ମାତୃପିତୃ ଗୁଣେ ସନ୍ତାନ

ରମେଶ ଚନ୍ଦ୍ର ସାମଲ
ଯେକୌଣସି କାମ କଲେ ଏହାର ଫଳ ଭଲ କିମ୍ବା ମନ୍ଦ ହୋଇଥାଏ। ଭଲ କାମର ଫଳ ଭଲ-ଏହା ଦ୍ୱାରା ସମସ୍ତଙ୍କ ମଙ୍ଗଳ ହୁଏ। ଏହାକୁ ପୁଣ୍ୟ କାର୍ଯ୍ୟ ବୋଲି କୁହାଯାଏ। ମନ୍ଦ, ଦୁଷ୍ଟ କର୍ମର ଫଳକୁ ପାପ କୁହାଯାଏ। ଏହାଦ୍ୱାରା ବହୁ ଲୋକ କ୍ଷତିଗ୍ରସ୍ତ ହୁଅନ୍ତି। ପୁଣ୍ୟ କାମ ପରହିତକର। ପାପ କାର୍ଯ୍ୟ ପରପୀଡ଼କ। ପୁଣ୍ୟ କାର୍ଯ୍ୟ ପାଇଁ ଜଣଙ୍କୁ ସ୍ନେହ ଆଦର ସମ୍ମାନ ମିଳୁଥିବା ସ୍ଥଳେ ପାପୀକୁ ଲୋକେ ଘୃଣା କରନ୍ତି। ତା’ଠାରୁ ଦୂରରେ ରହିବାକୁ ଚେଷ୍ଟା କରନ୍ତି। ଭବିଷ୍ୟତରେ କିଏ କ’ଣ ହେବ ଏହା ତା’ର ପିଲାଦିନରୁ ଜଣାପଡ଼େ। କଥାରେ ଅଛି ତୁଳସୀ ଦୁଇପତ୍ରରୁ ବାସେ, ବିଛୁଆତି ଦୁଇପତ୍ରରୁ କୁଣ୍ଡାଇ ହୁଏ। ଧର୍ମଶାସ୍ତ୍ରଗୁଡ଼ିକରେ ବର୍ଣ୍ଣିତ ଅଛି ଭଗବାନଙ୍କ ନାମ ନେଇ ଶଯ୍ୟା ତ୍ୟାଗ କରିବାକୁ -‘କରାଗ୍ରେ ବସତେ ଲକ୍ଷ୍ମୀଃ କରମଧ୍ୟେ ସରସ୍ବତୀ, କରମୂଳେ ତୁ ଗୋବିନ୍ଦଃ ପ୍ରଭାତେ କରଦର୍ଶନମ୍‌।’ କର ବା ହାତର ପାପୁଲିକୁ ଦେଖି ଏହି ପ୍ରାର୍ଥନା କରାଯାଏ। କାରଣ ହାତ ଦ୍ୱାରା ସବୁ କାମ କରାଯାଏ, ଯାହାର ଫଳ ଭଲ କିମ୍ବା ମନ୍ଦ ହୁଏ। ଏଣୁ ସକାଳୁ ଭଗବାନଙ୍କ ନାମ ନେଇ ହାତ ଦେଖି କୁହାଯାଏ ଦିନରେ ମୁଁ ଯେଉଁ କାମ କରିବି ଭଲ କାମ କରିବି। ସମୂହ ମଙ୍ଗଳକର କାମ କରିବି, ଦିନଟି ମଙ୍ଗଳ ଓ ଶୁଭଙ୍କର ହେଉ।
ଦିନର ସକାଳ, ଜୀବନର ବାଲ୍ୟକାଳ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ। ପିଲାଟିର ବାଲ୍ୟକାଳରୁ ତା’ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖି ତାକୁ ଠିକ୍‌ ବାଟରେ ଚଳାଇପାରିଲେ ଭବିଷ୍ୟତରେ ସେ ଭଲ ହୋଇ ସମାଜରେ ବହୁ ପ୍ରତିଷ୍ଠା ଲାଭ କରିବାର ନଜିର ବହୁ କ୍ଷେତ୍ରରେ ଦେଖିବାକୁ ମିଳେ। ପିଲାଟି ଭଲ ହେଲେ ଘରେ, ବାହାରେ, ସ୍କୁଲ କଲେଜରେ ସମସ୍ତେ ତା’ର ବାହା ବାହା କରନ୍ତି। ସମସ୍ତେ ଭଲ ପାଆନ୍ତି। ଦୁଷ୍ଟ ପିଲାକୁ କେହି ଆଦର କରନ୍ତିନି। ଉଭୟ ଭଲ ଓ ମନ୍ଦ କାମ କରି ସମାଜରେ ଲୋକେ ନିଜର ପରିଚୟ ସୃଷ୍ଟି କରନ୍ତି ସତ, ହେଲେ ଭଲ କାମ ପାଇଁ ଜଣେ ଗୁଣୀ ଜ୍ଞାନୀ ମାନସମ୍ମାନ ଓ ସଜ୍ଜନ ଆଖ୍ୟା ପାଉଥିବା ବେଳେ ମନ୍ଦ କାମ ପାଇଁ ଲୋକଟି ଦୁଷ୍ଟ, ଖଳ, ଦୁର୍ଜ୍ଜନ, ଅପରାଧୀ ବିବେଚିତ ହୋଇ ଘୃଣିତ, ନିନ୍ଦିତ ଓ ଦଣ୍ଡିତ ହୁଏ। ପିଲା ଭଲ ହେବା କିମ୍ବା ମନ୍ଦ ହେବା ମା’ବାପାଙ୍କ ଉପରେ ବହୁ ଭାବରେ ନିର୍ଭର କରେ। ମା’ବାପା ପିଲାର ଆଦ୍ୟ ଗୁରୁ। ସେମାନଙ୍କର ଚାଲିଚଳନ, ଆଚାରବିଚାର, ଶିକ୍ଷାଦୀକ୍ଷା ପିଲା ଉପରେ ବହୁ ପ୍ରଭାବ ପକାଏ। ଯାହାର ମା’ବାପା ଯେମିତି ପିଲାଟି ମଧ୍ୟ ଅଧିକାଂଶ କ୍ଷେତ୍ରରେ ସେମିତି ହୋଇଥାଏ। ମଞ୍ଜି ନେଇ ଗଛ।
ଆଜିକାଲି ବହୁ ପିଲା ବିଶୃଙ୍ଖଳ। ଏହାର ମୁଖ୍ୟ କାରଣ ଅନେକ ମା’ବାପା ନିଜେ ଶୃଙ୍ଖଳିତ ନୁହନ୍ତି। ମା’ବାପା ଶୃଙ୍ଖଳିତ ହୋଇ ମଧ୍ୟ କେତେ କ୍ଷେତ୍ରରେ ଦେଖାଯାଏ ପିଲାମାନେ ଦୁଷ୍ଟ ଓ ଅପରାଧପ୍ରବଣ। ଏହାର ବିଭିନ୍ନ କାରଣ ମଧ୍ୟରୁ ପ୍ରଥମ ଓ ସର୍ବଶ୍ରେଷ୍ଠ କାରଣ ହେଉଛି ଅର୍ଥ ଉପାର୍ଜନ ପାଇଁ ଆଜିର ବହୁ ମା’ବାପା ଉଭୟ ଚାକିରି କରୁଛନ୍ତି। ପିଲାର ଦାୟିତ୍ୱ ସେମାନେ ନିଜେ ନେଇ ନ ପାରି ଅନ୍ୟ ଉପରେ ଛାଡି ଦେଉଛନ୍ତି। ଏହି ଦାୟିତ୍ୱ ନେଉଥିବା ବହୁ ଲୋକଙ୍କର ସ୍ବଭାବ ଠିକ୍‌ ନ ଥାଏ। ସେମାନଙ୍କ ସଂସ୍ପର୍ଶ ଓ ବାହାର ବହୁ ଦୁଷ୍ଟ ସାଙ୍ଗସାଥୀଙ୍କ ସମ୍ପର୍କରେ ଆସି ପିଲାମାନେ ଦୁଷ୍ଟ ଓ ଅପରାଧପ୍ରବଣ ହୋଇ ଉଠୁଛନ୍ତି। ପିଲାମାନଙ୍କର ଛୋଟ ଛୋଟ ଅପରାଧ ଉପରେ ଗୁରୁତ୍ୱ ନ ଦେବାରୁ ପିଲାଏ ବଡ଼ ହୋଇ ବଡ଼ ବଡ଼ ଅପରାଧ କରିବସୁଛନ୍ତି। ଘରେ ବାହାରେ ଦଣ୍ଡିତ ହେବା ସହିତ କୋର୍ଟକଚେରିରେ ଦଣ୍ଡିତ ହୋଇ ଜେଲ ଭୋଗୁଛନ୍ତି। ଜଘନ୍ୟ ଅପରାଧ କରି ମୃତ୍ୟୁଦଣ୍ଡ ମଧ୍ୟ କେତେକ କ୍ଷେତ୍ରରେ ଭୋଗୁଛନ୍ତି। ଏସବୁ ପିଲାମାନଙ୍କର ସୁପରିଚାଳନାର ଅଭାବ ଓ ଅତ୍ୟଧିକ ସ୍ନେହ ପରବଶ ହୋଇ ସେମାନଙ୍କ ଦୋଷଦୁର୍ବଳତା ପ୍ରତି ଆଖି ବୁଜିଦେବା ଯୋଗୁ ଏପରି ଘଟୁଛି। ପିଲାମାନଙ୍କୁ ସ୍ନେହଶ୍ରଦ୍ଧା କରିବା ସହିତ ଦୋଷ ପାଇଁ ଦଣ୍ଡ ଦେବା ମଧ୍ୟ ଉଚିତ। ଏଥିପାଇଁ ଚାଣକ୍ୟ କହିଛନ୍ତି- ‘ଲାଳୟେତ୍‌ ପଞ୍ଚବର୍ଷାଣି ଦଶବର୍ଷାଣି ତାଡୟେତ୍‌, ପ୍ରାପ୍ତେ ତୁ ଷୋଡ଼ଶେ ବର୍ଷେ ପୁତ୍ରମ୍‌ ମିତ୍ରବଦାଚରେତ୍‌।’ ଏହାର ଗୁରୁତ୍ୱ କେହି ଉପଲବ୍ଧି କରୁନାହାନ୍ତି।
ଦୁଷ୍ଟାମି ପାଇଁ ସେ ପିଲା ହେଉ କିମ୍ବା ବଡ଼ଲୋକ ସମସ୍ତେ ଏମାନଙ୍କୁ ଘୃଣା କରନ୍ତି। ଏମାନଙ୍କ ସହିତ କେହି କିଛି ସମ୍ପର୍କ ରଖିବାକୁ ପସନ୍ଦ କରନ୍ତିନି। ପିଲାଟି ହୋଇଥିଲେ ସ୍କୁଲରେ ସାଙ୍ଗସାଥୀଙ୍କ ମେଳରେ ମାଡ଼ଗାଳି ଓ ଭର୍ତ୍ସନାର ଶିକାର ହୁଏ। କେହି ତା’ସାଙ୍ଗରେ ସାଙ୍ଗ ନ ହେବା ଯୋଗୁ ସେ ଏକଘରିଆ ପ୍ରାୟ ହୋଇଯାଏ। ବଡ଼ ଲୋକଟିର ଦୁଷ୍ଟାମି ପାଇଁ ସେ ସଭାସମିତି ସବୁଠି ନିନ୍ଦିତ ହୁଏ। ଗର୍ହିତ ଅପରାଧ କରି ଦଣ୍ଡିତ ହୁଏ। ପିଲାଦିନୁ ଯଦି ଏଥିପ୍ରତି ଦୃଷ୍ଟି ଦିଆଯାଇଥାନ୍ତା ଏଭଳି ପରିସ୍ଥିତିକୁ ଏଡେଇ ଦିଆଯାଇ ପାରିଥାନ୍ତା। ପିଲାଦିନ ଜୀବନର ଏକ ଘଡିସନ୍ଧି ମୁହୂର୍ତ୍ତ। ଏହି ସମୟରେ ପିଲାଟିର ଚରିତ୍ର ଗଠନ ହୁଏ। କଥାରେ ଅଛି ‘ଯାହା ନୋହିଛି ବାଳକାଳେ ତାହା କି ହେବ ପାଚିଲା ବାଳେ’। କାଦୁଅ ମେଞ୍ଚାଟିରେ ଯେକୌଣସି ମୂର୍ତ୍ତି ଗଢ଼ାଯାଇପାରେ। ମୂର୍ତ୍ତି ଗଢ଼ା ହୋଇ ଶୁଖି ସାରିଲା ପରେ ଏହାର କିଛି ପରିବର୍ତ୍ତନ କରିବାକୁ ଚେଷ୍ଟା କଲେ ସମ୍ଭବ ହୋଇପାରେନା। ଏଣୁ ପ୍ରତ୍ୟେକ ବ୍ୟକ୍ତି ନିଜ ପିଲାଙ୍କର ଉତ୍ତମ ଦେଖାଶୁଣା କରିବା ସହିତ ସେ ଯେପରି ସାଙ୍ଗସାଥୀ ମେଳରେ ମିଶି ପଥଭ୍ରଷ୍ଟ ନ ହୁଏ, ସେଥିପ୍ରତି ତୀକ୍ଷ୍ଣ ଦୃଷ୍ଟି ରଖିବା ଦରକାର।
ଆଜିର ପିଲାଏ ବସ୍ତୁବାଦୀ ହୋଇ ଉଠୁଛନ୍ତି। ମା’ବାପା ଓ ଅନ୍ୟ ଗୁରୁଜନମାନେ ପିଲାମାନଙ୍କର ସୁପରିଚାଳନା ଓ ସେମାନଙ୍କ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିବା ସହିତ ସେମାନଙ୍କ ମନରେ ଧର୍ମଶାସ୍ତ୍ରଗୁଡ଼ିକରେ ବର୍ଣ୍ଣିତ ପାପ ଓ ପୁଣ୍ୟ ଓ ଏହାର ଫଳାଫଳ ବିଷୟରେ ସଚେତନତା ସୃଷ୍ଟି କରିବା ଆବଶ୍ୟକ। ଏହା ପିଲା ଉପରେ ନିଶ୍ଚିତ ଭଲ ପ୍ରଭାବ ପକାଇବ। ସେ ଜାଣିବ ଏ ଜନ୍ମରେ କେବଳ ପାପପୁଣ୍ୟର ଫଳାଫଳ ମିଳେନା, ସୁଦୂରପ୍ରସାରୀ ପୁଣ୍ୟ କାମ କରି ମଣିଷ ଜନ୍ମ ଜନ୍ମାନ୍ତରେ ସୁଖଶାନ୍ତି, ମାନସମ୍ମାନ, ଐଶ୍ୱର୍ଯ୍ୟ ଆଦି ବହୁ କିଛି ପାଏ। ସମାଜରେ ବହୁ ପ୍ରତିଷ୍ଠା ଲାଭକରି ନିଜର ନାଁ ବିକଶିତ କରିିବା ସହିତ ଦେଶଜାତି ପାଇଁ ବହୁ ଗୌରବ ଆଣେ। ଅନ୍ୟପକ୍ଷରେ ପାପ କରି ଇହ ଜନ୍ମରେ ବହୁ ଦଣ୍ଡ ଦୁର୍ନାମ ପାଇବା ସହିତ ମଲା ପରେ ଯମଦଣ୍ଡ ଭୋଗ କରେ। ପର ଜନ୍ମରେ ନୀଚ ଘରେ ଜନ୍ମଲାଭ କରି ବହୁ ଦୁଃଖକଷ୍ଟ ପାଏ। ସେ ପୂର୍ବଜନ୍ମର କାମ ପାଇଁ ଟେକାର ଜବାବ ପଥରରେ ପାଏ। ଦୁଷ୍କର୍ମର ମାତ୍ରା ଅତ୍ୟଧିକ ଥିଲେ ମଣିଷ ଜନ୍ମ ନ ପାଇ କୀଟପତଙ୍ଗ ଜନ୍ମ ନେଇ ବହୁ ଦୁଃଖକଷ୍ଟ ପାଏ। ନାଳନର୍ଦ୍ଦମାରେ ତା’ର ଜୀବନ କଟେ। ଏସବୁ ବିଷୟରେ ପିଲାକୁ ସଚେତନ କରାଇପାରିଲେ ସେ ନିଶ୍ଚୟ କୌଣସି ଦୁଷ୍ଟ ଓ ପାପ କାମ ପାଇଁ ଭୟଭୀତ ହେବ, ସେ ଏପରି କାମ କରିବାରୁ ନିବୃତ୍ତ ହେବ।
ରାମିଆଗଞ୍ଜ, ମାର୍ଶାଘାଇ, କେନ୍ଦ୍ରାପଡ଼ା, ମୋ-୯୪୩୯୮୭୯୦୨୨


