ଜଳବାୟୁ ପରିବର୍ତ୍ତନ ବନାମ ବିବର୍ତ୍ତନ

”ଗୋଟିଏ ଅଞ୍ଚଳର ହାରାହାରି ଅଥବା ଦୀର୍ଘ ସମୟ ଧରି ଅନୁଭୂତ ପାଣିପାଗ ଅବସ୍ଥାକୁ ଜଳବାୟୁ କୁହାଯାଏ। ଅନ୍ୟପକ୍ଷରେ ବିଶ୍ୱ ତାପମାତ୍ରା, ବୃଷ୍ଟିପାତ, ବାୟୁ ପ୍ରବାହ ଏବଂ ଆନୁଷଙ୍ଗିକ ବିଷୟରେ କେତେ ଦଶନ୍ଧି ଅଥବା ତତୋଽଧିକ ପରିବର୍ତ୍ତନକୁ ଜଳବାୟୁ ପରିବର୍ତ୍ତନ କୁହାଯାଏ। ବିବର୍ତ୍ତନ ଧାରାରେ ତ୍ୱରିତ ଜୈବ ହସ୍ତକ୍ଷେପକୁ ମଧ୍ୟ ଜଳବାୟୁ ପରିବର୍ତ୍ତନ କୁହାଯାଇପାରିବ । ଏ ପୃଥିବୀରେ କେବେ ଜଳବାୟୁ ପରିବର୍ତ୍ତନ ହେଲା? ହୁଏତ ଯେତେବେଳେ ମଣିଷ ରନ୍ଧା/ପ୍ରକ୍ରିୟାକୃତ ଖାଦ୍ୟ ଖାଇଲା, କଳବୁଣା ପୋଷାକ ପିନ୍ଧିଲା, କୋଠାଘରେ ବାସକଲା ଏବଂ ଚାକିରି
ଅନ୍ବେଷଣରେ ସ୍ଥାନାନ୍ତର ହେଲା।“

