ପ୍ରାକୃତିକ ବିପର୍ଯ୍ୟୟ ଓ ଆଧୁନିକ ପ୍ରଯୁକ୍ତି

ଇଂ. ମାୟାଧର ସ୍ବାଇଁ
ଭା ଭାରତର ପୂର୍ବ ଉପକୂଳ ଏବଂ ବିଶେଷକରି ଆମ ରାଜ୍ୟ ଓଡ଼ିଶା ଅନେକଥର ବାତ୍ୟା ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଆମେ ଯଦି ନିକଟ ଅତୀତର ବାତ୍ୟାଗୁଡ଼ିକୁ ଦେଖିବା, ୧୯୯୯ର ମହାବାତ୍ୟା, ୨୦୧୩ର ଫାଇଲିନ୍‌, ୨୦୧୪ର ହୁଡ୍‌ହୁଡ୍‌, ୨୦୧୮ର ତିତ୍‌ଲି ଏବଂ ଏହି ବର୍ଷର ଫନୀ ଓଡ଼ିଶାର ଅନେକ କ୍ଷତି କରିଛି। ବାତ୍ୟା ହେଉଛି ଗୋଟିଏ ପ୍ରାକୃତିକ ଘଟଣା। ଅତ୍ୟାଧୁନିକ ଜ୍ଞାନକୌଶଳ ସତ୍ତ୍ୱେ ଏହାକୁ ଅଟକାଇବା ମନୁଷ୍ୟ ପକ୍ଷେ ସମ୍ଭବ ନୁହେଁ। କିନ୍ତୁ ଏହାର ଆଗମନର ଠିକ୍‌ ସୂଚନା ମିଳିଗଲେ, ସେଥିପାଇଁ ଉପଯୁକ୍ତ ପ୍ରତିକାର କରାଯାଇପାରିବ। ବାତ୍ୟାର ଦୁଇ ବିପର୍ଯ୍ୟୟକାରୀ ଘଟଣା ହେଉଛି ପ୍ରବଳ ବେଗରେ ପବନ ବହିବା ଓ ସମୁଦ୍ର ଜୁଆରର କୂଳଲଙ୍ଘନ। ପବନ ବଡ଼ବଡ଼ ଗଛ, ବିଦ୍ୟୁତ୍‌ ଓ ଟେଲିଫୋନ ଖୁଣ୍ଟ, କଚ୍ଚାଘର ଆଦିକୁ ଭାଙ୍ଗି ଦେଇଥାଏ ଏବଂ ସମୁଦ୍ର ଜୁଆର ଅଧିକ ଉଚ୍ଚରେ ଆସିଲେ ଉପକୂଳ ଅଞ୍ଚଳକୁ ଜଳମଗ୍ନ କରିବା ସହିତ ପ୍ରତ୍ୟାବର୍ତ୍ତନ ବେଳେ ଲୋକ, ଗୋରୁ ଓ ଜିନିଷପତ୍ର ଆଦିକୁ ସାଥିରେ ସମୁଦ୍ରକୁ ଟାଣିନିଏ। ବାତ୍ୟା ସମୟରେ ଜୋର୍‌ ବର୍ଷା ମଧ୍ୟ ହୋଇଥାଏ, ଯାହା ସମୁଦ୍ରକୂଳଠାରୁ ଦୂରରେ ଥିବା ଲୋକଙ୍କର ମଧ୍ୟ କ୍ଷତି ପହଞ୍ଚାଇଥାଏ। ଓଡ଼ିଶାରେ ଅଧିକାଂଶ ବାତ୍ୟା ଜୁଲାଇ ଓ ଅକ୍ଟୋବରରେ ହେଉଥିବାରୁ ବନ୍ୟାର ଆଶଙ୍କା ଥାଏ।
