Posted inଫୁରସତ

ଆରଡିରେ ଶିବ ବିବାହ: ଦେବ, ଦାନବ, କିନ୍ନର ସାଜନ୍ତି ବରଯାତ୍ରୀ; ଅର୍ଦ୍ଧରାତ୍ରରେ ହୁଏ ବିବାହ ସମ୍ପନ୍ନ

ଭଦ୍ରକ ଜିଲାର ବାବା ଆଖଣ୍ଡଳମଣିଙ୍କ ପୀଠ ଆରଡ଼ିରେ ପ୍ରତିବର୍ଷ ଶିବ ବିବାହ ଅନୁଷ୍ଠିତ ହୋଇଆସୁଛି । ପବିତ୍ର ଶୀତଳ ଷଷ୍ଠୀରେ ଏଠାରେ ବୈଦିକରୀତି ଅନୁସାରେ ଦେବଦେବ ମହାଦେବ ମାତା ପାର୍ବତୀଙ୍କର ପାଣିଗ୍ରହଣ କରିଥାନ୍ତି …


ଶାସ୍ତ୍ରାନୁସାରେ ଦେବ, ମାନବ, ଦାନବ ସଭିଏଁ ବିବାହ ବନ୍ଧନରେ ଆବଦ୍ଧ ହୋଇଥାନ୍ତି। ଏହି ପାରମ୍ପରିକ ଧାରାକୁ ବଜାୟ ରଖିବା ପାଇଁ ଯୁଗେଯୁଗେ ଚଳି ଆସିଛି ବୈବାହିକ ପ୍ରଥା। ତେବେ ଭଦ୍ରକ ଜିଲାର ବାବା ଆଖଣ୍ଡଳମଣିଙ୍କ ପୀଠ ଆରଡିରେ ପ୍ରତିବର୍ଷ ଅନୁଷ୍ଠିତ ହେଉଥିବା ଶିବ ବିବାହ ହେଉଛି ଏଠାକାର ଏକ ନିଆରା ଆକର୍ଷଣ। ପବିତ୍ର ଶୀତଳଷଷ୍ଠୀରେ ଏଠାରେ ବୈଦିକରୀତି ଅନୁସାରେ ଦେବଦେବ ମହାଦେବ ମାତା ପାର୍ବତୀଙ୍କର ପାଣିଗ୍ରହଣ କରିଥାନ୍ତି। ନିୟମାନୁସାରେ ଶୀତଳଷଷ୍ଠୀ ପୂର୍ବଦିନ ବାବାମଣିଙ୍କର ମଙ୍ଗଳକୃତ୍ୟ ସମ୍ପନ୍ନ ହୋଇଥାଏ। ଏହିଦିନ ବାବାଙ୍କୁ ୭ ଜଣ ପତିବ୍ରତା ନାରୀ ହଳଦୀ ପାଣିରେ ସ୍ନାନ କରାଇ ମଙ୍ଗଳକୃତ୍ୟ କାର୍ଯ୍ୟ ସମାପନ କରିଥାନ୍ତି।


ସୁସଜ୍ଜିତ ବିମାନରେ ଯାଏ ବରଧରା: ବାହାଘର ଦିନ ପୂର୍ବାହ୍ନରେ କନ୍ୟାପିତା(ମାତା ପାର୍ବତୀଙ୍କ ପିତା ସାଜିଥିବା ବ୍ୟକ୍ତି)ଙ୍କ ବାସଭବନରୁ ପବନସୁତ ହନୁମାନଙ୍କୁ ବରଧରା ବେଶରେ ସଜ୍ଜିତ କରାଯାଇ ଢୋଲ, ମହୁରି, ଘଣ୍ଟ, ଦୁଲୁଦୁଲି ବାଦ୍ୟର ତାଳେତାଳେ ବରପିତା(ମହାଦେବଙ୍କ ପିତା ସାଜିଥିବା ବ୍ୟକ୍ତି)ଙ୍କ ଗୃହାଭିମୁଖେ ପ୍ରେରଣ କରାଯାଇଥାଏ। ସେଠାରେ ବରଧରାଙ୍କ ସମେତ ଅନ୍ୟମାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥାଏ।


