ନାରୀ ଯେବେ ସାଜେ ପୁରୁଷ

ଈଶ୍ୱର ଭିନ୍ନ ଭିନ୍ନ ଉଦ୍ଦେଶ୍ୟ ରଖି ସୃଷ୍ଟି କରିଛନ୍ତି ନାରୀ ଓ ପୁରୁଷ। ତେବେ ବେଳେବେଳେ ଏମିତି ସମୟ ଆସିଛି ଯେତେବେଳେ ନାରୀଟିଏ ପୁରୁଷ ସାଜିବା ପାଇଁ ବାଧ୍ୟ ହୋଇଛି। ଏମିତି ଏକ ଲୋକପ୍ରିୟ ଉଦାହରଣ ରହିଛି ମହାଭାରତରେ। ସୁଧନ୍ବା ନାମରେ ଜଣେ ରାଜପୁତ୍ର ଥିଲେ। ସେ ଥିଲେ ବିବାହିତ। ଇନ୍ଦୁମତୀ ନାମରେ ଜଣେ ସୁନ୍ଦରୀ ଯୁବତୀ ତାଙ୍କୁ ଭଲପାଇ ବସିଲେ। ଆଉ ପ୍ରେମ ନିବେଦନ କଲେ। ମାତ୍ର ବିନମ୍ରତାର ସୁଧନ୍ବା କହିଲେ ଯେ, ସେ ବିବାହିତ। ତେଣୁ ଅନ୍ୟ କୌଣସି ନାରୀଙ୍କୁ ସେ ଗ୍ରହଣ କରିବେ ନାହିଁ। ଏଥିରେ ଅପମାନିତ ହୋଇ ଇନ୍ଦୁମତୀ ଗଙ୍ଗାନଦୀକୁ ଡେଇଁ ଆତ୍ମହତ୍ୟା କରିବାକୁ ବାହାରିଲେ। ସେତିକିବେଳେ ଦେବୀ ଗଙ୍ଗା ଆବିର୍ଭାବ ହୋଇ କହିଲେ, ତମେ ଆତ୍ମହତ୍ୟା କରନି। ତା’ ପରିବର୍ତ୍ତେ ପୁରୁଷ ରୂପ ଧାରଣ କରି ସୁଧନ୍ବାଙ୍କ ନିକଟକୁ ଯାଅ। ମୋ ଆଶୀର୍ବାଦରୁ ସେ ତୁମକୁ ଅଙ୍ଗରକ୍ଷୀ ଭାବରେ ଗ୍ରହଣ କରିବେ। ଫଳରେ ତୁମେ ସବୁବେଳେ ତାଙ୍କର ପାଖେପାଖେ ରହିବ। ତାଙ୍କ ସଖ୍ୟ, ସାନ୍ନିଧ୍ୟ ଆଉ ସାହଚର୍ଯ୍ୟ ପାଇପାରିବ। ତାହା ହିଁ ହେଲା। ଇନ୍ଦୁମତୀ ପୁରୁଷ ରୂପ ଧାରଣ କରି ସୁଧନ୍ବାଙ୍କର ଅଙ୍ଗରକ୍ଷୀ ସାଜିଲେ। ଯେତେବେଳେ ଅର୍ଜୁନଙ୍କ ସହ ସୁଧନ୍ବାଙ୍କର ଯୁଦ୍ଧହେଲା ଆଉ ଅର୍ଜୁନ ସୁଧନ୍ବାଙ୍କ ଉପରକୁ ବ୍ରହ୍ମଶର ନିକ୍ଷେପ କଲେ ସେତେବେଳେ ସୁଧନ୍ବାଙ୍କ ଆଗରେ ଯାଇ ଠିଆ ହୋଇଗଲେ ଯୁବକ ରୂପୀ ଇନ୍ଦୁମତୀ। ବ୍ରହ୍ମଶର ତାଙ୍କ ଦେହରେ ବାଜିଲା। ସେଇଠି ସୁଧନ୍ବା ଇନ୍ଦୁମତୀଙ୍କର ଅସଲ ସ୍ବରୂପ ଜାଣିଲେ ଆଉ ମରିବା ପୂର୍ବରୁ ଇନ୍ଦୁମତୀଙ୍କୁ ନିଜର ପ୍ରିୟତମା ବୋଲି ସ୍ବୀକାର କଲେ।

