ପରିବେଶ, ପ୍ରଗତି ଓ ଗାନ୍ଧୀବାର୍ତ୍ତା

ଦିଲୀପ କୁମାର ଦାଶ
ଜାତିସଂଘର ୨୦୧୯ ଜଳବାୟୁ କ୍ରିୟାନୁଷ୍ଠାନ ସମ୍ମିଳନୀ ନ୍ୟୁୟର୍କରେ ଅନୁଷ୍ଠିତ ହୋଇଥିଲା। ସେଠାରେ ଭାରତର ପ୍ରଧାନମନ୍ତ୍ରୀ ଅଙ୍ଗାରକାମ୍ଳ ନିର୍ଗମନ ରୋକିବା ଏବଂ ଥରେ ବ୍ୟବହୃତ ପ୍ଲାଷ୍ଟିକକୁ ନିଷିଦ୍ଧ କରିବା ପାଇଁ ବିଶ୍ୱକୁ ଆହ୍ବାନ ଦେଇଥିଲେ। ସମ୍ମିଳନୀରେ ଘଟିଥିବା ଆଉ ଏକ ପ୍ରଭାବଶାଳୀ ଘଟଣା ହେଉଛି ଯୁବ ଜଳବାୟୁ କର୍ମୀ ଗ୍ରେଟା ଥନବର୍ଗଙ୍କ ଦ୍ୱାରା ବାଷ୍ପରୁଦ୍ଧ କଣ୍ଠରେ ଦିଆଯାଇଥିବା ଭାବଗର୍ଭକ ଭାଷଣ। ମାତ୍ର ଷୋହଳ ବର୍ଷ ବୟସ ହୋଇଥିଲେ ମଧ୍ୟ ସେ ଅତ୍ୟନ୍ତ ଭାବାବେଗରେ ସେଠାରେ ଉପସ୍ଥିତ ଥିବା ରାଷ୍ଟ୍ରନେତାମାନଙ୍କୁ ସେମାନଙ୍କର ଦାୟିତ୍ୱହୀନତା ପାଇଁ କଠୋର ସମାଲୋଚନା କରିଥିଲେ। ବିଗତ ତିନିଦଶନ୍ଧି ହେଲା ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧରେ ବିଶେଷଜ୍ଞମାନଙ୍କ ଦ୍ୱାରା ସତର୍କ କରାଯାଇଥିଲେ ମଧ୍ୟ ସେଥିପ୍ରତି ଧ୍ୟାନ ନ ଦେଇ ଅର୍ଥ ଏବଂ ଅନ୍ତହୀନ ଆର୍ଥିକ ପ୍ରଗତିର କାହାଣୀ ଶୁଣାଇଥିବାରୁ ଥନବର୍ଗ ସେମାନଙ୍କୁ ଭର୍ତ୍ସନା କରିଥିଲେ।
ପ୍ରଗତି ଅଷ୍ଟାଦଶ ଶତକରେ ହୋଇଥିବା ଇଉରୋପୀୟ ନବଜାଗରଣର ପ୍ରମୁଖ ବାର୍ତ୍ତା। ଇଏ ସେହି ସମୟ, ଯେତେବେଳେ ମଣିଷ ନିଜକୁ ଜଗତର କେନ୍ଦ୍ର ଭାବିବା ଆରମ୍ଭ କଲା। ବିଜ୍ଞାନ ବଳରେ ସବୁକିଛିକୁ ନିୟନ୍ତ୍ରଣ କଲା। ପ୍ରକୃତିକୁ ପୂଜା କରୁଥିବା ମଣିଷ ପ୍ରକୃତିକୁ ଦାସ ବନେଇଲା। ସମୟକ୍ରମେ, ଉପନିବେଶବାଦ, ସାମ୍ରାଜ୍ୟବାଦ ତଥା ଆଧୁନିକୀକରଣ ଇତ୍ୟାଦି ବିଭିନ୍ନ ଭାବରେ ପ୍ରଗତିର ଏ ବାର୍ତ୍ତା ସାରା ବିଶ୍ୱରେ ପହଞ୍ଚିଛି। ଆଜି ସାରା ବିଶ୍ୱ ଅସରନ୍ତି ପ୍ରଗତିରେ ବିଶ୍ୱାସ କରେ। ଆମ ବିକାଶର ପରିଭାଷାରେ ପ୍ରଗତିର ଏ ବାର୍ତ୍ତା ଅନ୍ତର୍ନିହିତ। ଗାଁ ବଦଳରେ ସହର, ବଣଜଙ୍ଗଲ ବଦଳରେ ସିମେଣ୍ଟର ଜଙ୍ଗଲ, ନଦୀରେ ବନ୍ଧ, ବିଶାଳ କଳକାରଖାନା- ଏସବୁର ଶେଷ ନାହିଁ। ବିକାଶର ନୂଆ ନୂଆ ଯୋଜନା ପ୍ରକୃତି ବିରୋଧରେ ମଣିଷର ଆକ୍ରମଣ ଭଳି। ନଦୀବନ୍ଧ ହିଁ ଆଧୁନିକ ଭାରତର ପୂଜାଘର- ସ୍ବାଧୀନ ଭାରତର ଶୈଶବରେ ନେହେରୁଙ୍କର ଏ ବାର୍ତ୍ତା ଭୁଲିବାର ନୁହେଁ। ପ୍ରଗତି ଆମକୁ ଏମିତି ଅନ୍ଧ କରିଛି ଯେ ଆଜି ଆମେ ଭବିଷ୍ୟତର ନୂଆ ନୂଆ ସ୍ବପ୍ନ ଦେଖି ତାକୁ ସାକାର କରିବାରେ ବ୍ୟସ୍ତ ଅଛୁ।
ଅନ୍ତହୀନ ପ୍ରଗତିକୁ ମୁଖ୍ୟ ସ୍ରୋତ ଭାବେ ଗ୍ରହଣ କରି ଆମେ ବିକାଶର ଉଦ୍ଦେଶ୍ୟକୁ ଭୁଲି ଯାଇଛୁ। ଅନ୍ତର୍ନିହିତ ସମ୍ଭାବନାର ପରିସ୍ଫୁଟନ ହିଁ ବିକାଶ। ଏହାର ସ୍ରୋତ କେବେ ଗୋଟିଏ ହୋଇ ନ ପାରେ। ଗାଁଗଣ୍ଡା, ନଦୀପଠା, ପାହାଡ଼ଜଙ୍ଗଲ ସମସ୍ତେ କେବେ ଗୋଟିଏ ଧାରାରେ ବିକଶିତ ହୋଇ ପାରିବେ ନାହିଁ, କାରଣ ସମସ୍ତଙ୍କର ସମ୍ଭାବନା ଭିନ୍ନ। କିନ୍ତୁ ଆମେ ପଶ୍ଚିମୀ ପ୍ରଗତିର ଗୋଲାମ। ସବୁଠି ସହରୀ ଚାକଚକ୍ୟ ଖୋଜୁ। ଗାନ୍ଧୀଙ୍କ ସ୍ବପ୍ନର ଭାରତ ସମ୍ଭବତଃ ଭିନ୍ନ ଥିଲା। ପଶ୍ଚିମୀ ପ୍ରଗତିର ଭୟାବହତା ସମ୍ବନ୍ଧରେ ସେ ଅବଗତ ଥିଲେ। ଏପରି କି, ଭାରତ କେବଳ ବ୍ରିଟେନ ଦ୍ୱାରା ନିଷ୍ପେଷିତ ନୁହେଁ, ବରଂ ଉଭୟ ଭାରତ ଓ ବ୍ରିଟେନ ଗୋଟିଏ ପଶ୍ଚିମୀ ସଭ୍ୟତାର ମାନସିକତାରେ ଆକ୍ରାନ୍ତ ବୋଲି ସେ ବିଶ୍ୱାସ କରୁଥିଲେ। ସେହି ମାନସିକତା ଭାରତ ଉପରେ ବ୍ରିଟେନର ଆଧିପତ୍ୟକୁ ଅନେକାଂଶରେ ସହଜ କରିଛି। ସେଥିରୁ ମୁକ୍ତି ହିଁ ଭାରତର ସ୍ବାଧୀନତା ଏବଂ ଭବିଷ୍ୟତ ନିର୍ମାଣର ଆଧାର ବୋଲି ସେ ଆହ୍ବାନ ଦେଇଥିଲେ। ବିଜ୍ଞାନର ଆବଶ୍ୟକତା ଅନୁଯାୟୀ ବିନିଯୋଗ, ଧୀର ଗତି, ସ୍ବେଚ୍ଛାକୃତ ଗରିବୀ, ଗ୍ରାମ ସ୍ବରାଜ ଇତ୍ୟାଦି ତାଙ୍କର ବାର୍ତ୍ତା ପଶ୍ଚିମୀ ପ୍ରଗତିର ବିପରୀତ। ଏ ବାର୍ତ୍ତାରେ ଉତ୍ପାଦନ ଓ ଆର୍ଥିକ ପ୍ରଗତିର ଉଦ୍ଦାମତାରେ ପରିବେଶ ଧ୍ୱଂସର ଦାୟିତ୍ୱହୀନତା ନାହିଁ, ବରଂ ନିଜର ଅସରନ୍ତି ଇଚ୍ଛା ଏବଂ ଉପଭୋଗ ବଦଳରେ ସଂକ୍ଷିପ୍ତ ଆବଶ୍ୟକତା ପୂରଣ କରି ପରିବେଶ ସହ ସହାବସ୍ଥାନର ବାର୍ତ୍ତା ରହିଛି। ସେହି ସତ୍ୟର ଅବଧାରଣା ଏବଂ ସହାବସ୍ଥାନ ହିଁ ଗାନ୍ଧୀଙ୍କର ଅହିଂସା ତତ୍ତ୍ୱ। କୌଣସି ତତ୍ତ୍ୱକୁ ଅନ୍ଧଭାବରେ ଗ୍ରହଣ ନ କରି ସତ୍ୟର ଅନ୍ବେଷଣ ହିଁ ଆଧୁନିକତାର ମୂଳ ମନ୍ତ୍ର ଏବଂ ଗାନ୍ଧୀ ଥିଲେ ସେ ସତ୍ୟର ପୂଜାରୀ।
ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ଅଗ୍ରଗତି ସତ୍ତ୍ୱେ ଜଳବାୟୁ ପରିବର୍ତ୍ତନ ଓ ତା’ ପ୍ରଭାବରେ ହେଉଥିବା ତାପମାତ୍ରା ବୃଦ୍ଧି, ସମୁଦ୍ର ଜଳପତ୍ତନର ଅଭିବୃଦ୍ଧି ତଥା ପ୍ରାକୃତିକ ସନ୍ତୁଳନରେ ବ୍ୟାଘାତ ଇତ୍ୟାଦି ଦିନକୁ ଦିନ ମଣିଷର ଅସହାୟତାକୁ ପ୍ରମାଣ କରିଚାଲିଛି। ଜଳବାୟୁ ପରିବର୍ତ୍ତନ ଏମିତି ଏକ ସମସ୍ୟା ଯାହା ଧନୀ-ଗରିବ, ଉଚ୍ଚ-ନୀଚ ନିର୍ବିଶେଷରେ ସମସ୍ତଙ୍କୁ ଆକ୍ରାନ୍ତ କରିବ। ଏକମୁହାଁ ବିକାଶର ମହାରଥୀମାନେ ଅନ୍ତହୀନ ପ୍ରଗତିର ବିଭୀଷିକାକୁ ବୁଝନ୍ତୁ ବା ନ ବୁଝନ୍ତୁ, ବିକାଶର ଅନ୍ତରାଳରେ ରହିଥିବା ମଣିଷ ବୁଝିଛି ଏବଂ ସାରା ଦୁନିଆକୁ ବୁଝାଇବାର ଚେଷ୍ଟା ଜାରି ରଖିଛି। ବିକାଶର ରଥଚକ ତଳେ ଉଜୁଡ଼ିବାକୁ ଯାଉଥିବା ଗାଁର ଧାନ-ପାନ-ମାଛକୁ ବଞ୍ଚେଇବାକୁ ଲଢ଼େଇ ଆଉ ପାହାଡ଼ୀ ମଣିଷର ଜଳ-ଜଙ୍ଗଲ-ଜମିକୁ ଜୀବନଦେଇ ବଞ୍ଚେଇବାର ସଂଘର୍ଷ ସେ ପ୍ରଚେଷ୍ଟାର ଉଦାହରଣ। ଅଙ୍ଗାରକାମ୍ଳ ନିର୍ଗମନର ପ୍ରତିଶତ କମାଇବାର ପ୍ରତିଶ୍ରୁତି ଯେ ଯଥେଷ୍ଟ ନୁହେଁ ତାହା ଗ୍ରେଟା ଥନବର୍ଗ ତାଙ୍କ ଭାଷଣରେ ସତର୍କ କରାଇଛନ୍ତି। ଜଳବାୟୁ ପରିବର୍ତ୍ତନର ପ୍ରଭାବ ସହିବାକୁ ଯାଉଥିବା ଆଗାମୀ ପିଢ଼ି ତରଫରୁ ସେ ଯେଉଁ ସତର୍କ ଘଣ୍ଟି ବଜାଇଛନ୍ତି ତାହା ବିକାଶର ପରିଭାଷାକୁ ସଂଶୋଧନ କରିବା ପାଇଁ ଏକ ଆହ୍ବାନ। ଗାନ୍ଧୀଙ୍କର ‘ହିନ୍ଦ୍‌-ସ୍ବରାଜ’ ହୁଏତ ଏହି ରାସ୍ତାରେ ପଥ ପ୍ରଦର୍ଶକ ହୋଇ ପାରିବ।
ହାଇଦ୍ରାବାଦ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ମୋ- ୯୮୬୬୫୬୬୮୨୩