ବାବା ରାଜ ରାଜେଶ୍ୱର ଓ ମାତା ରାଜ ରାଜେଶ୍ୱରୀ ବେଶରେ ସଜ୍ଜିତ: ବିବାହ ଉତ୍ସବର ଅପରାହ୍ନରେ ବାବା ଆଖଣ୍ଡଳମଣିଙ୍କୁ ରାଜ ରାଜେଶ୍ୱର ଓ ମାତା ପାର୍ବତୀଙ୍କୁ ରାଜ ରାଜେଶ୍ୱରୀ ବେଶରେ ସଜ୍ଜିତ କରାଯାଇଥାଏ। କଥିତ ଅଛି, ଯେଉଁ ବାଡୁଅ ପୁଅ କିମ୍ବା ଝିଅଙ୍କର ବାହାଘର ହୋଇପାରୁ ନ ଥାଏ, ସେମାନେ ଏହି ବେଶ ଦେଖିଲେ ସେମାଙ୍କର ବିବାହ ଅଳ୍ପଦିନ ମଧ୍ୟରେ ସମାପନ ହୋଇଥାଏ। ତେଣୁ ଏହି ବେଶ ଦେଖିବାକୁ ପୀଠରେ ନାହିଁ ନ ଥିବା ଭିଡ ହୋଇଥାଏ ା
ସନ୍ଧ୍ୟାରେ ହୁଏ ବିରାଟ ପଟୁଆରରେ ବରାନୁଗମନ: ବିବାହ ଦିନ ସନ୍ଧ୍ୟାରେ ଏକ ବିରାଟ ପଟୁଆରରେ ବାବାଙ୍କର ଚଳନ୍ତି ପ୍ରତିମାଙ୍କୁ ସୁସଜ୍ଜିତ ବିମାନରେ କନ୍ୟାପିତାଙ୍କ ଗୃହକୁ ନିଆଯାଇଥାଏ। ଲୌକିକ ପରମ୍ପରା ଓ ରୀତି ଅନୁସାରେ ବାଣରୋଶଣି, ଆତସ ବାଜିରେ ଶୈବପୀଠ ଆରଡି ଝଲସି ଉଠେ। ଏହି ଶୋଭାଯାତ୍ରାରେ ଶ୍ରୀକ୍ଷେତ୍ର ପୁରୀର ସାହିମେଢ ନୃତ୍ୟ, ବାଘ ନୃତ୍ୟ, ମୋଟୁ ପତଲୁ ନୃତ୍ୟ, ପାଇକ ଆଖଡା, ଗୋଟିପୁଅ ନୃତ୍ୟ, କଙ୍କାଳ ନୃତ୍ୟ, ମୟୂରଚୂଳ, ଦୁଲୁଦୁଲି, ଯୋଡିଶଙ୍ଖ, ଘଣ୍ଟ, ଝୁମର, ଡ୍ରମ ଆଦି ବାଦ୍ୟ ପରିବେଷିତ ହୋଇଥାଏ। ସେହିପରି ଏହି ସମୟରେ ମହିଳା ଓ ପୁରୁଷଙ୍କ ଦ୍ୱାରା ପରିବେଷଣ କରାଯାଉଥିବା କୀର୍ତ୍ତନ ମଧ୍ୟ ଅନ୍ୟତମ ଆକର୍ଷଣ ସାଜିଥାଏ।


