ବଜେଟରେ କ’ଣ ଗୁରୁତ୍ୱ ପାଇବା ଉଚିତ

ଡ. ସନ୍ତୋଷ କୁମାର ମହାପାତ୍ର
ବଜେଟ କେବଳ ଆୟବ୍ୟୟର ବାର୍ଷିକ ଅଟକଳ ନୁହେଁ, ସରକାର ଅର୍ଥନୀତିକୁ କିପରି ପରିଚାଳନା କରିବାକୁ ଚାହାନ୍ତି, କେଉଁ କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦେବେ, କିପରି ସମ୍ବଳ ସଂଗ୍ରହ କରିବେ ଓ ବଣ୍ଟନ କରିବେ, ତାହା ବଜେଟରେ ପ୍ରତିଫଳିତ ହୋଇଥାଏ। ରାଜ୍ୟମାନେ ତାଙ୍କ ସମ୍ବଳ ପାଇଁ ମୁଖ୍ୟତଃ କେନ୍ଦ୍ର ଉପରେ ନିର୍ଭର କରିଥାନ୍ତି। କେନ୍ଦ୍ର ସରକାର ଅର୍ଥ କମିଶନଙ୍କ ସୁପାରିସ ଅନୁଯାୟୀ ପାଣ୍ଠି ହସ୍ତାନ୍ତର କରିଥାନ୍ତି। ଏହା ଆମ ସଂଘୀୟ ବ୍ୟବସ୍ଥାର ଏକ ଅଂଶ।
ଫେବୃୟାରୀ ୧ରେ କେନ୍ଦ୍ର ଅର୍ଥମନ୍ତ୍ରୀ କେନ୍ଦ୍ର ବଜେଟ ଉପସ୍ଥାପନ କଲାବେଳେ ଫେବୃୟାରୀ ମଧ୍ୟଭାଗରେ ରାଜ୍ୟ ଅର୍ଥମନ୍ତ୍ରୀ ରାଜ୍ୟ ବଜେଟ ଉପସ୍ଥାପନ କରିବେ। ରାଜ୍ୟ ସରକାର ନିକଟରେ ଦୁଇଟି ପର୍ଯ୍ୟାୟରେ ବିଭିନ୍ନ ପ୍ରଶାସକ, ମନ୍ତ୍ରୀ, ଅର୍ଥନୀତିଜ୍ଞ, ସ୍ତମ୍ଭକାର, ସାମାଜିକ ନାଗରିକ, ଶ୍ରମିକ ସଙ୍ଗଠନଙ୍କଠାରୁ ବଜେଟ ସମ୍ପର୍କରେ ମତ ନେଇଛନ୍ତି, ଯେଉଁଥିରେ ଆମେ ଯୋଗ ଦେଇ ମତ ଦେଇଥିଲୁ। ବର୍ତ୍ତମାନ ଉଭୟ କେନ୍ଦ୍ର ଓ ରାଜ୍ୟ ପାଇଁ ପ୍ରମୁଖ ସମସ୍ୟା ହେଉଛି ସମ୍ବଳ ଅଭାବ। ବର୍ତ୍ତମାନ ପ୍ରମୁଖ ସମସ୍ୟା ହେଉଛି ଦେଶରେ ଆର୍ଥିକ ମାନ୍ଦାବସ୍ଥା ଓ ମୁଦ୍ରାସ୍ଫୀତି। ତାହାଦ୍ୱାରା କେନ୍ଦ୍ରର ରାଜସ୍ବ ଆଦାୟ ହ୍ରାସ ଓ ବ୍ୟୟ ସଙ୍କୋଚନ ଆଶଙ୍କା ଦେଖାଦେଇଛି। ଫଳରେ ରାଜ୍ୟ ସରକାର କେନ୍ଦ୍ରଠାରୁ ଯେତିକି ଅର୍ଥ ପାଇବା କଥା ତାହା ଚଳିତ ଆର୍ଥିକବର୍ଷ ଏବଂ ଆଗାମୀ ବର୍ଷରେ କମ୍‌ ହେବ। ମାନ୍ଦାବସ୍ଥା ଯୋଗୁ ରାଜ୍ୟ ସରକାରଙ୍କର ଟିକସ ଆଦାୟ ମଧ୍ୟ ବାଧାପ୍ରାପ୍ତ ହେବ। ଏଣୁ ଏହି ସମୟରେ କିପରି ଅଧିକ ସମ୍ବଳ ଆଦାୟ କରିହେବ ତାହା ପ୍ରତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଧ୍ୟାନ ଦେବା ଆବଶ୍ୟକ। ଉଲ୍ଲେଖଯୋଗ୍ୟ, ତ୍ରୟୋଦଶ ଅର୍ଥ କମିଶନଙ୍କ ସୁପାରିସ ଅନୁଯାୟୀ ରାଜ୍ୟ ସରକାରଙ୍କ ନିଜସ୍ବ ଟିକସ-ଜିଏସ୍‌ଡିପି ଅନୁପାତ ୬.୭୫% ସର୍ବନିମ୍ନ ରହିବା କଥା। କିନ୍ତୁ ଓଡ଼ିଶାରେ ୨୦୧୯-୨୦ରେ ୬.୧୦% ଧାର୍ଯ୍ୟ କରାଯାଇଥିଲା। ଅବଶ୍ୟ ଅନେକ ରାଜ୍ୟ କ୍ଷେତ୍ରରେ ଏହା ମଧ୍ୟ ଓଡ଼ିଶାଠାରୁ କମ୍‌। ସେହିପରି ଭାରତର ଟିକସ-ଜିଡିପି ଅନୁପାତ ପ୍ରାୟ ୧୭.୭% ପାଖାପାଖି, ଯାହା ବିଶ୍ୱରେ ସର୍ବନିମ୍ନ କହିଲେ ଭୁଲ୍‌ ହେବନାହିଁ। ଅନେକ ଉନ୍ନତ ଦେଶରେ ଏହା ୨ ଗୁଣ। ଏଣୁ ଯଦି ଅଭିବୃଦ୍ଧି ଅନୁସାରେ ଟିକସ ଆଦାୟ ନ ହେଲା ତେବେ ସରକାରୀ ବ୍ୟୟ ବୃଦ୍ଧିପାଇବ କିପରି? ଭାରତରେ ଯେଉଁମାନେ ସରକାରରେ ରହୁଛନ୍ତି ସେମାନେ ଟିକସ ଫାଙ୍କି ରୋକିବାରେ ବିଫଳ ହେବା ସହିତ ଧନିକ ଶ୍ରେଣୀ ଏବଂ କର୍ପୋରେଟମାନଙ୍କଠାରୁ ଅଧିକ ଟିକସ ଆଦାୟ କରିବାରେ ବିଫଳ। ନିକଟରେ ପ୍ରଭାବୀ କର୍ପୋରେଟ ଟିକସ ୩୫%ରୁ ୨୫.୧%କୁ ଅର୍ଥମନ୍ତ୍ରୀ ହ୍ରାସ କରିବା ସତ୍ତ୍ୱେ କମ୍ପାନୀମାନେ ପୁଣି ଏହାକୁ ୧୫%କୁ ହ୍ରାସ କରିବାକୁ ଦାବି କରୁଛନ୍ତି। ଏପରିକି ଦୀର୍ଘକାଳୀନ ପୁଞ୍ଜି ଲାଭ କରି ଲାଭାଂଶ ବଣ୍ଟନ ଟିକସ ଉଚ୍ଛେଦ ପାଇଁ ଚାହଁୁଛନ୍ତି। ପ୍ରଶ୍ନ ହେଉଛି ସରକାର କାହା ଉପରେ ଟିକସ ଧାର୍ଯ୍ୟ କରିବେ? ମାନ୍ଦାବସ୍ଥାକୁ ପ୍ରତିହତ କରିବା ପାଇଁ ଅଧିକ ସରକାରୀ ବ୍ୟୟ କରିବା ଉଚିତ। ସାଧାରଣ ଜନତା ବ୍ୟବହାର କରୁଥିବା ଦ୍ରବ୍ୟ ଉପରୁ ଟିକସ ହ୍ରାସ କରିବା ଉଚିତ। ଅପରପକ୍ଷରେ ସମ୍ପଦ କର ଓ ଉତ୍ତରାଧିକାରୀ କର ଧାର୍ଯ୍ୟ କରି ଅଧିକ ସମ୍ବଳ କେନ୍ଦ୍ର ସରକାର ଆଦାୟ କରିବା ଉଚିତ। ରାଷ୍ଟ୍ରାୟତ୍ତ ଶିଳ୍ପର ଘରୋଇକରଣରୁ ନିବୃତ୍ତ ରହିବା ଆବଶ୍ୟକ କାରଣ ଏହାଦ୍ୱାରା ରାଷ୍ଟ୍ରର କ୍ଷମତା କେବଳ ହ୍ରାସ ପାଉନି, ରାଷ୍ଟ୍ରର ସମ୍ପତ୍ତି ବ୍ୟକ୍ତିଗତ ମାଲିକାନାକୁ ଚାଲିଯାଉଛି। ରାଜ୍ୟ ସରକାର ମଧ୍ୟ ଟିକସ ଫାଙ୍କି ରୋକିବା ସହିତ ଅନାଦାୟ ଟିକସ ଆଦାୟ କରିବା ଉଚିତ। ପୁନଶ୍ଚ ରାଜ୍ୟ ସରକାର ପ୍ରଦୂଷଣ ଟିକସ, ରିୟଲ ଇଷ୍ଟେଟ ଉପରେ ଟିକସ, ଦାମୀ ଗାଡି ଉପରେ ଅଧିକ ଟିକସ ଧାର୍ଯ୍ୟକରିବା ଉଚିତ। ବ୍ୟବହୃତ ହେଉ ନ ଥିବା ଜାଗା, ବନ୍ଦ ହୋଇଥିବା ଶିଳ୍ପର କ୍ୱାର୍ଟର୍ସ ବ୍ୟବହାର କରି ରାଜସ୍ବ ଆଦାୟ କରିବା ଉଚିତ। କିପରି ସାଧାରଣ ଜନତାଙ୍କୁ କ୍ଷତି ନ ପହଞ୍ଚାଇ ଧନିକ ଶ୍ରେଣୀଠାରୁ ଅଧିକ ରାଜସ୍ବ ଆଦାୟ ହେବ ସେଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାର କମିଟି ବସାଇବା ଉଚିତ। କାରଣ ଅର୍ଥ ନ ଥିଲେ ଚାହିଁଲେ ବି କିଛି କରି ହେବନାହିଁ।
ଯେଉଁସବୁ କ୍ଷେତ୍ର ବା ସୂଚକାଙ୍କରେ ଓଡ଼ିଶା ଜାତୀୟ ହାରଠାରୁ ପଛରେ ଅଛି, ସେହି ସବୁ ସୂଚକାଙ୍କରେ ଉନ୍ନତି ଆଣିବା ପାଇଁ ବଜେଟରେ ରାଜ୍ୟ ସରକାର ପଦକ୍ଷେପ ନେବା ଉଚିତ। ଡିସେମ୍ବର ୨୦୧୯ର ତଥ୍ୟ ଅନୁସାରେ ଜାତୀୟ ହାରରେ ଖୁଚୁରା ମୁଦ୍ରାସ୍ଫୀତି ହାର ୭.୩୫% ହୋଇଥିଲା ବେଳେ ଓଡ଼ିଶାରେ ଏହା ୯.୪୧%। ଗ୍ରାମାଞ୍ଚଳରେ ମୁଦ୍ରାସ୍ଫୀତି ହାର ୯.୭୩%, ଯାହା ଭାରତରେ ସର୍ବାଧିକ। ସହରାଞ୍ଚଳରେ ଏହା ୮.୫%, ଯାହା ୪ର୍ଥ ସର୍ବାଧିକ। ଏଣୁ ଏହା ପ୍ରତି ଗୁରୁତ୍ୱ ଦେବା ଆବଶ୍ୟକ। ବର୍ତ୍ତମାନ କେନ୍ଦ୍ର ଓ ରାଜ୍ୟରେ ନୂତନ ନିଯୁକ୍ତି ହେଉନାହିଁ, ବରଂ ହ୍ରାସ ପାଉଛି। କେନ୍ଦ୍ର ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି, ମୁକ୍ତ ଅର୍ଥନୀତିର କୁପ୍ରଭାବ ଉଭୟ କେନ୍ଦ୍ର ଓ ରାଜ୍ୟ ଉପରେ ପଡୁଛି। ବିମୁଦ୍ରୀକରଣ ଏବଂ ତ୍ରୁଟିପୂର୍ଣ୍ଣ ଜିଏସ୍‌ଟିର କୁପ୍ରଭାବ ନିଯୁକ୍ତି ଉପରେ ପଡିଛି। ୨୦୧୭-୧୮ତଥ୍ୟ ଅନୁସାରେ କେନ୍ଦ୍ରର ବେକାରି ହାର ୬.