All Right Reserved By

ବିଚାରପତିଙ୍କ ରାଜନୈତିକ ଅଭିଳାଷ

ଶରତ ଚନ୍ଦ୍ର ମିଶ୍ର ଆମ ଦେଶର ସ୍ବାଧୀନତା ସଂଗ୍ରାମ ଓ ସମ୍ବିଧାନ ପ୍ରଣୟନରେ ଆଇନଜୀବୀମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଅନେକ ଆଇନଜୀବୀଙ୍କର ରାଜନୈତିକ କାର୍ଯ୍ୟକଳାପ...

ସମୟ ଚକ୍ର ବୁଲୁଛି

ଡ. ସିଦ୍ଧାର୍ଥ କାନୁନ୍‌ଗୋ ଏପରି କିଛି କଥା ଅଛି, ଯାହା ଆମଭଳି ବହୁ ଲୋକଙ୍କ ମନକୁ ଆନ୍ଦୋଳିତ କରୁଛି। କାହାକୁ ସମାଲୋଚନା କରିବା ଆମ ଉଦ୍ଦେଶ୍ୟ...

ପଶମ ଶିଳ୍ପରେ ନିଷ୍ଠୁରତା

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ଅନେକ ଲୋକ ଭାବନ୍ତି, ହସଖୁସିରେ ଘାସ ଚରୁଥିବା ମେଣ୍ଢାମାନଙ୍କୁ ନେଇ ପଶମ (ଉଲ୍‌) ଶିଳ୍ପ ଗଠିତ। ଏହି ଶିଳ୍ପରେ କୌଣସି...

ପାଖେଇ ଆସୁଛି ପ୍ରଳୟ

ଅଭୟ ସୂତାର ଏବେ ବିଶ୍ୱ ପରିବେଶରେ ସଙ୍କଟଜନକ ପରିସ୍ଥିତି ସୃଷ୍ଟି ହୋଇଛି। ପରିବେଶ ପ୍ରଦୂଷଣ ଯୋଗୁ ପୃଥିବୀ ପୃଷ୍ଠରୁ ଅନେକ ଜାତିର ପ୍ରାଣୀ ଓ ଉଦ୍ଭିଦ...

ବୁଢ଼ୀମା’ର ହାତ

ରୁଦ୍ରପ୍ରସନ୍ନ ରଥ ଗାଁର ଯୌଥ ପରିବାରରେ ସବୁଠାରୁ ବଡ଼ ସମ୍ପତ୍ତି ହେଲା ପରିବାରର ବୁଢ଼ୀବୁଢ଼ାମାନେ। ସହରର ଛୋଟିଆ ପରିବାର ପାଖରେ ହୁଏତ ପଇସାର ଅଭାବ ନ...

ଅସାଧୁ ନିର୍ବାଚନ

ପ୍ରଦୀପ୍ତ ନାୟକ ନିର୍ବାଚନ ଏକ ଗଣତାନ୍ତ୍ରିକ ପ୍ରକ୍ରିୟା। ଭାରତୀୟ ସମ୍ବିଧାନ ଓ ନୀତିନିୟମ ଅନୁସାରେ ପ୍ରତ୍ୟେକ ସାବାଳକ ନାଗରିକ ସ୍ବାଧୀନ ଭାବରେ ନିଜ ଇଚ୍ଛାରେ ଭୋଟ...

କୂଟନୈତିକ ରାଜନେତା

ବ୍ୟକ୍ତିତ୍ୱ/ ଜିତେନ୍ଦ୍ର କୁମାର ନାୟକ କେନ୍ଦ୍ରରେ ୩୦ ମେ ୨୦୧୯ରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦ୍ୱିତୀୟ ଥର ଲାଗି ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ସରକାର...

କଳ୍‌କୀ ଭୂମିକାରେ ଭାରତୀୟ ଭୋଟର

ମାୟାଧର ନାୟକ ଏବେ ସାରା ଭାରତରେ ଦଳମାନେ ପ୍ରାର୍ଥୀମାନଙ୍କୁ ନିର୍ବାଚନ ମଇଦାନରେ ଓହ୍ଲାଇଦେଲେଣି। ଗଲା ଏପ୍ରିଲ ୧୧ରେ ପ୍ରଥମ ଦଫା କଳିଯୁଦ୍ଧ ଆରମ୍ଭ ହୋଇଯାଇଛି। ଏଇମିତି...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *