ହୋଇ ସେମାନେ ମରିଯାଆନ୍ତି। ସେମାନଙ୍କ ଅସ୍ଥି ଓ ଗଣ୍ଠିରେ ବୀଜାଣୁ ସଂକ୍ରମଣ ପାଇଁ ଆଣ୍ଟିବାୟୋଟିକ୍ସ କାମ କରୁ ନ ଥି୍‌ବା ଯୋଗୁ ଏହି କୁକୁଡାଗୁଡିକ କ୍ଷେତ୍ରରେ କୌଣସି ଚିକିତ୍ସା ଫଳପ୍ରଦ ହୁଏନାହିଁ।
ଗବେଷକମାନେ ଛୋଟା କୁକୁଡାଙ୍କଠାରେ ଷ୍ଟାଫିଲୋକୋକସ୍‌ ଅରିଅସ୍‌, ଷ୍ଟାଫିଲୋକୋକୁସ ଏସପିପି., ଇ.କୋଲି, ଏଣ୍ଟେରୋକୋକସ୍‌ ସିକୋରମ୍‌, ସାଲ୍‌ମୋନେଲା ଏସପିପି., ଏବଂ ଷ୍ଟାଫିଲୋକୋକସ୍‌ ଆଗ୍ନେଟିସ୍‌ ଆଦି ବୀଜାଣୁ ରହିଥିବା ଜାଣିପାରିଛନ୍ତି। ପାଶ୍ଚରେଲା ମଲ୍‌ଟୋସିଡା, ଅର୍ନିଥୋବ୍ୟାକ୍ଟେରିୟମ ରାଇନୋଟ୍ରାଚେଲ, ଟ୍ରୁପେରେଲା ଆର୍କାନୋବ୍ୟାକ୍ଟେରିୟମ୍‌ ପାୟୋଜିନ୍ସ, ଏଣ୍ଟେରୋକୋକସ୍‌ ଏସ୍‌ପିପି., ଷ୍ଟ୍ରେପ୍ଟୋକୋକସ୍‌ ଏସ୍‌ପିପି., ସାଲମୋନେଲା ଏସ୍‌ପିପି., ଷ୍ଟ୍ରେପ୍ଟୋବାସିଲସ୍‌ ମୋନିଲିଫର୍ମିସ୍‌, ଆସ୍ପର୍ଜିଲସ୍‌ ଏସ୍‌ପିପି., ଇ. ଫିକାଲିସ୍‌, ଇ. ଡୁରାନ୍ସ ସମେତ କୁକୁଡାଙ୍କଠାରେ ଦେଖାଯାଉଥିବା ଅଷ୍ଟିଓମାଇଲିଟିସ୍‌ ଏବଂ ଆର୍ଥ୍ରାଇଟିସ୍‌ର ଅନ୍ୟ ଛୋଟମୋଟ କାରଣ ରହିଛି।
ଏସ୍କେରିଚିଆ କୋଲି ଅନେକ ସମୟରେ ଦଳର ସମସ୍ତ ବ୍ରଏଲର କୁକୁଡାଙ୍କ ଆର୍ଥ୍ରାଇଟିସ ଓ ଅଷ୍ଟିଓମାଇଲିଟିସ୍‌ର କାରଣ ପାଲଟେ। ଇ. କୋଲି ବୀଜାଣୁ ଶ୍ୱାସନଳୀ ଭିତରେ, ଅନ୍ତନଳୀ ଓ ଚର୍ମରେ ବଂଶ ବୃଦ୍ଧିକରି କୌଣସି କ୍ଷତ ମାଧ୍ୟମରେ ଶରୀରରେ ପ୍ରବେଶ କରେ। ସେମାନେ ପ୍ରଥମେ ଅନ୍ତନଳୀ ସଂକ୍ରମଣର କାରଣ ପାଲଟନ୍ତି ଏବଂ ଖୁବ୍‌ଶୀଘ୍ର ରକ୍ତସଂଚାଳନ ବ୍ୟବସ୍ଥା ଦ୍ୱାରା ବ୍ୟାପିଥାଆନ୍ତି। କୃତ୍ରିମ ଉପାୟରେ ଶୀଘ୍ର ବୃଦ୍ଧି