ସମସ୍ତ ଜୀବଙ୍କ ପାଇଁ ମୁଖ୍ୟ କଥା ମଧ୍ୟରେ ପୃଥିବୀର ଆହ୍ନିକ ଓ ବାର୍ଷିକ ଗତି ନିୟନ୍ତ୍ରକ, ମାଧ୍ୟାକର୍ଷଣ ଶକ୍ତି, ସୂର୍ଯ୍ୟ, ଆକାଶ, ପୃଥିବୀ, ଜଳ, ଅଗ୍ନି, ବାୟୁ ଅନ୍ୟତମ। ପ୍ରଥମେ ଉଦ୍ଭିଦ ଓ ପରେ ପ୍ରାଣୀ ସୃଷ୍ଟି ହେଲେ। ସଂସାରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟାଟି ହେଲା ଆଲୋକ ଶ୍ଳେଷଣ, ଯଦ୍ଦ୍ବାରା ଉଦ୍ଭିଦ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ (କାର୍ବନ ଡାଇଅକ୍ସାଇଡ୍‌), ମାଟିରୁ ଜଳ ନେଇ ସୌରଶକ୍ତି ସାହାଯ୍ୟରେ ପତ୍ରରେ ଶ୍ୱେତସାର ଓ ଅମ୍ଳଜାନ ପ୍ରସ୍ତୁତ କରିଥାଏ।
ପ୍ରକ୍ରିୟା: ଅଙ୍ଗାରକାମ୍ଳ ଗ୍ୟାସ୍‌, ଜଳ, ସୌରଶକ୍ତି ଆଲୋକ ଶ୍ଳେଷଣ/ଶ୍ୱାସକ୍ରିୟା ଶ୍ୱେତସାର, ଅମ୍ଳଜାନ। ଏହି ଶ୍ୱେତସାର ହିଁ ପ୍ରାଣୀଙ୍କ ପାଇଁ ଖାଦ୍ୟ ଓ ତନ୍ତୁ । (ପ୍ରକୃତରେ ସି-୩ ଉଦ୍ଭିଦ (ଧାନ, ବିରି ଇତ୍ୟାଦି), ସି-୪ ଉଦ୍ଭିଦ (ଆଖୁ, ମକା ଇତ୍ୟାଦି) ଏବଂ କାମ୍‌ ଉଦ୍ଭିଦ (ସିଜୁ, ସପୁରି ଇତ୍ୟାଦି) ଦ୍ୱାରା ଅଙ୍ଗାରକାମ୍ଳ ଗ୍ୟାସ୍‌ ଯଥାକ୍ରମେ ଜୈବିକ ପଦାର୍ଥ ୩ ଫସ୍‌ଫୋଗ୍ଲିସେରେଟ୍‌, ଅକ୍ସାଲୋଆସିଟେଟ୍‌ ଏବଂ କ୍ରାସୁଲାସିଆନ୍‌ ଅମ୍ଳରେ ପରିଣତ ହୁଏ)। ଅତଏବ ବିଷ ରୂପକ ଅଙ୍ଗାରକାମ୍ଳକୁ ଅମୃତରେ ପରିଣତ କରିବା ଶକ୍ତି ଉଦ୍ଭିଦଠାରେ ରହିଛି। ଯୁକ୍ତରାଷ୍ଟ୍ର ଆମେରିକାର ପ୍ରସିଦ୍ଧ କବକବିତ୍‌ ଏଏଚ୍‌ଆର୍‌ ବୁଲର (୧୯୦୬) ପୂର୍ବୋକ୍ତ ସମୀକରଣ ଆଧାରରେ କିଛି ଭିନ୍ନ ଭବିଷ୍ୟବାଣୀ କରିଥିଲେ, ”ଯଦି ଆଲୋକଶ୍ଳେଷଣ ପ୍ରକ୍ରିୟା ଅନବରତ ଚାଲୁରହେ ଏବଂ କାଠର ଧ୍ୱଂସ ପ୍ରକ୍ରିୟା ବନ୍ଦ ରହେ, ତେବେ ଆଗାମୀ ୨୦ ବର୍ଷ ମଧ୍ୟରେ ସମସ୍ତ ଜୀବଜଗତ ଅଙ୍ଗାରକାମ୍ଳ ଅଭାବରୁ ହୁଏତ ନିଶ୍ଚଳ ହୋଇଯିବ। ଅତଏବ ଜୈବିକ ବିଘଟନ (ଶ୍ୱାସକ୍ରିୟା) କାଠର ବିନିଯୋଗ ପାଇଁ ଉଭୟ ବଡ଼ ଆଶୀର୍ବାଦ ଏବଂ ଚରମସୀମା ।