ପ୍ରତିବାଦ

ପ୍ର. ପ୍ରଫୁଲ୍ଲ କୁମାର ମହାନ୍ତି
ପ୍ରତିବାଦ ଏକ ପ୍ରତିକୂଳ ଉକ୍ତି। ପ୍ରତିବାଦ ଗୋଟିଏ ମତବାଦ ବି। ନିୟମ, ଆଇନ, ବ୍ୟବସ୍ଥା, ଆଦର୍ଶ ବିରୋଧରେ ଏକ ଭିନ୍ନମତର ପ୍ରକାଶ। ବିଦ୍ରୋହ, ବିପ୍ଳବ, ଆନ୍ଦୋଳନ ପ୍ରଭୃତି ଏହି ପ୍ରତିବାଦର ଅଲଗା ଲାକ୍ଷଣିକ କାର୍ଯ୍ୟସୂଚୀ। ଏହା ଏକ ବିରୋଧ ମତର ଆଭାସ ଦିଏ। କିନ୍ତୁ ଏହି ପ୍ରତିବାଦ ଓ ଯାହା ବିରୋଧରେ ପ୍ରତିବାଦ କରାଯାଏ, ଉଭୟ ଏକ ସ୍ଥିତି ଅସୁରକ୍ଷା ଭାବରୁ ଉତ୍ପନ୍ନ। ଉଦାହରଣସ୍ବରୂପ ଭୟ ବିରୋଧରେ ଯଦି କୌଣସି ପ୍ରତିରକ୍ଷା ବ୍ୟବସ୍ଥା କରାଯାଏ, ସେହି ବ୍ୟବସ୍ଥା ବିରୋଧରେ ମଧ୍ୟ ପ୍ରତିବାଦ ହୁଏ। ଯଦି ବାଘକୁ ଦୂରରେ ରଖିବା ପାଇଁ ରାତିରେ ନିଆଁ ଜଳାଯାଏ, ଅନ୍ୟମାନେ କହିବେ ନିଆଁ ଜାଳିବା ଦ୍ୱାରା ଗାଁ କିମ୍ବା ଅନ୍ୟ ଗଛପତ୍ର ପୋଡ଼ିଯିବାର ଭୟ ଅଛି। ଯଦି ଦଳେ ଯୁବକ ବାଘକୁ ମାରିବା ପାଇଁ ସଂଘବଦ୍ଧ ହୁଅନ୍ତି, ଆଉ ଦଳେ କହିପାରନ୍ତି ବାଘର ମଧ୍ୟ ବଞ୍ଚିବାର ଅଧିକାର ଅଛି। ପ୍ରାଣୀ ହତ୍ୟା କରାଯାଇପାରିବ ନାହିଁ। ଅର୍ଥାତ୍‌ ଭୟ ବିରୋଧୀ ଯେଉଁ ଯୁକ୍ତି ଗ୍ରହଣ କରାଯାଏ ତା’ ବିରୋଧରେ ଅନ୍ୟ ଏକ ଯୁକ୍ତିରୁ ପ୍ରତିବାଦ ହୁଏ। ଅର୍ଥାତ୍‌ ପ୍ରତ୍ୟେକ କାର୍ଯ୍ୟର ବିରୋଧ ହୋଇପାରେ କାରଣ ମଣିଷ ଏ ବିଶ୍ୱରେ ଏକ ଅରକ୍ଷ ପ୍ରାଣୀ। ଆମର ଶାସନ, ପ୍ରଶାସନ ପ୍ରଜାରଞ୍ଜନ, ଲୋକହିତକର କାର୍ଯ୍ୟ ସେହି ଅରକ୍ଷ ଭାବରୁ ମଣିଷକୁ ମୁକ୍ତି ଦେବା ପାଇଁ ଉପାୟ କେବଳ। ଯେହେତୁ କୌଣସି ଉପାୟ ସର୍ବଜନାଦୃତ ନୁହେଁ, ତା’ର ବିରୋଧ ମତ ନିଶ୍ଚୟ ପ୍ରକାଶ ପାଇବ।