କରାଯାଇଥିବା ଅସ୍ଥିର ଦୁର୍ବଳତା ତଥା ପୂର୍ବରୁ ସେଥିରେ ସୃଷ୍ଟି ହୋଇଥିବା ସୂକ୍ଷ୍ମ ଫ୍ରାକ୍‌ଚର ଯୋଗୁ ଏହା ସଂକ୍ରମଣକୁ ପ୍ରତିରୋଧ କରିବା କଷ୍ଟକର ହୋଇଥାଏ। ଏହି ରୋଗରେ କୁକୁଡା ଯେତେବେଳେ ମରିଯାଏ ସେ ମଲା କୁକୁଡ଼ାକୁ ବି ଆପଣଙ୍କୁ ବିକ୍ରି କରିଦିଆଯାଏ। ଏହି ବୀଜାଣୁଗୁଡ଼ିକ ମଧ୍ୟରୁ କେତେକ ମଣିଷ ପାଇଁ ମଧ୍ୟ ଖୁବ୍‌ ବିପଜ୍ଜନକ।
ଷ୍ଟାଫିଲୋକୋକସ୍‌ ବୀଜାଣୁ ଯଦି ମଣିଷ ଶରୀରର ରକ୍ତ, ଗଣ୍ଠି, ଅସ୍ଥି, ଫୁସଫୁସ୍‌ କିମ୍ବା ହାର୍ଟ ମଧ୍ୟରେ ପ୍ରବେଶ କରେ ତେବେ ତଜ୍ଜନିତ ସଂକ୍ରମଣ ଭାରି ମାରାମତ୍କ ହୋଇଥାଏ। ବହୁ ସୁସ୍ଥ ଲୋକଙ୍କଠାରେ ଘାତକ ସଂକ୍ରମଣ ଦେଖାଯାଉଛି। ଫୁଡ୍‌ ପଏଜନିଂ , ଚର୍ମ ସମସ୍ୟା, ସ୍ପେପ୍ଟିସେମିଆ, ଆଣ୍ଠୁ, କାନ୍ଧ, ଅଣ୍ଟା, ଅଙ୍ଗୁଳି ଓ ପାଦର ସେପ୍ଟିକ୍‌ ଆର୍ଥ୍ରାଇଟିସ୍‌ଠାରୁ ଆରମ୍ଭ କରି ହାର୍ଟର ଭିତର ସଂକ୍ରମଣ ପର୍ଯ୍ୟନ୍ତ ସମସ୍ୟା ଦେଖାଯାଉଛି। କେତେକ ସଂକ୍ରମଣ କ୍ଷେତ୍ରରେ ସାଧାରଣ ଆଣ୍ଟିବାୟୋଟିିକ୍ସ କାମ କରେନାହିଁ। ଷ୍ଟାଫିଲୋକୋକସ୍‌ ଅରିୟସ୍‌ ବ୍ରଣ, ବଥ, ପେଶୀ ପ୍ରଦାହ ଭଳି ସାମାନ୍ୟ ତ୍ୱଚା ସଂକ୍ରମଣଠାରୁ ଆରମ୍ଭ କରି ଘାତକ ନ୍ୟୁମୋନିଆ, ମେନିଞ୍ଜାଇଟିସ୍‌, ଅଷ୍ଟିଓମାଇଲିଟିସ, ଏଣ୍ଡୋକାର୍ଡାଇଟିସ, ଟକ୍ସିକ ଶକ୍‌ ସିଣ୍ଡ୍ରୋମ୍‌, ବ୍ୟାକ୍ଟେରିମିଆ ଏବଂ ସେପ୍‌ସିସ୍‌ର କାରଣ ହୋଇଥାଏ।
