Posted inUncategorized

ବଦଳୁଛି ଜଳବାୟୁ, ହଜିଯାଉଛି ଶୀତ

ଭୁବନେଶ୍ୱର,୧୬ା୧ (ବ୍ୟୁରୋ): ଜଳବାୟୁ ପରିବର୍ତ୍ତନର ସଙ୍କେତ ସବୁଠି ଦେଖାଗଲାଣି। ବର୍ଷା କମିବା ସହିତ ଅନ୍ୟାନ୍ୟ ଋତୁ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଲାଣି। ଗତ କିଛି ବର୍ଷ ହେବ ଜଳବାୟୁର ଏଭଳି ଅନିୟମିତତା ଚିନ୍ତାର କାରଣ ପାଲଟିଛି। ଶୀତଦିନ କମିବା ସାଙ୍ଗକୁ ତାତିର ପ୍ରଭାବ ବଢ଼ିଚାଲିଛି। ଏହାର ଭୟଙ୍କର ପ୍ରଭାବ ମଧ୍ୟ ଖାଦ୍ୟଶସ୍ୟ ଉପରେ ପଡ଼ିବା ଆରମ୍ଭ ହେଲାଣି। ପରିବର୍ତ୍ତିତ ଜଳବାୟୁକୁ କିପରି ମୁକାବିଲା କରାଯାଇପାରିବ ସେନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଜଳବାୟୁ ଆକ୍ସନ ପ୍ଲାନ ପ୍ରସ୍ତୁତ କଲେଣି। ଚଳିତ ବର୍ଷ ଶୀତର ପ୍ରକୋପ ଦେଖିବାକୁ ମିଳିଲା ନାହିଁ। ରାଜ୍ୟରେ ଶୀତଲହରି ମଧ୍ୟ ସ୍ବାଭାବିକ ହୋଇ ନାହିଁ। କାଁ ଭାଁ କିଛି ଦିନ ଛାଡ଼ିଦେଲେ ଅନ୍ୟ ସବୁଦିନ ସ୍ବାଭାବିକଠାରୁ ସର୍ବନିମ୍ନ ତାପମାତ୍ରା ଉପରେ ରହୁଛି। ଚଳିତ ବର୍ଷ ଡିସେମ୍ବରରେ ଆଦୌ ଶୀତ ଲହରି ହୋଇ ନ ଥିବା ବେଳେ ଜାନୁୟାରୀରେ ୬ରୁ ୭ ଦିନ ଥଣ୍ଡାବାୟୁ ପ୍ରବାହ ହୋଇଛି। ଜଳବାୟୁ ପରିବର୍ତ୍ତନ ଯୋଗୁ ଶୀତର ପ୍ରକୋପ ବେଳକୁ ବେଳ ଦୁର୍ବଳ ହୋଇଯାଉଥିବା ପାଣିପାଗ ବିଶେଷଜ୍ଞ ମତ ଦେଉଛନ୍ତି। ଚଳିତ ବର୍ଷ ଆରବ ସାଗରରେ ଅଧିକ ବାତ୍ୟା ଯୋଗୁ ଦେଶର ଜଳବାୟୁରେ ଅଚାନକ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଛି। ବାତ୍ୟା ଯୋଗୁ ଦେଶ ଭିତରକୁ ଜଳୀୟକଣା ବହୁମାତ୍ରାରେ ପ୍ରବେଶ କରୁଛି। ଏଥିଯୋଗୁ ତାପମାତ୍ରା ତଳକୁ ଖସି ପାରୁନାହିଁ। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ବିଦାୟ ନେବା ପରେ ଉତ୍ତର-ପୂର୍ବ ଦିଗରୁ ଥଣ୍ଡାବାୟୁ ପ୍ରବାହିତ ହୋଇଥାଏ। ଗୁରୁଚାପ ପ୍ରଭାବରେ ଖରାଟିଆ ପାଗ ରହିଥାଏ। ଫଳରେ ଉତ୍ତରା ପବନ ରାଜ୍ୟକୁ ପ୍ରବେଶ କରିଥାଏ। ଅନ୍ୟପକ୍ଷରେ ଚଳିତ ବର୍ଷ ଓ୍ବେଷ୍ଟର୍ନ ଡିଷ୍ଟରବାନ୍ସ (ପଶ୍ଚିମା ବିଭ୍ରାଟ) ଯୋଗୁ ଜଳବାୟୁରେ ପରିବର୍ତ୍ତନ ହୋଇଛି। ଅଧିକାଂଶ ସମୟରେ ଆକାଶ ମେଘାଚ୍ଛନ୍ନ ରହିବା ସହ ବର୍ଷା ମଧ୍ୟ ହେଉଛି। ଦିନର ତାପମାତ୍ରା କମ୍‌ ରହିଲେ ମଧ୍ୟ ରାତିରେ କମୁ ନାହିଁ। ଉଭୟ ଦିନ ଓ ରାତିର ତାପମାତ୍ରାରେ ୫ରୁ ୬ ଡିଗ୍ରୀ ଫରକ ରହିବା ବେଳେ ଏବେ ୧୩ରୁ ୧୬ ଡିଗ୍ରୀ ସେଲସିୟସ ଯାଏ ପାର୍ଥକ୍ୟ ରହୁଛି।