ବାତ୍ୟା ସମୁଦ୍ର ଆଡୁ ଆସି ଯେଉଁ ସ୍ଥାନରେ ସ୍ଥଳଭାଗକୁ ଛୁଇଁଥାଏ, ସେଠାରେ ପବନର ବେଗ ସର୍ବାଧିକ ହୋଇଥାଏ ଏବଂ ତା’ପରେ ସ୍ଥଳଭାଗରେ ଗତି କରିବା ଭିତରେ ପବନର ବେଗ ସାଙ୍ଗକୁ କ୍ଷୟକ୍ଷତିର ପରିମାଣ କ୍ରମଶଃ କମିଯାଏ। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଦ୍ୱାରା ବର୍ତ୍ତମାନ ବାତ୍ୟାର ଆଗମନ ଅତିକମ୍‌ରେ ଦୁଇସପ୍ତାହ ପୂର୍ବରୁ ଜଣାପଡୁଛି। ବାତ୍ୟା କେଉଁ ସ୍ଥାନରେ ଓ କେଉଁ ସମୟରେ ସ୍ଥଳଭାଗ ଛୁଇଁବ, ପବନର ବେଗ କେତେ ହେବ ଏବଂ ଜୁଆର ଉଚ୍ଚତା କେତେ ହେବ, ସେସବୁର ଠିକ୍‌ ତଥ୍ୟ ବହୁ ପୂର୍ବରୁ ମିଳିଯାଉଥିବାରୁ ପ୍ରଶାସନ ସମ୍ଭାବ୍ୟ ବାତ୍ୟା-ପ୍ରଭାବିତ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ବାତ୍ୟା ଆଶ୍ରୟସ୍ଥଳକୁ ନେଇପାରୁଛି, ଯାହାଫଳରେ ମୃତାହତଙ୍କ ସଂଖ୍ୟା କମିଯାଉଛି। ୧୯୯୯ର ମହାବାତ୍ୟା ସ୍ଥଳଭାଗ ଛୁଇଁବାର ସମ୍ଭାବ୍ୟ ସ୍ଥାନ ଓ ସମୟ ମାତ୍ର ଦିନକ ପୂର୍ବରୁ ଜଣାପଡିଲା। ଫଳରେ ଲୋକଙ୍କୁ ସ୍ଥାନାନ୍ତର ଓ ଏପରିକି ସତର୍କ କରାଯାଇ ନ ପାରିବାରୁ ୧୦ ହଜାରରୁ ଅଧିକ ଲୋକ ମୃତ୍ୟୁବରଣ କଲେ। କିନ୍ତୁ ତାହା ପରର ଫାଇଲିନ୍‌, ହୁଡ୍‌ହୁଡ୍‌ ଓ ତିତ୍‌ଲିରେ ପ୍ରାୟ କେହି ମୃତ୍ୟୁବରଣ କରି ନ ଥିଲେ। ଏହି ବର୍ଷର ଫନୀରେ ୫୦ରୁ ଅଧିକ ବ୍ୟକ୍ତି ମରିଥିବା ଜଣାପଡିଛି। ପ୍ରଶାସନ ‘ଶୂନ ମୃତ୍ୟୁ’ ଆଧାରରେ କାର୍ଯ୍ୟ କରିଥିଲେ ସୁଦ୍ଧା ବାତ୍ୟାର ଅତ୍ୟଧିକ ପ୍ରକୋପ ଓ କେତେକ ସ୍ଥଳରେ ଲୋକଙ୍କର ଖାମଖିଆଲି ମନୋବୃତ୍ତି ଯୋଗୁ ମୃତ୍ୟୁସଂଖ୍ୟା ବଢିଛି। ବାତ୍ୟାର ଆଗୁଆ ସୂଚନା ମିଳିବା ଦ୍ୱାରା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ସହ ରିଲିଫ ସାମଗ୍ରୀ ଯୋଗାଡ଼, ଉଦ୍ଧାରକାରୀ ଦଳର ପ୍ରସ୍ତୁତି ଆଦି ସମ୍ଭବ ହେଉଛି। ଫନୀ ଆସିବା ପୂର୍ବରୁ ଅଗ୍ନିଶମ ବିଭାଗ, ପୋଲିସ, ଓଡ୍ରାଫ, ଏନ୍‌ଡିଆରଏଫ୍‌ ଆଦି ଯନ୍ତ୍ରପାତି ନେଇ ପ୍ରସ୍ତୁତ ହୋଇ ରହିଥିଲେ।
