କୃଷିର ସ୍ଥିତି ଚିନ୍ତାଜନକ

ନଟବର ଖୁଣ୍ଟିଆ
କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ରାଜ୍ୟ କୃଷି ଗଣନା ପ୍ରତି ପାଞ୍ଚ ବର୍ଷରେ ଥରେ ହେଉଛି। ୨୦୧୦-୧୧ରେ କୃଷି ଗଣନା ହୋଇଥିବା ବେଳେ ୨୦୧୫-୧୬ରେ କୃଷି ଗଣନା ହୋଇ ତାହାର ରିପୋର୍ଟ ଦୁଇଟି କିସ୍ତିରେ ୨୦୧୯ ମସିହା ଜୁନ ଓ ନଭେମ୍ବରରେ ପ୍ରକାଶ ପାଇଛି। ଏହି ଗଣନା ରିପୋର୍ଟକୁ ଅନୁଧ୍ୟାନ କଲେ ଓଡ଼ିଶା କୃଷିର ସ୍ଥିତି ସାମଗ୍ରିକ ଭାବେ ଚିନ୍ତାଜନକ।
ରାଜ୍ୟର ୮୦ ପ୍ରତିଶତ ଲୋକ ଗ୍ରାମାଞ୍ଚଳରେ ବାସ କରନ୍ତି ଆଉ ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ କୃଷି ଓ କୃଷି ଆନୁଷଙ୍ଗିକ ବୃତ୍ତି ଉପରେ ନିର୍ଭର କରି ଚଳନ୍ତି। ଯଦି ଏହି ୮୦ ଭାଗ ପାଖାପାଖି ଲୋକଙ୍କ ଆୟ ବୃଦ୍ଧି ପାଇବ ନାହିଁ ତେବେ ଆମ ରାଜ୍ୟର ବିକାଶ ହେବ କି? ୮୦ ଭାଗ ଲୋକଙ୍କ ଆୟ ବୃଦ୍ଧି ନ ହେଲେ ରାଜ୍ୟର ମୋଟ ଘରୋଇ ଉତ୍ପାଦ ବୃଦ୍ଧି ପାଇବ କି? ଆମ ରାଜ୍ୟରେ ମୋଟ ଘରୋଇ ଉତ୍ପାଦକୁ କୃଷିକ୍ଷେତ୍ରର ଅବଦାନ ମାତ୍ର ୧୮ ପ୍ରତିଶତ, ଯଦିଚ ପ୍ରାୟ ୮୦ ଭାଗ ଲୋକ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ କୃଷି ଓ କୃଷି ଆନୁଷଙ୍ଗିକ ବୃତ୍ତି ଉପରେ ନିର୍ଭର କରନ୍ତି।
ପ୍ରଥମେ ଆସନ୍ତୁ ରାଜ୍ୟର ଚାଷୀ ପରିବାର ସଂଖ୍ୟା ଉପରେ ଦୃଷ୍ଟି ପକାଇବା। ବିଭିନ୍ନ ବର୍ଷର କୃଷି ଗଣନା ଅନୁସାରେ ଚାଷୀ ପରିବାରର ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇବାକୁ ଲାଗିଛି। ୨୦୧୦-୧୧ରେ ୪୬.୬୭ ଲକ୍ଷ ଚାଷୀ ପରିବାର ଥିବା ବେଳେ ୨୦୧୫-୧୬ରେ ଏହା ବୃଦ୍ଧିପାଇ ହେଲାଣି ୪୮.