୧% ହୋଇଥିଲା ବେଳେ ଓଡ଼ିଶାରେ ଏହା ୭.୧%। ଏଣୁ ଉଭୟ କେନ୍ଦ୍ର ଓ ରାଜ୍ୟ ପ୍ରଥମେ ଖାଲିପଡିଥିବା ସ୍ଥାନ ପୂରଣ କରିବା ଆବଶ୍ୟକ। ବିଶେଷକରି ଶିକ୍ଷା, ସ୍ବାସ୍ଥ୍ୟକୁ ଗୁରୁତ୍ୱ ଦେବା ଉଚିତ। ଶିକ୍ଷା ଓ ସ୍ବାସ୍ଥ୍ୟର ବ୍ୟାପକ ଘରୋଇକରଣ ଓ ଅଧିକ ବ୍ୟୟସାପେକ୍ଷ ହେବା ଯୋଗୁ ଜନସାଧାରଣଙ୍କ କ୍ରୟଶକ୍ତି ହ୍ରାସ ପାଉଛି। ଚାହିଦା ହ୍ରାସ ପାଇଁ ବିଭିନ୍ନ ପ୍ରକାର ଆର୍ଥିକ ସମସ୍ୟା ଦେଖାଦେଉଛି। ଅସଙ୍ଗଠିତ କ୍ଷେତ୍ର ତଥା ଅଣଆନୁଷ୍ଠାନିକ କ୍ଷେତ୍ରରେ ନିଯୁକ୍ତି ସୃଷ୍ଟି ମଧ୍ୟ ସଙ୍ଗଠିତ କ୍ଷେତ୍ରର ନିଯୁକ୍ତି ବୃଦ୍ଧି ସହିତ ଓତପ୍ରୋତ ଭାବେ ଜଡିତ, ଯାହା ପ୍ରତି ସରକାର ଧ୍ୟାନଦେବା ଉଚିତ। ଯେପରି ବାଙ୍ଗାଲୋରରେ ଆଇଟି ସେକ୍ଟର ବୃଦ୍ଧି ଘଟିଛି, ଓଡ଼ିଶାରେ ସେପରି ପ୍ରଚେଷ୍ଟା କରିବା ଉଚିତ। ଅଧିକାଂଶ ଓଡ଼ିଆ ପିଲା ବାଙ୍ଗାଲୋରକୁ ଚାକିରି ପାଇଁ ଯାଉଛନ୍ତି। ଏଠାରେ ଆଇଟି ସେକ୍ଟରର ଅଭିବୃଦ୍ଧି ଘଟିଲେ ନିଯୁକ୍ତି କେବଳ ସୃଷ୍ଟି ହେବନି ଓଡ଼ିଶା ପିଲା ଏଠାରେ ଚାକିରି କରିବେ ଏବଂ ଓଡ଼ିଶାର ଅଧିକ ବିକାଶ ହେବ। ସେହିପରି ବର୍ତ୍ତମାନ ଡ୍ରାଇଭରଙ୍କ ଘୋର ଅଭାବ ରହିଛି। ସରକାର ବିଭିନ୍ନ ସ୍ଥାନରେ ଡ୍ରାଇଭିଂ ଅନୁଷ୍ଠାନ ଖୋଲି ମାଗଣା ତାଲିମ ଦେବା ଆବଶ୍ୟକ। ସେମାନଙ୍କୁ ଲାଇସେନ୍ସ ଦେବା ସହିତ ତାଙ୍କର ମଜୁରି ମଧ୍ୟ ସ୍ଥିର କରିବା ଆବଶ୍ୟକ। ଯିଏ ଚାହିଁବ ଦିନିକିଆ ବା ମାସିକିଆ ଭାବେ ତାଙ୍କୁ ନେଇପାରିବ। ମହିଳାମାନେ ମଧ୍ୟ ଏହି କ୍ଷେତ୍ରରେ ପ୍ରବେଶ କରିପାରିବେ।