ଏହା ଏକ କାଳ୍ପନିକ କାହାଣୀ ହୋଇପାରେ। ମାତ୍ର ବାସ୍ତବ ଜୀବନରେ ବି ଘଟିଛି ଏମିତି ଅନେକ ଘଟଣା, ଯେଉଁଠି ଗୋଟିଏ ନାରୀ ପୁରୁଷ ବେଶ ଧାରଣ କରିଛି। ପୁରୁଷ ପ୍ରାଧାନ୍ୟ ସମାଜକୁ ପରିହାସ କରିଛି। ଆଉ ନିଜର ଲକ୍ଷ୍ୟ ସାଧନ କରିଛି।
ବିଦ୍ରୋହରୁ ବଦଳିଲା ବେଶ : ସଂକ୍ଷେପରେ ଜେମ୍‌ସ ବେରୀ। ମାତ୍ର ସମ୍ପୂର୍ଣ୍ଣ ସାର୍ଟିଫିକେଟ୍‌ ନାମ ଜେମ୍‌ସ ମିରାଣ୍ଡା ଷ୍ଟିଓ୍ବାର୍ଟ ବେରୀ। ବ୍ରିଟିଶ୍‌ ଆର୍ମିର ସେ ଜଣେ ମିଲିଟାରୀ ସର୍ଜନ (ଡାକ୍ତର) ଥିଲେ। ଜେମ୍‌ସ ବେରୀଙ୍କ ଜନ୍ମ ଆୟର୍ଲାଣ୍ଡର କର୍କ। ୟୁନିଭର୍ସିଟି ଅଫ୍‌ ଇଡେନବରାର ମେଡିକାଲ ସ୍କୁଲ୍‌ରୁ ବେରୀ ମେଡ଼ିକାଲ ଡିଗ୍ରୀ ହାସଲ କରିଥିଲେ। ତାଙ୍କର ପ୍ରଥମ ପୋଷ୍ଟିଙ୍ଗ ହୋଇଥିଲା ସାଉଥ୍‌ ଆଫ୍ରିକାର କେପ୍‌ ଟାଉନ୍‌ରେ। ପରେ ପରେ ସେ ବ୍ରିଟିଶ ସାମ୍ରାଜ୍ୟରେ ପ୍ରବେଶକଲେ ଏବଂ ଜଣେ ଇନ୍‌ସପେକ୍ଟର ଜେନେରାଲ ର଼୍ୟାଙ୍କ ଭାବରେ ରିଟାୟାରମେଣ୍ଟ କରିଥିଲେ। ସମଗ୍ର ଜୀବନକାଳ ମଧ୍ୟରେ ଜେମ୍‌ସ ବେରୀ ଥିଲେ ଜଣେ ସଫଳ ପୁରୁଷ। ସଫଳ ମେଡ଼ିକାଲ ଅଫିସର। ଦୃଢ଼ମନା ଏବଂ ପ୍ରତିଶ୍ରୁତିବଦ୍ଧ। ତେବେ ଯଦି ଏକଥା କୁହାଯାଏ ଯେ, ଜେମ୍‌ସ ବେରୀ ବାସ୍ତବରେ ଜଣେ ପୁରୁଷ ନ ଥିଲେ। ସେ ଥିଲେ ଜଣେ ନାରୀ। ହୁଏତ ଏକଥା କାହାରିକୁ ବିଶ୍ୱାସ ହୋଇ ନ ପାରେ। ମାତ୍ର ଏହା ହିଁ ସତ୍ୟ। ସମଗ୍ର ଜୀବନ ପୁରୁଷ ଭାବରେ ଅତିବାହିତ କରିଥିବା ଏହି ବ୍ୟକ୍ତିତ୍ୱ ଜଣକ ଥିଲେ ଜଣେ ନାରୀ। ଆଉ ସେ ନାରୀ ବୋଲି ଜଣାପଡ଼ିବା ବେଳକୁ ତାଙ୍କୁ ଚାକିରିରୁ ଅବସର ମିଳି ସାରିଥିଲା। ପୁରୁଷ ଭାବରେ ସମଗ୍ର ବ୍ରିଟିଶ ସେନା ଯାହାଙ୍କୁ ଜେମ୍‌ସ ବେରୀ ବୋଲି ଜାଣିଥିଲା ବାସ୍ତବରେ ତାଙ୍କର ନାରୀ ନାମ ଥିଲା ମାର୍ଗାରେଟ୍‌ ଆନ୍‌ ବଲ୍‌କଲେ। ନାରୀ ହୋଇ ବି ପୁରୁଷ ବେଶ ଧାରଣ କରି ସମଗ୍ର ଜୀବନକୁ ଜଣେ ପୁରୁଷ ଭାବରେ ଅତିବାହିତ କରିବା ପଛରେ ଥିଲା ଏ ପୁରୁଷ ପ୍ରାଧାନ୍ୟ ସମାଜ ପ୍ରତି ବିଦ୍ରୋହ। ବାସ୍ତବରେ ଖୁବ୍‌ ପିଲାଟି ବେଳୁ ମାର୍ଗାରେଟ୍‌ ଭାବି ନେଇଥିଲେ ଯେ, ସେ ଡାକ୍ତରୀ ପଢ଼ିବେ ଆଉ ଜଣେ ଡାକ୍ତର ହେବେ। ମେଡ଼ିକାଲ ପଢ଼ିବା ତାଙ୍କର ଥିଲା ଗୋଟେ ସୁଦୂରପ୍ରସାରୀ ସ୍ବପ୍ନ। ସେ ଧୀରେ ଧୀରେ ବଡ଼ ହେଲେ। ପୂର୍ଣ୍ଣ ଯୌବନା ନାରୀରେ ରୂପାନ୍ତରିତ ହେଲେ। ଖୁବ୍‌ ଭଲ ପାଠ ମଧ୍ୟ ପଢୁଥିଲେ। ମେଡ଼ିକାଲ କଲେଜରେ ନାମ ଲେଖାଇବା ପାଇଁ ଯେଉଁ ଯୋଗ୍ୟତା ଦରକାର ସେସବୁ ଥିଲା ମାର୍ଗାରେଟ୍‌ଙ୍କ ନିକଟରେ। ହେଲେ ୟୁନିଭର୍ସିଟି ଅଫ୍‌ ଇଡେନବରା ପକ୍ଷରୁ ସ୍ପଷ୍ଟ ମନା କରିଦିଆଗଲା ଯେ, ଝିଅମାନଙ୍କୁ ମେଡ଼ିକାଲ ପଢ଼ିବା ମନା। ଏହା ହେଉଛି ଊନବିଂଶ ଶତାବ୍ଦୀର ଆଦ୍ୟ ସମୟର କଥା, ଯେତେବେଳେ ନାରୀମାନଙ୍କୁ ଘର ଭିତରର ଏକ କୋଣଠେସା ସାମଗ୍ରୀ ବୋଲି ମନେକରା ଯାଉଥିଲା। ମାତ୍ର ମାର୍ଗାରେଟ୍‌ ପ୍ରଥମରୁ ଥିଲେ ଦୃଢ଼ମନା। ସେ ସମାଜର ଏହି ନିୟମକୁ ସ୍ବୀକାର କରିପାରିଲେ ନାହିଁ। ବିଦ୍ରୋହିଣୀ ପାଲଟିଗଲେ। ନିଷ୍ପତ୍ତି ନେଲେ ନିଜକୁ ପୁରୁଷ ବେଶରେ ସଜେଇବେ। ଆଉ ସେହି ୟୁନିଭର୍ସିଟି ଅଫ୍‌ ଇଡେନବରାରେ ମେଡ଼ିକାଲ ପଢ଼ିବେ। ୧୮୦୯ ନଭେମ୍ବରରେ ଜଣେ ପୁଅର ବେଶ ଧାରଣ କରି ମାର୍ଗାରେଟ୍‌ ମେଡ଼ିକାଲ କଲେଜରେ ଭର୍ତ୍ତିହେଲେ। ତାଙ୍କର ନାମ ବଦଳି ଯାଇଥିଲା। ସେ ମାର୍ଗାରେଟ୍‌ରୁ ପାଲଟିଯାଇଥିଲେ ଜେମ୍‌ସ ବେରୀ। ତାଙ୍କ ଦେହର ଗଢ଼ଣ ଖୁବ୍‌ ପତଳା ଥିଲା। ସ୍ବର ସମ୍ପୂର୍ଣ୍ଣ ପୁରୁଷ କିମ୍ବା ସମ୍ପୂର୍ଣ୍ଣ ନାରୀ ଭଳି ଲାଗୁ ନ ଥିଲା। ମୁଣ୍ଡର କପାଳ ବେଶ୍‌ ଚଉଡ଼ାଥିଲା। ସମସ୍ତେ ଭାବିନେଲେ ବୋଧହୁଏ ଜେମସ୍‌ ସିନା ବଡ଼ ହୋଇଯାଇଛି, ହେଲେ ମାଚ୍ୟୋର ହୋଇନି। ସେଥିଲାଗି ତା’ର କଣ୍ଠସ୍ବର ଜଣେ କିଶୋରର କଣ୍ଠ ଭଳି ଲାଗୁଛି। ସଫଳତାର ସହିତ ଜଣେ ପୁରୁଷ ହୋଇ ମେଡ଼ିକାଲ ପଢ଼ା ଶେଷକଲେ ମାର୍ଗାରେଟ୍‌। ଚାକିରିକଲେ। ଦକ୍ଷିଣ ଆଫ୍ରିକାରେ ସେ କେପ ଟାଉନ୍‌ର ଗଭର୍ନର ଲର୍ଡ଼ ଚାର୍ଲସ ସମରସେଟ୍‌ଙ୍କ ପର୍ସନାଲ ସର୍ଜନ ଭାବରେ କାର୍ଯ୍ୟକଲେ। ସେତିକିବେଳେ ସମରସେଟ୍‌ ଜାଣିଲେ ଯେ, ଜେମ୍‌ସ ବସ୍ତବରେ ପୁରୁଷ ନୁହେଁ, ଜଣେ ନାରୀ। ଅବଶ୍ୟ ସେ ତାଙ୍କ ପ୍ରେମରେ ପଡ଼ିଗଲେ। ଆଉ ତାଙ୍କର ପରିଚୟ ଗୁପ୍ତ ରଖିଲେ। ବାହାରେ ପ୍ରଚାର ହୋଇଗଲା ଯେ, ଗଭର୍ନର ସମରସେଟ୍‌ ଜଣେ ସମଲିଙ୍ଗୀ ପୁରୁଷ। କାରଣ ସେ ସର୍ଜନ ଜେମସ ବେରୀ ସହିତ ସମ୍ପର୍କ ରଖିଛନ୍ତି। ସେତେବେଳକୁ ତାଙ୍କର ଚାକିରି କାଳ ସରି ଆସିଥିଲା। ଜେମସ ବେରୀ ଓରଫ ମାର୍ଗାରେଟ୍‌ ସମରସେଟ୍‌ଙ୍କୁ ହୃଦୟର ସହିତ ଭଲ ପାଉଥିଲେ। ତେଣୁ ସେ ତାଙ୍କର ଏକ ସନ୍ତାନକୁ ମଧ୍ୟ ଜନ୍ମଦେଲେ। ତାଙ୍କର ମୃତ୍ୟୁ ପରେ ତାଙ୍କୁ ଜଣେ ମହିଳା ଭାବରେ ସମ୍ମାନ ଦିଆଯାଇଥିଲା।