“ ବୋଧହୁଏ ମହାଶୟ ଏବର ଅବିଚାରିତ ବୃକ୍ଷଚ୍ଛେଦନ, ଜଙ୍ଗଲ ଅବକ୍ଷୟ ଏବଂ ସର୍ବୋପରି କଳକାରଖାନା ଓ ଯାନବାହନରୁ ନିର୍ଗତ ଅଙ୍ଗାରକାମ୍ଳ ବିଷୟରେ କଳ୍ପନାକରି ନ ଥିବେ।
ସାରା ବିଶ୍ୱରେ ମାଟିରେ ଗଚ୍ଛିତଥିବା ୨୭୦୦ ଗିଗାଟନ୍‌ (୧ଗିଗାଟନ୍‌ = ୧ଲକ୍ଷ କୋଟି କିଲୋଗ୍ରାମ୍‌) ଅଙ୍ଗାରକ (କାର୍ବନ) ମଧ୍ୟରୁ ଜୈବିକ ଅଙ୍ଗାରକ ୧୫୫୦ ଗିଗାଟନ, ଅଜୈବିକ ଅଙ୍ଗାରକ ୯୫୦ ଗିଗାଟନ୍‌, ପିଟ୍‌ ଓ ଆର୍ଦ୍ରଭୂମି ଅଙ୍ଗାରକ ୧୫୦ ଗିଗାଟନ୍‌ ଏବଂ ଭୂପୃଷ୍ଠ ଉଦ୍ଭିଦ ଅବଶେଷ ଅଙ୍ଗାରକ ୫୦ ଗିଗାଟନ୍‌। ଡିଜେଲ, ପେଟ୍ରୋଲ, କିରୋସିନ ଇତ୍ୟାଦି ଜୀବାଶ୍ମ ଇନ୍ଧନ ଯୋଗୁ ବର୍ଷକୁ ହାରାହାରି ୧୧ ଗିଗାଟନ୍‌ ଅଙ୍ଗାରକ ବାୟୁମଣ୍ଡଳରେ ମିଶୁଛି। ଏତଦ୍‌ବ୍ୟତୀତ ବାୟୁମଣ୍ଡଳରେ ୭୮୦ ଗିଗାଟନ୍‌ ଏବଂ ଜୀବମାନଙ୍କ ଶରୀରରେ ୬୦୦ ଗିଗାଟନ୍‌, ସାଗର, ମହାସାଗରରେ ୩୮,୨୦୦ ଗିଗାଟନ୍‌ ଅଙ୍ଗାରକ ଅଛି। ଆଲୋକ ଶ୍ଳେଷଣ ପ୍ରକ୍ରିୟାରେ ଉଦ୍ଭିଦରାଜି ବାର୍ଷିକ ୧୨୦ ଗିଗାଟନ୍‌ ଅଙ୍ଗାରକ ଅଥବା ୪୩୯ ଗିଗାଟନ୍‌ ଅଙ୍ଗାରକାମ୍ଳ ଗ୍ୟାସ୍‌ ବାୟୁମଣ୍ଡଳରୁ ଗ୍ରହଣକରି ସେଥିରୁ ୬୦ ଗିଗାଟନ୍‌ ଅଙ୍ଗାରକକୁ ମାଟିରେ ଗଚ୍ଛିତ କରନ୍ତି। ଏକ ୧୦୦ କିଲୋଗ୍ରାମ ଓଜନ (ଶୁଷ୍କକାଠ) ବୃକ୍ଷରେ ୫୦କି.ଗ୍ରା. ଅଙ୍ଗାରକ, ୪୪କି.ଗ୍ରା. ଅମ୍ଳଜାନ, ୬କି.ଗ୍ରା. ଉଦ୍‌ଜାନ ସହିତ କିଛି ପରିମାଣରେ ଧାତବ ପଦାର୍ଥ ଥାଏ। ଏଣୁ ବୃକ୍ଷଟି ବାୟୁମଣ୍ଡଳରୁ ୧୮୩ କି.ଗ୍ରା. ଅଙ୍ଗାରକାମ୍ଳ ଗ୍ୟାସ୍‌ ଗ୍ରହଣ କରିଥାଏ। ଅନ୍ୟପକ୍ଷରେ ସାରା ପୃଥିବୀରେ ୧୩,୮୬,୦୦୦ ଟ୍ରିଲିୟନ ଟନ୍‌(୧ଟ୍ରିଲିୟନ ଟନ୍‌=୧ଲକ୍ଷ କୋଟି କିଲୋଗ୍ରାମ/ଲିଟର) ଜଳରାଶି ମଧ୍ୟରୁ ବରଫ ଓ ହିମବାହର ପରିମାଣ ୨୩,୮୭୪ ଟ୍ରି.