ଯୁବପିଢ଼ି ଓ ବିବେକାନୁସରଣ

ଜିତେନ୍ଦ୍ର କୁମାର ନାୟକ
ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀକୁ ଯୁବ ଦିବସ ଭାବେ ପାଳନ କରାଯାଉଛି। ଜାନୁୟାରୀ ୧୨ ଆସିଲେ ଦେଶ ଓ ବିଦେଶର ଅସଂଖ୍ୟ ସଙ୍ଗଠନ ଏହି ଦିବସକୁ ମନେ ପକାଇଥାଆନ୍ତି। ବିବେକାନନ୍ଦଙ୍କ ନାମ ପୂର୍ବରୁ ଯୋଗଜନ୍ମା, ଯୋଗୀ, ପ୍ରଜ୍ଞାପୁରୁଷ, ଯୁବ ସନ୍ନ୍ୟାସୀ ଆଦି ଅନେକ ବିଶେଷଣ ଲଗାଯାଇଥାଏ। ଶ୍ରୀରାମକୃଷ୍ଣ ପରମହଂସଙ୍କୁ ଜୀବନରେ ଗ୍ରହଣ କରି ସେ ଏପରି ହୋଇପାରିଥିଲେ। କିନ୍ତୁ ଆଜିର ଯୁବପିଢ଼ି ବିନା ଆଦର୍ଶରେ ସଫଳତା ପାଇବାକୁ ପ୍ରୟାସ କରୁଛି, ଯାହାଫଳରେ ସେ ବିଶୃଙ୍ଖଳିତ ଓ ଉଦ୍‌ଭ୍ରାନ୍ତ ହୋଇପଡ଼ୁଛି। ଏଭଳି ସନ୍ଧିକ୍ଷଣରେ ବିବେକାନୁସରଣର ପ୍ରାସଙ୍ଗିକତା ରହିଛି।
ଯୁବାବସ୍ଥା ହେଉଛି ଜୀବନର ସବୁଠାରୁ ମୂଲ୍ୟବାନ ସମୟ। ଏହାକୁ ଯିଏ ଭଲ ଭାବେ ଉପଯୋଗ କରିପାରିଛି ସେ ତାହାର ମହାର୍ଘ ଉପଲବ୍‌ଧି ପାଇଛି। ସ୍ବାମିଜୀଙ୍କ ଶରୀର ଗଠନ, ପ୍ରଜ୍ଞା, ଧୀଶକ୍ତି ଓ ଦୃଢ଼ମନା ବ୍ୟକ୍ତିତ୍ୱ ପ୍ରତ୍ୟେକ ଯୁବପ୍ରାଣକୁ ପ୍ରଭାବିତ କରିଥାଏ। ହେଲେ ଆଜିର ପିଢ଼ି ପଢ଼ାବହି ବ୍ୟତୀତ ଶିକ୍ଷଣୀୟ ସାହିତ୍ୟ କିମ୍ବା ପ୍ରେରଣାଦାୟୀ ପୁସ୍ତକ ପଢ଼ିବାକୁ ଅମଙ୍ଗ ହୋଇପଡ଼ିଛି। ଆଣ୍ଡ୍ରଏଡ୍‌ ଫୋନ୍‌କୁ ସବୁକିଛିର ବିକଳ୍ପଭାବେ ଧରିନେଇଛି। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଯୁଗରେ ଯୋଗାଯୋଗ ଓ ସମୃଦ୍ଧିର ଏହା ଉନ୍ନତ ମାଧ୍ୟମ ପାଲଟିଥିବାରୁ ଏହାର ଆବଶ୍ୟକତାକୁ ଖୁଣି ହେଉ ନାହିଁ। ଅବଶ୍ୟ ଏହା ଅନେକେ ସ୍ବୀକାର କରିବେ ଯେ ସେହି ଯନ୍ତ୍ରଟି ଭିତରୁ ଯେତେ ମାତ୍ରାରେ ଜ୍ଞାନ ଆହରଣ କରାଯାଇପାରନ୍ତା, ଆଜିର ପିଢ଼ି ତାହାକୁ ସାଉଁଟିପାରୁ ନାହିଁ। ଦିନର ଜୀବନଚର୍ଯ୍ୟା ସେହି ଯନ୍ତ୍ରରୁ ଆରମ୍ଭ ହୋଇ ରାତିରେ ଶଯ୍ୟାକୁ ଗଲା ଯାଏ ଏହା ସାଥୀ ପାଲଟୁଛି। ସେଥିରେ ବ୍ୟାୟାମ ସମ୍ପର୍କିତ ତଥ୍ୟ ମିଳିପାରୁଛି। କିନ୍ତୁ ଫୋନ୍‌ଧାରୀ ତାହାର ସଦୁପଯୋଗ କରୁନାହିଁ। ସ୍ପୀଡ୍‌ ଗେମ୍ସ ଖେଳାଯିବାଠାରୁ ଆରମ୍ଭ କରି ମନୋରଞ୍ଜନର ସମସ୍ତ ମାଧ୍ୟମକୁ ଅତି ନିଖୁଣ ଭାବେ ବ୍ୟବହାର କରାଯାଉଛି। ହେଲେ ଭବିଷ୍ୟତ ପିଢ଼ି ଦେହରେ ଯେ କେତେ ବଡ଼ କ୍ଷତ ସୃଷ୍ଟି ହୋଇଯାଉଛି ତାହାକୁ ଅନେକେ ନିରୀକ୍ଷଣ କରିପାରୁ ନାହାନ୍ତି। କାରଣ ବିବେକାନନ୍ଦ ଯେଉଁ ଆଦର୍ଶ, ବିଚାର, ଦର୍ଶନ, ଶିକ୍ଷା, ଶାରୀରିକ କସରତ ଓ ଖେଳ ଉପରେ ଗୁରୁତ୍ୱ ଦେଇ ‘ମୋ ଭାରତ’ର କଥା କହି ପାଶ୍ଚାତ୍ୟରେ ଚର୍ଚ୍ଚିତ ହୋଇଥିଲେ, ସେସବୁ ଆଉ ଯୁବପିଢ଼ିଙ୍କ ଭିତରେ ପ୍ରତିଫଳିତ ହେଉନାହିଁ। କେବଳ ଏକ ମାନସିକ ବା ଭର୍ଚୁଆଲ ଦୌଡ଼ ଚାଲିଛି। ‘ପ୍ରତିଦ୍ୱନ୍ଦ୍ୱିତାସର୍ବସ୍ବ’ ଏ ଦୌଡ଼ର ଲକ୍ଷ୍ୟ ସବୁ କିଛି କମ୍‌ ସମୟ ଭିତରେ ନିଜକୁ ମିଳିଯାଉ। ଅନ୍ୟକୁ ଯେନତେନ ପ୍ରକାରେଣ ଟପିଯିବାର ଏ ଯେଉଁ ନିଶା ଯୁବତୀଯୁବକଙ୍କୁ ଘାରିଛି ତା’ର ମୂଳରେ ରହିଛି ଉଚ୍ଚାକାଂକ୍ଷା। କିନ୍ତୁ କେହି ମନେରଖୁ ନାହାନ୍ତି ଯେ, ନିଜ କଳ୍ପନାଠାରୁ ବହୁଉଚ୍ଚକୁ ଲମ୍ବିଥିବା ଏକ ଶୂନ୍ୟତାର ଅନ୍ୟନାମ ଦୁଃଖ। ଯେତେବେଳେ ଈପ୍ସିତ ଲକ୍ଷ୍ୟ ପୂରଣ ହୋଇପାରୁ ନାହିଁ ସେତେବେଳେ ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛି। ଏଠାରେ ଭାରତବର୍ଷର ସବୁଠାରୁ ସମ୍ମାନଜନକ ଆଇଆଇଟି ଓ ଆଇଆଇଏମ୍‌ରୁ ଉତ୍ତୀର୍ଣ୍ଣ ଛାତ୍ରୀଛାତ୍ରଙ୍କ ଉଦାହରଣ ନିଆଯାଇପାରେ। କୁହାଯାଉଛି ଏମାନେ ସବୁଠୁ ଉଚ୍ଚଶିକ୍ଷିତ, ବୁଦ୍ଧିଆ, ବ୍ୟାବହାରିକ ଜ୍ଞାନରେ ଗରୀୟାନ୍‌ ଏବଂ ଦେଶ ନିର୍ମାଣ ଓ ପରିଚାଳନା କରିବାରେ ସର୍ବାଧିକ ଦକ୍ଷତା ରଖିଛନ୍ତି। ଏଥିରେ ଥିବା ପାଠ୍ୟକ୍ରମ ଯୁବତୀଯୁବକଙ୍କୁ ନୂଆ ଦିଗ୍‌ଦର୍ଶନ ଦେଇଥାଏ। ଅନେକେ ମୋଟିଭେଶନାଲ ସ୍ପିକର ବା ପ୍ରେରଣାଦାୟୀ ବକ୍ତା ଓ ଦୁନିଆରେ ବିଭିନ୍ନ କ୍ଷେତ୍ରରେ ନାମ ଓ ସମ୍ମାନ ଅର୍ଜନ କରିଥିବା ବ୍ୟକ୍ତିବିଶେଷ ମଧ୍ୟ ସେମାନଙ୍କ ଶ୍ରେଣୀକକ୍ଷ ମଣ୍ଡନ କରିଥାଆନ୍ତି। ତଥାପି ସେମାନଙ୍କ ମଧ୍ୟରୁ କତିପୟ ଦୁର୍ବଳମନା ଜୀବନକୁ ବୁଝିବାରେ ଅସଫଳ ହେବା ହେତୁ ପ୍ରାଣ ହରାଇ ଦେଉଛନ୍ତି। ୪ ଡିସେମ୍ବର ୨୦୧୯ରେ ପାର୍ଲାମେଣ୍ଟରେ ଏହି ମେଧାବୀ ଛାତ୍ରଙ୍କ ଆତ୍ମହତ୍ୟା ନେଇ ଏକ ପ୍ରଶ୍ନ ଉଠାଯାଇଥିଲା। ମାନବସମ୍ବଳ ବିକାଶ ମନ୍ତ୍ରୀ ଉତ୍ତର ରଖିଥିଲେ ଯେ ଗତ ୫ ବର୍ଷ ମଧ୍ୟରେ ୬୦ ଜଣ ଆଇଆଇଟି ଓ ଆଇଆଇଏମ୍‌ ଛାତ୍ର ଆତ୍ମହତ୍ୟା କରି ଜୀବନ ହାରିଦେଇଛନ୍ତି। ଅଭାବୀ ବିକ୍ରି ଆଦି ଯୋଗୁ କରଜ ଶୁଝି ନ ପାରି କୃଷକଙ୍କ ଆତ୍ମହତ୍ୟା ସାମାଜିକ ବ୍ୟବସ୍ଥାରେ ଦେହସୁହା ହୋଇଯାଇଛି। ସାଧାରଣତଃ ଏମାନଙ୍କ ମଧ୍ୟରୁ ଅନେକେ ଅପାଠୁଆ ଥିବେ। ତେବେ ଉଚ୍ଚଶିକ୍ଷିତ ଯୁବତୀଯୁବକଙ୍କ ମୃତ୍ୟୁ ପଛର ଅଧିକାଂଶ କାହାଣୀ ଖୋଜିଲେ ମୋଟା ଅଙ୍କର ଦରମା ନ ମିଳିବା ଓ ଅନ୍ୟ ସହ ତୁଳନା କରି ପଛରେ ପଡ଼ିଯିବା ଦୁଃଖରେ ଅନେକେ ମ୍ରିୟମାଣ। ପ୍ରେମରେ ଅସଫଳତା ମଧ୍ୟ ଜୀବନ ହାରିବାର ଅନ୍ୟ ଏକ କାରଣ। ସମ୍ଭବତଃ ମୂଲ୍ୟବୋଧ ଓ ଉତ୍ତମ ଚରିତ୍ରର ଅଭାବ ଯୋଗୁ ଯୁବପିଢ଼ି ପଥହରା ହୋଇପଡ଼ିଛି।