୬୬ ଲକ୍ଷ। ନାମମାତ୍ର ଚାଷୀଙ୍କ ସଂଖ୍ୟା ୨୦୧୦-୧୧ରେ ୩୩.୬୮ ଲକ୍ଷ ଥିବାବେଳେ ବୃଦ୍ଧିପାଇ ହେଲାଣି ୩୮.୩୭ ଲକ୍ଷ ୨୦୧୫-୧୬ରେ। ନାମମାତ୍ର ଚାଷୀ କହିଲେ ବୁଝାଯାଏ ଯେଉଁମାନଙ୍କର ଜମି ଏକ ହେକ୍ଟରରୁ କମ୍‌। ୨୦୧୦-୧୧ରେ ନାମମାତ୍ର ଚାଷୀ ମୋଟ ଚାଷୀ ସଂଖ୍ୟାର ୭୨.୧୭ ପ୍ରତିଶତ ହୋଇଥିବାବେଳେ ୨୦୧୫-୧୬ରେ ସେହି ସଂଖ୍ୟା ବୃଦ୍ଧି ପାଇ ହୋଇଛି ୭୪.୭୪ ପ୍ରତିଶତ। ସେମାନଙ୍କ ପାଖରେ ଅଛି ମୋଟ ଚାଷଜମିର ୪୦ ପ୍ରତିଶତ ଜମି। ୨୦୧୦-୧୧ରେ ଚାଷୀ ପରିବାର ପିଛା ହାରାହାରି ଚାଷଜମି ୧.୦୪ ହେକ୍ଟର ଥିବାବେଳେ ୨୦୧୫-୧୬ରେ ହ୍ରାସପାଇ ହୋଇଛି ମାତ୍ର ୦.୯୫ ହେକ୍ଟର। ଏହା ସୂଚାଇ ଦେଉଛି ଯେ ଜମି ଖଣ୍ଡବିଖଣ୍ଡିତ ହୋଇଚାଲିଛି, ଯାହାକି ଯାନ୍ତ୍ରିକ ପ୍ରଣାଳୀରେ ଚାଷକରିବା ଅସମ୍ଭବ ହୋଇପଡୁଛି। ସୁତରାଂ ଚାଷ ଲାଭଜନକ ହୋଇପାରୁ ନାହିଁ। ଏହି ସମସ୍ୟା ପ୍ରତି ଧ୍ୟାନ ଦେଇ ଜମି ଯେପରି ଆଉ ଖଣ୍ଡବିଖଣ୍ଡିତ ନ ହେବ, ନାମକୁମାତ୍ର ଚାଷୀ ସଂଖ୍ୟା ବୃଦ୍ଧି ନ ହେବ ସେଥିପାଇଁ ଦୀର୍ଘମିଆଦୀ ଯୋଜନା ପ୍ରସ୍ତୁତ କରିବା ଆବଶ୍ୟକ। କୃଷିର ଉତ୍ପାଦିକା ଶକ୍ତି ପାଇଁ ଜଳସେଚନର ଭୂମିକା ଗୁରୁତ୍ୱପୂର୍ଣ୍ଣ। କୃଷି ଗଣନା ରିପୋର୍ଟ କହେ ୨୦୧୦-୧୧ରେ ନିଟ୍‌ ଜଳସେଚିତ ଜମିର ପରିମାଣ ନିଟ୍‌ ଚାଷ ଜମି ପରିମାଣର ୨୭.୩୮ ପ୍ରତିଶତ ଥିବାବେଳେ ତାହା ହ୍ରାସ ପାଇ ୨୦୧୫-୧୬ରେ ହୋଇଛି ୨୭.୨୫ ପ୍ରତିଶତ। ୨୦୧୦-୧୧ରେ ୪୬.୪୨ ଲକ୍ଷ ହେକ୍ଟରରେ ଚାଷ ହେଉଥିବା ବେଳେ ୨୦୧୫-୧୬ରେ ଚାଷଜମିର ପରିମାଣ ହ୍ରାସ ପାଇ ହୋଇଛି ୪୩.୩୩ ଲକ୍ଷ ହେକ୍ଟର। ୨୦୧୦-୧୧ରେ ନିଟ୍‌ ଜଳସେଚିତ ଜମିର ପରିମାଣ ୧୨.