All Right Reserved By Dharitri.Com

ସରିନି ସଂଗ୍ରାମ, ମିଳିନି ସ୍ବାଧୀନତା

ସବ୍ୟସାଚୀ ଅମିତାଭ ଦେଶ ସ୍ବାଧୀନତାର ୭୩ତମ ବର୍ଷ ପାଳନ କରୁଛି। ଏହି ପବିତ୍ର ଦିନରେ ସ୍ବାଧୀନତାକୁ ନେଇ ପ୍ରକାଶ ପାଉଛି ଅନେକ ଅନୁଚିନ୍ତା। ହେଲେ ସ୍ବାଧୀନତାର...

କଶ୍ମୀରରେ ଅସ୍ବାଭାବିକତା

ଆକାର ପଟେଲ ଦୁଇବର୍ଷ ପରେ ଚଳିତ ସପ୍ତାହରେ ମୁଁ ଶ୍ରୀନଗର ଯାଇଥିଲି ଏବଂ ସେଠାରେ ଅଳ୍ପ କିଛିଦିନ କଟାଇଲି। ମୁଁ ଭାବୁଛି ସେଠାରେ କ’ଣ ଚାଲିଛି...

ଏଇ ଭାରତରେ

ପାଞ୍ଚଟି ଗାଁରେ୧୪ ବର୍ଷ ପରେ ସ୍କୁଲ ଖୋଲାଯିବା ଘଟଣା ଦେଖିବାକୁ ମିଳିଛି ଛତିଶଗଡ଼ରେ। ବିଜାପୁର ଜିଲାରେ ଇନ୍ଦ୍ରାବତୀ ଜାତୀୟ ଉଦ୍ୟାନ ଅଞ୍ଚଳରେ ରହିଥିବା ପାଞ୍ଚଟି ଗାଁରେ...

ବୌଦ୍ଧିକ ସ୍ବଚ୍ଛତା

ପ୍ରକାଶ ତ୍ରିପାଠୀ ସବୁ ମଣିଷ ସମାନ। ଏ କଥା କେବଳ ଆମ ଧର୍ମଗ୍ରନ୍ଥ ବା ଶାସ୍ତ୍ର ଆଦିରେ ଲେଖା ନାହିଁ। ଆମ ବିବେକ ମଧ୍ୟ ସ୍ବୀକାର...

ଫନୀରୁ ଫାଇଦା

ଡ. ଚିନ୍ତାମଣି ପଣ୍ଡା ଚକ୍ରବାତ ଫନୀ ତାଣ୍ଡବ ରଚିବା ପରେ ଅପସରି ଯାଇଛି। କିନ୍ତୁ ପଛରେ ଛାଡିଯାଇଛି ଧ୍ୱଂସସ୍ତୂପର ବିଭୀଷିକା, ଛାରଖାର କରିଯାଇଛି ସଂସାରର ସବୁଜିମା।...

ଆମେ କେତେ ସୁଖୀ

ଡା. ସୁରେନ୍ଦ୍ରନାଥ ପତି ସୁଖ ବିଷୟରେ ଜାଣିବା ପୂର୍ବରୁ ତାହା କ’ଣ ଓ କିପରି ଲାଭ ହୋଇଥାଏ ପ୍ରଥମେ ଜାଣିବା। ହାପିନେସ୍‌ ବା ଖୁସି କହିଲେ...

ପାହାଡ଼ ମଣିଷ

ଡ. ଛାୟାକାନ୍ତ ଷଡ଼ଙ୍ଗୀ ପୃଥିବୀରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ପୁଣ୍ୟ ଅର୍ଜନ କରି ପାରଲୌକିକ ସୁଖ ଲାଭ କରିବା ପାଇଁ ମନ୍ଦିର, ମସ୍‌ଜିଦ,...

ବେଦଭାଷ୍ୟ ଓ ଶ୍ରୀଅରବିନ୍ଦ

ଜନ୍ମେଜୟ ଦ୍ୱିବେଦୀ ପୃଥିବୀପୃଷ୍ଠରେ ଶ୍ରୀଅରବିନ୍ଦଙ୍କ ଜନ୍ମର ତାତ୍ପର୍ଯ୍ୟ ସମ୍ପର୍କରେ ଶ୍ରୀମାଙ୍କର ବକ୍ତବ୍ୟ ଯଥେଷ୍ଟ ପରିମାଣରେ ତାଙ୍କୁ ନେଇ ଅନେକ ଭୁଲ ବୁଝାମଣା ଦୂର କରିବା ସଙ୍ଗେ...

Leave a comment

Your email address will not be published. Required fields are marked *