ଟନ୍‌, ଭୂଗର୍ଭ ମଧୁରଜଳ ୧୦,୬୭୨ ଟ୍ରି.ଟନ, ଭୂପୃଷ୍ଠ (ନଦୀ, ହ୍ରଦ ଇତ୍ୟାଦି) ମଧୁରଜଳ ୧୦୪ ଟ୍ରି.ଟନ୍‌, ଭୂପୃଷ୍ଠ (ସାଗର, ମହାସାଗର) ଲବଣଜଳ ୧୩,୫୧,୩୫୦ ଟ୍ରି.ଟନ୍‌। ପରୀକ୍ଷାରୁ ଜଣାଯାଇଛି ଯେ, ଏକ ବୟସ୍କ ପୂର୍ଣ୍ଣାବୟବ ବୃକ୍ଷ ଏକ ଶୁଷ୍କ ଖରାଦିନରେ ମାଟିରୁ ୨୦୦-୪୦୦ ଲିଟର ଜଳ ଗ୍ରହଣ କରିଥାଏ। ପୁନଶ୍ଚ ବିଶ୍ୱ ଖାଦ୍ୟ ଓ କୃଷି ସଂସ୍ଥା ଅନୁସାରେ ଏକ କିଲୋଗ୍ରାମ୍‌ ପ୍ରତ୍ୟେକ ଦୁଗ୍ଧ, ଗହମ, ଧାନ, ଅଣ୍ଡା, ସୋୟାବିନ୍‌, କୁକୁଡ଼ାମାଂସ, ଘୁଷୁରି ମାଂସ ଏବଂ ଗୋମାଂସ ଉତ୍ପାଦନ ପାଇଁ ଯଥାକ୍ରମେ ୭୯୦,୧୧୬୦,୧୪୦୦,୨୭୦୦,୨୭୫୦,୪୧୦୦,୪୬୦୦ ଏବଂ ୧୩,୫୦୦ ଲିଟର ମଧୁର ଜଳର ଆବଶ୍ୟକତା ହୋଇଥାଏ।
ଗୋଟିଏ ଅଞ୍ଚଳର ହାରାହାରି ଅଥବା ଦୀର୍ଘ ସମୟ ଧରି ଅନୁଭୂତ ପାଣିପାଗ ଅବସ୍ଥାକୁ ଜଳବାୟୁ କୁହାଯାଏ। ଅନ୍ୟପକ୍ଷରେ ବିଶ୍ୱ ତାପମାତ୍ରା, ବୃଷ୍ଟିପାତ, ବାୟୁ ପ୍ରବାହ ଏବଂ ଆନୁଷଙ୍ଗିକ ବିଷୟରେ କେତେ ଦଶନ୍ଧି ଅଥବା ତତୋଽଧିକ ପରିବର୍ତ୍ତନକୁ ଜଳବାୟୁ ପରିବର୍ତ୍ତନ କୁହାଯାଏ। ବିବର୍ତ୍ତନ ଧାରାରେ ତ୍ୱରିତ ଜୈବ ହସ୍ତକ୍ଷେପକୁ ମଧ୍ୟ ଜଳବାୟୁ ପରିବର୍ତ୍ତନ କୁହାଯାଇପାରିବ। ଏ ପୃଥିବୀରେ କେବେ ଜଳବାୟୁ ପରିବର୍ତ୍ତନ ହେଲା? ହୁଏତ ଯେତେବେଳେ ମଣିଷ ରନ୍ଧା/ପ୍ରକ୍ରିୟାକୃତ ଖାଦ୍ୟ ଖାଇଲା, କଳବୁଣା ପୋଷାକ ପିନ୍ଧିଲା, କୋଠାଘରେ ବାସକଲା ଏବଂ ଚାକିରି ଅନ୍ବେଷଣରେ ସ୍ଥାନାନ୍ତର ହେଲା। ଏପରିକି ଗୁମ୍ଫା ମଧ୍ୟରେ ବାସ କରୁଥିବା ଲଙ୍ଗଳା ମଣିଷ, ପଥର ଅସ୍ତ୍ରରେ ବନ୍ୟ ପଶୁପକ୍ଷୀ ଶିକାର କରି, କଞ୍ଚାମାଂସ ଏବଂ ଫଳମୂଳ ଖାଉଥିବା ମଣିଷ ଯେତେବେଳେ ଅକ୍ଷତ ଜଙ୍ଗଲକୁ ସଫାକରି ଚାଷକାର୍ଯ୍ୟ ଆରମ୍ଭକଲା, ବୋଧହୁଏ ସେତେବେଳେ ଜଳବାୟୁ ପରିବର୍ତ୍ତନ ହେଲା। ସଭ୍ୟତାର ଅତି ଉନ୍ନତି ବିଷମ ଜଳବାୟୁର କାରଣ ।