କୃଷି କ୍ଷେତ୍ର ଆଜି ଅବହେଳିତ। ଚାଷୀ ଆତ୍ମହତ୍ୟା ଏବଂ ଚାଷୀ ତା’ ଦ୍ରବ୍ୟର ପ୍ରକୃତ ମୂଲ୍ୟ ନ ପାଇବା ଏକ ବଡ ସମସ୍ୟା। ରାଜ୍ୟର ଅନେକ ଶୀତଳଭଣ୍ଡାର ଅଚଳ। ତାକୁ ପୁନଃକ୍ଷମ କରିବା ଏବଂ ନୂତନ ପ୍ରତିଷ୍ଠା କରିବା ଆବଶ୍ୟକ। ଚାଷୀମାନେ ଯେଉଁ ଶସ୍ୟହାନିର ସମ୍ମୁଖୀନ ହେଉଛନ୍ତି ତାହାର ଭରଣା ପାଇଁ ଶସ୍ୟବୀମାକୁ ବ୍ୟାପକ କରିବା ଜରୁରୀ। ପ୍ରତ୍ୟେକ ବର୍ଷ କେତେ ଜମି ଜଳସେଚିତ ହେଲା ତାହାର ତଥ୍ୟ ପ୍ରଦାନ ସହ ତାହା ବୃଦ୍ଧି କରିବା ଆବଶ୍ୟକ। ଚାଷୀମାନେ କେବଳ ନିର୍ଦ୍ଦିଷ୍ଟ ଫସଲ ଉତ୍ପାଦନକୁ ପ୍ରାଧାନ୍ୟ ନ ଦେଇ ଅନ୍ୟ ଫସଲ କିପରି ଚାଷ କରିବେ ତାହା ପ୍ରତି ସରକାର ପ୍ରାଧାନ୍ୟ ଦେବା ଦରକାର। ଏବେ ବି ଓଡ଼ିଶା ଆଳୁ, ମାଛ, ଅଣ୍ଡା, ଫୁଲ, ପିଆଜ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ। ରାଜ୍ୟ ସରକାର ଏକାବେଳେ ସବୁ କ୍ଷେତ୍ର ଉପରେ ଗୁରୁତ୍ୱ ନ ଦେଇ ଗୋଟିଏ ବର୍ଷରେ ଗୋଟିଏରେ ଆତ୍ମନିର୍ଭରଶୀଳ ହେବା ପାଇଁ ପଦକ୍ଷେପ ନିଅନ୍ତୁ। ଶସ୍ତାରେ ଋଣ ଦିଅନ୍ତୁ। ସେହିପରି ଅଣସଙ୍ଗଠିତ କ୍ଷେତ୍ରର ଶ୍ରମିକମାନଙ୍କ ପାଇଁ କର୍ପସ ପାଣ୍ଠି ଗଠନ କରନ୍ତୁ। ଯଦି ସରକାର ଠିକା ନିଯୁକ୍ତି ଦେଉଛନ୍ତି ତାହା କୌଣସି ଏଜେନ୍ସି ଦ୍ୱାରା ନ ଦେଇ ନିଜେ ଦିଅନ୍ତୁ, ଯାହାକୁ ଭବିଷ୍ୟତରେ ସ୍ଥାୟୀ କରିବେ। ଏଜେନ୍ସିମାନେ ଠିକା ଚାକିରିଆଙ୍କୁ ଶୋଷଣ କରୁଛନ୍ତି।
ବର୍ତ୍ତମାନ ଦେଶରେ ଯୌଥ ପରିବାର ଖଣ୍ଡବିଖଣ୍ଡିତ ହେବା ସହିତ ଅଧିକାଂଶ ପିଲା ବାହାରେ ରହିବା ଯୋଗୁ ବାର୍ଦ୍ଧକ୍ୟ ଅବସ୍ଥାରେ ଅନେକ ଲୋକଙ୍କ ପାଖରେ ପ୍ରଚୁର ଅର୍ଥ ଥାଇ ମଧ୍ୟ ତାଙ୍କ ଯତ୍ନ ନେବା ପାଇଁ ବିଶ୍ୱସ୍ତ ଲୋକ ମିଳୁନାହାନ୍ତି। ଏଣୁ ସରକାର ଅନେକ ମହିଳା, ନର୍ସ, ପୁରୁଷମାନଙ୍କୁ ସ୍ବତନ୍ତ୍ର ଲାଇସେନ୍ସ ପ୍ରଦାନ କରନ୍ତୁ। ସେମାନେ ମଧ୍ୟ ହସ୍ପିଟାଲରେ ରୋଗୀର ସହାୟକଭାବେ କାର୍ଯ୍ୟ କରିପାରିବେ। ଆହୁରି ମଧ୍ୟ ସରକାର ବିଭିନ୍ନ ଫ୍ଲାଟକୁ ଭଡ଼ାରେ ନେଇ ଜରାନିବାସ ଭାବେ ବ୍ୟବହାର କରିପାରିବେ। ଗରିବ ଅସହାୟ ବୟସ୍କମାନଙ୍କ ପାଇଁ ମଧ୍ୟ ଅନୁରୂପ ସେବା ପ୍ରଦାନ କରିବା ପାଇଁ ଏନ୍‌ଜିଓମାନଙ୍କୁ ପ୍ରୋତ୍ସାହନ ଦେବା ଉଚିତ। ଅନେକ ଲୋକ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀର ଅଭାବ ତଥା ସାମାନ୍ୟ ରକ୍ତଚାପ ଏବଂ ମଧୁମେହ ଔଷଧ ଜାଣିଶୁଣି ନ ଖାଇବା ଯୋଗୁ ହୃଦ୍‌ଘାତ, ମସ୍ତିଷ୍କଘାତ, ପକ୍ଷାଘାତ, ବୃକ୍କ ଅଚଳ ପରି ରୋଗରେ ପଡୁଛନ୍ତି ବା ମରୁଛନ୍ତି। ଏହି ରୋଗ ଯୋଗୁ ସେମାନେ ସର୍ବସ୍ବାନ୍ତ ହେଉଛନ୍ତି। ଯଦି ସାମାଜିକ ସଚେତନତା ସୃଷ୍ଟି କରାଯାଆନ୍ତା ଏବଂ ଗରିବ ଶ୍ରେଣୀଙ୍କୁ ଔଷଧ ମାଗଣାରେ ଯୋଗାଯାଇ ପାରନ୍ତା ତେବେ ଅନେକେ ଦାରିଦ୍ର୍ୟର ଗହ୍ବରକୁ ଠେଲି ହୋଇଯାଆନ୍ତେ ନାହିଁ। ବିଭିନ୍ନ ଅଞ୍ଚଳରେ ସାମାଜିକ ମଙ୍ଗଳ ଅଧିକାରୀ ନିଯୁକ୍ତ ହେବା ଆବଶ୍ୟକ। ପୁନଶ୍ଚ ପର୍ଯ୍ୟଟନର ବିକାଶ ହେଲେ ମଧ୍ୟ ଅଧିକ ନିଯୁକ୍ତି ସୃଷ୍ଟି ହେବ। ଆମ ରାଜ୍ୟରେ ଏପରି ଅନେକ ସ୍ଥାନ ରହିଛି ଯାହାର ବିକାଶ କରାଗଲେ ତାହା ଉନ୍ନତ ପର୍ଯ୍ୟଟନସ୍ଥଳୀ ଭାବେ ଉଭା ହୁଅନ୍ତା। ପରୋକ୍ଷରେ ନିଯୁକ୍ତି ସୃଷ୍ଟି ହୁଅନ୍ତା। ସରକାର ମଧ୍ୟ ଅନାବଶ୍ୟକ ବ୍ୟୟ ହ୍ରାସ କରିବା ଉଚିତ। ଭିଆଇପି ସଂସ୍କୃତିକୁ ଲୋପ କରିବା ଉଚିତ। ରାଜ୍ୟ ସରକାରଙ୍କ ଅଫିସରେ ବିଭିନ୍ନ କାର୍ଯ୍ୟ ପାଇଁ ନିର୍ଦ୍ଦିଷ୍ଟ ସମୟସୀମା ରହିବା ଉଚିତ। ଗୋଟିଏ ଦସ୍ତଖତ ପାଇଁ ମାସେ ଲାଗିବା ଅନୁଚିତ। ଯେତେବେଳେ ସମ୍ବଳ ଅଭାବ ସେତେବେଳେ ପ୍ରଶାସନିକ ଦକ୍ଷତା, ସୁଶାସନ ଓ କର୍ମଚାରୀଙ୍କ କର୍ତ୍ତବ୍ୟନିଷ୍ଠା ଯୋଗୁ ମଧ୍ୟ ପ୍ରଗତି ହାସଲ କରାଯାଇପାରିବ।
ମୋ-୯୪୩୭୨୦୮୭୬୨, skmohapatra67@gmail.com