ମଣିଷ ଆଦିକାଳରୁ ବିଭିନ୍ନ ଭୟର ପ୍ରତିକାର କରିଆସିଛି। ରାତିର ଅନ୍ଧାର ବିରୋଧରେ ଆଲୋକ ସୃଷ୍ଟି, ବାତ୍ୟା, ବନ୍ୟା ବିରୋଧରେ ପ୍ରାସାଦ ନିର୍ମାଣ ଓ ଉଦ୍ଧାର କାର୍ଯ୍ୟ ପାଇଁ ପ୍ରଶିକ୍ଷିତ ଲୋକ ନିଯୁକ୍ତି ପ୍ରଭୃତି ସୁରକ୍ଷା ଲାଗି ଉଦ୍ଦିଷ୍ଟ। ଏହାର ମୂଳ କାରଣ ହେଲା ମଣିଷ ସବୁ ଭୟକୁ ସ୍ବୀକାର କରିନାହିଁ। ମୃତ୍ୟୁ ବିରୋଧରେ ଆଜି ପର୍ଯ୍ୟନ୍ତ ବୈଜ୍ଞାନିକ ସଂଗ୍ରାମ ଚାଲିଛି ଏବଂ ଚାଲିବ ମଧ୍ୟ। ସୃଷ୍ଟିର ପ୍ରଥମ ପର୍ଯ୍ୟାୟରେ ପ୍ରତିବାଦ ଅପେକ୍ଷା ପ୍ରତିଷେଧକ ବ୍ୟବସ୍ଥା ସହିତ ସମର୍ପଣ ବେଶି ଥିଲା। ଆଦି ପର୍ବରେ ଯେଉଁ ଜ୍ଞାନସନ୍ଧାନ ମଣିଷ କରିଥିଲା, ସେଥିରେ ଏକ ଅଦୃଶ୍ୟ ଶକ୍ତି ବିଶ୍ୱକୁ ନିୟନ୍ତ୍ରଣ କରୁଛି ବୋଲି ସିଦ୍ଧାନ୍ତ ଗ୍ରହଣ କରାଯାଇଥିଲା। ସେହି ଶକ୍ତି ଯେହେତୁ ମାନବୋତ୍ତର ଏବଂ ମନୁଷ୍ୟର ନିୟନ୍ତ୍ରଣ ବାହାରେ, ତା’ର ଆଧ୍ୟାତ୍ମିକ ଆରାଧନା ଓ ସମର୍ପଣ ଭାବ ବ୍ୟତୀତ ଅନ୍ୟ କୌଣସି ସାଧନ ମଣିଷ ପାଇ ନ ଥିଲା। ଗୋଟିଏ ଦୃଷ୍ଟିରୁ ଦେଖିଲେ ଏହା ମଧ୍ୟ ମଣିଷର ଭୟ ବିରୋଧରେ ଏକ ପ୍ରତିବାଦ।
ଆଦି ପର୍ବ ପରେ ମଣିଷ ଜ୍ଞାନର ଯେଉଁ ଯୁକ୍ତିବଳରେ ଭୟମୁକ୍ତ ହେବାକୁ ଚେଷ୍ଟା କଲା, ସେଥିରେ ପ୍ରଥମ ଉପାଦାନ ହେଲା କାରଣ ସନ୍ଧାନ ପାଇଁ ଯୁକ୍ତି, ଯାହାକୁ ଇଂଲିଶରେ Reason କୁହାଯାଏ। ଚିନ୍ତା ଓ ବିବେକ ବିଚାର ସହ ଭୟର ମୂଳ କାରଣ ସନ୍ଧାନ ପାଇଁ ଯୁକ୍ତି ନିର୍ମାଣ କରିବା ଶକ୍ତି ମଣିଷ ଜ୍ଞାନାଲୋକର ପ୍ରାରମ୍ଭିକ ପର୍ଯ୍ୟାୟରେ ଲାଭ କଲା। ବୋଧହୁଏ ବୁଦ୍ଧଦେବ ପ୍ରଥମ ଯୁକ୍ତିଦ୍ରଷ୍ଟା ଭାବେ କହିଲେ ଯେ, ଭୟ ଓ ଯନ୍ତ୍ରଣାର କାରଣ ହେଲା କାମନା। ଯଦି କାମନା ସଂଯତ ହୁଏ, ଯନ୍ତ୍ରଣା କମିଯିବ। ଏହା ଥିଲା ମଣିଷର ଯୌକ୍ତିକ ପ୍ରତିବାଦ ଜୀବନ ସର୍ତ୍ତ ବିରୋଧରେ। ଦ୍ୱିତୀୟରେ ମଣିଷ ଆଲୋକ ପାଇଲା ବିଜ୍ଞାନର। ଯୁକ୍ତି ମାଧ୍ୟମରେ ଭ୍ରାନ୍ତି, ପ୍ରହେଳିକା, ମାୟା, ଅନ୍ଧବିଶ୍ୱାସ ଓ ରହସ୍ୟ ପ୍ରଭୃତିରୁ ସାମାନ୍ୟ ମୁକ୍ତି ପାଇ ମଣିଷ ଯେତେବେଳେ ନିଶ୍ଚିତ ହେଲା ଯେ କୌଣସି ଭଗବାନ ବା ସର୍ବଶକ୍ତିମାନ ଐଶ୍ୱରିକ ଶକ୍ତି ଜୀବନ ନିୟନ୍ତ୍ରଣ କରେ ନାହିଁ, ସେତେବେଳେ ମଣିଷ ଚେଷ୍ଟା କଲା ଯାହା ଘଟେ ତାହା କିପରି ଓ କାହିଁକି ଘଟେ। ମଣିଷ ମାଟିରୁ ଆକାଶ ଯାଏ ସବୁ ପାର୍ଥିବ ଅପାର୍ଥିବ ଘଟଣାର କାରଣ ଅନୁସନ୍ଧାନ କଲା। ଏହି ଅନୁସନ୍ଧାନ ହିଁ ବିଜ୍ଞାନ। ବିଜ୍ଞାନ ମାୟା, ମିଥ୍‌ ଓ ଅପ୍ରମାଣିତ ପରିକଳ୍ପନାର ବିଶ୍ୱ ବିରୋଧରେ ଏକ ପ୍ରତିବାଦ। ଏହି ଜ୍ଞାନ ପ୍ରତିବାଦର ଯୁକ୍ତି ମଣିଷକୁ ବିଶ୍ୱମଣ୍ଡଳର ବ୍ୟାପ୍ତି, ପ୍ରକୃତି ଓ ରହସ୍ୟ ବୁଝାଇଦିଏ। ପ୍ରତିବାଦ ଏକ ବିକଳ୍ପ ବ୍ୟବସ୍ଥାର ଯୁକ୍ତି ଉପସ୍ଥାପନା କରେ। ରାଜନୀତିରେ ଗୋଟିଏ ଆଇନ ପ୍ରଣୟନ ହେବା ପରେ ଯେଉଁ ପ୍ରତିବାଦ ହୁଏ, ତାହା ମଧ୍ୟ ବୈଧ ଯୁକ୍ତି, ଯଦି ସେହି ଯୁକ୍ତି ଏକ ବିକଳ୍ପ ଓ ବେଶି ସୁରକ୍ଷିତ ସମାଜ ପରିକଳ୍ପନାକୁ ନେଇ ଗଢ଼ାଯାଏ। କିନ୍ତୁ ପ୍ରତିବାଦ ଯଦି ଯୁକ୍ତିହୀନ, ତେବେ ତାହା କେବଳ ବିଶୃଙ୍ଖଳା ସୃଷ୍ଟି ପାଇଁ ଉଦ୍ଦିଷ୍ଟ। ଭାରତ ପରି ବିଶାଳ ବହୁଧର୍ମୀ ଓ ବହୁଭାଷୀ ଗଣତନ୍ତ୍ରରେ ଧର୍ମ ଓ ଭାଷା ମଧ୍ୟ ଆଇନ ବିରୋଧରେ ପ୍ରତିବାଦ କରନ୍ତି। ସାମରିକ ବାହିନୀର ଆବଶ୍ୟକତାକୁ ନେଇ ବାଦପ୍ରତିବାଦ ସୃଷ୍ଟି ହୁଏ, ଅମଲାତନ୍ତ୍ର ଦ୍ୱାରା କିନ୍ତୁ ଏହା ପଦ୍ଧତିଗତ। ଭାରତରେ ଏବେ ଯେଉଁ ପ୍ରତିବାଦ ଚାଲିଛି, ନାଗରିକତ୍ୱ ଆଇନ ଓ ଜାତୀୟ ଜନସଂଖ୍ୟା ପଞ୍ଜିକା ଏବଂ ଜାତୀୟ ନାଗରିକ ପଞ୍ଜିକାକୁ ନେଇ, ତାକୁ କ’ଣ କୁହାଯିବ? ରାଜନୀତିକ ଆଦର୍ଶକୁ ନେଇ ପ୍ରତିବାଦ ଯଦି ହୁଏ, ତେବେ ପାର୍ଲାମେଣ୍ଟରେ ଏହା କିପରି ପାରିତ ହେଲା। ଅନେକ ପ୍ରତିବାଦର ପରିଭାଷା ମିଥ୍ୟା ପ୍ରଚାର ଓ ଶାସକ ଗୋଷ୍ଠୀ ପ୍ରତି ଅସୂୟା ଭାବକୁ ନେଇ ମଧ୍ୟ କରାଯାଏ। ଏପରି ପ୍ରତିବାଦ ହିଂସା ସୃଷ୍ଟି କରେ ଓ ଏହା ଦେଶର ଅସ୍ମିତା ପ୍ରତି ଅନୁକୂଳ ନୁହେଁ।