ମିଳିଥିବା ସୂଚନା ଅନୁଯାୟୀ ୨୦୧୮ ଜାନୁୟାରୀ ୧୫ ତାରିଖରେ ଦାରିଙ୍ଗିବାଡିର ସର୍ବନିମ୍ନ ତାପମାତ୍ରା ୬ରୁ ୭ ଡିଗ୍ରୀ ସେଲସିୟସ୍‌ ଥିବା ବେଳେ ୨୦୧୯ରେ ୯.୫ ଏବଂ ୨୦୨୦ରେ ୯ ଡିଗ୍ରୀ ସେଲସିୟସ ରହିଛି। ଏହି ସମୟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ହାରାହାରି ୧୨ ଡିଗ୍ରୀ ସେଲସିୟସ ରହିବା ବେଳେ ଚଳିତ ବର୍ଷ ୧୮ରୁ ୧୯ ଡିଗ୍ରୀ ସେଲସିୟସ ରହିଛି। କହିବାକୁ ଗଲେ ଗତ କିଛି ବର୍ଷ ହେବ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ୫ରୁ ୬ ଡିଗ୍ରୀ ସେଲସିୟସ ପାର୍ଥକ୍ୟ ରହୁଛି। ଗତ ବର୍ଷ ଡିସେମ୍ବରରୁ ରାଜ୍ୟକୁ ଉତ୍ତର ଦିଗରୁ ଥଣ୍ଡାବାୟୁ ପ୍ରବାହ ଆରମ୍ଭ ହୋଇଯାଇଥିବା ବେଳେ ଚଳିତ ବର୍ଷ ଜାନୁୟାରୀ ୫ ତାରିଖ ଯାଏ ଥଣ୍ଡା ବାୟୁ ପ୍ରବାହ ଆରମ୍ଭ ହୋଇ ନ ଥିଲା। କେବଳ ଶୀତ କମୁନି ଚଳିତ ବର୍ଷ ପ୍ରଚଣ୍ଡ ଗ୍ରୀଷ୍ମ ମଧ୍ୟ ବେହାଲ କରିବ ବୋଲି ପାଣିପାଗ ବିଶେଷଜ୍ଞ ଅନୁମାନ କରିଛନ୍ତି। ଫେବୃୟାରୀ ପ୍ରଥମ ସପ୍ତାହରୁ ତାପମାତ୍ରା ବଢ଼ିବା ଆରମ୍ଭ ହେବ। ମାର୍ଚ୍ଚରୁ ମେ ମାସ ଯାଏ ତାତି ଅସ୍ତବ୍ୟସ୍ତ କରିବ।
ମାତ୍ର ୫ଟି ସହରରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ ତଳେ ରହିଛି। ସୋନପୁରରେ ସର୍ବନିମ୍ନ ତାପମାତ୍ରା ୭.୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ଫୁଲବାଣୀ ୭.୬, ଅନୁଗୋଳ ୯.୬, ଟିଟିଲାଗଡ଼ ୯.୧ ଏବଂ ଦାରିଙ୍ଗିବାଡିରେ ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଭାଗରେ ଘନକୁହୁଡ଼ି ଜୀବନ ଯାତ୍ରାକୁ ପ୍ରଭାବିତ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶା ସମେତ ଅନୁଗୋଳ, ମୟୂରଭଞ୍ଜ, ବଲାଙ୍ଗୀର, କଳାହାଣ୍ଡି, କୋରାପୁଟ, ସମ୍ବଲପୁର, ମାଲକାନଗିରି, ରାୟଗଡ଼ା, କେନ୍ଦୁଝର, ଢେଙ୍କାନାଳ ଏବଂ କନ୍ଧମାଳ ଜିଲାର କେତେକ ସ୍ଥାନରେ ପ୍ରବଳ କୁହୁଡ଼ି ହେବ ବୋଲି ପୂର୍ବାନୁମାନ କରାଯାଇଛି। ଆସନ୍ତା ୨୩ରୁ ପୁଣି ଶୀତ ବଢ଼ିବ ବୋଲି ଅନୁମାନ କରାଯାଇଛି।