ଏକଦା ବିବେକାନନ୍ଦଙ୍କୁ ଦେଖି ଓ ଦର୍ଶନ ପଢ଼ି ପାଶ୍ଚାତ୍ୟ ଜଗତ ଆଚମ୍ବିତ ହୋଇଥିଲା। ସେଠାକାର ଅନେକ ବିଶ୍ୱବିଦ୍ୟାଳୟରେ ସ୍ବାମିଜୀଙ୍କ ଉପରେ ଗବେଷଣା କରାଯାଉଛି। ହେଲେ ଏଠି ଭାରତୀୟ ଯୁବତୀଯୁବକ ଭଗ୍ନମନ ନେଇ ଘୂରି ବୁଲୁଛନ୍ତି। ଅବଶ୍ୟ ଏଥିଲାଗି ସବୁ ଦୋଷ ଯୁବପିଢ଼ି ଉପରେ ଅଜାଡ଼ି ଦେଲେ ଅନ୍ୟାୟ ହେବ। କାରଣ ଅଧିକାଂଶ ଗୁରୁଜନ ସେମାନଙ୍କୁ ପିଲାଟି ବେଳୁ ଠିକ୍‌ଭାବେ ଦିଗ୍‌ଦର୍ଶନ ଦେଇପାରୁ ନାହାନ୍ତି। ଭାରତୀୟ ମାନସିକତା ପାଠ ପଢ଼ି ଚାକିରି କରିବାକୁ ସର୍ବାଧିକ ଗୁରୁତ୍ୱ ଦେଉଛି। ୩୦ ବର୍ଷ ତଳେ ଖେଳକୁଦ କରିବାକୁ ଆଗ୍ରହ ରଖୁଥିବା ପିଲାକୁ ଭଲଭାବେ ନ ବୁଝି ମାତାପିତା ଜୋରଜବରଦସ୍ତ ବହିରେ ତା’ ମୁହଁକୁ ମାଡ଼ି ଦେଉଥିଲେ। ଆଜି କେତେକ ଅଭିଭାବକଙ୍କ ଚିନ୍ତାରେ ପରିବର୍ତ୍ତନ ଆସି ପିଲାଙ୍କୁ ଖେଳପଡ଼ିଆକୁ ଛାଡ଼ୁଥିଲେ ହେଁ ସମ୍ପୂର୍ଣ୍ଣ ସ୍ବାଧୀନତା ଦେବାକୁ କୁନ୍ଥୁକୁନ୍ଥୁ ହେଉଛନ୍ତି। ସୃଜନଶୀଳତା ବର୍ଗରେ ଚାକିରିର ସିଧାସଳଖ ସୁଯୋଗ ନ ଥିବାରୁ ତାହାକୁ ଗୁରୁତ୍ୱ ଦିଆଯାଉ ନାହିଁ। ଔଦ୍ୟୋଗିକ ଚିନ୍ତା ଓ ରାଜନୀତି ଭଳି କ୍ୟାରିୟରକୁ ‘କେଉଁଥିରେ କିଛି ନ ହେଲେ ପିଲାମାନେ ଏଥିରେ ଯାଆନ୍ତି’ ବୋଲି ଧରି ନିଆଯାଇଥିବାରୁ ତାହାର ଆଦର ବଢ଼ୁ ନାହିଁ। ଏପରି ସ୍ଥଳେ ସାମାଜିକ ନେତୃତ୍ୱ କିମ୍ବା ଥିଙ୍କ୍‌ଟ୍ୟାଙ୍କ ଗଢ଼ି ରାଷ୍ଟ୍ରର