All Right Reserved By Dharitri.Com

ନମସ୍କାର ଓ ଆଶୀର୍ବାଦ

ଅଲେଖ ଚନ୍ଦ୍ର ମିଶ୍ର ନମଃ, ନମସ୍ତେ, ନମସ୍କାର, ଜୁହାର, ଓଳଗି, ଦଣ୍ଡବତ, ପ୍ରଣାମ, ଅଭିନନ୍ଦନ, ଅଭିବାଦନ ଏ ସମସ୍ତ ପ୍ରାୟ ସମାର୍ଥକ ଶବ୍ଦ। ଏଗୁଡ଼ିକ ଏପରି...

ଆଜିର ଅର୍ଥନୀତି/ ଅର୍ଥନୀତିକୁ ଝଟକା

ମୋଟର ଯାନ ସଂଶୋଧନ ଅଧିନିୟମ, ୨୦୧୯ ଅନୁଯାୟୀ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ପୋଲିସର କଡ଼ା କାର୍ଯ୍ୟାନୁଷ୍ଠାନ ଓ ଚଢ଼ା ଜରିମାନା ଆଦାୟ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ।...

ଜୀବନର ନକ୍ସା

ମନ-ମାନଚିତ୍ର/ଡ. ନରହରି ବେହେରା ଭଗବାନ ଶ୍ରୀକୃଷ୍ଣ ଗୀତାରେ କହିଛନ୍ତି- ଆବଶ୍ୟକତାଠାରୁ ଶୀତଳ ଓ ଉଷ୍ମତାର ମାତ୍ରା କମ୍‌ ବା ବେଶି ହେଲେ ଆମ ଶରୀରକୁ ସୁଖ...

ପ୍ରୀତିଭୋଜନର ବୋଝ

ଚିତ୍ର ଚରିତ୍ର/ ନିରଞ୍ଜନ ପାଢ଼ୀ ବନ୍ଧୁ ଜଣକ ବଡ ବିମର୍ଶ ଦିଶୁଥିଲେ, ସତେ ଯେମିତି ସୌଦାଗରଙ୍କ ସାତଖଣ୍ଡ ବୋଇତ ଏକାଦିନେ ସମୁଦ୍ରରେ ବୁଡିଯାଇ ତାଙ୍କୁ ସର୍ବସ୍ବାନ୍ତ...

ରାଜ୍ୟ ବଜେଟରେ ନିଯୁକ୍ତି ପ୍ରସଙ୍ଗ

ନଟବର ଖୁଣ୍ଟିଆ ପଞ୍ଚମ ପାଳିର ନବୀନ ପଟ୍ଟନାୟକଙ୍କ ସରକାରର ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ରାଜ୍ୟ ବିଧାନସଭାରେ ଗତ ଜୁନ୍‌ ୨୮ ତାରିଖରେ ତାଙ୍କ ପ୍ରଥମ ବଜେଟ...

ଏଇ ଭାରତରେ

ଭାରତରେ ଧାର୍ମିକ ପରମ୍ପରାରେ ଏବେ ବି ଯନ୍ତ୍ରଣାଦାୟକ ବିଧି ଜମିରହିଛି। ଏମିତିକି ଆଧୁନିକତାର ସ୍ରୋତରେ ସାମିଲ ହୋଇଥିବା ରାଜପରିବାରରେ ମଧ୍ୟ ଏଭଳି କିଛି ବିଧି ଉପରେ...

ଏଇ ଭାରତରେ

ଦେଶରେ ବେଳେବେଳେ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି ହେଉଥିବାବେଳେ ଉତ୍ତରପ୍ରଦେଶର ମିରଟରେ ବାସକରୁଥିବା ଜଣେ ମୁସଲମାନ୍‌ ମହିଳା ସାମ୍ପ୍ରଦାୟିକ ସଦ୍‌ଭାବର ଉଦାହରଣ ପାଲଟିଛନ୍ତି। ୪୨ ବର୍ଷ ବୟସ୍କା...

ଭକ୍ତି ନାଁରେ ମସ୍ତି ଓ ବେପାର

ଭାଲଚନ୍ଦ୍ର ଷଡ଼ଙ୍ଗୀ ଗତ କିଛିବର୍ଷ ଧରି ଶ୍ରାବଣମାସ ଆସିଲେ ଦେଶର ରାସ୍ତାଘାଟରେ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳୁଛି। ଗେରୁଆ ପୋଷାକ ପିନ୍ଧି କାନ୍ଧରେ ରଙ୍ଗ...

Leave a comment

Your email address will not be published. Required fields are marked *