ଦେବ, ଦାନବ, କିନ୍ନର ସାଜନ୍ତି ବରଯାତ୍ରୀ: ବରାନୁଗମନ ଶୋଭାଯାତ୍ରାରେ ସେବାୟତମାନେ ବେଦପତି ବ୍ରହ୍ମା, ପ୍ରଭୁ ନାରାୟଣ, ଦେବରାଜ ଇନ୍ଦ୍ର, ବରୁଣ ଦେବ, ଜନ୍ତୁପତି ଯମ, କୁବେର, ମହାଗ୍ରହ ଶନି, ସୂର୍ଯ୍ୟଦେବ, ଚନ୍ଦ୍ର, ଦେବର୍ଷି ନାରଦ, ନନ୍ଦୀ, ଭୃଙ୍ଗୀ ଆଦି ଦେବତା, ଦାନବ ତଥା କିନ୍ନର ବେଶରେ ନିଜକୁ ସଜ୍ଜିତ କରି ବରଯାତ୍ରୀରୂପେ ଉଭା ହୋଇଥାନ୍ତି। ତେବେ ଶୋଭାଯାତ୍ରାରେ ହନୁମାନ ବେଶଧାରୀ ସେବାୟତଙ୍କ ଅଭିନୟ ଶୈଳୀ ବେଶ୍‌ ଉଚ୍ଚକୋଟୀର ହୋଇଥାଏ ା


ଅର୍ଦ୍ଧରାତ୍ରରେ ବିବାହ ସମ୍ପନ୍ନ: ବିବାହ ମହୋତ୍ସବ ଦେଖିବାକୁ ଆସିଥିବା ହଜାର ହଜାର ଶ୍ରଦ୍ଧାଳୁଙ୍କର ପ୍ରତୀକ୍ଷାର ଅନ୍ତ ଘଟିଥାଏ ଅର୍ଦ୍ଧରାତ୍ରରେ। ଫୁଲ ବେଦୀରେ ସ୍ବୟଂ ଶିବଶମ୍ଭୁ ଜଗଜ୍ଜନନୀ ମାତା ପାର୍ବତୀଙ୍କ ହାତଧରନ୍ତି। ପୁରୋହିତଙ୍କ ବିବାହ ମନ୍ତ୍ର ପଠନରେ ସାରା ଆରଡି ପ୍ରକମ୍ପିତ ହୋଇଉଠେ। ହରିବୋଲ, ହୁଳହୁଳି, ଶଙ୍ଖଧ୍ୱନିରେ ଶ୍ରଦ୍ଧାଳୁମାନେ ଭକ୍ତି ଗଦଗଦ ଚିତ୍ତରେ ଦେବଦମ୍ପତିଙ୍କ ବିବାହକୁ ଦର୍ଶନ କରିଥାଆନ୍ତି। ପରେ ପରେ ବରପିତା ଓ କନ୍ୟାପିତା ଲୋକାଚାରରେ ସମୁଦି ମିଳନ କରି ପରସ୍ପର କୋଳାଗ୍ରତ ହୁଅନ୍ତି। ଯୌତୁକ ବାବଦରେ କନ୍ୟାପିତା ୨ ଏକର ଶ୍ମଶାନ ଜମି, ୧୦ ହଳ ନାଗ, ୨୫ ଗୋଟି ବୃଷଭ, ଅନ୍ୟାନ୍ୟ ସ୍ବର୍ଣ୍ଣ, ରୌପ୍ୟ ଅଳଙ୍କାର ପ୍ରଦାନ କରିଥାନ୍ତି। ଶିବବିବାହ ମହୋତ୍ସବକୁ ଲୋକାଭିମୁଖୀ ତଥା ସଫଳ କରିବା ପାଇଁ ମନ୍ଦିର ପ୍ରଶାସନ, ଜିଲା ପ୍ରଶାସନ, ସେବାୟତମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥାଏ।
ପୀଠରେ ଶାନ୍ତିଶୃଙ୍ଖଳା ରକ୍ଷା କରିବାକୁ ପ୍ରୟାସ: ପୀଠରେ ଶାନ୍ତିଶୃଙ୍ଖଳା ରକ୍ଷା ତଥା ଟ୍ରାଫିକ୍‌ ସମସ୍ୟା ଦୂର କରିବା ପାଇଁ ଧୂଷୁରୀ ଓ ଆରଡି ପୋଲିସ ଦିନରାତି ଲାଗି ପଡନ୍ତି। ସେହିପରି ଧାମନଗର ଏସଡିପିଓ, ଧୂଷୁରୀ ଥାନାଧିକାରୀ, ଆରଡି ଫାଣ୍ଡି ଅଧିକାରୀ, ଜିଲାର ସମସ୍ତ ଥାନାର ଥାନାଧିକାରୀଙ୍କ ସମେତ ସାଢେ ତିନି ପ୍ଲାଟୁନ୍‌ ପୋଲିସ ଫୋର୍ସଙ୍କୁ ଏଠାରେ ମୁତୟନ କରାଯାଇଥାଏ। ତା’ଛଡ଼ା ଭଦ୍ରକ ଜିଲାପାଳ, ଉପଜିଲାପାଳଙ୍କ ସମେତ ଜିଲାର ବିଭିନ୍ନ ବିଭାଗର ପଦାଧିକାରୀମାନେ ମଧ୍ୟ ଏହି ଦିନ ପୀଠରେ ଉପସ୍ଥିତ ରହିଥାନ୍ତି।