ଜୀବନର ତାଡ଼ନା : ଏହି ଘଟଣାଟି ଇଜିପ୍ଟର। ମହିଳା ଜଣକ ହେଉଛନ୍ତି ସୀସା ଆବୁ ଦାଓ। ଦୀର୍ଘ ୪୨ବର୍ଷ ଧରି ସେ ପୁରୁଷ ଭାବରେ ଜୀବନ ବିତାଇଛନ୍ତି। କାହାରିକୁ ଜାଣିବା ପାଇଁ ଦେଇ ନାହାନ୍ତି ଯେ, ସେ ହେଉଛନ୍ତି ଜଣେ ଅସହାୟା ମହିଳା। ତାଙ୍କର ସ୍ବାମୀ ମରିଯାଇଛନ୍ତି। ତାଙ୍କୁ ତାଙ୍କର ଝିଅଟିକୁ ମଣିଷ କରିବା ପାଇଁ ଅଛି। ସେ ଅତି ଯତ୍ନର ସହିତ ପୁରୁଷ ସାଜିଛନ୍ତି। ଆଉ ସମସ୍ତ ପ୍ରକାର ପୁରୁଷ କାର୍ଯ୍ୟ କରି ଝିଅକୁ ମଣିଷ କରିଛନ୍ତି। ତାକୁ ବାହା ଦେଇଛନ୍ତି। ସୀସା ଆବୁ ଦାଓଙ୍କର ଏକ ହସଖୁସିର ପରିବାର ଥିଲା। ସ୍ବାମୀ, ଝିଅ ହୌଦାକୁ ନେଇ ତାଙ୍କର ସଂସାର। ଅକାଳରେ ସ୍ବାମୀଙ୍କର ଦେହାନ୍ତ ଘଟିଲା। ଝିଅକୁ ମାତ୍ର ଚାରିବର୍ଷ। ମୁଣ୍ଡ ଉପରେ ଆକାଶ ଯେମିତି ଭାଙ୍ଗି ପଡ଼ିଲା। କେମିତି ନିଜେ ବଞ୍ଚତ୍ବେ। କେମିତି ଝିଅକୁ ବଞ୍ଚେଇବେ। କିଛିଦିନ ସେମିତିରେ କଟିଲା। ପଦାକୁ ଗୋଡ଼ କାଢ଼ିଲେ ସୀସା। ଉଦ୍ଦେଶ୍ୟ କାମ କରି ନିଜର ପେଟ ପୋଷିବେ। ଆଉ ଝିଅଟିକୁ ମଣିଷ କରିବେ। ମାତ୍ର ଆମର ସମାଜ ଅତି ବିଚିତ୍ର। ଅସହାୟା ମହିଳାଟିଏକୁ କିଏ ବା କାହିଁକି ସାହା ହୁଅନ୍ତା। ତାଙ୍କୁ କୌଣସି ସ୍ଥାନରେ କାମ ମିଳିଲା ନାହିଁ। ସେ କହିଲେ ସେ ସବୁ କାମ ପାରିବେ। ଯାହା ବି କାମ ମିଳୁ କରିବେ। ମାତ୍ର ତଥାପି ନିରାଶ ହେଲେ। ସେତିକିନୁହେଁ, ଯିଏ ବି ତାଙ୍କୁ କାମରେ ରଖିବାକୁ କହିଲେ ସେମାନେ ଚାହିଁଲେ ସ୍ବାର୍ଥ। ସୀସାଙ୍କର ଦେହ। ସୀସା ବୁଝିଗଲେ ଏ ସମାଜରେ ସେ ଜଣେ ନାରୀ ହୋଇ ବଞ୍ଚତ୍ପାରିବେ ନାହିଁ। ନାରୀ ହୋଇ ବଞ୍ଚତ୍ଲେ ନା ନିଜକୁ ବଞ୍ଚେଇ ପାରିବେ ନା ଝିଅକୁ ବଞ୍ଚେଇପାରିବେ। ତେଣୁ ନିଷ୍ପତ୍ତି ନେଲେ ଛଦ୍ମବେଶ ଧାରଣ କରିବେ। ପୁରୁଷ ପାଲଟିଯିବେ। ଫଳରେ ପୁରୁଷମାନଙ୍କର ଆଉ ପାପନଜର ତାଙ୍କ ଉପରେ ପଡ଼ିବନି। ପୁଣି ପୁରୁଷ କରୁଥିବା କାମ ସବୁକୁ ବି ସେ ସହଜରେ ପାଇଯାଇ ପାରିବେ। ବାସ୍‌, ସେଇଆ କଲେ। ନିଜର ଦେହରୁ ନାରୀର ଆବରଣ ଖୋଲିଦେଇ ପୁରୁଷ ପୋଷାକ ପିନ୍ଧିନେଲେ। ରାସ୍ତାକଡ଼ରେ ବସି ଜୋତା ସଫାକଲେ। ମାଟି ହାଣିଲେ। ପଥର କାଟିଲେ। ରିକ୍‌ସା ଚଳେଇଲେ। ଜୀବନ ବେଶ୍‌ ସହଜ ହେଇଗଲା। ସୀସା ଏସବୁରୁ ଗୋଟିଏ କଥା ବୁଝିନେଲେ ଯେ, ଜୀବନ ବଞ୍ଚତ୍ବାକୁ ହେଲେ କିଛି ନା କିଛି କରିବାକୁ ପଡ଼ିବ। ତାହା ନିଜ ସହିତ ହେଉ କି ଅନ୍ୟ ସହିତ। ସୀସା ଝିଅ ହୌଦାକୁ ପାଠ ପଢ଼େଇଲେ। ଏମିତି ଅନେକ ପରିସ୍ଥିତି ଆସିଛି ଯେତେବେଳେ ପୁରୁଷଟିଏ ହୋଇ ରହିବା ତାଙ୍କ ପକ୍ଷରେ ସହଜ ହୋଇନାହିଁ। ତଥାପି ସେ ନିଜକୁ ବୁଝେଇ ନେଇଛନ୍ତି। ଝିଅ ହୌଦାକୁ ଖାଲି ପାଠ ପଢ଼େଇଲେ ନାହିଁ। ତା’ର ବାହାଘର ମଧ୍ୟ କଲେ। ତେବେ ସେତିକିରେ ତାଙ୍କ ଦୁଃଖ ସରିଗଲା ନାହିଁ। ଭାବିଥିଲେ ଝିଅ ବାହା ଦେଇଦେଲେ ତାଙ୍କ ଅଭିନୟ ସରିଯିବ। ମାତ୍ର ନା। ଜ୍ୱାଇଁ ରୋଗରେ ପଡ଼ିଲେ। ଏବେ ବି ନିଜ ଝିଅ ଜ୍ୱାଇଁଙ୍କୁ ରୋଜଗାର କରି ପୋଷୁଛନ୍ତି ସୀସା। ତେବେ ସେ ଯେ ଜଣେ ମହିଳା। ଆଉ ଦୀର୍ଘ ୪୨ବର୍ଷ ଧରି ସେ ପୁରୁଷ ହେଇ ଜୀବନ ବଞ୍ଚୁଥିଲେ ଏକଥା ଆଉ ଗୋପନୀୟ ହୋଇ ରହିନାହିଁ। ଏକଥା ଜାଣିବା ପରେ ସୀସା ଜଣେ ସାଧାରଣ ନାରୀ, ଜଣେ ମହାନ୍‌ ମା’ ପାଲଟି ଯାଇଛନ୍ତି। ସ୍ଥାନୀୟ ସରକାର ତାଙ୍କୁ ଜଣେ ‘ଆଦର୍ଶ ମା’ ଭାବରେ ସମ୍ମାନ ଜଣେଇବା ସହିତ ତାଙ୍କୁ ଗୁଜୁରାଣର ବ୍ୟବସ୍ଥା ଯୋଗେଇ ଦେଇଛନ୍ତି।