ପ୍ରତିବାଦ ନୈତିକ ହୋଇପାରେ, ଲିଙ୍ଗଭେଦର ପ୍ରତିକ୍ରିୟା ହୋଇପାରେ, ବୌଦ୍ଧିକ ହୋଇପାରେ ତଥା ଆଧ୍ୟାତ୍ମିକ ମଧ୍ୟ ହୋଇପାରେ। ରାଜନୀତିରେ ପ୍ରତିବାଦ ସ୍ବାଭାବିକ, କାରଣ ସେଠି କ୍ଷମତା ଲାଭ ପାଇଁ ଅନେକ ଉଦ୍ଭଟ ଯୁକ୍ତି ଗଢ଼ାଯାଏ। ଦେଶର ସାମୂହିକ ସ୍ବାର୍ଥ ଅପେକ୍ଷା ଗୋଷ୍ଠୀସ୍ବାର୍ଥକୁ ଗୁରୁତ୍ୱ ଦିଆଯାଏ। କର୍ପୋରେଟ ପ୍ରତିଯୋଗିତାରେ ମଧ୍ୟ ପ୍ରତିବାଦ ସୃଷ୍ଟି ହୁଏ। ଯଥା ଭାରତ ପାଇଁ ରାଫାଲ ଯୁଦ୍ଧ ବିମାନ ଆବଶ୍ୟକ ନା ୟୁରୋଫାଇଟର! କିନ୍ତୁ ଧର୍ମକୁ ନେଇ ଯେଉଁ ପ୍ରତିବାଦ ହୁଏ, ତାହା ମାନବ ସମାଜ ପ୍ରତି ଏକ ଆହ୍ବାନ ହୋଇପଡେ। ସ୍ଥିତି ସଙ୍କଟ ହୁଏ। ଇସ୍‌ଲାମିକ ଷ୍ଟେଟ ଓ ସଭ୍ୟ ଗଣତନ୍ତ୍ର ମଧ୍ୟରେ, ଇସ୍‌ଲାମ ଓ ଅଣ ଇସ୍‌ଲାମ ମଧ୍ୟରେ ସଂଘର୍ଷ ଏହି ଆବେଗିକ ପ୍ରତିବାଦ, ଯାହା ସ୍ଥିତି ସଙ୍କଟ ମଧ୍ୟ ସୃଷ୍ଟି କରେ। ଭାରତରେ ଅଯୋଧ୍ୟା ରାମ ମନ୍ଦିର ବିବାଦ ସୁପ୍ରିମ୍‌କୋର୍ଟର ରାୟ ପରେ ମଧ୍ୟ ଥମି ନାହିଁ। ସାବରୀମାଲାରେ ମଧ୍ୟ ଦୁଇଟି ନାରୀ ସପକ୍ଷ ଆସ୍ଥାକୁ ନେଇ ବିବାଦ ଚାଲିଛି। ବିଭୁପ୍ରେମ ଓ ସମର୍ପଣ ବିପକ୍ଷରେ ମାନବବାଦ ଓ କ୍ଷମତା ଲୋଭର ସଂଘାତ ଲାଗିରହିଛି ଓ ରହିବ, ଯେ ପର୍ଯ୍ୟନ୍ତ ମଣିଷ ଜାତି ଗୋଟିଏ ବିଶ୍ୱାସର ଛତା ତଳେ ଆଶ୍ରୟ ନ ନେଇଛି। ଛୋଟ ଛୋଟ କ୍ଷମତାଗୋଷ୍ଠୀ ପରସ୍ପରର ଆଦର୍ଶ ଓ କାର୍ଯ୍ୟାବଳୀ ବିରୋଧରେ ପ୍ରତିବାଦ କରୁଛନ୍ତି ଏବଂ କରିବେ ମଧ୍ୟ, ଯେହେତୁ ଆଦର୍ଶ, ବିଶ୍ୱାସ, ନୈତିକତା, ବୌଦ୍ଧିକତା