ସାଲ୍‌ମୋନେଲା ପରି ବୀଜାଣୁଜନିତ ରୋଗ ଅନ୍ତନଳୀକୁ ସଂକ୍ରମିତ କରେ। ଏହାଦ୍ୱାରା ଲୋକମାନେ ପତଳାଝାଡା, ଜ୍ୱର, ପେଟକାମୁଡା ଆଦି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। କେତେକ କ୍ଷେତ୍ରରେ ସାଲ୍‌ମୋନେଲା ସଂକ୍ରମଣ ସହ ପତଳାଝାଡା ଡିହାଇଡ୍ରେଶନର ଏଭଳି ପରିସ୍ଥିତି ସୃଷ୍ଟି କରେ ଯେ, ତତ୍‌କାଳ ଡାକ୍ତରୀ ଚିକିତ୍ସା ଆବଶ୍ୟକ କରେ। ଯଦି ସଂକ୍ରମଣ ଅନ୍ତନଳୀ ବାହାରକୁ ବ୍ୟାପେ ତେବେ ଘାତକ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ଥାଏ।
ଏଶ୍ଚେରିଚିଆ କୋଲି ଅନ୍ତନଳୀ ସଂକ୍ରମଣ ସହ ପତଳାଝାଡା, ପେଟ ଯନ୍ତ୍ରଣା, ଜ୍ୱର ଏବଂ ବେଳେବେଳେ ବାନ୍ତିର କାରଣ ହୋଇଥାଏ। ଏହା ସବୁଠୁ ବିଷାକ୍ତ। କୌଣସି କ୍ଷତ କିମ୍ବା ଆଞ୍ଚୁଡି ହୋଇଯିବା ଯୋଗୁ ପାଶ୍ଚରେଲା ମଲ୍‌ଟୋସିଡା ଦ୍ୱାରା ଚର୍ମ ଓ କୋମଳ ପେଶୀ ସଂକ୍ରମିତ ହୋଇଥାଏ। ଏହାଦ୍ୱାରା ଯନ୍ତ୍ରଣା, ଫୁଲା ଏବଂ ତଳିପେଟ ନାଲିନାଲି ଫଳିଯାଇ ରୋଗ କ୍ରମେ ସାରା ଶରୀରକୁ ମାଡ଼ିଯାଏ। ଏଣ୍ଟେରୋକୋକସ୍‌ ଏସ୍‌ପିପ.ି, ଏଣ୍ଟେରୋକୋକସ୍‌ ଫିସାଲିସ୍‌ ଏବଂ ଇ. ଫିସିୟମ୍‌ ଦ୍ୱାରା ଏଣ୍ଡୋକାର୍ଡାଇଟିସ୍‌, ମୂତ୍ରନଳୀ ସଂକ୍ରମଣ, ପ୍ରୋଷ୍ଟାଇଟିସ, ତଳିପେଟ ସଂକ୍ରମଣ, ପେଶୀ ପ୍ରଦାହ ଏବଂ କ୍ଷତ ସଂକ୍ରମଣ ଦେଖାଦିଏ। କେତେକଙ୍କଠାରେ ସଂକ୍ରମଣ ସହ ପତଳାଝାଡା, ଅତ୍ୟଧିକ ମୂତ୍ରତ୍ୟାଗ, ଦୁର୍ବଳତା କିମ୍ବା ଜ୍ୱର ଏବଂ ଥଣ୍ଡା ପ୍ରକାଶ ପାଏ।
ଆସ୍ପର୍ଜିଲସ୍‌ ଏସ୍‌ପିପି. ଯୋଗୁ ଦୁର୍ବଳ ପ୍ରତିରୋଧକ ଶକ୍ତି କିମ୍ବା ଫୁସ୍‌ଫୁସ୍‌ ରୋଗଗ୍ରସ୍ତ ବ୍ୟକ୍ତିଙ୍କଠାରେ ଆଲର୍ଜିକ୍‌ ପ୍ରତିକ୍ରିୟା, ଫୁସ୍‌ଫୁସ୍‌ ସଂକ୍ରମଣ ଏବଂ ଅନ୍ୟ ଅଙ୍ଗରେ ସଂକ୍ରମଣ ପ୍ରକାଶ ପାଇଥାଏ। ଏଣ୍ଟେରୋକୋକସ୍‌ ଏସ୍‌ପିପି., ମୁଖ୍ୟତଃ ଇ. ଫିକାଲିସ୍‌ ମଧ୍ୟ ମଣିଷର ବିଭିନ୍ନ ଅଙ୍ଗ ସଂକ୍ରମଣର କାରଣ ହୋଇଥାଏ। ଏହିସବୁ ବୀଜାଣୁ ଅଧିକାଂଶ ଆଣ୍ଟିବାୟୋଟିକ୍ସର ପ୍ରତିରୋଧୀ ଏବଂ ଏହି ବୀଜାଣୁ ୪୨ ପ୍ରତିଶତ ଚିକେନ୍‌ରେ ରହିଛି ବୋଲି ବ୍ରାଜିଲରେ କରାଯାଇଥିବା ଏକ ଅନୁଧ୍ୟାନରୁ ଜଣାପଡିଛି। ପ୍ରତିରୋଧୀ ବୀଜାଣୁ ଦ୍ୱାରା ପ୍ରାଣୀ ଏବଂ ସେମାନଙ୍କ ଉତ୍ପାଦ ଦୂଷିତ ହେବା ସହ ତାହା ମଣିଷ ଶରୀରକୁ ପ୍ରବେଶ କରି ପ୍ରାଣୀ ଓ ମଣିଷ ଉଭୟଙ୍କ ସ୍ବାସ୍ଥ୍ୟ ଲାଗି ଚିନ୍ତାର କାରଣ ହୋଇଥାଏ। ପ୍ରାଣୀ ଯେତେ ରୋଗଗ୍ରସ୍ତ ହେବେ ଆପଣ ତାକୁ ଖାଇବା ଦ୍ୱାରା ସେତିକି ରୋଗଗ୍ରସ୍ତ ହେବେ।
କୁକୁଡ଼ାମାନଙ୍କର ଛୋଟାପଣ, ପୀଡ଼ା ଓ ମୃତ୍ୟୁ କମାଇବା ଲାଗି କେତୋଟି ବିଷୟ ପ୍ରତି ଧ୍ୟାନ ଦେବା ପାଇଁ କୁକୁଡା ଶିଳ୍ପକୁ ବାରମ୍ବାର କୁହାଯାଇଛି, ଯଥା- (୧) ପିଞ୍ଜରାରେ ତାର ନିର୍ମିତ ଚଟାଣ ବ୍ୟବହାର ବନ୍ଦ କରନ୍ତୁ। (୨) କୁକୁଡାଙ୍କୁ ଭୋକିଲା ରଖନ୍ତୁନି, ଅଧିକ ପୌଷ୍ଟିକ ଆହାର ଦିଅନ୍ତୁ। (୩) କ୍ଷମତାଠାରୁ ଅଧିକ ସଂଖ୍ୟାରେ କୁକୁଡା ରଖନ୍ତୁନାହିଁ। (୪) ପର୍ଯ୍ୟାପ୍ତ ଖାଦ୍ୟ ଉପଲବ୍ଧତା ପ୍ରତି ଦୃଷ୍ଟି ଦିଅନ୍ତୁ। (୫) କୁକୁଡା ରହିବା ସ୍ଥାନକୁ ପରିଷ୍କାର ରଖନ୍ତୁ। ଏହି ସବୁ ଉପାୟରେ କୁକୁଡାଙ୍କର ସମସ୍ତ ବୀଜାଣୁ ସଂକ୍ରମଣକୁ ରୋକାଯାଇପାରିବ ଏବଂ ସେମାନଙ୍କ ଅସ୍ଥି ଯନ୍ତ୍ରଣାକୁ ମଧ୍ୟ ଦୂର କରାଯାଇପାରିବ। ଭାରତରେ ଅଧିକାଂଶ କୁକୁଡା ଫାର୍ମ ଏହି ସବୁ ନିର୍ଦ୍ଦେଶକୁ ଅଣଦେଖା କରୁଛନ୍ତି। ଫଳସ୍ବରୂପ, ଆମେ ସଂକ୍ରମିତ କୁକୁଡ଼ାଙ୍କୁ ଖାଇ ରୋଗ କିଣୁଛୁ।
Email: gandhim@nic.in