ଦେଶ ପାଇଁ ସେବା : ଦେଶ ପାଇଁ ସେବା କରିବାର ଅଧିକାର କ’ଣ କେବଳ ପୁରୁଷର ଅଛି; ନାରୀର ନାହିଁ? ଏମିତି ଏକ ପ୍ରଶ୍ନ ଉଙ୍କି ମାରିଥିଲା ଫ୍ରାନ୍‌ସିସ୍‌ କ୍ଲାଲିନ୍‌ଙ୍କ ମନରେ। ଆଉ ଏହି ପ୍ରଶ୍ନ ହିଁ ତାଙ୍କୁ ସଜେଇ ଦେଇଥିଲା ବିଦ୍ରୋହିଣୀ। ସେତେବେଳେ ଆମେରିକାରେ ଭୟଙ୍କର ଗୃହଯୁଦ୍ଧ ଚାଲିଥାଏ। ଇଲିନଏସ୍‌ରେ ଜନ୍ମିତ କ୍ଲାଲିନ୍‌ଙ୍କ ସ୍ବାମୀ ଏଲମ୍‌ର କ୍ଲାଏଟନ୍‌ ମଧ୍ୟ ଜଣେ ଯୋଦ୍ଧା। ସେ ଓହିଓର ନାଗରିକ। ପିଲାଟି ବେଳୁ ସମରଶିକ୍ଷାର ପାରଙ୍ଗମ ଥିଣେ କ୍ଲାଲିନ୍‌। ତାଙ୍କ ପିତା ବି ଥିଲେ ଜଣେ ଯୋଦ୍ଧା। ତେଣୁ ସେ ପିତାଙ୍କଠାରୁ ଅନେକ ଯୁଦ୍ଧର ଅନୁଭୂତି ଓ ଅଭିଜ୍ଞତା ହାସଲ କରି ସାରିଥାନ୍ତି। ତାଙ୍କର ଇଚ୍ଛାଥାଏ ସେ କୌଣସି ନା କୌଣସି ପ୍ରତ୍ୟକ୍ଷ ଯୁଦ୍ଧରେ ଭାଗନେବେ। ଏଲମର୍‌ କ୍ଲାଏଟନ୍‌ଙ୍କୁ ବିବାହ କରିବା ପରେ ତାଙ୍କ ଭିତରର ସେହି ଇଚ୍ଛାଟି ପ୍ରଚଣ୍ଡ ଭାବରେ ବଳବତ୍ତର ହୋଇ ଉଠିଲା। ସେ ସ୍ବାମୀଙ୍କୁ ନିଜର ମନକଥା କହିଲେ। ହେଲେ ସେତେବେଳେ ନାରୀମାନଙ୍କୁ ଯୁଦ୍ଧକ୍ଷେତ୍ର ମନାଥିଲା। ତେଣୁ କ୍ଲାଏଟନ୍‌ଙ୍କର କିଛି କରିବାର ନ ଥିଲା। ବିବାହର କିଛିଦିନ ବିତିଲା। ସେ ତିନୋଟି ସନ୍ତାନର ମା’ ମଧ୍ୟ ହେଲେ। ତା’ ସତ୍ତ୍ୱେ ଦେଶ ପାଇଁ ଲଢ଼େଇ କରିବାର ମାନସିକତା କ୍ଲାଲିନ୍‌ଙ୍କ ମନରୁ ଲିଭି ନ ଥିଲା। ଓଲଟି ଅଧିକରୁ ଅଧିକ ବଳବତ୍ତର ହେଉଥିଲା। ସେତିକିବେଳେ ଲାଗିଲା ଗୃହଯୁଦ୍ଧ। ଗୃହଯୁଦ୍ଧର ଅନେକ କାରଣ ମଧ୍ୟରୁ ଗୋଟିଏ କାରଣ ଥିଲା କଳାଗୋରା ଭେଦଭାବ ବା ବର୍ଣ୍ଣବୈଷମ୍ୟ। ଗୋଟିଏ ପଟରେ ନଦର୍ନ ୟୁନାଇଟେଡ଼ ଷ୍ଟେଟସ୍‌ ଏବଂ ଅନ୍ୟ ପଟରେ ସଦର୍ନ ୟୁନାଇଟେଡ଼ ଷ୍ଟେଟସ୍‌। ୧୮୬୧ ମସିହାରେ ଆରମ୍ଭ ହେଲା ଯୁଦ୍ଧ। କ୍ଲାଲିନ୍‌ଙ୍କ ସ୍ବାମୀ କ୍ଲାଏଟନ୍‌ ଥାଆନ୍ତି ୟୁନିୟନ୍‌ ଆର୍ମିରେ ଅର୍ଥାତ୍‌ ନଦର୍ନ ୟୁନାଇଟେଡ଼ ଷ୍ଟେଟସ୍‌ ସପକ୍ଷରେ। ଗୃହଯୁଦ୍ଧ ପାଇଁ ବହୁ ସୈନ୍ୟଙ୍କର ଆବଶ୍ୟକତା ଥିଲା। ପାରଙ୍ଗମ ଲୋକଙ୍କୁ ବିନା ପରୀକ୍ଷା ନିରୀକ୍ଷାରେ ଯୁଦ୍ଧରେ ସାମିଲ କରାଯାଉଥିଲା। କ୍ଲାଲିନ୍‌ ଭାବିଲେ ନିଜ ମନର ଓରିମାନାକୁ ମେଣ୍ଟାଇବାର ଏହା ହିଁ ହେଉଛି ପ୍ରକୃଷ୍ଟ ସମୟ। ସେତିକିନୁହେଁ, ସେ ଏହି ଅବସରରେ ଦେଶ ପାଇଁ ସେବା ମଧ୍ୟ କରିପାରିବେ। ଭାବିଲେ, ସେ ଜଣେ ମହିଳା ହୋଇଥିବାରୁ କେବେ ବି ତାଙ୍କୁ ଯୁଦ୍ଧରେ ସାମିଲ କରାଯିବନି କିମ୍ବା ଯୁଦ୍ଧକ୍ଷେତ୍ରକୁ ଯିବା ଲାଗି ଅନୁମତି ଦିଆଯିବନି। ସେଥିଲାଗି ସେ ନିଜର ସୁନେଲି ରଙ୍ଗର କେଶକୁ କାଟିଦେଲେ। ନିଜକୁ ପୁରୁଷ ବେଶରେ ସଜେଇଲେ। ଆଉ ନିଜର ନାମକୁ ବଦଳେଇ ନଁା ରଖିଲେ ଜ୍ୟାକ୍‌ ଓ୍ବିଲିଅମ୍‌ସ। ଏସବୁ ଯେ ସେ ତାଙ୍କ ସ୍ବାମୀ କ୍ଲାଏଟନ୍‌ଙ୍କ ଅଗୋଚରରେ କରୁଥିଲେ ସେକଥା ନୁହେଁ। କ୍ଲାଏଟନ୍‌ ସବୁକିଛି ଜାଣୁଥିଲେ। ଆଉ ସେ ମଧ୍ୟ ଚାହୁଁଥିଲେ ଯେ, ତାଙ୍କ ସ୍ତ୍ରୀ ଯୁଦ୍ଧକ୍ଷେତ୍ରକୁ ଯାଉ ଆଉ ଯୁଦ୍ଧ କରି ନିଜ ଭିତରେ ଥିବା ଇଚ୍ଛା ପୂରଣ କରୁ। ବାସ୍‌, କ୍ଲାଲିନ୍‌ ଜ୍ୟାକ୍‌ ଓ୍ବିଲିଅମ୍‌ସ ସାଜି ୟୁନିୟନ ଆର୍ମିରେ ଯୋଗଦେଲେ। ତମାମ ଯୁଦ୍ଧରେ ସ୍ବାମୀସ୍ତ୍ରୀ ପାଖାପାଖି ରହି ପାଦରେ ପାଦ ମିଳେଇ ଯୁଦ୍ଧ କରୁଥିଲେ। ତାହା ଯେମିତି ଯୁଦ୍ଧ ନ ଥିଲା। ତାହା ଥିଲା କ୍ଲାଲିନ୍‌ ଓରଫ ଜ୍ୟାକ୍‌ ଓ୍ବିଲିଅମ୍‌ସଙ୍କ ପାଇଁ ଖେଳ ପଡ଼ିଆ। କାରଣ ତାଙ୍କ ସ୍ବାମୀ ଥିଲେ ତାଙ୍କ ପାଖରେ। ମଜାର ବିଷୟ କାଳେ ତାଙ୍କୁ କେହି ମହିଳା ବୋଲି ଜାଣିନବ ସେଥିଲାଗି ସେ ମୁଖ୍ୟତଃ ପୁରୁଷମାନେ ଯେଉଁ ଅସ୍ତ୍ର ବ୍ୟବହାର କରୁଥିଲେ ତାହାକୁ ଧରି ଯୁଦ୍ଧ କରୁଥିଲେ। ସେତିକିନୁହେଁ, ନିଜର ନାରୀ ଗୁଣକୁ ଲୁଚେଇବା ପାଇଁ ସେ ଡ୍ରିଙ୍କସ କରୁଥିଲେ, ସ୍ମୋକ୍‌ କରୁଥିଲେ। ପୁରୁଷଙ୍କ ଭଳି ନାରୀମାନଙ୍କୁ ଟିଜ୍‌ କରୁଥିଲେ ଇତ୍ୟାଦି ଇତ୍ୟାଦି। ୧୮୬୨ ମସିହା ଡିସେମ୍ବର ୩୧ ତାରିଖରେ ଆରମ୍ଭ ହେଲା ଭୟାବହ ‘ବ୍ୟାଟଲ ଅଫ୍‌ ଷ୍ଟୋନ୍ସ ରିଭର’। କୁହାଯାଏ ଗୃହଯୁଦ୍ଧ ଅବସରରେ ଯେତେ ଯୁଦ୍ଧ ହୋଇଥିଲା ସବୁଠାରୁ ଭୟଙ୍କର ଥିଲା ‘ବ୍ୟାଟଲ ଅଫ୍‌ ଷ୍ଟୋନ୍ସ ରିଭର’। ସ୍ବାମୀଙ୍କ ସହ ଯୁଦ୍ଧ କରୁଥାନ୍ତି କ୍ଲାଲିନ୍‌। ସେମାନଙ୍କ ମଧ୍ୟରେ ଅଳ୍ପ କିଛି ଦୂରତ୍ୱର ବ୍ୟବଧାନ ଥାଏ। ହଠାତ୍‌ ବିପକ୍ଷ ଦଳର ଗୋଟିଏ ଅସ୍ତ୍ର ଆସି ଭୁସି ହେଇଗଲା ସ୍ବାମୀ କ୍ଲାଏଟନ୍‌ଙ୍କ ଛାତିରେ। କ୍ଲାଲିନ୍‌ଙ୍କ ଆଖି ଆଗରେ ଘଟିଗଲା ଏହି ଘଟଣା। ଅନ୍ୟକୌଣସି ସମୟ ହୋଇଥିଲେ ସେ ସ୍ବାମୀଙ୍କ ପାଖକୁ ହୁଏତ ଧାଇଁ ଯାଇଥାନ୍ତେ। ତାଙ୍କୁ କୋଳରେ ତୋଳି ଧରିଥାନ୍ତେ। ମାତ୍ର ତାହା ଥିଲା ଯୁଦ୍ଧ କ୍ଷେତ୍ର। ଆଉ ସମସ୍ତଙ୍କ ଦୃଷ୍ଟିରେ ସେ ଥିଲେ ଜଣେ ଯୋଦ୍ଧା। ତେଣୁ ଯୁଦ୍ଧ ବନ୍ଦ ରଖିବାର ପ୍ରଶ୍ନ ଉଠୁ ନ ଥିଲା। ସେ ଦେଖୁଥିଲେ ତାଙ୍କ ସ୍ବାମୀ କଟା ଗଛ ଭଳି ତଳେ ଗଡ଼ି ପଡୁଛନ୍ତି। ଛଟପଟ ହେଇ ତାଙ୍କ ଜୀବନ ଯାଉଛି। ସେ କିନ୍ତୁ ଅଟକି ଗଲେନି। ସ୍ବାମୀ ଶବକୁ ଡେଇଁ ଶତ୍ରୁ ସୈନ୍ୟଙ୍କୁ ଆକ୍ରମଣ କଲେ। କୁହାଯାଏ ସ୍ବାମୀଙ୍କ ମୃତ୍ୟୁ ନିଜ ଆଖିରେ ଦେଖି ଆଉ ବେଶି ସମୟ ଛଦ୍ମ ଆବରଣ ଭିତରେ ରହିପାରି ନ ଥିଲେ କ୍ଲାଲିନ୍‌। ତାଙ୍କ ଭିତରୁ ଯୁଦ୍ଧ କରିବାର ଉତ୍ସାହ ବି ମରିଯାଇଥିଲା। ସେ ଛଦ୍ମବେଶ ଫିଙ୍ଗି ଦେଇଥିଲେ। ଆଉ ତାଙ୍କୁ ନାରୀ ବୋଲି ଜାଣିବା ପରେ ଯୁଦ୍ଧ କ୍ଷେତ୍ରରୁ ବିତାଡ଼ିତ କରାଯାଇଥିଲା।
ନାରୀ ଜୁଡୁକା : ଦିନ ଥିଲା ଯେତେବେଳେ ପ୍ରତି କ୍ଷେତ୍ରରେ ନାରୀମାନଙ୍କ ଉପରେ ପ୍ରତିବନ୍ଧକ ଲଗା ଯାଇଥିଲା। ସମଗ୍ର ବିଶ୍ୱ ରହିଥିଲା ପୁରୁଷମାନଙ୍କ ହାତରେ। ଅଧିକାଂଶ ନାରୀ ଏହି ବିଶ୍ୱର ଏହି ପୁରୁଷ କୈନ୍ଦ୍ରିକତାକୁ ବରଦାସ୍ତ କରି ଯାଉଥିଲେ। ମୁଣ୍ଡ ପୋତି ସହି ଯାଉଥିଲେ। ମାତ୍ର ସେମାନଙ୍କ ମଧ୍ୟରେ ଅଳ୍ପକିଛି ନାରୀ ଜନ୍ମ ହୋଇଥିଲେ ଯେଉଁମାନେ ପୁରୁଷ ପ୍ରାଧାନ୍ୟକୁ ସହଜରେ ଗ୍ରହଣ କରୁ ନ ଥିଲେ। ସେମିତି ଜଣେ ମହିଳା ହେଉଛନ୍ତି ରେନା କାନୋକୋଗୀ। ରେନାଙ୍କ ଜନ୍ମ ନ୍ୟୁୟର୍କର ବ୍ରୁକ୍‌ଲିନ୍‌ରେ। ତାଙ୍କର ପିଲାବେଳ ଭାରି ଦୟନୀୟ ଅବସ୍ଥାରେ କଟିଥିଲା। ପରିବାର ଚଳେଇବା ପାଇଁ ତାଙ୍କର ମା’ ରାସ୍ତାକଡ଼ରେ ବସି ଖାଇବା ବିକ୍ରି କରୁଥିଲେ। ମାତ୍ର ସାତ ବର୍ଷ ବୟସରେ ରେନା ପରଘରେ ପାଇଟି କରୁଥିଲେ। ତାଙ୍କ ଭାଇ ଭାରି ଜିନିଷ ଉଠେଇବା (ଓ୍ବେଟ ଲିଫ୍ଟିଙ୍ଗ) ଅଭ୍ୟାସ କରୁଥିଲେ। ରେନା ମଧ୍ୟ ମଝିରେ ମଝିରେ ଯାଇ ସେଠାରେ ଅଭ୍ୟାସ କରୁଥିଲେ। ଇତିମଧ୍ୟରେ ତାଙ୍କର ବାହାଘର ହୋଇଗଲା ଓ ସେ ଗୋଟିଏ ପୁଅ ପିଲାର ମା’ ମଧ୍ୟ ହେଲେ। ତାଙ୍କର ଜଣେ ପୁରୁଷ ବନ୍ଧୁ ତାଙ୍କୁ ଥରେ ଜୁଡୁ ବିଷୟରେ କହିଲା ଓ କିଛି କୌଶଳ ମଧ୍ୟ ଶିଖେଇ ଦେଲା। କାରଣ ତାଙ୍କ ପୁରୁଷ ବନ୍ଧୁଙ୍କର ଧାରଣା ହୋଇଥିଲା ଯେ, ରେନାଙ୍କର ଶାରୀରିକ ଗଠନ ପୁରୁଷଙ୍କ ଶାରୀରିକ ଗଠନଠାରୁ କିଛି କମ୍‌ ନୁହେଁ। ତେଣୁ ସେ ମଧ୍ୟ ଭଲ ଜୁଡୁକା ହୋଇପାରିବେ। ରେନାଙ୍କୁ ଜୁଡୁ ଖେଳଟି ବେଶ୍‌ ଭଲ ଲାଗିଲା। ଆଉ ସେ ଖୁବ୍‌ କମ୍‌ ଦିନ ଭିତରେ ବହୁତ କଥା ଜାଣିଗଲେ। ଏଥର ତାଙ୍କର ଇଚ୍ଛା ହେଲା ସେ ଜୁଡୁ ପ୍ରତିଯୋଗିତାରେ ଭାଗନେବେ। ମାତ୍ର ତାହା ସମ୍ଭବ ନ ଥିଲା। ସେତେବେଳକୁ ଜୁଡୁ ଏକ ପୁରୁଷମାନଙ୍କର ଖେଳ। ତେଣୁ ରେନାଙ୍କୁ ସବୁ ଆଡୁ ନିରାଶ ହେବା ପାଇଁ ପଡ଼ିଲା। ବାସ୍ତବରେ ସେତେବେଳେ ବିଭିନ୍ନ ସ୍ଥାନରେ ୟୁଥ୍‌ ଅର୍ଗାନାଇଜେଶନ୍‌ ବା ଯୁବ ସଂଗଠନଗୁଡ଼ିକ ପକ୍ଷରୁ ଜୁଡୁ ପ୍ରତିଯୋଗିତା ଅନୁଷ୍ଠିତ ହେଉଥିଲା। ୧୯୫୯ରେ ନ୍ୟୁୟର୍କର ୟୁଟିକାଠାରେ ଏକ ଜୁଡୁ କମ୍ପିଟିସନ୍‌ ଆୟୋଜିତ ହୋଇଥାଏ। ଯେଉଁ କ୍ଲବରେ ରେନା ଜୁଡୁ ଅଭ୍ୟାସ କରୁଥାନ୍ତି ସେହି କ୍ଲବ୍‌ ମଧ୍ୟ ସେଠାକୁ ଯାଇଥାଏ। ମାତ୍ର ସେ ଜଣେ ମହିଳା ହୋଇଥିବାରୁ ତାଙ୍କୁ ସେଥିରେ ଅଂଶଗ୍ରହଣ କରିବାର ଅନୁମତି ନ ଥାଏ। ସେ କେବଳ ଦେଖଣାହାରୀ ହୋଇ ସେଠାକୁ ଯାଇଥାନ୍ତି। ତେବେ ସେତେବେଳକୁ ସେ ପୁରୁଷ ବେଶରେ ନିଜକୁ ସଜେଇ ସାରିଥାନ୍ତି। ତାଙ୍କର ଉଦ୍ଦେଶ୍ୟ ଥାଏ ଛଳନାରେ ହେଉ ପଛକେ ସେ ଜୁଡୁରେ ଭାଗନେବେ। ଜୁଡୁକା ବନିବେ। ଯୋଗକୁ ତାଙ୍କ ଦଳର ଜଣେ ପୁରୁଷ ପ୍ରତିଯୋଗୀ ଗୁରୁତର ଭାବେ ଆହତ ହୋଇ ପଡ଼ିଲେ। ତାଙ୍କରି ସ୍ଥାନରେ ପଡ଼ିଆକୁ ଓହ୍ଲେଇଲେ ରେନା। ଆଉ ପ୍ରତିଯୋଗିତା ଜିତି ମେଡାଲ ହାସଲ କଲେ। ତେବେ ସୌଭାଗ୍ୟ ସହିତ ଦୁର୍ଭାଗ୍ୟ ମଧ୍ୟ ପିଛା କରୁଥାଏ। ସେଠାରେ ତାଙ୍କୁ କେତେଜଣ ଚିହ୍ନି ନେଲେ ଯେ, ସେ ଜଣେ ମହିଳା। ଆୟୋଜକ ତାଙ୍କୁ ସେହି ବିଷୟରେ କୈଫିୟତ ମାଗିଲେ ତ ଆଉ ମନା କରିପାରିଲେନି ରେନା। ସେ ମହିଳା ହୋଇ ଛଳନା କରି ପ୍ରତିଯୋଗିତା ଜିତିଥିବା କାରଣରୁ ତାଙ୍କଠୁ ତାଙ୍କର ମେଡ଼ାଲ ଛଡ଼େଇ ନିଆଗଲା। ତାହାଥିଲା ରେନାଙ୍କ ଜୀବନରେ ସବୁଠାରୁ ଦୁର୍ଭାଗ୍ୟଜନକ ଅଧ୍ୟାୟ। ଅବଶ୍ୟ ୧୯୮୮ରେ ଅଲିମ୍ପିକ୍‌ରେ ମହିଳା ଜୁଡୁକୁ ସାମିଲ କରାଗଲା। ଆଉ ରେନା ଆମେରିକା ଜୁଡୁ ଦଳର କୋଚ ଭାବରେ କାର୍ଯ୍ୟ କରି ସଫଳତା ପାଇବା ସହିତ ନିଜ ଭିତରେ ଜୁଡୁକା ହେବାର ଯେଉଁ ଇଚ୍ଛା ଥିଲା ତାହା ପୂରଣ କରିଥିଲେ।

ସାଇନ୍ସ ଫିକ୍‌ସନିଷ୍ଟ : ସାଇନ୍ସ ଫିକ୍‌ସନ୍‌ରେ ରୁଚି ରଖୁଥିବା ପାଠକମାନଙ୍କ ପାଇଁ ଜେମ୍ସ ତିପ୍‌ତ୍ରୀ ଆଦୌ ଏକ ଅଜଣା ନାମ ନୁହଁ। ତାଙ୍କ ରଚିତ ପୁସ୍ତକଗୁଡ଼ିକ ମଧ୍ୟରେ ରହିଛି ‘ଟେନ୍‌ ଥାଉଜେଣ୍ଡ ଲାଇଟ ଇୟର୍ସ ଫ୍ରମ୍‌ ହୋମ୍‌’, ‘ଓ୍ବାର୍ମ ଓ୍ବାର୍ଲଡ୍‌ସ ଆଣ୍ଡ ଅଦରଓ୍ବାଇଜ୍‌’, ‘ଷ୍ଟାର ସଙ୍ଗସ୍‌ ଅଫ୍‌ ଏନ ଓଲ୍ଡ ପ୍ରାଇମେଟ୍‌’, ‘ଆଉଟ୍‌ ଅଫ୍‌ ଏଭ୍ରିହ୍ବେର’, ‘ବାଇଟ୍‌ ବିୟୁଟିଫୁଲ’, ‘ଦ ଷ୍ଟାରି ରିଫ୍ଟ’, ଟେଲସ ଅଫ୍‌ ଦି କ୍ୱିଣ୍ଟାନା ରୋ’, ‘କ୍ରାଉନ୍‌ ଅଫ୍‌ ଷ୍ଟାର୍ସ’, ‘ହର ସ୍ମୋକ୍‌ ରୋଜ୍‌ ଅଫ୍‌ ଫରଏଭର’ ଏବଂ ଆହୁରି ଅନେକ। ଆମେରିକାର ଏହି ଲେଖକଙ୍କ ବହିକୁ ଅନେକଥର ବେଷ୍ଟ ସେଲର ଆଖ୍ୟା ମିଳିଛି। ତାଙ୍କର ବହି ବହୁଭାଷାରେ ଅନୂଦିତ ହୋଇ ପ୍ରଶଂସିତ ହୋଇଛି। ତେବେ ଅନେକ ଏକଥା ଜାଣନ୍ତିନାହିଁ ଯେ, ସେ ଜଣେ ଲେଖକ ନୁହନ୍ତି। ସେ ହେଉଛନ୍ତି ଲେଖିକା। ତାଙ୍କର ପ୍ରକୃତ ନାମ ଆଲାଇସ୍‌ ବ୍ରେଡ୍‌ଲେ। ସାଇକୋଲୋଜିରେ ଡକ୍ଟରେଟ୍‌ କରିଥିବା ଏହି ଲେଖିକା ଅବଶ୍ୟ ନିଜର ବେଶ ବଦଳେଇ ମହିଳାରୁ ପୁରୁଷ ହୋଇ ନାହାନ୍ତି। ମାତ୍ର ବହୁବର୍ଷ ପର୍ଯ୍ୟନ୍ତ ଜଣେ ନାରୀ ହୋଇ ସୁଦ୍ଧା ପୁରୁଷ ନାମରେ ନିଜକୁ ଗୋପନ ରଖି ପାରିଛନ୍ତି। ସଫଳତା ପରେ ସଫଳତା ମିଳିଛି। ଗଣମାଧ୍ୟମ ତାଙ୍କର ଇଣ୍ଟରଭିୟୁ ପାଇଁ ତାଙ୍କୁ ଖୋଜିଛନ୍ତି। ପ୍ରକାଶକମାନେ ମଧ୍ୟ ତାଙ୍କର ସାକ୍ଷାତ ପାଇଁ ସମୟ ନିର୍ଘଣ୍ଟ କରିଛନ୍ତି। ମାତ୍ର ଅଜ୍ଞାତବାସରେ ରହିଛନ୍ତି ସେ। ସେ ଜାଣିଥିଲେ ଯେଉଁଦିନ ଲୋକମାନେ ଜାଣିଯିବେ ସେ ଜଣେ ନାରୀ। ଆଉ ନାରୀ ହୋଇ ସେ ସାଇନ୍ସ ଫିକ୍ସନ୍‌ ଲେଖୁଛନ୍ତି ସେହିଦିନ ତାଙ୍କର ସଫଳତା ତଳକୁ ଖସି ଆସିବ। କାରଣ ନାରୀମାନେ ଯେ ସାଇନ୍ସ ଫିକ୍ସନ୍‌ ଲେଖିପାରିବେ ତାହା ସେତେବେଳେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଥିଲା। ଏମିତି କି ବିକ୍ରି ନ ହେବା ଭୟରେ ପ୍ରକାଶକମାନେ ମଧ୍ୟ ନାରୀ ଲେଖିକାଙ୍କ ସାଇନ୍ସ ଫିକ୍ସନ୍‌କୁ ପ୍ରକାଶିତ କରୁ ନ ଥିଲେ। ସେଥିଲାଗି ସେ ଜେମ୍ସ ତିପ୍‌ତ୍ରୀ ବୋଲି ଏକ ଛଦ୍ମନାମ ଧାରଣ କରିଥିଲେ। ସବୁଠୁ ମଜାର କଥା ହେଉଛି ସେ ଜୀବନରେ ମାତ୍ର ଗୋଟିଏ ଇଣ୍ଟରଭିୟୁ ଦେଇଥିଲେ। ତାହା ପୁଣି ପୋଷ୍ଟାଲ ଚିଠିପତ୍ର ମାଧ୍ୟମରେ। ଯେତେବେଳେ ସେ ସଫଳତାର ଶୀର୍ଷରେ ପହଞ୍ଚତ୍ଲେ ସେତେବେଳେ ସେ ନିଜେ ହିଁ ଆତ୍ମପ୍ରକାଶ କଲେ ଆଉ ଘୋଷଣା କଲେ ଯେ, ଜେମ୍ସ ତିପ୍‌ତ୍ରୀ ନାମରେ କେହି ଜଣେ ନାହିଁ। ସେ ହେଉଛନ୍ତି ଆଲାଇସ୍‌ ବ୍ରେଡ୍‌ଲେ। ଯେଉଁଦିନ ସେ ଏହା ଘୋଷଣା କଲେ ସେଦିନ ସାଇନ୍ସ ଫିକ୍ସନ୍‌ ରାଇଟର୍ସ କମ୍ୟୁନିଟିରେ ହଇଚଇ ସୃଷ୍ଟି ହୋଇ ଯାଇଥିଲା। ଅବଶ୍ୟ ଏହା ପରେ ପାଠକମାନେ କିମ୍ବା ପ୍ରକାଶକମାନେ ତାକୁ ପ୍ରତ୍ୟାଖ୍ୟାନ ନ କରି ସାଦରେ ସ୍ବାଗତ କରିଥିଲେ। ପୁରୁଷ ପ୍ରାଧାନ୍ୟ ସମାଜ ବିରୋଧରେ ଆଲାଇସ୍‌ଙ୍କ ଏହି ଉଦ୍ୟମକୁ ଏକ ବଡ଼ ବିଦ୍ରୋହ ବୋଲି ବିବେଚନା କରାଯାଇଥାଏ।
ଜାଜ୍‌ ପାଇଁ ଛଦ୍ମବେଶ : ବିଲ୍‌ ଟିପ୍‌ଟନ୍‌! ଜାଜ୍‌ ଜଗତରେ ଜଣେ ଅପ୍ରତିଦ୍ୱନ୍ଦ୍ୱୀ ପୁରୁଷ। ସେ ଏଭଳି ଭାବରେ ପିଆନୋ ବଜାନ୍ତି ଯେ ତାଙ୍କୁ ଜଣେ ଗିଫ୍‌ଟେଡ଼ ପିଆନିଷ୍ଟ ବୋଲି କୁହାଯାଏ। ସେହିଭଳି ସେ ସାକ୍ସଫୋନ୍‌ ଧରିଲେ ଆଉ କେହି ତାଙ୍କ ପାଖ ମାଡ଼ି ପାରନ୍ତିନାହିଁ। ତାଙ୍କର ଅଗଣିତ ଫ୍ୟାନ୍‌। ୧୯୫୦ ଦଶକରେ ତାଙ୍କର ଖ୍ୟାତି ସର୍ବୋଚ୍ଚ ଶିଖରରେ ରହିଥିଲା। ତାଙ୍କ ପାଖ ପଡ଼ୋଶୀ ତଥା ବନ୍ଧୁ ବାନ୍ଧବଙ୍କ ପାଇଁ ସେ ଜଣେ ଖୁବ୍‌ ଭଲ ମଣିଷ। ଜଣେ ଅତି ସ୍ନେହୀ ସ୍ବାମୀ। ପୁଣି ତିନିତିନିଜଣ ପାଳିତ ପୁତ୍ରଙ୍କର ଭଲ ବାପା। ସବୁକିଛି ଠିକ୍‌ଠାକ୍‌ ଚାଲିଥିଲା। ତେବେ ଯେବେ ତାଙ୍କର ବୟସ ହୋଇଗଲା ସେ ବ୍ୟାଧିଗ୍ରସ୍ତ ହୋଇଗଲେ। ଅଲସର ରକ୍ତସ୍ରାବ କାରଣରୁ ତାଙ୍କର ପରଲୋକ ଘଟିଲା। ସେତେବେଳେ ଜଣାଗଲା ଯେ, ଏତେଦିନ ଧରି ଜଣେ ସୁପୁରୁଷ ଭାବରେ ଗଣା ଯାଉଥିବା ବିଲ୍‌ ଟିପ୍‌ଟନ୍‌ ବାସ୍ତବରେ ଜଣେ ପୁରୁଷ ନ ଥିଲେ, ସେ ଥିଲେ ଜଣେ ମହିଳା। ଏକଥା ଜଣାପଡ଼ିବା ପରେ କେବଳ ତାଙ୍କର ପାଖ ପଡ଼ୋଶୀ କିମ୍ବା ବନ୍ଧୁବାନ୍ଧବ ନୁହନ୍ତି; ତାଙ୍କର ତିନି ପାଳିତ ପୁତ୍ର ଯଥା- ଜନ୍‌ କ୍ଲାର୍କ, ସ୍କଟ୍‌ ଏବଂ ବିଲ୍‌ ଜୁନିୟର ମଧ୍ୟ ଆବାକାବା ହୋଇ ପରସ୍ପରକୁ ଅନେଇଥିଲେ। ସେମାନେ ବିଶ୍ୱାସ କରିବାକୁ ପ୍ରସ୍ତୁତ ନ ଥିଲେ ଯେ, ସେମାନେ ଆଜି ଯାଏ ଯାହାକୁ ବାପା ବୋଲି ଭାବି ଆସିଥିଲେ ସେ ଥିଲେ ଜଣେ ମହିଳା। ସେମାନେ ଯେ ଏତେଦିନ ଧରି ଜଣେ ନାରୀ ନିକଟରେ ରହି ଆସିଥିଲେ ଏକଥାର ସୁରାକ୍‌ ମଧ୍ୟ ପାଇବାକୁ ସୁଯୋଗ ଦେଇ ନ ଥିଲେ ବିଲ୍‌। ବିଲ୍‌ ଟିପଟନ୍‌ଙ୍କର ମୂଳନାମ ଡରୋଥି ଲୁସିଲ୍‌ ଟିପ୍‌ଟନ୍‌। ୧୯୧୪ରେ ଓକଲାହୋମା ସହରରେ ତାଙ୍କର ଜନ୍ମ। ସାତ ବର୍ଷ ବୟସରେ ସେ ବେହେଲା ବଜେଇବା ଆରମ୍ଭ କରିଥିଲେ। ଜଣେ ଜାଜ୍‌ ମ୍ୟୁଜିସିଆନ୍‌ ହେବା ଥିଲା ତାଙ୍କର ଏକମାତ୍ର ଉଦ୍ଦେଶ୍ୟ। ଜାଜ୍‌ ମ୍ୟୁଜିସିଆନ୍‌ ହେବାକୁ ହେଲେ ସାକ୍ସଫୋନ୍‌, ଫିଆନୋ, ଜ୍ୟାକ୍‌ ଭଳି ଯନ୍ତ୍ର ସଂଗୀତରେ ଧୂରନ୍ଧର ହେବାକୁ ପଡ଼ିଥାଏ। ଆଉ ଏହି ସବୁ ବାଦ୍ୟଯନ୍ତ୍ର ପୁରୁଷମାନଙ୍କ ପାଇଁ ହିଁ ଉଦ୍ଦିଷ୍ଟ ଥିଲା। ନାରୀମାନେ ଯେ ଏ ବାଦ୍ୟଯନ୍ତ୍ର ବଜେଇପାରିବେ ସେକଥା ଚିନ୍ତା ମଧ୍ୟ କରାଯାଇ ପାରୁ ନ ଥିଲା। ସେଥିଲାଗି ଡରୋଥି ନିଷ୍ପତ୍ତି ନେଇଥିଲେ ଯେ, ସେ ନାରୀରୁ ପାଲଟିବେ ପୁରୁଷ। ଆଉ ଦିନେ ନା ଦିନେ ଜଣେ ଜାଜ୍‌ ମ୍ୟୁଜିିସିଆନ୍‌ ଭାବରେ ପରିଚିତି ହାସଲ କରିବେ। ଡରୋଥି ଯେତେବେଳେ ବିଲ୍‌ ଟିପ୍‌ଟନ୍‌ ଛଦ୍ମରୂପ ଧାରଣ କରି ଜାଜ୍‌ ମ୍ୟୁଜିସିଆନ୍‌ ଭାବରେ ପ୍ରସିଦ୍ଧି ହାସଲ କଲେ ସେତେବେଳେ ତାଙ୍କୁ ପ୍ରେମ କରି ବସିଥିଲେ କିଟି ଓକ୍‌ସ ନାମ୍ନୀ ଜନୈକା ସୁନ୍ଦରୀ ଯୁବତୀ। ବିବାହ ପାଇ ଜିଦ୍‌ କରିଥିଲେ। କିଟିଙ୍କ ଜିଦ୍‌କୁ ସମ୍ମାନ ଦେଇ ତାଙ୍କୁ ବିବାହ କରିଥିଲେ ବିଲ୍‌ ଓରଫ ଡରୋଥି। ତେବେ କିଟି ଯେତେବେଳେ ସନ୍ତାନ ପାଇଁ ଏବଂ ସହବାସ ପାଇଁ ଜିଦ୍‌ ଧରିଲେ ଦୂରେଇବାକୁ ଲାଗିଲେ ବିଲ୍‌। କାରଣ ତାହାଦ୍ୱାରା ତାଙ୍କର ଧରାପଡ଼ି ଯିବାର ଭୟ ଥିଲା। ସେଥିଲାଗି କିଟି ତାଙ୍କୁ ଛାଡ଼ପତ୍ର ଦେଇଥିଲେ।