ବାତ୍ୟାର ଯଥାର୍ଥ ଆଗୁଆ ସୂଚନା ଆଧୁନିକ ପ୍ରଯୁକ୍ତିବିଦ୍ୟାର ଦୁଇଟି ବିକାଶ ଯୋଗୁ ସମ୍ଭବ ହୋଇଛି। ବାସ୍ତବରେ ପାଣିପାଗର ପୂର୍ବାନୁମାନ ପାଇଁ ଦେଶ ମଧ୍ୟରେ ଓ ବିଦେଶରେ ଥିବା ଅନେକ ପାଣିପାଗ କେନ୍ଦ୍ରରୁ ଅଜସ୍ର ତଥ୍ୟ ନେଇ ସେଗୁଡିକୁ ଅବିଳମ୍ବେ ବିଶ୍ଳେଷଣ କରିବାକୁ ପଡିଥାଏ। ଏହି କାର୍ଯ୍ୟ କେବଳ ସୁପର କମ୍ପ୍ୟୁଟର କରି ପାରିଥାଏ, ଯାହା ବର୍ତ୍ତମାନ ପାଣିପାଗ ବିଭାଗ ପାଇଁ ଅପରିହାର୍ଯ୍ୟ ହୋଇପଡିଛି। ବାତ୍ୟା ପୂର୍ବାନୁମାନ ପାଇଁ ଅନ୍ୟ ଏକ ସାହାଯ୍ୟକାରୀ ପ୍ରଯୁକ୍ତିବିଦ୍ୟା ହେଉଛି କୃତ୍ରିମ ଉପଗ୍ରହରୁ ତଥ୍ୟ ଗ୍ରହଣ। କୃତ୍ରିମ ଉପଗ୍ରହର ଉନ୍ନତମାନର କ୍ୟାମେରା ସାହାଯ୍ୟରେ ବାତ୍ୟାର ସୃଷ୍ଟି ଓ ଅଗ୍ରଗତିକୁ ସ୍ପଷ୍ଟ ଭାବେ ଜାଣିହେଉଛି।
ବାତ୍ୟା ହେଉଛି ଗୋଟିଏ ଦିନର ଘଟଣା- ଏହା ଗୋଟିଏ ସ୍ଥାନରେ ତିନିଚାରି ଘଣ୍ଟାରୁ ଅଧିକ ସମୟ ରହି ନ ଥାଏ। କିନ୍ତୁ ଅତିକ୍ରମ କରିବାର ଅନେକ ଦିନ ପର୍ଯ୍ୟନ୍ତ ଏହାର ପ୍ରଭାବ ଅନୁଭୂତ ହୋଇଥାଏ। ଏହାଦ୍ୱାରା ବଡ଼ ବଡ଼ ଗଛ ଉପୁଡି ରାସ୍ତାରେ ପଡି ଗମନାଗମନରେ ଅସୁବିଧା କରିଥାଏ ଏବଂ ବିଦ୍ୟୁତ୍‌ ସରବରାହ ଓ ଟେଲିଫୋନ ସେବା ବନ୍ଦ ହୋଇଯାଏ। ଏପରି ହୁଏ ଯେ ବାତ୍ୟା ଦିନ ଅପେକ୍ଷା ତା’ପର ଦିନଗୁଡ଼ିକ ଅଧିକ ବେଦନାଦାୟକ ହୋଇଥାଏ।
ଦିନ ଥିଲା, ‘ରୋଟି, କପଡା, ମକାନ୍‌’ ମନୁଷ୍ୟର ମୌଳିକ ଆବଶ୍ୟକତା ଥିଲା। କିନ୍ତୁ ଆମେ ବର୍ତ୍ତମାନ ସେହି ସ୍ତର ପାର କରିଯାଇଛେ ଏବଂ ଆଧୁନିକ ଜୀବନର ମୌଳିକ ଆବଶ୍ୟକତା ହେଉଛି ବିଦ୍ୟୁତ୍‌ ଓ ମୋବାଇଲ ଫୋନ୍‌। ସହରାଞ୍ଚଳରେ ବିଦ୍ୟୁତ୍‌ ସେବା ବ୍ୟାହତ ହେବା ପରେ ଜଳଯୋଗାଣ ବନ୍ଦ ହୋଇଯାଏ। ଅଧିକାଂଶ କୋଠାରେ ନିଜ ନିଜର ବୋର୍‌ଓ୍ବେଲ୍‌ ଅଛି ଯେଉଁଠି ବିଦ୍ୟୁତ୍‌ ବିନା ଜଳ ବାହାରିପାରିବ ନାହିଁ। ସହରାଞ୍ଚଳରେ ପୂର୍ବରୁ ଥିବା ଅଧିକାଂଶ ପୁଷ୍କରିଣୀ ପୋତି ଦିଆଗଲାଣି ଏବଂ ଯେଉଁ କେତେକ ରହିଯାଇଛି ତାହା ବ୍ୟବହାର ଉପଯୋଗୀ ହୋଇ ରହି ନାହିଁ। ଗତ ବାତ୍ୟାରେ ଲୋକଙ୍କୁ ଜଳକଷ୍ଟ ଅଧିକ ବାଧିଥିଲା। ବିଦ୍ୟୁତ୍‌ ନ ଥିଲେ ଏଟିଏମ୍‌, ବ୍ୟାଙ୍କ୍‌ ଏବଂ ଏପରିକି ଅନେକ ଅଫିସ୍‌ କାର୍ଯ୍ୟ କରିପାରେ ନାହିଁ। ଆଜିକାଲି ଅଧିକାଂଶ କାର୍ଯ୍ୟ ଇଣ୍ଟର୍‌ନେଟ ସାହାଯ୍ୟରେ ଅନ୍‌ଲାଇନ୍‌ରେ ହେଉଥିବାରୁ ଏହି ଅସୁବିଧା ହେଉଛି। ଫନୀ ଯୋଗୁ ଭୁବନେଶ୍ୱରରେ ୧୦ ଦିନ ପର୍ଯ୍ୟନ୍ତ ଜଳ ଓ ବିଦ୍ୟୁତ୍‌ ମିଳିଲା ନାହିଁ। ଦୁର୍ଯୋଗକୁ ଏହା ପ୍ରଚଣ୍ଡ ଗ୍ରୀଷ୍ମ ସମୟରେ ଘଟିଥିବାରୁ ଅସହ୍ୟ ଗରମରେ ଲୋକେ ଶୋଇପାରିଲେ ନାହିଁ। ବିଶେଷକରି ଶିଶୁ ଓ ବୃଦ୍ଧାବୃଦ୍ଧମାନେ ଅକଥ୍ୟ ଯନ୍ତ୍ରଣା ଭୋଗ କଲେ। ଡାକ୍ତରଖାନାରେ ମଧ୍ୟ ବିଦ୍ୟୁତ୍‌ ଅଭାବରୁ ରୋଗୀମାନଙ୍କର ପରୀକ୍ଷା ଓ ଚିକିତ୍ସା ସୁଚାରୁରୂପେ ହୋଇପାରିଲା ନାହିଁ।
ଏହିସବୁ ଅସୁବିଧାର ମୂଳରେ ରହିଛି ବିଦ୍ୟୁତ୍‌। ଏଣୁ ଆଧୁନିକ ପ୍ରଯୁକ୍ତିବିଦ୍ୟା ସାହାଯ୍ୟରେ ବିଦ୍ୟୁତ୍‌ ଯୋଗାଣ ବ୍ୟବସ୍ଥା ହେବା ଉଚିତ। ବଡ଼ ବଡ଼ ସହରରେ ଭୂମିତଳ କେବୁଲ୍‌ ସାହାଯ୍ୟରେ ବିଦ୍ୟୁତ୍‌ ଯୋଗାଣ କରାଯାଉଛି। କିନ୍ତୁ ସ୍ମାର୍ଟ ସହର ଭୁବନେଶ୍ୱରରେ ଏହି ବ୍ୟବସ୍ଥା ନାହିଁ। ବାତ୍ୟା ବେଳେ କେବଳ ଏହା ମନେ ପଡୁଛି। ଏହା ବ୍ୟତୀତ ବିଦ୍ୟୁତ୍‌ ଖୁଣ୍ଟଗୁଡ଼ିକ ଯେପରିଭାବେ ମାଟିରେ ପୋତାଯିବା କଥା ସେପରି କରାଯାଉନାହିଁ। ପୁନଶ୍ଚ ଦୁଇ ସପ୍ତାହ ପୂର୍ବରୁ ବାତ୍ୟାର ସୂଚନା ମିଳିଥିଲେ ସୁଦ୍ଧା ବିଦ୍ୟୁତ୍‌ ଯୋଗାଣ କର୍ତ୍ତୃପକ୍ଷ ଯଥାଯଥ ଆଗୁଆ ପ୍ରସ୍ତୁତି କରିଥିବା ମନେ ହେଉନାହିଁ। ସେମାନଙ୍କ ପାଖରେ ଯଥେଷ୍ଟ ପରିମାଣର ବିଦ୍ୟୁତ୍‌ ସରଞ୍ଜାମ ନାହିଁ। ସବୁଠାରୁ ଅଧିକ ଆବଶ୍ୟକତା ହେଉଛି କୁଶଳୀ ଶ୍ରମିକ ଓ ଇଲେକ୍ଟ୍ରିସିଆନ୍‌ଙ୍କର। ବାତ୍ୟା ପରେ ସେମାନଙ୍କୁ ବାହାର ରାଜ୍ୟରୁ ଆଣିବାର ବ୍ୟବସ୍ଥା ହେଉଛି। ପୂର୍ବରୁ କାହିଁକି ନୁହେଁ? ଅତ୍ୟାବଶ୍ୟକ ସେବା ପାଇଁ ସେମାନଙ୍କ ପାଖରେ ଯଥେଷ୍ଟ ସଂଖ୍ୟକ ଡିଜେଲ୍‌ ଜେନେରେଟର ରହିବା ଉଚିତ।
ବାତ୍ୟା ଅନ୍ୟ ଏକ ଅତ୍ୟାବଶ୍ୟକ ସେବା ଟେଲିଫୋନକୁ ବିପର୍ଯ୍ୟସ୍ତ କରିଦିଏ। ଟେଲିଫୋନ ଖୁଣ୍ଟଗୁଡିକ ଉପୁଡିଯାଏ। କିନ୍ତୁ ମୋବାଇଲ ଫୋନ୍‌ ଓ ଇଣ୍ଟରନେଟ୍‌ ମଧ୍ୟ କାର୍ଯ୍ୟ କରୁନାହିଁ। ଆଜିକାଲି ଯେକୌଣସି ଅନୁଷ୍ଠାନର ନାମ ଲେଖା କିମ୍ବା ଚାକିରି ପାଇଁ ପରୀକ୍ଷା ସବୁ ଅନ୍‌ଲାଇନ୍‌ରେ ହେଉଛି। ଓଡ଼ିଶାର କେତୋଟି ଜିଲାରେ ବାତ୍ୟା ଯୋଗୁ ଇଣ୍ଟର୍‌ନେଟ ସୁବିଧା ନ ମିଳିଲେ ମଧ୍ୟ ସର୍ବଭାରତୀୟ ଅନୁଷ୍ଠାନଗୁଡିକ ଏହି ପରୀକ୍ଷାଗୁଡିକୁ ବନ୍ଦ କରି ନ ଥାଆନ୍ତି। ଏଣୁ ବାତ୍ୟା ପରେ ପରେ ମୋବାଇଲ ଓ ଇଣ୍ଟର୍‌ନେଟ ସେବା ତୁରନ୍ତ ଯୋଗାଇବା ଆବଶ୍ୟକ। ଏହା ମଧ୍ୟ ବାତ୍ୟା-ପ୍ରଭାବିତ ଅଞ୍ଚଳରେ ରିଲିଫ୍‌ ଓ ଉଦ୍ଧାର କାର୍ଯ୍ୟ ପାଇଁ ନିହାତି ଆବଶ୍ୟକ। ହାମ୍‌ ରେଡିଓ ହେଉଛି ଏଥିପାଇଁ ଗୋଟିଏ ଉତ୍ତମ ବିକଳ୍ପ ବ୍ୟବସ୍ଥା।
ଏହି ବର୍ଷର ବାତ୍ୟାରୁ ଶିକ୍ଷା ନେଇ ବିଭିନ୍ନ ସଂସ୍ଥା ଆଧୁନିକ ପ୍ରଯୁକ୍ତିବିଦ୍ୟା ସାହାଯ୍ୟରେ ଭବିଷ୍ୟତରେ ବାତ୍ୟା ପ୍ରତି ସତର୍କ ଓ ପ୍ରସ୍ତୁତ ହେବା ଆବଶ୍ୟକ।
୭୦ ଲକ୍ଷ୍ମୀ ବିହାର, ଫେଜ୍‌-୧, ଭୁବନେଶ୍ୱର, ମୋ-୯୪୩୮୬୯୩୭୨୪