ଜଣଙ୍କର ଆବଶ୍ୟକ ପାଇଁ ଭଗବାନ ସବୁ ସୃଷ୍ଟି କରିଛନ୍ତି, କିନ୍ତୁ ଲୋଭ ପାଇଁ ନୁହେଁ (ମହାତ୍ମା ଗାନ୍ଧୀ)। ଯଦି ସମ୍ପଦର ଉପଯୋଗ ଦେହଳି ସୀମା ଭିତରେ ରହୁଥାନ୍ତା, ତେବେ ପରିବର୍ତ୍ତନ ବିବର୍ତ୍ତନ ଧାରାର ନିୟନ୍ତ୍ରଣ ସୀମା ମଧ୍ୟରେ ରହନ୍ତା। ବୋଧହୁଏ ଅଧିକାଂଶ ଲୋକ ସମ୍ପଦର ବିନିଯୋଗ ବିଶେଷକରି ଅବିମୃଶ୍ୟକାରୀ ଭାବରେ ଶୋଷଣ କଲାବେଳେ ଶକ୍ତି ସଂରକ୍ଷଣ ନିୟମର ଅର୍ଥ ଠିକ୍‌ ଭାବରେ ବୁଝିପାରିନାହାନ୍ତି। ”ଶକ୍ତି ସୃଷ୍ଟି କରାଯାଇପାରିବ ନାହିଁ କି ଧ୍ୱଂସ କରାଯାଇ ପାରିବ ନାହିଁ, ଶକ୍ତି ଅକ୍ଷୟ ବରଂ ଏହାର ରୂପାନ୍ତର କରାଯାଇପାରିବ।“ ଏହି ରୂପାନ୍ତର ପ୍ରକ୍ରିୟା ସହିତ ଲୁକ୍କାୟିତ ହୋଇ ରହିଥିବା ତଥ୍ୟଟି ହେଉଛି ପାର୍ଶ୍ୱକ୍ରିୟା/ଉପଜାତ’ଉତ୍ପନ୍ନ ହୋଇଥାଏ/ହୋଇ ନ ଥାଏ। ଉଦାହରଣ ସ୍ବରୂପ ଏକ ଡିଜେଲ ଜେନେରେଟର ବିଦ୍ୟୁତ୍‌ ଆଲୋକ ଉତ୍ପାଦନ କଲାବେଳେ ଧୂଆଁ ଛାଡ଼ିଥାଏ (ସୀମା ଭିତରେ, ଉପଜାତ)। ବାଇସାଇକେଲ ଘଣ୍ଟିକୁ ଅନବରତ ବଜାଇଲେ ସ୍ଥିତିସ୍ଥାପକତା କ୍ଳାନ୍ତି ଆସିଥାଏ (ସୀମା ବାହାରେ)। ଏକ ପ୍ଲାଷ୍ଟିକ ଗିନାରେ ଅଳ୍ପ ଜଳ ରଖି ଖରାରେ ଥୋଇଦେଲେ (୩୦-୪୫ ଡିଗ୍ରୀ ସେଲସିୟସ୍‌) ଜଳ ଅଦୃଶ୍ୟ ହେବାକୁ ଲାଗେ (ସୀମାବାହାରେ, ପାର୍ଶ୍ୱ ପ୍ରତିକ୍ରିୟା ନାହିଁ)। ଜଳ ୧୦୦ ଡିଗ୍ରୀ ସେଲସିୟସ୍‌ରେ ତରଳ ଅବସ୍ଥାରୁ ଗ୍ୟାସୀୟ (ବାଷ୍ପୀକରଣ) ଅବସ୍ଥାକୁ ଯାଏ। ମାତ୍ର ନିମ୍ନ ତାପମାତ୍ରାରେ କିପରି ସମ୍ଭବ? ଏହା ସତ୍ୟ ଯେ, ପାତ୍ର ଜଳର ଉପର (ବାୟୁ ସଂସ୍ପର୍ଶ) ସ୍ତରରେ ଅଣୁକରଣ ପରିମିତ ସୂକ୍ଷ୍ମସ୍ତରରେ ଥିବା ଜଳ ଅଣୁଗୁଡ଼ିକର ତାପମାତ୍ରା ୧୦୦ ଡିଗ୍ରୀ ସେଲସିୟସ୍‌ରେ ପହଞ୍ଚତ୍ଥାଏ। ଫଳରେ ବାଷ୍ପୀକରଣ ଆରମ୍ଭ ହୋଇଥାଏ (ସୀମା ଭିତରେ)।