All Right Reserved By Dharitri.Com

ଗୁଜରାଟ ସିଣ୍ଡ୍ରୋମ୍‌

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ କେନ୍ଦ୍ରରେ ଯେତେବେଳେ ଅଧିକ ବିଶ୍ୱସ୍ତ ଅଧିକାରୀଙ୍କ ଆବଶ୍ୟକତା ପଡୁଛି ସେତେବେଳେ ମୋଦି ସରକାର ଗୁଜରାଟ ଆଡକୁ ମୁହଁାଉଛନ୍ତି। ତାଙ୍କ ସମୟରେ...

ଓଡ଼ିଶାରେ ଦୋଳଯାତ୍ରା

ଡ. ଭାଗ୍ୟଲିପି ମଲ୍ଲ ଶୀତ ସରି ସରି ଆସୁଛି। ଖରା ଧରାକୁ ମୁହାଁଇଛି। ସନ୍ଧି ସମୟ। କାଳପ୍ରବାହରେ ମଧୁମାସ। ବସନ୍ତ। ଚାରିଆଡ଼େ ଫୁଲ ଆଉ ଫୁଲ।...

ପ୍ରତିବାଦ ଯଥାର୍ଥ

ଆକାର ପଟେଲ ଜାନୁୟାରୀ ୨୫, ଶନିବାର ସୁଦ୍ଧା ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ଓ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ବିରୋଧରେ ୨୪ ଘଣ୍ଟିଆ ପ୍ରତିବାଦ...

ଜଗନ୍ନାଥ, ଜେଜେମା’ ଓ ଫନୀ

ମନ-ମାନଚିତ୍ର/ ଡ. ନରହରି ବେହେରା ମୋ ଜେଜେମା’ର ବୟସ ଅଶୀ ଟପିଲାଣି। ମାତ୍ର ଏବେ ସେ ଭଲଭାବେ ଶୁଣିପାରୁଛି ଏବଂ କହିପାରୁଛି। ସବୁ ପୁରୁଣାକାଳିଆ ଲୋକଙ୍କ...

ଏଇ ଭାରତରେ

ଗରିବମାନେ ଲକ୍‌ଡାଉନ୍‌ରେ ସବୁଠୁ ବେଶୀ ପ୍ରଭାବିତ ହୋଇଛନ୍ତି । ଏହି ସମୟରେ ସେମାନଙ୍କୁ ରନ୍ଧାଖାଦ୍ୟ ଯୋଗାଇଦେଇ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଛାତ୍ରୀ ଅନୁଷ୍କା ସେବା ମନୋଭାବର ପରିଚୟ...

ବୁଢ଼ୀମା’ର ହାତ

ରୁଦ୍ରପ୍ରସନ୍ନ ରଥ ଗାଁର ଯୌଥ ପରିବାରରେ ସବୁଠାରୁ ବଡ଼ ସମ୍ପତ୍ତି ହେଲା ପରିବାରର ବୁଢ଼ୀବୁଢ଼ାମାନେ। ସହରର ଛୋଟିଆ ପରିବାର ପାଖରେ ହୁଏତ ପଇସାର ଅଭାବ ନ...

କଶ୍ମୀର: ପାକିସ୍ତାନର ଦାବି ଓ ଧମକ

ବିପିନ ବିହାରୀ ମିଶ୍ର କଶ୍ମୀର ବିଷୟରେ ପାକିସ୍ତାନ ବାରମ୍ବାର ଅନେକ ପ୍ରଶ୍ନ ଉଠାଉଛି। ଦାବି କରୁଛି ଓ ଯୁଦ୍ଧର ଧମକ ଦେଉଛି। ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ...

ବାସ୍ତବ ଜ୍ଞାନର ଆଲୋକ

ବରଦା ପ୍ରସନ୍ନ ଦାସ ଯାହା ଆମକୁ ଅନୁଶାସିତ କରି ସତ୍‌ ଆଡ଼କୁ ନେଇଯାଏ ତାହା ହେଉଛି ଶାସ୍ତ୍ର। ସର୍ବ ପୁରାତନ ଶାସ୍ତ୍ର ହେଲା ବେଦ। ତାହା...

Leave a comment

Your email address will not be published. Required fields are marked *