All Right Reserved By Dharitri.Com

ସମ୍ପାଦକୀୟ/ଥିଲେ ନଷ୍ଟ, ନ ଥିଲେ କଷ୍ଟ

ତାମିଲନାଡୁ ରାଜଧାନୀ ଚେନ୍ନାଇରେ ଜଳସଙ୍କଟ ଏବେ ଏଭଳି ସ୍ତରରେ ପହଞ୍ଚିଛି ଯେ, କେତେକ ଲୋକ ସହର ଛାଡ଼ିବା ଆରମ୍ଭ କଲେଣି। ଆଉ କେତେକେ ଯେଉଁ ଅଞ୍ଚଳରେ...

ଆଦିବାସୀ ସଂସ୍କୃତି ଓ ଜଗନ୍ନାଥ

ଉମାଶଙ୍କର ପ୍ରସାଦ ଇତିହାସ ପୃଷ୍ଠା ଅବଲୋକନ କଲେ ଜଣାଯାଏ ଓଡ଼ିଶାର ମୂଳ ସଂସ୍କୃତି ହେଉଛି ଆଦିବାସୀ ସଂସ୍କୃତି। ଏହି ଆଦିମ ଜାତିକୁ ଅନେକେ ଅଷ୍ଟ୍ରିକ ବୋଲି...

ଏଇ ଭାରତରେ

ଓଳେଇବା କାର୍ଯ୍ୟରେ ଝାଡୁ ବ୍ୟବହାର କରାଯାଏ। ଏହା ପରିଷ୍କାର ଓ ପରିଚ୍ଛନ୍ନତାର ଏକ ପ୍ରତୀକ। କେନ୍ଦ୍ର ସରକାର ୨୦୧୪ରେ ସ୍ବଚ୍ଛ ଭାରତ ମିଶନ ଆରମ୍ଭ କରିଥିଲେ।...

ଅସମୟରେ ଇଲେକ୍ଟୋରାଲ ବଣ୍ଡ୍‌ ବିକ୍ରିକୁ ଅନୁମତି

ନୀତୀନ ସେଠୀ ଜାନୁୟାରୀ ୨, ୨୦୧୮ରେ ଭାଜପା ସରକାର ବିବାଦୀୟ ଇଲେକ୍ଟୋରାଲ ବଣ୍ଡ୍‌ର ନିୟମକାନୁନ ସମ୍ପର୍କରେ ବିଜ୍ଞପ୍ତି ଜାରି କରିଥିଲେ। ତା’ପରେ ଅଚିରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ...

ଗଣ ପରିବହନ

ଡ. ସୁବାସ ଚନ୍ଦ୍ର ପାତ୍ର ବିଗତ ୧୫/୨୦ ବର୍ଷ ଭିତରେ ଭାରତ ବିଶେଷକରି ଓଡ଼ିଶାର ଲୋକମାନଙ୍କ ପରିବହନ ଶୈଳୀ ନିରୀକ୍ଷଣ କଲେ ତା’ ଭିତରେ ହାଲୁକା...

ଦେଶାନ୍ତରୀ ଶିଶୁଙ୍କ ଶିକ୍ଷା ଅଧିକାର

ଘାସିରାମ ପଣ୍ଡା ଦାରିଦ୍ର୍ୟ ହେତୁ ପଶ୍ଚିମ ଓଡିଶାର ଅନେକ ପରିବାର ଆନ୍ଧ୍ର ସମେତ ବିଭିନ୍ନ ରାଜ୍ୟର ଇଟାଭାଟିଗୁଡ଼ିକରେ କାମ କରିବାକୁ ଯାଆନ୍ତି। ଏଥିରେ ଛୋଟ ପିଲାମାନେ...

ଇଲେକ୍ଟୋରାଲ ବଣ୍ଡ୍‌: ଇସିକୁ ଉପେକ୍ଷା

ନୀତୀନ ସେଠୀ ଇଲେକ୍ଟୋରାଲ ବଣ୍ଡ୍‌ ସମ୍ପର୍କରେ ଏ ଲେଖାର ପ୍ରଥମ ଭାଗ ଗତକାଲି ଏହି ସ୍ତମ୍ଭରେ ପ୍ରକାଶ ପାଇଥିଲା। ସେଥିରେ ଭାରତୀୟ ରିଜର୍ଭ ବ୍ୟାଙ୍କର ମତାମତକୁ...

ପାତିବା ନାହିଁ ହାତ

ଶ୍ରୀ ସନ୍ନ୍ୟାସୀ ଚାରିଆଡ଼େ ମରୁଡ଼ି। ସବୁଠି ହା ଅନ୍ନ ଚିତ୍କାର। ଗାଁଟିର ନାଁ ହେଉଛି ସିରେଇ। ସେଇଠି ଖୋଲା ହୋଇଛି ରିଲିଫ୍‌ କେନ୍ଦ୍ର। ଦାସେ ଆପଣେ...

Leave a comment

Your email address will not be published. Required fields are marked *