All Right Reserved By Dharitri.Com

Posted inUncategorized View All

ଶୌଚାଳୟରେ ତିଆରି ହେଉଥିବା ଖାଦ୍ୟ ଖାଉଛନ୍ତି କୋମଳମତି ଶିଶୁ

ଭୋପାଳ,୨୩।୭: ମଧ୍ୟ ପ୍ରଦେଶର ଏକ ଅଙ୍ଗନଓ୍ବାଡି କେନ୍ଦ୍ରରେ ପାଠ ପଢୁଥିବା କୋମଳ ମତି ଶିଶୁଙ୍କ ସ୍ବାସ୍ଥ୍ୟ ପ୍ରତି ଯେମିତି କାହାର ନଜର ନାହିଁ। କାରଣ ଶୌଚାଳୟରେ...

ଅର୍ଥ ଅଭାବ ଲାଗି ଛିଡା ହେଲା ଏୟାର ଇଣ୍ଡିଆର ୧୯ ବିମାନ

ନୂଆଦିଲ୍ଲୀ,୨୬-୪: ଜେଟ୍‌ ଏୟାରଓ୍ବେଜ ଭଳି ଏୟାର ଇଣ୍ଡିଆରେ ଆର୍ଥିକ ସଙ୍କଟ ଦେଖାଦେଇଛି। ଅର୍ଥର ଅଭାବ କାରଣରୁ କମ୍ପାନୀର ୧୯ ବିମାନ ଏବେ ବିମାନ ବନ୍ଦରରେ ଛିଡା...

ଯେଉଁଠି ଚାକିରି ସେଇଠି ଅବସର: ଜୋର୍‌ ଧରିଲା ବଦଳି ଦାବି

ବାଲିଗୁଡ଼ା,୪।୩(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ସହରରେ ଥିବା ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟରତ କର୍ମଚାରୀମାନେ ଦୀର୍ଘଦିନ ଧରି ଗୋଟିଏ ସ୍ଥାନରେ ରହି ଆସୁଥିଲେ ମଧ୍ୟ ସେମାନଙ୍କର...

ପାରା ଦେହରେ ଉର୍ଦ୍ଦୁ କୋର୍ଡ ଓ୍ବାର୍ଡ ଦେଖି ଚିନ୍ତାରେ ଗୁଇନ୍ଦା ବିଭାଗ

ଜୟପୁର,୧୮।୯: ରାଜସ୍ଥାନ ଶ୍ରୀଗଙ୍ଗାନଗର ଜିଲା ୬୧ ଏଫ୍‌ ଗାଁରୁ ଆସିଥିବା ଏକ ଖବର ଏବେ ସମସ୍ତଙ୍କୁ ଚମକାଇ ଦେଇଛି। କିଛି ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ,...

ମହତ୍‌ ଉଦ୍ଦେଶ୍ୟ ରଖି ସୃଷ୍ଟି ହୋଇଥିଲା ‘ବିଶ୍ୱଦରବାର’

କିଶୋରଚନ୍ଦ୍ର ମିଶ୍ରଙ୍କୁ ଓଡ଼ିଶାର ଅଗଣିତ ଯାତ୍ରାପ୍ରେମୀ ହୁଏତ ଜଣେ ପ୍ରଯୋଜକ ଭାବେ ଜାଣିଥାଇ ପାରନ୍ତି। ମାତ୍ର ସେ କେବଳ ପ୍ରଯୋଜକ ନୁହନ୍ତି; ସେ ଜଣେ ଦରଦୀ...

ମରୁଭୂମିରେ ରହିଛି ଏମିତି ଦୁର୍ଗ,ଯାହା ସବୁଜ ବନାନୀ ପାଇଁ ପ୍ରସିଦ୍ଧ

ଅକ୍ଟୋବରରୁ ଭ୍ରମଣ ଋତୁ ଆରମ୍ଭ ହୋଇଥାଏ। ଲୋକେ ଯୋଜନା କରିଥାନ୍ତି ଏମିତି କିଛି ସ୍ଥାନକୁ ବୁଲିବାକୁ ଯିବେ ଯାହା ଚିରଦିନ ପାଇଁ ସ୍ମରଣୀୟ ହୋଇରହିବ। ସେଥିଲାଗି...

Leave a comment

Your email address will not be published. Required fields are marked *