୭୧ ଲକ୍ଷ ହେକ୍ଟର ହେବା ବେଳେ ୨୦୧୫-୧୬ରେ ହ୍ରାସ ପାଇ ହେଲା ୧୧.୮୦ ଲକ୍ଷ ହେକ୍ଟର। ସ୍ବତନ୍ତ୍ର କୃଷି ବଜେଟରେ ଦୀର୍ଘ ଛଅବର୍ଷ ଧରି ଜଳସେଚନ ପାଇଁ ସର୍ବାଧିକ ବ୍ୟୟ ବରାଦ କରୁଛନ୍ତି ସରକାର। ୨୦୧୪-୧୫ରୁ ୨୦୧୭-୧୮ ବଜେଟ୍‌ରେ ୨୬,୮୮୯ କୋଟି ଟଙ୍କା ବ୍ୟୟବରାଦ ଜଳସେଚନ ପାଇଁ ହୋଇଛି। ୨୦୧୪-୧୫ରୁ ୨୦୧୮-୧୯ ମଧ୍ୟରେ ୧୦ ଲକ୍ଷ ହେକ୍ଟର ଅଣସେଚିତ ଜମିକୁ ଜଳ ଯୋଗାଇ ଦେବାର ପ୍ରତିଶ୍ରୁତି ଅର୍ଥମନ୍ତ୍ରୀ ତାଙ୍କ ବଜେଟ ଭାଷଣରେ ଦେଇଥିବା ବେଳେ ଜଳସେଚନର ସ୍ଥିତି କ’ଣ? ରାଜ୍ୟ ଅର୍ଥନୈତିକ ସର୍ଭେର ପରିସଂଖ୍ୟାନ ଅନୁସାରେ ୨୦୧୫-୧୬ ଖରିଫ ଋତୁରେ ୨୨.୪୧ ଲକ୍ଷ ହେକ୍ଟର ଜମିକୁ ଜଳ ଯୋଗାଇ ଦିଆଯାଇଥିବା ବେଳେ ରବି ଋତୁରେ ୧୦.୫୩ ଲକ୍ଷ ହେକ୍ଟର ଜମିକୁ ଜଳ ଯୋଗାଇ ଦିଆଯାଇଥିଲା। ୨୦୧୭-୧୮ ଖରିଫ ଋତୁରେ ୨୨.୬୨ ଲକ୍ଷ ହେକ୍ଟରକୁ ଜଳ ଯୋଗାଇ ଦିଆଯାଇଥିବା ବେଳେ ରବି ଋତୁରେ ୧୧.୮ ଲକ୍ଷ ହେକ୍ଟରକୁ ଜଳଯୋଗାଇ ଦିଆଯାଇଛି। ଜଳସେଚିତ ଜମିର ବୃଦ୍ଧି ପ୍ରାୟ ନାହିଁ। ଯାହା ହୋଇଛି ତାହା ନାମକୁମାତ୍ର। ସରକାର ସନ୍ତୁଷ୍ଟ ରହୁଛନ୍ତି ଜଳସେଚନ ଉତ୍ସ ସୃଷ୍ଟି କରିବାରେ। ୨୦୧୭-୧୮ରେ ଯେତିକି ଜଳସେଚନ ଉତ୍ସ ସୃଷ୍ଟି କରାଯାଇଛି ସରକାରୀ ରିପୋର୍ଟ ଅନୁସାରେ ଖରିଫରେ ତା’ର ଉପଯୋଗ ହୋଇଛି ୫୬ ପ୍ରତିଶତ ଆଉ ରବି ଋତୁରେ ଉପଯୋଗ ହୋଇଛି ୬୩ ପ୍ରତିଶତ। ତାହାହେଲେ ଅପର୍ଯ୍ୟାପ୍ତ ଅର୍ଥ ବିନିଯୋଗ କରି ଜଳର ଉତ୍ସ ସୃଷ୍ଟି କରି ଲାଭ କ’ଣ, ଯଦି ପ୍ରକୃତରେ କେନାଲ ଖୋଳି ଜମିକୁ ଜଳ ଯୋଗାଇ ଦିଆଯାଇ ନ ପାରିଲା। ଏହା ଅର୍ଥର ଅପବ୍ୟୟ ସହ ସମାନ। ଜଳସେଚନ ପାଇଁ ଅଧିକ ବ୍ୟୟବରାଦ ନ କରି ବିକଳ୍ପ ଜଳସେଚନର ଚିନ୍ତା କରିବାକୁ ପଡିବ।
ସରକାର ଅର୍ଥନୈତିକ ସର୍ଭେରେ କହୁଛନ୍ତି ଓଡିଶାରେ କ୍ରପିଂ ଇଣ୍ଟେନିସିଟି ବା ଫସଲ ଚାଷର ସାନ୍ଦ୍ରତା ହେଉଛି ୧୬୭ ପ୍ରତିଶତ। କୃଷି ଗଣନା ଅନୁସାରେ ଏହା ୧୨୦ ପ୍ରତିଶତ। ଯେହେତୁ ଜଳସେଚନ ବଢୁ ନାହିଁ, ତେଣୁ ଖଣ୍ଡିଏ ଜମିରେ ଏକାଧିକବାର ଚାଷ ହୋଇପାରୁ ନାହିଁ। କୃଷି ଗଣନା ପ୍ରକୃତ କ୍ଷେତ୍ରରୁ ତଥ୍ୟ ସଂଗ୍ରହ କରି ଯାହା ପରିସଂଖ୍ୟାନ ଦେଇଛି ତାହା ଅଧିକ ଗ୍ରହଣଯୋଗ୍ୟ। ଗୋଟିଏ ଜମିରେ ଜଳସେଚନର ବ୍ୟବସ୍ଥା ହେଲେ ଏକାଧିକ ବାର ଫସଲ ସେଠୁ ଅମଳ ହେବ ଆଉ ଚାଷୀର ଆୟ ବଢ଼ିବ। ଚାଷୀର ଆୟବୃଦ୍ଧି ପାଇଁ କେବଳ ଧାନଚାଷ ନ କରି ବିଭିନ୍ନ ପ୍ରକାର ଫସଲ କରିବାକୁ ଦଶନ୍ଧି ଦଶନ୍ଧି ଧରି କୁହାଗଲା ବେଳେ ଧାନଚାଷର ପ୍ରତିଶତ ହ୍ରାସ ପାଉନାହିଁ ବରଂ ବୃଦ୍ଧି ପାଉଛି। ଏବେ ଧାନଚାଷ ମୋଟ ଚାଷ ହେଉଥିବା ଫସଲର ୭୯.୧୫ ଭାଗ। ଧାନଚାଷକୁ ହ୍ରାସ କରି ଅର୍ଥକରୀ ଡାଲିଜାତୀୟ ଫସଲ, ତୈଳବୀଜ, ପନିପରିବା, ଫଳ, କପା, ଆଖୁ, ଲଙ୍କାମରିଚ, ଅଦା, ହଳଦୀ, ଆଳୁ, ପିଆଜ ଚାଷ ଅଧିକରୁ ଅଧିକ ଜମିରେ କରିବାକୁ ପଡିବ।
ଓଡ଼ିଶାରେ କୃଷିର ଉପରୋକ୍ତ ସ୍ଥିତିରେ ଆଗାମୀ ବଜେଟ ପ୍ରସ୍ତୁତ କଲାବେଳେ ନିମ୍ନୋକ୍ତ ସୁପାରିସଗୁଡିକୁ ବିଚାରକୁ ନେଇ ଓଡ଼ିଶାର ଚାଷୀକୁଳ କିପରି ତାଙ୍କ ଆୟବୃଦ୍ଧି କରିବେ ତାହା ନିଶ୍ଚିତ କରିବା ରାଜ୍ୟ ସରକାରଙ୍କ କର୍ତ୍ତବ୍ୟ।