ପୀଠରେ ସେବା କାର୍ଯ୍ୟ: ପୀଠକୁ ସଫାସୁତରା ରଖିବାକୁ ମନ୍ଦିର କର୍ମଚାରୀଙ୍କ ସମେତ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନର ସଦସ୍ୟମାନେ କାର୍ଯ୍ୟ କରିଥାନ୍ତି। ସେହିପରି ଆରଡି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତରଙ୍କ ସମେତ କର୍ମଚାରୀଗଣ, ଜିଲାର ଅନ୍ୟାନ୍ୟ ସ୍ବାସ୍ଥ୍ୟକର୍ମୀମାନେ ଏଠାରେ ସ୍ବାସ୍ଥ୍ୟ ସେବା ଯୋଗାଇ ଦେଇଥାନ୍ତି। ପୀଠରେ ଓଡ୍ରାଫ ଟିମ୍‌, ଦମକଳ ବାହିନୀ, ଆମ୍ବୁଲାନ୍ସ ଗାଡି ବି ସେବା ପାଇଁ ସଜାଗ ରହିଥାନ୍ତି। ତା’ଛଡ଼ା ଏହି ଦିନ ପୀଠରେ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ, ସେବାୟତ ଓ କେତେକ ବଦାନ୍ୟ ବ୍ୟକ୍ତି ମାଗଣାରେ ଖାଦ୍ୟ, ଥଣ୍ଡା ପାଣି ସହ ବିଭିନ୍ନ ଜୁସ୍‌ ଓ ମୃଦୁ ପାନୀୟ ମଧ୍ୟ ବଣ୍ଟନ କରିଥାନ୍ତି।
-ଦୀପ୍ତିରଞ୍ଜନ ନାୟକ


All Right Reserved By Dharitri.Com

ଐତିହାସିକ ସହର ପାଲ୍‌ଘର: କେବେ ଓ କେମିତି ଯିବେ; କ’ଣ ଦେଖିବେ

ମହାରାଷ୍ଟ୍ରସ୍ଥିତ ଏକ ଐତିହାସିକ ସହର ଭାବେ ପାଲ୍‌ଘର୍‌ର ସ୍ବତନ୍ତ୍ର ପରିଚୟ ରହିଛି। ପ୍ରାଚୀନ ମନ୍ଦିର, ଆକର୍ଷଣୀୟ ସମୁଦ୍ରତଟ ସାଙ୍ଗକୁ ଐତିହାସିକ କୀର୍ତ୍ତିରାଜିମାନ ଏହି ସହରର ମହତ୍ତ୍ୱକୁ...

ରୋବୋ କରିବ ଗାର୍ଡେନିଂ

ଅତ୍ୟାଧୁନିକ ଜ୍ଞାନ କୌଶଳର ଅଗ୍ରଗତି ଫଳରେ ଆଜିକାଲି ସବୁ କାମ ଖୁବ୍‌ କମ୍‌ ସମୟରେ ଏବଂ ସହଜରେ କରାଯାଇପାରୁଛି। ଏଇ ଯେପରି ରେଷ୍ଟୁରାଣ୍ଟରେ ଆଜିକାଲି ଓ୍ବେଟରଙ୍କ...