ସ୍ବାମୀଙ୍କୁ ଖୋଜିବା ଲାଗି : ରୁଷିଆ ଏବଂ ସ୍ବିଡେନ ମଧ୍ୟରେ ଯୁଦ୍ଧ ଲାଗିଥାଏ। ଏହା ଅଷ୍ଟାଦଶ ଶତାବ୍ଦୀର କଥା। ସେହି ରୁଷୋ-ସିଡିଶ୍‌ ଯୁଦ୍ଧରେ ଅଂଶ ଗ୍ରହଣ କରିବାକୁ ଚାଲିଯାଆନ୍ତି ପିଟର ହାଗବର୍ଗ। ଘରେ ଛାଡ଼ିଦେଇ ଯାଆନ୍ତି ତାଙ୍କର ନବ ବିବାହିତା ପତ୍ନୀ ବ୍ରିଟା ହାଗବର୍ଗଙ୍କୁ। ମାସ ମାସ ବିତିଯାଏ। ଯୁଦ୍ଧକ୍ଷେତ୍ରରୁ କିଛି ଖବର ଆସେନା। ପିଟର ଜୀବିତ କି ମୃତ ତାହାର କୌଣସି ସୁରାକ୍‌ ପାଆନ୍ତି ନାହିଁ ବ୍ରିଟା। ମନରେ ସନ୍ଦେହ ଆସେ। ମାତ୍ର ଖବର ନବାର କୌଣସି ଉପାୟ ନ ଥାଏ। ଯୁଦ୍ଧକ୍ଷେତ୍ରକୁ ଯିବା ପାଇଁ ମଧ୍ୟ ଅନୁମତି ନ ଥାଏ ମହିଳାମାନଙ୍କୁ। ବ୍ରିଟା ବି ସହଜରେ ନୀରବ ରହିବା ଭଳି ଜଣେ ମହିଳା ନ ଥିଲେ। ସେ ସ୍ବାମୀଙ୍କ ଯୁଦ୍ଧ ପୋଷାକ ପିନ୍ଧି ବାହାରି ପଡ଼ିଲେ ଯୁଦ୍ଧକୁ। ହାତରେ ଥାଏ ଅସ୍ତ୍ର। ଉଦ୍ଦେଶ୍ୟ ଯୁଦ୍ଧ ପଡ଼ିଆରେ ସ୍ବାମୀଙ୍କୁ ଖୋଜିବେ। ଜୀବିତ ଥିଲେ ପାଇବେ। ଯଦି ଯୁଦ୍ଧରେ ପ୍ରାଣ ହରେଇଥାନ୍ତି ତା’ହେଲେ ଫେରିଆସିବେ। ମାତ୍ର ଯୁଦ୍ଧକ୍ଷେତ୍ରରେ ପହଞ୍ଚୁ ପହଞ୍ଚୁ ଏକ ବିଚିତ୍ର ଘଟଣା ଘଟିଲା। ଯୁଦ୍ଧର ପରିସ୍ଥିତି ଏତେ ଭୟାବହ ଥିଲା ଯେ, ଠିଆ ହେବା ଲାଗି କାହାରି ପାଖରେ ଦଣ୍ଡେ ସମୟ ନ ଥିଲା। ତେଣୁ ବ୍ରିଟାଙ୍କୁ ଜଣେ ସୈନିକ ବୋଲି ଯୁଦ୍ଧ କରିବାକୁ ନିର୍ଦ୍ଦେଶ ଦିଆଗଲା। ବ୍ରିଟା ଆଉ କ’ଣ କରିପାରନ୍ତେ? ଆରମ୍ଭ କଲେ ଯୁଦ୍ଧ। ଏତିକିବେଳେ କମାଣ୍ଡର ହଠାତ୍‌ ହାଗବର୍ଗ ବୋଲି ପାଟିକରି ଡାକିଲେ। ବ୍ରିଟା ଭାବିଲେ ବୋଧହୁଏ ତାଙ୍କୁ ଡକାଯାଉଛି। ସେ ଜବାବ ଦେଲେ। ଠିକ୍‌ ସମାନ ସମୟରେ ଆଉଜଣେ ବ୍ୟକ୍ତି ମଧ୍ୟ ଜବାବ ଦେଲେ। ହଠାତ ଦୁଇଜଣ ହାଗବର୍ଗ ଜବାବ ଦେବା ଘଟଣାରେ କମାଣ୍ଡର ଆଶ୍ଚର୍ଯ୍ୟ ହୋଇଗଲେ। ସେମାନଙ୍କୁ ଡକରାଗଲା। ଆରଜଣକ ଥିଲେ ବ୍ରିଟାଙ୍କ ସ୍ବାମୀ ପିଟର। ଯା’ହେଉ ସ୍ବାମୀଙ୍କୁ ପାଇଗଲେ ବ୍ରିଟା। ତେବେ ପରମୁହୂର୍ତ୍ତରେ ଭାବିଲେ ଯେ, ତାଙ୍କୁ ଦଣ୍ଡ ମିଳିବ। କାରଣ ବିନା ଅନୁମତିରେ ମହିଳାମାନଙ୍କୁ ଯୁଦ୍ଧକ୍ଷେତ୍ର ବାରଣ ଥିବା ବେଳେ ସେ ଯୁଦ୍ଧକ୍ଷେତ୍ରରେ ପଶି ଯୁଦ୍ଧ କରିଛନ୍ତି। ମାତ୍ର ନା, ସେମିତି କିଛି ଘଟିଲାନି। ଓଲଟି ଯୁଦ୍ଧ ଶେଷହେବା ପରେ ବ୍ରିଟାଙ୍କୁ ସାହସିକତା ସମ୍ମାନରେ ସମ୍ମାନିତ କରାଗଲା।