ମନୋରଞ୍ଜନ ମହାନ୍ତି
-ବୈଜ୍ଞାନିକ, କୃଷିବିଜ୍ଞାନ କେନ୍ଦ୍ର, ଢେଙ୍କାନାଳ (ଓୟୁଏଟି), ମହିଷାପାଟ
ମୋ : ୯୪୩୭୬୭୧୪୦୨


All Right Reserved By Dharitri.Com

ମଧୁମେହରେ କିଡ୍‌ନୀ ସମସ୍ୟା

”ଡାଇବେଟିସ୍‌(ମଧୁମେହ) ରୋଗୀଙ୍କ କିଡ୍‌ନୀ ଆକ୍ରାନ୍ତ ହେଲେ ସର୍ବପ୍ରଥମେ ପରିସ୍ରାରେ ଅଧିକ ମାତ୍ରାରେ ଆଲ୍‌ବୁମିନ୍‌ ନାମକ ଏକ ପ୍ରୋଟିନ ନିଷ୍କାସିତ ହୋଇଥାଏ। ତେଣୁ ପ୍ରତ୍ୟେକ ଡାଇବେଟିସ ରୋଗୀଙ୍କ...

ବିଜ୍ଞାନ ଈଶ୍ୱରଙ୍କୁ ହତ୍ୟାକରେ ନାହିଁ

”୧୯୯୯ ମସିହାରେ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପାଇଥିବା ମାର୍ଟିନସ ଜେ.ଜି. ଭେଲ୍‌ମ୍ୟାନ୍‌ଙ୍କ ମତରେ ବିଜ୍ଞାନ ଓ ଆଧ୍ୟାତ୍ମିକତା ମଧ୍ୟରେ ସେତୁବନ୍ଧଟିଏ ନିର୍ମାଣ କରିବା ସଂଗତି...

ବିବାହ ଭୋଜିରେ ଯୋଗ ଦେଉଥିଲେ ଏସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ବିବାହ ବା ଅନ୍ୟ କୌଣସି ଭୋଜିରେ ଖାଇବାକୁ ଥିଲେ ଅନେକ ଲୋକ ଆଗ୍ରହ ସହକାରେ ଅଧିକ ଖାଇବା ଦେଖାଯାଇଥାଏ। ହେଲେ ଏହା ଆଦୌ ଠିକ୍‌ ନୁହେଁ।...

ଟ୍ରେଣ୍ଡି ରେନ୍‌କୋଟ୍‌

ବର୍ଷାଦିନେ ଛତା ଓ ରେନ୍‌କୋଟ୍‌ର ଚାହିଦା ଖୁବ୍‌ ବଢ଼ିଯାଏ। ଆଉ ସେହି ଚାହିଦାକୁ ଦେଖି ଦିନକୁ ଦିନ ନୂଆ ନୂଆ ଡିଜାଇନ୍‌ର ଛତା ଓ ରେନ୍‌କୋଟ୍‌...

ଡାଇବେଟିସ ଦୂର କରିବ ଆମ୍ବପତ୍ରରୁ ପ୍ରସ୍ତୁତ ମଦ

ଗ୍ବାଲିୟରର ଜିଓ୍ବାଜୀ ୟୁନିଭରସିଟିର ଛାତ୍ରମାନେ ଆମ୍ବପତ୍ରରୁ ଏକ ମଦ ପ୍ରସ୍ତୁତ କରିଛନ୍ତି। ଏଥିରେ ୧୦-୧୨ ପ୍ରତିଶତ ଆଲ୍‌କହଲ ରହିଛି। ଏହି ମଦ ଡାଇବେଟିସ୍‌ ଏବଂ ମେଦବହୁଳତା...

ହରମୋନସ୍ତର ନିୟନ୍ତ୍ରଣ କରେ ଏହି ପାଣି…

ବ୍ୟସ୍ତବହୁଳ ଜୀବନଶୈଳୀରେ କେତେକଙ୍କଠାରେ ହରମୋନ ସମସ୍ୟା ଦେଖାଦେଇଥାଏ। ତେବେ ଏହି ସମସ୍ୟାରୁ ସହଜରେ କେତେକ ଘରୋଇ ଉପଚାର ଦ୍ୱାରା ମୁକ୍ତି ମିଳିଥାଏ। ସକାଳୁ ଜୁଆଣି ପାଣି...

ମଧୁମେହ ଲାଗି ହଳଦୀ ରାମବାଣ ସଦୃଶ

ବର୍ତ୍ତମାନ ସମୟରେ ଅଧିକାଂଶ ଲୋକ ମଧୁମେହରେ ଆକ୍ରାନ୍ତ ହେଉଛନ୍ତି। ଏହା ପରିବର୍ତ୍ତିତ ଜୀବନଶୈଳୀ ଲାଗି ହେଉଥିବା ସ୍ବାସ୍ଥ୍ୟ ସମସ୍ୟାରୁ ଅନ୍ୟତମ। ଏହି ରୋଗରେ ରକ୍ତ ସର୍କରାକୁ...

ସାଇକେଲ ଚଳାଇଲେ ଏହି ରୋଗ ଆଶଙ୍କା ଦୂର ହୁଏ

ଆଜିକାଲି ଗାଡ଼ିମୋଟର ସଂଖ୍ୟା ବୃଦ୍ଧି ପାଉଥିବାରୁ ଲୋକେ ସାଇକେଲ ଚଳାଇବା ଏକପ୍ରକାର ଭୁଲିଗଲେଣି। ମାତ୍ର ସାଇକେଲ ଚାଳନା ସ୍ବାସ୍ଥ୍ୟ ପକ୍ଷେ ଅତ୍ୟନ୍ତ ଲାଭଦାୟକ ବୋଲି ଏକ...

Coronavirus Update


selfi corner

Archives

Model This Week

Why Dharitri

Leave a comment

Your email address will not be published. Required fields are marked *