ମଙ୍ଗଳ ଦିଗରେ ଚିନ୍ତା ଓ ଯୁକ୍ତିନିଷ୍ଠ ସମାଧାନର ବାଟ ଦେଖାଇବାର ଦକ୍ଷତା ରଖିଥିବା ଯୁବତୀଯୁବକଙ୍କୁ କେଉଁଆଡ଼ୁ ସହଯୋଗ ମିଳିବ! ଅନ୍ୟପକ୍ଷରେ ପାଶ୍ଚାତ୍ୟରେ ଅଭିନବତ୍ୱ ଓ ନୂଆ କିଛି କରିବାରେ ଯିଏ କ୍ୟାରିୟର କରି ସଫଳତାକୁ ଧରି ରଖିପାରୁଛନ୍ତି ସେମାନେ ସେଲିବ୍ରିଟି ପାଲଟି ଯାଉଛନ୍ତି। ଅର୍ଥାତ୍‌ ଗୋଟିଏ ଆଇଡିଆ ବା ବିଚାରଧାରା ସେମାନଙ୍କୁ ଆଇକନ୍‌ ବା ଆଦର୍ଶସ୍ଥାନରେ ନେଇ ବସାଇ ଦେଉଛି। ରାମକୃଷ୍ଣ ପରମହଂସ, ବିବେକାନନ୍ଦ, ଶ୍ରୀଅରବିନ୍ଦଙ୍କ ଭଳି ପ୍ରଜ୍ଞାବାନ୍‌ ବ୍ୟକ୍ତିଙ୍କ ସମୟକୁ କିଏ ଦେଖିଛି ବୋଲି ପ୍ରଶ୍ନ ବାଢ଼ୁଥିବା ଯୁବପିଢ଼ିଙ୍କୁ ପାଶ୍ଚାତ୍ୟର ଏବର ମାର୍କ ଜୁକରବର୍ଗମାନେ ମଧ୍ୟ ଅନୁକରଣୀୟ ମନେ ହେଉନାହାନ୍ତି। ‘ଫେସ୍‌ବୁକ୍‌’ରେ ଘଣ୍ଟାଘଣ୍ଟା ସମୟ ବିତାଉଥିବା ଭାରତୀୟ ଯୁବବର୍ଗଙ୍କ ମଧ୍ୟରୁ କେହି ଜଣେ ବାହାରି ସେହି ପାଶ୍ଚାତ୍ୟର ଯୁବତୀଯୁବକଙ୍କ ମନରେ ବସାବାନ୍ଧିଲା ଭଳି ବ୍ୟକ୍ତିତ୍ୱଟିଏ କାହିଁକି ହୋଇପାରୁ ନାହିଁ। ଏହାର କାରଣ ଭାରତରେ ବାସ୍ତବଧର୍ମୀ ଓ ପ୍ରୟୋଗାତ୍ମକ ଦିଗକୁ ସେଭଳି ଗୁରୁତ୍ୱ ଦିଆଯାଉ ନାହିଁ।
ବିବେକାନନ୍ଦଙ୍କ ସର୍ବୋତ୍କୃଷ୍ଟ ସନ୍ଦେଶ ଥିଲା- ”ଗୋଟିଏ ଆଇଡିଆ ବା ଆଦର୍ଶ ବା ବିଚାରଧାରାକୁ ଧରି ରଖ। ତାହାକୁ ହିଁ ତୁମେ ଜୀବନର ପାଥେୟ କର। ଚିନ୍ତା କର, ସ୍ବପ୍ନ ଦେଖ। ମସ୍ତିଷ୍କ, ମାଂସପେଶୀ, ସ୍ନାୟୁସତ୍ତା ଓ ଶରୀରର ସମସ୍ତ ଅବୟବ ସେହି ଧାରଣାର ବଶବର୍ତ୍ତୀ ହେଉ। ତା’ ବ୍ୟତୀତ ଅନ୍ୟସବୁକୁ ତୁଚ୍ଛ କରିଦିଅ। ଏହା ହେଉଛି ସଫଳତାର ଚାବିକାଠି।“ ସମ୍ଭବତଃ ଏହାକୁ ପାଶ୍ଚାତ୍ୟ ଯୁବତୀଯୁବକ ଅନୁସରଣ କରି କାମରେ ଲଗାଇଲେଣି। ଅଥଚ ଭାରତୀୟ ଯୁବପିଢ଼ି ମଧ୍ୟରୁ ଅନେକେ ସେହି ଚିନ୍ତାଧାରାରୁ ନିଜକୁ ପୃଥକ୍‌ କରିନେଲେଣି। ବୁଢ଼ା ହେବା ପାଇଁ ସର୍ବଦା ୬୦ ବର୍ଷ ବୟସ ଲୋଡ଼ା ନ ଥାଏ। ଆଜି ଭାରତୀୟ ଯୁବପିଢ଼ିକୁ ଯେଉଁ ପ୍ରକାର ଅବାସ୍ତବ ଚିନ୍ତା ଘାରିଛି, ଘରୁ ଓ ବାହାରୁ ଯେଭଳି ଚାପ ପଡ଼ୁଛି ସେଥିରେ ପରିବର୍ତ୍ତନ ଆସିବ ବୋଲି ଭାବିହେଉ ନାହିଁ। ବାତାବରଣ ଓ ଯୁଗୋପଯୋଗୀ ଚିନ୍ତାଧାରାରେ ଭିନ୍ନତା ପରିଲକ୍ଷିତ ହୋଇପାରେ। କିନ୍ତୁ ଲକ୍ଷ୍ୟ ହାସଲ କରିବା ଲାଗି ଯେଉଁ ଦୁର୍ବାର ପ୍ରୟାସଟି ଅନାଦି କାଳରୁ ରହି ଆସିଛି, ସମୟ ଗଡ଼ି ଚାଲିଲେ ମଧ୍ୟ ସେଥିରେ କଦାପି କସ୍‌ମେଟିକ୍‌ ବୋଳା ଯାଇପାରିବ ନାହିଁ। ତାହା ହିଁ ନିଷ୍ଠୁର ସତ୍ୟ। କାରଣ ସେହି ସମୟରେ ବି ବିବେକାନନ୍ଦଙ୍କୁ କେତେକ ଗ୍ରହଣ କରି ନ ଥିବେ। ଏବର ଯୁବପିଢ଼ି ଯିଏ ଯେଉଁ କ୍ଷେତ୍ରରେ ଅଛନ୍ତି, ଉତ୍କର୍ଷ ଲଭିବାକୁ ଚେଷ୍ଟା କରିବା ଉଚିତ। କାହାର ବିଚାର ବା ଆଦର୍ଶକୁ ଭଲଭାବେ ଜୀବନରେ ପରୀକ୍ଷାନିରୀକ୍ଷା ନ କରି ଗ୍ରହଣ କରିବା ଠିକ୍‌ ନୁହେଁ। ରାମକୃଷ୍ଣ ପରମହଂସଙ୍କୁ ବୁଝିବା ସକାଶେ ବିବେକାନନ୍ଦଙ୍କୁ କମ୍‌ ଶ୍ରମ ସ୍ବୀକାର କରିବାକୁ ପଡ଼ି ନାହିଁ। କେବଳ ଆଧ୍ୟାତ୍ମିକତା ଦୃଷ୍ଟିକୋଣରୁ ଏମାନଙ୍କୁ ଗ୍ରହଣ କରିବାକୁ ଭାରତୀୟ ଯୁବପିଢ଼ିକୁ ଅନେକେ ଉପଦେଶ ଦେଇଥାଆନ୍ତି। ମାତ୍ର ଏଭଳି ମହାପୁରୁଷଙ୍କୁ ବାସ୍ତବ ଜୀବନରେ ଅନୁସରଣ କରିଚାଲିଲେ ଜୀବନର ସର୍ବତୋମୁଖୀ ଉନ୍ନତି ହୋଇଥାଏ।
ମୋ-୯୪୩୭୨୨୯୨୫୯