କେବଳ ଆକର୍ଷଣ : ଗାଏଲ ନିୟୁଲାଣ୍ଡ ନାମରେ ଥିଲେ ଜଣେ ବ୍ରିଟେନ୍‌ ଯୁବତୀ। ସେ ଥିଲେ ଫେସବୁକ୍‌ ପ୍ରବୀଣା। ଫେସ୍‌ବୁକ୍‌ରେ ସେ ଦେଖିଥିଲେ ଆଉଜଣେ ଯୁବତୀଙ୍କୁ। (ଯୁବତୀଙ୍କର ନାମ ପ୍ରକାଶ କରାଯାଇନାହିଁ)। ଦେଖୁଦେଖୁ ପ୍ରେମରେ ପଡ଼ିଗଲେ। ତାଙ୍କ ଭିତରେ ଏପରି ଆକର୍ଷଣ ବୃଦ୍ଧି ପାଇଲା ଯେ ସେ ସେହି ଯୁବତୀ ଜଣଙ୍କୁ ନିଜର ଶଯ୍ୟା ସଙ୍ଗିନୀ କରିବାକୁ ନିଷ୍ପତ୍ତି ନେଇଗଲେ। ଯୁବତୀଙ୍କର ରୂପ ଏତେ ସୁନ୍ଦର ଥିଲା ଗାଏଲ ଭାବିଲେ ସେ ତାଙ୍କୁ ଉପଭୋଗ କରିବେ। ଫେସ୍‌ବୁକ୍‌ରେ ବନ୍ଧୁତା ହେଲା। ନିଜକୁ ଗାଏଲ ଜଣେ ପୁରୁଷ ବୋଲି ଦର୍ଶାଇଲେ। ସେମାନଙ୍କ ମଧ୍ୟରେ ପ୍ରେମ ହୋଇଗଲା। ଯେତେେବେଳ ଯୁବତୀଜଣକ ଗାଏଲଙ୍କୁ ଡେଟିଂରେ ଡାକିଲେ ସେତେବେଳେ ସେ ନିଜକୁ ପୁରୁଷ ବେଶରେ ସଜେଇ ତାଙ୍କ ସହ ଡେଟିଂରେ ଗଲେ। ଖାଲି ଡେଟିଂରେ ଗଲେ ନାହିଁ; ଯୁବତୀ ଜଣଙ୍କ ସହିତ ଅନ୍ତରଙ୍ଗ ସ୍ଥାପନ କରିବା ନିମନ୍ତେ ସେ ପ୍ଲାଷ୍ଟିକ୍‌ ସର୍ଜରୀ କରି ଏକ ପୁରୁଷାଙ୍ଗ ପ୍ରସ୍ତୁତ କଲେ ଓ ତାଙ୍କ ସହିତ ଗୋପନ ସମ୍ପର୍କ ରଖିଲେ। ମାତ୍ର କିଛିଦିନ ପରେ ଯୁବତୀ ଜଣକ ଜାଣିଗଲେ ଯେ, ଗାଏଲ ବାସ୍ତବରେ ଜଣେ ପୁଅ ନୁହେଁ; ସେ ତାଙ୍କରି ପରି ଜଣେ ଝିଅ। ଅଦାଲତର ଆଶ୍ରୟ ନେଲେ। ଆଉ ଜଣେ ଯୁବତୀକୁ ବଳାତ୍କାର କରିଥିବା ଅଭିଯୋଗରେ ତାଙ୍କୁ ଜେଲ ଦଣ୍ଡାଦେଶ ମଧ୍ୟ ହୋଇଥିଲା।