ଜଳସେଚନ ପାଇଁ ଆଉ ବଡ଼ ବଡ଼ ପ୍ରକଳ୍ପ ନ କରି ଆମ ବର୍ଷାଜଳକୁ ଚାଷୀମାନେ ଯେପରି ନିଜ କ୍ଷେତରେ ଜଳସେଚନ ପୋଖରୀ ଖୋଳି ସଂଗ୍ରହ କରି ରଖି ଫସଲକୁ ଜଳ ଯୋଗାଇବେ ତାହାର ନକ୍ସା ପ୍ରସ୍ତୁତ କରି କାର୍ଯ୍ୟକାରୀ କରାଯାଉ। ଚାଷୀ ପୋଖରୀ ଖୋଳୁ। ସେଥିପାଇଁ ତାକୁ ସବ୍‌ସିଡି ଦିଆଯାଉ। ଧାନଚାଷ ଜମିର ପରିମାଣ ହ୍ରାସ କରି ବିଭିନ୍ନ ଅର୍ଥକରୀ ଫସଲ ଓ ଆମ ଖାଉଟି ଚାହୁଁଥିବା ଫସଲର ଚାଷ ପାଇଁ ଯୋଜନା ହେଉ। କୃଷିଜାତ ଦ୍ରବ୍ୟର ପ୍ରକ୍ରିୟାକରଣ ହୋଇ ମୂଲ୍ୟଯୁକ୍ତ କରାଯାଇ ରାଜ୍ୟ ମଧ୍ୟରେ, ବାହାରେ, ଏପରି କି ବିଦେଶ ବଜାରରେ ବିକ୍ରି ପାଇଁ ପଦକ୍ଷେପ ନିଆଯାଉ। ପ୍ରତି ପଞ୍ଚାୟତରେ ଖାଦ୍ୟଶସ୍ୟ ଗୋଦାମ ନିର୍ମାଣ ହେଉ। ପନିପରିବା ବିଶେଷକରି ଆଳୁ ସାଇତି ରଖିବା ପାଇଁ ଶୀତଳଭଣ୍ଡାର ନିର୍ମାଣ ହେଉ ଏବଂ ପିଆଜ ଚାଷ ଅଞ୍ଚଳରେ ପିଆଜ ସାଇତା ଭଣ୍ଡାର ନିର୍ମାଣ ହେଉ। ଚାଷ କ୍ଷେତ୍ରରୁ ନାମମାତ୍ର ଚାଷୀଙ୍କୁ ବାହାର କରି ଆଣି ବିକଳ୍ପ ନିଯୁକ୍ତି ବ୍ୟବସ୍ଥା କରାଯାଉ। ସେମାନେ କିପରି କୃଷିବାହାରେ ଆତ୍ମନିଯୁକ୍ତି ପାଇ ବିଭିନ୍ନ ପ୍ରକାର ବାଣିଜ୍ୟ ବ୍ୟବସାୟ କରି ପେଟ ପୋଷିବେ ସେଥିପାଇଁ ଏକ ଦଶବର୍ଷିଆ ଦୀର୍ଘମିଆଦୀ ଯୋଜନା କରାଯାଉ। କୃଷି ଜ୍ଞାନକୌଶଳ ଓ ନୂତନ ପରିକଳ୍ପନାକୁ ଚାଷୀ ନିକଟରେ ପହଞ୍ଚାଇବା ପାଇଁ ଯଥେଷ୍ଟ ସଂଖ୍ୟାରେ କୃଷି ସମ୍ପ୍ରସାରଣ ଅଫିସର ଓ କୃଷି ଗ୍ରାମସେବକଙ୍କୁ ବ୍ଲକ ଓ ଗ୍ରାମପଞ୍ଚାୟତରେ ନିଯୁକ୍ତି ଦିଆଯାଉ। ଏଥିପାଇଁ ବଜେଟରେ ଆବଶ୍ୟକ ବ୍ୟୟବରାଦ ହେଉ।
ବଜେଟ ପ୍ରସ୍ତୁତ କରି କେବଳ ବ୍ୟୟବରାଦ କଲେ ହେବନାହିଁ, ସେହି ଅର୍ଥ କିପରି ବ୍ୟୟ ହେଉଛି ତାକୁ ନିଶ୍ଚିତ କରିବାକୁ ହେବ। ତେବେ ଯାଇ କୃଷି ଉତ୍ପାଦନ ବୃଦ୍ଧି ପାଇବ ଆଉ ଚାଷୀର ଆୟ ବଢ଼ିବ।
ସତ୍ୟନଗର, ଭୁବନେଶ୍ୱର, ମୋ-୯୯୩୭୯୫୧୨୬୨