All Right Reserved By Dharitri.Com

ସମ୍ପାଦକୀୟ/ଅଷ୍ଟ୍ରେଲିଆ ନିଆଁ

ଏବେ ପୃଥିବୀ ସମ୍ମୁଖରେ ଆମେରିକା-ଇରାନ୍‌ ମଧ୍ୟରେ ତିକ୍ତତା ସବୁଠାରୁ ଅଧିକ ଦୃଷ୍ଟି ଆକର୍ଷଣ କରୁଛି। ବିନା କାରଣରେ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ଇରାନ୍‌କୁ ଉସୁକାଇବା...

ଏନ୍‌କାଉଣ୍ଟର ନା ହତ୍ୟା

ଆକାର ପଟେଲ ଅଧିକାଂଶ ପୋଲିସ ଏନ୍‌କାଉଣ୍ଟରରେ ଭାଗ ନେବାକୁ ଚାହାନ୍ତି ନାହିଁ। ସେଥିପାଇଁ ଭାରତରେ ଗୋଟିଏ ଗୋଷ୍ଠୀର ପୋଲିସ ତିଆରି ହୋଇଯାଇଛନ୍ତି, ଯେଉଁମାନଙ୍କୁ କୁହାଯାଏ ଏନ୍‌କାଉଣ୍ଟର...

କାହାକୁ କହିବା ସୁଶାସନ

ଶରତ ଚନ୍ଦ୍ର ମିଶ୍ର ମହାଭାରତ ଯୁଦ୍ଧ ସମାପ୍ତ। ପିତାମହ ଭୀଷ୍ମ ଶରଶଯ୍ୟାରେ। ଯୁଧିଷ୍ଠିର ଯାଇ ପ୍ରଶ୍ନ କଲେ- ”ପିତାମହ! ସୁଶାସନ କାହାକୁ କହନ୍ତି?“ ପିତାମହ କହିଲେ-...

ଏଇ ଭାରତରେ

ଏକ ପରିବାର ଅଦାଲତ ସ୍ତ୍ରୀଙ୍କୁ ଭରଣପୋଷଣ ଦେବା ପାଇଁ ରାୟ ଦେବା ପରେ ସ୍ବାମୀ କୋର୍ଟରେ ୫ ବସ୍ତା କଏନ୍‌ ନେଇ ପହଞ୍ଚିଥିଲେ। ଏଭଳି ଏକ...

ଏଇ ଭାରତରେ

ଉତ୍ତରପ୍ରଦେଶ ମିର୍ଜାପୁରର ଅହୋରାହ ଥାନା ଅନ୍ତର୍ଗତ ବରାହୀ ଗାଁରେ ଦେଖିବାକୁ ମିଳେ ଏକ ଅଜବ ମେଳା। ଏହାକୁ ୩୫୦ ବର୍ଷର ପୁରୁଣା ମେଳା ବୋଲି କୁହାଯାଏ।...

ଗଣତନ୍ତ୍ର ନା ଭୋଗୀତନ୍ତ୍ର

ସହଦେବ ସାହୁ ସୁଇଜରଲାଣ୍ଡରେ ଜନ୍ମିତ ଆମେରିକାନ୍‌ କିୟୁବ୍ଲର-ରସ୍‌ (୧୯୨୬-୨୦୦୪) କହନ୍ତି ସମସ୍ୟାର ୫ଟି ସ୍ତର ଅଛି- ନାପସନ୍ଦ, ରାଗ, ମୂଲଚାଲ, ବିଷାଦ ଓ ମାନିଯିବା (ଡିନାୟାଲ୍‌,...

ଡେପୁଟେଶନକୁ ନା

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ଦିନ ଥିଲା ଯେତେବେଳେ ବାବୁମାନେ ଦିଲ୍ଲୀ ଯିବା ପାଇଁ ବ୍ୟଗ୍ର ହେଉଥିଲେ। କିନ୍ତୁ ମୋଦିଙ୍କ ଅମଳରେ କେନ୍ଦ୍ରୀୟ ଡେପୁଟେଶନ ଲାଗି...

ନାଗରିକତ୍ୱ ସଂଶୋଧନ ଆଇନ: ଗୁଜବ ଓ ସତ୍ୟତା

ମୁଖ୍‌ତାର ଅବାସ୍‌ ନକ୍‌ଭୀ ସଂକୀର୍ଣ୍ଣ ରାଜନୈତିକ ସ୍ବାର୍ଥ ଥିବା କେତେକ ବ୍ୟକ୍ତି ନାଗରିକତ୍ୱ ସଂଶୋଧନ ଆଇନ ଓ ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନ୍‌ପିଆର୍‌)ର ନବୀକରଣ ଏବଂ...

Leave a comment

Your email address will not be published. Required fields are marked *