ଏବଂ ଆଇନ ପ୍ରତ୍ୟେକ ଗୋଷ୍ଠୀର ସ୍ବତନ୍ତ୍ର। ଏହି ପରିପ୍ରେକ୍ଷୀରେ ଯେଉଁ ମାନବିକ ପ୍ରଜ୍ଞାର ଆବଶ୍ୟକତା ରହିଛି ତା’ର ଅଭାବ ପୂରଣ ହୋଇପାରିବ ନାହିଁ। ମଣିଷକୁ ସତ୍‌ମାର୍ଗରେ ପରିଚାଳିତ କରି ସୁଖସମୃଦ୍ଧି ଦେବା ପାଇଁ ଯେହେତୁ ବିଭିନ୍ନ ଯୁକ୍ତି ରହିଛି, ମଣିଷ କୌଣସି ବିବେକସିଦ୍ଧ ଯୁକ୍ତି ସବୁ ସମୟ ପାଇଁ ଗ୍ରହଣ କରିପାରିବ ନାହିଁ। ୧୯୧୭ ବଲ୍‌ଶେଭିକ ବିଦ୍ରୋହ ପରେ ଅନେକ ବୁଦ୍ଧିଜୀବୀ ଏକ ବିକଳ୍ପ ଆଦର୍ଶ ଦେଖିଥିଲେ। ସୋଭିଏଟ୍‌ ରୁଷରେ ତା’ର ପରୀକ୍ଷା ହେଲା ଏବଂ ସଫଳତା ମଧ୍ୟ ମିଳିଲା। କିନ୍ତୁ ୧୯୭୬ ବେଳକୁ ସେହି ଆଦର୍ଶ ବିରୋଧରେ ପ୍ରତିବାଦ ଆରମ୍ଭ ହେଲା। ବାମପନ୍ଥୀ ଚେତନା ଅନାଦୃତ ହେଲା ଏବଂ ରୁଷିଆ ଖଣ୍ଡ ଖଣ୍ଡ ହେଲା। ଚାଇନାରେ ଗଣତନ୍ତ୍ର ପ୍ରତିଷ୍ଠା ପାଇଁ ତିଆନେନ୍‌ମେନ ସ୍କୋୟାର ଓ ଏବେ ହଂକଂରେ ଯେଉଁ ପ୍ରତିବାଦ ଚାଲିଛି ସେ ମଧ୍ୟ ଭିନ୍ନରୂପ ଧାରଣ କରିବ। ତେଣୁ କୌଣସି ପ୍ରତିବାଦ ସ୍ଥାୟୀ ଜୀବନଚେତନା ଆଣିପାରେ ନାହିଁ। ଯେଉଁମାନେ ପ୍ରତିବାଦକୁ ଅମାନବିକ କହନ୍ତି ସେମାନେ ଭୁଲ କରନ୍ତି। କାରଣ ମଣିଷ ଯେ ପର୍ଯ୍ୟନ୍ତ ଗୋଟିଏ ନୈତିକ ଆଦର୍ଶର ମୂଲ୍ୟବୋଧ ନିକଟରେ ଆତ୍ମସମର୍ପଣ କରିନାହିଁ ସେ ପର୍ଯ୍ୟନ୍ତ ପ୍ରତିବାଦ ହେଉଥିବ ବିକଳ୍ପ ସମୃଦ୍ଧିର ଜୀବନ ପାଇଁ।
ତେବେ ଉପାୟ କ’ଣ? ଆତଙ୍କବାଦ ବିରୋଧରେ ଯେତେବେଳେ ପ୍ରତିବାଦ ହୁଏ, ପ୍ରାୟ ସମସ୍ତେ ତା’ର ସମର୍ଥନ କରନ୍ତି। କାରଣ ଆତଙ୍କବାଦ ସଭ୍ୟତାର ପରିପନ୍ଥୀ। ମାନବବାଦର ଶତ୍ରୁ। ପରିବର୍ତ୍ତନ ହିଁ ବିଶ୍ୱ ଧର୍ମ ଓ ମାନବ ଧର୍ମ। ତେଣୁ ପ୍ରତିବାଦ ଇତିହାସର ଏକ (ଦୁଃଖଦାୟୀ) ଅବଶ୍ୟମ୍ଭାବିତା।
ଚିତ୍ରକାବ୍ୟ, ଶିଶୁବିହାର, ଭୁବନେଶ୍ୱର