All Right Reserved By Dharitri.Com

ଏଇ ଭାରତରେ

ଛତିଶଗଡ଼ରେ ଏମିତି ଏକ ସ୍କୁଲ୍‌ ରହିଛି ଯେଉଁଠି ନିୟମିତ ଜାତୀୟ ସଙ୍ଗୀତ ଗାନ କରାଯାଉଛି। ଏହାପରେ ସମ୍ବିଧାନ ପ୍ରତି ସମ୍ମାନ ପ୍ରଦର୍ଶନ କରାଯାଉଛି। ଏହି ଅବସରରେ...

ଯୁବପିଢ଼ି ଓ ବିବେକାନୁସରଣ

ଜିତେନ୍ଦ୍ର କୁମାର ନାୟକ ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀକୁ ଯୁବ ଦିବସ ଭାବେ ପାଳନ କରାଯାଉଛି। ଜାନୁୟାରୀ ୧୨ ଆସିଲେ ଦେଶ ଓ ବିଦେଶର ଅସଂଖ୍ୟ ସଙ୍ଗଠନ...

ଗଣତନ୍ତ୍ରରେ ଲୋକଙ୍କ ଦାୟିତ୍ୱ

ବିଚିତ୍ର ବିଶ୍ୱାଳ ଏକ ଗଣତାନ୍ତ୍ରିକ ରାଷ୍ଟ୍ର ସମ୍ମୁଖରେ ସବୁଠୁ ବଡ଼ ଆହ୍ବାନ ହେଉଛି, ତାହାର ଗଣତନ୍ତ୍ରକୁ ବଞ୍ଚେଇ ରଖିବା। ନେତାଜୀ ସୁଭାଷ ବୋଷ କହୁଥିଲେ, ସ୍ବାଧୀନତା...

ପୁରୁଷ ଓ ରୋଷେଇ

ରୁଦ୍ର ପ୍ରସନ୍ନ ରଥ କିଛିଦିନ ତଳେ ଟ୍ବିନ୍‌ ସିଟି କମିଶନରେଟ ପୋଲିସ୍‌ର ପୋଲିସ୍‌ କମିଶନର ସୁଧାଂଶୁ ଷଡଙ୍ଗୀ ରୋଷେଇ କରିବାକୁ ନେଇ ଗୋଟିଏ ଛୋଟିଆ ମନ୍ତବ୍ୟ...

ନିର୍ବାଚନରେ ଜିତିବା କ୍ଲିନ୍‌ଚିଟ୍‌ ନୁହେଁ

ସହଦେବ ସାହୁ ନିର୍ବାଚନରେ ଯେତେ କମ୍‌ରେ ଜିତିଲେ ବି ରାଜନେତାମାନେ ଭାବନ୍ତି ବୁଦ୍ଧିଜୀବୀମାନେ ବା ମିଡିଆ ତାଙ୍କୁ ଯେତେ ଖରାପ କହୁଥିଲେ ବି ଜନମତ ତାଙ୍କୁ...

ଜନବିରୋଧୀ ଆଇନ

ଆକାର ପଟେଲ ଭାରତ ତା’ର ଆତଙ୍କବାଦ-ନିରୋଧୀ ଆଇନ, ଦ ଅନ୍‌ଲଫୁଲ୍‌ ଆକ୍ଟିଭିଟିଜ୍‌ ପ୍ରିଭେନ୍ସନ ଆକ୍ଟ (ୟୁଏପିଏ)ରେ ଏକ ପରିବର୍ତ୍ତନ କରିଛି। ଏହି ଆଇନ ଅନୁସାରେ କୌଣସି...

ପରିବେଶ ଓ ପ୍ରାଣୀଙ୍କ ଆଖି

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ଜଗତରେ ପ୍ରତ୍ୟେକ କାର୍ଯ୍ୟ ପଛରେ ଏକ କାରଣ ରହିଛି। ଗୋଟିଏ ପ୍ରାଣୀର ଆଖି କେମିତିି ହେବ ଓ କିପରି କାର୍ଯ୍ୟ...

ଚନ୍ଦ୍ର ଓ ରାତ୍ରିଚର ଜୀବ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ଜୀବନ ଉପରେ ଚନ୍ଦ୍ରାଲୋକର ପ୍ରଭାବ ରହିଛି। ଏହା ପ୍ରଜନନ, ଶିକାର, ଯାତାୟାତ, ଯୋଗାଯୋଗ ଓ ପ୍ରାଣିଜଗତର ଅନ୍ୟ କେତେକ କ୍ରିୟାକୁ...

Leave a comment

Your email address will not be published. Required fields are marked *