ସଙ୍ଗୀତ ମାୟାରେ ଆରୋହୀ-ସ୍ବପ୍ନାରାଣୀ

ପ୍ରଗାଢ଼ ନିଷ୍ଠା ବଳରେ ଜଣେ ମହିଳା କିପରି ନିଜର ଲକ୍ଷ୍ୟ ହାସଲ କରିପାରେ ତାହାର ଅନେକ ନଜିର ରହିଛି। ତେବେ ଏହି ତାଲିକାରେ ନିଜ ନାମକୁ...

ଦେଶ ବିଦେଶରେ ନାମ କମାଇଛନ୍ତି ଓଡ଼ିଶାର ମେଢ କାରିଗର: କେମିତି ପ୍ରସ୍ତୁତ କରନ୍ତି ମେଢ, କ’ଣ ଥାଏ ତାଙ୍କର ଜୀବନଶୈଳୀ ଜାଣନ୍ତୁ…

ସୁନ୍ଦର ସୁନ୍ଦର କାରୁକାର୍ଯ୍ୟପୂର୍ଣ୍ଣ ମେଢ ଦେଖି ସମସ୍ତେ ଆନନ୍ଦିତ ହୁଅନ୍ତି । କିନ୍ତୁ ମେଢତିଆରି କରିଥିବା କାରିଗରମାନଙ୍କ ସମ୍ପର୍କରେ କିଏ ଭାବିଛନ୍ତି କି? କେମିତି ପ୍ରସ୍ତୁତ...

ମାଛବନ୍ୟା

କଥାଟା ଶୁଣିବାକୁ ବିଚିତ୍ର ଲାଗୁଥାଇପାରେ। ଉପର ମୁଣ୍ଡରେ ବର୍ଷାହେଲେ ନଦୀନାଳରେ ପାଣିପଶେ। ତାହାର ପ୍ରଭାବରେ ବନ୍ୟା ସୃଷ୍ଟିହୁଏ। ବେଳେବେଳେ ସେହି ବନ୍ୟା ପ୍ରଳୟର ରୂପ ଧାରଣ...

ମିଳିଲା ୨୫୦୦ ବର୍ଷ ପୁରୁଣା ୩୦ ବହି

ଏଥେନ୍ସ୍‌,୧୨।୨: ଗୀସ୍‌ର ଏଥେନ୍ସ୍‌ରୁ ୨୫୦୦ ବର୍ଷ ପୁରୁଣା ୩୦ଟି ବହି ମିଳିଛି। ସ୍ଥାନୀୟ ଏକ ୩୦ଫୁଟର କୂଅ ମଧ୍ୟରେ ଏଗୁଡ଼ିକ ରହିଥିଲା।  ଏଥିରେ ଅନ୍ୟକୁ କିିଭଳି...

କରୋନା ଭୟ: ୪ ଫୁଟ ଦୂରରୁ ସେଲୁନ୍‌ରେ କଟାଯାଉଛି କେଶ

ବେଜିଂ,୫।୩: ଚାଇନାରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବଢ଼ିବା ସହିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ତେଣୁ ସୁରକ୍ଷା ଦୃଷ୍ଟିରେ ଏଠାରେ ଥିବା ସେଲୁନ୍‌ରେ ୪ ଫୁଟ...

ବିମାନରେ ସ୍ଲିପିଂ ପ୍ୟାଡ୍‌: ଆରାମରେ ଶୋଇ ଯାତ୍ରା କରିପାରିବେ ଯାତ୍ରୀ

ଅକଲ୍ୟାଣ୍ଡ୍‌: ବିମାନ ଯାତ୍ରା ସମୟରେ ଯାତ୍ରୀମାନେ ଶୋଇବା ପାଇଁ ଏୟାର ନ୍ୟୁଜିଲାଣ୍ଡ ଇକୋନୋମି କ୍ଲାସରେ ସ୍ଲିପିଂ ପ୍ୟାଡ୍‌ ତିଆରି କରାଯାଇଛି। ଏହାର ନାମ ‘ସ୍କାଇନେଷ୍ଟ’ ଦିଆଯାଇଛି।...

Leave a comment

Your email address will not be published. Required fields are marked *