All Right Reserved By Dharitri.Com

ଏଇ ଭାରତରେ

ପ୍ରତିବର୍ଷ ଅଗଷ୍ଟ ୧୫କୁ ଭାରତ ସ୍ବାଧୀନତା ଦିବସ ଭାବେ ପାଳନ କରିଥାଏ। କାରଣ ଭାରତୀୟଙ୍କ ପାଇଁ ଏହି ଦିନର ମହତ୍ତ୍ୱ ଖୁବ୍‌ ଅଧିକ। ହେଲେ ଭାରତରେ...

ଋଷି ବଙ୍କିମଚନ୍ଦ୍ର ଓ ବନ୍ଦେ ମାତରମ୍‌

ଅରୁଣ କୁମାର ପଣ୍ଡା ଏ ବେ ସମଗ୍ର ଦେଶରେ ରାଷ୍ଟ୍ରବାଦ, ଜାତୀୟତା ଓ ଦେଶଭକ୍ତି ଆଦି ବିଷୟକୁ ନେଇ ଖୁବ୍‌ ତର୍କବିତର୍କ ଚାଲିଛି। ଏହି ଶବ୍ଦଗୁଡିକର...

ଏଇ ଭାରତରେ

ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚନ ପ୍ରକ୍ରିୟାରେ କେବଳ କଲେଜ ପିଲାମାନେ ଭାଗ ନେଉଛନ୍ତି। କିନ୍ତୁ ସ୍କୁଲରେ ନିର୍ବାଚନ ହେବା ଶୁଣିଛନ୍ତି କି? ଛତିଶଗଡ଼ର କୋରବା ଅନ୍ତର୍ଗତ ଗଡକଟରା...

ପରିବେଶ ଓ ପ୍ରାଣୀଙ୍କ ଆଖି

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ଜଗତରେ ପ୍ରତ୍ୟେକ କାର୍ଯ୍ୟ ପଛରେ ଏକ କାରଣ ରହିଛି। ଗୋଟିଏ ପ୍ରାଣୀର ଆଖି କେମିତିି ହେବ ଓ କିପରି କାର୍ଯ୍ୟ...

କୁକୁର ଓ ମାଲିକ ଭିତରେ ସାଦୃଶ୍ୟ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ଅଧିକାଂଶ ଲୋକ ଯେଉଁ ଜାତିର କୁକୁର ପାଳିବାକୁ ବାଛିଥାନ୍ତି, ସେହି କୁକୁରଙ୍କ ସହ ସେମାନଙ୍କର କିଛି ଶାରୀରିକ ସାଦୃଶ୍ୟ ଥିବା...

ନିଦ କାହିଁ

ରୁଦ୍ର ପ୍ରସନ୍ନ ରଥ ଖାଦ୍ୟ, ବସ୍ତ୍ର, ବାସଗୃହ ପରେ ଯଦି ମଣିଷ ନିଜ ଜୀବନରେ ଆଉ କାହାକୁ ସର୍ବାଧିକ ଗୁରୁତ୍ୱ ଦେଉଥାଏ ତାହା ହେଉଛି ନିଦ୍ରା।...

ସମ୍ପାଦକୀୟ/ ଝାଳ ବୁହାଇବା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୪ ନଭେମ୍ବର ୨୦୧୯ରେ ତାଙ୍କ ରେଡିଓ ବାର୍ତ୍ତା ‘ମନ କୀ ବାତ୍‌’ରେ ଶାରୀରିକ ସୁସ୍ଥତା ଉପରେ ଗୁରୁତ୍ୱ ଦେଇଥିବାରୁ ତାଙ୍କୁ ଦେଶବାସୀଙ୍କ...

ପ୍ରାଣୀଙ୍କ ଲିଙ୍ଗ ପରିବର୍ତ୍ତନ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ଆଣ୍ଠିଆ ହେଉଛନ୍ତି ପ୍ରବାଳପ୍ରାଚୀରକୁ ଆଶ୍ରୟ କରି ବଞ୍ଚୁଥିବା ଓ ବଢ଼ୁଥିବା ଆଳଙ୍କାରିକ ମାଛ ବିଶେଷ। କମଳା, ପାଟଳ, ନୀଳଲୋହିତ, ହଳଦିଆ...

Leave a comment

Your email address will not be published. Required fields are marked *