-ରାଜେନ୍ଦ୍ର ରାଉଳ


All Right Reserved By Dharitri.Com

ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା: ପୁଅକୁ ମାରିଦେଇଥିବା ଅଭିଯୋଗ ଆଣିଲା ପରିବାର

ଚନ୍ଦାହାଣ୍ଡି, ୧।୧୧(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ଫଟକିଗ୍ରାମ ନିକଟସ୍ଥ ଏକ ମହୁଲ ଗଛରେ ରଶି ଲଗାଇ ପ୍ରେମୀଯୁଗଳ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି। ସେମାନେ...

ପହଣ୍ଡିରେ ସାମିଲ ଦଇତା ସେବକଙ୍କର କରୋନା ଟେଷ୍ଟ ହେଉ: ନିଯୋଗ ସଭାପତି

ପୁରୀ ଅଫିସ, ୨୫।୫: ଆସନ୍ତା ଜୁନ୍‌ ୫ରେ ଦେବସ୍ନାନ ପୂର୍ଣ୍ଣିମା। ମହାପ୍ରଭୁଙ୍କ ସ୍ନାନ ଯାତ୍ରାରେ ସର୍ବନିମ୍ନ ସେବକଙ୍କ ତାଲିକା ଦେବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ...

ରଥ ଆଶା ଛାଡ଼ିଲେ ମହାରଣା ସେବକ

ପୁରୀ ଅଫିସ, ୬।୫: କରୋନା ପାଇଁ ଏଥର ରଥଯାତ୍ରା ହେବ କି ନାହିଁ ସେ ନେଇ ଅନିଶ୍ଚିତତା ଲାଗି ରହିଛି। ରଥ ଅନୁକୂଳ ପରଠାରୁ ଇତିମଧ୍ୟରେ...

ବଢ଼ିଛି ମହିଳା ସଙ୍କୀତ୍ତର୍ର୍ର୍ନ ମଣ୍ଡଳୀର ଆଦୃତି

କେନ୍ଦୁଝର,୨୧।୩-ସମାଜରେ ଆଧ୍ୟାତ୍ମିକ ଭାବନା ସୃଷ୍ଟି କରିବା ସହ କିଛି ରୋଜଗାର କରି ପେଟ ପୋଷିବା ଲାଗି ମହିଳାମାନେ ଆଗଭର ହୋଇ ପାଲା, ସଙ୍କୀତ୍ତର୍ର୍ନ ଭଳି କାର୍ଯ୍ୟକୁ...

ଦେଶରେ ୨୩, ଓଡ଼ିଶାରେ ୨ ନକଲି ବିଶ୍ୱବିଦ୍ୟାଳୟ: ଉତ୍ତରପ୍ରଦେଶରେ ସର୍ବାଧିକ ୮, ଦିଲ୍ଲୀରେ ୭

ଭୁବନେଶ୍ୱର, ୨୩ା୭(ବ୍ୟୁରୋ): ବିଶ୍ୱବିଦ୍ୟାଳୟ ମଞ୍ଜୁରୀ କମିଶନ(ୟୁଜିସି) ମଙ୍ଗଳବାର ନକଲି ବିଶ୍ୱବିଦ୍ୟାଳୟ ସଂକ୍ରାନ୍ତ ତଥ୍ୟ ପ୍ରକାଶ କରିଛି। ଦେଶରେ ନିଜସ୍ବ ଢଙ୍ଗରେ ୨୩ ନକଲି ବିଶ୍ୱବିଦ୍ୟାଳୟ କାର୍ଯ୍ୟ...

ରାଜ୍ୟରେ ମହିଳା, ନାବାଳିକା ଅସୁରକ୍ଷିତ

ଭୁବନେଶ୍ୱର,୨୩।୭(ବ୍ୟୁରୋ): ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ। ଦିନକୁ ଦିନ ନାବାଳିକା ଏବଂ ମହିଳାଙ୍କ ଉପରେ ହିଂସା ବଢ଼ିବାରେ ଲାଗିଛି। ଗତ ଶନିବାର ଅନୁଗୋଳର ୮ ବର୍ଷୀୟା ନାବାଳିକାଙ୍କୁ...

ସମସ୍ତ ୨୦ କରୋନା ଆକ୍ରାନ୍ତ ଶିଶୁ ସୁସ୍ଥ: ବାଗଚୀ

ଭୁବନେଶ୍ୱର,୧୫।୫(ବ୍ୟୁରୋ)-ଗତ ୨୦ ଦିନ ମଧ୍ୟରେ ୨୦ ଜଣ ଶିଶୁ ମହାମାରୀ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିଲେ। ବର୍ତ୍ତମାନ ଏମାନେ ସଂପୂର୍ଣ୍ଣ ଭାବେ ସୁସ୍ଥ ହୋଇ ଘରକୁ...

କ୍ୟାପିଟାଲ ହସ୍ପିଟାଲରେ ହେବ ହାର୍ଟ ଅପରେଶନ୍‌

ଭୁବନେଶ୍ୱର, ୭।୧୧(ବ୍ୟୁରୋ): କ୍ୟାପିଟାଲ ହସ୍ପିଟାଲରେ ହାର୍ଟ-ସର୍ଜରି ୟୁନିଟ୍‌ ଆରମ୍ଭ ହେବ। ଫଳରେ ଏଠାରେ ହାର୍ଟ ଅପରେଶନ୍‌, ଓପନ ହାର୍ଟ ସର୍ଜରି, କମ୍ପ୍ଲେକ୍ସ ଆଞ୍ଜିଓଗ୍ରାଫି, ଡିଭାଇସ୍‌ କ୍ଲୋଜର,...

Leave a comment

Your email address will not be published. Required fields are marked *